ମଣିଷ ଗଛ
ମଣିଷ ଗଛ

ମଣିଷ ଗଛ

ଅନ୍ୟମନସ୍କ ଭାବରେ ଗୋଡ଼ ଦୁଇଟାକୁ ଟିପୋଇ ଉପରେ ଥୋଇ ବେତ ଚୌକିରେ ବସିଥାନ୍ତି ସନାତନବାବୁ । ଜୀବନର ୬୫ଟି ବସନ୍ତ ବିତେଇ ସାରିଥିବା ଅବସରପ୍ରାପ୍ତ ଶିକ୍ଷକ ସନାତନ ମିଶ୍ର । ଧୋବ ଫରଫର ବାଳ ସାଙ୍ଗକୁ ଗାନ୍ଧିଜୀଙ୍କ ଭଳି ଚଷମା । କିଛି ଗୋଟାଏ ଗମ୍ଭୀର ଚିନ୍ତାରେ ବସିଥାନ୍ତି ।
“ଚା ପିଇଲ ନାହିଁ ଯେ, ଥଣ୍ଡା ହୋଇଗଲେ ମୁଁ ଆଉ ଗରମ କରି ପାରିବିନି ।” ପତ୍ନୀଙ୍କ କଥା ଶୁଣି ଚିନ୍ତା ରାଇଜରୁ ଫେରି ଆସିଲେ ସନାତନବାବୁ । ଚା’କପରୁ ଗୋଟେ ଚୁମୁକ ନେଇ କହିଲେ “ଜାଣିଛ କମଳା, ମୁଁ କେଉଁ ବିଷୟରେ ଭାବୁଥିଲି?” ପତ୍ନୀ ଠାରରେ କହିଲେ, “ମୁଁ କେମିତି ଜାଣିବି?”

“ମଣିଷ ଗଛ କଥା ଭାବୁଥିଲି । ଜୀବନର ଶେଷ ପର୍ଯ୍ୟାୟରେ ଜୀବନଯାକର ଅଙ୍କ କଷୁଥିଲି ଆଉ ଜାଣିବାକୁ ଚେଷ୍ଟା କରୁଥିଲି, କେତେ ଲାଭ ହେଲା ଆଉ କେତେ କ୍ଷତି ।” ଅନର୍ଗଳ କହିଗଲେ ସନାତନ ବାବୁ ।

“କ’ଣ ସ୍ଥିର କଲ, ଲାଭ କରିଛ ନା କ୍ଷତି?” କମଳା ଏକ ପ୍ରକାର ବିରକ୍ତିଭରା ସ୍ୱରରେ କହିଲେ ।

“ମୋ ମନ କହୁଛି କ୍ଷତି ହୋଇଛି ଆଉ ବିବେକ କହୁଛି ଲାଭ ବୋଲି । ଏକ ପ୍ରକାର ଦ୍ୱବନ୍ଦ୍ୱରେ ପଡ଼ିଯାଇଛି ମୁଁ କମଳା । ତମେ ଶୁଣିବ? ମୋତେ ଟିକେ ସାହାଯ୍ୟ କରିବ?”

“ରିଟାୟର ହୋଇ ୭ବର୍ଷ ହୋଇଗଲା କିନ୍ତୁ ମାଷ୍ଟ୍ରିଆମି ଗଲାନାହିଁ ତୁମର ! କୁହ କ’ଣ ଗଣିତ କଷିଛ !” ସ୍ମିତହାସ୍ୟ ସହିତ କହିଲେ କମଳା ।

“୭୫ ମସିହାରେ ବିଏ ପାସ କରି ଶିକ୍ଷକତା ଆରମ୍ଭ କଲି । ମୋ ତଳ ଭାଇ ସେତେବେଳେ ହାଇସ୍କୁଲରେ । ତା’ ପାଠପଢ଼ା ସାଙ୍ଗକୁ ଘରର ଦାୟିତ୍ୱ ବି ମୋ ଉପରେ । ଦୁଇମାଣ ଜମିରେ କେତେ ଫସଲ ହେଉଥାନ୍ତା ଯେ ୮ପ୍ରାଣୀ କୁଟୁମ୍ବ ଚଳନ୍ତେ ।

୭୭ମସିହାରେ ତୁମେ ଆସିଲ ମୋ ଜୀବନକୁ । ସାକ୍ଷାତ କମଳାଙ୍କ ପରି ଘରର ଦାୟିତ୍ୱ ତୁମେ ନେଲା ପରେ ଟିକେ ଆଶ୍ୱସ୍ତ ଲାଗିଲା । ହେଲେ ସେତେବେଳକୁ ତୃତୀୟ ଭାଇ ହାଇସ୍କୁଲରେ ଆଉ ଦ୍ଵିତୀୟ କଲେଜରେ । ସ୍କୁଲକାମ ଯୋଗୁଁ ବ୍ୟସ୍ତ ରହି ଘରକଥା ମୁଁ ଜମା ବୁଝି ପାରୁନଥିଲି । ହେଲେ ତୁମେ କେବେ ପ୍ରତିବାଦ କରିନାହଁ, ନିଜେ ନିଜେ ସବୁ କାମ ଚଳେଇ ନେଇଛ ।
ସମୟ ସହିତ କୁନା, କୁନି ଆସିଲେ । ସାନଭାଇମାନେ ଚାକିରୀ କଲେ । ସାନଭଉଣୀ ବାହାଘର ହେଲା । ସ୍ୱଳ୍ପ ଆୟରେ ଏତେ ସବୁ କରିବା ପରେ, ଘର ଚଳେଇବା କଷ୍ଟକର ହୋଇ ପଡ଼ିଲା । ହେଲେ ତୁମେ କେବେ ସେଥିପାଇଁ ପ୍ରତିବାଦ କରିନାହଁ ।

