You are currently viewing ସେଇ ପାଗଳି ଝିଅଟା
Odia Story Sei Pagali Jhiata (ସେଇ ପାଗଳି ଝିଅଟା) by Jyotiranjan Sahu

ସେଇ ପାଗଳି ଝିଅଟା

ଜାତୀୟ ରାଜପଥର ହେବ ସମ୍ପ୍ରସାରଣ । ରାସ୍ତା କଡ଼ର ଅନେକ ଘର ଭଙ୍ଗା ସରିଲାଣି । ଘର ଯେତେବେଳେ ଭଙ୍ଗାଯାଉଛି ସେତେବେଳେ ଗଛ କଥା ପଚାରୁଛି କିଏ? ରାସ୍ତା କଡ଼କୁ ଲାଗିଥିବା ବାପ ଅଜା ଅମଳର ଅନେକ ଗଛ କଟା ସରିଲାଣି । ସେମିତି ସାହୁ ବାବୁଙ୍କ ଘର ଆଗ ଅଗଣାର କିଛି ଅଂଶ ମଧ୍ୟ ଏହି ରାଜପଥ ସଂମ୍ପ୍ରସାରଣ ପାଇଁ ହେଉଥିବା ମାପରେ ପଡ଼ିଯାଉଛି । ହେଲେ ସାହୁ ବାବୁଙ୍କ ଘର ଆଗ ଅଗଣାରେ ଥିବା ସେ ବଉଳ ଗଛଟାକୁ ଆଜିକୁ ଦଶ ଦିନ ହେଲାଣି କଟାଯାଇ ପାରୁନାହିଁ । ବହୁତ ସରକାରୀ ବାବୁ ଆସିଲେଣି ଗଛ କଟା ନହୋଇପାରିବାର କାରଣ ଖୋଜିବାକୁ । କାରଣର ସମାଧାନ କରିବାକୁ । କିନ୍ତୁ ସବୁଥର ଅସଫଳ ହୋଇଫେରିଯାଆନ୍ତି ସେମାନେ । ଯେତେ ଶୀଘ୍ର ସେ ଗଛ କଟାଯିବ ସେତେଶୀଘ୍ର ରାଜପଥ ସମ୍ପ୍ରସାରଣ କାମଟା ଆରମ୍ଭ ହେବ । ହେଲେ ନା ସେ ବିଶାଳ ବଉଳ ଗଛଟା କଟାଯାଇ ପାରୁଛି ନା ରାଜପଥର ସମ୍ପ୍ରସାରଣ ହୋଇପାରୁଛି !! ସରକାରୀ ବାବୁମାନେ ଏ ନେଇ ଅନେକ ଅଭିଯୋଗ ପରେ ଅଭିଯୋଗ କଲାପରେ ରାଜପଥ ବିଭାଗର ବରିଷ୍ଠ ଯନ୍ତ୍ରୀ ମଧୁସୂଦନ ମଙ୍ଗରାଜ ଓରଫ୍ ମଧୁ ବାବୁ ଆସିଲେ ସେହି ବହୁ ଚର୍ଚ୍ଚିତ ବଉଳ ଗଛଟା ମୂଳକୁ ନିଜ ପରିଚୟକୁ ଲୁଚାଇ ।

