You are currently viewing ବାନ୍ଧବୀ

ବାନ୍ଧବୀ

ବେଳେ ବେଳେ ମାଟିରେ ଥିବା ମଣିଷ ଆକାଶର ଜହ୍ନ କୁ ଦେଖି, ଅତ୍ୟନ୍ତ ଭାବବିହ୍ୱଳିତ ହୋଇ କୁହେ- ଏ ଜହ୍ନ ମୋର, ଏ ଜହ୍ନ.. ମୋ ପ୍ରେମିକା । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ସେ ବିଶ୍ୱାସ କରିପାରେ ନାହିଁ, ଜହ୍ନ କେବଳ ଆକାଶର ବୋଲି । ମୁଁ ଏ ପୃଥିବୀ ପୃଷ୍ଠରେ ରହି, ଜହ୍ନ ପାଇଁ ଯେତେ ଲୁହ ଗାଡ଼ାଇଲେବି ଆଉ ଯେତେ ଲହୁ ଲୁହାଣ ହେଇ କବିତା ଲେଖିଲେବି, ସେ କେବେ ହେଲେ ଆକାଶରୁ ଖସି ଆସିବ ନାହିଁ । କାରଣ ସେ ଆକାଶର ପ୍ରେମିକା, ଆକାଶ ସହ ତାର ଜନ୍ମ ଜନ୍ମର ସମ୍ପର୍କ । ତଥାପି କେଉଁଠି ନା କେଉଁଠି ମୋ ମନରେ ବିଶ୍ୱାସ ଥାଏ- ମୋ ପ୍ରେମରେ ଅଛି ମହାକାଳ ର ଶକ୍ତି, ମୋ ପ୍ରେମ ଏକ ସାଧନା..ହଁ ଜହ୍ନବି ଦିନେ ଚାଲିଆସିବ ପୃଥିବୀ ପୃଷ୍ଠକୁ ।

ଠିକˎ ସେଦିନ ରଶ୍ମି ପାଇଁ ମୋ ମନରେ ବସା ବାନ୍ଧିଥିଲା ପ୍ରେମର ଅମୃତ ଭାବନା । ରଶ୍ମି ମୋର ସବୁଠୁ ଭଲ ସାଙ୍ଗ ଥିଲା । ହେଲେ ସେହି ବନ୍ଧୁ ମଧ୍ୟରେ ମୁଁ ବଧୂଟିଏ ଦେଖି ବସିଥିଲି । ଅନେକ ଥର ଚେଷ୍ଟା କରିଛି ରଶ୍ମି କୁ କହିଦେବି ମୋ ମନ ତଳର କଥା, ହେଲେ ଅଟକି ଯାଇଛି ତା ମୋ ଭିତରେ ତିଆରି ହୋଇଯାଇଥିବା ବନ୍ଧୁତ୍ୱର ସୁରମ୍ୟ ସେତୁଟିକୁ ଦେଖି । ରଶ୍ମିର ହୃଦୟ ବିଶାଳ ଆଉ ଦରଦୀ ବି । ସମ୍ଭ୍ରାନ୍ତ ପରିବାର ର ଝିଅଟିଏ ସେ, ଆଉ ତାଙ୍କ ବାପାଙ୍କର, ଭାରତର ପ୍ରାୟ ସବୁ ସହର ରେ ଗୋଟିଏ ଗୋଟିଏ ପଞ୍ଚତାରକା ହୋଟେଲˎ ଅଛି । ପିଲାଦିନୁ ପ୍ରଚୁଯ୍ୟ ଭିତରେ ବଢିଥିବା ରଶ୍ମି ର କଥାବାର୍ତ୍ତା, ବେଶ ପୋଷାକ ଆଉ ଚାଲି ଚଳନ ସମ୍ପୂର୍ଣ ଭାବେ ମଧ୍ୟବିତ୍ତ ପରିବାର ର ଜୀବନଶୈଳୀ ପରି ଲାଗେ । ଭୋକିଲା ଛୁଆ, ପାଗଳ, ଭିକାରି ଦେଖିଲେ ରଶ୍ମି ଆଖି କୋଣ ଜକେଇ ଆସେ ଆଉ ଯାହାର ପ୍ରତେକ୍ଷଦର୍ଶୀ ହେଉଛି ମୁଁ ନିଜେ । ରଶ୍ମି ର ସରଳତା, ନିଷ୍ପାପ ହୃଦୟ ଆଉ ସମ୍ପର୍କ ପ୍ରତି ଯତ୍ନଶୀଳତା ମତେ ବାଧ୍ୟ କରିଥିଲା ବନ୍ଧୁ ଟିକୁ ବଧୂ ନଜରେ ଦେଖିବା ପାଇଁ । କିଏ ଝିଅଟିଏ ଦେଖିଲେ ପ୍ରଥମେ ତାକୁ ତାର ପ୍ରେମିକା କରିବାକୁ ଚାହେଁ, ହେଲେ ମୁଁ ରଶ୍ମି କୁ ବଧୂ କରିବା ପାଇଁ ଚାହୁଁଥିଲି । ଯେତେବେଳେ ମୁଁ ପ୍ରେମର ସ୍ବପ୍ନ ଦେଖିବାକୁ ଲାଗେ, ମୋ ବିବେକ ମତେ କୁହେ

-“ରଶ୍ମି ତତେ ସାଙ୍ଗ ଭଳି ଦେଖେ ସଂଗ୍ରାମ..ତୁ ଯଦି ତାକୁ ଏଭଳି ପ୍ରସ୍ତାବ ଦେବୁ, ତେବେ ତୋ ବନ୍ଧୁତା ଉପରେ ଥିବା ତା ଭରସାଟିକକୁ ତୁ ଜାଣି ଜାଣି ହତ୍ୟା କରିଦେବୁ । ତାପରେ ସିଏ ତୋଠୁ ଅନେକ ଦୂର କୁ ଚାଲିଯିବ ।

ମୁଁ ରଶ୍ମି ଭଳି ବାନ୍ଧବୀ କୁ କୌଣସି ମୂଲ୍ୟରେବି ହରାଇବାକୁ ଚାହୁଁ ନଥିଲି । ରଶ୍ମି କଥା ଭାବୁ ଭାବୁ ତାର ଫୋନˎ ଆସିଲା

-ସଂଗ୍ରାମ ତମେ କେଉଁଠି?

-ମୁଁ ଡିପାର୍ଟମେଣ୍ଟ ରେ ଅଛି ।

-ତମେ ଆସ ଜେରକ୍ସ ଦୋକାନ ପାଖକୁ, ସେଠି ମୁଁ ପ୍ରୋଜେକ୍ଟ ରିପୋର୍ଟ ର ଫର୍ମାଟ କପି କରୁଛି ।

-ହଉ ତମେ ସେଇଠି ଥାଅ, ମୁଁ ପାଞ୍ଚ ମିନିଟˎ ରେ ଆସୁଛି, ଏତିକି କହି ମୁଁ ଫୋନˎ କାଟି ଦେଲି ।

ଆମେ ଦୁହେଁ ପଦାର୍ଥ ବିଜ୍ଞାନ ରେ ପିଜି କରୁଥିଲୁ ଉତ୍କଳ ୟୁନିଭର୍ସିଟିରେ । ଚାହୁଁ ଚାହୁଁ ଦେଢ଼ ବର୍ଷ କଟିସରିଥାଏ ରଶ୍ମି ସହ । ଏବେ ଶେଷ ସେମିଷ୍ଟାର , ତାପରେ ବଦଳିଯିବ ଦୁହିଁଙ୍କର ଗନ୍ତବ୍ୟ ପଥ । ପାଖା ପାଖି ରୋଲ ନମ୍ବର ବୋଧେ ଆମ ଦୁହିଁଙ୍କୁ ଯୋଡି ଦେଇଥିଲା ସୃଷ୍ଟିର ସବୁଠୁ ଶ୍ରେଷ୍ଠ ସମ୍ବନ୍ଧରେ..ଯାହାର ନାଁ ହେଉଛି ବନ୍ଧୁତ୍ୱ ।

ସେଦିନ ଚୌଧୁରୀ ସାର ଙ୍କ କ୍ଲାସ ଚାଲିଥିଲା । ସବୁଦିନ ପରି ରଶ୍ମି ଆଉ ମୁଁ ସାଥି ହେଇ ଗୋଟିଏ ବେଞ୍ଚ̖ରେ ବସିଥିଲୁ । କ୍ଲାସ ମଝିରେ ଲକ୍ଷ କରି ଦେଖେତ, ରଶ୍ମି କାଇଁ ଅନ୍ୟମନସ୍କ ଲାଗୁଥିଲା ଆଉ ମଝିରେ ମଝିରେ ବ୍ୟସ୍ତ ହେଇ ଉଠୁଥିଲା । ଆଖି ଦୁଇଟି ଭିତରକୁ ପଶିଯାଇଥିଲା । ମୁହଁ ରୁ ଗମ̖ ଗମ̖ ଝାଳ ବାହାରୁ ଥିଲା

-ରଶ୍ମି, ତମ ଦେହ ଭଲ ନାହିଁକି, ମୁଁ ପଚାରିଲି ।

ସେ ପ୍ରତି ଉତ୍ତର ରେ ମୁଣ୍ଡ ଟୁଙ୍ଗାରି ଖାଲି ହଁ.. କହିଲା । କିନ୍ତୁ ଏକ ବିପଦ ର ଆଭାସ ମତେ ବାରି ହେଇ ପଡୁଥିଲା । ପୁଣିଥରେ ରଶ୍ମିକୁ ଯେବେ ପଚାରେ, ସେ ମୋ ଉପରକୁ ତତକ୍ଷଣାତ ଟଳି ପଡିଲା । କିଛି ସାଙ୍ଗ ମାନଙ୍କ ସାହାଯ୍ୟ ନେଇ, ତୁରନ୍ତ ରଶ୍ମିକୁ ସେଦିନ ହସ୍ପିଟାଲ ନେଇ ଯାଇଥିଲି । ଡାକ୍ତରଙ୍କର ରିପୋର୍ଟ ଅନୁସାରେ, ରଶ୍ମିକୁ ଡେଙ୍ଗୁ ଜ୍ୱର ହୋଇଥିଲା । ଏସବୁ ବିଷୟରେ ମୁଁ ରଶ୍ମିଙ୍କର ବାପାଙ୍କୁ ଫୋନ କରି ଜଣେଇଲି, ହେଲେ ସେପଟୁ ସେ କହିଲେ

-ଶୁଣ ସଂଗ୍ରାମ । ମୁଁ ବହୁତ ଦୁଃଖିତ । ଗୋଟିଏ ଗୁରୁତ୍ୱପୁର୍ଣ ମିଟିଂ ରେ ମୁଁ ଆଉ ମୋ ସହଧର୍ମିଣୀ ଦିଲ୍ଲୀ ଆସିଛୁ । ଦଶଦିନ ଭିତରେ ଫେରିବାଟା ସମ୍ଭବ ପର ନୁହେଁ । ମୁଁ ମୋ ବନ୍ଧୁ ଡ଼. ରଂଜିତ ପଟ୍ଟନାୟକ ଙ୍କୁ ଫୋନ କରିଦେଉଛି ସେ ରଶ୍ମିର ସ୍ପେସିଆଲ କେୟାର ନେବେ । ତମେ ବ୍ୟସ୍ତ ହୁଅନାହିଁ ।

ଏତିକି କହି ରଶ୍ମିଙ୍କର ବାପା ଫୋନ̖ ରଖିଦେଲେ । ଏସବୁ ରଶ୍ମି ଜାଣିବା ପରେ ତା ଶାମୁକା ପରି ଆଖିରୁ ମୋତି ପରି ଲୁହ ଦୁଇ ଟୋପା ଝରିପଡିଥିଲା । ଡାକ୍ତର ଙ୍କ କହିବା ମୁତାବକ, ରଶ୍ମିକୁ ସାତ ଦିନ ହସ୍ପିଟାଲ ରେ ରହିବାକୁ ପଡିଥିଲା, ଆଉ ସବୁଦିନ ରାତିରେ ମୁଁ ରଶ୍ମି ପାଖରେ ରହୁଥିଲି । ତା ଖାଇବା ପିଇବା ସବୁକିଛି ଦାଇତ୍ୱ ନେଉଥିଲି । ତାକୁ ମେଡିକାଲ ବେଡ଼̖ ରେ ଅସହାୟ ଅବସ୍ଥା ରେ ଦେଖି ମୁଁ ଭିତରେ ଭିତରେ ଭାଙ୍ଗି ପଡୁଥିଲି । ପାଖରେ ତାର ନିଜ ଲୋକ କେହି ନାହାନ୍ତି । କେଜାଣି ତାକୁ କେମିତି ଲାଗୁଥିବ । ତା ମନ ଭୁଲାଇବା ପାଇଁ ମଝିରେ ମଝିରେ ଇଆଡୁ ସିଆଡ଼ୁ କହି ଥଟା ତାମସା କରୁଥିଲି । ରଶ୍ମି ପାଖରୁ ଆସିବା ପରେ,

