You are currently viewing ✍ ସପ୍ତଦଶ ସମ୍ପାଦକୀୟ
Editorial Page of Shubhapallaba 17th Edition

✍ ସପ୍ତଦଶ ସମ୍ପାଦକୀୟ

କ’ଣ ଏହି ସ୍ୱାଧୀନତା? ସତ୍ୟ ଯୁଗରେ ଦୈତ୍ୟ ଭାଇଙ୍କଠାରୁ ଦେବତାମାନଙ୍କୁ ଉଦ୍ଧାର କରି ଅଭୟ ପ୍ରଦାନ କରିବା କ’ଣ ସ୍ୱାଧୀନତା? ତ୍ରେତୟା ତଥା ଦ୍ୱାପର ଯୁଗରେ ରାବଣ ଆଉ କଂସର ଅତ୍ୟାଚାରରୁ ଏ ମାନବ ଜାତିକୁ ଉଦ୍ଧାର କରି ଧର୍ମ ଓ ଶାନ୍ତି ପ୍ରତିଷ୍ଠା କରିବା ବି କ’ଣ ଥିଲା ସ୍ୱାଧୀନତା? ଶହ ଶହ ବର୍ଷଧରି ଆଫଗାନ, ମଙ୍ଗୋଲିଆନ ଆଉ ମୋଗଲମାନଙ୍କ ଶାସନରୁ ମୁକ୍ତି ହେବା ଥିଲା ସ୍ୱାଧୀନତା ନା ପ୍ରଥମଥର ପାଇଁ ପ୍ରାନ୍ତୀୟ ଭେଦାଭେଦଠାରୁ ଉପରକୁ ଉଠି ଏକତ୍ରିତ ହୋଇ ଇଂରେଜମାନଙ୍କଠାରୁ ନିଜ ହାତକୁ ଶାସନ ନେଇ ଲୋକତନ୍ତ୍ର ପ୍ରତିଷ୍ଠା କରିବା ଥିଲା ସ୍ୱାଧୀନତା !? କ’ଣ ଏଇ ସ୍ୱାଧୀନତା?? ମୁକ୍ତ ଅଭିବ୍ୟକ୍ତିର ଅଧିକାର ସାବ୍ୟସ୍ତ କରିବାକୁ ସମ୍ବିଧାନର ଦ୍ୱାହିଦେଇ ଦେଶ ବିରୋଧୀ ବକ୍ତବ୍ୟ ଦେବା କ’ଣ ସ୍ୱାଧୀନତା? ଧାର୍ମିକ ଭାବନାକୁ ଆଘାତ ଦେଇ ହଜାର ହଜାର ବର୍ଷର ପରମ୍ପରା ଭାଙ୍ଗିବା କ’ଣ ସ୍ୱାଧୀନତା? ନା ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟରେ “ଛିନ୍ କେ ଲେଙ୍ଗେ ଆଜାଦି….”ର ନାରା ଦେବା ସ୍ୱାଧୀନତା? ବାସ୍ତବରେ କ’ଣ ଏହି ସ୍ୱାଧୀନତା?? ଜଣେ ବନ୍ଦୀ ନ ହେବାଯାଏଁ ମୁକ୍ତିର ଆନନ୍ଦ ବୁଝି ପାରେନା । ସେମିତି ପରାଧୀନ ନ ହେବାଯାଏ ସ୍ୱାଧୀନତାର ଅର୍ଥ ବୁଝିହୁଏନା । ପର୍ଯ୍ୟାୟକ୍ରମେ ଆମ ପୂର୍ବ ପିଢ଼ି ବା ଆମେ ଉପରୋକ୍ତ ସମସ୍ତ ପରାଧୀନତାରୁ ସ୍ୱାଧୀନ ହୋଇଛେ; ମାତ୍ର ସତରେ କ’ଣ ଆମେ ସ୍ୱାଧୀନ? ଶେଷ ସ୍ୱାଧୀନତାର ୭୪ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଆମେ କ’ଣ ସ୍ୱାଧୀନତାକୁ ପୂର୍ଣ୍ଣତଃ ହାସଲ କରିପାରିଛେ !? ନା ଉତ୍ତରାଧିକାର ସୂତ୍ରରେ ପାଇଥିବା ସ୍ୱାଧୀନତାର ବାସ୍ତବତାକୁ କ’ଣ ଆମେ ଉପଲବ୍ଧି କରିପାରିଛେ? ଆଜି ବି ଦେଶର ଅନେକ ପ୍ରାନ୍ତରେ କେବେ ଭୋକର କ୍ରୁର ଅତ୍ୟାଚାରରେ ଆତ୍ମହତ୍ୟା କରେ ସାଧାରଣ ନାଗରିକ ତ କେବେ ବାସଗୃହ ଅଭାବରେ ଖୋଲା ଆକାଶରେ ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜେ । ଧନୀ ଆଉ ଗରୀବର ସଂଜ୍ଞା ଆଜିକାଲି ଦାଉ ଦାଉ ହୋଇ ସ୍ପଷ୍ଟ ଦିଶେ କରୁଣ ଆଖିର ଚାହାଣୀରେ ତ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ଅଧିକାର ଦୃସ୍ପାପ୍ୟ ମନେହୁଏ ଅନେକ ଅଞ୍ଚଳରେ । ଏଇ କ’ଣ ତେବେ ବାସ୍ତବ ସ୍ୱାଧୀନତା !? ତେବେ କେବେ ମିଳିବ ଆମକୁ ବାସ୍ତବ ସ୍ୱାଧୀନତା?? ସ୍ୱାଧୀନତା, ଭୋକର କରାଳ କାରୁଣ୍ୟରୁ; ଅଶିକ୍ଷାର ଘନ ଅନ୍ଧକାରରୁ; ଅସ୍ୱାସ୍ଥ୍ୟକର ପରିବେଶରୁ; ଆକାଶର ଖୋଲା ଛାତରୁ??? ରବିନ୍ଦ୍ରନାଥ ଟାଗୋରଙ୍କର “where the mind is without fear and the head is held high…..” ଅପ୍ରାସଙ୍ଗିକ ଲାଗେ; ଅବାସ୍ତବ ଲାଗେ; ଦୁରୁହ ଲାଗେ । ତେବେ କେବେ ମିଳିବ ଆମକୁ ଆମର ବାସ୍ତବ ସ୍ୱାଧୀନତା????

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।