You are currently viewing ଅସମ୍ମୋହିତା
ଅସମ୍ମୋହିତା

ଅସମ୍ମୋହିତା

ଖୁବ୍‌ ନିକଟରୁ ଶବ୍ଦପୁଙ୍ଗୀରେ କକର୍ଶ କଣ୍ଠରେ ଆରମ୍ଭ କରାଯାଇଥିବା ନିରନ୍ତର ଭକ୍ତିନାଦର କୀର୍ତ୍ତନି ଧ୍ୱନି ଗହଳ ଅନ୍ଧାର ବାୟୁମଣ୍ଡଳରେ ଧୀରେ ଧୀରେ ମିଳେଇ ଯାଉଥିବା ବେଳେ ତା’ ଭିତରୁ ମୁଣ୍ଡରେ ଗାମୁଛା ଭିଡ଼ା ବହଳିଆ ରୁକ୍ଷ ଚର୍ମର ଗାଲରେ ଦାଢ଼ୀ ରଖିଥିବା ଗୋଟିଏ ଚେହେରା ବଡ଼ ବଡ଼ ଆଖି ସହ ଦାନ୍ତ ଦୁଇଧାଡ଼ି ଆଗକୁ ଆଣି ପଚାରୁଥିଲା– “ହେ, ହେ ଆପଣ ଏ ଘର କେବେ ଛାଡ଼ିବେ?”

ପ୍ରଶ୍ନ କରିଥିବା ଲୋକର ମୁହଁ ଉପରେ ହିଁ କଳା ମିଚିମିଚି ଶିଶୁଆ କାଠ କବାଟଟି ଢୋ କିନା ବନ୍ଦ କରି ଦିଆଯାଇଥିଲେ ମଧ୍ୟ ସିମେଣ୍ଟର କାନ୍ଥ ଓ କାଠର ଦ୍ୱାର-କବାଟର ସେ ପାଖରୁ ଘର ଭିତରକୁ ପଶି ଅସୁଥିବା ବିକଟାଳ/ତାତ୍ସଲ୍ୟ ହସର ତରଙ୍ଗାୟିତ ପ୍ରତିଧ୍ଵନି ଭିତରୁ ପୁଣି ଥରେ ଶବ୍ଦପୁଙ୍ଗୀର ଲୋମଟାଙ୍କୁରା କର୍କଶିତ କଣ୍ଠରେ କେବଳ ଭକ୍ତିନାଦର ସ୍ଵର ନୁହେଁ, ହୋ-ହାଲ୍ଲା ମାରଧର ଶବ୍ଦପୁଞ୍ଜର ଋକ୍ଷନାଦ ଧୀରେ ଧୀରେ ବଢ଼ି ଅନ୍ଧାର ଆକାଶର ବାଷ୍ପୀଭୂତ ବଳୟରେ ଦୂରକୁ ଦୂରକୁ ବ୍ୟାପି ଯାଉଥିଲା ।

ଭୟଭୀତ ଅବସ୍ଥାରେ ବିଛଣାରୁ ଉଠି ବସି ପଡ଼ିଲେ କରୁଣା ।

ଅଦ୍ଭୁତ ସ୍ଵପ୍ନ, ନିଦ୍ରା ଆବୋରିତ ମସ୍ତିଷ୍କର ପ୍ରତି ସ୍ତରର ଚୈତନ୍ୟରେ ହୃତସ୍ପନ୍ଦନର କମ୍ପନ ଶରୀରର ଅଣୁ ଅଣୁରେ ଅନୁଭବ କରୁଥିଲେ । ଝଙ୍କୃତ ଚୈତନ୍ୟ ମସ୍ତିଷ୍କରେ ଶୂନ୍ୟତାର ଏକ ପ୍ରତିରୂପ ଦେଖୁଥିଲା । କେଉଁଠି ଅଛନ୍ତି ସେ? ଆଖପାଖ ଆଖି ବୁଲେଇଲେ । ଚାରିଆଡ଼େ ବ୍ୟାପ୍ତ ଅନ୍ଧକାର । ଦୂରରେ ଦେଖା ଯାଉଥିବା କ୍ଷୀଣାଲୋକର ଅସ୍ପଷ୍ଟ ସୂଚନା ଦିଗରେ ପାଦ ବଢ଼େଇଲେ । ଆଲୁଅର ଯେତେ ନିକଟବର୍ତ୍ତୀ ହେଉଥିଲେ, ସେ ଅନୁଭବ କରୁଥିଲେ ସତେ ଯେପରି ଏକ ବିରାଟ ପ୍ରଶସ୍ତ କୋଠରୀ ଭିତରେ ଅଛନ୍ତି ! ପଛକୁ ବୁଲି ଚାହିଁଲେ । ନିଜ ଚାରିପାଖେ ବିରାଜମାନ ଅନ୍ଧକାରର ପ୍ରଶସ୍ତ କାୟାରେ ଅସ୍ପଷ୍ଟ ଦେଖାଯାଉଥିବା କୋଠରୀ ଭିତରେ କିଛିଲୋକ ଖଟ ଉପରେ ଶୋଇଥିବାର ରେଖାଙ୍କିତ ଦୃଶ୍ୟ ଦୃଶ୍ୟମାନ ହେଉଥିଲା । ନିଜର ଶରୀରର ଅବସ୍ଥିତି ଉପରେ ଧ୍ୟାନ କେନ୍ଦ୍ରିତ କଲେ ବି ସେ ସଫଳ ହେଇ ପାରିଲେନି । କିନ୍ତୁ ନିଶ୍ଚିତ ଥିଲେ ଇଏ ତାଙ୍କ ଘର ନୁହେଁ ।

