You are currently viewing ଅଭିଳାଷ
ଅଭିଳାଷ

ଅଭିଳାଷ

ଏଇ ତ ଫୋପାଡ଼ି ଦେଲି ଇଚ୍ଛା ସବୁ…
ସବୁ ଆଶା… ସବୁ ଅଭିଳାଷ…
ଚିରିଚାରି ଜାକିଜୁକି
ବନ୍ଦକରି ସୁନା ଫରୁଆରେ
ଅମର୍ଯ୍ୟାଦା ହୋଇଥାନ୍ତା ବୋଲି
ସେଇମିତି ପବନରେ
ରାସ୍ତାକୁ ଫିଙ୍ଗି ଦେଇଥିଲେ ।

ଆଶା ତ ମର୍ଯ୍ୟାଦାବନ୍ତ
ସୁକୁମାର ସଯତ୍ନେ ପାଳିତ
ଦିଗ୍‌ବଳୟେ ସୂର୍ଯ୍ୟସ୍ନାତ
ଧାରାଟିଏ ନିଷ୍କାମ ଆଲୋକ
ଆଲୋକ ଲିଭାଇ ଦେଲି
ଲିଭିଗଲା ଦିନର ରୋଷଣୀ
ତା’ ପରେ ତ ଏକାକାର
ଏକାକାର ଆକାଶ ଧରଣୀ ।

କେଉଁଠି ମୁଁ, କିଏ ମୋର
ସତ୍ତା ଆଉ ପାରେ ନାହିଁ ବାରି
ବାରି ଆଉ ପାରେ ନାହିଁ
ଶୂନ୍ୟ ମୋର ପଣତରେ
କା ହାତର ସଶ୍ରଦ୍ଧ ଅଙ୍ଗୁଳି ।

ଛିଡ଼ିଯାଏ ସବୁ ଡୋର
ହେଉ ପଛେ ମୁହୂର୍ତ୍ତକ ପାଇଁ
ତା’ପରେ ମୁଁ ଶୂନ୍ୟଚାରୀ
ଝଡ଼ିପଡ଼େ ଦେହରେ ଖୋଳପା
ଏଡ଼ୁଇକି ଉଶ୍ୱାସ ସତେ….
ଏଡ଼ିକି ଆନନ୍ଦ…।
ମହାଶୁନ୍ୟେ ଭାସିବାର
ଛାଡ଼ି ଏଇ ମାଟିର ଇଲାକା ।

ତାହା କିନ୍ତୁ ହୁଏ ନାହିଁ
ତାହା କିନ୍ତୁ ହୁଏ ନାହିଁ ଅନେକ ସମୟ…
ମୋ ପୋଷାକ ଡାକି ଆଣେ
ସତ୍ତାମୋର ଶୂନ୍ୟ ଆକାଶରୁ
ମୁଁ ପୁଣି ଠୁଆହୁଏ
ଅଧାଥିବା ଭୂମିକା ସବୁରେ
ମୁଁ ପୁଣି ସଂଳାପ କୁହେ
ନିରୁପାୟ ନାହିଁ କରୁ କରୁ ।

ବୁଝାଇ ତ ହୁଏ ନାହିଁ କାରେ
ଆଉ ଯେ ଲାଗେନା ଭଲ
ଏଇ ଲୁଚକାଳି ଖେଳ
ଆଲୁଅ ଅନ୍ଧାର ।

ମୃତ୍ୟୁଞ୍ଜୟ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୃତ୍ୟୁଞ୍ଜୟ ପାତ୍ର ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।