You are currently viewing ପାପ ଗଣ୍ଠିଲି
Odia Poem Papa Ganthili (ପାପ ଗଣ୍ଠିଲି) by Soubhabati Giri

ପାପ ଗଣ୍ଠିଲି

ସେଦିନ ଥାଏ ରବିବାର । ସକାଳୁ ଆରମ୍ଭ ହେଇଯାଇଥାଏ ମୂଷଳ ଧାରାରେ ବର୍ଷା । ମୁହଁକୁ ମୁହଁ ଦିଶୁ ନଥାଏ । ବାହାର ଘରେ ଅପେକ୍ଷା କରିଥା’ନ୍ତି ସନ୍ତୋଷ ବାବୁ । ଗୋଟେ ବଡ଼ ଗଣ୍ଠିଲି ଧରି ପାଖରେ ବସିଥା’ନ୍ତି ଜଣେ ବୃଦ୍ଧା । ମନର ଯନ୍ତ୍ରଣାକୁ ଲୁହର କୋହରେ ବତୁରାଇ ସେମିତି ବାହାରକୁ ଚାହିଁ ରହିଥା’ନ୍ତି । ବର୍ଷା ଛାଡ଼ିବାର ନାଁ ନେଉ ନଥାଏ । ସେଇ ମୂଷଳ ଧାରାର ବର୍ଷା ଭିତରେ ବି ଆଖିର ପରିଧି ଭିତରକୁ ଚାଲି ଆସିଲା ପକ୍ଷୀଦମ୍ପତ୍ତି ସେମାନଙ୍କ ଶାବକମାନଙ୍କର ଚଞ୍ଚୁରେ ଚଞ୍ଚୁ ଥୋଇ ଆହାର ଦେବାର ଦୃଶ୍ୟ । ବୃଦ୍ଧାଙ୍କ ଛାତିତଳର ଜମାଟବନ୍ଧା କୋହକୁ ହୁଗୁଳେଇ ଦେଇଥିଲା ଏ ଦୃଶ୍ୟ । ସତରେ ଏଇ ମୁଷଳ ବର୍ଷାରେ ବି କେତେ କଷ୍ଟ କରୁଛନ୍ତି ପକ୍ଷୀଦମ୍ପତ୍ତି । ହେଲେ ଶାବକମାନେ ଟିକେ ଉଡ଼ା ଶିଖିଗଲେ ଉଡ଼ିଯାଇ ନୂଆ ନୀଡ଼ ବାନ୍ଧିନେବେ । ଭୁଲିଯିବେ ବାପାମା’ଙ୍କୁ । ଏଇମିତି କେତେ କ’ଣ ଭାବୁଭାବୁ ନୀରବରେ କେଇଧାର ଲୁହ ବହିଗଲା ଆଖିରୁ । ଜୀବନ ଦୋଛକିରେ ସମ୍ପର୍କ ଆଉ ସ୍ୱାର୍ଥପରତାକୁ ତୁଳନା କରୁକରୁ ଆଖି ଆଗରେ ଝାପସା ଦିଶି ଯାଉଥିଲା କିଛି ସ୍ମୃତି ।

ବୃଦ୍ଧା ଜଣଙ୍କ ସେତେବେଳେ ନୂଆ କରି ବାହା ହେଇ ଆସିଥା’ନ୍ତି । ସିଧା ଠିଆ ହେଲେ ଚାଳରେ ମୁଣ୍ଡ ବାଜିବା ଭଳି ଘରୁ ଆସି ପହଞ୍ଚିଚନ୍ତି ବେଶ୍ ବଡ଼ଲୋକ ଘରେ । ବାହାଘର ପୂର୍ବରୁ ଶ୍ୱଶୁର କହିଥିଲେ, “ମାଆରେ ଆମର ଟଙ୍କାପଇସା କିଛି ଦରକାର ନାହିଁ । ହେଲେ ଦୁର୍ଘଟଣାରେ ତୋ’ ଶାଶୁଙ୍କର ଗୋଟେ ଗୋଡ଼ କଟିଯାଇଛି । ସେଇ ଦିନରୁ ଆଜିଯାଏଁ ଆମେ ବାପପୁଅ ଦି’ଜଣ ଧନ୍ଦି ହେଇଗଲୁଣି । ହେଲେ ତୋ’ ଶାଶୁଙ୍କ ଯତ୍ନ ନେବାରେ କେବେ ଅବହେଳା କରିନୁ । ସେତିକି କଥା ତୁ ବୁଝିବୁ ।”

ବେଶ୍ ବଡ଼ ଜୋର୍‌ରେ ହଁ ମାରିଥିଲେ ସେ ସେଦିନ । ତା’ର ଠିକ୍ ବର୍ଷେ ପରେ ହୃଦଘାତରେ ଶ୍ୱଶୁର ଚାଲିଗଲେ । ସେଇଦିନଠାରୁ ସେ ବଦଳିଗଲେ । ସ୍ୱାମୀଙ୍କ ସହିତ ବେଶ୍ କିଛି ଦିନର କଳିଝଗଡ଼ା, ଫିଙ୍ଗାଫୋପଡ଼ା, ରାଗରୁଷା ଏମିତି ସବୁ କରି ଲାଗିପାତି ଶାରୀରିକ ଅକ୍ଷମ ଶାଶୁଙ୍କୁ ବୃଦ୍ଧାଶ୍ରମ ପଠେଇ ଦେଇଥିଲେ ସେ । ବୋଧହୁଏ ବଡ଼ ଲୋକମାନେ ଠିକ୍ କହି ଯାଇଛନ୍ତି । “ଏ ହାତର ପାପ ସେ ହାତ ନିଏନି ।” ପରଜନ୍ମ କଥା କ’ଣ କହିବ ଏଇ ଜନ୍ମରେ ତ ନିସ୍ତାର ମିଳିଲାନି ।

ହଠାତ୍ କାହାର ବଡ଼ ପାଟିରେ ତାଙ୍କ ଧ୍ୟାନ ଭଗ୍ନ ହେଲା । ବୋହୂ ବଡ଼ ପାଟିରେ ଚିଲେଇ ଚିଲେଇ କହୁଥିଲା, “ଦେଖ ସନ୍ତୋଷ, ବହୁତ ଥର ଏମିତି ବାହାରିକି କିଛି ନା କିଛି ବାହାନା ଦେଖେଇ ରହି ଯାଉଛ । ଆଜି ଯଦି ତମ ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିକି ନ ଆସ ତା’ହାଲେ ମୋ ମଲାମୁହଁ ଦେଖିବ ।”

ବୋହୂର ସେ ଉଗ୍ର ରୂପକୁ ବିକଳ ହେଇ ଚାହିଁ ରହିଥିଲେ ବୃଦ୍ଧାଜଣଙ୍କ । ତା’ ବିସ୍ଫୋରିତ ଚକ୍ଷୁର ସେ ଅବଜ୍ଞା ଭାବ ତାଙ୍କୁ ଆହୁରି କଷ୍ଟ ଦେଉଥିଲା । ମେଘ ଛାଡ଼ିବାର ନାଁ ନେଉ ନଥିଲେ ମଧ୍ୟ ବସିବା ଜାଗାରୁ ଉଠିପଡ଼ି ଗଣ୍ଠିଲିଟି କାନ୍ଧରେ ପକେଇବାକୁ ଚେଷ୍ଟା କରୁଥିଲେ ବୃଦ୍ଧାଜଣଙ୍କ ।

– ସୁଶ୍ରୀ ସୌଭାଗ୍ୟବତୀ ଗିରି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌଭାଗ୍ୟବତୀ ଗିରି ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।