ମତେ ଜୋରରେ କାନ୍ଦିବାକୁ ଇଛା ହୁଏ । ଆଉ ଭଗବାନ ଙ୍କୁ କୁହେ -ହେ ଭଗବାନ , ପିଲାଟିକୁ ଜଲ୍ଦି ଭଲ କରିଦିଅ । ସେଦିନ ଦୁଇ ପ୍ରହାର ରେ ରଶ୍ମି କୁ ଖୁଆଇ ଦେଲା ବେଳେ ସିଏ କହିଲା,

-ସତରେ ସଂଗ୍ରାମ, ଦୁନିଆରେ ସବୁ ସମ୍ପର୍କ ଠାରୁ ବନ୍ଧୁତ୍ୱ ଉର୍ଦ୍ଧରେ । ମୋର ପରିବାର ଥାଇକିବି ଆଜି ପାଖରେ କେହି ନାହାନ୍ତି । ତମେ ମୋ ବନ୍ଧୁ ହେଇ ମୋ ପାଇଁ କେତେ କଷ୍ଟ ସହୁଛ । ଆମ ବନ୍ଧୁତ୍ୱ ଉପରେ ରଶ୍ମିର ଥିବା ଦୃଢ଼ ବିଶ୍ୱାସ, ମତେ ବାଧ୍ୟ କରୁଥିଲା ତାକୁ ପ୍ରେମ ନିବେଦନ ନକରିବା ପାଇଁ ।

ସମୟ ସନ୍ଧ୍ୟା ପାଞ୍ଚଟା ହୋଇଥିଲା । ଦିନ ଯାକ ପ୍ରଖର ସୂର୍ଯ୍ୟ କିରଣ ଥିଲା, କିନ୍ତୁ ସଞ୍ଜ ବେଳକୁ ସମ୍ପୂର୍ଣ ବଦଳି ଯାଇଥିଲା ପାଗ । ବର୍ଷା ରାଣୀ ତା ପାଉଁଜି କୁ ପିନ୍ଧି ପାଦ ରଖିଥିଲା ମର୍ତ୍ୟର ଇନ୍ଦ୍ରସଭାରେ । ଆଉ ପରିବେଷଣ କରିଥିଲା ମାଦକ ଭରା ନୃତ୍ୟ । ହଷ୍ଟେଲ ର ଝରକା ସେପଟେ ବର୍ଷା ର ବାଡ଼ୁଅ ରୂପ କୁ ଦେଖି , ସବୁ ଚିନ୍ତା କୁ ମୋର.. ତାଲା ମାରିଦେଇ, ଛାଇ ନିଦରେ ଶୋଇଯାଇଥିଲି । ଝରକା ସେପଟୁ ଆସୁଥିବା ବର୍ଷା ଟୋପାର ଶବ୍ଦ ରେ ଥିଲା ଏକ ମୌସଧୀ । ଆହା..କି ଶାନ୍ତି ସେ ଶବ୍ଦରେ ଭରିଛି, ଲାଗୁଥିଲା ଯେମିତି ସବୁ ନକାରାତ୍ମକ ଭାବନା କୁ ବର୍ଷାରାଣୀ ଧୋଇ ଦେଉଛି । ହାଲ୍କା ହାଲ୍କା ଟୋପା ମୋ ବହିଥାକ ଉପରେ ପଡୁଥିଲା । ଆଉ ଶୋଇଥିବା ଖଟଟି ଝରକା ପାଖରେ ପଡିଥିଲା ବୋଲି, କିଛି ବୁନ୍ଦାବି ମୋ ଶରୀର ଉପରେ ପଡୁଥିଲା । ମୁଁ ମୁଦ୍ରିତ ନୟନରେ ଉପଭୋଗ କରୁଥିଲି ବର୍ଷା ରାଣୀର ସ୍ପର୍ଶ କୁ । ଆଉ ଠିକ̖ ସେତିକି ବେଳେ ରଶ୍ମିର ଫୋନ ଆସିଲା

-ସଂଗ୍ରାମ, ଆଜି ଛଅ ଟା ବେଲେ ଅଶୋକ ସାର ଙ୍କ ବସାକୁ ଯିବା । ସେ କହିଥିଲେ ବୁଝେଇଦେବେ ବୋଲି ।

-ହଉ ଠିକ ଅଛି.. ଯିବା ଆଉ । ମୁଁ କହିଲି

-ତେବେ ତମେ ଲେଡ଼ିଜ ହଷ୍ଟେଲ̖ ପାଖକୁ ଚାଲି ଆସିବ। ମୁଁ ତମକୁ ଅପେକ୍ଷା କରିଥିବି

-ହଉ

ତାପରେ ସେ ଫୋନ̖ଟି ରଖି ଦେଲା । ପ୍ରକୃତିର ଏଭଳି ଏକ ରୋମାଣ୍ଟିକ̖ ପାଗରେ, ଇଛା ହେଉଥିଲା ରଶ୍ମି ସହ ଆଉ କିଛି କଥା ହେବାକୁ । ସେ ମତେ ବନ୍ଧୁ ଭାବୁଛି । କିନ୍ତୁ ମୁ ଯେ ତାର ଗୋଟେ ଏକତରଫା ପ୍ରେମିକ । ତେଣୁ ରଶ୍ମିର ଫୋନ ରେ ମନରେ ଅଜବ ଖିଆଲ ସବୁ ସୃଷ୍ଟି ହେଲା । ମନେ ମନେ ଭାବିଲି , ରଶ୍ମି ଟିକେ କହିଥାନ୍ତା କି…ସେ ମତେ ଭଲପାଏ ବୋଲି । ଆଉ କହିତଥାନ୍ତା ଆଜି ସନ୍ଧ୍ୟାରେ ଦୁହେଁ ହାତରେ ହାତକୁ ଛନ୍ଦି କ୍ୟାମ୍ପସ ରେ ବୁଲିବା ବୋଲି । ପୁଣି ଦୁହେଁ ପଦାର୍ଥ ବିଜ୍ଞାନ ଡିପାର୍ଟମେଣ୍ଟ ସାମ୍ନା ଓସ୍ତ ଗଛତଳେ ସୁନେଲି ଭବିଷ୍ୟତ ର ସ୍ବପ୍ନ ଦେଖିଥାନ୍ତୁ । ଏସବୁ ଥିଲା ସ୍ବପ୍ନ । ଆଉ କିଛି ଦିନ ପରେ ମୋ ସ୍ବପ୍ନ ଭାଙ୍ଗିବାକୁ ଯାଉଥିଲା । ପିଜି ଶେଷ ହେଲା ପରେ ରଶ୍ମି ତା ବାଟରେ ଚାଲିଯିବ ଓ ମୁଁ ମୋ ବାଟରେ ଚାଲିଯିବି ।

ଆଉଥରେ ପୁଣି ରଶ୍ମିର ଫୋନ̖ ଆସିଲା, ଏଥର କିନ୍ତୁ ତା ସ୍ୱର ଅଲଗା ପ୍ରକାର ଲାଗୁଥିଲା । ଯେମିତି ସେ କିଛି ଲୁଚାଇବାକୁ ଚାହୁଁଥିଲା, ସେପଟୁ ସେ କହିଲା..

-ସଂଗ୍ରାମ, ଆଜି ଆମେ ଅଶୋକ ସାର ଙ୍କ ପାଖକୁ ଯିବା ନାହିଁ । ଟିକେ ଜରୁରୀ କାମ ପଡିଗଲା..ଆମେ କାଲି ଯିବା

-ମୁଁ କହିଲି, ହଉ ଠିକ̖ ଅଛି ।

ଛାଡ଼ ଆଉ ଶୋଇ କିଛି ଲାଭ ନାହିଁ । ବର୍ଷା ବି ଛାଡ଼ିଗଲାଣି । ଏ ରଶ୍ମି.. ନିଦଟାକୁ ଭାଙ୍ଗିଦେଲା । ଚାଲ ଟିକେ ବର୍ଷା ଧୁଆ କ୍ୟାମ୍ପସ ବୁଲିଆସିବା,,ମନ ଟା ଆହୁରି ଫ୍ରେଶ ଫ୍ରେଶ ଲାଗିବ । ଏମିତି କିଛି ଭାବି ବାହାରି ପଡିଲି କ୍ୟାମ୍ପସ ଦର୍ଶନରେ । ସତରେ…ରାସ୍ତା ର ଦୁଇ ପଟରେ ବଡ ବଡ଼ ଗଛ ସହ, ମଝିରେ ଥିବା ବଗିଚାରେ, କୁନି କୁନି ଗଛ ଉପରେ ଖେଳୁଥିବା ପାଣି ଟୋପା,ସଞ୍ଜଟିରେ କ୍ୟାମ୍ପସ ଟିକୁ କରିଦେଇଥିଲା ଷୋଡ଼ଶୀ ତରୁଣୀଟିଏ । ମନ ଭିତର ସମସ୍ତ କ୍ଲାନ୍ତି ଉଭେଇ ଯାଉଥିଲା ପ୍ରକୃତିର ଏହି ରୁପକୁ ଦେଖି । –

କିଛି ସମୟ ଆଗକୁ ଚାଲିବା ପରେ, ବାଟରେ ଆସିଲା ସେହି ସ୍ଥାନ । ସବୁ ୟୁନିଭର୍ସିଟି ରେ, ସବୁ କଲେଜ̖ ରେ ସେ ଜାଗା ଛାତ୍ର ମାନଙ୍କ ଦ୍ୱାରା ନାମିତ । କେଉଁଠି ଲଭର୍ସ̖ ପଏଣ୍ଟ, ତ କେଉଁ ଜାଗାରେ କୁହନ୍ତି ପ୍ରେମ ପୀଠ । ସବୁ ୟୁନିଭର୍ସିଟିରେ ଏମିତି କିଛି ଜାଗା ଥାଏ, ଯେଉଁଠି ସଞ୍ଜ ହେଲେ ଭିଡ଼ ଲଗାନ୍ତି ପ୍ରେମ ଚଢେଇ । ସେମାନେ ଜାଣନ୍ତି ନାହିଁ, ସାଥି ହେଇ ଆକାଶରେ କେତେ ଦୂରତା ଉଡିବେ ଆଉ କେତେ ଉଚ୍ଚରେ ଉଡିବେ। ତଥାପି ପରସ୍ପରକୁ କଥା ଦିଅନ୍ତି ସାଥି ହୋଇ ଜନ୍ମ ଜନ୍ମ ରହିବା ପାଇଁ । ସେହି ଲଭର୍ସ ପଏଣ୍ଟରେ, କେତେ ନୂଆ ଚଢେଇ ଦିଅନ୍ତି ପ୍ରେମର ଶିଳାନ୍ୟାସ, ଆଉ ମୁହଁ ସଞ୍ଜଟାରେ ଲିପ୍ତ ରୁହନ୍ତି ପ୍ରଣୟରେ, ଯେମିତି କାଲି ଆଉ ଆସିବ ନାହିଁ । କେତେ ମିଛ ମାନ, ଅଭିମାନ,ହସ ଆଉ କାନ୍ଦ ଦେଖିଛିସେ ଲଭର୍ସ̖ ପଏଣ୍ଟ । ସେ ସାକ୍ଷୀ ଅଛି ଦୁଇ ଦିନ ଦେଖାରେ ତିଆରି ହେଇଯାଇଥିବା ଜୁଇ ଯାଏଁ ସମ୍ପର୍କର ଆଉ ଭାଙ୍ଗି ଚୂନମାର ହେଇଯାଇଥିବା ସମ୍ପର୍କ ବର୍ଷ ବର୍ଷର ।

