You are currently viewing ✍ ଉନତ୍ରିଂଶ ସମ୍ପାଦକୀୟ
Editorial Page of Shubhapallaba 29th Edition

✍ ଉନତ୍ରିଂଶ ସମ୍ପାଦକୀୟ

ଦେଶ ଧୀରେ ଧୀରେ ମୁକୁଳୁଥିଲା ପ୍ରଥମ ଲହରର ବନ୍ଧନରୁ; ସାଧାରଣ ହେବାକୁ ଲାଗୁଥିଲା ଜୀବନ ଜୀବିକା । କଟକଣାରେ ଭୁଶୁଡି ପଡ଼ିଥିବା ଅର୍ଥନୀତି ଅଣ୍ଟା ସଳଖୁଥିଲା, ଚଳ ଚଞ୍ଚଳ ହେଉଥିଲା ରାସ୍ତାଘାଟ, ଦୋକାନ ବଜାର । ଲାଗୁଥିଲା ସତେ ଯେମିତି ଆମେ ବିଜୟୀ ହୋଇଛେ ଏ ଅଜଣା ଆତଙ୍କ ବିରୁଦ୍ଧ ଯୁଦ୍ଧରେ । କିନ୍ତୁ ନା ! ଏ ଭିତରେ ଶତ୍ରୁ ନୂତନ ରୂପରେ ତାହାର ବଳ ସଞ୍ଚରୁଥିଲା ଏବଂ ଆକ୍ରମଣ କଲା ପ୍ରଚଣ୍ଡ ଭାବରେ । କେହି କଣ ଭାବିଥିଲା ଆକ୍ରମଣ ଏତେ ଭୟାବହ ହେବ ! ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରିସରିବା ପରେ ଏମିତି ପରାଜୟ ଭୋଗିବାକୁ ହେବ !! ଚାହୁଁ ଚାହୁଁ ଅଣାୟତ୍ତ ହେବାକୁ ଲାଗିଲା ପରିସ୍ଥିତି, ପୁଣି ଅସହାୟ ହୋଇ ଉଠିଲା ମାନବ ସମାଜ । ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ପ୍ରାଣହାନି କେତେ ଯେ ପରିବାରକୁ ଉଜାଡ଼ି ଦେଇଗଲା କାହା ପାଖରେ ତା’ର ହିସାବ ଅଛି !? ଦ୍ଵିତୀୟ ଲହରର କରାଳ ପ୍ରବାହରେ କେହିନା କେହି ନିଜର ଆତ୍ମୀୟଙ୍କୁ ହରାଇ ମ୍ରିୟମାଣ ହୋଇଛନ୍ତି ନିଶ୍ଚୟ । ଅବଶ୍ୟ ଏ ସବୁ ଭିତରେ କିଛି ଅନାଲୋଚିତ ଦିଗଗୁଡ଼ିକର ପ୍ରଭାବ କିନ୍ତୁ ବେଶ ସୁଖକର । ତାଲା ବନ୍ଦ ଯୋଗୁ ବର୍ଷ ବର୍ଷ ଧରି ବିଛିନ୍ନ ଥିବା ପରିବାର ପୁଣି ଏକାଠି ହେବା ଓ କିଛି ଅନ୍ତରଙ୍ଗ ମୁହୁର୍ତ୍ତ ପୁଣି ଜୀଇଁବା ନିଶ୍ଚୟ ସୁଖଦୟକ । ନିର୍ଦ୍ଦିଷ୍ଟ ବେତନଧାରିମାନଙ୍କର ବଦ ଖର୍ଚ୍ଚ କମି ସଞ୍ଚୟ ବଢ଼ିବା ଏବଂ ସେଥିରେ ଭବିଷ୍ୟତପାଇଁ କିଛି ଯୋଜନା କରିପାରିବା ମଧ୍ୟ ଅତ୍ୟନ୍ତ ଶୁଭଙ୍କର । ପରିବେଶ ପ୍ରଦୂଷଣ କମି ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରାରେ ସୁଧାର ଆସିବା କୌଣସି ଲାଟେରୀ ଜୀତିବାଠୁ କମ ନୁହେଁ । ସବୁଠାରୁ ମହତ୍ୱପୂର୍ଣ୍ଣ ହେଲା, ଏ ପ୍ରକାର ବନ୍ଦୀ ଜୀବନ ପାଇଁ ଆମକୁ ଏକ ପ୍ରକାର ବାଧ୍ୟ କରିଥିବା ଏ ମହାମାରୀ ଆମକୁ ଆହୁରି ଦାୟିତ୍ୱ ସମ୍ପନ୍ନ ହେବା ଶିଖାଇଛି । ପରିବାର ପ୍ରତି, ପରିବେଶ ପ୍ରତି, ସମାଜ ପ୍ରତି ଥିବା ଆମ ଦାୟିତ୍ୱବୋଧ ଆମ ଭିତରେ ଥିବା କଳ୍ମଷକୁ ଦୂରକରି ଆମକୁ ଆହୁରି ଦାଇତ୍ୱ ସମ୍ପନ୍ନ କରାଇବ ନିଶ୍ଚିତ ।

ଭାରତର ସ୍ଵତନ୍ତ୍ରତା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ

ଜୟ ଜଗନ୍ନାଥ

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।