You are currently viewing ଅଭିନେତା ଅସୀତ ପଟ୍ଟନାୟକଙ୍କ ସହ ମନଖୋଲା ଆଳାପ
An Interview with Asit Pattnaik

ଅଭିନେତା ଅସୀତ ପଟ୍ଟନାୟକଙ୍କ ସହ ମନଖୋଲା ଆଳାପ

ନାମ– ଅସୀତ ପଟ୍ଟନାୟକ
ଜନ୍ମ– ୨ ଅକ୍ଟୋବର ୧୯୯୬
ବାପା– ଆଲୋକ ପଟ୍ଟନାୟକ
ମାଆ– ଉର୍ମିଳା ପଟ୍ଟନାୟକ
ଘର– କୁଜଙ୍ଗ, ଜଗତସିଂହପୁର

କଳାକାରଟିଏ ବିଭିନ୍ନ ସୋପାନରୁ ଅନେକ କିଛି ଶିଖିଥାଏ । ଆଜି ସେମିତି ଜଣେ କଳାକାରଙ୍କ ସହ କିଛିଟା ଆଲୋଚନା କରିବା, ଯିଏକି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏକ ୟୁ-ଟ୍ୟୁବ୍ ଭିଡିଓରୁ ଏବଂ ପରେ ଟିଭିରେ ନାଟ୍ୟ ରୂପାନ୍ତରଠାରୁ ଆରମ୍ଭ କରି ଅନେକ ଚିରିତ୍ରରେ ଅଭିନୟ କରିବା ସହ ନିଜେ ବିଭିନ୍ନ ମ୍ୟୁଜିକ୍ ଭିଡିଓ ଓ ଫିଲ୍ମରେ କାର୍ଯ୍ୟ କରୁଛନ୍ତି । ଖାଲି ଅଭିନୟ ନୁହେଁ, ସହ-ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ ସେ, ପରେ ସେ ନିଜେ କିଛି କାହାଣୀର ନିର୍ଦ୍ଦେଶକ ବି ସାଜିଥିଲେ ।

ପ୍ରଶ୍ନ ୧- ଅସୀତ ଅଭିନୟ କରିବାର ଇଚ୍ଛା କେମିତି ଆସିଲା ତମର?
ଉତ୍ତର- ଅଭିନୟ କରିବାର ଇଚ୍ଛା ଛୋଟବେଳୁ ଥିଲା କିନ୍ତୁ କଲେଜରେ ପଢ଼ିବା ସମୟରେ ଜନେ ଅଭିନେତା ହେବାକୁ ଭାବିଥିଲି ।

ପ୍ରଶ୍ନ ୨- ଶିକ୍ଷାରେ ଇଞ୍ଜିନିୟର୍, କିନ୍ତୁ ଏବେ ଓଡ଼ିଆ କଳାକାରଙ୍କ ଭିତରୁ ଜଣେ । କେମିତି ଥିଲା ଭବାନୀପାଟଣାର ଇଞ୍ଜିନିୟରିଂ କଲେଜରୁ ଇନ୍ଦ୍ରଜାଲର କଳାକାରଯାଏଁ ଯାତ୍ରା?
ଉତ୍ତର- ଭବାନୀପାଟଣା ଇଞ୍ଜିନିୟରିଂ କଲେଜ ମତେ ବହୁତ କିଛି ଦେଇଛି… ଜୀବନରେ ବହୁତ କିଛି ଶିଖିବାକୁ ମିଳିଛି ସେଠାରେ… ହଁ କଲେଜରୁ ଏବେଯାଏ ଯାତ୍ରା ସଂଘର୍ଷମୟ ରହିଚି… ପ୍ରତିଦିନ କିଛି କିଛି ନୂଆ ପରୀକ୍ଷା ସହ ଅନେକ କିଛି ଶିଖିବାକୁ ମିଳିଛି.. ସଂଘର୍ଷକୁ ମୁଁ କଷ୍ଟ ଭାବରେ ନୁହେଁ, ଶିକ୍ଷା ଭାବରେ ଗ୍ରହଣ କରିଛି ।

ପ୍ରଶ୍ନ ୩- ଜୀବନର ଲକ୍ଷ୍ୟ କ’ଣ ଏବେ ଅସୀତଙ୍କର?
ଉତ୍ତର- ଜଣେ ଭଲ କଳାକାର ସହ ଗୋଟେ ଭଲ ମଣିଷ ହୋଇ ଲୋକଙ୍କ ସେବାରେ ଲାଗିବାର ଇଚ୍ଛା ଅଛି… ବାବାଙ୍କ ପାଖରୁ ଶିଖିଥିବା ଜୀବନର ବହୁତ କିଛି ସଂଜ୍ଞାକୁ ଆପଣେଇବା ସହ ଘରର ମର୍ଯ୍ୟାଦାକୁ ବଜାଇ ରଖିବି ।