ଲଭର୍ସ̖ ପଏଣ୍ଟରେ ଛିଡା ହେଇଥିବା ଯୋଡି ମାନଙ୍କ ଉପରୁ ଆଖି ବୁଲାଇ ଆଣୁ ଆଣୁ, ନଜର ଯାଇକି ପଡିଲା ସିଧା ରଶ୍ମି ଉପରେ । ମୁଁ ବିଶ୍ୱସ କରିପାରୁନଥିଲି ,କି କେବେ ଭାବିନଥିଲି ରଶ୍ମି କାହାକୁ ଭଲ ପାଏ ବୋଲି…। କାରଣ ଭଲ ବନ୍ଧୁ ହିସାବ ରେ ସେ ମତେ କେବେବି କିଛି କହି ନାହିଁ ଏ ବିଷୟ ରେ । ସେ ପୁଅ ସହ ତାର କଥାବାର୍ତ୍ତାର ଢଙ୍ଗ କହୁଥିଲା ସେ ତା ପ୍ରେମିକ ବୋଲି। ଓଃ…ତାହେଲେ ଏଇଥିପାଇଁ ସେ ମନା କରିଦେଲା ଆଜି ଅଶୋକ ସାରଙ୍କ ପାଖକୁ ଯିବା ପାଇଁ । ହେଲେ ସେ ପୁଅ କିଏ, ଯିଏ

ରଶ୍ମିର ହାତ ଟିକୁ ମୁଠେଇକି ଧରିଛି ଆଉ ରଶ୍ମି ଖୁସିରେ ଲୋଟି ପଡୁଛି ଯୁବକ ର ବକ୍ଷରେ । ରଶ୍ମି ହସି ହସି ସେ ଯୁବକ ଟିକୁ ମୃଦୁ ଆଘାତ କରୁଥିଲା ଆଉ ସିଏ ରଶ୍ମି ର ମୁଖ ମଣ୍ଡଳକୁ ନିଜ ଆଞ୍ଜୁଳାରେ ଗୋଟେଇ ନେଉଥିଲା ।

ଏସବୁ ଦେଖି ମୋ ପାଦ ତଳୁ ମାଟି ଖସିପଡୁଥିଲା । ମୁଁ ବିଶ୍ୱାସ କରି ପାରୁନଥିଲି ରଶ୍ମି ରିଲେସନସିପି ରେ ଅଛି ବୋଲି । ରଶ୍ମି କୁ ମୁଁ ଏକତରଫା ପ୍ରେମ କରୁଥିଲି, ସେଥିପାଇଁ ବୋଧେ ସହ୍ୟ କରିପାରୁନଥିଲି ତାକୁ ଅନ୍ୟ ପୁରୁଷ ସହ ଦେଖି । ମନ ଭିତରେ ରଶ୍ମି ପାଇଁ ସାଇତା ପ୍ରେମ ସବୁ ଧୀରେ ଧୀରେ କୋହର ରୂପ ନେଇ ଛାତିରେ ଜମାଟ ହେବାକୁ ଲାଗିଲା । ନାଁ ….ଏଠି ଆଉ ଛିଡା ହେଇ କିଛି ଲାଭ ନାହିଁ, ଯିଏ ତୋର ନୁହେଁ, ତା ପାଇଁ ଭାବିବାଟା କୁହୁଡି ପହଁରିବା ସହିତ ସମାନ । କ୍ଷଣିକ ପୂର୍ବରୁ ସୁନ୍ଦର ଆଉ ଚମତ୍କାର ଲାଗୁଥିବା ପୃଥିବୀ , ବିଧବା ପରି ଲାଗିବାକୁ ଲାଗିଲା । ସମଗ୍ର କ୍ୟାମ୍ପସ ସ୍ମଶାନ ଭୂମି ପରି ମନେ ହେଲା ଆଉ ସେଇଠି ହୁତୁ ହୁତୁ ହେଇ ଜଳି ଯାଉଥିଲା ରଶ୍ମି ପାଇଁ ସାଇତା ଥିବା ଆବେଗ, ପ୍ରେମ ଆଉ ଆଶା ।

– ମତେ ଏବେ ଏହି ଜାଗା ଛାଡି ଯିବାକୁ ପଡିବ । ଆଖି କୋଣରେ ଜକେଇ ଆସିଥିବା ଲୁହ କୁ ପୋଛିଦେଇ ମୁଁ ଆଗକୁ ବାହାରିଲି । ସେ ଦୁହିଁଙ୍କୁ ଅଣଦେଖା କରି ସେ ଜାଗାରୁ ପ୍ରସ୍ଥାନ କଲାବେଳେ, ପଛରୁ ରଶ୍ମିର ଡାକ ଶୁଭିଲା ,

-ସଂଗ୍ରାମ ..ଶୁଣ ସଂଗ୍ରାମ ,,ଟିକେ ଏଠିକି ଆସତ ।

ରଶ୍ମିର ଡାକ ଶୁଣିବା ପରେ ରହି ଗଲି ମୁଁ । ଯିବି, ନଯିବି ର ଛକା ପଞ୍ଝା ଭିତରେ ସ୍ଥିର କଲି -ନା ମୁଁ ଯିବି..ରଶ୍ମି କୁ ସାମ୍ନା କରିବି । ନିଜକୁ ପ୍ରସ୍ତୁତ କଲି ସେ ଦୁହିଁଙ୍କ ପାଖକୁ ଯିବା ପାଇଁ, ଆଉ ମୁହଁ ରେ ପ୍ଲାଷ୍ଟିକ ହସ ଟିଏ ଖେଳେଇ ଦେଇ କହିଲି- ଆରେ ରଶ୍ମି ତମେ ଏଠି କଣ କରୁଛ । ମୁଁ ସେମାଙ୍କ ଆଡକୁ ଆଗେଇ ଚାଲିଲି ।

-ୟାଙ୍କୁ ଭେଟ । ଇଏ ହେଲେ ସୂର୍ଯ୍ୟ, ମୋ ଭାବି ସ୍ୱାମୀ । ସେ ଦିଲ୍ଲୀ ରେ ଏମ̖.ବି.ବି.ଏସ̖ କରୁଥିଲେ । ଆଉ ସେଠାରେ ପିଜି ସାରିବା ପରେ ଏବେ ଓଡ଼ିଶାରେ ନିଉ ଲାଇଫ ନର୍ସିଂ ହୋମ̖ ନିଜେ କରିଛନ୍ତି । ଆମ ପିଜି ସାରିବା ପରେ ଖୁବ ଶୀଘ୍ର ମୁଁ ତାଙ୍କୁ ବିବାହ କରୁଛି ।

ରଶ୍ମି ଠାରୁ, ଖୋଲା ଖୋଲି ଭାବେ ଶୁଣି ସାରିବା ପରେ , ସେଠାରେ ଛିଡା ହେଇ ନିଜକୁ ସମ୍ଭାଳି ମୁଖ ମଣ୍ଡଳରେ ଖୁସିର ଅଭିନୟ କରିବାଟା କେତେ କଷ୍ଟ ଥିଲା, ତାହା କେବଳ ଜଣେ ଏକ ତରଫା ପ୍ରେମିକ ହିଁ ଜାଣିପାରିବ । ସେଠି ଅନୁଭବ ହେଉଥିଲା, ଯେମିତି କିଏ ଜାଣି ଜାଣି ମୋ ହୃଦୟ ଟିକୁ କେଉଁ ଧାରୁଆ ଅସ୍ତ୍ର ରେ ଧୀରେ ଧୀରେ ଖଣ୍ଡ ବିଖଣ୍ଡିତ କରୁଛି ।

ନିଜକୁ ଯେତେ କଠୋର କରି ରଶ୍ମିର ସବୁ ବାକ୍ୟ ଶୁଣୁଥିଲେ ବି, କେଉଁଠି ନା କେଉଁଠି ମୁଖ ମଣ୍ଡଳ ରେ ହାଲ୍କା ହତାସା ଭାବ ଉଙ୍କି ମାରିଥିଲା ଆଉ ଯାହାକୁ ପଢି ଦେଇଥିଲା ସୂର୍ଯ୍ୟ । ସୂର୍ଯ୍ୟ ମୋ ସହ ହାତ ମିଳାଇବାକୁ ହାତ ବଢ଼ିଲା । ମୁଁ ମୋ ପରିଚୟ ଦେବା ପୂର୍ବରୁ ସେ ମତେ ରୋକି ଦେଇ କହିଲା .

-ମୁଁ ତୁମ ବିଷୟରେ କହିବାକୁ ଚାହୁଁଚି । ତୁମେ ସଂଗ୍ରାମ ନା..ରଶ୍ମିର ସବୁଠୁ ଭଲ ସାଙ୍ଗ । ରଶ୍ମି ସବୁବେଳେ ମତେ ତୁମ କଥା କୁହେ । ତୁମ ଦୁହିଁଙ୍କ ବନ୍ଧୁତ୍ୱ ବିଷୟରେ ମୁଁ ଅନେକ ଥର ଆଉ ଅନେକ ଇନ୍ଟରେଷ୍ଟିଙ୍ଗ̖ କଥା ରଶ୍ମି ଠାରୁ ଶୁଣିଚି । ରଶ୍ମି ଙ୍କର ଦେହ ଖରାପ ସମୟ ରେ ମୁଁ ଆସିପାରିନଥିଲି । ହେଲେ ତୁମେ ଯେଉଁ ଭଳି ଭାବେ ରଶ୍ମିଙ୍କର ଯତ୍ନ ନେଇଚ, ଅନ୍ୟ କୌଣସି ନିଜ ଲୋକ ବି ଏତେ କରିବେ ନାହିଁ । ରଶ୍ମି ସବୁ ବେଳେ କୁହନ୍ତି ସଂଗ୍ରାମ ଆଜି କ୍ଲାସ ରେ ଏମିତି କମେଡି କଲା , ସେମିତି ମତେ ସାହାଯ୍ୟ କଲା …ଅନେକ କିଛି । ଆଉ ସେଥିପାଇଁ ରଶ୍ମି କୁ ଚିଡ଼େଇବା ପାଇଁ କହିଦିଏ “ମତେ ଲାଗୁଚି..ସେ ସଂଗ୍ରାମ ଦିନେ ତମକୁ ମୋ ଠାରୁ ଛଡେଇ ନେବ । “

ସୂର୍ଯ୍ୟ ଏସବୁ କହୁଥିବା ବେଳେ, ମତେ ଲାଗୁଥିଲା କେଉଁଠି ନା କେଉଁଠି ରଶ୍ମି କୁ ହରାଇବାର ଡର ତା ପାଖରେ ଅଛି । ଆଉ ସେହି ସବୁ ଭାବନା କୁ ଲୁଚାଇବାକୁ ଯାଇ ମୋର କରି ଚାଲୁଥିଲା ଲମ୍ବା ଚୌଡା ପ୍ରଶଂସା ।

ସୂର୍ଯ୍ୟ ଆଉ ମୋର କଥାବାର୍ତ୍ତା କୁ ପାଖରେ ଛିଡା ହେଇ ଉପଭୋଗ କରୁଥିଲା ରଶ୍ମି । ମତେ କହୁଣୀ ଟେ ମାରି କହିଲା

-ସଂଗ୍ରାମ ବାବୁ କେମିତି ଲାଗିଲା ସୂର୍ଯ୍ୟ ଙ୍କୁ ଦେଖି, ମାନେ ମୋ ଭାବି ସ୍ୱାମୀଙ୍କୁ ଦେଖି?