ସେଦିନ କୋହଲା ପାଗକୁ ଶୀତୁଆ ପବନ । ଦେହ ଭିତରେ ଖେଳିଯାଉଥିଲା କେମିତି ଗୋଟିଏ ଅଜଣା ରୋମାଞ୍ଚ । ନିଜ ଗାଡ଼ିରେ ସାହୁ ବାବୁଙ୍କ ଘର ଆଗରେ ପହଞ୍ଚି ମଧୁବାବୁ ନିରୀକ୍ଷଣ କଲେ ସେହି ବଉଳ ଗଛଟାକୁ । ସୁଲୁସୁଲିଆ କୋହଲା ପବନ ସହ ତାଳଦେଇ ମୃଦୁ ମୃଦୁ ନାଚୁଥାଏ ଗାଢ଼ ସବୁଜ ପତ୍ରଗୁଡ଼ା । ଯେତେଯେତେ ସିଏ ସେ ବଉଳ ଗଛଟାକୁ ଦେଖୁଥାନ୍ତି ସେତେସେତେ ସେ ଗଛର ପ୍ରେମରେ ପଡ଼ିଗଲା ପରି ଅନୁଭବ କରୁଥାନ୍ତି । କିଛି ଗୋଟିଏ ଆକର୍ଷଣ ସତେଯେପରି ତାଙ୍କୁ ବନ୍ଧିରଖିବାକୁ ଚେଷ୍ଟା କରୁଛି । କେବେ ଦେଖି ନଥିବା ଜାଣିନଥିବା ସେ ବଉଳ ଗଛଟା ସତେଯେମିତି ତାଙ୍କୁ ଭଲପାଇବସିଛି ! ସତେ ଯେପରି ତାଙ୍କୁ କହୁଛି, “ସତରେ ତୁମେ ମୋତେ କାଟିଦେବ?” କାହିଁକି ଏମିତି ଅନୁଭବ ହେଉଛି ତାଙ୍କୁ? ବାଡ଼ ଡେଇଁ ଗଛ ପାଖରେ ପହଞ୍ଚି କ’ଣ ଗୋଟାଏ ଭାବିଲାବେଳେ ହଠାତ କାହାର ସମ୍ବୋଧନରେ ଚମକି ଗଲେ ମଧୁବାବୁ । ମୁହଁ ବୁଲାଇ ଦେଖିଲେ ୫୬/୫୭ ବର୍ଷ ବୟସ୍କ ଲୋକ ଜଣେ ତାଙ୍କୁ ପ୍ରଶ୍ନ କରୁଛନ୍ତି, “ଆପଣ କିଏ? ମୋ ବାଡ଼ ଡେଇଁ କେଉଁ ସାହସରେ ଭିତରକୁ ପଶିଆସିଲେ?” ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମଧୁବାବୁ କହିଲେ, “ଆଜ୍ଞା ! ଏ ଗଛଟା କାଟିଦେଉ ନାହାନ୍ତି ! ମୁଁ କିଣି ନେବି । ଏମିତିରେ ବି ସରକାର କାଟିଦେବେ । ମୁଁ କିନ୍ତୁ ଏ ବାବଦକୁ ଭଲ ରକମର ଅର୍ଥ ଦେବି । ଗଛଟା କାଟି ନେବା ଦାୟିତ୍ୱ ମୋର ।” ତାଙ୍କ କଥା ଶୁଣି ସାହୁ ବାବୁ ନିଜ ହାତ ଯୋଡ଼ି କହିଲେ, “ମୋତେ କ୍ଷମା କରୁନ୍ତୁ ଆଜ୍ଞା । ଏ ଗଛଟା ହେଉଛି ତା’ର ଜୀବନ । ନିରାଶା ଭିତରେ ତା’ର ଆଶା ଆଉ ଆମ ବଞ୍ଚିବାର ଆଶା ।”

ମଧୁ ବାବୁ- ମୁଁ କିଛି ବୁଝିପାରୁନି ଆଜ୍ଞା ! ଗଛ ହିଁ ତ କଟାଯିବ ! ପୁଣି ମୁଁ ଆପଣଙ୍କୁ ଏହାପାଇଁ ଉପଯୁକ୍ତ ମୂଲ୍ୟ ବି ଦେବି !
