You are currently viewing ବନଫୁଲ
ବନଫୁଲ

ବନଫୁଲ

ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସ୍ନାତୋକୋତ୍ତର ହେଇ ନିଜ ରାଜ୍ୟକୁ ଫେରିଲେ ପ୍ରଭାସ ! ସିଭିଲ୍ ଇଞ୍ଜିନିଅରିଂ ତାଙ୍କର ବିଶେଷତା ହେଇଥିବାରୁ ପ୍ରଥମ ପୋଷ୍ଟିଙ୍ଗ୍ ହେଲା ଗୋଟିଏ ଡ୍ୟାମ୍ ପ୍ରୋଜେକ୍ଟରେ । କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ପ୍ରଭାସଙ୍କର ପରିବାର ଲୋକେ ଗୋଟିଏ ସୁନ୍ଦର ପ୍ରସ୍ତାବ ଦେଖି ତାଙ୍କର ଶୁଭପରିଣୟ ସମ୍ପର୍ଣ୍ଣ କରେଇ ଦେଇଥିଲେ । ନୂଆନୂଆ ବିବାହିତାଙ୍କୁ ନେଇ ପ୍ରଭାସ ସେଇ ଅଜଣା ଜାଗାକୁ ଯିବାକୁ ଅପ୍ରସ୍ତୁତ ଥିଲେ, ତେଣୁ ପତ୍ନୀଙ୍କୁ ସହରରେ ଛାଡ଼ି ସେ ପ୍ରସ୍ତୁତ ହେଲେ ଗନ୍ତବ୍ୟ ସ୍ଥଳକୁ ପ୍ରସ୍ଥାନ ନିମନ୍ତେ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପର୍ବତ ଯୁଗଳଙ୍କର ମଧ୍ୟରେ ନିର୍ମାଣ କରାଯାଉଥାଏ ଡ୍ୟାମର ମୁଖ୍ୟ ବନ୍ଧ । ପର୍ବତ ପାଦ ଦେଶରେ କାଳ କାଳରୁ ବହି ଯାଉଛି ସୁନ୍ଦର ନଦୀଟିଏ ଆଉ ନଦୀର ଅନ୍ୟ ପାର୍ଶ୍ୱରେ ବିସ୍ତୀର୍ଣ୍ଣ ମାଳଭୂମି, ଡ୍ୟାମ୍ ପ୍ରୋଜେକ୍ଟ ପାଇଁ ପୂରାପୂରି ଉଦିଷ୍ଟ ସ୍ଥାନଟିଏ । ପର୍ବତର ଅନ୍ୟ ପାର୍ଶ୍ୱରେ ଗଢ଼ି ଉଠିଛି ଅନେକ ଛୋଟ ବଡ଼ ଜନବସତି, ସେଗୁଡ଼ିକୁ ଛୋଟ ଛୋଟ ଗାଁ ବି କହି ପାରିବା ।

ସୁମନ୍ତ ସେଇ ପ୍ରୋଜେକ୍ଟରେ କିଛି ବର୍ଷ ହେବ ଡ୍ୟାମ୍ ପର୍ଯ୍ୟବେକ୍ଷକଙ୍କର ସହକର୍ମୀ ହିସାବରେ କାମ କରୁଛନ୍ତି । ଏଇ ବର୍ଷେ ପୂର୍ବରୁ ତାଙ୍କର ସହଧର୍ମିଣୀଙ୍କର ଅଜଣା ରୋଗରେ ଦେହାନ୍ତ ହେଇ ଯାଇଥିଲା ଆଉ ଛାଡ଼ି ଯାଇଥିଲେ କୋମଳମତି ଶିଶୁଟିଏ ସୁମନ୍ତଙ୍କ କୋଳରେ । “ବନ”, ସମସ୍ତେ ସ୍ନେହରେ ଡାକନ୍ତି ସେ କୁନି ଝିଅଟିକୁ ! ବୟସ ୪ କି ୫ ହେବ, ଅଙ୍ଗନବାଡ଼ିରେ ପଢ଼ୁଥାଏ । ଦିନବେଳେ ସୁମନ୍ତ କାମକୁ ଆସିଲାବେଳେ ପଡ଼ିଶା ଘର ମାଉସୀଙ୍କ ଘରେ ରହେ ବନ । ସନ୍ଧ୍ୟାରେ ବାପା ଝିଅ ସାଙ୍ଗ ହେଇ ଘରକୁ ଫେରନ୍ତି, ଏହା ଥାଏ ତାଙ୍କର ନୀତି ଦିନିଆ କାହାଣୀ । ମା’ ଛେଉଣ୍ଡ ବୋଲି ତା’ର ଲାଳନ ପାଳନରେ କିଛି କମ୍ କରିନାହାନ୍ତି ସୁମନ୍ତ । ବାପା ଆଉ ମା’ ଦୁହିଁଙ୍କ କର୍ମ କରିଛନ୍ତି ସେ ! ସୁମନ୍ତ ପିଲାଟି ଦିନରୁ ମଠ ଆଶ୍ରମରେ ବଢ଼ିଛନ୍ତି । ବାପାମାଆ କ’ଣ ଜାଣି ନଥିଲେ ସେ, ବିବାହ ମଧ୍ୟ ଜଣେ ଅନାଥ ମହିଳାଙ୍କ ସହ କରିଥିଲେ । ମା’ବାପାଙ୍କର ଛତ୍ରଛାୟା କ’ଣ ଜାଣିନଥିବା ଦୁହେଁ କିନ୍ତୁ ବହୁତ ସ୍ନେହ ଦେଇଛନ୍ତି ବନକୁ । ହେଲେ କାଳର ଆଗରେ କାହାର ବା ଚାଲେ !? କୁନି ଶିଶୁଟିକୁ ସୁମନ୍ତଙ୍କ ହାତରେ ଟେକି ଦେଇ ଆରପାରିକୁ ଚାଲିଗଲେ ବନ’ର ମା । ସୁମନ୍ତ ବାପା, ମା’ ଦୁହିଁଙ୍କର କର୍ତ୍ତବ୍ୟରେ କେବେ ହେଳା କରିନାହାନ୍ତି ।

ନିର୍ଦ୍ଧାରିତ ସମୟରେ ଯାଇ କାର୍ଯ୍ୟରେ ଯୋଗଦେଲେ ପ୍ରଭାସ । ସହକର୍ମୀ ହିସାବରେ ସୁମନ୍ତଙ୍କୁ ତାଙ୍କର ଭଲମନ୍ଦ ସବୁ ବୁଝିବାର ଦାଇତ୍ତ୍ୱ ଦିଆ ଯାଇଥାଏ । ପ୍ରତିଦିନ ପ୍ରୋଜେକ୍ଟ କ୍ଷେତ୍ରକୁ ପ୍ରଭାସଙ୍କୁ ସାଙ୍ଗରେ ନେଇକି ଆସୁଥିଲେ ସୁମନ୍ତ ଆଉ ସନ୍ଧ୍ୟାରେ ନେଇ ସରକାରୀ ଡାକବଙ୍ଗଳାରେ ଛାଡ଼ି ନିଜ ବସାକୁ ଫେରିଯାନ୍ତି । ଦେଖୁଦେଖୁ ୟାଭିତରେ ଦିନ, ମାସ ବର୍ଷ ବିତି ଗଲାଣି । ପ୍ରଭାସଙ୍କର ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଥାଏ ସୁମନ୍ତଙ୍କ ସାଙ୍ଗରେ । ବନ ବି ଚିହ୍ନି ଯାଇଥାଏ ପ୍ରଭାସଙ୍କୁ, ଆଉ ପ୍ରଭାସ ବି ବନକୁ ଖୁବ ସ୍ନେହ କରନ୍ତି । ଦିନେ ଟେଲିଗ୍ରାମ୍ ଆସି ପହଞ୍ଚିଲା ପ୍ରଭାସଙ୍କ ପାଖରେ, “ପୁଅ ହେଇଛି…!” ପ୍ରଭାସଙ୍କର ଖୁସି କହିଲେ ନସରେ । ରାସ୍ତାରେ ଯାଉଯାଉ ସୁମନ୍ତଙ୍କୁ ଖୁସି ଖବରଟି ଦେଲେ ଆଉ ଛୁଟିନେଇ ସହରକୁ ଯିବାର ଯୋଜନା କରୁଥିଲେ । ଡ୍ୟାମ୍‌ର କାମ ବି ସରି ଆସିଲାଣି ଆଉ ଅଳ୍ପଦିନ ତା’ପରେ ସେ ସବୁଦିନ ପାଇଁ ଫେରିଯିବେ ସହରକୁ । ଏମିତି ସବୁ ଆନନ୍ଦ ଚିତ୍ତରେ ଗୁଣୁଗୁଣୁ ହେଉଥାନ୍ତି ପ୍ରଭାସ ।

