You are currently viewing ✍ ଅଷ୍ଟାଦଶ ସମ୍ପାଦକୀୟ
Editorial Page of Shubhapallaba 18th Edition

✍ ଅଷ୍ଟାଦଶ ସମ୍ପାଦକୀୟ

ଗୁଶବ୍ଦତ୍ସ୍ଵନ୍ଧକାରଃ ସ୍ୟାତ୍ ରୁଶବ୍ଦସ୍ତନ୍ନିରୋଧକଃ ।
ଅନ୍ଧକାରନିରୋଧିତ୍ୱାତ୍ ଗୁରୁରିତ୍ୟଭିଧୀୟତେ ॥

(ଅଦ୍ୱୟତାରକ ଉପନିଷଦ – ୧୬)

‘ଗୁ’ ଶବ୍ଦର ଅର୍ଥ ଅନ୍ଧକାର, ‘ରୁ’ ଶବ୍ଦର ଅର୍ଥ ନିରୋଧକ । ଅର୍ଥାତ ଅନ୍ଧକାରକୁ ଦୂର କରିପାରିବାର କ୍ଷମତା ରଖୁଥିବାରୁ ସେ ଗୁରୁ ।

ଜନ୍ମଠାରୁ ମୃତ୍ୟୁ । ଜୀବନର ପ୍ରବାହରେ ଭାସିଗଲା ବେଳେ ଆବଶ୍ୟକ ହୁଏ ପଥ ପ୍ରଦର୍ଶକର । ଅଜ୍ଞାନ ତିମିର ମଧ୍ୟରୁ ଆଲୋକର ବହ୍ନି ଜଳାଇ ଆମକୁ ହାତଧରି ଯିଏ ବାଟ କଢ଼ାଇ ନିଅନ୍ତି ସେ ଗୁରୁ ।  ଜନନୀ ଜଠରୁ ଭୂମିଷ୍ଟ ହେଲା ପରେ ଯାହାର ଶବ୍ଦ ଆଉ ସଂକେତକୁ ଅନୁସରଣ କରି ଦୁନିଆକୁ ଚିହ୍ନିବାକୁ ଚେଷ୍ଟା କରାଯାଏ, ସେ ଦୁଇ ଆଦ୍ୟ ଗୁରୁ – ମାତା ଆଉ ପିତା । ଯାହାର ଉଚ୍ଚାରଣକୁ ଅନୁସରଣ କରି ବିଦ୍ୟାରମ୍ଭ କରାଯାଏ ସେ ଶିକ୍ଷାଗୁରୁ । ଶିକ୍ଷା ସମାପ୍ତ ପରେ ଯେ ଆମକୁ ବ୍ରହ୍ମ ଦୀକ୍ଷାରେ ଦୀକ୍ଷିତ କରନ୍ତି ସେ ଦୀକ୍ଷାଗୁରୁ । ସମସ୍ତ ଜ୍ଞାନ ଯାହା ନିକଟରେ ସନ୍ନିହିତ ସେ ଜଗତଗୁରୁ । ଉପନିଷଦରେ ଆହୁରି କୁହାଯାଇଛି – “ଗୁରୁ ହିଁ ଶ୍ରେଷ୍ଠ ସମ୍ପଦ; ଅନ୍ୟ ସମସ୍ତ ସମ୍ପଦମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ !”