ଏଥର ଗୋଟିଏ ହତାଶାର ଚିହ୍ନ ଖେଳିଗଲା ସାହୁ ବାବୁଙ୍କ ମୂଖମଣ୍ଡଳରେ ।
ସାହୁ ବାବୁ- କ’ଣ କହିବି ଆଜ୍ଞା ! ଏ ଗଛଟା କଟା ଯାଇ ପାରୁନି ବୋଲି ରାଜପଥର ସମ୍ପ୍ରସାରଣ ବି ହୋଇପାରୁନି । କେମିତି କହିବି କେଉଁଠୁ ଆରମ୍ଭ କରିବି କିଛି ବୁଝିପାରୁନି ।

ଏହା କହି ନିଜ ଲୁହଭିଜା ଆଖିକୁ ହାତରେ ପୋଛିବାକୁ ଲାଗିଲେ । କିଛି ସମୟପରେ ନିଜ ମନକୁ ନିଜେ ସମ୍ଭାଳିନେଇ କହିଲେ, “ମୋ ଝିଅକୁ ରାଜଧାନୀରେ ଛାଡ଼ିଥିଲି ଇଞିନିୟରିଂ ପଢ଼ିବା ପାଇଁ । ମାଛିକୁ ‘ମ’ ବୋଲି କହୁନଥିବା ମୋର ଶାନ୍ତ ସରଳ ଝିଅଟା ଯେ ରାଜଧାନୀର ମାୟା ମରିଚିକାରେ ବାଟବଣା ହୋଇଯିବ ସେକଥା ମୁଁ କେବେ ଭାବିପାରିଲିନି ଆଜ୍ଞା ! ଯୌବନର ଖସରା ବାଟରେ ପାଦ ତା’ର ଖସିଗଲା ଆଉ କେଉଁ ଗୋଟିଏ ସ୍ୱାର୍ଥପର ଯୁବକର ପ୍ରେମ ଫାଶରେ ପଡ଼ି ନିଜର ସର୍ବସ୍ୱ ତାକୁ ସମର୍ପି ଦେଲାପରେ ତା’ଠାରୁ ପ୍ରତାରଣା ରୂପକ ଉପହାର ପାଇ ଝିଅ ମୋର ନିଜର ମାନସିକ ଭାରସାମ୍ୟ ମଧ୍ୟ ହରାଇବସିଲା । ଅନେକ ଥର ଚେଷ୍ଟାକଲି ସେ ଯୁବକର ପରିଚୟ ଜାଣିବାକୁ । କିନ୍ତୁ ସେ ପ୍ରତିଥର ନିରୁତ୍ତର ରହୁଥିଲା । ସେ ସ୍ୱାର୍ଥୀଟା କେମିତି ଜାଣିଥାଆନ୍ତା ମୋ ଝିଅର ତା’ପ୍ରତି ଥିବା ପ୍ରେମର ଗଭୀରତାକୁ । ବହୁ କଷ୍ଟରେ ତା ସାଙ୍ଗମାନଙ୍କଠାରୁ ଜାଣିବାକୁ ପାଇଲି ସେ ଯୁବକର ପରିଚୟ । କିନ୍ତୁ ମୋ ଝିଅର ତିନିଥର ଆତ୍ମହତ୍ୟା ଉଦ୍ୟମଟା ମୋତେ ଭିତରେ ଭିତରେ ଦୁର୍ବଳ କରିଦେଲା । ମୁଁ ବି ଅନ୍ୟ ସମସ୍ତ ପିତାଙ୍କ ପରି ନିରବ ଦ୍ରଷ୍ଟା ପାଲଟିଗଲି । ଲୋକ ଲଜ୍ୟା ଆଗରେ ନୁହେଁ ମୋ ଝିଅର ପ୍ରେମ ଆଗରେ । ନିଜ ଭଲ ପାଇବାକୁ ଝୁରିଝୁରି ସେ ଆଜି ନିଜର ସମ୍ପୂର୍ଣ୍ଣ ମାନସିକ ଭାରସାମ୍ୟ ହରାଇ ସାରିଛି । ଏ ଗଛଟା ମୂଳରେ ପାଗଳିଟିଏ ଭଳି ତା’ ପ୍ରେମର ଅପେକ୍ଷା କରିକରି ଆଜି ତା’ ପ୍ରେମ ତାକୁ ସତରେ ଗୋଟିଏ ପାଗଳି ସଜେଇ ଦେଇଛି । ସେ ଆଜି ସମ୍ପୂର୍ଣ୍ଣ ପାଗଳି । ଏମିତି କି ତା’ ଦେହରେ ବସ୍ତ୍ର ଅଛି କି ନା ସେ ଜାଣିବାକୁ ଅକ୍ଷମ । ନା ଜାଣୁଛି ଲଜ୍ଜା ନା କୌଣସି ହିତାହିତ ଜ୍ଞାନ ! ତେଣୁ ଯେତେଥର କେହି ଗଛ କାଟିବାକୁ ଆସୁଛନ୍ତି ସେତେବେଳେ କେବେକେବେ ବିନା ବସ୍ତ୍ରରେ ଦୌଡ଼ିଯାଇ ନେହୁରା ହେଉଛି ଗଛ ନ କାଟିବାକୁ ତ ପୁଣି କେତେବେଳେ ଗୋଡ଼ି ପଥର ଧରି ମାରିବାକୁ ଗୋଡ଼ାଉଛି ସେମାନଙ୍କୁ । ସେଇଥିପାଇଁ ଲୋକେ ଗଛଟା ନ କାଟି ଫେରି ଚାଲିଯାଉଛନ୍ତି । ଆଜି ପରିସ୍ଥିତି ଏମିତି ଯେ ସିଏ ତା’ ବାପାମାଆଙ୍କୁ ବି ଚିହ୍ନିବାକୁ ଅକ୍ଷମ । ଚିହ୍ନୁଛି ଯଦି ଖାଲି ଏ ବଉଳ ଗଛଟାକୁ । ତା’ସହ ଆମ ଜୀବନଟା ବି ଅଭିଶପ୍ତ ପାଲଟି ଗଲାଣି ଆଜ୍ଞା !” ଏହିସବୁ କଥା କହିବା ଭିତରେ ତାଙ୍କ ସ୍ୱର ମଧ୍ୟ ଭାରୀ ହୋଇଆସୁଥାଏ ।

ସାହୁ ବାବୁଙ୍କ କଥା ଶୁଣି ମଧୁବାବୁ ନୀରବରେ ଚାହିଁରହିଲେ ସେ ବଉଳ ଗଛଟାକୁ । ଦେଖିଲେ ସେ ଗଛ ଗଣ୍ଡିର ଅନେକ ସ୍ଥାନରେ ଲେଖା ହୋଇଥିଲା ମଧୁ+ସ୍ମିତା । ଠିକ୍ ସେତିକିବେଳେ କାହାରି ବିକଳ ଚିତ୍କାରରେ ମଧୁବାବୁ ଚମକି ଉଠିଲେ । ଦେଖିଲେ ଘର ଭିତରୁ ସେ ପାଗଳି ଝିଅଟା ଚିତ୍କାର କରି କହୁଥାଏ, “ମଧୁ ! ମଧୁ ! ତୁମେ ଆସିଗଲ ! ଆଉ ମୋତେ ଛାଡ଼ି ଯିବନି ! ତୁମେ ବୁଝିପାରିଲ ନା ମୁଁ ତୁମକୁ କେତେ ଭଲ ପାଏ ! ମଧୁ ! ମଧୁ ! ମୋ ପାଖକୁ ଆସ !” ଏଥର ବିଚଳିତ ହୋଇଉଠିଲେ ମଧୁବାବୁ । ଗମ୍‌ଗମ୍ ହୋଇ ସେ ଶୀତୁଆ ସକାଳେ ମଧୁବାବୁଙ୍କ ଶରୀରରୁ ଝାଳ ବହିପଡ଼ିଲା । ମୁଖମଣ୍ଡଳଟା ବ୍ୟସ୍ତ ବିବ୍ରତ ଜଣାପଡ଼ୁଥିଲା । ଏତିକିବେଳେ ସାହୁ ବାବୁ କହିଲେ, “କ୍ଷମା କରିବେ ଆଜ୍ଞା ! ଏ ଗଛ ପାଖକୁ ଯିଏ ବି ଆସେ ମୋ ଝିଅ ଏମିତି ପ୍ରତିକ୍ରିୟା ଦିଏ । ଆପଣ କିଛି ଖରାପ ଭାବିବେନି । ଆମେ ତାକୁ ଏଇଥିପାଇଁ କିଛିଦିନ ହେଲା ଘରେ ବନ୍ଦ କରି ରଖିଛୁ । ନଚେତ୍ ସେ ଗଛ କାଟିବାକୁ ଦେବନାହିଁ । ସତ କହିବାକୁଗଲେ ଆମେ ବି ଚାହୁଁନାହୁଁ ଏ ଗଛ କଟାହେଉ । କାହିଁକିନା ଗଛଟା କଟା ହେଲେ ମୋ ପାଗଳି ଝିଅଟା ମରିଯିବ ଆଜ୍ଞା ! କଥାରେ କଥାରେ ଅନେକ କଥା କହିଦେଲି ; କିନ୍ତୁ ଆପଣଙ୍କ ପରିଚୟଟା ପଚାରିପାରିନି ! ଆପଣଙ୍କ ପରିଚୟ?”

