You are currently viewing ‘ପୁଚୁକି ଗାଲି’ ଫେମ୍ ଶୈଳେନ୍ଦ୍ରଙ୍କ ସହ କିଛି ଖରାବେଳିଆ ଗପସପ
'ପୁଚୁକି ଗାଲି' ଫେମ୍ ଶୈଳେନ୍ଦ୍ରଙ୍କ ସହ କିଛି ଖରାବେଳିଆ ଗପସପ

‘ପୁଚୁକି ଗାଲି’ ଫେମ୍ ଶୈଳେନ୍ଦ୍ରଙ୍କ ସହ କିଛି ଖରାବେଳିଆ ଗପସପ

ଶୈଳେନ୍ଦ୍ର ସାମନ୍ତରାୟ ଆଜିର ଯୁବପିଢ଼ିର ପାଖରେ ଏକ ଲୋକପ୍ରିୟ ନାମ । ନ’ ବର୍ଷ ବୟସରେ ପ୍ରଥମେ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ପ୍ରୋଗ୍ରାମରେ ପ୍ରତିଦ୍ୱନ୍ଦିତା କରିଥିଲେ । ବଡ଼ ହେଲା ପରେ ୱେବ ସିରିଜ “ସାହେବ ବିବି ଆଉ ସାଲା”ରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ । ଆଉ ଏବେ ତାଙ୍କ ଅଭିନୀତ ମ୍ୟୁଜିକ ଭିଡ଼ିଓ କଲେଜ ଡେ, ତୋ ଘର ବାଟ ଦେଇ ଆଉ ପୁଚୁଲି ଗାଲି ବର୍ତ୍ତମାନ ସମସ୍ତଙ୍କ ନାହିଁ ନଥିବା ପ୍ରଶଂସା ଗୋଟୋଉଚି । ଓଡ଼ିଆ କଥାଚିତ୍ରର ଆଗାମୀ ଉଦୟମାନ ତାରକା ହିସାବରେ ଗଣା ହେଉଥିବା ଶୈଳେନ୍ଦ୍ର ସାମନ୍ତରାୟଙ୍କର ଶୁଭପଲ୍ଲବ ତରଫରୁ ସାକ୍ଷାତକାର ନେଇଛନ୍ତି ଲେଖିକା ସୁଲଗ୍ନା ମହାନ୍ତି । ଶୁଭପଲ୍ଲବ ତରଫରୁ ଶୈଳେନ୍ଦ୍ରଙ୍କୁ ଆମେ ଏଇ ସାକ୍ଷାତକାରକୁ ସ୍ୱାଗତ କରୁଛୁ ।

ପ୍ରଶ୍ନ: ରିଆଲିଟି ଶୋରୁ ୱେବ ସିରିଜ ଆଉ ୱେବ ସିରିଜରୁ ଲୋକପ୍ରିୟ ମ୍ୟୁଜିକ ଭିଡ଼ିଓ । ଓଡ଼ିଆ ନୂଆପିଢ଼ିଙ୍କ ଆଦର୍ଶ ହିସାବରେ ଗଣା ହେଉଛନ୍ତି ଏବେ ଆପଣ । ଆପଣଙ୍କ ଏଇ ଯାତ୍ରା ବିଷୟରେ କ’ଣ କହିବେ?

ଉତ୍ତର: ଏ ପର୍ଯ୍ୟନ୍ତ ଯାହା ବି ଚାଲିଛି ମତେ ଏ ସବୁ ସ୍ୱପ୍ନ ଭଳି ଲାଗୁଚି । ଲାଗୁଚି ଯେମିତି ଏଇଟା ଗୋଟେ ରୋଲର କୋଷ୍ଟର ରାଇଡ଼ । କେବେ ବି ଭାବିନଥିଲି ମୋର ଏଇ ଛୋଟିଆ ଯାତ୍ରାଟି ଏତେ ସୁନ୍ଦର ରହିବ ବୋଲି ।

ପ୍ରଶ୍ନ: ଏଇ ଯାତ୍ରାରେ ଆପଣଙ୍କୁ କିଏ କିଏ ସମର୍ଥନ ଦେଇ ଆସିଛନ୍ତି?

