You are currently viewing ଆକାଶ ଓ ପୃଥିବୀ
Odia Poem Akasha o Pruthibi (ଆକାଶ ଓ ପୃଥିବୀ) by Annapurna Dhal

ଆକାଶ ଓ ପୃଥିବୀ

ଅନନ୍ତ ଦୂରତା ଦୁହିଙ୍କ ମଧ୍ୟରେ
ତଥାପି ନିବିଡ଼ ପ୍ରେମ,
ଏତେ ଅତ୍ମୀୟତା କିପରି ସମ୍ଭବ
ମନେ ଜାଗିଉଠେ ଭ୍ରମ !!

କାହିଁ ସେ ଆକାଶ କେଉଁଠି ପୃଥିବୀ
ମଝିରେ ଦୂରତା ଯେତେ,
ଅମର ଶାଶ୍ୱତ ପ୍ରେମ ନିକଟରେ
ଦୂରତାର ଶକ୍ତି କେତେ?

ସାତ ରଙ୍ଗେ ତାକୁ ସଜାଇ ଦେଇଛି
ଯେତେବେଳେ ଯାହା ଲୋଡ଼ା,
ସବୁଜ ଶାଢ଼ୀକୁ ମୋତି ବିନ୍ଦୁ ଛିଟା
ଗଭାକୁ ତା’ କୃଷ୍ଣଚୂଡ଼ା ।

ମାଗିବ ନାହିଁ ସେ ମୁଁହ ଖୋଲି କେବେ
ସେ ତ ବଡ଼ ଅଭିମାନୀ,
ମାଗିବା ଆଗରୁ ପୂର୍ଣ୍ଣ କରିଦିଏ
ପ୍ରିୟା ମନ କଥା ଜାଣି ।

ନିଦାଘର ବ୍ୟଥା ଦୂର କରିବାକୁ
ପଠାଏ ଶ୍ରାବଣ ଧାରା
ଭୋକିଲାର ପେଟ ଭରିବାକୁ ଦିଏ
କେତେ ଜାତି ଶସ୍ୟ ପରା ।

ଅନନ୍ତ ଯୋଜନ ଦୂରରୁ ଦର୍ଶନ
ତଥାପି ପୁଲକ କେତେ
ଅମର ଶାଶ୍ୱତ ପ୍ରେମ ନିକଟରେ
ଦୂରତାର ଶକ୍ତି କେତେ??

– ଅନ୍ନପୂର୍ଣ୍ଣା ଧଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅନ୍ନପୂର୍ଣ୍ଣା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।