You are currently viewing ଅବୁଝା ମନ
ଅବୁଝା ମନ

ଅବୁଝା ମନ

ଜନାରଣ୍ୟ ଭିତରେ ଦିନେ ନିରିହ ମନଟା ହଜିଗଲା । କିଛି ବାଟ ଅତିକ୍ରମ କଲାପରେ ଗୋଟିଏ ଦୋଛକି ରାସ୍ତା ପଡ଼ିଲା । ଗୋଟିଏ ଆଲୋକର ପଥ ଓ ଅନ୍ୟଟି ଅନ୍ଧାରର । ଦ୍ୱନ୍ଦ ମଧ୍ୟରେ ମନଟି ନିଷ୍ପତ୍ତି ନେଇପାରିଲା ନାହିଁ ସେ କେଉଁ ପଥକୁ ଆପଣାର କରିବ । ହଠାତ୍ ଆଲୋକ ପଥରେ ମାୟା ହରିଣୀକୁ ଦେଖି ତା ପଛରେ ଧାଇଁବାକୁ ଲାଗିଲା । ଧାଇଁ ଧାଇଁ ମନ ଯେତେବେଳେ କ୍ଲାନ୍ତ ହୋଇଗଲା ସେ ବିଶ୍ରାମ ନେବା ପାଇଁ ଟିକେ ସ୍ଥାନ ଖୋଜୁଥିଲା । ସେ ସମୟରେ ମାୟା ହରିଣୀଟି ଅନ୍ତର୍ଦ୍ଧାନ ହୋଇଯାଇଥିଲା । ବିଶ୍ରାମ ନିମନ୍ତେ ମନକୁ ଟିକିଏ ସ୍ଥାନ ମିଳିଲା ନାହିଁ କାରଣ ତାହା ଥିଲା ନର୍କର ଅନ୍ଧାର ଗଳି । ସେଠାରେ ତାକୁ ଆଗକୁ ଯିବାର ରାସ୍ତା ଦେଖାଯାଉନଥାଏ କି ପଛକୁ ଫେରିବାର ରାସ୍ତା ନଥାଏ । ବିଚରା ନିରିହ ମନଟି ବାଧ୍ୟହୋଇ ଆତ୍ମହତ୍ୟା କରିଦେଲା । ହେଲେ ମରିବା ଆଗରୁ ଗୋଟିଏ କଥା କରିଦେଇ ଗଲା, “ହେ ବାଟବଣା ମନସବୁ, ମୋ କଥାକୁ ମନେ ରଖିବ । ଅନ୍ଧାର ପଥକୁ ଆପଣାର କରି ସେ ପଥ କିପରି ଆଲୋକିତ ହେବ ସେଥିପ୍ରତି ଚେଷ୍ଟା ଜାରି ରଖିବ, ଅବଶ୍ୟ ଟିକେ କଷ୍ଟ ସହିବାକୁ ପଡ଼଼ିବ କିନ୍ତୁ ମୋ ଭଳି ଆଲୋକ ପଥକୁ ଅନୁସରଣ କରି ନିଜ ଜୀବନକୁ ନର୍କଗାମୀ କରିବ ନାହିଁ ।”

ଏ ମନଟା ସତରେ ଭାରି ଅବୁଝା । କାହରି କଥା ମାନିବାକୁ ପ୍ରସ୍ତୁତ ନୁହଁ । ସଦାବେଳେ ନିଜ ଜିଦରେ ଅଟଳ ଥାଏ । ସେ କେବେ ହାରିବାକୁ ପସନ୍ଦ କରେନା । କାହିଁକି କେଜାଣି ବେଳେବେଳେ ଅନ୍ୟର ଜିତିବା ଖୁସିରେ ବିଚରା ମନଟି ଈର୍ଷାରେ ଜଳିଉଠେ । କ’ଣ ପାଏ ସେ? ପରକୁ ଆପଣାର କରିବା ପାଇଁ ଅନେକ ମିଛ ଅଭିନୟ କରିଚାଲେ । ହେଲେ ସେ ଜାଣି ନଥାଏ ଏ ମିଛର ଦୁନିଆ ସଦାବେଳେ ଅନ୍ଧାର ମଧ୍ୟରେ ଥାଏ । ଦିନେ ନା ଦିନେ ସତ୍ୟର ଆଲୋକକୁ ସାମ୍ନା କରିବାକୁ ହେବ । ସେହିଦିନ ସେ ଜାଣି ପାରିବ ନିଜର ଭୁଲ୍ ପାଇଁ ଆଉ କେତେ ଭୁଲ୍ କରିଛି । ଭୁଲ୍ କରିବା ହେଉଛି ମନର ଏକ ସ୍ଵତଃ ପ୍ରବୃତ୍ତି । ବିବେକ ଯେତେ ବାଧା ଦେଲେ ମଧ୍ୟ ସେ କ’ଣ ମାନେ ତା କଥାକୁ? ନିଜର ଇଚ୍ଛାନୁସାରେ ସେ ସମସ୍ତଙ୍କୁ ନିଜର ଆୟତ୍ତାଧୀନ କରିବାକୁ ଚେଷ୍ଟା କରେ । ସେ କ’ଣ ସଫଳ ହୁଏ? ସେ କାହିଁକି ଏତେ ଜିଦି କରେ?