ପ୍ରଶ୍ନ ୪- ନିର୍ଦ୍ଦେଶକ ହେବାକୁ ଅଧିକ ପସନ୍ଦ କରିବେ ନା କଳାକାରଟିଏ ହେବାକୁ?
ଉତ୍ତର- ଯେହେତୁ ମୁଁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅନେକ କାମ କରିଛି ଓ କାମ ଶିଖିଛି, ତେଣୁ ଭଲ ନିର୍ଦ୍ଦେଶକ ହେବାକୁ ଲକ୍ଷ୍ୟ ରଖିଛି କିନ୍ତୁ ଏବେ ନୁହେଁ । ଯେବେ ଲୋକମାନେ କଳାକାର ଭାବେ ମୋ ଉପରୁ ମୁହଁ ଫେରେଇବେ ତା’ପରେ ଭାବିବି… କିନ୍ତୁ ଭଲ କଳାକାର ଭାବେ ବଞ୍ଚିବାକୁ ଚାହେଁ, ତେଣିକି ଅଭିନେତାଟିଏ ହୁଏ କି ନିର୍ଦ୍ଦେଶକଟିଏ ।

ପ୍ରଶ୍ନ ୫- ଓଡ଼ିଆର ଜଣେ ବିରଷ୍ଠ କଳାକାର ହେଲେ ଅସୀତ ପତି; ତାଙ୍କ ପରେ ଅସୀତ ପଟ୍ଟନାୟକ ସେଇ ପାହାଚରେ କେବେ ନିଜକୁ ଦେଖନ୍ତି କି?
ଉତ୍ତର- ହା…ହା…ହା… ତାଙ୍କ ପ୍ରତି ମୋ ଯଥେଷ୍ଟ ସମ୍ମାନ ଅଛି… ସେ ଓଡ଼ିଆ କଥାଚିତ୍ର ଜଗତର ଜଣେ ପୁରୋଧା… ମୁଁ ମୋ ରାସ୍ତାରେ ଯାଉଛି… ଏତେ ବଡ଼ ମହାନୁଭବଙ୍କ ସହ କେବେବି ନିଜକୁ ତୁଳନା କରିବାର ଦୁଃସାହାସ କରିବି ନାହିଁ ।

AtmaNirbhar T-Shirt

ପ୍ରଶ୍ନ ୬- କେଉଁ ଚରିତ୍ରକୁ ଆପଣ ଅଧିକ ପସନ୍ଦ କରନ୍ତି ନାୟକ ନା ଖଳନାୟକ?
ଉତ୍ତର- ସତ କହିବାକୁ ଗଲେ ଖଳନାୟକ ଗୋଟେ ଏମିତି ଚରିତ୍ର, ଯେଉଁଥିରେ ଆପଣ ବହୁତ ପ୍ରକାର ଅଭିନୟ ଦେଖେଇ ପାରିବେ… ଏଣେ ଏବେ ଫିଟ୍ ଥିବା ହିରୋମାର୍କା ଭିଲିଆନ୍‌ର ଯୁଗ ଆରମ୍ଭ ହୋଇଛି ଆଉ ଦର୍ଶକମାନେ ସେ କାଳିଆ, ପେଟୁଆ ଖଳନାୟକୁ ସେତେଟା ପସନ୍ଦ କରୁନାହାନ୍ତି… ତେଣୁ ସେମିତି ଯାହା ବି ଚରିତ୍ର ମିଳିବ, ତାକୁ ଭଲ ଭାବରେ ପ୍ରତିପାଦନ କରିବାର ଆଶା ରଖିଛି ।

ପ୍ରଶ୍ନ ୭- କେବେ ରଙ୍ଗମଞ୍ଚରେ ଅଭିନୟ କରିବାର ଇଚ୍ଛା ରଖିଛନ୍ତି କି?
ଉତ୍ତର- ରଙ୍ଗ ମଞ୍ଚ ଗୋଟେ ଏମିତିକା ଜାଗା ଯେଉଁଠି ଗୋଟିଏ ଟେକ୍‌ରେ ଓକେ କରିବାକୁ ପଡ଼ିଥାଏ… ସେଥିରେ ଅଭିନୟ କରୁଥିବା କଳାକାରମାନେ ବହୁତ ଟ୍ୟାଲେଣ୍ଡେଡ୍… ମୁଁ ଅବଶ୍ୟ ଆଗରୁ ସ୍କୁଲ୍‌ବେଳେ ଡ୍ରାମାରେ ଅଭିନୟ କରିଛି ଏବଂ ଆଗକୁ ସୁଯୋଗ ମିଳିଲେ ନିଶ୍ଚୟ କରିବି । କାରଣ ଏହି ମଞ୍ଚରେ ଆମେ ଆମର ଓଡ଼ିଆର ସଂସ୍କୃତି ଓ ପରମ୍ପରାକୁ ଦେଖାଇଥାଉ । ତା’ଛଡ଼ା ମୋ ମମି ମଧ୍ୟ ମଞ୍ଚ ଅଭିନୟର ଜଣେ ବଡ଼ ପ୍ରସଂଶିକା ।