କିଛିଦିନ ସହରକୁ ଯାଇ ସ୍ତ୍ରୀ-ପିଲା ପରିବାରଙ୍କ ସାଙ୍ଗରେ ସମୟ କାଟି ଫେରିଆସିଲେ ପ୍ରଭାସ ନିଜ କର୍ମକ୍ଷେତ୍ରକୁ । ବର୍ଷାଦିନ ପାଗ ଥାଏ, ଡ୍ୟାମ୍ ସାଇଟ୍‌କୁ ଯିବା ରାସ୍ତାରେ ହଠାତ ଗୋଟିଏ ଗଛଟିଏ ପଡ଼ିଗଲା । ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସୁମନ୍ତ ସଙ୍ଗେସଙ୍ଗେ ଜିପ୍‌କୁ ରାସ୍ତା କଡ଼ରେ ଓହ୍ଲେଇ ନେଇ ଯାଉଯାଉ ରାସ୍ତାକଡ଼ର ମାଟି ଧସି ଗାଡ଼ି ଓଲଟି ପଡ଼ିଲା ଆଉ ସୁମନ୍ତ ରହିଗଲେ ଗାଡ଼ି ତଳେ । ପାଖ ସିଟରେ ବସିଥିବା ପ୍ରଭାସ କିନ୍ତୁ ଜିପରୁ ଛିଟିକି ବାହାରି ପଡ଼ିଲେ । ବିଶେଷ କିଛି ଆଘାତ ଲାଗିନଥିଲା ତାଙ୍କୁ ହେଲେ ସୁମନ୍ତ ଗାଡ଼ି ତଳେ ଚାପି ହେଇ ରହିଥାନ୍ତି । ବଡ଼ କଷ୍ଟରେ ରାସ୍ତାରେ ଯାଉଥିବା କିଛି ଶ୍ରମିକଙ୍କୁ ଲଗେଇ ସୁମନ୍ତକୁ ବାହାର କରାହେଲା ଗାଡ଼ିତଳୁ । ସେତେବେଳକୁ ଚେତା ନଥିଲା । ଆଶୁ ଚିକତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ସୁମନ୍ତଙ୍କୁ ପାଖ ପଞ୍ଚାୟତ ସରକାରୀ ଡାକ୍ତରଖାନାକୁ ନିଆଗଲା । ଛାତିରେ ପ୍ରବଳ ଚାପ ପଡ଼ିଥିବାରୁ ପଞ୍ଜରା ହାଡ଼ ଭାଙ୍ଗି ହୃଦୟକୁ ବହୁତ କ୍ଷତିକରି ଦେଇଥିଲା ବୋଲି ଡାକ୍ତର କହିଲେ । ବଞ୍ଚିବାର ବହୁତ କମ୍ ଆଶା କାହିଁକି ନା ଜରୂରୀକାଳୀନ ଅସ୍ତ୍ରୋପଚାର ପାଇଁ ସହର ନେବାକୁ ହେବ । ପ୍ରଭାସ ସଙ୍ଗେ ସଙ୍ଗେ ଏକ ଗାଡ଼ିର ବ୍ୟବସ୍ତା କରି ସୁମନ୍ତଙ୍କୁ ନେଇ ଯାଉଥାନ୍ତି ସହରକୁ । ରାସ୍ତାରେ କିଛି ସମୟ ପାଇଁ ଚେତାରେ ଫେରିଲେ ସୁମନ୍ତ । ପ୍ରଭାସଙ୍କୁ ନିଜ ସାମନାରେ ଦେଖି ସ୍ମିତ ହସ ଦେଇ କହିଲେ, “ସାର ଆପଣ ଠିକ ଅଛନ୍ତି !”

ପ୍ରଭାସଙ୍କ ଆଖିରୁ ଅଶ୍ରୁ । ଚାହିଁକି ବି ଅଟକେଇ ପାରିଲେନି ସେ । ସୁମନ୍ତ କଥା କହି ପାରୁନଥାନ୍ତି, ଅମ୍ଳଜାନ ମାସ୍କ ଲାଗିଥାଏ ମୁହଁରେ ! ଶରୀର ପୂରା ନିସ୍ତେଜ… କିଛି କ୍ଷଣପରେ ଚେତାଶୂନ୍ୟ ହେବାକୁ ଯାଉଥିଲେ, ଆଉ ପାଟିରୁ ବାହାରୁଥିଲା ଶବ୍ଦଟିଏ, “ବନ… ବନ…”

ସହର ଡାକ୍ତରଖାନରେ ପହଞ୍ଚିଲାବେଳକୁ ବହୁତ ବିଳମ୍ୱ ହେଇଗଲା ବୋଲି ପ୍ରଭାସଙ୍କୁ ଅନୁଭବ ହେଉଥାଏ । ଡାକ୍ତରମାନେ କିଛି ସମୟ ଅନୁଧ୍ୟାନ କରି କହିଲେ, “ବହୁତ ଡେରି ହେଇଗଲା ଆଣିବାରେ… କିଛି ସମୟ ପୂର୍ବରୁ ସେ ମୃତ !” ଏକଥା ଶୁଣି ଯେମିତି ପ୍ରଭାସଙ୍କର ପାଦତଳ ଭୂମିଶୂନ୍ୟ ହେଇଗଲା । ଜଙ୍ଘ ଦୁର୍ବଳ ଓ ହାତ ଗୋଡ଼ ଥରିବାକୁ ଲାଗିଲା । କ’ଣ ଗୋଟେ ପାଖରେ ଥିବା ବସ୍ତୁକୁ ଧରି ବସିପଡ଼ିଲେ ସେ । ପୂରାପୂରି ନିର୍ବାକ, ନିସ୍ତବ୍ଧ ! ଆଖିରୁ ଗଡ଼ି ଯାଉଥାଏ ଅନବରତ ଅଶ୍ରୁ । ବହୁତ କଷ୍ଟରେ ଶକ୍ତି ଜୁଟେଇ ସୁମନ୍ତଙ୍କର ପାର୍ଥିବ ଶରୀର ଧରି ପ୍ରଭାସ ଫେରିଲେ ଗାଁ’କୁ । ମନରେ ଗୋଟିଏ ପ୍ରଶ୍ନ… କ’ଣ ଉତ୍ତର ଦେବେ ବନକୁ !? ଏତେ ଛୋଟ ପିଲାଟିଏ, କ’ଣ ବା ସେ ବୁଝି ପାରିବ?

ସୁମନ୍ତଙ୍କୁ ଆଗରେ ପାଇ, ବନ ନିଜ କୋମଳ ପାପୁଲିରେ ତାଙ୍କର ପାର୍ଥିବ ଶରୀରକୁ ହଲେଇ ଡାକୁଥାଏ… ବାପା… ବାପା… । ବାପା କ’ଣ କିଛି କହୁ ନାହାନ୍ତି କାକା (ପ୍ରଭାସଙ୍କ ଆଡ଼କୁ କରୁଣ ଦୃଷ୍ଟିରେ ଚାହିଁ କହୁଥାଏ), ପ୍ରଭାସ ଏ ଦୃଶ୍ୟ ଦେଖିକି ନିଜ କୋହ ସମ୍ଭାଳି ପାରିଲେନି… ଯେମିତି ଛାତି ଭିତରର କୋହ ତାଙ୍କର ବକ୍ଷଚିରି ଆଗ୍ନେୟଗିରିର ଲାଭା ସଦୃଶ ଅଶ୍ରୁ ହେଇ ବାହାରି ଆସିଲା… ଭୋ ଭୋ ହେଇ କାନ୍ଦି ପକେଇଲେ, ସେ ! କିଏ ବା ଏପରି ଦୃଶ୍ୟ ନିଜ ଲୁହ ପିଇ ଦେଖି ପାରିବ? କେଳେଇ ନେଲେ ସେ ୫ ବର୍ଷର ବାପାମା’ ଛେଉଣ୍ଡ ଶିଶୁଟିକୁ… ଛାତିରେ ଲଗେଇ ଦୂରକୁ ନେଇଗଲେ ପ୍ରଭାସ !

କିଛି ସମୟପରେ ନିଜ ସହଯୋଗୀ ଆଉ ଗାଁ’ ଲୋକଙ୍କର ସହ ମିଶି ସୁମନ୍ତଙ୍କର ଶେଷକୃତ ସମ୍ପନ୍ନ କରେଇ, ବନକୁ ପଡ଼ିଶା ଘରେ ଛାଡ଼ି ଡାକବଙ୍ଗଳାକୁ ଫେରିଆସିଲେ । ଦିନସାରାର କ୍ଲାନ୍ତିରୁ ଶରୀରକୁ ଟିକେ ବିଶ୍ରାମ ଦେବା ଉଦ୍ୟେଶରେ ଖଟଉପରେ ଚିତ ହେଇ ପଡ଼ିରହିଲେ, ହେଲେ ନିଦ ଆସୁନଥାଏ । ବାରମ୍ୱାର ସୁମନ୍ତଙ୍କର ସେଇ ହସହସ ମୁଖ ଆଉ ବନର କରୁଣ ରୋଦନ ତାଙ୍କୁ ବ୍ୟତିବସ୍ତ କରେଇ ଦେଉଥାଏ । ଆଖିର ପଲକ ଟିକେ ପଡ଼ିଛି କି ନାହିଁ, ସୁମନ୍ତଙ୍କର ସେଇ ଶେଷ ଶବ୍ଦ କହିବାର ଦୃଶ୍ୟ ପ୍ରତିଫଳିତ ହେଉଥିଲା… “ବନ… ବନ !”, ହଠାତ ଉଠି ବସିଲେ, ଆଉ ତିଳେ ମାତ୍ର ବିଳମ୍ୱ ନକରି ବାହାରିଲେ ସୁମନ୍ତଙ୍କର ଗାଁ’କୁ । ବଙ୍ଗଳାରେ ଥିବା ପରିଚାରକ ଟିକେ ବ୍ୟସ୍ତ ହେଇ କହିଲେ,

ପରିଚାରକ – ଆଜ୍ଞା, ଟିକେ ବିଶ୍ରାମ କରନ୍ତୁ… ପୁଣି କୁଆଡ଼େ ବାହାରିଲେ?
ପ୍ରଭାସ – ଏଇ ଟିକେ ସୁମନ୍ତ’ର ଗାଁ’କୁ ଯିବାର ଅଛି ।
ପରିଚାରକ – ଆଜ୍ଞା… ଏବେ ସକାଳ ହେଇନି, ଗତକାଲି ଘଟଣାରେ ବହୁତ ମାନସିକ ଚାପଗ୍ରସ୍ତ ହେଇକି ଅଛନ୍ତି ଆପଣ, ବିଶ୍ରାମ ନିଅନ୍ତୁ କାଲି ଗଲେ କ’ଣ ଚଳିବନି?
ପ୍ରଭାସ – ନା… ଆଜି ଯିବାର ଅଛି । ଆଛା ଶୁଣ ! ଗୋଟେ ଗାଡ଼ିର ବ୍ୟବସ୍ଥା କର… ଜିପ୍‌ଟା ଦୁର୍ଘଟଣାରେ ଅକାମି ।

ସରକାରୀ ଡାକବଙ୍ଗଳାର ପରିଚାରକ ବାହାରକୁ ଯାଇ ଗୋଟେ ମୋପେଡ୍ ଯୋଗାଡ଼ କରି ଆଣିଲେ, ସେତେବେଳକୁ ସକାଳ ହେଇଗଲାଣି । ପ୍ରଭାସ ମୋପେ୍ ଧରି ବାହାରିଲେ ସୁମନ୍ତଙ୍କର ଗାଁ’କୁ ! ଯାଇ ଦେଖିଲେ ସକାଳୁ ସକାଳୁ ଗାଁ’ ଲୋକ କିଛି ବସିଛନ୍ତି ସୁମନ୍ତଙ୍କର ଘର ଆଗରେ । କ’ଣ କେମିତି ସବୁ କରାଯିବ ଆଲୋଚନା ଚାଲିଥାଏ । ସରକାରୀ ବାବୁଙ୍କୁ ଦେଖି ସବୁ ଉଠି ଆସିଲେ । ପ୍ରଭାସ ବନକୁ ଖୋଜନ୍ତେ, ରାତି ସାରା ବାପାକୁ ଖୋଜି କାନ୍ଦିକାନ୍ଦି ଏଇ ଅଳ୍ପ ସମୟ ହେଲା ଶୋଇଛି ବୋଲି ସେମାନେ କହିଲେ । କିଛି ସମୟପରେ ବାହାରକୁ ଆସି ଦେଖିଲା ବେଳକୁ ଗାଁ’ ଲୋକ ସବୁ ଏକାଠି । ସମସ୍ତେ ଚିନ୍ତିତ । ଏବେ ବନର କ’ଣ ହେବ? କୋଉଠି ରହିବ… କାହା ପାଖରେ ରହିବ… ଇତ୍ୟାଦି ଇତ୍ୟାଦି । ସବୁ ଶୁଣିବା ପରେ ପ୍ରଭାସ କହିଲେ… କାହିଁ… କ’ଣ ହେବ ବନର? ତା’ର କାକା ଅଛି… ମୁଁ ନେଇଯିବି ବନକୁ ମୋ ସାଙ୍ଗରେ… ଆଜି ହିଁ ! ସେ ଡାକବଙ୍ଗଳାରେ ରହିବ, ଡ୍ୟାମ୍ କାମ ସରିଲେ ମୁଁ ତାକୁ ନେଇଯିବି ସହରକୁ । ଆଜିଠୁ ସେ ମୋର ଝିଅ । କାହାର କିଛି କହିବାର ଅଛି କି?

ଗ୍ରାମବାସି ପ୍ରଭାସଙ୍କର ନିଷ୍ପତ୍ତି ଶୁଣି ଆଶ୍ୱସ୍ତ ହେଲେ, କିଛି ଲୋକଙ୍କର ପ୍ରଶ୍ନ ବି ଥିଲା ସେଇ ଆଶ୍ଵସ୍ତି ଭିତରେ । ହେଲେ ପ୍ରଭାସ ଏସବୁକୁ ଧ୍ୟାନ ନଦେଇ ସ୍ଥାନୀୟ ପୋଲିସ ଷ୍ଟେସନ୍‌ରେ ଲିଖିତ ରିପୋର୍ଟ ଦେଇ ଅନୁମତି ଆଣି ନେଇଆସିଲେ ବନକୁ ନିଜ ସାଙ୍ଗରେ । ଡାକବଙ୍ଗଳାରେ ସହକାରୀ ଭାବେ କାମ କରୁଥିବା ମାଉସୀଙ୍କ ତତ୍ତ୍ୱାବଧାନରେ ବନକୁ ଛାଡ଼ି ସବୁଦିନ ପ୍ରଭାସ ଯାଆନ୍ତି କର୍ମକ୍ଷେତ୍ରକୁ ଆଉ ଆସିଲେ ବନର ଭଲ ମନ୍ଦ ଖବର ବୁଝନ୍ତି । ଏମିତି ବର୍ଷେ ବିତିଗଲା… ଡ୍ୟାମ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଅନ୍ତେ ତାଙ୍କର ବଦଳି ହେଇଗଲା ସହରକୁ । ବନକୁ ଧରି ସହରକୁ ଆସିଗଲେ ପ୍ରଭାସ । ସାଙ୍ଗରେ ୫-୬ ବର୍ଷର ଝିଅଟି ଦେଖି ପରିବାର-ପରିଜନ ସବୁ ଆଶ୍ଚର୍ଯ୍ୟ, ଘଟଣା ସବୁ ଶୁଣିବାପରେ, ସମସ୍ତେ ଆଦରି ନେଲେ ବନକୁ । ଆବଶ୍ୟକ ସରକାରୀ ପ୍ରକ୍ରିୟା ସମ୍ପାଦନ କରି ବନକୁ ଆପଣେଇ ଝିଅ କରି ନେଲେ ସ୍ୱାମୀ-ସ୍ତ୍ରୀ ଦୁହେଁ ।

ଗୋଟିଏ ଭଲ ବିଦ୍ୟାଳୟରେ ବି ନାମ ଲେଖାଇ ଦେଲେ ପ୍ରଭାସ, ନୂଆ ନାମ ରଖିଲେ “ବର୍ଣ୍ଣାଳି ଅପରାଜିତା” । ହେଲେ ଆଜି ବି ସେ ବନ… ସମସ୍ତଙ୍କର ପ୍ରିୟ ବନ ! ସମୟ ଗଡ଼ି ଚାଲିଲା… ପ୍ରଭାସଙ୍କର ପ୍ରଥମ ପୁତ୍ର ସନ୍ତାନ ପରେ ଗୋଟିଏ କନ୍ୟା ରତ୍ନଟିଏ ବି ଜନ୍ମ ହେଇ ସାରିଥାଏ । ସବୁ କିଛି ଠିକ୍‌ଠାକ୍ ଚାଲୁଥାଏ, ପିଲା ସବୁ ଧୀରେ ଧୀରେ ବଡ଼ ହେଉ ଥାଆନ୍ତି, ହେଲେ ବାପାମାଆ ଛେଉଣ୍ଡ ବନ ପ୍ରତି ସବୁବେଳେ ପ୍ରଭାସଙ୍କର ଥିଲା ଟିକେ ଅଧିକ ସ୍ନେହ ! ସହଧର୍ମିଣୀ ସବୁ ବୁଝି ପାରୁଥିଲେ ଆଉ ପୂରା ସହଯୋଗ ବି କରୁଥାନ୍ତି; ବହୁତ ଶାନ୍ତ ସ୍ୱଭାବର ହୃଦୟାବତୀ ମହିଳା ଥିଲେ ପ୍ରଭାସଙ୍କର ସହଧର୍ମିଣୀ । ବଡ଼ ହେଉଥିବା ସାଙ୍ଗେ ତାଙ୍କ ପିଲାମାନଙ୍କର ଭିତରେ ନକାରାତ୍ମକ ମନୋଭାବ ଉପୁଜୁଥାଏ । ଜଣା ନାହିଁ କେଉଁଠୁ ଆସିଲା ଏସବୁ ମତାନ୍ତର ତାଙ୍କର ନିଜ ପିଲାମାନଙ୍କର ଭିତରେ, ସବୁବେଳେ ଭାବୁଥାନ୍ତି ଦୁହେଁ ! ଆଉ ସ୍ୱାମୀ-ସ୍ତ୍ରୀ ଦୁଇଜଣ ଚେଷ୍ଟା କରୁଥାନ୍ତି ଯଥା ସମ୍ଭବ କିନ୍ତୁ ବିଶେଷ ଫଳପ୍ରଦ ହେଉନଥାଏ । ବନ ଆସି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପଢ଼ିଲାଣି… ଆରବର୍ଷ ଦଶମ ପରୀକ୍ଷା ପରେ ମହାବିଦ୍ୟାଳୟକୁ ଯିବ ସେ । ପିଲାମାନଙ୍କର ଭିତରେ ଯଥୋଚିତ ସମନ୍ୱୟ ରକ୍ଷାକରିବା ପାଇଁ ବନ’କୁ ନିଜଠୁ ଦୂରେଇ, ଛାତ୍ରାବାସରେ ରଖି ପଢ଼େଇବାକୁ ଯୋଜନା କରୁଥାନ୍ତି ଦୁହେଁ ! ମନ ମାନୁ ନଥାଏ ହେଲେ ଛାତିରେ ପଥର ରଖି ଗୋଟିଏ ଭଲ ଛାତ୍ରାବାସରେ ଛାଡ଼ି ଆସିଲେ ତାକୁ, ବନ ବି ସମ୍ୱେଦନଶୀଳ ଝିଅଟେ ସବୁ ବୁଝିପାରୁଥିଲା ଆଉ ବାପାମା’ଙ୍କର ସମ୍ମୁଖରେ ଉପୁଜିଥିବା ପରିସ୍ଥିତିକୁ ବି ବୁଝି ପାରିଥିଲା ସେ ।

ଦଶମ ଶ୍ରେଣୀ ପରୀକ୍ଷା ସରିଲା… ଛାତ୍ରାବାସର ବାର୍ଷିକ କାର୍ଯ୍ୟକାଳ ବି ଶେଷ ହେଇଗଲା, ପ୍ରଭାସ ଯାଇ ବନକୁ ନେଇ ଆସିଲେ ଘରକୁ ! ଛୋଟବେଳୁ ଉଚିତ ମାର୍ଗଦର୍ଶନ ପାଇ ପଢ଼ାପଢ଼ି କ୍ଷେତ୍ରରେ ଯଥେଷ୍ଟ ପରିଶ୍ରମ କରି ନିଜକୁ ବିଦ୍ୟାଳୟରେ ଜଣେ ମେଧାବୀ ଛାତ୍ରୀ ଭାବରେ ପ୍ରତିଷ୍ଠିତ କରେଇ ପାରିଥିଲା ବନ । ଭଗବାନ କ’ଣ ଆଉ ଅଧିକ ଦୁଃଖ ଦେଇପାରିଥାନ୍ତେ ବାପାମା’ ଛେଉଣ୍ଡ ଝିଅଟିକୁ ! ଈଶ୍ୱରଙ୍କ ଆଶୀର୍ବାଦରୁ ସାରା ଜିଲ୍ଲାରେ ପ୍ରଥମ ହେଇ ଉତ୍ତୀର୍ଣ୍ଣ ହେଲା ସେ । ଖବର କାଗଜରେ “ବର୍ଣ୍ଣାଳି ଅପରାଜିତା” ନାମଟି ଦେଖି ପ୍ରଭାସଙ୍କର ଛାତି କୁଣ୍ଢେ ମୋଟ, ଦୌଡ଼ି ଯାଇ ଧର୍ମପତ୍ନୀଙ୍କୁ ଦେଖୋଉଣୁ… ସେ ସ୍ମିତହସ ଦେଇ କହିଲେ… ତୁମେ ଆଜି ଜାଣିଲ? ମୁଁ ପରା କାଲିଠୁ ଜାଣିଲିଣି, ଆଉ ସେଥିପାଇଁ ମୁଁ ଆଗରୁ ମିଷ୍ଟାନ୍ନ ସବୁ ମଗେଇ ସାରିଛି ! ଆନନ୍ଦ ବିଭୋର ହେଇ ପ୍ରଭାସ ବନକୁ କୁଣ୍ଢେଇ ପକେଇଲେ… ଧାର ଧାର ଅଶ୍ରୁ ବହି ଯାଉଥାଏ ! ଉପର ଆକାଶକୁ ଚାହିଁଥାନ୍ତି ସେ… କ’ଣ କେବଳ ଈଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ କରୁଥାନ୍ତି, ନା… କିଛି କହିବାକୁ ଖୋଜୁଥାନ୍ତି… ସୁମନ୍ତଙ୍କୁ?

ଖୁବ ସହଜରେ ରାଜଧାନୀରେ ଥିବା ପ୍ରସିଦ୍ଧ ମହାବିଦ୍ୟାଳୟରେ ବନର ପ୍ରବେଶ ହେଇଗଲା, ଉଚିତ ସମୟରେ ବନକୁ ନେଇ ପ୍ରଭାସ ଛାତ୍ରାବାସରେ ଛାଡ଼ିଦେଇ ଆସିଲେ । ସମୟ ଚକ୍ର ଗଡ଼ି ଚାଲୁଥାଏ ତା’ ବାଟରେ… ଆଶା ଅନୁରୂପେ ଯୁକ୍ତ ୨ ପରୀକ୍ଷାରେ ଭଲ ନମ୍ୱର ରଖି ବର୍ଣ୍ଣାଳି ଏବେ ସହରରେ ରହି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ, ମଝିରେ ମଝିରେ ଯାଇ ପ୍ରଭାସ ବୁଲି ଆସନ୍ତି ତା’ର ଭଲ ମନ୍ଦ ସବୁ ବୁଝାବୁଝି କରି… କୌଣସି ଜିନିଷର ଅଭାବ ରଖି ନଥାନ୍ତି ସେ, ହେଲେ ମନରେ ଦୁଃଖ ରହିଥାଏ ତାଙ୍କର ଯେ ସେ ବନକୁ ନିଜ ପାଖରେ ରଖି ପାରିଲେନି କି ତା’ର ପ୍ରାପ୍ୟ ସ୍ନେହ ଦେଇ ପାରିଲେନି ମାଆବାପା ଛେଉଣ୍ଡ ଛୁଆଟିକୁ ! ବୟସ ବଢ଼ିବା ସାଙ୍ଗରେ ବନର ଆତ୍ମନିର୍ଭରଶୀଳତା ବି ବଢ଼ି ଚାଲୁଥାଏ, ବାପାଙ୍କ ଉପରୁ ଖର୍ଚ୍ଚ ଭାର କମେଇବାକୁ ଯାଇ ସେ ପ୍ରାଇଭେଟ ଟିଉସନ ବି ଦେବା ବି ଆରମ୍ଭ କରିଦେଇଥିଲା, ପ୍ରଭାସଙ୍କ ଅଜଣାତରେ… ଏଣେ ପ୍ରଭାସଙ୍କ ପୁଅ ଆଉ ଝିଅଙ୍କ ପଢ଼ାପଢ଼ିରେ ତଥା ଘର ଆଉ ଅଫିସ କାମରେ ବ୍ୟସ୍ତ ରହିଯାଇ ପ୍ରାୟତଃ ବନକୁ ଦେଖା କରିବାକୁ ଯାଇ ପାରୁନଥାନ୍ତି, କିନ୍ତୁ ପ୍ରତିମାସ ନିର୍ଦ୍ଧିଷ୍ଟ ସମୟରେ ମନି-ଅର୍ଡରଟି କରିବାରେ କେବେ ହେଳା କରି ନାହାନ୍ତି ସେ…!

ଏଇ ଭିତରେ କିଛି ବର୍ଷ ବିତିଗଲାଣି, ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ବର୍ଣ୍ଣାଳି ଅପରାଜିତା ଏବେ ସୁଦୂର ଅନ୍ୟ ଏକ ରାଜ୍ୟରେ ଡାକ୍ତରୀ ପଢ଼ୁଛି… ଏକଥା ନିଜ ବନ୍ଧୁ ସହକର୍ମୀ ପରିଜନମାନଙ୍କୁ କହିଲା ବେଳେ ଗର୍ବରେ ଛାତି ଫୁଲି ଉଠେ ପ୍ରଭାସଙ୍କର ! ପୁଅ ବି ଇଞ୍ଜିନିଅରିଂ ପଢ଼ିଲାଣି ଝିଅର ଦ୍ୱାଦଶ… ବ୍ୟସ୍ତ ଜୀବନ ଭିତରେ ଦିନ କାଟି ଯାଉଥାଏ ! ଏମବିବିଏସ ସରିଲା ପରେ ପିଜି… ତା’ପରେ ଉଚ୍ଚଶିକ୍ଷା ପାଇଁ ବର୍ଣ୍ଣାଳି ଅପରାଜିତାକୁ ମିଳେ ବିଦେଶରେ ଗୋଟେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପାଇଁ ବୃତ୍ତି, ନିଜର ଅକ୍ଲାନ୍ତ ପରିଶ୍ରମ ଆଉ ଈଶ୍ୱରଙ୍କର ଆଶୀର୍ବାଦ ଯୋଗୁ ଆଜି ବିଦେଶରେ ଉଚ୍ଚଶିକ୍ଷା ପ୍ରାପ୍ତ କରୁଥାଏ ବନ… ହେଲେ ମନରୁ କେବେ ପାସୋରି ଦେଇ ନଥାଏ ପ୍ରଭାସଙ୍କୁ, ସେତେବେଳେ ଏତେ ଦୂରସଞ୍ଚାରର ବ୍ୟବହାର ହେଉ ନଥାଏ ଯାହା ଚିଠି ଦ୍ୱାରା ଯୋଗାଯୋଗ । ମଝିରେ ମଝିରେ ବନର ଖବର ପାଇ ଯାଉଥାନ୍ତି ପ୍ରଭାସ, ବାସ୍ ସେତିକି ସନ୍ତୁଷ୍ଟି ଥାଏ ମନରେ… ଝିଅଟି ମୋର ଭଲରେ ଅଛି । ପଢ଼ାପଢ଼ି ଚାଲୁଥିବାରୁ ତା’ର ବିବାହ ବିଷୟରେ ବି ପ୍ରଭାସ କିଛି ଭାବି ପାରୁନଥାନ୍ତି, ବାସ୍ ଉଚିତ ସମୟକୁ ଅପେକ୍ଷା କରିଥାନ୍ତି ।

ପ୍ରଭାସଙ୍କର ପିତା ମାତାଙ୍କର ବି ଦେହାନ୍ତ ହେଇ ଗଲାଣି, ପୁଅ ବି ଅନ୍ୟ ଏକ ରାଜ୍ୟରେ ଭଲ ଚାକିରୀ ଖଣ୍ଡେ କରୁଥାଏ, ପ୍ରଭାସ ଅବସର ପ୍ରାପ୍ତ ଏବେ, ପିଲା ଛୁଆଙ୍କୁ ପଢ଼େଇ ଲେଖେଇ ବଡ଼ କଲା ପରେ ଜୀବନରେ ଆଉ ବିଶେଷ କିଛି ସଞ୍ଚୟ ବି କରି ପାରିନାହାନ୍ତି ସେ… କିଛି ରିଟାୟାର୍‌ମେଣ୍ଟ୍ ବେନିଫିଟ୍, ସହରରେ ଥିବା କେବଳ ଘର ଖଣ୍ଡିଏ ଆଉ ଅଳ୍ପ କିଛି ଜମିବାଡ଼ି ! ପାଖରେ ରହୁଥିବା ତାଙ୍କ ସାନ ଝିଅର ପଢ଼ାପଢ଼ି ସାରିବା ପରେ ଉଚିତ ପାତ୍ର ଦେଖି ବିବାହ ମଧ୍ୟ କରିଦେଲେ… ଏବେ କିଛି ଚିନ୍ତାମୁକ୍ତ ହେଲେ… ବାପ ଜୀବନ, କର୍ତ୍ତବ୍ୟର ଜାଲରେ ଛନ୍ଦା, ବୁଢ଼ିଆଣୀ ପରି ନିଜ କର୍ମ ସବୁ କରିଚାଲୁଥିବା କଥା, ଗୋଟେ ପରେ ଗୋଟେ ଗଣ୍ଠିକୁ ଖୋଲି ଆଗକୁ ବଢ଼ି ଚାଲୁଥାନ୍ତି ସେ ।

କଥାରେ ନାହିଁ… “ତୁଳସୀ ଦୁଇ ପତ୍ରରୁ ବାସେ, ଆଉ ବିଛୁଆତି… !!”

ଯୋଉ ପରିବାରର ଖୁସି ପାଇଁ ଆଉ ପିଲାମାଙ୍କର ମନରେ ସନ୍ତୁଳନ ରକ୍ଷା କରିବା ପାଇଁ ସେ ତାଙ୍କର ଅତି ପ୍ରିୟ ବନକୁ ନିଜଠୁ ଦୂରେଇ ଦେଇଥିଲେ, ସେ ପିଲାମାନଙ୍କର ଏବେ ମୁଣ୍ଡକୁ ହାତ ପାଇ ଗଲାଣି, ବାପାମାଆଙ୍କ ଅଜାଣତରେ ତାଙ୍କ ପୁଅ ବିବାହ କରି ଏବେ ଅଲଗା ରାଜ୍ୟରେ ଘରସଂସାର ବସେଇଲାଣି… ଘର ବାପାମା’ଙ୍କ କଥା ମନେପଡ଼ୁନାହିଁ ସେମାନଙ୍କର ! ଏମିତି କ’ଣ ଗୋଟିଏ ଛୋଟିଆ ମତାନ୍ତରକୁ ନେଇ ପିତା ଓ ପୁତ୍ରଙ୍କ ମଧ୍ୟରେ ଥିବା ଏକ ସୂକ୍ଷ୍ମ ଡୋରଟିଏ ଯେପରି ଏକ ବିଶାଳ ପ୍ରାଚୀରଟିଏ ପାଲଟି ଯାଇଛି… କ’ଣ କରାଯିବ ଆଉ, ବିଧିର ବିଧାନ ଭାବି ନିଜ ଭାଗ୍ୟକୁ ଆପଣେଇ ନେଇଥାନ୍ତି ସ୍ୱାମୀ ସ୍ତ୍ରୀ ଦୁହେଁ l ସମୟ ଗାଡ଼ି ତା’ର ନିଜ ରାସ୍ତାରେ ମାଡ଼ି ଚାଲିଥାଏ, ପ୍ରଭାସଙ୍କର ଜୀବନ ଆହୁରି କଷ୍ଟଦାୟକ ହେଇଗଲା ଯେବେ ତାଙ୍କର ସୁଖଦୁଃଖର ସାଥି ତାଙ୍କ ସହଧର୍ମିଣୀ ଏକ ଅସାଧ୍ୟ ରୋଗରେ ପିଡ଼ୀତ ହେଇ ଚାଲିଗଲେ ଆରପାରିକୁ । ସହରରେ ଥିବା ତାଙ୍କ ବାସଭବନରେ ସେ ଏକା, ଜୀବନଟା ଯେପରି ତାଙ୍କୁ ବୋଝ ପରି ଲାଗୁଥାଏ, ଅନେକ ଭାବି ବିଚାରି ବହୁ ଯତନରେ ଗଢ଼େଇଥିବା ଘରଟିକୁ ବିକି ପରିବାର ସାଙ୍ଗରେ ବିତିଥିବା ନିଜ ଅନୁଭୂତି ଆଉ କିଛି ଅଭୁଲା ସ୍ମୃତି ସବୁକୁ ସାଉଁଟି ବହୁତ ବର୍ଷ ପରେ କଲେ… ଗାଁ ବାହୁଡ଼ା । ଗାଁ ଘରଟିକୁ ମରାମତି କରେଇକି ସାହି ସମ୍ପର୍କୀୟ ମାନଙ୍କର ସହିତ ବାକି ଜୀବନ ବିତେଇବାକୁ ସ୍ଥିର କଲେ… ସମୟର ମଧ୍ୟ ଅନୁରୂପ ଉପଦେଶ ଏହାକି ଶେଷ ଜୀବନ ନିଜ ଗାଁ ମାଟି ସହ ଭାବର ତୀବ୍ର ଉଦ୍ଦୀପନା ଟାଣି ଆଣିଥାଏ ପ୍ରଭାସଙ୍କ ତାଙ୍କର ପ୍ରିୟ ଗାଁ’କୁ ।

ଏମିତି ବର୍ଷ ବର୍ଷ ବିତିଗଲା… ବନ୍ଧୁବାନ୍ଧବ ପ୍ରିୟଜନଙ୍କ ସାଙ୍ଗରେ ସମୟ ସୁରୁଖୁରୁରେ ବିତିଯାଉଥାଏ, ବାର୍ଦ୍ଧକ୍ୟ ଜନିତ ରୋଗସବୁ ମାଡ଼ି ଆସିଲାଣି… ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟାକୁ ନେଇ ପାଖ ସହରରେ ଥିବା ଡାକ୍ତରଖାନାକୁ ଯାଇଥାନ୍ତି ପ୍ରଭାସ… ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ହୃଦରୋଗ ଜନିତ ସମସ୍ୟା କିଛି ଆଶଙ୍କିତ ହେଇ ପ୍ରଭାସଙ୍କୁ ରାଜଧାନୀରେ ଥିବା ବଡ଼ ଡାକ୍ତରଖାନାରେ ଦେଖେଇକି କିଛି ଅତ୍ୟାଧୁନିକ ଏବଂ ଜଟିଳ ଡାକ୍ତରୀ ପରୀକ୍ଷା ନିରୀକ୍ଷା କରିବାକୁ ଉପଦେଶ ଦେଲେ ।

ମନେ ମନେ ନିଷ୍ପତି ନେଇଥିଲେ ପ୍ରଭାସ ଯେ ସେ କେବେ ଆଉ ରାଜଧାନୀକୁ ଫେରିବେନି, କିଛି କଷ୍ଟଦାୟକ ସ୍ମୃତି ତାଙ୍କୁ ବିବଶ କରି ଦେଇଥିଲା ଏପରି ଚିନ୍ତନ ପାଇଁ, ହେଲେ ବନ୍ଧୁ ପ୍ରିୟଜନଙ୍କର ଅନୁରୋଧରେ ଆଉ କାଳ ବିଳମ୍ୱ ନକରି ସେ ରାଜଧାନୀରେ ଥିବା ବଡ଼ ଡାକ୍ତରଖାନାରେ ଆସି ନିଜ ସ୍ୱାସ୍ଥ୍ୟ ଦେଖେଇବାକୁ ସ୍ଥିର କଲେ । ହୃଦରୋଗ ବିଶେଷଜ୍ଞଙ୍କର ଉପଦେଶକ୍ରମେ କିଛି ଡାକ୍ତରୀ ପରୀକ୍ଷା କରେଇ ରିପୋର୍ଟର ଅପେକ୍ଷା କରିଥାନ୍ତି ଡାଇନିଂ ହଲରେ ଆଉ ଟେବୁଲ ଉପରେ ଥୁଆ ହେଇଥାଏ ଗୋଟେ ପ୍ଲେଟରେ ଦୁଇପଟ ରୁଟି କିଛି ଡାଲି ଆଉ ଭଜା, ହେଲେ ପ୍ରଭାସ ହଜି ଯାଇଥାନ୍ତି ନିଜ ଭିତରେ… ଯେପରି ପୂରା ଜୀବନର ଘଟଣା ସବୁ ଫ୍ଲାସ୍‌ବ୍ୟାକ୍ ହେଇ ଅଶ୍ରୁପୂର୍ଣ୍ଣ ଆଖିଗୁଡ଼ିକରେ ଝାପ୍ସା ଝାପ୍ସା ହେଇ ଭାସି ଯାଉଥାଏ ।

ଅଳ୍ପଦୂରରେ ପଡ଼ିଥିବା ଡାଇନିଂ ଟେବୁଲରେ କିଛି ମହିଳା ଡାକ୍ତରଖାନା କର୍ମଚାରୀ ବସି ନିଜ ନିଜ ଭୋଜନରେ ବ୍ୟସ୍ତ ଆଉ ହସଖୁସିରେ ମସଗୁଲ । ହେଲେ ତନ୍ମଧ୍ୟରୁ ଗୋଟିଏ ଗୋଟିଏ ଚେହରାର ଦୃଷ୍ଟି ନିରନ୍ତର ରହିଥାଏ ପ୍ରଭାସଙ୍କ ଉପରେ ହେଲେ ପାର୍ଶ୍ୱ ଚେୟାରରେ ବସିଥିବାରୁ ପ୍ରଭାସଙ୍କର ସମ୍ପୂର୍ଣ୍ଣ ମୁଖମଣ୍ଡଳଟି ଦେଖା ଯାଉ ନଥାଏ ସେ କର୍ମଚାରୀଙ୍କୁ… ଖାଇବା ସେମିତି ଥୁଆ ହେଇଥାଏ, ନିଜର ଖାଇବା ସାରି ସେ ମହିଳା କର୍ମଚାରୀ ଜଣଙ୍କ ପ୍ରଭାସଙ୍କର ଟେବୁଲ ପାଖକୁ ଯାଇ କିଛି କହିବା ଆରମ୍ଭ କରିଛନ୍ତି…

ମହିଳା କର୍ମଚାରୀ – ଆଜ୍ଞା… ଖାଇବା ଶୁଖି ଯାଉଛି, ଏମିତି ବସିଛନ୍ତି ଯେ…, କ’ଣ କାହାକୁ ଅପେକ୍ଷା… (କହୁ କହୁ ପାଖରେ ଥିବା ମେଡିକାଲ୍ ଫାଇଲ ଉପରେ ଥିବା ନାଁ’ଟି ଉପର ନଜର ପଡ଼ିଲା ତାଙ୍କର…)
ପ୍ରଭାସ ମୁହଁ ଉଠେଇ ଉପରକୁ ଦେଖନ୍ତି ତ…, ତାଙ୍କର ଅଶ୍ରୁଭିଜା ନୟନଯୁଗଳ ଯୋଡ଼ିକ ଦୁଇ ଧାର ଝରେଇ ପକେଇଲେ…, ଆଉ କୋହଭରା ପଦେ ଭାସି ଆସିଲା ଶୂନ୍ୟରୁ…

ମହିଳା କର୍ମଚାରୀ – “ବାବା…” ଯେମିତି କାହାର ଅନ୍ତରର ଶବ୍ଦଟିଏ ବାଷ୍ପରୁଦ୍ଧ କଣ୍ଠ ଅତିକ୍ରମ କରି କ୍ଷୀଣ ହେଇ ଆସୁଥାଏ, ପ୍ରଭାସ ପାପୁଲି ଉଠାଇ ନିଜ ଲୁହ ପୋଛିବାକୁ ଯାଉଥାନ୍ତି ତ, ଅତି କୋମଳ ହାତର ସ୍ପର୍ଶ ଅନୁଭବ କଲେ ନିଜ ତ୍ୱଚାରେ… ଚମକି ପଡ଼ିଲେ ପ୍ରଭାସ !
ପ୍ରଭାସ – କିଏ ମା… ତୁମେ, ମୁଁ ଜାଣି ପାରୁନି, ପ୍ରୌଢ଼ବୟସ ବି ଦୃଷ୍ଟିଶକ୍ତି ନେଇ ଗଲାଣି ଧୀରେ ଧୀରେ !
ମହିଳା କର୍ମଚାରୀ – ବାବା… (କାନ୍ଦ କାନ୍ଦ ହେଇ), ବାବା, ମୁଁ ବନ… ତୁମର ବନ, ବାବା… ମତେ ଚିହ୍ନି ପାରୁନ… !!
ପ୍ରଭାସ – ବନ…, ହେ ପ୍ରଭୁ !! ମୋ ମା… ଲୋ, ତତେ ଆଉ ଦେଖିବି ବୋଲି ମୁଁ ଆଶା ଛାଡ଼ି ଦେଇଥିଲି । ଠାକୁରେ କୋଟି କୋଟି ପ୍ରଣାମ ।

ନିଜର ଅତି ପ୍ରିୟର ମଣିଷକୁ ଏପରି ଅବସ୍ଥାରେ ପାଇ, ବର୍ଣ୍ଣାଳି ଅପରାଜିତା ଯାଇ ଶବ୍ଦଶୂନ୍ୟ ହେଇ ଯାଇଥିଲେ ! ବ୍ୟାଗରୁ ପାଣି ବୋତଲ କାଢ଼ି ଟିକେ ପିଆଇ ଦେଲେ ପ୍ରଭାସଙ୍କୁ… ଆଉ ରୁଟି ଖଣ୍ଡେ ଛିଣ୍ଡେଇ ଖୋଇ ଦେଉଥାନ୍ତି… ଆଃ… କି କରୁଣ ଦୃଶ୍ୟ !! ଅତ୍ୟନ୍ତ ପ୍ରଫୁଲ୍ଲିତ ମନରେ ବାପା ଝିଅଙ୍କର ଏ ସ୍ନେହ ଭରା ଦୃଶ୍ୟ ଦେଖି ପୁରା କ୍ୟାଣ୍ଟିନ ଆଉ ବାକି ସବୁ ଡାକ୍ତରଖାନା କର୍ମଚାରୀ ସବୁ ଖୁସିରେ କୋଳାହଳ କରୁଥାନ୍ତି, କରତାଳିରେ ଗୁଞ୍ଜି ଉଠୁଥାଏ ଡାକ୍ତରଖାନାର ସେଇ ପରିବେଶଟି । ସ୍ୱଳ୍ପଦୂରରେ ରୋଗୀ ପରିଦର୍ଶନରେ ଥିବା ପ୍ରଭାସ ଦେଖା କରିଥିବା ହୃଦରୋଗ ବିଶେଷଜ୍ଞ କରତାଳି ଆଉ କୋଳାହଳ ଶବ୍ଦ ଶୁଣି ଆସି ପହଞ୍ଚିଲେ ଡାଇନିଂ ହଲରେ… ଆଉ ଘଟୁଥିବା ଘଟଣାକୁ ଦେଖି ସେ… ପୂରା ନିର୍ବାକ, ଏତେ ସ୍ନେହରେ କାହାକୁ ଖୁଆଇ ଦେଉଛନ୍ତି ତାଙ୍କ ସହଧର୍ମିଣୀ?? ପାଖକୁ ଯାଇ ଦେଖନ୍ତି ତ…

ଡାକ୍ତର – ଆରେ ମଉସା ଆପଣ…? ବର୍ଣ୍ଣାଳି, ତୁମେ ଜାଣିଛ ମଉସାଙ୍କୁ…! ମୋ ପାଖକୁ କଂସଲଟେସନ୍ ପାଇଁ ଆସିଥିଲେ… ମୁଁ କିଛି ଟେଷ୍ଟ କରିବାକୁ ପଠେଇଥିଲି ।
ବନ – (ଛଳଛଳ ଆଖି ଠାରେଇ) ବାବା… ଇଏ ପରା ମୋ ବାବା !!
ବାବା…, ଇଏ ତୁମ ଜ୍ୱାଇଁ

ଏତେ ଗୁଡ଼ାଏ ଖୁସି ଯେପରି ଏକା ସାଙ୍ଗରେ ନିଜ ଆଞ୍ଜୁଳିରେ ସୀମାବଦ୍ଧ କରିପାରୁନଥିଲେ ପ୍ରଭାସ, ହାଲ୍କାହାଲ୍କା ପ୍ରଫୁଲ୍ଲିତ ମୁଖମଣ୍ଡଳ, ଜଳ ଜଳ ଆଖିରେ ଚାହିଁ ରହିଥାନ୍ତି ସଭିଙ୍କୁ !

ଡାକ୍ତର – (ପ୍ରଫୁଲ୍ଲିତ ମନରେ) ସତରେ… ବର୍ଣ୍ଣାଳି ! ଅନେକ ବର୍ଷର ଅପେକ୍ଷା…!! ଆଃ କି ଭାଗ୍ୟ… ତୁମେ ବାବାଙ୍କୁ ନେଇ ଘରକୁ ଯାଅ, ମୁଁ ଟେଷ୍ଟ ରିପୋର୍ଟ ନେଇ ଆସୁଛି ।

ତିଳେମାତ୍ର ବିଳମ୍ୱ ନକରି ବର୍ଣ୍ଣାଳି ପାଛୋଟି ନେଲେ ପ୍ରଭାସଙ୍କୁ ତାଙ୍କ ଚ୍ୟାମ୍ୱରକୁ, କାଚ’ର କବାଟ ଉପର ଗାଢ଼ ରଙ୍ଗରେ ଲିପିବଦ୍ଧ ହେଇଥାଏ… ଡାକ୍ତର ବର୍ଣ୍ଣାଳି ଅପରାଜିତା (ଶିଶୁରୋଗ ବିଶେଷଜ୍ଞ) । ନିଜର ଦୁର୍ବଳ ଦୃଷ୍ଟିଶକ୍ତି ବି ତାଙ୍କୁ ନିଷେଧ କରିପାରିନଥିଲା ତାଙ୍କ ପ୍ରିୟ ଝିଅର ନାମ ପାର୍ଶ୍ୱରେ ଲେଖା ହେଇଥିବା ସମ୍ମାନନୀୟ ଡିଗ୍ରୀ ଗୁଡ଼ିକୁ ! ଅତି ଗୌରବାନିତ୍ୱ ଅନୁଭବ କରୁଥାନ୍ତି ସେହି ମୁହୂର୍ତ୍ତରେ । ଯଥାଶୀଘ୍ର ନିଜ ବ୍ୟାଗ୍ ପ୍ୟାକ୍ କରି ବର୍ଣ୍ଣାଳି ଘରକୁ ବାହାରିଲେ ପ୍ରଭାସଙ୍କୁ ଧରି… ଡାକ୍ତରଖାନା ଗେଟ୍ ଆଗରେ ଠିଆ ହେଇଥାନ୍ତି… ଅତି ସୁନ୍ଦର ଗାଡ଼ି ଗୋଟିଏ ଆସି ଠିଆ ହେଲା, ଡ୍ରାଇଭର ଆସି ନମସ୍କାର ହେଇ କାର୍ ଡୋର୍ ଖୋଲି ବସିବାକୁ ଅନୁରୋଧ କଲା, ଏଇ କିଛି ମୁହୂର୍ତ୍ତ ଭିତରେ ପ୍ରଭାସ ବଦଳୁଥିବା ସମୟର ନିବିଡ଼ ଅନୁଧ୍ୟାନ କରୁଥାନ୍ତି, ହେଲେ ସବୁଠୁ ଆନନ୍ଦଦାୟକ ହେଲା, ସେ ପୁନଃ ଫେରି ପାଇଛନ୍ତି ତାଙ୍କର ଅତି ପ୍ରିୟ ବନକୁ… ଅନେକ ଅନେକ ବର୍ଷ ଉପରାନ୍ତେ ! ପ୍ରାୟତଃ ତା’ଠାରୁ ଅଧିକ ସ୍ନେହ ସେ ଆଉ କାହାକୁ ଦେଇ ନାହାନ୍ତି… ଗାଡ଼ିରେ ଯାଉଯାଉ ବାପ-ଝିଅ ନିଜନିଜର ବିତି ଯାଇଥିବା ଘଟଣାବଳି ଉପରେ ଆଲୋଚନା କରୁଥିଲେ…

ବନ – ବାବା… ମୁଁ ବିଦେଶରୁ ଫେରି… ଘରକୁ ଆସିଥିଲି, ହେଲେ ଘରେ ଆଉ ଜଣେ କିଏ ରହୁଥିଲେ… ଆପଣମାନେ ଘର ଛାଡ଼ିବା କିଛି ବର୍ଷ ହେଇଯାଇଥିବାରୁ, ପାଖ ପଡ଼ୋଶୀ ବି ବିଶେଷ କିଛି ଜାଣିନଥିଲେ ଆପଣଙ୍କ ବିଷୟରେ, ବୋଧହୁଏ ସେମାନେ ଆପଣ ଘର ଛାଡ଼ିବା ପରେ ଆସିଥିବେ ! ମୁଁ ବହୁତ ଚିଠି ଲେଖିଥିଲି ବାବା… ହେଲେ କିଛି ଉତ୍ତର ପାଇଲିନି । ବିବାହ ପରେ ଆମେ ଏଠିକି ଆସିଗଲୁ… ସେ ଆଉ ମୁଁ, ବହୁତ ଖୋଜିଛୁ… ହେଲେ କାହାକୁ ପାଇଲୁନାହିଁ । ଆପଣଙ୍କର ଗାଁ ବିଷୟରେ ତ ମୁଁ କେବେ ଜାଣି ନଥିଲି, ହେଲେ ମନରେ ଦୃଢ଼ ବିଶ୍ୱାସ ଥିଲା ଯେ କେବେ ନା କେବେ ଦେଖା ହେବ ।

ପ୍ରଭାସ – ହଁ ଲୋ ମା… ତୋ’ର ମାମା ଚାଲିଗଲା ପରେ, ମୁଁ ଆଉ ଏକା ରହି ପାରିଲିନି, ତୋ’ ଭାଇ ଭଉଣୀ ବି ତାଙ୍କ ସଂସାରରେ ବ୍ୟସ୍ତ… ତେଣୁ ସବୁ ବିକିଭାଙ୍ଗି ମୁଁ ଗାଁ’କୁ ଯିବାକୁ ବାଧ୍ୟ ହେଲି… ଗାଁ’ରେ ଭାଇ ବନ୍ଧୁଙ୍କ ସାଙ୍ଗରେ ସମୟ ବିତିଗଲା, ଆଉ ମୁଁ ଏଠିକି ଫେରିବାକୁ ଚାହିଁ ନଥିଲି ! ମୁଁ ପଶ୍ଚାତାପ କରିଥିଲି ଆଉ ଆଜି ଯାକେ କରୁଛି, ତୋ’ ପ୍ରତି ମୁଁ ମୋ କର୍ତ୍ତବ୍ୟରେ ଅବହେଳା କରିଛି, ସହର ଛାଡ଼ିବା ପରେ, ତୋର ନୂଆ ଠିକଣା ନଥିଲା, ଆଉ ଚିଠି ଦେଇ ପାରିଲି ନାହିଁ । ପାରିବୁ ଯଦି… ମତେ କ୍ଷମା କରିଦେବୁ… ମା’ !!

ପ୍ରଭାସଙ୍କ ହାତ ଧରି ପକେଇଲେ ବର୍ଣ୍ଣାଳି, ତାଙ୍କର ବ୍ୟଥିତ ଜୀବନ କଥା ସବୁ ଶୁଣି… ବନ ଯେ ଯେପରି ନିଜକୁ କ୍ଷମା କରି ପାରୁନଥାଏ… ଯେତେବେଳେ ତା’ର ସବୁଠୁ ବେଶୀ ଆବଶ୍ୟକ ଥିଲା ତା’ର ବାବାଙ୍କୁ… ସେ ପାଖରେ ନଥିଲା, ହେଲେ ବନ ସବୁବେଳେ ଭାବୁଥାଏ କି ତା’ର ପରିବାର ଖୁସିରେ ଥିବେ ! ଏମିତି ମନରେ ଭାବୁଭାବୁ ବର୍ଣ୍ଣାଳି ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରୁଥିଲେ… ନିଜ ବାପାଙ୍କ ଚେହରା ତ ତାଙ୍କର ମାନେ ନଥିଲା… ହେଲେ ବାବା, ତାଙ୍କର ଈଶ୍ୱର ଏବେ ତାଙ୍କ ପାଖରେ ।

ଏମିତି ଗାଡ଼ି ଚାଲୁଥାଏ, ରାସ୍ତା ପାର୍ଶ୍ୱ ସବୁ ଦେଖୁଥାନ୍ତି ପ୍ରଭାସ… କିଛି ନୂଆ… କିଛି ପୁରୁଣା ଦୃଶ୍ୟ ସବୁ, ରାସ୍ତା ତ ଚିହ୍ନିଲା ଚିହ୍ନିଲା ପରି ଲାଗୁଛି ।

ପ୍ରଭାସ – ଆଲୋ ମା… ଆମେ କୁଆଡ଼େ ଯାଉଛେ?
ବନ – ଘରକୁ ଯାଉଛେ ପରା… ବାବା ।
ପ୍ରଭାସ – ରାସ୍ତାଟା ଚିହ୍ନାଚିହ୍ନା ପରି ଲାଗୁଛି !
ବନ – ହଁ… ବାବା, ଆମ ଘର ରାସ୍ତା ତ, ସେଥିପାଇଁ !
ପ୍ରଭାସ – ହଁ… ଆମ ଘର (କହି ଚୁପ ହେଇ ଗଲେ) ।

କିଛି ସମୟ ପରେ ଗାଡ଼ି ଅଟକିଲା, ଡ୍ରାଇଭର ଗାଡ଼ି ଡୋର୍ ଖୋଲି ବାହାରକୁ ଆସିବାକୁ ଅନୁରୋଧ କଲା… ବାହାରକୁ ବାହାରି ପ୍ରଭାସ ଯାହାଦେଖିଲେ, ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ, ବହୁ ଯତନରେ ଗଢ଼େଇଥିବା ଘରଟିକୁ ନିଜ ଆଖି ଆଗରେ ପାଇ ପୁରୁଣା ସ୍ମୃତି ସବୁ ଯେମିତି ତାଜା ହେଇ ଯାଉଥାଏ ।

ବନ – ବାବା… ଏ ଘର ଆପଣଙ୍କର ବହୁ ପରିଶ୍ରମର ଫଳ, ଆମ ଘର !! ଆମେ ଏ ଘରଟିକୁ ପୁଣି ଥରେ କିଣିନେଲୁ… ମୋ’ ବାବାଙ୍କର ଘର, ଆଉ କେହି ରହିଲେ ମୁଁ କେମିତି ବା ଦେଖି ପାରିଥାନ୍ତି… ଆଜି ପର୍ଯ୍ୟନ୍ତ ମୋର ପରିବାରର ଏଇ ଏକମାତ୍ର ସ୍ମୃତି ଜୀବନ୍ତ ହେଇ ରହିଅଛି… ଆପଣ ଆସିଗଲେ ଏବେ ଆମ ଘର ପୂରା ହେଇଗଲା… ବାବା !!
ପଛପଟୁ ଗାଡ଼ି ହର୍ଣ୍ଣ ଶୁଭିଲା…

ପ୍ରଭାସ – ହେଇ ତ ପୁଅ ଆସିଲେଣି !

ଗାଡ଼ିରୁ ବାହାରୁଥାନ୍ତି ଡାକ୍ତରବାବୁ ଆଉ କିଛି କୋମଳମତିଙ୍କ ସ୍ୱର ଭାସି ଆସୁଥାଏ ଗାଡ଼ି ଭିତରୁ… ନାନୁ… ନାନୁ !!

ଡାକ୍ତରବାବୁ – ବାବା… ଭିତରକୁ ଚାଲନ୍ତୁ, ଏ ଘର ଆପଣଙ୍କ ବିନା ଅସମ୍ପୂର୍ଣ୍ଣ !! ବର୍ଣ୍ଣାଳିର ଭାଗ୍ୟରେ ଥିବା ଅନାବିଳ ସ୍ନେହ ଭିଜା ଶାଶ୍ୱତ ପୁଷ୍ପଗୁଚ୍ଛ ଛତ୍ରଛାୟାର କିଛି ଅଂଶ କ’ଣ ମୋ ପରି ବାପାମାଆ ଛେଉଣ୍ଡକୁ ମିଳି ପାରିବନି?

ପ୍ରଭାସ – (ନିର୍ବାକ, ଶବ୍ଦହୀନ ହେଇ) ମୋ ବନ ଗୋଟିଏ ସୌଭାଗ୍ୟବତୀଟିଏ, ପ୍ରଭୁ ତୁମ ସମସ୍ତଙ୍କୁ ସର୍ବଦା ତାଙ୍କ ଆଶ୍ରୟରେ ରଖିଥାନ୍ତୁ… ଏତିକି କାମନା !!

ମନେ ମନେ ଭାବୁଥିଲେ ପ୍ରଭାସ, ଧନ୍ୟ ତୁମେ ପ୍ରଭୁ… ପ୍ରାୟତଃ ଆସିଥିଲି ଏଠି ବଳକା ଜୀବନର ଶେଷ କିଛି ମୁହୂର୍ତ୍ତ ହାତ ମୁଠାରେ ଧରି… ହେଲେ ପ୍ରଭୁ ତୁମ ଲୀଳା ଅପାରମ୍ପାର, ଜୀବନ୍ତ ହୃଦୟ ସଦୃଶ ଏଇ କିଛି କ୍ଷଣରେ ଯେପରି ଜୀବନ ଫେରି ଆସିଛି ମୋର !

ପୁଣି ଥରେ… ଅନେକ ଦିନ ପରେ ଉପରକୁ ଚାହିଁବାକୁ ପ୍ରବଳ ଇଚ୍ଛା ହେଉଥିଲା ପ୍ରଭାସଙ୍କର, ଆକାଶକୁ ଚାହିଁଥାନ୍ତି ସେ । କ’ଣ କେବଳ ଈଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ କରୁଥାନ୍ତି, ନା… କିଛି କହିବାକୁ ଖୋଜୁଥାନ୍ତି… ସୁମନ୍ତଙ୍କୁ?

– ଦୀପଙ୍କର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପଙ୍କର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ଗଳ୍ପ ଓ କାହାଣୀ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗଳ୍ପଗୁଡ଼ିକ ସୋସିଆଲ୍ ମିଡିଆରେ ବେଶ୍ ଆଦୃତି ଲାଭ କରିଛି ।