You are currently viewing ଦଣ୍ଡ ଯାତ୍ରା
Ganjam Danda Jatra

ଦଣ୍ଡ ଯାତ୍ରା

“ବାର ମାସରେ ତେର ପର୍ବ” କଥାଟି ରହିଆସିଛି ଆମ ପୂର୍ବପୁରୁଷଙ୍କ ଅମଳରୁ । ଓଡ଼ିଆମାନଙ୍କର ବାରମାସରେ ତେର ପର୍ବ । ସେଇ ପର୍ବମାନଙ୍କୁ ନେଇ ତ ଜଣେ ଓଡ଼ିଆ ଗର୍ବ କରେ । ଓଡି଼ଶା ଭିତରେ ହେଉ କି ଓଡି଼ଶା ବାହାରେ ଓଡି଼ଆ ପୁଅ କେବେ ତା’ର ପରମ୍ପରାକୁ ଭୁଲିଯାଏନି । ରଜ ପର୍ବଠାରୁ ଆରମ୍ଭ କରି ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ଶୀତଳ ଷଷ୍ଠିରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ଆଦି । ଦୀପାବଳିରେ, “ବଡ଼ ବଡ଼ୁଆ ହେ ! ଗଙ୍ଗା ଯାଆ, ଗୟା ଯାଆ ବାଇସି ପାହାଚେ ଗୋଡ଼ ଗଡ଼ୋଉଥା” କହି ଆମେ ପୂର୍ବ ପୁରୁଷଙ୍କୁ ମନେ ପକେଇଥାଉ । ଜଗତ ଜନନୀ ମାଆ ମହିଷା ମର୍ଦ୍ଦିନୀଙ୍କର ବିଜୟା ଦଶମୀ ଅଥବା ଦଶହରା ପର୍ବ ଖୁବ ଆନନ୍ଦରେ ପାଳନ କରନ୍ତି ଓଡି଼ଶାବାସୀ । ଓଷାମାନଙ୍କ ଭିତରେ, ଦ୍ୱିତୀୟା ଓଷା, କାଞ୍ଜି ଅଁଳା, ଦାଣ୍ଡ ପହଁରା ଓ ବାଟ ଓଷା, ବଡ଼ ଓଷା, ବୁଧେଇ ଓଷା, ଷଠି ଓଷା, ନାଗ ଚତୁର୍ଥୀ ଇତ୍ୟାଦି ମାଆମାନେ ପରିବାରର ଶୁଭମନାସି ପାଳନ କରିଥାନ୍ତି । ବସନ୍ତ ପଞ୍ଚମୀ, ବଉଳ ଅମାବାସ୍ୟା, ଦୋଳପୂର୍ଣ୍ଣିମା, ହୋଲି, ରାମ ନବମୀ ଓ ପଣା ସଂକ୍ରାନ୍ତି ଆଦି ପାଳନ କରନ୍ତି ।

ବୈଶାଖ ମାସରେ ପାଳନ ହେଉଥିବା ପଣା ସଂକ୍ରାନ୍ତିକୁ ଓଡି଼ଆ ନବବର୍ଷ ଭାବରେ ପାଳନ କରଯାଏ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଚୈତ୍ର ମାସର ସଂକ୍ରନ୍ତି/ମେରୁ ପୂର୍ବରୁ ପ୍ରଭୁ ପାର୍ବତୀମହେଶ୍ୱରଙ୍କର “ଦଣ୍ଡଯାତ୍ରା” ପାଳନ କରାଯାଏ । ଏହା ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ବହୁ ପ୍ରସିଦ୍ଧ ଯାତ୍ରା । ପ୍ରଭାତରୁ ସ୍ନାନସାରି ପାଟଦଣ୍ଡୁଆ ଓ ଦଣ୍ତୁଆମାନେ ପ୍ରଭୁଙ୍କର ନଦୀ କୂଳରେ କିମ୍ବା ପୁଷ୍କରିଣୀରେ ସ୍ନାନ କରାନ୍ତି ଓ ପରେ ବ୍ରାହ୍ମଣଙ୍କ ମନ୍ତ୍ରରେ ପ୍ରତ୍ୟେକ ଦଣ୍ଡୁଆମାନେ ପଇତା ପକାଇ ସଂକଳ୍ପ କରିଥାନ୍ତି । ଏହାକୁ ପାଣିତୋଳନ କୁହାଯାଏ । ଏହି ଦିନଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଏହିବ୍ରତକୁ ଦଣ୍ଡୁଆମାନେ ନିର୍ଜଳ ଉପବାସରେ ସାରାଦିନ ରହି ବ୍ରତର ନିୟମ ଅନୁଯାୟୀ ଶାନ୍ତପରିବେଶରେ କେବଳ ଥରେ ପଣାସାରିଥାନ୍ତି । ପାଣିତୋଳନ ପରେ ପ୍ରଭୁ ଶିବଶଙ୍କର କୋଠିକୁ ଯାଇଥାନ୍ତି ଆଉ ପରେ ଭୋଗ ଖାଇ ଗାଁ ଭ୍ରମଣରେ ଆସନ୍ତି ।

