You are currently viewing ବାପା ଓ ପଦ୍ମମାଳାରେ ଜପ
Odia Story Bapa o Padmamalare Japa (ବାପା ଓ ପଦ୍ମମାଳାରେ ଜପ) by Nibedita Mohapatra

ବାପା ଓ ପଦ୍ମମାଳାରେ ଜପ

ବାପା, ଦୁନିଆରେ ମୋର ସବୁଠାରୁ ପ୍ରିୟ ମଣିଷ । ତାଙ୍କ ବିନା ମୋ ଜୀବନ ଅନ୍ଧାର । ମୋ ହେତୁ ପାଇବା ଦିନରୁ ମୁଁ ମୋ ବାପାଙ୍କ ପରି ମଣିଷଟିଏ ହେବାକୁ ଚାହିଁଚି । ଆଜି ବୟସର ଯୋଉ ସୋପାନରେ ମୁଁ ପହଞ୍ଚିଛି ସେଠାକୁ ଆସିବାରେ କେତେବେଳେ ମତେ ସଫଳତା ମିଳିଛି ତ କେବେ ପୁଣି ବିଫଳତା ମୋର ପଥରୋଧ କରିଛି; ତଥାପି ସବୁ ପରିସ୍ଥିତି ଆଉ ସବୁ ସମୟରେ ବାପା ମତେ ସାହାରା ଦେଇଛନ୍ତି । ଆଗକୁ ବଢ଼ିଯିବାର ପ୍ରେରଣା ଦେଇ କର୍ତ୍ତବ୍ୟ କରିଯିବାକୁ କହିଛନ୍ତି ।

ପିଲାବେଳରୁ ହିଁ ବାପାଙ୍କ ପ୍ରାଣାୟାମର ଓଁକାର ଉଚ୍ଚାରଣରେ ମୋର ନିଦ ଭାଙ୍ଗେ । ପ୍ରଥମେ ପ୍ରଥମେ ମୁଁ ଡରି ଯାଉଥିଲି । କାରଣ ରାତ୍ରିର ନିର୍ଜନତାକୁ ଭେଦ କରି ସେଇ ଶଦ୍ଦ ମୋ ଦେହରେ ଏକ ଅଜଣା ରୋମାଞ୍ଚ ଖେଳାଇ ଦେଉଥିଲା । କିନ୍ତୁ ପରେ ଅଭ୍ୟାସ ହେଇଗଲା । ବାପାଙ୍କ ଦିନଚର୍ଯ୍ୟାରେ ସକାଳର ନିତ୍ୟକର୍ମ ପରେ ଠାକୁର ଘରେ ପୂଜା, ଜପ, ଆଳତି, ଭାଗବତ ପାଠ ଏକ ରୁଟିନ୍ ବନ୍ଧା କାର୍ଯ୍ୟକ୍ରମ ଥିଲା । ପ୍ରତିଦିନ ମୁଁ ମଧ୍ୟ ସେଥିରେ ଅଂଶିଦାର ରହୁଥିଲି । କାରଣ ପୂଜା ଶେଷରେ ମତେ ପ୍ରଥମେ ଭୋଗ ଓ ଆଳତି ମିଳୁଥିଲା ।

ମୋ ବାପା ବଡ଼ ଅଜବ ଖିଆଲର ମଣିଷ ଥିଲେ । ଦୁଃଖ କି ଅସୁବିଧା ପଡ଼ିଲେ ସେ ଅଧିର ହୁଅନ୍ତି ନାହିଁ; ବରଂ ଠାକୁର ଘରେ ଶାନ୍ତିରେ ବସି ପଦ୍ମମାଳା ଜପ କରନ୍ତି । ମୋ ବାଲ୍ୟ ସୁଲଭ ଚପଳତାରେ ଥରେ ବାପାଙ୍କୁ ପଚାରିଥିଲି, “ବାପା, ପଦ୍ମମାଳା ଜପିଲେ କଣ ବିପଦ ଦୂର ହୁଏ?” ବାପା ସେତେବେଳେ ମୋ କଥାରେ ହସି ସେ କଥାକୁ ଅଣଦେଖା କରି ଦେଇଥିଲେ । ସେବେଠାରୁ ମୁଁ ଆଉ କେବେ ବି ବାପାଙ୍କୁ ଏ ବିଷୟରେ ପଚାରିନି ।