ଉ: ମୋ ବାପା, ମା’ ଆଉ ମୋ ବଡ଼ ଭାଇ ମତେ ସବୁ କ୍ଷେତ୍ରରେ ସମର୍ଥନ ଦେଇ ଆସିଛନ୍ତି । ସେମାନେ ସବୁବେଳେ ଛାଇ ଭଳି ଭଳି ମୋ ସହ ଠିଆ ହେଇଛନ୍ତି । ମୋ ସାଙ୍ଗମାନେ ବି ମତେ ପ୍ରତି ପାଦରେ ସାହାଯ୍ୟ କରି ଆସିଛନ୍ତି ।

ପ୍ରଶ୍ନ: ଆଜି ପ୍ରତିଟି ଓଡ଼ିଆ ଘରେ ବାପାମା’ମାନେ ପୁଅ ଡାକ୍ତର କି ଇଞ୍ଜିନିଅରଟିଏ ହଉ ବୋଲି ଚାହାନ୍ତି । ଏମିତି ଏକ ସମୟରେ ମନୋରଞ୍ଜନ କ୍ଷେତ୍ରରେ କାମ କରିବେ ବୋଲି ଆପଣ ନିଜ ବାପାମା’ଙ୍କୁ କେମିତି ରାଜି କରେଇଥିଲେ?

ଉ: ସତ କହିବାକୁ ଗଲେ ମତେ କେବେ ମୋ ପରିବାର ଲୋକଙ୍କୁ ବୁଝେଇବାକୁ ପଡ଼ିନାହିଁ । ମୋ ପରିବାର ନିଜ ଇଚ୍ଛାକୁ କେବେ ମୋ ଉପରେ ଲଦିଦେଇ ନାହାନ୍ତି । ସବୁବେଳେ ମୋର ନୃତ୍ୟ ଓ ଅଭିନୟ କରିବାର ସିଦ୍ଧାନ୍ତକୁ ସମର୍ଥନ ଦେଇଛନ୍ତି ସେମାନେ । ଆଉ ମୁଁ କରୁଥିବା ପ୍ରତିଟି କାମରେ ସେମାନେ ଭରସା ରଖି ଆସିଛନ୍ତି ।

Sailendra Samantray with Natika Comedy

ପ୍ରଶ୍ନ: ଆଜିର ଶିକ୍ଷିତ ଯୁବପିଢ଼ି ଓଡ଼ିଆ ଦେଖିବାକୁ, ଶୁଣିବାକୁ କି ପଢ଼ିବାକୁ ଭଲ ପାଉନାହାନ୍ତି । ହେଲେ ଆପଣଙ୍କ ମ୍ୟୁଜିକ ଭିଡ଼ିଓଗୁଡ଼ିକ ତାଙ୍କୁ ପୁଣି ଓଡ଼ିଆ ସଂଗୀତମୁହାଁ କରିଛି । ଏହା ଉପରେ ଆପଣ କ’ଣ କହିବେ?

ଉ: ଲୋକଙ୍କ ମୋ ପ୍ରତି ଏତେ ଭଲ ପାଇବା ଦେଖି ମୁଁ ସତରେ ଅଭିଭୂତ । ମୁଁ କେବେ ଭାବିନଥିଲି ଲୋକଙ୍କ ଉପରେ ଏଇ ଗୀତଗୁଡ଼ିକର ଏତେ ମାତ୍ରାରେ ପ୍ରଭାବ ପଡ଼ିବ । ଆଉ ଯଦି ମୋ କାମ ଦ୍ୱାରା ଓଡ଼ିଆ ଭାଷା ପାଇଁ ମୁଁ ଟିକିଏ ବି ସାହାଯ୍ୟ କରିପାରିଛି ତା’ହେଲେ ସେଇଥିପାଇଁ ମୁଁ ବହୁତ ଖୁସି ।

ପ୍ରଶ୍ନ: ସୋସିଆଲ ମିଡ଼ିଆରେ ଆପଣ ଏବେ ବହୁତ ଲୋକପ୍ରିୟ । ଟିକ୍‌ଟକ୍‌ରେ ଆପଣଙ୍କ ଗୀତ ଉପରେ ଓଡ଼ିଆ ଯୁବପିଢ଼ି ସବୁଠୁ ଅଧିକ ଭିଡ଼ିଓ କରୁଛନ୍ତି । ଏଇ ଲୋକପ୍ରିୟତାକୁ ଆପଣଙ୍କର ପ୍ରତିକ୍ରିୟା କ’ଣ?