ସେ ଉତ୍ତର ମୋ ପାଖରେ ନାହିଁ । ଅତୀତର ଅଭିଜ୍ଞତା ଓ ବର୍ତ୍ତମାନର ଅନୁଭୁତିକୁ ପୁଞ୍ଜି କରି ମୋର ନିଜସ୍ୱ ମତ ହେଲା ଆତ୍ମଗର୍ବ ଓ ଅହଂକାର ଯୋଗୁଁ ମନ ଏମିତି ହୋଇଥାଏ । ସର୍ବଦା ଅନ୍ୟମାନଙ୍କ ଆଗରେ ସେ ନିଜକୁ ଠିକ୍ ବୋଲି ପ୍ରମାଣିତ କରିବା ପାଇଁ ଜିଦ୍ ଧରି ବସେ । ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ଅନ୍ୟମାନଙ୍କ ଉପରେ ସନ୍ଦେହ ଆରୋପ କରିଥାଏ । ବେଳେବେଳେ ଅନ୍ୟର ସଂପର୍କକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିଥାଏ । କିନ୍ତୁ ଦୁନିଆରେ ଏପରି କିଛି ସଂପର୍କ ଥାଏ ଯାହା ଆକାଶଠାରୁ ବିସ୍ତୃତ, ସାଗରଠାରୁ ଗଭୀର ଏବଂ ଗଙ୍ଗାଠାରୁ ପବିତ୍ର ମଧ୍ୟ ହୋଇଥାଏ । ନିଜର ପରାଜୟକୁ ଅବୁଝା ମନଟି ସହଜରେ ଗ୍ରହଣ କରିପାରି ନଥାଏ । ତେଣୁ ଅନ୍ୟମାନଙ୍କୁ ସନ୍ଦେହ କରିବା ସ୍ୱାଭାବିକ କଥା ପାଲଟିଯାଏ ।

ସନ୍ଦେହ ପକ୍ଷୀଟା ମନ ଭିତରେ ଏମିତି ବସା ବାନ୍ଧି ରହିଥାଏ ଯେ, ସେ ଉଡ଼ି ଯିବାର ନାଁ ଧରିନଥାଏ । କିନ୍ତୁ ଯେବେ ଅଦିନ ଝଡ଼ ଆସି ବହିଯାଏ, ତା’ପରେ ସେ ସବୁକିଛି ବୁଝିପାରିଥାଏ । ଝଡ଼ ପରବର୍ତ୍ତୀ ପରିବେଶ ଧ୍ୱସ୍ତବିଧ୍ୱସ୍ତ ହୋଇ ପଡ଼ି ରହିଲେ ବି ଆକାଶଟା ସଂପୂର୍ଣ୍ଣ ସ୍ୱଚ୍ଛ ଓ ନିର୍ମଳ ଥାଏ । ସେତେବେଳ ମନ ମଧ୍ୟରୁ ସନ୍ଦେହ ପକ୍ଷୀଟା ମରିଯାଇଥାଏ, ମାତ୍ର ନିଜର ମଣିଷମାନେ ଆଉ ନିଜର ହୋଇ ରହିନଥାନ୍ତି । ସେହି ଝଡ଼ର ପ୍ରଭାବରେ ଚାଲିଯାଇଥାନ୍ତି ବହୁତ ଦୂରକୁ । ପରିଶେଷରେ ବିଚରା ଅବୁଝା ମନଟି ଅତୀତର ନିଜର ଭୁଲପାଇଁ ଆଖିରୁ ଲୁହ ଝରାଏ ସିନା, ଆଉ କିଛି କରିବାର ଉପାୟ ନଥାଏ ।

