You are currently viewing ଆଗଧାଡ଼ିର ଅଭିନେତା ସମରେଶ ରାଉତରାୟଙ୍କ ସହ ଆଳାପ
Interview with Samaresh Routray

ଆଗଧାଡ଼ିର ଅଭିନେତା ସମରେଶ ରାଉତରାୟଙ୍କ ସହ ଆଳାପ

ଓଡ଼ିଆ କଥାଚିତ୍ର ଜଗତରେ ଖଳନାୟକ ବିଷୟରେ ଚର୍ଚ୍ଚା ହେଲେ ଗୋଟିଏ ନାମ ସବୁବେଳେ ମନକୁ ଆସେ, ତାହା ହେଲା ସମରେଶ ରାଉତରାୟ । ସେ ଅଭିନୟ ଆରମ୍ଭ କରିଥିଲେ ହିନ୍ଦୀ କଥାଚିତ୍ର ଜଗତରୁ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମ ଦୁଇଟି କଥାଚିତ୍ର ପରେ ସେ ନାୟକରୁ ସାଜିଥିଲେ ଖଳନାୟକ ଓ ସାଉଁଣ୍ଟିଥିଲେ ଦର୍ଶକଙ୍କର ଭଲପାଇବା । ଓଡ଼ିଆ କଥାଚିତ୍ରରେ ଖଳନାୟକର ସଂଜ୍ଞା ବଦଳାଇଦେଇଥିବା ସମରେଶ ଏହାପରେ ପାଦ ଥାପିଥିଲେ ପ୍ରଯୋଜନାରେ ଏବଂ ଓଡ଼ିଆ-ୱାନ୍‌ର ସ୍ଥାପନା କରିଥିଲେ ସେ । ଲିଭିଲିଭି ଆସୁଥିଲା ଓଡ଼ିଆ ଆଲବମ୍ ଜଗତକୁ ପୁଣିଥରେ ଗଢ଼ି ତୋଳିଥିଲେ ନିଜ ହାତରେ । ଇଣ୍ଟରନେଟରେ ଲୋକପ୍ରିୟ କରିଥିଲେ ଓଡ଼ିଆ ଗୀତଗୁଡ଼ିକୁ । ନିକଟ ଅତୀତରେ ମୁକ୍ତିଲାଭ କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ପାଇକ ବିଦ୍ରୋହରେ ତାଙ୍କର ବକ୍ସି ଜଗବନ୍ଧୁ ଭୂମିକାକୁ ଅନେକ ଭଲ ପାଇବା ଦେଇଥିଲେ ଦର୍ଶକ । ତେଣୁ ଚାଲନ୍ତୁ ତାଙ୍କର ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଆଜିଯାଏଁର ଜୀବନଯାତ୍ରା ଉପରେ କିଛି ଅଧିକ ଜାଣିବା ।

ପ୍ରଶ୍ନ ୧. ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ସ୍ନାତକ, ମଡେଲିଂ, ହିନ୍ଦୀରେ ଅନେକ ଥିଏଟରରେ ଅଭିନୟ, ୨୦୦୨ ମସିହାରେ ହିନ୍ଦୀ କଥାଚିତ୍ର ଶହୀଦ୍‌ରେ ଅଭିନୟ । କେମିତି ଥିଲା ସେ ସବୁର ଅଭିଜ୍ଞତା?