ଉ: ସୋସିଆଲ ମିଡ଼ିଆରେ ମୁଁ କେତେ ଲୋକପ୍ରିୟ ମୁଁ ସେଇଟା ତ ମୁଁ କହି ପାରିବିନି । ହେଲେ ଏଇଟା ସତ ଯେ ସବୁଦିନ ମୁଁ ଦର୍ଶକମାନଙ୍କ ପାଖରୁ ଅନେକ ମେସେଜ ପାଉଛି । ଆଉ ମୁଁ ଚେଷ୍ଟା କରୁଛି ଯେ ଯେତେ ଦୂର ସମ୍ଭବ ଦର୍ଶକମାନଙ୍କ ପାଖରୁ ଆସୁଥିବା ପ୍ରତିଟି ମେସେଜର ଉତ୍ତର ଦେବି । କୌଣସି ମେସେଜ ଯେମିତି ଅଣଦେଖା ନ ହୁଏ ।

ପ୍ରଶ୍ନ: ଆଜି ପର୍ଯ୍ୟନ୍ତ ପାଇଥିବା ସବୁଠୁ ମିଠା ପ୍ରଶଂସା କ’ଣ?

ଉ: ଯେତେବେଳେ ଲୋକେ ମତେ କୁହନ୍ତି ଯେ ତୁମକୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ନିହାତି ସୁଯୋଗ ମିଳିବା ଦରକାର ସେତେବେଳେ ମତେ ସତରେ ବହୁତ ଖୁସି ଲାଗେ ।

ପ୍ରଶ୍ନ: ଆପଣ ଏବେ କେଉଁଠି ପାଠ ପଢ଼ୁଛନ୍ତି? ଆପଣଙ୍କ ପାଇଁ ଶିକ୍ଷାର ମହତ୍ତ୍ୱ କେତେ?

ଉ: ମୁଁ ଏବେ ମଧୁସୂଦନ ଲ କଲେଜରେ ମୋର ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ଼ ଲ (law) ପାଠ ଜାରି ରଖିଛି । ମୋ ଜୀବନରେ ଶିକ୍ଷାର ସ୍ଥାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ମୁଁ ଭାବେ ଶିକ୍ଷାର ସାହାଯ୍ୟ ନେଇ ଜଣେ ମଣିଷ ନିଜ ଜୀବନରେ ଯେଉଁଠି ଚାହିଁବ ସେଇଠି ପହଞ୍ଚି ପାରିବ । ମୋ ଘରେ ମୋ ପରିବାରବର୍ଗ ମଧ୍ୟ ଶିକ୍ଷାକୁ ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି ।

ପ୍ରଶ୍ନ: ଆପଣ ବହି ପଢ଼ିବାକୁ ଭଲ ପାଆନ୍ତି? ଆପଣ ପଢ଼ିଥିବା କେଉଁ ବହି ଆପଣଙ୍କୁ ପ୍ରଭାବିତ କରିଛି?

ଉ: ହଁ । ମତେ ପଢ଼ିବାକୁ ଭଲ ଲାଗେ । ପଢ଼ିଥିବା ବହି ଭିତରେ ‘ଦ ସେକ୍ରେଟ’ (The Secret) ବହି ମୋର ସବୁଠାରୁ ପ୍ରିୟ । ଏଇ ବହି ମତେ ମୋ ବେଷ୍ଟ ଫ୍ରେଣ୍ଡ ପଢ଼ିବାପାଇଁ କହିଥିଲା ଆଉ ମୁଁ ଭାବୁଛି ମୋ ଜୀବନ ପରିବର୍ତ୍ତନ କରିବାରେ ଏଇ ବହିର ଅବଦାନ ଅନେକ ବେଶୀ ।

ପ୍ରଶ୍ନ: କେଉଁ ଅଭିନେତା ଅଭିନେତ୍ରୀଙ୍କୁ ଆପଣ ପସନ୍ଦ କରନ୍ତି?