ପଦ୍ମମାଳା ସହ ବାପାଙ୍କର ଆନ୍ତରିକତା ବେଳେ ବେଳେ ମତେ ଦ୍ୱନ୍ଦରେ ପକାଏ । ଥରେ କୌତୁହଳ ବଶତଃ ଜେଜେଙ୍କୁ ଏକଥା ପଚାରିବାରୁ ସେ କହିଲେ, “ମାନସିକ ଶାନ୍ତି ପାଇଁ ଏସବୁ କରାଯାଏ । ଯାହା ଆମ ମାନଙ୍କ ବିଶ୍ୱାସ ।” ଜେଜେ ଏ ଉତ୍ତର କିନ୍ତୁ ମତେ ସନ୍ତୁଷ୍ଟ କରି ପାରି ନଥିଲା ।

ବାପାଙ୍କ ବୟସ ବଢ଼ିବା ସହ ଚାକିରି ଜୀବନରୁ ଅବସର ପରେ ସେହି ପଦ୍ମମାଳା ସହ ବାପାଙ୍କ ଘନିଷ୍ଠତା ଅଧିକ ବଢ଼ି ଯାଇଥିଲା । ବାପା ଅବସର ସମୟର ସଦୁପଯୋଗ ପାଈଁ ଅନବରତ ସେ ମାଳା ଜପିବାର ମୁଁ ଅନେକ ଥର ଲକ୍ଷ୍ୟ କରିଛି । ବେଳେବେଳେ ଅନୁଭବ କରେ ବାପା ମୋ’ଠାରୁ ସେ ପଦ୍ମମାଳାକୁ ଯେମିତି ବେଶୀ ଭଲପାଆନ୍ତି ।

ଥରେ କଥାଛଳରେ ବାପାଙ୍କୁ ପଦ୍ମମାଳାର ରହସ୍ୟ ବିଷୟରେ ପଚାରିଲି । ବାପା କହିଲେ, “ତୁ ଯଦି ସମୟ ପାଉଚୁ ତା’ହେଲେ ଥରେ ଜପ କର । ନିଜେ ବୁଝି ପାରିବୁ ।” ତା’ପରଦିନ ବାପା ମୋ ପାଇଁ ଗୋଟିଏ ପଦ୍ମମାଳା କିଣି ଆଣିଲେ । ବାପାଙ୍କ କଥା ମାନି ସେଦିନ ସନ୍ଧ୍ୟାରେ କିଛି ସମୟ ପାଇଁ ସେ ମାଳା ଜପିଲି । ବାପା କ’ଣ ଜପୁଥିଲେ ଜାଣିନି; କିନ୍ତୁ ମୁଁ ରାମନାମ ଜପ କଲି । ସେଦିନ କିନ୍ତୁ କିଛି ଅନୁଭବ କରି ନଥିଲି । ତଥାପି ପ୍ରତିଦିନ କିଛି ସମୟ ମୁଁ ସେ ମାଳା ଜପେ ।

ଜୀବନ ପଥରେ ଚାଲିଲେ ବହୁ ବାଧା ବିଘ୍ନ, ଘାତ ପ୍ରତିଘାତ ସହିବାକୁ ପଡ଼େ । ସେକଥା ବାପା ମତେ ବୁଝେଇଥିଲେ । ସେମିତି ଏକ ଆଘାତ ମତେ ଲାଗିଥିଲା ଯେବେ ବାପା ବାର୍ଦ୍ଧକ୍ୟ ଜନିତ କାରଣରୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ । ସେଇଟା ମୋର ଜୀବନର ବଡ଼ କଠିନ ସମୟ ଥିଲା । ବାପା ସବୁକ୍ଷଣ ବିଛଣାରେ ପଡ଼ି ରହିବା ମତେ ଅନେକ କଷ୍ଟ ଦିଏ । ତାଙ୍କ ଆରୋଗ୍ୟ ପାଇଁ ଅନେକ କାମନା କରେ; ହେଲେ ତାହା ସଫଳ ହେଲାନି ।

