ଭକତକୁ ଛାଡ଼ି ରହି ନ ପାରନ୍ତି
ଭକତ ବତ୍ସଳ ହରି,
ସଲିଳ ବିହୁନେ ମୀନ ହୁଏ ଯେହ୍ନେ
ପ୍ରଭୁଙ୍କ ଦଶା ସେପରି ।୧।
କାୟା ବିନା ଛାୟା ରହି ନ ପାରଇ
ଯେସନେ କ୍ଷଣକ ପାଇଁ,
ଭକତ ବିରହେ ଅଧୀର ହୁଅନ୍ତି
ତେସନେ ଜଗତ ସାଇଁ ।୨।
ମୁହୂର୍ତ୍ତକ ଲାଗି ହୁଏ ତ ଭକତ
ଭାବରେ ହେଲେ ଅନ୍ତର,
ଦୀନ ବନ୍ଧୁ କେବେ ସହି ନ ପାରନ୍ତି
ବିଚ୍ଛେଦ ତିଳେ ମାତର ।୩।
ଏକଇ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି
ଭକ୍ତ ଭଗବାନ ବେନି,
ଛାଇ ପରି ପାଖେ ପାଖେ ଥାନ୍ତି ରହି
ଭକତର ଭାବ ଘେନି ।୪।
ଭକତ ଯେଣୁ କି ଦୟାମୟଙ୍କର
ଅଟଇ ହୃଦ ସମ୍ପତ୍ତି,
କ୍ଷୀର ନୀର ପରି ନିବିଡ଼ ସମ୍ପର୍କ
ଯେହ୍ନେ ନବୀନ ଦମ୍ପତି ।୫।
ବାଲ୍ୟ କାଳେ ଧୂଳି ଖେଳରେ ଯେମିତି
ବାଳକ ବଳାଏ ମନ,
ମର୍ତ୍ତ୍ୟ ପୁରେ ଭକ୍ତ ସାଥେ ଖେଳିବାକୁ
ଆକୁଳ ମନ ମୋହନ ।୬।
ଇଚ୍ଛା ମୟ ଇଚ୍ଛା ମତେ ରୂପ ଧରି
ଧରିତ୍ରୀରେ ଅବତରି,
ରଚନା କରନ୍ତି କେତେ ଲୀଳା ମାନ
ଭକତ ସଙ୍ଗେ ବିହରି ।୭।
ପ୍ରଭୁ ଭାବଗ୍ରାହୀ ବଇକୁଣ୍ଠ ତେଜି
ଆପେ ସହି ଅପମାନ,
ସଦା ଅନୁଗତ ଆଶ୍ରିତମାନଙ୍କୁ
ଦେଇ ଥା’ନ୍ତି ସନମାନ ।୮।
ଶରଣ ରକ୍ଷଣ ବାନା ବହିଛନ୍ତି
ଅନାଥ ଜନର ବନ୍ଧୁ,
ପତିତ ପାବନ ଶ୍ରୀ ଯଦୁନନ୍ଦନ
କରୁଣାର କୋଟି ସିନ୍ଧୁ ।୯।
ତାଙ୍କରି ମହିମା କେ କଳି ପାରିବ
ଚଉଦ ଭୁବନ ମଧ୍ୟେ,
ଧନ୍ୟ ଧନ୍ୟ ସେହି ଅନ୍ତର୍ଯ୍ୟାମୀ ମହୀ
ମଣ୍ଡଳେ ହୁଅନ୍ତି ଉଦେ ।୧୦।
– ଗୁପ୍ତେଶ୍ୱର ଚାନ୍ଦ୍