ଉ: ହିନ୍ଦୀ ସିନେମା ଅଭିନେତା ଶାହରୁଖ ଖାନଙ୍କର ମୁଁ ଜଣେ ଉପାସକ କହିଲେ ଭୁଲ ହବନି । ନିଜ କାମ ପ୍ରତି ତାଙ୍କର ନିଷ୍ଠା ଓ ଆନ୍ତରିକତା ଦେଖି ମୁଁ ବହୁତ ଅନୁପ୍ରାଣିତ । ଅଭିନେତ୍ରୀ ମାନଙ୍କ ଭିତରେ ଦକ୍ଷିଣ ଭାରତୀୟ ନାୟିକା ତଥା ନୃତ୍ୟଶିଳ୍ପୀ ସାଇ ପଲ୍ଲବୀଙ୍କ ଅସାଧାରଣ ତଥା ବହୁମୁଖୀ ପ୍ରତିଭାର ମୁଁ ଜଣେ ବହୁତ ବଡ଼ ପ୍ରସଂଶକ ।

ପ୍ରଶ୍ନ: ନିଜ ଜୀବନରେ ଘଟିଥିବା କିଛି ମଜାଳିଆ ଘଟଣା ଆମର ପାଠକ ପାଠିକାଙ୍କ ସାଙ୍ଗରେ ବାଣ୍ଟିବେ କି?

ଉ: ଥରେ ଗୋଟିଏ ସମାରୋହରେ ମୋର ନୃତ୍ୟ ପରିବେଷଣ କରିବାର ଥିଲା । ସେଇଥିପାଇଁ ମତେ ଗୋଟିଏ ନିର୍ଦ୍ଧିଷ୍ଟ ଗୀତରେ ଅଭ୍ୟାସ କରିବାକୁ କୁହାଯାଇଥିଲା । ମୁଁ ସେଇ ଗୀତରେ ଅଭ୍ୟାସ ବି କରିଥିଲି । କିନ୍ତୁ ସମାରୋହ ଦିନ ମୁଁ ନାଚିଲା ବେଳେ ସେମାନେ ଗୋଟେ ପୁରାପୁରି ଅଲଗା ଗୀତ ଲଗେଇଲେ ଆଉ ମତେ ସେଇଠି ସେମିତି ସେଇ ନୂଆ ଗୀତରେ ନାଚିବାକୁ ପଡ଼ିଲା । ପରେ ଜଣା ପଡ଼ିଲା ଯେ ମୁଁ ଅଭ୍ୟାସ କରିବା ପାଇଁ ସେମାନେ ମତେ ଯେତେବେଳେ ଗୀତଟିର ନାଁ କହିଥିଲେ ମୁଁ ସେଇ ନାଁଟା ସେତେବେଳେ ଭୁଲ ଶୁଣିଥିଲି । ଆଜି ବି ସେଇ କଥା ମନେ ପଡ଼ିଲେ ମତେ ବହୁତ ହସଲାଗେ ।

ପ୍ରଶ୍ନ: ଆପଣଙ୍କ ରୋମାଣ୍ଟିକ ଚକଲେଟ ହିରୋ ଅବତାରକୁ ଲୋକେ ବହୁତ ଭଲ ପାଉଛନ୍ତି । ତେବେ ବାସ୍ତବ ଜୀବନରେ ଆପଣ କେବେ ପ୍ରେମରେ ପଡ଼ିଛନ୍ତି?

ଉ: ହଁ । ମୁଁ ନିହାତି ପ୍ରେମରେ ଭାବରେ ପଡ଼ିଛି । ସେଇ ପ୍ରେମର ପ୍ରତିଫଳନ ମୋର ଚକଲେଟ ନାୟକର ଅଭିନୟରେ ବି ଫୁଟିଉଠେ ବୋଲି ମୁଁ ଭାବେ ।

ପ୍ରଶ୍ନ: ଜଣେ ଯୁବ କଳାକାର ହିସାବରେ ଆଜିର ଓଡ଼ିଆ ସିନେମାର ସ୍ଥିତି ବିଷୟରେ ଆପଣ କ’ଣ କହିବେ?