ସେଦିନ ନିଜ ପରିଚୟ ନଦେଇ ମଧୁବାବୁ ସେଠାରୁ ଚାଲିଗଲେ ସାହୁ ବାବୁଙ୍କୁ କିଛି ନକହି । ଏହାଭିତରେ କିଛିଦିନ ବିତିଗଲାଣି । ତେବେ ଆଜି ସକାଳୁ ସକାଳୁ ବିରାଟ ଏକ ମେସିନ୍ ସହ କିଛି ସରକାରୀ କର୍ମଚାରୀ ଆସି ସାହୁ ବାବୁଙ୍କ ଘର ପାଖରେ ପହଞ୍ଚିଲେ । ସେମାନଙ୍କ ଠାରୁ ଜାଣିବାକୁ ମିଳିଲା ସେ ମେସିନ୍ ଦ୍ୱାରା କୁଆଡ଼େ ସେହି ବଉଳ ଗଛଟିକୁ ସାହୁବାବୁଙ୍କ ଘର ପଛ ବାଡ଼ିପଟେ ଲଗାଯିବ । ଏକଥା ଜାଣି ସାହୁ ବାବୁ ଭାବବିହ୍ୱଳ ହୋଇଯାଇ କହିଲେ, “ଧନ୍ୟବାଦ ଆଜ୍ଞା ! ଆପଣଙ୍କ ସାର୍ ଜଣେ ମହାନ୍ ଲୋକ ! ଭଗବାନ ତାଙ୍କୁ ଭଲରେ ରଖନ୍ତୁ । ତାଙ୍କୁ ମୋ ତରଫରୁ ଧନ୍ୟବାଦ କହିବେ !” ସାହୁବାବୁଙ୍କ କଥା ଶୁଣି ସେହି ସରକାରୀ କର୍ମଚାରୀଙ୍କ ମଧ୍ୟରୁ କେହିଜଣେ କହିଲେ, “ସାର୍‌ଙ୍କର ବଦଳି ହୋଇଯାଇଛି କୋରାପୁଟ । ସାର୍ ତାଙ୍କ ମ୍ୟାଡାମ୍ ଆଉ ପିଲାଙ୍କୁ ଧରି ଦୁଇଦିନ ଆଗରୁ ଏ ସହର ଛାଡ଼ିସାରିଲେଣି । ଯିବା ଆଗରୁ କିନ୍ତୁ ଏ ବଉଳ ଗଛର ଟ୍ରାନସପ୍ଲାଣ୍ଟେସନ ପାଇଁ ଅର୍ଡ଼ର ଆଉ ଟେଣ୍ଡର ଫାଇନାଲ୍ କରି ଯାଇଛନ୍ତି ।” ଏହା ଭିତରେ ସାହୁ ବାବୁଙ୍କ ଘର ଭିତରୁ ଚିତ୍କାର ଶୁଣାଯାଉଥାଏ, “କଳଙ୍କିତ ପ୍ରେମିକଟା ମୋ ଦେହରେ କଳଙ୍କ ବୋଳି ଚାଲିଗଲା; ଆଉ ଏ ଦୁନିଆ ମୋତେ ପାଗଳି କହୁଛି !!!” ବାହାରେ କାମ କରୁଥିବା କିଛି ଲୋକ ପଚାରୁଥାଆନ୍ତି, “କିଏ ଏ ଘର ଭିତରେ ଚିତ୍କାର କରୁଛି?” ସେମାନଙ୍କ ଭିତରୁ କିଛି ଲୋକ କହୁଥିବାର ଶୁଣାଗଲା, “ଆରେ ! ସାହୁ ବାବୁଙ୍କର ସେଇ ପାଗଳି ଝିଅଟା ପରା…”

– ଜ୍ୟୋତି ରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।