-ତମେ ପୁରା ଚାମକେଇ ଦେଲ । ମୁଁ କେବେ ଭାବିନଥିଲି ତମେ ରିଲେସନସିପି ରେ ଅଛ ବୋଲି । ଏତେ ଭଲ ସାଙ୍ଗ ହୋଇକି ବି ତମେ ମତେ ସୂର୍ଯ୍ୟ ଙ୍କ କଥା କେବେ କିଛି କହିନାହଁ । ଆଉ ଯେବେ ମୁଁ ଏ ବାବଦ ରେ କିଛି ପଚାରିଛି, ତମେ ପାଠ ପଢା ଆଉ ଭବିଷ୍ୟତ କଥା କହି ଏଡେଇ ଦେଇଛ ।

ମୋ କଥା ଶୁଣି ରଶ୍ମି ଜୋରରେ ହସିବାକୁ ଲାଗିଲା । ଆଉ କହିଲା ,

-ସୂର୍ଯ୍ୟ ଆଉ ମୋ ସମ୍ପର୍କ ପାଞ୍ଚ ବର୍ଷ ତଳର । ତାଙ୍କ ବାପା ଆଉ ମୋ ବାପା, ଦୁହେଁ ପୁରୁଣା ବନ୍ଧୁ । ଆମ ଘରକୁ କେଇଥର ଆସିବା ପରେ ସେ ମତେ ଦେଖିଥିଲେ ଆଉ ମନେ ମନେ ପସନ୍ଦ କରିନେଇଥିଲେ । କିନ୍ତୁ ମୁଁ ତାଙ୍କୁ ଜମାରୁ ପସନ୍ଦ କରୁନଥିଲି । ହେଲେ ସେ ମତେ ରୀତିମତ ଫୋନ କରନ୍ତି । ମୋ ଭଲ ମନ୍ଦ ବୁଝୁଥାନ୍ତି । ତାଙ୍କ କେୟାର ଟା ମୋ ପାଇଁ ଏତେ ଥିଲା ଯେ ଶେଷକୁ ମୁଁ ହାରିଗଲି ଆଉ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲି ।

ରଶ୍ମି ଠାରୁ ଶୁଣିସାରିବା ପରେ ସବୁ କିଛି, ମୁଁ କହିଲି

-ହଉ ତୁମେ ଦୁହେଁ କଥା ହେଉଥାଅ । ମୁଁ ଏବେ ଆସୁଛି ।

ରଶ୍ମି ଆଉ ସୂର୍ଯ୍ୟ ର ହସ ହସ ମୁହଁ ଦେଖି ମୁଁ ବିଦାୟ ନେଇଥିଲି, ଛାତି ଭିତରେ କୋହର ବରଫ ଧରି । ସେମାନଙ୍କ ଦୃଷ୍ଟି ପଥରୁ ହଟିବା ପରେ, ଅଣନିଶ୍ଵାସି ହେଇ ଦୌଡ଼ି ଥିଲି କଲେଜ ଖେଳ ପଡିଆ କୁ । ଜାଣିନି କେତେବେଳେ ମୁଁ ଧାବକ ଟିଏ ହୋଇ ସାରିଥିଲି ଆଉ ଅତିକ୍ରମ କରି ଚାଲୁଥିଲି ପଡିଆ ଟିର ପରିଧିକୁ । ଆଖିରୁ ଝରି ପଡୁଥିଲା ଲୁହ ଆଉ ମନ ଭିତରେ ଲକ୍ଷ ଲକ୍ଷ ଥର ପ୍ରତିଧ୍ୱନି ହେଉଥିଲା-“ରଶ୍ମି ମୁଁ ତୁମକୁ ବହୁତ ଭଲପାଏ । ତୁମ ବିନା ବଞ୍ଚିବା ଟା ଅସାଧ୍ୟ ” । ମୋ ଚିନ୍ତା ଆଉ ଚେତନା ସବୁ ବାୟୁ ମଣ୍ଡଳ ରେ ମିଶି ଯାଉଥାଏ ଧୂଆଁ ପରି । ଲାଗୁଥାଏ ଯେମିତି, ପ୍ରକୃତି ଆଜି ମତେ ଉପହାସ କରୁଛି । ମନ ଭିତରେ କେଉଁଠି ବିଶ୍ୱାସ ଥିଲା, ସମୟ ସହ ରଶ୍ମି ଦିନେ ମୋର ହେଇଯିବ । ହେଲେ, ଆଜି ସୂର୍ଯ୍ୟ କୁ ଦେଖିଲା ପରେ, ମୋ ସବୁ ବିଶ୍ୱାସ ଆଉ ଭରସା ରେ ନିଆଁ ଲାଗିଗଲା । ଦୌଡ଼ି ଦୌଡ଼ି ଧଇଁ ସଇଁ ହୋଇଗଲା ପରେ , ଲଥକି ବସି ପଡିଲି ପଡିଆ ମଝିରେ ଆଉ ଧୀରେ ଧୀରେ ଶୋଇପଡ଼ିଲି ବସିଥିବା ସ୍ଥାନରେ । ସେମିତି ଚିତପଟା ହେଇ ଚାଇଁ ରହିଥାଏ ଆକାଶକୁ ।

ସେଦିନ ରଶ୍ମି ଯେତବେଳେ ସୂର୍ଯ୍ୟକୁ ପାଖରେ ପାଇକି ସବୁ କିଛି ଭୁଲିଯାଇଥିଲା, ମୁଁ ଠିକ ସେତିକିବେଳେ, ସବୁକିଛି ଗୋଟି ଗୋଟି କରି ମନେ ପକାଉଥିଲି । ବର୍ଷା ଧୌତ କ୍ୟାମ୍ପସ ରେ , ସୂର୍ଯ୍ୟର ବହୁ ବନ୍ଧନରେ ସେ ସମସ୍ତ ଶକ୍ତିକୁ ନିସ୍ଵ କରିଦେଉଥିବା ବେଳେ, ମୁଁ କାଦୁଅ ଜୁଡୁବୁଡୁ, ଲୋତକପ୍ଲାଵିତ ଅବସ୍ଥାରେ ପଡିରହିଥିଲି ଖୋଲା ଖେଳ ପଡିଆଟିରେ । ଦୂରରେ ଥିବା ଗୋଲ ପୋଷ୍ଟ ଦେଖି ଲାଗୁଥିଲା ଯେମିତି, ମୋ ଜୀବନର ଖେଳରେ ମତେ କିଏ ଗୋଲ ଦେଇଦେଇଛି । ମନେ ମନେ ଭାବୁଥିଲି -ରଶ୍ମି ଆସନ୍ତାକି, ଆଉ କୁହନ୍ତା…

-ଚାଲ ଏଠୁ, ଏଠି ଏ ଅବସ୍ଥାରେ କଣ ପାଇଁ ପଡ଼ିଛ ?

ତାର ଆସିବାର ଆଉ କୌଣସି ବାଟ ନଥିଲା । ଯେଉଁ ଫୁଲ କୁ ମୁଁ ନୀତି ଦେଖି ଆନନ୍ଦ ହେଉଥିଲି ଆଉ ଭଅଁରଟିଏ ଚାହିଁ ଦେଲେ ଭାଙ୍ଗି ପଡୁଥିଲି, ଆଜି ସେ ଫୁଲ ମୋ ଅଜାଣତରେ କିଏ ତୋଳି ନେଇଛି । ଥରୁଟିଏ ଭାବିଲା ନାହିଁ, ବେଳେ ବେଳେ , ଫୁଲ ବଗିଚାର ମାଲିକ ଆଉ ମାଳି ଠାରୁ ବି ଆହୁରି କଷ୍ଟ ପାଏ ଫୁଲ କୁ ନୀତିଦିନ ଦେଖି ଖୁସି ହେଉଥିବା ପ୍ରେମିକ ଯେବେ ଫୁଲ ଚୋରିହେଇଯାଏ ଅଜାଣତରେ । ହାରି ଯାଇଥିବା ଯୁଦ୍ଧର ପରାଜିତ ସୈନିକ ଟେ ପରି ପଡିରହିଥିଲି ମୁଁ ସେହି ଖେଳ ପଡିଆଟିରେ । ହଠାତ ମୋ ଫୋନ ରିଂ ହେଲା ଏଇ ଫୋନ ଥିଲା ବୋଉର । ସେଦିନ ପୁଣି ଥରେ ଅନୁଭବ ହେଇଥିଲା, ସନ୍ତାନ ର ଯଦି କିଛି ହେଇଯାଏ, ମା ତା ଠାରୁ ଲକ୍ଷ ଲକ୍ଷ ଯୋଜନ ରେ ଥାଇକିବି ଜାଣିପାରେ । ଜାଣି ଜାଣି ବୋଉର ପ୍ରଥମ ରିଂ ଟିକୁ ଉଠେଇଲି ନାହିଁ । ନିଜକୁ ପ୍ରସ୍ତୁତ କରିନେଲି ଦ୍ୱିତୀୟ ରିଂ ରେ ଫୋନ ଉଠାଇବା ପାଇଁ । ବୋଉ ସହ କଥା ହେବ ପାଇଁ, ରଶ୍ମିକୁ ସାମାନ୍ୟ କରି, ନିଜକୁ ଶକ୍ତ କରୁଥିଲି । ତାପରେ ପୁଣି ବୋଉର ଫୋନ ଆସିଲା ଆଉ ସେ କହିଲା,

-ବାବାରେ ତୁ କୋଉଠି? କଣ କରୁଚୁ ?

-ବୋଉ, ମୁଁ ଶେଷ ବର୍ଷ ପ୍ରୋଜେକ୍ଟ କାମରେ ବ୍ୟସ୍ତ ଅଛି ।

-ତୋ ଦେହ ଭଲ ଅଛି ଟି? ଠିକ ସମୟରେ ଖାଉଚୁ ନା ନାହିଁ ?

-ହଁ ବୋଉ ।

-ସଞ୍ଜ ବେଳଠୁ ମୋ ଡାହାଣ ଆଖିଟା କାଇଁ ଡେଉଁଛି କେଜାଣି …ଭାରି ବ୍ୟସ୍ତ ଲାଗିଲା । ଭାବିଲି ତତେ ଫୋନ କରିଦିଏ । ରାତିରେ କୁଆଡେ ବାହାରକୁ ଯିବୁନି । ଯା ରାତି ୮ ଟା ବାଜିଲାଣି , ଖାଇଦେବୁ । ଦେହର ଯତ୍ନ ନେବୁ । ହଉ ମୁଁ ରଖୁଛି ।

-ହଉ ବୋଉ ।

ବୋଉ ସହ କଥା ହେଇସାରିବା ପରେ ନିଜକୁ ନିଜେ ବୁଝାଇବାକୁ ଲାଗିଲି । ଆଉ କହିବାକୁ ଲାଗିଲି,

-ରଶ୍ମି କିଏ ? କଣ ପାଇଁ ଏମିତି ମୁଁ ହେଉଛି ? ମୁଁ ତ ତାକୁ କେବେ ଭଲପାଏ ବୋଲି କହି ନାହିଁ ତେବେ ସେ କେମିତି ମୋ ମନ କଥା ଜାଣିବ ?ଆଉ ଜାଣିଲେବି ସେ ମତେ କାହିଁକି ଭଲ ପାଇବ? ଏମିତି କିଛି ପ୍ରଶ୍ନ ମୁଁ ନିଜ ଭିତରେ ତିଆରି କରୁଥିଲି ମୋ ମନକୁ ବୁଝାଇବାକୁ ।

ଖେଳ ପଡ଼ିଆରୁ ସିଧା ଚାଲିଲି ହଷ୍ଟେଲ କୁ । ଭଲକି ଗାଧେଇ ପଡିଲି । କିନ୍ତୁ ମନ ଭିତରୁ ରଶ୍ମି ଆଉ ସୂର୍ଯ୍ୟ ସହ ଦେଖା ହେଇଥିବା ଘଟଣାକୁ କାଢି ପାରୁନଥିଲି । ମନ ଇଲାକାରେ ହୋଇଥିବା ସଦ୍ୟ ‘ଘା’ ର ଯନ୍ତ୍ରଣା କମ ହେବାର ନାଁ ନେଉ ନଥାଏ । ମୁଣ୍ଡକୁ ଗୋଟିଏ କୁ ବୁଦ୍ଧି ଚଢିଲା, ମନ ର ଦରଜ କୁ କମେଇବା ପାଇଁ ମତେ ଦେଖା ଗଲା ଗୋଟିଏ ରାସ୍ତା । ସେ ରାସ୍ତା ଥିଲା “କୁଇନ୍ସ ବାର”, ଯେଉଁଠି କେତେ କେତେ ଦୁଃଖ କ୍ଷଣିକ ପାଇଁ ଧୋଇଯାଏ କାଚ ବୋତଲ ରେ ଥିବା ସୁରା ମାନଙ୍କ ଦ୍ୱାରା । କୁଇନ୍ସ ବାର ରେ, ଗୋଟିଏ ପରେ ଗୋଟେ ବୋତଲ ପିଇ ଚାଲିଲି । ହେଲେ ରଶ୍ମିକୁ ଭୁଲିବାର ସୂତ୍ର କେଉଁଠିବି ପାଉ ନଥାଏ । ଧୀରେ ଧୀରେ ମତେ ନିଶା ଚଢ଼ିବାକୁ ଲାଗିଲା ।

-ନା ଆଉ ଏଥର ପିଇବି ନାହିଁ । ରୁମ̖ ଯିବି । ରଶ୍ମି ଯେଉଁଠି ପାରୁଛି, ସେଇଠି ରହୁ । ଯଦି ମୋ ଭାବନାରେ ସେ ଘର କରି ସାରିଛି, ତେବେ ସେ ରହୁ ସେଇଠି ।