ଉ: ମୁଁ ବହୁତ ଖୁସି ଯେ ଆପଣ ଏଇ ପ୍ରଶ୍ନଟି ପଚାରିଲେ । ମୁଁ ଭାବୁଛି ଆଜିକା ସମୟରେ ଏଇ ବିଷୟଟି ଉପରେ ଆମେ ନିହାତି କଥା ହେବା ଜରୁରୀ । ସବୁଠୁ ବଡ଼ ପ୍ରଶ୍ନ ହେଉଛି ଆଜି ଆମର ଯୁବପିଢ଼ୀ କାହିଁକି ଓଡ଼ିଆ ସିନେମା ଦେଖିବାକୁ ଇଛା କରୁନାହାନ୍ତି ଯେତେବେଳେ କି ସେମାନେ ହିନ୍ଦୀ, ଇଂଲିଶ ଆଉ ଅନ୍ୟ ଭାଷାର ସିନେମାକୁ ଖୁସିରେ ଉପଭୋଗ କରୁଛନ୍ତି । ଆଞ୍ଚଳିକ ସିନେମା ଆଉ ବିଶେଷ କରି ଦକ୍ଷିଣ ଭାରତର ସିନେମାକୁ ଦେଖିଲେ ଜାଣିପାରିବେ ଯେ ସେଠିକାର ଯୁବପିଢ଼ୀ ତାଙ୍କର ଭାଷାର ସିନେମାପାଇଁ ପାଗଳ । ସେମାନେ ଏଥିପାଇଁ ପାଗଳ କାରଣ ତାଙ୍କ ସିନେମାରେ ସୃଜନଶୀଳତା ବା କ୍ରିଏଟିଭିଟି ଅଛି । ସେମାନେ କପି ପେଷ୍ଟରେ ବିଶ୍ୱାସ କରନ୍ତି ନାହିଁ । ଏମିତି କହିବାକୁ ଗଲେ ସିନେମାର ଉନ୍ନତି ପାଇଁ ଯୁବପିଢ଼ୀ ତାକୁ ଭଲ ପାଇବା ଅତ୍ୟନ୍ତ ଜରୁରୀ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଯଦି ଯୁବ ଦର୍ଶକଙ୍କ ମନଲାଖି ଫିଲ୍ମ ତିଆରି କରିବେ ତା’ହେଲେ ଆମ ସିନେମା ନିଶ୍ଚିତ ଆଗକୁ ଯିବ । ଆଉ ସେଇଥିପାଇଁ ନୂଆ ଆଉ ମୌଳିକ କାହାଣୀ ଦରକାର । ଅନ୍ୟର ନକଲ କରିକି ସିନେମା କରିବା ଦିନ ଚାଲିଯାଇଛି । ଏବେ ସମସ୍ତଙ୍କ ହାତରେ ସ୍ମାର୍ଟ ଅଛି ଆଉ ଇଣ୍ଟରନେଟ । ସମସ୍ତେ ଜାଣି ପାରୁଛନ୍ତି କେଉଁ କାହାଣୀ ନୂଆ ଆଉ କେଉଁଟା ନକଲ । ଆମର ଯେତିକି ପ୍ରଯୋଜକ ଆଉ ନିର୍ଦ୍ଦେଶକ ଅଛନ୍ତି ସେମାନଙ୍କୁ ଏଣିକି ଆଜିର ଯୁବଦର୍ଶକଙ୍କ ମନ ଜିଣିବାକୁ ପଡ଼ିବ । ଯଦି ଯୁବ ଦର୍ଶକ ଆପଣଙ୍କ କାମକୁ ପସନ୍ଦ କଲେ ତା’ହେଲେ ସେଇ ସିନେମାଟି ନିଶ୍ଚିତ ଭାବେ ଲୋକପ୍ରିୟ ହେବ ସେଥିରେ ସନ୍ଦେହ ନାହିଁ । ଆମର ଓଡ଼ିଆ ଇଣ୍ଡଷ୍ଟ୍ରି ଅନ୍ୟ କେଉଁ ଇଣ୍ଡଷ୍ଟ୍ରିଠାରୁ କୌଣସି ଗୁଣରେ କମ୍ ନୁହେଁ । କିନ୍ତୁ ଏହାକୁ ଆଉରି ଆଗକୁ ଦରକାର ଆଉରି ସୃଜନଶୀଳ ଆଉ ରଚନାତ୍ମକ କାମ ।

ପ୍ରଶ୍ନ: ମନୋରଞ୍ଜନ ଦୁନିଆର କେଉଁ ବିଶେଷତ୍ୱ ଆପଣଙ୍କୁ ଏଇ କ୍ଷେତ୍ରକୁ ଟାଣି ଆଣିଛି?

