You are currently viewing ଦୁର୍ଗା
ଦୁର୍ଗା

ଦୁର୍ଗା

ଷ୍ଟେସନ ରାସ୍ତାରେ ତା’ର ବାର ବର୍ଷର ଝିଅକୁ ଧରି ଖାଲି ହାତ ବଢ଼ାଇ ଯିବା ଆସିବା କରୁଥିବା ଲୋକଙ୍କୁ ଭିକ ମାଗୁଥିଲା ଦୁର୍ଗା । କେହି କେହି ସହୃଦୟ ବ୍ୟକ୍ତିମାନେ ଦୟାକରି ଟଙ୍କା ବଢ଼ାଇ ଦେଉଥିବାବେଳେ କେହି କେହି ତାକୁ ଦୂର୍ ଦୂର୍ ମାର୍ ମାର୍ କରୁଥାନ୍ତି । ଯେଉଁମାନେ କିଛି ଦେଉନଥିଲେ କି ତାକୁ ଦୂରେଇ ଯା କହୁନଥିଲେ, ସେମାନେ କାହିଁକି ତା’ର ଛୋଟ ଝିଅକୁ ଭିନ୍ନ ଏକ ଦୃଷ୍ଟିରେ ଚାହିଁ ଚାଲିଯାଉଥିଲେ ସେ ବିଷୟରେ ସେ ଥିଲା ଅଜ୍ଞାତ ।

ନିତିଦିନ ଏମିତି ତା’ର ଝିଅକୁ ଚାହୁଁଥିବା ଲୋକଙ୍କ ଉପରେ ଦୁର୍ଗାର ଘୃଣା ଭାବ ଆସିଯାଇଥିଲା । ଚାହିଁ କରି ମଧ୍ୟ ଅନ୍ୟ ଏକ ସ୍ଥାନକୁ ଯାଇପରୁନଥିଲା କି ସେଇ ଲୋକମାନଙ୍କ ଅଢ଼ୁଆଳରୁ ତା’ର ଝିଅକୁ ଲୁଚାଇ ରଖି ପାରୁନଥିଲା ।

କିଏ ଜଣେ ବାବୁ ଆସିଥିଲେ । ତା’ର ଝିଅକୁ ଦେଖି ନିଜର ଝିଅ କରି ରଖିବା ପାଇଁ ଦୁର୍ଗାକୁ ଅନୁମତି ମାଗିଲେ । ଦୁର୍ଗା ଭାବୁଥିଲା, “ରଖନ୍ତୁ, ଝିଅଟା ମୋର ଭଲ ଖାଇବ, ଭଲ ପିନ୍ଧିବ ଓ ପାଠ ପଢ଼ି ଭଲ ମଣିଷ ହେବ । ପଇସା ଦେଉଥିବା ବାବୁଙ୍କୁ ମନା କରି ତାଙ୍କ ହାତକୁ ନିଜ ଝିଅକୁ ଟେକି ଦେଇଥିଲା ଦୁର୍ଗା ଏବଂ ବାବୁ ଜଣକ ତା’ର ଝିଅକୁ ନେଇଯାଇଥିଲେ ଦୁର୍ଗାଠାରୁ ଦୂରକୁ, ବହୁ ଦୂରକୁ !

ସେଦିନ ଥିଲା ଦଶହରା । ଦେବୀ ଦୁର୍ଗା ପାପିମାନଙ୍କ ବିନାଶ ପାଇଁ ମର୍ତ୍ତ୍ୟକୁ ଓହ୍ଲାଇ ଆସିଥିଲେ । ଚାରିଆଡ଼େ ଦୁର୍ଗାଙ୍କ ଆଗମନ ପାଇଁ ଥିଲା ଖୁସିର ମାହୋଲ୍ ! ଏ ଆନନ୍ଦର ଦିନରେ ଦୁର୍ଗାର ମାଆ ମନ ତା’ର ଝିଅକୁ ଦେଖିବା ପାଇଁ କୁରୁଳି ଉଠିଲା । ଭିକ ମାଗି ରଖିଥିବା ପଇସାରେ କିଛି ମିଠେଇ କିଣି ଆଣି ସେ ବାବୁ ଘର ଠିକଣା ପଚାରି ପଚାରି ଚାଲିଲା ।

ତା’ ଦେହରେ ଦେବୀ ଦୁର୍ଗାଙ୍କ ଶକ୍ତି ଆସିଗଲା, ଯେତେବେଳେ ସେ ଦେଖିଲା ସେହି ବାବୁ ଜଣକ ତା’ ସାମ୍ନାରେ ଟଙ୍କା ପନ୍ଦର ହଜାର ପାଇଁ ତା’ର ବାରବର୍ଷର ଝିଅକୁ ଏକ ମଦ୍ୟପ ବୟସ୍କ ଲୋକ ସହ ବାହା କରିଦେଉଥିଲା । ତା’ର ଝିଅ ହାତଯୋଡ଼ି ଅନେକ ଅନୁରୋଧ କରିଥିଲା, କାନ୍ଦି କାନ୍ଦି ନୟାନ୍ତ ହୋଇଯାଇ ପଡ଼ିଥିଲା, ଯାହାକୁ ବାବୁ ଜଣକ ଅଣଦେଖା କରି ଖୁସିରେ ଟଙ୍କାଗୁଡ଼ିକୁ ଗଣୁଥିଲା । ମଦ୍ୟପ ଲୋକଟି ତା’ର ଝିଅକୁ ଘୋଷାଡ଼ି ନେଇ ଚାଲି ଯାଉଥିଲା ।

ଯେତେବେଳେ ଦୁର୍ଗା ପାଖରେ ପଡ଼ିଥିବା କଟୁରୀ ଦ୍ଵାରା ମହିଷାସୁରରୂପୀ ବାବୁକୁ ମାରି ସାରିବା ପରେ, ସେଇ ମଦ୍ୟପ ଲୋକକୁ ମାରିଦେଲା । ଦେଖଣାହାରୀଙ୍କ ହାତ ତା’ ପାଇଁ ଆପେ ଆପେ ଯୋଡ଼ି ହୋଇ ଆସୁଥିଲା ।

କୋମଳ କଣ୍ଠରେ ତାର ଝିଅର ହାତ ଧରି ଚାଲି ଯାଉ ଯାଉ କହିଲା, “ତୋ’ର ଭବିଷ୍ୟତ ପାଇଁ ଏହା ମୋର ଏକ ଭୁଲ୍ ଥିଲା । କିନ୍ତୁ, ଷ୍ଟେସନ ରାସ୍ତାରେ ତୋ’ ସହ ମିଶି ଭିକ ମାଗିବା ମୋ ପାଇଁ ସବୁଠାରୁ ସୁଖଦ ମୁହୂର୍ତ୍ତ ଥିଲା….!”

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶ୍ରୀମାନି ପ୍ରିୟଦର୍ଶିନୀ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।