ହଷ୍ଟେଲ ଅଭିମୁଖେ ଟଳି ଟଳି ବାହାରିଲି ମୁଁ । ନିଶାର ମାତ୍ର ଏତେ ଥିଲା ଯେ, ମୋ ଦୁଇ ପାଦ ପରସ୍ପର କୁ ବିପରୀତ ଦିଗକୁ ନେଇ ଯାଉଥାନ୍ତି । ମଦ ନିଶାରେ ମୁଁ ନିଜେବି ଦ୍ଵନ୍ଦ ରେ ଥାଏ ମୋ ଗନ୍ତବ୍ୟ ସ୍ଥଳ କେଉଁଠି ଭାବି । ଅନୁମାନ କରି କରି , ଅନେକ ବାଟ ଚାଲି ଆସିଥାଏ । ହଠାତ ସାମନାରେ ଦେଖିଲି ଗୋଟିଏ ଚାରି ଚକିଆ ଜୋରେ ଲାଇଟ ଦେଇ ମୋ ଆଡକୁ ଆସୁଛି । କିନ୍ତୁ ମତେ ଦେଖି ସେ ବ୍ରେକ̖ ମାରିଦେଲା । ଭାବିଲି ସେ ବୋଧେ ମୋ ରାସ୍ତା ପ।ରି ହେବାକୁ ଅପେକ୍ଷା କରିଛି । କିନ୍ତୁ ମୁଁ ସେମିତି

ଧୀରେ ଧୀରେ ଚାଲୁଥିଲି । ନିଶା, ମୋର ସମଗ୍ର ଶରୀର କୁ ନିଜ କବଳକୁ ନେଇ ଯାଇଥିଲା । ମୁଁ ଶକ୍ତି ଶୂନ୍ୟ ହେଇଯାଇଥିଲି । ମୋ ମନ ଯେତିକି ବେଗରେ ଆଗକୁ ଯିବାକୁ ଚାହୁଁଥିଲା, ମୋ ଶରୀର ତାକୁ ସେତିକି ପଛକୁ ଆଣୁଥିଲା । ଏମିତି ରାସ୍ତା ପ।ରି କରୁଥିବାର ପ୍ରାୟ।ଶ ବେଳେ ମୁଁ ଦେଖେତ, ସେହି ଅଟକି ଯାଇଥିବା ଗାଡିଟି ଦ୍ରୁତ ଗତିରେ ମୋ ଆଡକୁ ମାଡି ଆସିଲା । ମୁଁ କିଛି ବୁଝିବା ଆଗରୁ ମତେ ଶକ୍ତ ଧକା ଦେଇ ଫୋପାଡ଼ି ଦେଲା ରାସ୍ତା କଡକୁ । ତାପରେ ମୋର ଆଉ କିଛି ମାନେ ନାହିଁ ।

ଦୁର୍ଘଟଣା ହେବାର ଦୁଇଦିନ ପରେ ଚେତା ଆସିଲା, ଆଉ ମୁଁ ଥାଏ ହସ୍ପିଟାଲ ବେଡ଼̖ ରେ । ମୋ ମୁଣ୍ଡ ପାଖରେ ବସିଥାଏ ରଶ୍ମି । ମୋ ଚେତା ଆସିବା କ୍ଷଣି ତା ମୁହଁ ରେ ହସ ଟିଏ ଖେଳିଗଲା ଆଉ ତା ସହିତ ଆନନ୍ଦ ର ଅଶ୍ରୁ ବି ଝରିପଡିଲା । ମୁଁ କହିଲି

-ତମେ ଆମ ଘରେ ଏ ବିଷୟରେ କିଛି ଜଣେଇନ ତ?

-ନା ମୁ କାହାକୁ କିଛି ବି ଜଣେଇନାହିଁ । ଠାକୁରଙ୍କ ଦୟାରୁ ତମେ ଠିକ̖ ଅଛ ।

-ତମେ ନଥିଲେ, ମୋର ଏତେ ଯତ୍ନ କିଏ ନେଇଥାନ୍ତା? ତମ ପାଇଁ ସବୁ ସମ୍ଭବ ହେଇଚି । ମୁଁ ନୂଆ ଜନମ ଟିଏ ପାଇଛି ।

-ମୋ ପାଇଁ ନୁହେଁ ସଂଗ୍ରାମ । ତୁମେ ଧନ୍ୟବାଦ ସୂର୍ଯ୍ୟଙ୍କୁ ଦିଅ ।

-ସୂର୍ଯ୍ୟ..?

ହଁ..ସେଦିନ ରାତିରେ ସେ ତମକୁ ଉଠେଇକି ହସ୍ପିଟାଲ ଆଣିଥିଲେ । ସେ ତୁମର ସମ୍ପୂର୍ଣ କେୟାର ନେଇଯାଇଥିଲେ । ଦିନ ରାତି ତମର ସେବା ସିଏ କରିଛନ୍ତି । ହଁ ସୂର୍ଯ୍ୟଙ୍କ ନର୍ସିଙ୍ଗ ହୋମ̖ ଇଏ । ସେଦିନ ଯଦି ସୂର୍ଯ୍ୟ ସେଠି ପହଞ୍ଚି ନଥାନ୍ତେ, ମୁଁ ହୁଏତ ମୋର ସବୁଠୁ ଭଲ ସାଙ୍ଗ କୁ ହରେଇ ଦେଇଥାନ୍ତି ।

ମୁଁ କିଛି କହିବା ପୂର୍ବରୁ, ସୂର୍ଯ୍ୟ ପ୍ରବେଶ କଲା ଆଉ ସିଆଡ଼ୁ କହି କହିକି ଆସିଲା,

– ଡ଼ିଅର̖ ଫ୍ରେନ୍ଡ ଏବେ କେମିତି ଲୁଚି ? ଚିନ୍ତା କରିବାର କୌଣସି କାରଣ ନାହିଁ । ଧୀରେ ଧୀରେ ସବୁ ଠିକ ହେଇଯିବ ।

– ଧନ୍ୟବାଦ ସୂର୍ଯ୍ୟ । ଆପଣ ଙ୍କ ଏ ସାହାଯ୍ୟର ତୁଳନା ନାହିଁ ।

-ଆରେ ସୁଝିଗଲା ବୋଲି ଜଣାନ୍ତୁ । ଆପଣ ରଶ୍ମିର କେୟାର ନେଇଥିଲେ ଆଉ ମୁଁ ଆଜି ଆପଣଙ୍କର । ବାସ̖ ସୁଝିଗଲା -ଏତିକ କହି ସୂର୍ଯ୍ୟ ହସିବାକୁ ଲାଗିଲା ଆଉ ତ ପଛକୁ ରଶ୍ମି । ସେମାନଙ୍କ ହସ ସହ ମୋ ଓଠରୁ ବି ସ୍ମିତ ହାସ୍ୟଟିଏ ଝରି ପଡିଲା ।

-ତୁମେ ମୋ ରଶ୍ମିର ବେଷ୍ଟ ଫ୍ରେନ୍ଡ । ତେଣୁ ତୁମର ସବୁ ଦାଇତ୍ୱ ମୋର । ଭଲ ନହେବା ଯାଏଁ ତମେ ଏଇଠି ରହିବ । ତମେ ଆଜିଠୁ ମୋର ବି ସାଙ୍ଗ । ରଶ୍ମି…ତମେ ବ୍ୟସ୍ତ ହୁଅନି,, ସଂଗ୍ରାମ ଏବେ ଆଉଟ ଅଫ ଡେଂଜର ।

ସୂର୍ଯ୍ୟ ପାଖରୁ ଏହି ଧାଡ଼ିଟି ଶୁଣିଲା ପରେ ରଶ୍ମି ମୁଖରେ ପ୍ରଶାନ୍ତି ର ବାଦଲ ଖେଳିଗଲା, ଆଉ ସେ ସ୍ନେହରେ ସୂର୍ଯ୍ୟ ହାତ ଟିକୁ ଧରିନେଲା.. ହସ୍ପିଟାଲ ବେଡ଼̖ ରେ ପଡି ମୁଁ ସେମିତି ଶୁଣୁଥିଲି ସୂର୍ଯ୍ୟ ଙ୍କୁ । ସତରେ ସୂର୍ଯ୍ୟ ବହୁତ ଭଲ । ରଶ୍ମି ତାଙ୍କ ପାଖରେ ଖୁସିରେ ରହିବ ।

ପୁଣି ସୂର୍ଯ୍ୟ କହିଲା

-ଡ଼ିଅର̖ ଫ୍ରେନ୍ଡ ଏବେ ତମେ ରେଷ୍ଟ̖ ନିଅ । ମୁଁ ଆସୁଛି । ରଶ୍ମି…ତମେ ଯଦି ଫ୍ରି ଅଛ ଟିକେ ଚାମ୍ବର କୁ ଆସିବ ।

ଏତିକି କହି ସେ ଚାଲିଗଲେ ଆଉ ତାପରେ ରଶ୍ମି ଏକ ସୌଜନ୍ୟ ମୂଳକ ବିରତି ମାଗି ସେ ବି ତାଙ୍କ ପଛେ ପଛେ ଚାଲିଗଲା ।

ହସ୍ପିଟାଲ ରୁ ଡିସ୍ଚାର୍ଜ ହବାର ମାସେ ପୂରିଯାଇଥାଏ । ସମୟ ଆସିଥାଏ କଲେଜ ଛାଡିବାର । ସବୁ ବର୍ଷ ପରି ଏ ବର୍ଷ ଅନେକ ପିଲା ଏ ୟୁନିଭର୍ସିଟି ଆଉ କ୍ୟାମ୍ପସ̖ ଛାଡିକି ଯିବେ ଆଉ ପୁଣି କେତେ ନୂଆ ନୂଆ ପିଲା କଲେଜ ରେ ପାଦ ରଖିବେ ନୂଆ ଆଶା ଆଉ ଆକାଂକ୍ଷା ର ସହ । କଲେଜ ଛାଡିବା ସହିତ, ଅତୀତ ରେ କାଟିଥିବା ଦିନ ଗୁଡିକ ସୁବର୍ଣ୍ଣ ସ୍ମୃତିର ଫରୁଅ।ଟେ ହେଇଯାଏ । ହଷ୍ଟେଲ ରୁମ̖ କୋଳେଇ ନେଇଥାଏ ଅନେକ ଖଟାମିଠା ସ୍ମୃତିକୁ । କ୍ୟାମ୍ପସ̖ ର ପ୍ରତିଟି କୋଣରେ ସଜେଇ ହେଇ ରହିଥାଏ ଛୋଟ ବଡ଼ ଘଟଣାର ଶିଳାଲିପି । ନିଜଠୁ ଦୂରକୁ ଯିବାକୁ ଲାଗନ୍ତି ଏଇ ଅଳ୍ପ କେତେ ଦିନ ଭିତରେ ନିଜର ହେଇ ଯାଇଥିବା ବନ୍ଧୁ ମାନେ । ସେଦିନ ଡିପାର୍ଟମେଣ୍ଟ ରେ ଗ୍ରୁପ ଫୋଟୋ ଉଠିବାର ଥାଏ । ସବୁ ପିଲା ଆଉ ପ୍ରଫେସର ମାନେ ଏକାଠି ହୋଇଗଲେ । ସାମ୍ନାରେ ପ୍ରଫେସର ମାନେ ଚୌକି ରେ ବସିଲେ । କିଛି ପିଲା ତଳେ ବସିଗଲେ ଆଉ କିଛି ପଛରେ ଦଣ୍ଡାୟମାନ ହୋଇ ରହିଲେ । ସେତେବେଳେ, ମୁଁ ମୋ ତାରୁଣ୍ୟ ର ସାଥି ରଶ୍ମି ପାଖରେ ଛିଡା ହେଇଥିଲି ତାପାଖକୁ ଲାଗି । ସେଦିନ ରଶ୍ମି କାଇଁ ଭାରି ନିଆରା ଲାଗୁଥିଲା । ଲାଲ ବର୍ଡ଼ର ଦିଅ। ନୀଳ ସଲ୍ୱାର ପିନ୍ଧିଥିଲା ଆଉ ଚୂନେରୀ ଟିକୁ ଗୋଟେ କଡରେ ରଖିଥିଲା । କେଶ ତାର ଦୈନଦିନ ରିବନ ର ବନ୍ଧନରୁ ମୁକ୍ତ ଥିଲେ । ପବନର ତାଳେ ତାଳେ ସେମାନେ ଦୁଷ୍ଟ ହେଇ ଆସିଯାଉଥିଲେ ରଶ୍ମି ର ଆଖି ଉପରକୁ । ଆଉ ସିଏ ଅନ୍ୟମନସ୍କରେ, ସେଇ ଅମାନିଆ କେଶ କେର।କୁ ଅତି ଯତ୍ନର ସହକାରେ ଖୋସି ଦେଉଥିଲା କାନ ପଛପଟେ । ନୂଆ କରି କିଣିଥିବା ଇଅର ରିଂ, ପବନ ଦେବା କ୍ଷଣି ତୋଳିଦେଉଥିଲା ଏକ ସୁମଧୁର ସଙ୍ଗୀତ ଆଉ ଯାହା ମୋ ହୃଦୟ ର ସେହି ନିଷିଦ୍ଧ ଇଲାକା କୁ ଛୁଇଁଦେଇ ଯାଉଥିଲା ଅତି ସନ୍ତର୍ପଣ ରେ । ମୁଁ ସେଇଠି ସ୍ଥାଣୁ ହେଇଗଲି, ଯେତେବେଳେ ତା ମଥାର ସେଇ ଛୋଟିଆ କଳା ବିନ୍ଦିଟିକୁ ଦେଖିଲି, ଯିଏ ତାର ଭ୍ରୂଲତା ର ଚପଳାମୀ ରେ ଦୋଳି ଖେଳୁଥାଏ ଆଉ ମଝିରେ ମଝିରେ ମତେ ଚାହିଁ ଅଳସ ଭାଙ୍ଗିଲା ପରି ଲାଗୁଥାଏ । ଏସବୁ ମୁଁ ଅତି ପାଖରୁ ଦେଖୁଥାଏ..ଆଉ ଅନୁଭବ ହେଉଥାଏ ଏଇଠି ବୋଧେ ପୃଥିବୀ ର ଶ୍ରେଷ୍ଠ ସୁନ୍ଦରୀଙ୍କୁ ମୁଁ ଦେଖୁଚି । ରଶ୍ମି କୁ ଦେଖି ସେଦିନ ଲାଗୁଥିଲା, କୋଣାର୍କର