ଅନ୍ଧକାରର ପ୍ରଛାୟାରେ କାନ୍ଥରେ ଦୃଶ୍ୟମାନ ବିଜୁଳୀ ସୁଇଚରେ ଗୋଟିଏ ପରେ ଗୋଟିଏ ସୁଇଚ ଟିପି ଚାଲିଲେ । କୋଠରୀଟି ଆଲୁଅରେ ଉଦ୍‌ଭାସିତ ହୋଇ ଉଠିଲା । ତା’ ସହ ତାଙ୍କ ସ୍ମୃତିରେ ବର୍ତ୍ତମାନର ଚେତନା ଭାସି ଆସିଲା । ସେ ଏକ ଜରା ନିବାସରେ ରହୁଛନ୍ତି । ତା’ର ଏହି କୋଠରୀ ଭିତରେ ତାଙ୍କୁ ଗୋଟିଏ ଖଟ ଓ ଗୋଟିଏ ଆଲମିରା ଦିଆଯାଇଛି।

– ଓଃ ହୋ !

ସବୁଜବନାନୀ ଘେରା ଆରଣ୍ୟକ ପରିବେଶରେ, ବିଶାଳ ତଥା ସମୃଦ୍ଧ ଏକ ଅଞ୍ଚଳରେ ସ୍ଥିତ ପୁରାତନ ଆଭିଜାତ୍ୟପୂର୍ଣ୍ଣ ଶୃଙ୍ଗାରି କାରୁକାର୍ଯ୍ୟ ଖଚିତ କାଷ୍ଠସ୍ତମ୍ଭର ତଳ ଉପର ମିଶେଇ ବାରକୋଠରୀ ବିଶିଷ୍ଟ ତାଙ୍କ ଶଶୁରଙ୍କ ଘରର କୋଠରୀଗୁଡ଼ିକ ଏତେ ବିରାଟ ନ ଥିଲେ ମଧ୍ୟ ଚମତ୍କାର ଶ୍ରେଣୀର ଥିଲା । ଅନ୍ତତଃ ଛଅଟି କୋଠରୀରେ ବିଶାଳ ପଲଙ୍କମାନ ପଡ଼ିଥିଲା । ରୋଷେଇ ଘରକୁ ଲାଗି ଲମ୍ବା ଓସାରିଆ ଅଗଣା ଥିଲା । ନୂଆଲୋକଙ୍କ ପାଇଁ ଆଭିଜାତ୍ୟର ଖୁଆଡ଼ ଭିତରେ ଥିବା ସେହି ଘରଟିରେ ପଶିଗଲା ମାତ୍ରେ ହିଁ ବିସ୍ମୃତିତ ଭାବ ଅନୁଭୂତ ହେଉଥିଲା ।

ଘରଟିର ଆକର୍ଷଣ ତୀକ୍ଷ୍ଣ ସୂର୍ଯ୍ୟରାଗ ସମୟରେ ଯେତିକି ରହିଥିଲା ଚନ୍ଦ୍ରଧୌତ ଅଥବା ଚନ୍ଦ୍ରହୀନ ରାତ୍ରି କୋଳରେ ଦୃଶ୍ୟମାନ ବାହ୍ୟ ରୂପରେଖ ଥିଲା ଅସମ୍ଭବ ରୂପେ ଚିତ୍ରବର୍ଣ୍ଣିଳ ।