ପ୍ରଶ୍ନ ୮- ଆଗାମୀ ଫିଲ୍ମ ଇନ୍ଦ୍ରଜାଲରେ ଆପଣଙ୍କର କେଉଁଭଳି ଭୂମିକା ରହିଛି?
ଉତ୍ତର- ଇନ୍ଦ୍ରଜାଲ ନାଁରୁ ହିଁ ଜାଣିଥିବେ ଗୋଟେ ଏହା ଏକ ସର୍‌ପ୍ରାଇଜ୍ ଫିଲ୍ମ… ପିନୁ ଭାଇ ବହୁ ସୁନ୍ଦର୍ ଭାବେ ପରଦାରେ ଉପସ୍ଥାପନ କରିଛନ୍ତି; ମୁଁ ଡବିଂ ସମୟରେ ବସିକି ଦେଖୁଥିଲି… ଏଥିରେ ମୋର ଭୂମିକା ପଜିଟିଭ୍ ନାହିଁ ଅବଶ୍ୟ । କ’ଣ ଅଛି ମୋର ଭୂମିକା, ତାହା ଫିଲ୍ମ ରିଲିଜ୍ ପରେ ନିଶ୍ଚେ ଜାଣିପାରିବେ ।

ପ୍ରଶ୍ନ ୯- ଅସୀତଙ୍କର କେଉଁ ନିର୍ଦ୍ଦେଶକଙ୍କ ସହ କାମ କରିବାର ଆଗକୁ ଇଚ୍ଛା ଅଛି?
ଉତ୍ତର- ମୁଁ ଯେତେ ବି ନିର୍ଦ୍ଦେଶକଙ୍କ ସହ କାମ କରିଛି ସମସ୍ତେ ମୋର ପସନ୍ଦ ଆଉ ସମସ୍ତେ ମତେ ଭଲ ପାଆନ୍ତି ବି । ପିନୁ ନାୟକ, ସୌଭାଗ୍ୟ ପ୍ରକାଶ ପତି, ଦୀପକ ସ୍ଵାଇଁ, ନରୋତ୍ତମ ପରିଡ଼ା, ଦେବାଶିଷ ଭାଇନା, ଟୁକୁ ଭାଇଙ୍କ ଭଳି ଅନେକଙ୍କ ପାଖରେ କାର୍ଯ୍ୟ କରିଛି ଏବଂ ସେମାନଙ୍କଠାରୁ ଅନେକ କିଛି ଶିଖିବାକୁ ପାଇଛି । ତେଣୁ ସଭିଙ୍କ ସାଙ୍ଗରେ ଆଗକୁ କାର୍ଯ୍ୟ କରିବାର ଅଛି, ଚରିତ୍ରଟି ଭଲ ଲାଗିଲେ ନିଶ୍ଚୟ କରିବି । ଶରଣାରବିନ୍ଦ ଦାଦା ଆମ ଅଞ୍ଚର ଗୌରବ, ‌ତାଙ୍କ ସ୍କ୍ରିପ୍ଟ୍‌ରେ କାମ କରିବାର ଗୋଟେ ବଡ଼ ଇଚ୍ଛା ଅଛି ।

ପ୍ରଶ୍ନ ୧୦- ଏ କରୋନା ସମୟରେ ଲୋକମାନଙ୍କୁ କ’ଣ ଉପଦେଶ ଦେବେ ଅସୀତ?
ଉତ୍ତର- କରୋନା ଏବେ ଖାଲି ଆମକୁ ନୁହଁ ସମଗ୍ର ବିଶ୍ଵକୁ ଗ୍ରାସ କରିଛି… ତେଣୁ ଟୀକା ବାହାରିବା ଯାଏଁ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ… ସରକାରୀ ନିୟମକୁ ପାଳନ କରନ୍ତୁ… କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଅନ୍ତୁ… ଏ ସମୟ ବେଶୀ ଦିନ ରହିବନି; ଧୈର୍ଯ୍ୟ ରଖନ୍ତୁ ସବୁ ଠିକ୍ ହେଇଯିବ… ଆପଣ ମଧ୍ୟ ସୁସ୍ଥ ରୁହନ୍ତୁ… ଏହି ସାକ୍ଷାତକାର ପାଇଁ ଶୁଭପଲ୍ଲବ ଟିମ୍‌କୁ ମଧ୍ୟ ଧନ୍ୟବାଦ… ଜୟ ଜଗନ୍ନାଥ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।