ଶିଳା ମାନେବି ଇର୍ଷାରେ ଜଳିଯିବେ…ଏ ୟୁନିଭର୍ସିଟି ର ଅନ୍ୟ ଝିଅଙ୍କୁ ପଚାରେ କିଏ !!

ସେଇଠି ପୁଣି ଥରେ ଚହଲି ଯାଇଥିଲା ମୋ ମନ ମହାନଦୀ, ଶ୍ର।ବଣ ରେ ଯୋବ୍ରା ବ୍ୟାରେଜରେ ପିଟି ହଉଥିବ ଅଥଳ ଜଳରାଶି ପରି , ମୋ ହୃଦୟରେ ପିଟି ହେବାକୁ ଲାଗିଲେ ରଶ୍ମି ପ୍ରତି ଥିବା ଆବେଗ ମାନ । ଜ।ଣିକିବି ରଶ୍ମି, ସୂର୍ଯ୍ୟର.. ମୁଁ ନିଜର ଭାବନା କୁ ରୋକିବାକୁ ଅସମର୍ଥ ଥିଲି । ଆଉ କେଇଟା ସମୟ ପରେ ରଶ୍ମି ମୋ ପାଖରୁ ଅଲଗା ହେଇଯିବ, ମୁଁ ଚାହିଁକିବି ମୋ ମନ କଥା ତାକୁ କହି ପାରିବିନି । ଏହି ଅବଶୋଷ ମତେ ସାରା ଜୀବନ ସର୍ପ ହେଇ ଦଂଶିବ । ନା ..ମୁଁ ମୋ ମାନ କଥା ରଶ୍ମିକୁ କହିଦେବି । ନିଜ ପ୍ରେମକୁ ପାଇବା ତା ଯଦି ସ୍ୱାର୍ଥପରତା କୁହାଯାଏ ..ମୁଁ ସ୍ୱାର୍ଥପର ହେବାକୁ ଆଜି ପ୍ରସ୍ତୁତ ଅଛି । ସୂର୍ଯ୍ୟ ରଶ୍ମିକୁ ଏଯାଏଁ ବିବାହ କରି ନାହିଁ । ତା ଛଡା-ଆଜିକା ସମାଜରେ ଯେ ପର୍ଯ୍ୟନ୍ତ କୌଣସି ଝିଅର ହାତ ଗଣ୍ଠି କାହା ସହ ନପଡ଼ିଚି, ସେ ପର୍ଯ୍ୟନ୍ତ କହି ହେବନି ସେ ତାର ବୋଲି । ବେଦିରୁ ବର ଉଠି ଯାଇପାରେ…କିଛି ବି ସମ୍ଭବ । ଆଜିକା ସମାଜରେ ପ୍ରତି ଦିନ କେଉଁଠି କେଉଁଠି ଖବର ବାହାରୁଚି ବର ଶିଶୁପାଳ ହେବାର । ହୁଏତ ରଶ୍ମି ପରେ ମତେ ପସନ୍ଦ କରିପାରେ । ଏମିତି କିଛି ସକାରାତ୍ମକ ଭାବନା କୁ ପୁଞ୍ଜି କରି, ରଶ୍ମି ପାଇଁ ଭଲପାଇବାର ବେଗ କୁ ବଢ଼େଇ ଦେଲି ..ସେ ଯାହା ହେଉଛି ହଉ ଆଜି କିନ୍ତୁ ମୁଁ ତାକୁ ମୋ ମନ କଥା କହିଦେବି ।

ଫୋଟୋ ସେସନ ସରିଗଲା । ସମସ୍ତେ ଭାବ ବିହ୍ଵଳିତ ଥାଆନ୍ତି । ସମସ୍ତେ ନିଜ ନିଜ ସହ ଶେଷ ମିଳନ ର ଦୁଃଖ କୁ ବାଣ୍ଟି ନେଉଥାନ୍ତି । ରଶ୍ମି ତାର କିଛି ସାଙ୍ଗ ମାନଙ୍କୁ ଦେଖା କରି ମୋ ପାଖକୁ ଆସିଲା . ଆମେ ଦୁହେଁ ସାଙ୍ଗ ହୋଇ କ୍ୟାମ୍ପସ ର ସେଇ ଲମ୍ବା ଚୌଡା ରାସ୍ତାରେ ଆଗକୁ ଚାହିଁ ଆଗେଇ ଚାଲିଲୁ । ଆକାଶରେ ଖଣ୍ଡ ଖଣ୍ଡ ମେଘ ଭାଷୁଥାନ୍ତି । ରାସ୍ତାର ଦୁଇପାଟରେ ଦଣ୍ଡାୟମାନ ଓସ୍ତ ଓ ଦେବଦାରୁ ଗଛରୁ ଆସୁଥିବା ପବନର ସୁ.. ସୁ.. ଶବ୍ଦ, ପ୍ରକୃତିର ନଵ ଯୌବନ ରୁପକୁ ପ୍ରତିପାଦିତ କରୁଥାନ୍ତି । ମେଘାଚ୍ଛନ ଆକାଶ, ସୂର୍ଯ୍ୟଙ୍କ ଉପସ୍ଥିତି କୁ ଅଣଦେଖା କରିଦେଉଥାଏ । ମୁଁ ସେମିତି ଚୁପ̖ ଥାଏ…ମୋ ହୃଦୟ ର ସ୍ପନ୍ଦନ ମିନିଟି କୁ ୧୦୦ ଥର ହେଉଥାଏ । ମୁଁ ଜାଣି ପରୁଥାଏ ଏଇ ଶାନ୍ତ ପରିବେଶ ଆଗକୁ “ଫନି” ପରି ଏକ ସାମୁଦ୍ରିକ ଝଡ଼ କୁ ସାମ୍ନା କରିବାକୁ ଯାଉଛି । ଆମ ଦୁହିଁଙ୍କ ଭିତର ନିରବତାକୁ ଭାଙ୍ଗି ରଶ୍ମି କହିଲା,

-ସଂଗ୍ରାମ, ଚାହୁଁ ଚାହୁଁ ଦୁଇବର୍ଷ ସରିଗଲା । ତା ସହ ଆମ ବନ୍ଧୁତ୍ଵକୁ ବି ଦୁଇ ବର୍ଷ ହେଇଗଲା । ମୁଁ ଚାହୁଁଚି ଆମ ବନ୍ଧୁତ୍ୱ ଏମିତି ରହି ଥାଉ ,ଶେଷ ନିଶ୍ୱାସ ପର୍ଯ୍ୟନ୍ତ । ଯେତେ ଭୁଲ ବୁଝାମଣା ଆସିଲେ ବି ଆଉ ଯେତେ ଝଡ଼ ଝଞ୍ଜା ଆସିଲେବି ଆମେ କେବେ ହେଲେ ଆମ ବନ୍ଧୁତ୍ଵକୁ ବଳି ଦେବନାହିଁ ଇ

-ହଁ (ଅନ୍ୟମନସ୍କରେ ମୁଁ କହିଲି)

-ତମେ ଅ।ପରେ ଯେଉଁଠି ଜବ̖ କରିବ ମତେ ଜଣେଇବ । ଆଉ କିଛି ଦିନ ଗଲେ ମୋ ବାହାଘର ସୂର୍ଯ୍ୟ ସହ ହେବ । ପ୍ଲିଜ ତମେ ଆସିବ ।

ରଶ୍ମି ମୁଖରୁ ଏହି ବାକ୍ୟ ସରୁ ସରୁ ,ସ୍ୱତଃ ମୋ ମୂଖରୁ ବାହାରି ପଡିଲା-ରଶ୍ମି …ଆଇ. ଲଭ.ୟୁ

ରଶ୍ମି ସେଇଠି ଛିଡା ହେଇଗଲା । ସେ କିଛି କହିବା ଆଗରୁ ..ମୁଁ କହି ଚାଲିଲି

ମୁଁ ତୁମକୁ ଭଲ ପାଏ, ତମକୁ ମ୍ୟାରେଜ̖ କରିବାକୁ ଚାହୁଁଚି ।

-ସଂଗ୍ରାମ…ତମେ ଏମିତି କଣ କହୁଚ । ଆମେ ଭଲ ସାଙ୍ଗ । ତାପରେ ସୂର୍ଯ୍ୟଙ୍କ ବିଷୟରେ ତମେ ସବୁ ଜାଣ,, ତମେ ଏମିତି କେମିତି ଭାବି ପାରୁଛ । ହୁଏତ ତମ ଭିତରେ ଏହା ଏକ କ୍ଷଣିକ ଆକର୍ଷଣ ଆସିଯାଇଛି । ସ୍ୱାଭାବିକ..ପୁଅ ପିଲା ମାନେ କୌଣସି ଝିଅକୁ ଦେଖୁ ଦେଖୁ ଭଲ ପାଇବସନ୍ତି । କିଛି ଦିନ ଗଲେ ସବୁ ଠିକ ହେଇଯିବ ।

ରଶ୍ମି କଥା ମୋର ଗୋଟିଏ କାନରେ ପଶି ଆର କାନ ପଟେ ବାହାରି ଯାଉଥାଏ । କ୍ଷଣିକ ପାଇଁ ମୁଁ ସ୍ୱାର୍ଥପର ହେଇଯାଇଥାଏ । ମୁଁ ଚାହୁଁଥାଏ ଏବେ ହିଁ ରଶ୍ମି ମୋ ଭଲପାଇବାକୁ ଗ୍ରହଣ କରୁ, ଆଉ ମତେ ଭଲପାଏ ବୋଲି କହୁ । ମୁଁ ବ୍ୟାକୁଳ ହେଇ କହିବାକୁ ଲାଗିଲି