ବିଜୁଳୀବତୀ ବନ୍ଦ କରି ମଷ୍ତିସ୍କର ଚୈତନ୍ୟରୁ ବିଛୁରିତ ସ୍ୱାଲୋକରେ ଫେରି ଆସି ଖଟ ଉପରେ ଥକ୍କା ମାରି ଦୁଇ ପାପୁଲିରେ ମୁହଁକୁ ଭରା ଦେଇ ବସି ରହିଲେ । ନିଦ ଅବସରରେ ଦେଖିଥିବା ବିକଟାଳ ସ୍ୱପ୍ନର କାଳ୍ପନିକ ଦୃଶ୍ୟ ଦର୍ଶନରେ ସେ ମ୍ରିୟମାଣ ଅବସ୍ଥାରେ ଜ୍ଞାନଶୂନ୍ୟ ହୋଇ ଯାଇଥିଲେ । ପ୍ରୋଜେକ୍ଟରରୁ ସିନେମା-ପରଦାରେ ପ୍ରତିଫଳିତ ଅତି ତୀବ୍ରଗତିରେ ଚାଲୁଥିବା ଚିତ୍ର ଭଳି ମନର ସ୍ମୃତି ପଟଳରେ ଲିପିବଦ୍ଧ ହୋଇ ରହିଥିବା ଅତୀତର ଘଟଣାବଳୀ ତାଙ୍କ ମନରେ ଦୃତବେଗରେ ଯା-ଆସ ହେଉଥିଲା ।

ଦୁହିତା ଦୁଇ କୁଳକୁ ହିତାର ଆପ୍ତବାକ୍ୟକୁ ଅଙ୍ଗେ ନିଭେଇ ବାପା ଘରକୁ ଅତିଶୟ ଭଲ ପାଉଥିବା ଏହି ସ୍ତ୍ରୀ ଲୋକଟିର ଅବସ୍ଥା ଓଡ଼ିଶାର ମହାନଦୀ ଭଳି ଥିଲା ।

ମା’ ଘରର ସ୍ୱଚ୍ଛ ସ୍ପଷ୍ଟ ଟିକି ଝରରୁ ଶଶୁରଘର ଅସଫଳ ବ୍ୟବସାୟିକ ଓ ଅସହାୟ ପରିଶୋଧ ନୀତିର ଋଣଜାଲର ଝରଣାରେ ସଂଯୋଜିତ ବଡ଼ ନାଳ, ତା’ ସହ ଦେଶମାଟିକୁ ତିରସ୍କୃତ ଦୃଷ୍ଟିକୋଣରେ ଦେଖୁଥିବା ତାଙ୍କ ଭାଇର କୃତ୍ରିମ-ଋଣ-ନାଳ ଓ ଶାଖା ନଦୀମାନଙ୍କ ସୃଷ୍ଟି ଫଳରେ ଆସିଥିବା ବିଶ୍ୱାସଘାତର ସ୍ୱାଦରେ ବାପା-ମାଆଙ୍କ ଆଞ୍ଜୁଳା ଆଞ୍ଜୁଳା ସ୍ୱପ୍ନିଳ ବାରିଦରୁ ସୃଷ୍ଟି ସରିତର ରୂପରଙ୍ଗରେ ଜର୍ଜରିତା କରୁଣା ତାଙ୍କ ଜୀବନ ସମୟର ସମୁଦ୍ର ମୁହାଣରେ ଆଜି ଜରାନିବାସର ଅଶାନ୍ତ, ଅସୌମ୍ୟତା ଓ ତିକ୍ତରୁ ତିକ୍ତ ଅନୁଭବ ମଧ୍ୟରେ ଧରାଶାୟୀ ଝରା ଶେଫାଳୀକୁ ହିଁ ଗୋଟାଇବାରେ ସମୟ ବ୍ୟତୀତ କରୁଥିଲେ ।

ଅପେକ୍ଷିତ ପ୍ରତିଦିନର ଉଦିତ ସୂର୍ଯ୍ୟଙ୍କ ଉତ୍ଥାନ-ପତନକୁ ଅନୁସରି ସେ ତାଙ୍କ ମୂଳ ନିଜ ଅସ୍ତିତ୍ୱକୁ, ନଦୀର ଦୁଇ ଧାରରେ ବସବାସ କରୁଥିବା ଲୋକଙ୍କ ସାହାରାର ଅଖଣ୍ଡ ବିଶ୍ୱାସକୁ ହରେଇ ବସିଥିଲେ ।

ବାହା ହେଲାବେଳେ ସ୍ୱାମୀଙ୍କ କଣ୍ଟ୍ରାକ୍ଟରୀ, ଶଶୁରଙ୍କର ଅଚଳାଚଳ ସମ୍ପତ୍ତି ଥିଲା । କିନ୍ତୁ ବ୍ୟବସାୟରେ ସବୁବେଳେ କ୍ଷତି ଫଳରେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ବିକ୍ରୀ ହେବାରେ ଲାଗିଥିଲା । ବିଦେଶରେ ଚାକିରୀ କରୁଥିବା କରୁଣାଙ୍କର ଏକମାତ୍ର ଭାଇ ସହ ତାଙ୍କ ନଣନ୍ଦଙ୍କର ବାହାଘର ହେଇଥିଲା ସତ, ନଣନ୍ଦ କିନ୍ତୁ ପିଲାମାନଙ୍କ ସହ ବାପା ଘରେ ହିଁ ରହୁଥିଲେ । ଭଉଣୀର ପରିବାର, ତାଙ୍କ ପରିବାର ଦୁହିଁଙ୍କ ଦାୟିତ୍ୱ ଥିଲା କରୁଣାଙ୍କ ସ୍ୱାମୀଙ୍କ ଉପରେ । ଗୋଟିଏ ସମୟରେ କରୁଣାଙ୍କର ଭାଇ ବିଦେଶରୁ ଆସି ସେମାନଙ୍କ ମନରେ ଅସୁମାରୀ ସ୍ୱପ୍ନ ଧରି ଆସି ବାଣ୍ଟିଥିଲେ । ରାଉରକେଲାରେ କମ୍ପାନୀ କରିବା ପାଇଁ କରୁଣାଙ୍କର ଶଶୁରଙ୍କର ବିରାଟ ଘରଟିକୁ ବ୍ୟାଙ୍କରେ ବନ୍ଧା ପକେଇ କାମ ଆରମ୍ଭ କରିଥିଲେ ।

ଭାଇର କମ୍ପାନୀ ତ ଆରମ୍ଭ ହେଇ ପାରିଲାନି । ବରଂ ବୋଝ ଉପରେ ନଳିତା ବିଡ଼ା ଭଳି ବ୍ୟାଙ୍କର ଋଣ ଶୁଝି ନ ପାରି ଘରଟିକୁ ବିଲ୍‌ଡର ହାତକୁ ଟେକି ଦେବା ପାଇଁ ସେମାନେ ବାଧ୍ୟ ହୋଇଥିଲେ । କରୁଣାଙ୍କ ସ୍ୱାମୀ ଅପ୍ରତିରୋଧୀ ମାନସିକ କଷ୍ଟଜନିତ ହୃଦ୍‌ ଆଘାତରେ ପ୍ରାଣତ୍ୟାଗ କରିଥିଲେ ।

ପରେ ପରେ ତାଙ୍କ ନଣନ୍ଦଙ୍କ କ୍ୟାନସରରେ ମୃତ୍ୟୁ ହୋଇଥିଲା । ତାଙ୍କ ଭାଇ ଓ ତା’ ପିଲାମାନେ ବିଦେଶରେ ରହିବାକୁ ଚାଲି ଯିବା ପରେ ସେ ଶୁଣିଥିଲେ, ବ୍ୟାଙ୍କରୁ ଟଙ୍କା ଆଣି କମ୍ପାନୀ କରିବା ନାଁରେ ଭାଇ ସବୁ ଋଣ ଟଙ୍କା ବିଦେଶକୁ ପଠେଇବାର କୁ-ଚକ୍ରାନ୍ତ କରିଥିଲା ।

ନିସ୍ୱଃ କରୁଣା ଏକମାତ୍ର ପୁଅ ସହ ବୋହୂ ଓ ଛୋଟ ନାତିକୁ ନେଇ ରାଜରାସ୍ତାକୁ ଉଠି ଆସିଥିଲେ । ନିଜ ପରିବାର ଚଳେଇବାରେ ଅସମର୍ଥ ଅସହାୟ ପୁଅ ତା’ ଶଶୁର ଘରକୁ ଚାଲି ଯାଇଥିଲା । କରୁଣା ସମୁଦୀ ଘରକୁ ଯାଇ ପାରି ନ ଥିଲେ । ଭଡ଼ା ଘର ନେବା ପାଇଁ ସେ ରାହୁଲକୁ ମନା କରି ଦେଇଥିଲେ । ଜାଣି ଜାଣି ସେ ଜରା ନିବାସରେ ରହିବା ପାଇଁ ସ୍ଥିର କରିଥିଲେ । କାରଣ ପିଲାଟିଦିନୁ ପରଘରି କହି ତାଙ୍କୁ ଛିଗୁଲେଇ ଆସିଥିବା ତାଙ୍କ ଭାଇ ପାଇଁ ସମ୍ମୋହନର ଶାସ୍ତି ନିମନ୍ତେ ଈଶ୍ୱରଙ୍କ ପାଖରେ ତାଙ୍କୁ କର୍ମର ଗୁହାରିଆ ହେବାକୁ ହେବ ।