Danda Jatra

ପ୍ରଥମେ ଗାଁ ଦାଣ୍ଡରେ ଦଣ୍ଡ ଖେଳ ହୁଏ । ଢୋଲିଆର ଢୋଲର ତାଳେ ତାଳେ ଦୁଇ ପାଟଦଣ୍ଡୁଆ ଦଣ୍ଡ ଖେଳନ୍ତି । ଗାଁର ଶୁଭମନାସି ଗାଁର ଚତୁଃପାର୍ଶ୍ୱରେ ଦଣ୍ଡରେ ଝୁଣା ପୋଡ଼ାଯାଏ । ପରେ ଗାଁର ସାହି ଭିତରେ ପୌରାଣିକ ନାଟକ ଯଥା- ଯୋଗି ଯୋଗିଆଣୀ କଳି, କୋଳି ବିକା, କାଳିୟଦଳନ, ଲବକୁଶ ଜନ୍ମ, ଲକ୍ଷ୍ମୀ ଓ ପାର୍ବତୀ କଳି ଏବଂ ପ୍ରଭୁଙ୍କର ତାଣ୍ଡବ ନୃତ୍ୟ ଆଦି ପରିବେଷଣ କରାଯାଏ । ଗୋଟିଏ ଗାଁର ଠାକୁର ରାତିରେ ଅନ୍ୟ ଗାଁକୁ ମଧ୍ୟ ଭ୍ରମଣ କରିବାକୁ ଯାଆନ୍ତି । ସେଠାରେ ମଧ୍ୟ ଦଣ୍ଡ ନାଚ ହୋଇଥାଏ । ବେଳେବେଳେ ଗାଁରେ ଅନ୍ୟ ଗାଁ ଠାକୁରଙ୍କ ସହ ମିଳନ ହୋଇଥାଏ । ଆମ ପୂର୍ବ ପୁରୁଷମାନେ କହିଛନ୍ତି ଠାକୁରଙ୍କ ମିଳନ ଦେଖିଲେ ଅନେକ ପୂଣ୍ୟ ମିଳେ । ଦଣ୍ଡରେ ମିଶିଥିବା ଦଣ୍ତୁଆମାନଙ୍କ ଘରେ ସ୍ତ୍ରୀମାନଙ୍କୁ ସିନ୍ଦୁର ଲଗାଇବା ଓ ସଜବାସ ହେବାକୁ ବାରଣ କରାଯାଇଥାଏ । ଘରେ ମଧ୍ୟ ପରିବାରର ସବୁ ସଦସ୍ୟ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି । ଏହି ବ୍ରତ ସାଧାରଣତଃ ତେର ଦିନ କିମ୍ୱା ଏକୋଇଶ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ପଣା ସଂକ୍ରାନ୍ତି ଦିନ ଏହି ବ୍ରତର ଉଜ୍ଜାପନି ହୋଇଥାଏ । ପଣାପିଇ ଦଣ୍ଡୁଆମାନେ ଘରକୁ ଫେରିଥାନ୍ତି । ଅନେକ ସ୍ଥାନରେ ଦଣ୍ତୁଆମାନେ ନିଆଁରେ ମଧ୍ୟ ଚାଲିଥାନ୍ତି । ମାନସିକ ପୂରଣ ନିମନ୍ତେ ଦଣ୍ତୁଆମାନେ କଣ୍ଟାରେ ଚାଲିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଦଣ୍ଡୁଆମାନଙ୍କ ପିଠିରେ କଣ୍ଟା ଫୁଟାଇ ଅରଟିରେ ଘୁରାଇଥାଆନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଥାଏ ।

Danda Jatra

“ଶିବ ବୋଇଲେ ଲୋ ଶିବା ଦଣ୍ଡ ଯାତ୍ରା ଭିଆଇବା” ଏହିସବୁ ଗୀତ ଦଣ୍ଡନାଚରେ ଶୁଣିବାକୁ ମିଳେ । ତେବେ ପିଲାଦିନେ ଦଣ୍ଡନାଚ ଦେଖିବାକୁ ଯେଉଁ ଆଗ୍ରହ ଥିଲା ତାହା ଏବେ କମିଗଲାଣି କାରଣ ଏବେ ପୌରାଣିକ ନାଟକ ଅପେକ୍ଷା ଆଧୁନିକ ନାଟକ ପରିବେଶଣ ହେଉଛି । କିନ୍ତୁ ଅନେକ ସ୍ଥାନରେ ପୌରାଣିକ ନାଟକ ଆଜି ବି ଜୀବିତ ଅଛି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।