-ନା ମୁଁ କିଛି ଜାଣିନି …ମୁଁ ତୁମକୁ ଭଲପାଏ..ଖାଲି ଏତିକି ଜାଣିଚି ।

-ସଂଗ୍ରାମ ଟିକେ ବୁଝିବାକୁ ଚେଷ୍ଟା କର..ପିଲାଙ୍କ ଭଳି ହୁଅନି ।

ରଶ୍ମି କୁ ଲାଗୁଥିଲା, ତା ଅତି ଆପଣାର ବନ୍ଧୁ, ସାମାନ୍ୟ ଆକର୍ଷଣ ର ଶିକାର ହେଇ, ଏଣୁ ତେଣୁ କଣ କହି ଯାଉଛି । ଦୁଇ ବର୍ଷ ଭିତର ରଶ୍ମି, ମୋର ଅନେକ ଅସୁବିଧା କୁ ସମାଧାନ କରିଛି । ଆଜିବି ସେ ଶତ ପ୍ରତିଶତ ପ୍ରଚେଷ୍ଟା କରି ଚାଲିଛି, ମତେ ବୁଝେଇବା ପାଇଁ ଆଉ ମନରେ ତିଆରି ହେଇଯାଇଥିବା ଭ୍ରମ କୁ ଦୂରେଇବା ପାଇଁ । ମୋର ର ଲୁହ ଜର୍ଜରିତ ଆଖି, ତୀବ୍ର ପାଗଳାମି, ଆଉ ବାରମ୍ବାର ପ୍ରେମ ନିବେଦନ ,ବାଧ୍ୟ କରିଥିଲା ରଶ୍ମି କୁ କଠୋର ହେବାପାଇଁ ।

କେତେବେଳ ମୁଁ ରଶ୍ମିକୁ ଅଜାଣତରେ ସ୍ପର୍ଶ କରିଦେଲି..ପ୍ରେମ ଭିକ୍ଷା କରୁ କରୁ.. ଜାଣି ପାରିନଥିଲି । ମୋ ହାତର ସ୍ପର୍ଶ ଦେଖି, ରଶ୍ମି.. ଉଚା ଗଳାରେ ଚିଲେଇବାକୁ ଲାଗିଲା

-ତମେ ମତେ ଛୁଇଁବାକୁ କେମିତି ସାହସ କଲ? ତୁମ ମନ ପାଗଳାମିକୁ ତୁମ ପାଖରେ ରଖ । ରଶ୍ମି କେବଳ ସୂର୍ଯ୍ୟର..। ତମେ କେମିତିକା ପିଲା । ତମକୁ ଟିକେ ଲାଜ ଲାଗୁନି..ତୁମ ଜୀବନ ଯେଉଁ ସୂର୍ଯ୍ୟ ବଂଚାଇଲା ଶେଷରେ ତାରି ଭାବି ସ୍ତ୍ରୀ ଉପରେ ନଜର ପକାଉଛ । ଛି..ଛି..ତୁମକୁ ବନ୍ଧୁ କହିବାକୁ ଖରାପ ଲାଗୁଚି । ମୁଁ ଭାବୁଥିଲି ଆମ ଭିତରେ ଭଲ ବନ୍ଧୁତ୍ୱ ଅଛି । ହେଲେ ଆଜି ତମେ

ସେଠି କଳଙ୍କ ଲଗାଇ ଦେଲ । ଈଶ୍ୱର କରନ୍ତୁ ତୁମ ସହ ମୋର କେବେ ଆଉ ଦେଖା ନହେଉ ।

ରଶ୍ମି ଆଜି ପ୍ରଥମ ଥର ପାଇଁ ନିଆଁ ପିଣ୍ଡୁଳା ପରି ଲାଗୁଥିଲା । ଆଜି ରଶ୍ମିରେ ଥିଲା ପ୍ରଖର ଉତ୍ତାପ । ମୋ ମନ ର ଭାବନା କୁ ପାଦରେ ଦଳି ଚକଟି ରଶ୍ମି ସମୁଦ୍ର ର ଢେଉ ପରି ଅପସରି ଗଲା ମୋ ଦୃଷ୍ଟି ପଥରୁ । ମୁଁ ସେମିତି ପଥର ଭଳି ଚାହିଁ ରହିଥାଏ ତାର ଫେରିଯାଉଥିବା ପାଦ ଚିହ୍ନ କୁ । ଏତିକିବେଳେ ଆକାଶରେ ଘୁରୁଥିବା ଖଣ୍ଡ ମେଘ ବର୍ଷ। ହେଇ ଗାଳିବାକୁ ଲାଗିଲା । ମେଘର ଆଢୁଆଳରେ ମୋ ଆଖି ଆକାଶ ରୁ ବି ଝରିପଡ଼ୁଥିଲା ଅଶ୍ରୁ ।

ରଶ୍ମି ଚାଲିଯାଇଥିଲା କଲେଜ̖ ଛାଡି । ରଶ୍ମି କହିଯାଇଥିବା କଥା ଗୁଡିକ ମାନ ଭିତରେ ସେମିତି ଥାଏ । ପୁଣି ଭାବୁଥାଏ । ରଶ୍ମି ତ ଠିକ କହିଛି । ସିଏ ସୂର୍ଯ୍ୟକୁ ଭଲ ପାଏ । ମୁଁ ଆସିବା ପୂର୍ବରୁ ସେ ଦୁହିଁଙ୍କର ସମ୍ପର୍କ । ସିଏ ମତେ କଣ ପାଇଁ ଭଲପାଇବ ?ମୋର ଭୁଲ̖ ହେଇଚି ..ରଶ୍ମି କୁ ମନ କଥା କହିଦେଇ । କେତେ ଭରସା ସେ କରୁଥିଲା ମୋ ବନ୍ଧୁତ୍ୱ ଉପରେ । ଶେଷରେ ମୋ ନିର୍ବୋଧ ପଣିଆ ପାଇଁ ,ପ୍ରେମକୁ ତ ପାଇଲି ନାହିଁ ହେଲେ ବନ୍ଧୁଟିଏ ହରେଇଲି । ନିଜକୁ ବହୁତ ଖରାପ ଲାଗୁଥିଲା । ନିଜକୁ ମୁଁ ଧିକାର କରୁଥିଲି ।

-ଛି ..ସଂଗ୍ରାମ ତତେ ମୁଁ ଏତେ ମନ। କଲ। ପରେ ବି ତୁ ଶେଷରେ ସେଇ ଭୁଲ̖ କଲୁ । ମୋ ବିବେକ̖ ମତେ କହୁଥିଲା ।

ଭାବିଲି..ଯାଉଛି, ପୁଣି ଟିକେ ନାଲି ପାଣି ପିଇଦେଇ ମନ ଭିତର ଦ୍ଵନ୍ଦ କୁ ଅଣଦେଖା କରିବି । ସେଇ ପୁରୁଣା ଗଳିରେ ପୁଣି ପାଦ ରଖିଲି । ମଦର ନୌକାରେ ନିଜ ପାପ କୁ ଦୂର ରାଇଜକୁ ପଠେଇଦେବାକୁ ପହଂଚିଲି କୁଇନ୍ସ ଵାର । ଵାରରେ ବସି ହାଲ୍କା ହାଲ୍କା ପେକ̖ ନବା ଆରମ୍ଭ କରିଦେଲି । ମୋ ଠୁ ଛାଡିକି ଦୁଇଟା ଟେବଲ ସେପଟୁ..ଏକ ଜଣା ଶୁଣା ସ୍ୱର ଶୁଣିବାକୁ ପାଇଲି । ଅବଶ୍ୟ ମଦ ନିଶାରେ କଥା କହିବା ଢଙ୍ଗିରେ ପରିବର୍ତ୍ତନ ଥିଲା..କିନ୍ତୁ ସ୍ୱର ଏକା ପରି ଲାଗୁଥିଲା । ଭଲକି ଦେଖେ ତ ସେ ବ୍ୟକ୍ତି ଜଣଙ୍କ ଥିଲ। ସୂର୍ଯ୍ୟ । ସେ ତାର ଗୋଟିଏ ବନ୍ଧୁ ସହ ପିଉଥିଲା ।

ସୂର୍ଯ୍ୟ ଉପସ୍ଥିତି ମତେ ଭଲ ଲାଗିଲା ନାହିଁ । ନା ..ଏଠୁ ମତେ ଯିବାକୁ ହବ । ଏତିକି କହି ମୁଁ ଉଠିବାକୁ ଲାଗିଛି ତ..ସେପଟୁ ସୂର୍ଯ୍ୟର ସାଙ୍ଗ କହିଲା

-ବୁଝିଲୁ ସୂର୍ଯ୍ୟ..ତୁ ଭାରି ଭାଗ୍ୟବାନ ..ରଶ୍ମି ଭଳି ସ୍ତ୍ରୀଟିଏ ପାଈବାଉ ।

-ନାଁ ରେ ..ଖାଲି ରଶ୍ମି କୁ ନୁହେଁ..ତା ବାପାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ବି ହେବି । ରଶ୍ମି ତ ଗୋଟିଏ ମୋହରା ମୋ ପାଇଁ ।

-ତୁ ରଶ୍ମି କୁ ଭଲ ପାଉନଥିଲୁ!!..ତେବେ ପ୍ରେମ କଣ ମିଛ !

-ମିଛ ନହେଲେ ବି ମିଛ ପରିକା । ତା ରୂପ ଯୌବନର ମୁଁ ପଥିକ । ତୁ ଭଲଭାବେ ଜାଣୁ.. ସୂର୍ଯ୍ୟ କେବେ କେଉଁ ଗୋଟିଏ ଫୁଲ ପାଖରେ ରହିପାରେନି । ରଶ୍ମି ମୋ ପାଇଁ ଗୋଟେ ବିଳାଶ ଦ୍ରବ୍ୟ । ଖାଲି ତାକୁ ବିବାହ କରି ସବୁ ସମ୍ପତି ନେଇ ଆସିଲେ ଖେଳ ଖତମ ।

ଏସବୁ ଶୁଣି, ମୋ ପାଦ ତଳୁ ମାଟି ଖସି ପଡୁଥିଲା । ମତେ ବେଶି ନିଶା ହେଇଯାଇନିତ ! ନିଜକୁ ଚିମୁଟିବାକୁ ଲାଗିଲି । ନା ମୁଁ ସମ୍ପୂର୍ଣ ହୋସରେ ଅଛି । ହେଲେ ସୂର୍ଯ୍ୟ….ତା କଥା କାଇଁ ବିଶ୍ୱାସ ହେଉନି ମୋର । ସୂର୍ଯ୍ୟ.. ଭଲପାଇବାର ନାଟକ କରୁଛି !!..ହେ ଭଗବାନ ..ରଶ୍ମି ଯାହାକୁ ମନ ମନ୍ଦିର ର ଦେବତା ଭାବୁଛି..ସେ କଣ ଗୋଟେ ଲମ୍ପଟ । ଗୋଟେ ଠକ.., । ଗୋଟିଏ ସରଳ ଝିଅକୁ ଫସାଇ ତା ଜୀବନ ବର୍ବାଦ କରିବା କଣ ତାର ସଉକ !! ନା..ମୁଁ ସୂର୍ଯ୍ୟ ସହ ରଶ୍ମିର ବାହାଘର କେବେବି ହେବାକୁ ଦେବୀ ନାହିଁ ।

ସେପଟୁ ପୁଣି ସୂର୍ଯ୍ୟର ସାଙ୍ଗ କହିଲା

-ସେ ଟୋକାଟାର ଖବର କଣ ? ଯିଏ ରଶ୍ମିର ବେଷ୍ଟ ଫ୍ରେଣ୍ଡ ବୋଲି କହୁ । କଣ ତା ନାଁ ଟା ତ….