କିଛି ଟଙ୍କା ବଦଳରେ ବିଲ୍‌ଡର ହିଁ ତାଙ୍କ ପାଇଁ ଜରାନିବାସଟିଏ ଖୋଜି ଦେଇଥିଲା । ଏହି ଆଶାରେ ଯେ, ବହୁତ ଜଲଦି ଆପାର୍ଟମେଣ୍ଟ କରି ତାଙ୍କ ଭାଗ ଦେଇଦେବ ।

ଗାଢ଼ା କେଶରିଆ ଓ ଧଳାର ସମ୍ମିଶ୍ରଣର ରଙ୍ଗାକୃତି ସଦ୍ୟ ତିଆରି ଆପାର୍ଟମେଣ୍ଟଟି ଭିତରକୁ ଅବଦମିତ ସ୍ୱପ୍ନ ସହ ସକାଳେ ନାତିର ହାତ ଧରି ଯିବା ଅବସରରେ ତାଙ୍କ ପାଦ ଅଟକି ଗଲା । ନିଃସନ୍ଦେହ, ବାହାର ପାଖରୁ ରଙ୍ଗରୂପରେ ବହୁତଳ ବିଶିଷ୍ଟ ପ୍ରାସାଦଟିର ଭିତର ଓ ବାହାର ଜାଜ୍ଜଲ୍ୟମାନ ଦେଖା ଯାଉଥିଲା । ତଥାପି ତାହା ତାଙ୍କ ବାର ଟିକିଆ କୋଠରୀ ବିଶିଷ୍ଟ ଜୀର୍ଣ୍ଣ ପ୍ରାସାଦ ଭଳି କଦାପି ନ ଥିଲା, କାରଣ ତା’ ଭିତରେ ତାଙ୍କର ଦୀର୍ଘ ୪୦ ବର୍ଷର ଅଙ୍ଗାନୁଭୂତି ପୋତି ହୋଇ ରହିଥିଲା ।

ଚଟାଣ ଉପରେ ଚାଲୁ ଚାଲୁ ଅତୀତର ସାଗରଢେଉ ବେଳା ପାଖକୁ ଆସି ଉଦଣ୍ଡତାରେ ଉର୍ଦ୍ଧ୍ୱମୁଖୀ ହେଲା ଭଳି ଗୋଟିଏ ପରେ ଗୋଟିଏ ସ୍ମୃତି ଭାସି ଆସି ମୁଣ୍ଡ ପିଟୁଥିଲେ ।

ସେ ଏହି ଘରକୁ ବୋହୂ ହେଇ ଆସିବା ଦିନ ଆମ୍ବାସାଡାର କାର ଭିତରୁ କନା ଘେର ଭିତରେ ହୁଳହୁଳି ଶବ୍ଦର କମ୍ପମାନ ନାଦରେ ଘର ଭିତରକୁ ତାଙ୍କୁ ପାଛୋଟି ନିଆଗଲା ବେଳେ ଓଢ଼ଣା ଫାଙ୍କରୁ ତାଙ୍କ ପଛରେ ଆସୁଥିବା ଭାଇ ହାତରୁ ଗୁଡଚୂନର କଂସାଥାଳି ତାଙ୍କ ନଣନ୍ଦ ଅନ୍ୟ ଝିଅମାନଙ୍କ ସହ ଛଡ଼େଇ ନେଇ ଯାଉଥିବାର ଓ ସେମାନଙ୍କ ପାଖରୁ ଛାଟିପିଟି ହୋଇ ଭାଇର ଦୌଡ଼ିଯିବା ବେଳର ବିଲ୍ଲୋଳିତ ଦୃଶ୍ୟ ତାଙ୍କ ଆଖି ଆଗରେ ନାଚି ଉଠିଲା ।

ମୁଣ୍ଡରେ ଗାମୁଛା ଭିଡ଼ା ବହଳିଆ ଦାଢୀରଖା ରୁକ୍ଷ ଗାଲ ଚର୍ମର ବିଲଡର ଲୋକଟିର ଚେହେରା ମଧ୍ୟ ନାଚି ଉଠିଲା, ଯିଏ ପଚାରୁଥିଲା– ହେ, ହେ ଆପଣ ଏ ଘର କେବେ ଛାଡ଼ିବେ?