ଏ ଅବୁଝା ମନଟା ବହୁତ ସରଳ ଆଉ ନିରିହ । ସ୍ନେହ କାଙ୍ଗାଳ ମନଟି ଅତି ସହଜରେ କାହାକୁ ନା କାହାକୁ ବିଶ୍ୱାସ କରିଦିଏ । କାହାଠାରୁ ଟିକିଏ ଆଶା ଆଉ ଭରସା ପାଇବା ମାତ୍ରକେ ନିଜର ସମସ୍ତ ଭଲପାଇବାକୁ ଅଜାଡ଼ିଦିଏ ତା’ ନିକଟରେ । କାହିଁକି ନା ସେ ସଂପର୍କର ବାସ୍ତବ ମୂଲ୍ୟକୁ ବୁଝିଛି । ସେ ଭାବିନିଏ ଯେ ସମସ୍ତେ ତା’ ପରି ସରଳ ଆଉ ଖୁବ୍ ବିଶ୍ୱାସୀ । କିନ୍ତୁ ଏହି ସମାଜର ପ୍ରତ୍ୟେକ ମନୁଷ୍ୟ ଜଣେ ଅନ୍ୟ ଜଣଙ୍କ ଠାରୁ ଭିନ୍ନ ।

ଏ ସମାଜର ସଂପର୍କମାନଙ୍କୁ ଏତେ ସହଜରେ ଅନ୍ଧ ଭଳି ବିଶ୍ୱାସ କରିବା ଉଚିତ ନୁହଁ । ଆଖି ଖୋଲା ରଖିଲେ ଜାଣିହେବ ଯେ ଦିନର ଆଲୋକରେ ବି ମଣିଷମାନେ ପଶୁଠାରୁ କେତେ ଭୟଙ୍କର ଅଟନ୍ତି । ଆଉ ରାତିର ଅନ୍ଧାର କଥା ନକହିଲେ ଭଲ । ଅବିଶ୍ୱାସୀ ମଣିଷମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଛଳନାର ଚକ୍ରବ୍ୟୁହରେ ଅବୁଝା ମନଟି ଧୀରେ ଧୀରେ ଫସିଯାଏ । ଯେଉଁଠାରୁ ଆଉ ମୁକୁଳି ଆସିବାର ବାଟ ନଥାଏ । କାରଣ ସେ ଚକ୍ରବ୍ୟୁହର ସୃଷ୍ଟି କର୍ତ୍ତା ସବୁ ନିଜ ସଂପର୍କୀୟ । ମିଛ ଅଭିନୟ କରି ପ୍ରଥମେ ମନରେ ବିଶ୍ୱାସ ସୃଷ୍ଟି କରନ୍ତି ଏବଂ ଅପର ପକ୍ଷରେ ଠିକ୍ ବିପରୀତ କାର୍ଯ୍ୟ କରିଥାନ୍ତି ।

ଜୀବନରେ ବେଳେବେଳେ ଏମିତି ହେବା ଆବଶ୍ୟକ । ନଚେତ୍ ବିବେକର ପରାମର୍ଶ ମାନୁନଥିବା ଅବୁଝା ମନଟା ଶିକ୍ଷା ପାଇବ କେମିତି? ସତ୍ୟର ସୂର୍ଯ୍ୟକୁ ମିଥ୍ୟାର କଳା ବାଦଲ କିଛି ସମୟ ପାଇଁ ସମସ୍ତଙ୍କ ସାମ୍ନାରେ ଲୁଚାଇ ରଖିଦେଇ ପାରେ, କିନ୍ତୁ ସବୁ ଦିନ ପାଇଁ ନୁହେଁ । ଅନ୍ଧ ଥରେ ବାଡ଼ି ହଜାଏ, ହେଲେ ଅବୁଝା ମନ ବହୁଥର ବାଡ଼଼ି ହଜାଇ ସାରିଛି । ପ୍ରତିଥର ହଜିବାରେ ସେ ନିରାଶ ହୋଇନାହିଁ ବରଂ ପାଇବାର ଆଶାରେ ଖୋଜିଛି ଏବଂ ପାଇଛି । ବହୁତ ହେଇଗଲା ମିଛ ଅଭିନୟ, ହଜେଇବା ଆଉ ଖୋଜିବାର ଖେଳ, ବିଶ୍ୱାସ ଅବିଶ୍ୱାସର ଯୁଦ୍ଧ । କିନ୍ତୁ ଆଉ ନୁହେଁ, ଅବୁଝା ମନ ତା’ ଜୀବନରେ ଯାହା ପାଇଛି ଆଉ ହରାଇବାକୁ ଚାହୁଁନି । ଯାହା ଯାଇଛି ତାକୁ ଭାବି ଆଉ ଲାଭ ନାହିଁ, ଯାହା ଅଛି ତାକୁ ନେଇ ଜୀବନର ଶେଷ ପର୍ଯ୍ୟନ୍ତ ବଞ୍ଚିବାର ଏକ ଶପଥ ନେଇ ନୂଆ ଜୀବନ ଆରମ୍ଭ କରିବାରେ ଅଗ୍ରସର ହେଲାଣି ଏ ଅବୁଝା ମନ । ଆଉ ମତେ କହିଛି, “ମୁଁ ଆଉ କେବେ ଅବୁଝା ହେବିନି ।”

– ସ୍ଵାଗତ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ଵାଗତ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।