-ସଂଗ୍ରାମ…। ସୂର୍ଯ୍ୟ କହିଲା

-ତୁ କୁଆଡେ କହୁଥିଲୁ ..ସିଏ ରଶ୍ମିର ପାଖେ ପାଖେ ରହୁଛି ପୁରା । କିନ୍ତୁ ତତେ ମାନିବାକୁ ପଡିବ .. ତା ଆକ୍ସିଡେଣ୍ଟ ସମୟରେ ..ତାର ସବୁ ଦାଇତ୍ୱ ତୁ ନେଇଥିଲୁ ।

ସୂର୍ଯ୍ୟ ତା ବନ୍ଧୁର କଥା ଶୁଣି ହସିବାକୁ ଲାଗିଲା । ଆଉ କହିଲା …

-ଗାଡି ଆକ୍ସିଡେଣ୍ଟ, ମୁଁ ନିଜେ ହିଁ କରିଥିଲି…

-ମାନେ …

-ହଁ ସାଙ୍ଗ …ରଶ୍ମି ଠାରୁ, ସଂଗ୍ରାମ ବିଷୟରେ ସବୁବେଳେ, ଶୁଣୁ ଶୁଣି ମତେ କାଇଁ ଲାଗିଲା, ମୋ ସୁନା ଅଣ୍ଡା ଦିଆ କୁକୁଡ଼ା ଉପରେ ଏବେ କାହାର ନଜର ପଡ଼ିଲାଣି । ରଶ୍ମି ସହ ଦେଖା ହେବ। ଦିନ, ତା ସହ ବି ଦେଖା ହେଇଥିଲା ..ମତେ ସନ୍ଦେହ ହେଲା ସେଦିନ, ତା ବ୍ୟବହାର ରୁ । ସେଦିନ ରାସ୍ତାରେ ସେ ଏକୁଟିଆ ନିଶାରେ ଟଳି ଟଳି ଆସୁଥିଲା ଆଉ ମୁଁ ଜାଣି ଜାଣି ତାକୁ ଧକା ଦେଇଥିଲି । ଭାବିଲି ସିଏ ମରିଯିବ..। ହେଲେ ଆକ୍ସିଡେଣ୍ଟ ରେ ସେମିତି କିଛି ହେଲା ନାହିଁ ତାର..କି ସେ ସ୍ପଟ̖ରେ ଡେଥ̖ ହେଇଯାଇଥାନ୍ତା । ମୁଁ ମୋ ପ୍ଲାନ̖ ରେ ଟିକେ ପରିବର୍ତ୍ତନ ଆଣିଲି । ରଶ୍ମି ନଜରରେ ନିଜକୁ ଭଗବାନ କରିବାକୁ ଯାଇକି, ସେଦିନ ସଂଗ୍ରାମ କୁ ହସ୍ପିଅଟଲ ଆଣିଲି ଆଉ ତାର ଦେଖା ଶୁଣା କଲି ….

ହେ ଭଗବାନ..କେଡେ ଭୟଙ୍କର ଏ ଜନ୍ତୁ..। ଇଏ ତ ପିଶାଚ ଠାରୁ ବାଲିଗଲା । ରଶ୍ମି କୁ ଯଦି ଇଏ ବିବାହ

କରିବ..ତେବେ ସବୁ କିଛି ସରିଯିବ । ସିଧା ଯାଇକି ତା କଲର̖ ଧରି ଘୋଷାଡ଼ି ଆଣିବି କି ରଶ୍ମିକୁ ଫୋନ କରି ସବୁ ଜଣାଇବି ମୁଁ ଚିନ୍ତା କରିପାରୁନଥିଲି । ଚାରିଆଡ ମତେ ଅନ୍ଧାର ଦିଶୁଥିଲା । ଏତେ ବଡ଼ ବିଶ୍ୱାସଘାତକତା କୁ ସହ୍ୟ କରି ହେଉନଥିଲା । ଲାଗୁଥିଲା ଯେମିତି ଏହି କ୍ଷଣି ପୃଥିବୀ ଖସି ପଡିବ । ବିଶ୍ୱାସ ବୋଲି ଗୋଟେ ଶବ୍ଦ ଆଜି ତାର ଅସ୍ତିତ୍ବ ହରେଇଦେଇଛି । ସୂର୍ଯ୍ୟ ପାଇଁ ଯେଉଁ ସ୍ବପ୍ନ ଆଜି ରଶ୍ମି ଆଖିରେ ଘର କରିଛି, କାଲି ସେ ମାଟିରେ ମିଳେଇ ଯିବ । ସହି ପାରିବନି ମୋ ବାନ୍ଧବୀ ରଶ୍ମି । ମୋ ମୁଣ୍ଡ ଘୁରାଇ ଦେଉଥାଏ..କଣ କରିବି କିଛି ଚିନ୍ତା କରିପାରୁନଥାଏ । ଏସବୁ ଭାବିବା ଭିତରେ କେତେବେଳେ ସେ ଦୁହେଁ ଵାର̖ ଛାଡି ଯାଇସାରିଥିଲେ ।

ମୁଁ ବିଳମ୍ବ ନକରି, ରଶ୍ମିକୁ ସିଧା ଫୋନ̖ କାଲି,ଆଉ ସେ କହିଲା …

-ହଁ ସଂଗ୍ରାମ କୁହ । ଏବେ ପୁଣି କଣ କହିବି? ତୁମ ଫୋନ ଉଠାଇବାକୁ ଜମାରୁ ଇଛା ନଥିଲା । ଖାଲି ପୁରୁଣା ସମ୍ପର୍କ କୁ ଦେଖି ଉଠେଇଲି ।

-ରଶ୍ମି ତମେ ମତେ ଯାହା ଭାବୁଛ ଭାବ । ଯେତେ ଗାଳି ଦଉଚ ଦିଆ ମୋର ଟିକେ ବି ଦୁଃଖ ନାହିଁ । ହେଲେ ଗୋଟେ କଥା ଶୁଣ । ଦୟାକରି ତୁମେ ସୂର୍ଯ୍ୟକୁ ବାହା ହୁଅନାହିଁ ।

-ହ୍ବାଟ ନନସେନ୍ସ । ଏଇଆ କହିବାକୁ ଫୋନ̖ କରିଥିଲ । ଭଲ ପାଇବାର ଭୁତ ବୋଧେ ଏଯାଏଁ ତମ ମାଥାରୁ ଓହ୍ଲେଇନି । ସଂଗ୍ରାମ କଣ ପାଇଁ ଏମିତି ହଉଛ?

-ରଶ୍ମି ମତେ ବିଶ୍ୱାସ କର । ମୁଁ ବନ୍ଧୁ ହିସାବ ରେ ତମକୁ ଫୋନ̖ କରିଛି । ସୂର୍ଯ୍ୟ ଜମାରୁ ଭଲ ପିଲା ନୁହେଁ । ସେ ଗୋଟେ ଲମ୍ପଟ । ଗୋଟେ ଚରିତ୍ର ହିନ । ସେ ତୁମ ବାପାଙ୍କ ସମ୍ପତି କୁ ଭଲ ପାଏ । ଅନେକ ଝିଅଙ୍କ ସହ ତାର ସମ୍ପର୍କ ।

-ଓଃ ୟୁ ..ଚୁପ̖ ..ଏକଦମ ଚୁପ̖…। ନକହି ନକହି ତମେ ବହୁତ କଥା କହି ଗଲଣି । ତମର ସାହସ କେମିତି ହେଲା ମୋ ସୂର୍ଯ୍ୟଙ୍କ ବିଷୟରେ ମତେ ଏମିତି କହିବାକୁ । ତମ ମନରେ ମୋ ପାଇଁ ଏଇଆ ଅଛି ତାହେଲେ । ମତେ ପାଇଲାନାହିଁ ବୋଲି ଶେଷରେ ସୂର୍ଯ୍ୟଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠଉଚ । ସହିବାର ସୀମା ମୁଁ ଟପି ସାରିଲିଣି । ତୁମକୁ ଗାଳି ଦେବା ଆଗରୁ ଫୋନ ଚୁପ̖ ଚାପି ରଖ ।

-ରଶ୍ମି ମତେ ବିଶ୍ୱାସ କର । ମୁଁ ମିଛ କହୁ ନାହିଁ। ଆଜି ସୂର୍ଯ୍ୟ ଆଉ ତାର ଜଣେ ବନ୍ଧୁ କୁଇନ୍ସ ବାର ରେ ଡ୍ରିଂକ୍ସ କଲାବେଳେ , ସବୁ କଥା ମୁଁ ଶୁଣିଛି।

-ଓଃ ତୁମେ ଏବେ ଵାର̖ ରେ ..ଯାଅ ମୁହଁ ଧୋଇକି ଶୋଇପଡିବ । ତମକୁ ନିଶା ଛାଡ଼ିନି । ଆଡୁ ସାଡୁ କିଛିବି ଗପୁଚ ।

-ମତେ ଟିକିଏ ବି ନିଶା ହେଇନି । ମୁଁ ପୁରା ହୋସ ରେ ଅଛି । ଦେଖ ରଶ୍ମି ମୋ କଥାକୁ ଭଲସେ ଭାବିକି ଦେଖ । ସୂର୍ଯ୍ୟ ସହ ବିବାହ କଲେ ତମ ଜୀବନ ନଷ୍ଟ ହେଇଯିବ । ତୁମେ ଆଉ ଯାହାକୁ ବାହା ହେଉଛ ହେଇଯାଅ ମୋର ଦୁଃଖ ନାହିଁ ।

-ବନ୍ଦକର ତମେ ଏ ନାଟକ । ସୂର୍ଯଙ୍କର ଆଜି ଗୋଟେ ଏମର୍ଜେନ୍ସି ଅପେରସନ ଅଛି । ସେ ସେଠି ବ୍ୟସ୍ତ ଅଛନ୍ତି । ମତେ ଫୋନ̖ କରିଥିଲେ , କିଛି ସମୟ ଆଗରୁ ।

-ସିଏ ତମକୁ ମିଛ କହୁଛି । ମୋ ସାମ୍ନାରେ ବସି ସେ ମଦ ପଉଥିଲା । ଆଉ ତମେ ଜାଣିଛ !! ସେଦିନ ସୂର୍ଯ୍ୟ ନିଜେ ହିଁ ମତେ ଗାଡି ଚଢେଇ ମାରିବାକୁ ଚେଷ୍ଟା କରିଥିଲା । ସେ ନିଜେ ଆଜି ତା ସାଙ୍ଗ କୁ କହୁଥିଲା ।

-ସଂଗ୍ରାମ ..ନିଶା ତମକୁ ବହୁ ଜୋରରେ ଚଢ଼ିଗଲାଣି । ଯୋଉ ଲୋକ ତମକୁ ବଂଚେଇଲା ,,ତମେ ତା ପ୍ରତି ଏମିତି କଥା କହି ପାରୁଛ । ଛି ତମେ ମଣିଷ ନା ଗୋଟେ ଦାନବ । ଶେଷରେ ତାଙ୍କୁ ହତ୍ୟାକାରୀ ସଜାଇବାକୁ ଚେଷ୍ଟା କରୁଚ । ମତେ ନିଜକୁ ଖରାପ ଲାଗୁଚି ତମକୁ ମୋ ବନ୍ଧୁ କହିବାକୁ ।

ଶୁଣ ଆର ସପ୍ତାହ ରେ ମୋ ବାହାଘର । ତମକୁ ଆମ ବନ୍ଧୁତ୍ୱର ରାଣ, ସୂର୍ଯ୍ୟ ଆଉ ମୋ ଜୀବନରେ ତମେ ମୁଣ୍ଡ ପୁରାଅ ନାହିଁ .ପ୍ଲିଜ ….

ଏତିକି କହି ରଶ୍ମି ଫୋନ କାଟିଦେଲା । ମୋ ଆଖି ଆଗରେ ଜାଣି ଜାଣି ମୋ ପ୍ରିୟ ବାନ୍ଧବୀ ପ୍ରବେଶ କରୁଥିଲା ଏକ ଜ୍ୱାଳାମୁଖୀ ଭିତରକୁ । ହରେଇ ଦେଇଥିବା ବିଶ୍ୱାସ ଆଉ ଭରସା, ମତେ ରଶ୍ମି ସମ୍ମୁଖରେ ମିଥ୍ୟାବାଦୀ ଓ ବନ୍ଧୁଦ୍ରୋହୀ ର ପରିଚୟ ଦେଇଥିଲା । ସେଦିନ ରଶ୍ମି କୁ ପ୍ରେମ ନିବେଦନ କରି ବଡ଼ ଭୁଲ କରିଦେଲା ପରି ଲାଗୁଥିଲା । ହୁଏତ ଆଜି ରଶ୍ମି ମତେ ବିଶ୍ୱାସ କରିଥାନ୍ତା…. । ତାର ଆଗାମୀ ଦୁଃଖମୟ ଭବିଷ୍ୟତ ର ଆଭାସ ପାଇ,, ମୋ ଓଠରୁ ଅଜଣାତରେ ବାହାରି ଆସିଥିଲା ଶବ୍ଦ ଟିଏ ..”ବାନ୍ଧବୀ” ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ତୃପ୍ତି ରଞ୍ଜନ ଦାସ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି କରିସାରିବା ପରେ ଏବେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଗପ ଓ କବିତା ଆଦି ରଚନା କରନ୍ତି । କଳା କ୍ଷେତ୍ରରେ ରୁଚି ରଖୁଥିବା ତୃପ୍ତିଙ୍କର ଦୁଇଟି କବିତା ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି; ତନ୍ମଧ୍ୟରୁ ତାଙ୍କର ପ୍ରଥମ କବିତା ସଂକଳନଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମନୋନୀତ ହୋଇଥିଲା ।