ଉତ୍ତର: ନ୍ୟାସନାଲ ସ୍କୁଲ ଅଫ ଡ୍ରାମାକୁ ଯିବା ପୂର୍ବରୁ ମୁଁ ପ୍ରଥମେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଡ୍ରାମା ଡିପାର୍ଟମେଣ୍ଟରେ ପଢ଼ୁଥିଲି । ବିଜୟ ମହାନ୍ତି ସାର୍ ସେତେବେଳେ ଆମର ଅଧକ୍ଷ ଥିଲେ । ଏଇଠୁ ପଢ଼ିସାରିବାପରେ ମୁଁ NSDରେ ୨ୟ ଥରରେ ପାଇଥିଲି । ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ପହଞ୍ଚିଲା ପରେ ସେ ଦୁନିଆ ଆମ ଦୁନିଆଠୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା, କାରଣ ସେଠାକାର ଭାଷା ଥିଲା ହିନ୍ଦୀ, ଯାହାକି ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା । ସବୁ ନାଟକଗୁଡ଼ିକ ହିନ୍ଦୀରେ ହିଁ ଥିଲା । ନୂଆ ନୂଆ ଟିକେ ଅସୁବିଧା ହେଇଥିଲା, ହେଲେ ସବୁ ପ୍ରଫେସର୍ ଓ ସାଙ୍ଗମାନଙ୍କ ସହାୟତାରେ ମୁଁ ନିଜକୁ ସେଠାରେ ଖାପ ଖୁଆଇ ନେଇଥିଲି । ସେଠି ଅନେକ କିଛି ଶିଖିଛି ମୁଁ, ଖାଲି ନାଟକରେ ଅଭିନୟ ନୁହେଁ ଜୀବନ ଜୀଇଁବାର ପ୍ରକ୍ରିୟାକୁ ଶିଖିଛି ମୁଁ ସେଠାରେ । ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ମୋ’ ପାଇଁ ମୋ’ର ୨ୟ ଘର କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତିନିବର୍ଷ ପରେ ଯେବେ ସେଠାରେ ମୋର ପାଠପଢ଼ା ଶେଷ ହେଲା, ଫେର୍‌ୱେଲ୍ ଦିନ ରାତିରେ ମୋ’ର ଜଣେ ମରାଠୀ ବନ୍ଧୁ ଜୟନ୍ତ ଗାଡ଼େକରଙ୍କ ସାଙ୍ଗରେ ମୁଁ ବମ୍ବେ ଚାଲିଯାଇଥିଲି, ଯେଉଁଠି ଆଗରୁ ମୋର କିଛି ବନ୍ଧୁମାନେ ରହୁଥିଲେ । ବମ୍ବେରେ ମୁଁ ୭ରୁ ୮ ବର୍ଷ ରହିଛି । ପ୍ରଥମେ ଅଭିନୟ ପାଇଁ ଚେଷ୍ଟା କରିଥିଲି । ଗୋଟେ ଫିଲ୍ମ ଓ କିଛି ଧାରାବାହିକରେ ଛୋଟମୋଟ ଭୂମିକାରେ ଅଭିନୟ କରିଥିଲି । ଏହାପରେ ଫିଲ୍ମ ପ୍ରଡକ୍ସନ ହାଉସ୍‌ରେ କାଷ୍ଟିଂ ଡିରେକ୍ଟର ଭାବରେ କାର୍ଯ୍ୟ କରିଥିଲି, ବାଲାଜୀ ଟେଲି ଫିଲ୍ମସ୍‌ରେ ଆସୋସିଏଟ୍ ଭାବରେ ମଧ୍ୟ କିଛିଦିନ କାମ କରିଛି ।

ଏହାପରେ ସଂସ୍କାର ନାମରେ ଏକ ଆଧ୍ୟାତ୍ମିକ ଚେନାଲ୍ ଅଛି, ଯେଉଁଠାରେ ମୁଁ ପ୍ରୋଗ୍ରାମିଂ ହେଡ୍ ଭାବରେ କାର୍ଯ୍ୟ କରିଥିଲି । ମୋ ଜୀବନର ସବୁଠାରୁ ଲମ୍ବା ସମୟ ମୁଁ ସେଠାରେ ହିଁ ଚାକିରୀ କରିଛି । ଏବେ ବି ସେଠାକାର ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ଅଛି । ସେଠାକାର ଅନୁଭୂତି ଏବେ ବି ମୋ ମନରେ ଜୀବିତ ହୋଇକି ଅଛି ।

ପ୍ରଶ୍ନ ୨. ମୁମ୍ବାଇରୁ ସିଧା ଆସି ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଥିଲେ ଆପଣ, କେମିତି ଥିଲା ଓଡ଼ିଶାରେ ପ୍ରଥମ ଅଭିନୟର ଅନୁଭୂତି?