ଦିନେ ଠାକୁର ଘର ସଫା କଲାବେଳେ ଗଣ୍ଠି ପଡ଼ିଥିବା ପୁରୁଣା କପଡ଼ାଟିଏ ପାଇଲି । ଉତ୍ସୁକତା ସହ ତାକୁ ଖୋଲିଲା ବେଳେ ଦେଖିଲି ଭାରି ଯତ୍ନରେ ସେଥିରେ ବନ୍ଧା ହୋଇଥିଲା ବାପାଙ୍କ ପ୍ରିୟ ପଦ୍ମମାଳାଟି । ଭାବିଲି ସେହି ପଦ୍ମମାଳିଟି ଟିକେ ଜପ କରିବି । ସନ୍ଧ୍ୟାରେ ଧୂପ ଦେଇ ସେ ମାଳାଟି କାଢ଼ିଲି । କିଛି ସମୟ ମୋ’ ପ୍ରିୟ ରାମ ନାମ ଜପ କଲି । ସେଦିନ କିନ୍ତୁ କାହିଁକି ମନକୁ ଏକ ପରମ ଶାନ୍ତିର ଅନୁଭବ ହେଲା । ମୁଁ କିଛି ବୁଝି ପାରୁ ନଥିଲି । ମତେ ଲାଗିଲା ଯେମିତି ମୁଁ ମୋ’ ଜୀବନର ଅନେକ ଅସମାହିତ ପ୍ରଶ୍ନର ଉତ୍ତର ପାଇଯାଇଛି । ସାଙ୍ଗେ ସାଙ୍ଗେ ବାପାଙ୍କ ପାଖକୁ ଧାଇଁ ଯାଇ କହିଲି, “ବାପା, ବାପା, ପଦ୍ମମାଳା ଆଜି ମୋ’ ମନକୁ ହାଲୁକା କରିଦେଇଛି ।” ବଡ଼ ବ୍ୟଗ୍ରତାର ସହ ମୁଁ ଆଉ କେତେ କ’ଣ କହିଚାଲିଥିଲି । ବାପା ସବୁ ଶୁଣି ପାରୁଥିଲେ; ହେଲେ ପରିପ୍ରକାଶର କ୍ଷମତା ତାଙ୍କର ନଥିଲା ।

ସେଦିନ ବାପାଙ୍କ ଆଖିରେ ଲୁହର ଧାରଟିଏ ଏବଂ ପରିତୃପ୍ତିର ଚିହ୍ନଟିଏ ମୁଁ ଦେଖି ପାରିଥିଲି । ମତେ ଲାଗୁଥିଲା ବାପା ଯେମିତି ସଫଳ ହେଇଥିଲେ ମତେ ବୁଝେଇବାରେ ସେ ପଦ୍ମମାଳର ରହସ୍ୟକୁ । ପ୍ରକୃତରେ ସେହି ଦିନ ହିଁ ମୁଁ ଅନୁଭବ କରିଥିଲି ଧାର୍ମିକ ଭାବନାରେ ଥିବା ଶକ୍ତିକୁ । ସେବେଠାରୁ ଯେବେ ବି ମୋ ମନ ଭାରାକ୍ରାନ୍ତ ହୁଏ ମୁଁ ସେ ମାଳା ଜପେ ଆଉ ସେତେବେଳେ ଆତ୍ମ ସନ୍ତୋଷର ଏକ ଶୀତଳ ଛାୟା ମୋ ମନକୁ ଆହ୍ଲାଦିତ କରେ ॥

– ନିବେଦିତା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୁରୀ ଜିଲ୍ଲାର ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗର ନିବାସୀ ନିବେଦିତା ମାହାପାତ୍ର ମୁଖ୍ୟତଃ ଓଡ଼ିଆ ଭଜନ ଆଦି ରଚନା ଆଦିରେ ରୁଚି ରଖନ୍ତି । ଭଜନାଞ୍ଜଳୀ ସହ ସେ ଅନେକ ଗପ ଓ କବିତା ଆଦି ରଚନା କରିଛନ୍ତି ।