ଉ: ମନୋରଞ୍ଜନ କ୍ଷେତ୍ରର ସବୁକିଛି ମତେ ଆକର୍ଷିତ କରେ । ଶୁଟିଂ ସେଟରେ ଆକ୍ସନ କଲ୍ ହବାଠାରୁ ପ୍ୟାକ ଅପ ହେବା ଯାଏଁ ସବୁକିଛି ମତେ ଭଲ ଲାଗେ । ଆଉ ସେଇଥିପାଇଁ ବୋଧେ ମୁଁ ଜଣେ ଅଭିନୟ ହବାକୁ ମନସ୍ଥିର କରିଛି ।

ପ୍ରଶ୍ନ: ଆପଣ କେଉଁଭଳି ପ୍ରୋଗ୍ରାମ ଦେଖିବାକୁ ଭଲପାଆନ୍ତି?

ଉ: ମତେ ଆମେରିକାନ ଡ୍ରାମା ଆଉ ସିଟକମ୍ ଦେଖିବାକୁ ବହୁତ ଭଲ ଲାଗେ ।

ପ୍ରଶ୍ନ: ଭବିଷ୍ୟତରେ କିଭଳି ପରିଯୋଜନାରେ କାମ କରିବାକୁ ଆଶା ରଖିଛନ୍ତି?

ଉ: ମୁଁ ଏବେ ଇଣ୍ଡଷ୍ଟ୍ରିରେ ନୂଆ । ତେବେ ନିଜ ପାଇଁ ନିଶ୍ଚିତ ଭାବେ ମୁଁ କିଛି ଭଲ ସୁଯୋଗ ଖୋଜୁଛି । ଲୋକଙ୍କଠୁ ଶୁଣେ ଯେ ମୁଁ ଚକଲେଟ ବୟ ଭଳି ଦେଖାଯାଏ । ତେଣୁ ମୁଁ ସେଇଭଳି କିଛି ଭଲ କାହାଣୀ ଥିବା ରୋମାଣ୍ଟିକ ପ୍ରୋଜେକ୍ଟରେ କାମ କରିବାକୁ ଚାହିଁବି । ଆହୁରି ବି ଆଗକୁ ଜଣେ ଅଭିନେତା ହିସାବରେ ନୂଆ କିଛି କରିବାର ଆଉ ମୁଁ ନିଜେ ନିଜକୁ ଚ୍ୟାଲେଞ୍ଜ କରିପାରୁଥିବା ଭଳି ପ୍ରୋଜେକ୍ଟରେ କାମ କରିବାର ଆଶା ରଖିଛି । ଯଦି ସ୍ୱପ୍ନ କଥା ପଚାରନ୍ତି ତା’ହେଲେ ଗୋଟିଏ ଦିନ ଫ୍ରେଣ୍ଡସ, ବ୍ରେକିଙ୍ଗ ବ୍ୟାଡ଼, ବେଟର କଲ୍ ସୋଲ, ଆଉ ଗେମ ଅଫ ଥ୍ରୋନ୍ସ ଭଳି ଡ୍ରାମାରେ କାମ କରିବା ମୋର ସ୍ୱପ୍ନ ।

ପ୍ରଶ୍ନ: ଜଣେ ସିନେମା ଅଭିନେତା ହବା ପାଇଁ ଆପଣ ନିଜକୁ କିଭଳି ଭାବେ ପ୍ରସ୍ତୁତ କରୁଛନ୍ତି?

ଉ: ସେମିତି କିଛି ତଥାକଥିତ ରୁଟିନ ତ ମୁଁ ଏବେ ଅନୁସରଣ କରୁନାହିଁ । ତେବେ ଜଣେ ଅଭିନେତା ହିସାବରେ ପ୍ରତିଦିନ ମୋର ପ୍ରତିଟି ଶୁଟିଂସେଟରେ ମୁଁ ନୂଆ ନୂଆ ଅଭିଜ୍ଞତା ହାସଲ କରୁଛି ବୋଲି ଭାବୁଛି ।

ପ୍ରଶ୍ନ: ଖାଲି ସମୟରେ ଆପଣ କ’ଣ କରନ୍ତି?