Samaresh Routray

ଉତ୍ତର: ମୁଁ ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଏକ ଫିଲ୍ମର ନାୟକ ଭାବରେ ଅଭିନୟ କରିବାକୁ ଆସିଥିଲି । ଅଶୋକ ପତିଙ୍କ ନିର୍ଦ୍ଦେଶିତ ଏଇ କଥାଚିତ୍ରଟି ଥିଲା ଜେଲ୍, ଯାହାକି ହେଇପାରିଲା ନାହିଁ । ଏହା ପୂର୍ବରୁ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ନାୟକଙ୍କ ଏକ ଫିଲ୍ମ ପାଇଁ କହିଥିଲେ, ଆଉ ଯେତେବେଳେ ମୁଁ ଜେଲ୍ ପାଇଁ ଆସିଥିଲି ସେତେବେଳେ ମୋ ସୁନାପୁଅର ସୁଟିଂ ହେଇକି ମୁକ୍ତିଲାଭ ବି କରିଗଲା ।

ମୋର ପ୍ରଥମ କଥାଚିତ୍ର ମୁକ୍ତିଲାଭ କରିବା ପରେ ପ୍ରାୟ ବର୍ଷେଯାଏଁ କୌଣସି କାମ ମିଳିନଥିଲା । ସେହି ସମୟରେ ମୁଁ ଓଡ଼ିଆ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲି । ଇଟିଭି ଓଡ଼ିଆରେ ସେତେବେଳେ ମୁଁ ସଂସ୍କାର ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲି, ଯାହାକି ମୋତେ ଜଣେ କଳାକାର ଭାବରେ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା । ଏହାପରେ ଚିତ୍ତରଞ୍ଜନ ତ୍ରିପାଠୀ ଗୋଟେ ଫିଲ୍ମ କଲେ, ଧଉଳି ଏକ୍ସପ୍ରେସ୍ । ଏହି ଚଳଚ୍ଚିତ୍ରରେ ମୁଁ ନାୟକ ଭାବରେ ଅଭିନୟ କରିଥିଲି ଏବଂ ଏହାପରେ ମୋ ଅଭିନୟ ଜୀବନର ମୋଡ଼ ବଦଳିଯାଇଥିଲା ।

ପ୍ରଶ୍ନ ୩. ବହୁ ଚର୍ଚ୍ଚିତ କଥାଚିତ୍ର ଧଉଳି ଏକ୍ସପ୍ରେସ୍‌ରେ ଆପଣ ନାୟକ, ସିଦ୍ଧାନ୍ତ ମହାପାତ୍ର ଖଳନାୟକ; ଏହାର ପରବର୍ତ୍ତୀ କଥାଚିତ୍ର ମୁଖମନ୍ତ୍ରୀରେ ଉଭୟଙ୍କର ଭୂମିକା ଅଦଳ ବଦଳ ହେଇଗଲା; ଏହା କିପରି ସମ୍ଭବ ହେଲା?

ଉତ୍ତର: ମୁଁ ଓଡ଼ିଶାରେ କାମ କରୁଥିଲି ଆଉ ଚିତ୍ତ ଭାଇ ଓଡ଼ିଶା ଆସିଲେ ମୋ ସହ ଅନେକ ସମୟରେ କାହାଣୀ ବିଷୟରେ ଆଲୋଚନା କରୁଥିଲେ । ଯେତେବେଳେ ସେ ଧଉଳୀ ଏକ୍ସପ୍ରେସ୍ ପାଇଁ ମୋରେ ହିରୋ ହେବାକୁ କହିଥିଲେ, ସେତେବେଳେ ଆମେ ଦୁହେଁ ମିଶି ବିଭିନ୍ନ ଚରିତ୍ର ପାଇଁ ଅଭିନେତାମାନଙ୍କର ଚୟନ କରିଥିଲୁ । ଏହାର ଖଳନାୟକ ଭୂମିକା ପାଇଁ ଚିତ୍ତ ଭାଇ ସିଦ୍ଧାନ୍ତ ମହାପାତ୍ରକୁ ନେବାକୁ ଚାହିଁଥିଲେ ଆଉ ସେ ବି ଏହି ଚଳଚ୍ଚିତ୍ର କରିଥିଲେ । ଏହି ଚଳଚ୍ଚିତ୍ରଟି ସେତେବେଳେ ୫/୬ଟି ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ପାଇଥିଲା ।

