You are currently viewing ପ୍ରେମର ପରିଭାଷା
Odia Poem Premara Paribhasa (ପ୍ରେମର ପରିଭାଷା) by Dibyashree Biswabandya Jena

ପ୍ରେମର ପରିଭାଷା

ଏଇ ଯେ ତୁମେ କୁହ
ପ୍ରେମ ପ୍ରେମ ବୋଲି
କହି କି ପାରିବ?
କେମିତି ଦ୍ରବ୍ୟ ସେ ପ୍ରେମ
ସେ କ’ଣ ବାଣିଜ୍ୟ ଉଦ୍ଦିଷ୍ଟ ପଣ୍ୟ
ନା ସମ୍ପର୍କର ହାଟରେ
ମୂଲ୍ୟହୀନ ଅବା ଦୁର୍ମୂଲ୍ୟ !

ଏଇ ଯେ ତୁମେ କୁହ
ପ୍ରେମ ପ୍ରେମ ବୋଲି
ବୁଝାଇ କି ପାରିବ?
ଭାବ ସେ ପ୍ରେମର
ସେ କ’ଣ ଶାଶ୍ଵତ ଚିରନ୍ତନ
ନା କ୍ଷଣିକର ଆକର୍ଷଣ
ଅବା ଭ୍ରାନ୍ତ ମନର ଏକ ଭ୍ରମ !

ଏଇ ଯେ ତୁମେ କୁହ
ପ୍ରେମ ପ୍ରେମ ବୋଲି
ବତେଇ କି ପାରିବ?
ସଂଜ୍ଞା ସେ ପ୍ରେମର
ସେ କ’ଣ ପ୍ରତିଛବି ଏକ ଚିହ୍ନା ମୁହଁର
ନା ପରିକଳ୍ପନା କୌଣସି ଅଚିହ୍ନା ଚେହେରାର
ଅବା ସଂଜ୍ଞା ବିହୀନ, ପରିଚୟହୀନ
କେବଳ ଏକ ଶରୀର !!

ଏଇ ଯେ ତୁମେ କୁହ
ପ୍ରେମ ପ୍ରେମ ବୋଲି
ବର୍ଣ୍ଣିକି ପାରିବ?
ତାକୁ ଭାଷାରେ ବର୍ଣ୍ଣନା
ସେ କ’ଣ କବିର କବିତା
ନା କଥାକାରର ରୂପକଥା
ଅବା ଭାଷାହୀନ, ଅବର୍ଣ୍ଣନୀୟ
ସୁନ୍ଦର ଏକ କଳ୍ପନା !!

ଏଇ ଯେ ତୁମେ କୁହ
ପ୍ରେମ ପ୍ରେମ ବୋଲି
କରି କି ପାରିବ?
ତା’ର ରୂପର ଚିତ୍ରଣ
ସେ କ’ଣ ରୂପ ରାଇଜର ପରୀ
ନା ମାନବୀ ରୂପଧାରୀ ଅପ୍ସରୀ
ଅବା ରଙ୍ଗରୂପହୀନ, ବର୍ଣ୍ଣହୀନ
ପରିକଳ୍ପିତ ମନୋହାରୀ !

ଏଇ ଯେ ତୁମେ କୁହ
ପ୍ରେମ ପ୍ରେମ ବୋଲି…

– ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।