ଜୀବନରେ ପଞ୍ଚ ଗୁରୁଙ୍କର ଆବଶ୍ୟକତା ଯଥା ସ୍ଥାନରେ ଶ୍ରେଷ୍ଠ ଥିଲେ ମଧ୍ୟ, ଶିକ୍ଷା ଗୁରୁଙ୍କର ମହତ୍ତ୍ୱ ସର୍ବତ୍ର ଗୁରୁତ୍ଵପୂର୍ଣ୍ଣ । ସେ ଆମକୁ କେବଳ ଅଜ୍ଞାନର ଘନ ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼େଇ ନିଅନ୍ତି ନାହିଁ, ବରଂ ଚରିତ୍ର ଗଠନ ତଥା ଜୀବନ ଧାରଣ କରିବାର ମାର୍ଗ ମଧ୍ୟ ଦେଖାଇ ଥାଆନ୍ତି । ଗୁରୁ ଭେଦଭାବ ଶୁନ୍ୟ ସ୍ନେହ ପ୍ରେମରେ ଶିଷ୍ୟମାନଙ୍କୁ ସମାନ ଭାବରେ ଦେଖୁଥିବା ବେଳେ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ଆଦେଶ ପାଳନ ନିମିତ୍ତ ନିଜର ଜୀବନ ଉତ୍ସର୍ଗ କରିଦେଉଥିବାର ଉଦାହରଣ ଇତିହାସରେ ଅନେକ । ସେକାଳର ଆରୁଣୀ-ଋଷି ଧୌମ୍ୟଙ୍କଠାରୁ ଆରମ୍ଭ କରି ଚାଣକ୍ୟ-ଚନ୍ଦ୍ରଗୁପ୍ତ ତଥା ରାମକୃଷ୍ଣ-ବିବେକାନନ୍ଦଙ୍କ ପର୍ଯ୍ୟନ୍ତ, ସମସ୍ତେ ଛାଡ଼ିଯାଇଛନ୍ତି ଗୁରୁ-ଶିଷ୍ୟର ଉତ୍ତମ ଉଦାହରଣମାନ । ଯଦିଓ ସର୍ବଦା ଦୃଶ୍ୟମାନ ହୁଏନାହିଁ, ପ୍ରତ୍ୟେକ ମନୁଷ୍ୟର ସଫଳତା ପଛରେ ଜଣେ ଉତ୍ତମ ଗୁରୁର ଅସୀମ ତ୍ୟାଗ ଓ ନିଷ୍ଠା ନିହିତ ଥାଏ ।

କୁରୁକ୍ଷେତ୍ରର ରଣାଙ୍ଗନରେ ମୋହ ମାୟାଚ୍ଛନ୍ନ ଅର୍ଜୁନଙ୍କୁ ସେଦିନ ଦୁଇ ସେନାର ମଧ୍ୟଭାଗକୁ ନେଇ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଯେଉଁ ଶିକ୍ଷା ଦେଇଥିଲେ ତାହା କେବଳ ଅର୍ଜୁନଙ୍କର ଅଜ୍ଞାନତାକୁ ଦୂର କରିଦେଇନଥିଲା, ବରଂ କାଳ କାଳ ପାଇଁ ସମଗ୍ର ମାନବ ଜାତିର କଲ୍ୟାଣ ନିମିତ୍ତ; ମାୟାତ୍ରସ୍ତ ମନୁଷ୍ୟର ମାର୍ଗ ଦର୍ଶନ ନିମିତ୍ତ ଉତ୍କୃଷ୍ଟ ଜ୍ଞାନ ଛାଡ଼ିଦେଇଗଲା । ଯେଉଁ ଜ୍ଞାନକୁ ଅକ୍ତିଆର କରାଯାଏ କେବଳ ଜଣେ ଉତ୍ତମ ଗୁରୁଙ୍କଠାରୁ ତାହା ସେଦିନ ଅର୍ଜୁନ ଶିଖିଥିଲେ ଜଗତଗୁରୁ ଶ୍ରୀକୃଷ୍ଣଙ୍କଠାରୁ । ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- “ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ” । ପୁନଃ କହିଛନ୍ତି- “ଜ୍ଞାନଂ ଲବଧ୍ୱା ପରାଂ ଶାନ୍ତିମଚିରେଣାଧିଗଚ୍ଛତି” । ଅର୍ଥାତ, ଜ୍ଞାନ ପ୍ରାପ୍ତି ହିଁ ମାର୍ଗ; ଜ୍ଞାନ ଲାଭ ହିଁ ମୋକ୍ଷର ପଥ ପ୍ରଶସ୍ତ କରେ । ଆଉ ଏଇ ଜ୍ଞାନ ଲାଭହୁଏ ଜଣେ ଉତ୍ତମ ଗୁରୁଙ୍କଠାରୁ ।

“ଶ୍ରୀ ବତ୍ସାଙ୍ଗ ମହୋରସ୍କଂ ବନମାଳା ବିରାଜିତଂ,
ଶଙ୍ଖ ଚକ୍ର ଧରଂ ଦେବଂ କୃଷ୍ଣ ବନ୍ଦେ ଜଗତ ଗୁରୁଂ ।”

ଜଗତଗୁରୁ ଶ୍ରୀକୃଷ୍ଣଙ୍କ ଶ୍ରୀ ଚରଣାରବିନ୍ଦରେ ଅନେକ କୋଟି ଦଣ୍ଡବତ ।

ଗୁରୁ ଦିବସର ପାବନ ଅବସରରେ ସମସ୍ତ ଗୁରୁମାନଙ୍କୁ ଭୂମିଷ୍ଟ ପ୍ରଣାମ
ଜୟ ଜଗନ୍ନାଥ

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।