Samaresh in Beard

ଏହାପରେ ଚିତ୍ତ ଭାଇ ଆଉ ଏକ ଚଳଚ୍ଚିତ୍ର ପାଇଁ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ମୋତେ ଖଳନାୟକ ଭୂମିକାରେ ଅଭିନୟ ପାଇଁ କହିଥିଲେ ଆଉ ମୁନ୍ନା ଭାଇଙ୍କୁ ନାୟକ ଭାବରେ ନେଇଥିଲେ, ସେ ଚଳଚ୍ଚିତ୍ର ଥିଲା ମୁଖ୍ୟମନ୍ତ୍ରୀ । ଏହି ଚଳଚ୍ଚିତ୍ରଟିରେ ମୁଁ ବିଜୟ ସାର୍‌ଙ୍କ ପୁଅ ଭୂମିକା ଅଭିନୟ କରିଥିଲି ଆଉ ଏହି ଖଳ ଚରିତ୍ରଟିକୁ ଲୋକମାନେ ପସନ୍ଦ ମଧ୍ୟ କରିଥିଲେ । ଏହାପରେ ଅନେକ ଚଳଚ୍ଚିତ୍ରରେ ମୋତେ ଖଳନାୟକ ଭାବରେ କାମ କରିବାକୁ ଅଫର୍ ଆସିଥିଲା ଓ ମୁଁ କାମ ମଧ୍ୟ କରିଥିଲି, ଏବେ ମଧ୍ୟ କରୁଛି ।

ପ୍ରଶ୍ନ ୪. ସମରେଶ ରାଉତରାୟ ନିଜେ ନିଜକୁ କେଉଁ ଭୂମିକାରେ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି ଆଉ କାହିଁକି?

ଉତ୍ତର: ମୁଁ ସମରେଶ ରାଉତରାୟ ଜଣେ ଅଭିନେତା ଭାବରେ ନିଜକୁ ଦେଖିବାକୁ ପସନ୍ଦ କରେ । କୌଣସି ନିର୍ଦ୍ଦିଷ୍ଟ ଚରିତ୍ର ପାଇଁ ମୁଁ ନିଜକୁ ବାନ୍ଧି ରଖିନାହିଁ, ଯେତେବେଳେ ଯେଉଁ ବି ଭଲ ଚରିତ୍ର ମିଳିବ, ଯାହାକୁ ଦର୍ଶକ ଦେଖିଲେ ମନେ ରଖିବେ, ମୁଁ ସେହିଭଳି ଚରିତ୍ରରେ ନିଜକୁ ଦେଖିବାକୁ ଚାହଁଛି । ତା’ଛଡ଼ା ମୁଁ ଖଳନାୟକ ଭାବରେ ଅଭିନୟ କରିବାପରେ ଓଡ଼ିଆ କଥାଚିତ୍ର ଜଗତରେ ଖଳନାୟକର ଡାଇମେନ୍‌ସନ୍ ବଦଳିଯାଇଛି ।

ପ୍ରଶ୍ନ ୫. ଓଡ଼ିଆ ଆଲବମ୍ ଜଗତ ଯେତେବେଳେ ଧୀରେ ଧୀରେ ବନ୍ଦ ହେବାକୁ ଲାଗିଥିଲା, ସେତେବେଳେ ଆପଣ ପୁଣିଥରେ ଏହାକୁ ନିଜେ ଆରମ୍ଭ କରିଥିଲେ, ଏ କଳ୍ପନା କିପରି ଆସିଥିଲା?

ଉତ୍ତର: ମୁଁ ଯେବେ ‌+୨ ପଢ଼ୁଥିଲି, ପରେ ବମ୍ବରେ ରହୁଥିଲି, ସେତେବେଳେ ଓଡ଼ିଶାରୁ କେହି ଗଲେ ମ୍ୟୁଜିକ୍ ସିଡି ନେଇକି ଯା’ନ୍ତି, ସତେବେଳେ ଓଡ଼ିଶାରେ ଆଲବମ୍ ଜଗତ ବହୁତ ଭଲ ଭାବରେ ଚାଲୁଥିଲା । ମୋର ବନ୍ଧୁ ବୁଲୁକୁ ମୁଁ ଯେତେବେଳେ ଟିଭିରେ ଦେଖୁଥିଲି, ମୋତେ ସେ ବହୁତ ଭଲ ଲାଗୁଥିଲା, ସେ ହିରୋ ହେଉ ବୋଲି ମୋର ବହୁତ ଇଚ୍ଛା ଥିଲା । ଓଡ଼ିଆ ଆଲବମ୍ ଗୀତ ସେବେ ବହୁତ ଉପରେ ଥିଲା ।

ମୁଁ କିଛି ବର୍ଷ ଫିଲ୍ମ ଓ ଧାରାବାହିକରେ କାମ କରିବା ପରେ କିଛି ଅଲଗା କରିବା ପାଇଁ ମୋର ନିଜର ପ୍ରଡକ୍ସନ କମ୍ପାନୀ ଆରମ୍ଭ କରିଥିଲି । କଥାଚିତ୍ର ପ୍ରଯୋଜନା ସହ ମ୍ୟୁଜିକ୍ ଆଉ ଫିଲ୍ମ କିଣାବିକା କରୁଥିଲି । ସେତେବେଳେ ବନ୍ଦ ହେଇଯାଇଥିବା ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ମୁଁ ପୁଣିଥରେ ଆରମ୍ଭ କରିବାର ଯୋଜନା କରିଥିଲି, ମାତ୍ର ସିଡି ଜିରିଆରେ ନୁହେଁ ଇଣ୍ଟରନେଟ ଜରିଆରେ ୟୁ-ଟ୍ୟୁବ୍‌ରେ ଛାଡ଼ିବା ପାଇଁ କାମ ଆରମ୍ଭ କରିଥିଲି । ମୁଁ ମ୍ୟୁଜିକ୍ ଭିଡିଓ କରିବାର ୪/୫ ବର୍ଷ ଆଗରୁ ସୋନି ମ୍ୟୁଜିକ୍‌ରେ ଜଣଙ୍କର ଏକ ସାକ୍ଷାତକାରରେ ପଢ଼ିଥିଲି, “Music will be back again.” ତାହା ହିଁ ହେଲା, ମୁଁ ବୋଧେ ଓଡ଼ିଶାର ପ୍ରଥମ ଥିଲି, ଯିଏକି ୟୁ-ଟ୍ୟୁବ୍‌ରେ ମ୍ୟୁଜିକ୍ ଭିଡିଓ ଛାଡ଼ି ପଇସା ରୋଜଗାର କରିବା ଆରମ୍ଭ କରିଥିଲା ।

ମୋର ପ୍ରଥମ ମ୍ୟୁଜିକ୍ ଭିଡିଓରେ ଗୋଟେ ନୂଆ ଟ୍ରେଣ୍ଡ୍ ଆରମ୍ଭ ହେଲା, ଆମେ ପୁରୁଣା ଢାଞ୍ଚାରେ ନୁହେଁ, କିଛି ନୂଆ ଶୈଳୀରେ କରିବାକୁ ଚେଷ୍ଟା କରିଥିଲୁ, ଏମିତିକି ଫିଲ୍ମଠାରୁ ବି ଭଲ କରିବାକୁ ଚେଷ୍ଟା କରିଥିଲୁ । ଏହାପରେ ଅନେକ କିଛି ବଦଳିଗଲାଣି ଏବେ, ବହୁତଗୁଡ଼ିଏ ମ୍ୟୁଜିକ୍ ଚେନାଲ୍ ହେଲାଣି ଏବେ ଓଡ଼ିଶାରେ । ବହୁତ ଭଲ ଭଲ ଭିଡିଓ ହେଉଛି, ବହୁତ ଲୋକ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଜାଣୁଛନ୍ତି । ରାଜ୍ୟ ବାହାରେ ମଧ୍ୟ ଲୋକମାନେ ଆମ ଇଣ୍ଡଷ୍ଟ୍ରିକୁ ଭଲ ପାଇଲେଣି । ଗୁଡ଼ାଏ କଳାକର, ଗୀତିକାର, ସଙ୍ଗୀତକାର, କଣ୍ଠଶିଳ୍ପୀମାନେ ଏଥିରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ।