କରୁଣାଙ୍କୁ ଚାହିଁ କ୍ୟାନସର ସହ ଲଢୁଥିବା ନଣନ୍ଦର ନିଜ ପିଲାଙ୍କ ଭବିଷ୍ୟତ ପାଇଁ ତାଙ୍କ ଦିଗେ ଆଶାପୂର୍ଣ୍ଣ ନୟନର କରୁଣ ଚାହାଣୀ ବି ମନେ ପଡ଼ିଥିଲା ।

ତାଙ୍କ ଭାଇ ସ୍ତ୍ରୀକୁ ସିନା ବିଦେଶ ନେଇ ଚିକିତ୍ସା କରେଇ ପାରିଲାନି, ହେଲେ ସ୍ତ୍ରୀର ମୃତ୍ୟୁ ପରେ ପିଲାମାନଙ୍କୁ ଧରି ସେଇଠି ଯାଇ ରହି ପାରିଲା ।

କେନ୍ଦ୍ରୀଭୂତ ସମ୍ମୋହିତ ପ୍ରେମ ତରଳାକାରରୁ କଠିନ ଆବରଣରେ ପରିବର୍ତ୍ତିତ ହେବାରେ ଲାଗିଥିଲା । ଯିବା ରାସ୍ତାରେ କରୁଣା ହଠାତ୍‌ ଠିଆ ହୋଇଗଲେ । ରାତିର ସ୍ୱପ୍ନ ଓ ଏହି ଦୃଶ୍ୟ ସବୁର ସହସା ସ୍ମରଣରେ ଆସିବା ପରେ ସେ ଏକ ନିଶ୍ଚିତରେ ପହଞ୍ଚି ସାରିଥିଲେ । ସମ୍ମୋହନର ପରାକାଷ୍ଠାରେ ପରଘରିର ଭାଇ ପାଇଁ ପୁରୁଷାର୍ଥେ ପ୍ରାୟଶ୍ଚିତ ଆହୁରି ସରିନି ।

ରାହୁଲକୁ ଚାହିଁଲେ– ମୁଁ ଯିବିନି, ମୋତେ ମୋ ଆଶ୍ରମରେ ଛାଡ଼ି ଦେ ।

ରାହୁଲ ଆଶ୍ଚର୍ଯ୍ୟ– କିନ୍ତୁ କାହିଁକି ବୋଉ?

ସେ କିଛି କହି ପାରିଲେନି । ଆପାର୍ଟମେଣ୍ଟର ଗେଟ ପାଖରେ ଯାଇ ଠିଆ ହୋଇ ରହିଲେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରମୋଦ କୁମାର ପଣ୍ଡା ଜଣେ ଓଡ଼ିଆ ଲେଖକ, ଯିଏକି ପ୍ରାୟତଃ ତାଙ୍କର ନିଜ ଗବେଷଣା ଏବଂ ଅନୁଭବ ଉପରେ ବିଭିନ୍ନ ପ୍ରକାରର ରଚନା କରନ୍ତି । ଯଦିଓ ଛାତ୍ରଜୀବନରେ ସେ ବିଭିନ୍ନ ପ୍ରାକାରର ଲେଖାଲେଖି କରୁଥିଲେ, କିନ୍ତୁ ଜଣେ ବ୍ୟାଙ୍କ କର୍ମଚାରୀ ଭାବରେ ଅବସର ନେବାପରେ ସେ ଆରମ୍ଭ କରିଥିଲେ ପ୍ରକୃତ ରଚନା । ଲେଖକ ଜୀବନରେ ତାଙ୍କର ପ୍ରଥମ ଗଳ୍ପ ଆମ ପତ୍ରିକାର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇବାପରେ ଆରମ୍ଭ ହୋଇଥିଲା ତାଙ୍କର ଲମ୍ବା ଯାତ୍ର । ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ତାଙ୍କ ରଚିତ ଲେଖାଗୁଡ଼ିକ ପ୍ରକାଶ ପାଉଛି ।