ଉ: ଖାଲି ସମୟେ ମୁଁ ମୋ ବେଷ୍ଟଫ୍ରେଣ୍ଡ ତଥା ଅନ୍ୟାନ୍ୟ ସାଙ୍ଗଙ୍କ ସହ ଖାଇବାକୁ ଆଉ ବୁଲିବାକୁ ଭଲ ପାଏ । ଫୁଟବଲ ଖେଳିବାକୁ ବି ମତେ ବହୁତ ଭଲଲାଗେ । କେବେ କେବେ ମୁଁ ଏକା ଏକା ପ୍ରକୃତିର ସୁନ୍ଦରତାକୁ ବି ଉପଭୋଗ କରେ ।

ପ୍ରଶ୍ନ: ଆଗାମୀ ଦିନରେ କେଉଁସବୁ ପ୍ରକଳ୍ପରେ ଦର୍ଶକମାନେ ଆପଣଙ୍କ ଦେଖିପାରିବେ?

ଉ: ମୁଁ ଏବେ କିଛିଟା ନୂଆ ପ୍ରୋଜେକ୍ଟରେ କାମ କରୁଛି । ଗୋଟିଏ ଫିଚର ଫିଲ୍ମ ପାଇଁ ବି କଥାବାର୍ତ୍ତା ଚାଲିଛି । ତେବେ ବହୁତ ଶୀଘ୍ର ଦର୍ଶକମାନେ ମତେ ଆଉ କିଛି ମ୍ୟୁଜିକ ଭିଡ଼ିଓରେ ନିଶ୍ଚିତ ଦେଖିବାକୁ ପାଇବେ ।

ପ୍ରଶ୍ନ: ଏବେ ମୋର ଶେଷ ପ୍ରଶ୍ନ । ଆପଣକୁ ଅନୁସରଣ କରୁଥିବା ଆଜିର ଯୁବପିଢ଼ିଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ?

ଉ: ପ୍ରଥମେ ତ ମୁଁ ସମସ୍ତଙ୍କୁ ନିଜର ଶିକ୍ଷା ଉପରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେବି । ଦ୍ୱିତୀୟରେ କହିବି ପାଠପଢ଼ା ଉପରେ ମନୋନିବେଶ କରିବା ସାଙ୍ଗେ ସାଙ୍ଗେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଗଭୀର ଆତ୍ମବଳ ଓ ଦୃଢ଼ ନିଶ୍ଚୟ ମଧ୍ୟ ନିଜ ମନରେ ରହିବା ନିହାରୀ ଜରୁରୀ । ଏ ସବୁ ଗୁଣ ଏକାଠି ହେଲେ ସଠିକ ସମୟରେ ସଠିକ ସୁଯୋଗ ନିଶ୍ଚିତ ଭାବରେ ମିଳିବ ବୋଲି ମୋର ବିଶ୍ୱାସ ।

ଏଇ ସାକ୍ଷାତକାର ପାଇଁ ନିଜର ସମୟ ଦେଇ ଥିବାରୁ ଟିମ୍ ଶୁଭପଲ୍ଲବ ତରଫରୁ ଶୈଳେନ୍ଦ୍ରଙ୍କୁ ବହୁତ ବହୁତ ଧନ୍ୟବାଦ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ସୁଲଗ୍ନା ମହାନ୍ତି, ପେଶାରେ ଜଣେ ଇଂରାଜୀ ଅଧ୍ୟାପିକା । ମାତ୍ର ଓଡ଼ିଆ ଗଳ୍ପ ରଚନାରେ ସେ ବେଶ୍ ପରିଚିତା । ତାଙ୍କର ପ୍ରଥମ ଗଳ୍ପ ସଂକଳନ ନାଲି ଚୁଡ଼ାର ଅଭୁତପୂର୍ବ ସଫଳତା ପରେ ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ପ୍ରକାଶ ପାଇଥିଲା ।