ପ୍ରଶ୍ନ ୬. ଆପଣଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ପାଇକ ବିଦ୍ରୋହକୁ ଦର୍ଶକ ଅନେକ ଭଲ ପାଇବା ଦେଉଛନ୍ତି, ଏହି ଭୂମିକା ପାଇଁ ଆପଣଙ୍କ କିପରି ନିଜକୁ ପ୍ରସ୍ତୁତ କରିଥିଲେ?

ଉତ୍ତର: ଅକ୍ଷୟ ପରିଜା ସାର୍‌ଙ୍କ ସହ ମୋ’ର ସମ୍ପର୍କ ବହୁତ ପୁରୁଣା ଆଉ ବହୁତ ଭଲ । ପ୍ରଶାନ୍ଦ ନନ୍ଦ ଭାଇନାଙ୍କର ଗୋଟେ କଥାଚିତ୍ର ଥୁକୁଲ୍‌ରେ ମୁଁ ଅଭିନୟ କରିଥିଲି, ଯାହାକି ଅକ୍ଷୟ ସାର୍‌ଙ୍କ ପ୍ରଯୋଜନା ଥିଲା । ଦିନେ ମୋତେ ପରିଜା ସାର୍‌ଙ୍କର ଫୋନ୍ ଆସିଥିଲା ଗୋଟେ କାମ ପାଇଁ ନୀଳମାଧବ ପଣ୍ଡାଙ୍କ ସହ କଥା ହେବାକୁ ଆଉ ପଣ୍ଡା ବାବୁଙ୍କ ଫୋନ ପାଇ ମୁଁ ସାକ୍ଷାତ କରିବାକୁ ଯାଇଥିଲି । ସେତେବେଳେ ମୋତେ ମନେ ନାହିଁ ମୁଁ କ’ଣ ପାଇଁ ଦାଢ଼ି ଛାଡ଼ିଥିଲି; ଆଉ ଜଣେ ଆସିଷ୍ଟାଣ୍ଟ ଡିରେକ୍ଟର ମୋତେ ଦାଢ଼ି କାଟିଦେବାକୁ କହିଥିଲେ, ହେଲେ ମୁଁ ମନା କରିଥିଲି । ପରେ ବର୍ଣ୍ଣାଳୀ ମାମ୍, ଯିଏକି କଷ୍ଟ୍ୟୁମ୍ ଡିଜାଇନର୍ ଥିଲେ, ସେ ଦାଢ଼ି ରଖିବାକୁ କହିଥିଲେ ଆଉ ଦାଢ଼ି ସହ ଏହି ଚରିତ୍ରଟିକୁ ପ୍ରସ୍ତୁତ କରାଇଥିଲେ ।

ପାଇକ ବିଦ୍ରୋହ ପାଇଁ କିଛି ଫାଇଟ୍ ସିନ୍ ମୁଁ ଶିଖିଥିଲି । ଯଦିଓ ଆଗରୁ ମୁଁ କିଛି ବେସିକ୍ ଜାଣିଥିଲି, ତଥାପି ଖୋର୍ଦ୍ଧାରୁ ଜଣେ ଭାଇ ଆସି ୧୫ ଦିନ ମୋତେ ଖଣ୍ଡା ବୁଲେଇବା, ବାଡ଼ି ବୁଲେଇବା ଆଦି ଶିଖାଇଥିଲେ; କିନ୍ତୁ ଏହି ଫାଇଟ୍‌ଟି ବୋଧେ କ୍ଷୁଦ୍ର ଚଳଚ୍ଚିତ୍ରଟିରେ ସ୍ଥାନିତ ହୋଇପାରିନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ପାଇକ ବିଦ୍ରୋହ ପାଇଁ ଆମେ ଯେତିକି କଳ୍ପନା କରିଥିଲୁ, ସେତିକି ନହେଲେ ବି ତା’ ପାଖାପାଖି ପହଞ୍ଚିଛୁ । ବଡ଼ ପରଦାରେ ନହେଲେ ବି ୟୁ-ଟ୍ୟୁବ୍‌ରେ ଦର୍ଶକ ଦେଖିଲେ; ଦର୍ଶକମାନଙ୍କର ଅନେକ ପ୍ରଶଂସା ମିଳିଲା ଏହି ଚରିତ୍ରଟି ପାଇଁ । ସମସ୍ତଙ୍କର ଭଲ ପାଇବା ମୁଁ ଋଣୀ ନିଶ୍ଚୟ । ମୁଁ ନିଜେ ଏହାକୁ ଟୁଇଟ୍‌ରେ ବହୁତ ସେୟାର୍ କରିଛି, ମୋ ସହ ଅନେକ ଓଡ଼ିଆ ଭାଇଭଉଣୀମାନେ ମଧ୍ୟ ଏହାକୁ ଟୁଇଟର୍ ତଥା ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ସେୟାର କରିଥିଲେ ମ୍ୟାକ୍ସିମମ୍ ରିଚ୍ ପାଇଁ । ଧନ୍ୟବାଦ ଜଣାଇବି ସମସ୍ତଙ୍କୁ, ସମସ୍ତଙ୍କର ଭଲ ପାଇବା ପାଇଁ, ଏହି ଫିଲ୍ମଟିକୁ ପସନ୍ଦ କରିବାପାଇଁ । ଯେତେ ବି କାମ କରିଛି, ପାଇକ ବିଦ୍ରୋହ ତା’ ଭିତରୁ ମନେ ରହିଲା ଭଳି ଗୋଟେ ସିନେମା ହେବ ।

Samaresh Routray as Rowdy Rana

ପ୍ରଶ୍ନ ୭. ଏକ ଟିଭି ବିଜ୍ଞାପନରେ ସମରେଶ ରାଉତରାୟଙ୍କୁ ବିଲ୍‌ଡର୍ ଭାବରେ ପରିଚିତ କରାଯାଏ, ଏହା କ’ଣ ଅଭିନୟ ଥିଲା ନା ସତ?

ଉତ୍ତର: ନାହିଁ ତାହା ଗୋଟିଏ ଟେକ୍ନିକାଲ୍ ଏରର୍ ଥିଲା । ଅବଶ୍ୟ ମୋ ଭାଇ ଜଣେ ବିଲ୍‌ଡର୍, ଆଉ ତାଙ୍କର ବନ୍ଧୁଙ୍କ ଜରିଆରେ ମୋତେ ସେହି ବିଜ୍ଞାପନଟି ମିଳିଥିଲା । ତେଣୁ ମୋ ଭାଇ ପାଇଁ ମୋତେ ବିଲ୍‌ଡର୍ ବୋଲି ଲେଖିଦେଇଥିଲେ । ଅବଶ୍ୟ ଏହା ବି ଗୋଟିଏ ପ୍ରକାରର ପ୍ରଚାର ।

ପ୍ରଶ୍ନ ୮. ଆପଣ ଘର କାମ କରିବାକୁ ବହୁତ ପସନ୍ଦ କରନ୍ତି, ଏ ଲକ୍‌ଡାଉନ୍ ଆପଣଙ୍କୁ କେତେ କାମ କରିବାକୁ ପଡ଼ିଛି?