ମୋର ଶ୍ୱାସରୋଗ ବଢ଼ିବଢ଼ି ଦିନେ ବହୁତ ଖରାପ ଅବସ୍ଥା ହେଲା । ମୁଁ ନିଜେ ଶୁଣିଛି ତୁମେ ମୋର ସବୁ ଭାଇଭଉଣୀଙ୍କୁ କହିଛ, ମୋ ସ୍ୱାସ୍ଥ୍ୟ ବିଷୟରେ ଆଉ ଅନୁରୋଧ କରିଛ ସାହାଯ୍ୟ କରିବାକୁ। ହେଲେ କେହି ଆସି ନଥିଲେ ସେଦିନ, ସମୟର ଅଭାବ ଆଉ କାର୍ଯ୍ୟବ୍ୟସ୍ତତାର ଦ୍ୱାହି ଦେଇ ।

ଶେଷରେ ପଡ଼ୋଶୀଙ୍କ ସହାୟତାରେ ତୁମେ ନିଜେ ମୋତେ ନେଇ ଡାକ୍ତରଖାନା ଗଲ, ଛୁଆଙ୍କୁ ପଡ଼ୋଶୀଙ୍କ ପାଖରେ ଛାଡ଼ି । ବୋଧେ ତୁମରି ପୁଣ୍ୟଯୋଗୁଁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲି । ସେ ପର୍ଯ୍ୟନ୍ତ ମୋର ଭାଇ କି ଭଉଣୀ କେହି ଦେଖିବାକୁ ବି ଆସିଲେ ନାହିଁ ।

ବାପା ଯାଇ ଦଶଦିନ ବି ହୋଇନଥାଏ, ଭାଇମାନେ ଭିନ୍ନ ହେବାପାଇଁ କଥାବାର୍ତ୍ତା ଆରମ୍ଭ କରିଦେଲେ । ତୁମେ ଜିଦ କରି ମୋ ଭାଗଟି ବୋଉ ନାଁରେ କରେଇ ଦେଲ ।
ବୁଝିଲ କମଳା, ମୁଁ ପାଞ୍ଚ ପାଞ୍ଚଟା ମଣିଷ ଗଛ ଲଗେଇଲି । ନିଜ ପରିବାରକୁ ପଛରେ ପକେଇ ଭାଇ ଭଉଣୀମାନଙ୍କୁ ମଣିଷ କଲି । ଫଳର ତ’ ଆଶା ମୋର ନଥିଲା ହେଲେ ସାହାଯ୍ୟ ସହାନୁଭୂତି ଟିକିଏ ତ’ ଦେଇ ପାରିଥାନ୍ତେ ।

ପୁଣିଥରେ ତୁମ ପୁଣ୍ୟକର୍ମ ବଳରେ ଯାହାହେଉ ପୁଅଝିଅ ଦୁଇଜଣ ଯାକ କୂଳରେ ଲାଗିଗଲେ । ହେଲେ ଆଜିଯାଏ ତୁମଠାରୁ କେବେ ଅଭିମାନ କି ପ୍ରତିବାଦର କୌଣସି ସ୍ୱର ମୁଁ ଶୁଣିନାହିଁ ।
ଜାଣିଛ କମଳା, ମଣିଷ ଗଛମାନଙ୍କ ଗଣିତ କଷି କ’ଣ ଫଳାଫଳ ପାଇଲି?

୫ଟା ଗଛକୁ ପାଳି ପୋଷି ବଡ଼ କଲା ପରେ ବି ଫଳଟିଏ ତ’ ମିଳିଲା ନାହିଁ । ହେଲେ ଆଜି ଲାଭରେ ଅଛି । ଜାଣିଛ କାହିଁକି? ମୁଁ ନିଜେ ଏମିତି ଏକ ଗଛ ଯିଏ ଜୀବନର ସବୁ ଝଡଝଞ୍ଜାକୁ ଏଇଥିପାଇଁ ସହି ଯାଇପାରିଲା କାରଣ ତାର ମୂଳ ବହୁତ ଦୃଢ । ସବୁତକ ଭାର ବୋହି ଚାଲିଥିଲେ ମଧ୍ୟ କେବେ ଦୋହଲି ଯାଇ ନଥିଲା ।”

ପତ୍ନୀଙ୍କ ହାତକୁ ମୁଠେଇ ଧରି ତାଙ୍କ ମୁହଁକୁ ଚାହିଁ ରହିଲେ ସନାତନବାବୁ, ଆଖିରେ ଥାଏ ଆଖିଏ ଗର୍ବ ଆଉ କୃତଜ୍ଞତାର ଲୁହ ।

“ମଲା, ବୁଢ଼ା କାଳେ କେତେ ପ୍ରେମ ଉଛୁଳୁଛି ତମର?” କହି କମଳା ଚାଲିଗଲେ ରୋଷେଇ ଘର ଭିତରକୁ । ବୋଧହୁଏ ନିଜ ଭାବାବେଗକୁ ଦୁଇ କପ ଚା’ରେ ଫେଣ୍ଟି ଦେବାକୁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu