You are currently viewing ✍ ଚତୁର୍ଦ୍ଦଶ ସମ୍ପାଦକୀୟ
Editorial Page of Shubhapallaba 14th Edition

✍ ଚତୁର୍ଦ୍ଦଶ ସମ୍ପାଦକୀୟ

ପାହାନ୍ତି ପହରୁ ଚଳଚଞ୍ଚଳ ଦେଖିଛ କି ତୁମେ କାରେ
ବର୍ଷା କାକର ଖାତିରି ନକରି ହୋଇଥାଏ ଏକାକାରେ
ହସାଇ ଦେବାକୁ ଶୁଷ୍କ ଭୂମିରେ ସବୁଜିମାର ଢେଉ
ପାଣି ଫଟାଇ ରକତ ନିଗାଡ଼େ କଷଣ ଯେତେ ସେ ପାଉ
କେବେ ଥକେ ନାହିଁ ଦୁଇ ହାତ ତା’ର ଜଗତର ହିତ ପାଇଁ…
ଶ୍ରମିକ ଭାଇ… ସେ ପରା ଆମ ଶ୍ରମିକ ଭାଇ…

କେତେ ତା’ ବିତିଛି ତନ୍ଦ୍ରା ଆଖିରେ ସୁପ୍ତ ରାତି
କେତେ ସେ ଦେଖିଛି ଜାଗ୍ରତ ଦିନ ସପନେ ଥାଇ
କେତେ ତା’ ବୋହିଛି ଲାଲ ଲହୁର ନିର୍ଝରଣୀ
କେବେ ପୁଣି ଝରି ପିଇ ଯାଇଛି ତା’ ଶୁଷ୍କ ତଣ୍ଟି
କେବେ ଥକିନାହିଁ ଚଳ ଚଞ୍ଚଳ ପାଦ ଦୁଇଟି… ତା ପାଦ ଦୁଇଟି…

ସପନ ବଦଳେ ଅନ୍ୟ ଆଖିରେ ଯେ ସପନ ବୋଳେ
ଦେଶ ଜାତିର ମାନପାଇଁ ସେ ନିଜକୁ ଜାଳେ
କ୍ଷେତ ଖଲିହାନ କଳ କାରଖାନା ତା’ରି ପାଇଁ
ହୋଇ ଉଠନ୍ତି ଚଳ ଚଞ୍ଚଳ ତା’ ପରଶ ପାଇ
ପେଟ କାଟି ଯିଏ ଅନ୍ୟ ପେଟରେ ଆହାର ଭରେ
ଶ୍ରମିକ ଭାଇ…. ସେ ପରା ଆମର ଶ୍ରମିକ ଭାଇ…

ଆଜି ଯଦି ଏହି ବିପତ୍ତି ବେଳରେ ତା’ ପେଟ ଜଳେ
ଭୋକ ଉପାସରେ ଚୁଲି ଲିଭିଯାଏ ଆଖିର ଜଳେ
ବସିବା କି ଆମେ ନିରବେ ଚାହିଁ ଚୁପ ହୋଇ?
ହାତ ଧରି କ’ଣ ନେଇ ପାରିବାନି ଆଗକୁ ବାହି?
ତା’ ଛୁଆ ଓଠରେ ହସ ଫୁଟିଯିବ ଆମରି ପାଇଁ,
ଦେଶ ନିର୍ମାତା ସେ ଅଣ୍ଟା ସଳଖିବ ନଇଁବ ନାହିଁ
ପୁଣି ହସିବ ଏ ଧରଣୀ ବୁକୁ ତା’ ହାତର ନୂଆ ପରଶ ପାଇ
ଶ୍ରମିକ ଭାଇ… ସେ ପରା ଆମ ଶ୍ରମିକ ଭାଇ….

ଅସମୟରେ ଆମକୁ ଛାଡ଼ି ଚାଲିଯାଇଥିବା ସିନେ ଜଗତରେ ଦୁଇ ଉଜ୍ଜ୍ୱଳ ତାରକା, ଇର୍ଫାନ ଖାନ୍ ଓ ଋଷି କପୂରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ।

ଶ୍ରମିକ ଦିବସରେ, ଦେଶ ନିର୍ମାଣର ଅନନ୍ୟ ବିନ୍ଧାଣିମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ସହ

ଜୟ ଜଗନ୍ନାଥ

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।