ଉତ୍ତର: ଗୋଟିଏ ସାଧାରଣ ମଣିଷ ଭାବେ ମୁଁ ବଞ୍ଚିବାକୁ ଚେଷ୍ଟା କରେ । ଘରର ପ୍ରତ୍ୟେକଟି କାମ କରିବାକୁ ମୋତେ ଭଲ ଲାଗେ । ଯେତେବେଳେ ବ୍ୟସ୍ତ ଥାଏ, କିଛି କିଛି କରେ ଆଉ ଯେବେ ଫାଙ୍କା ଥାଏ, ସେବେ ପ୍ରାୟ ସବୁକିଛି କରିବାକୁ ଚେଷ୍ଟା କରେ । ସବୁ ଜିନିଷ ଠିକ୍ ସ୍ଥାନରେ ସଜେଇକି ରଖିବାକୁ ମୋତେ ଭଲ ଲାଗେ, ତେଣୁ ତା’ପାଇଁ ମୁଁ ଅନେକ ସମୟରେ କାମ କରେ । ଆଉ ମୋତେ ଘରର ଯେକୌଣସି କାମ ହେଲେ ବି କରିବାକୁ ଭଲ ଲାଗେ । ରୋଷେଇଠାରୁ ଆରମ୍ଭ କରି ବିଭିନ୍ନ କାମ କରେ । ଏହି କରୋନା ସମୟରେ ଅନେକ ଖାଲି ସମୟ ମିଳିଥିଲା, ତେଣୁ ବହୁତ କିଛି ନୂଆ ଜିନିଷି ଶିଖିବା ସହିତ ବହୁତ ଘର କାମ ବି କରିଛି ।

ପ୍ରଶ୍ନ ୯. କରୋନାକୁ ନେଇ ଆପଣ ଆପଣଙ୍କ ଅନୁଗାମୀମାନଙ୍କୁ କ’ଣ ଉପଦେଶ ଦେବେ?

ଉତ୍ତର: କରୋନା ଯେତିକି ବଡ଼ ନୁହେଁ, ତା’ ବିଷୟରେ ଶୁଣି ଶୁଣିକି ଆମେ ମାନସିକ ସ୍ତରରେ ଅଧିକ ଭୟଭୀତ ହେଉଛୁ । ମୁଁ ଜଣେ ଡାକ୍ତର ନୁହେଁ, ତଥାପି ଏତିକି କହିବି ଆମକୁ ନିଜେ ନିଜ ତରଫରୁ ସୁଦୃଢ଼ ହେବାକୁ ହେବ । କରୋନାରେ କାହାକୁ ଅଧିକ ଅସୁବିଧା ହେଇପାରେ, କାହା ପାଇଁ ସେତେ ଅଧିକ କ୍ଷତିକାରକ ହେଇନପାରେ । କରୋନା ସହ ଆମକୁ ବଞ୍ଚିବାକୁ ହେବ, ୬ ମାସ ହେଇଗଲାଣି ଅନେକ କିଛି ଶୁଣିବାକୁ ମିଳୁଛି । ପ୍ରଥମେ ବିଦେଶରେ ଥିଲା, ତା’ପରେ ଦେଶକୁ, ରାଜ୍ୟକୁ ଆଉ ଗାଁ ଓ ସହର ସବୁଠି ବ୍ୟାପିଲାଣି, ଏବେ ତ ପଡ଼ୋଶୀ ଘରେ ବି ପହଞ୍ଚିସାରିଲାଣି । ତେଣୁ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା । ଭୟଭୀତ ନ ହୋଇ ଭଗବାନଙ୍କ ଉପରେ ଭରସା ରଖିବା ଆବଶ୍ୟକ, ସେ ଦୁନିଆ ସୃଷ୍ଟି କରିଛନ୍ତି ଆଉ ଦୁନିଆକୁ ରକ୍ଷା ମଧ୍ୟ କରିବେ । ଆମକୁ ଖାଲି ଆମର କର୍ତ୍ତବ୍ୟ କରିବାର ଅଛି । ସରକାରୀ ନିୟମ ଓ କଟକଣାକୁ ମାନିକି ଚଳିବାର ଅଛି ।

ଏହି କରୋନା ସମୟରେ ସମସ୍ତେ ଆପଣଙ୍କର ଏହି ଉପଦେଶକୁ ମାନିବେ ବୋଲି ମୁଁ ଆଶା କରୁଛି । ଏହି ସହିତ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ଆପଣଙ୍କର ସହଯୋଗ ପାଇଁ ଏବଂ ସମସ୍ତ ପ୍ରଶ୍ନର ଉତ୍ତର ରଖିବା ପାଇଁ । ଆପଣଙ୍କର ଆଗାମୀ ସମସ୍ତ କାର୍ଯ୍ୟ ପାଇଁ ଶୁଭକାମନା ଜଣାଉଛି । ପ୍ରଣାମ ।

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।