ଅଲିକାନଟେ ଭ୍ରମଣ ଅନୁଭୂତି
ଅଲିକାନଟେ ଭ୍ରମଣ ଅନୁଭୂତି

ଅଲିକାନଟେ ଭ୍ରମଣ ଅନୁଭୂତି

ଏମିତିରେ ମୋତେ ନୂଆ ଜାଗା ଦେଖିବାକୁ ବହୁତ ଭଲ ଲାଗେ । ସେମିତି ଏକ ସୁଯୋଗ ମୋତେ ନିକଟରେ ମିଳିଥିଲା । ଗତ ମେ ମାସରେ ମୁଁ ଏକ କନଫରେନ୍ସରେ ଯୋଗ ଦେବାକୁ ସ୍ପେନ ଦେଶର ଏକ ସୁନ୍ଦର ସହର ଅଲିକାନଟେ ଯାଇଥିଲି । ଅଲିକାନଟେ ସ୍ପେନର ଦକ୍ଷିଣପୂର୍ବରେ ଅବସ୍ତିତ ଅଲିକାନଟେ ରାଜ୍ୟର ରାଜଧାନୀ ଓ ଏକ ବନ୍ଦର ସହର । ମୋର ସ୍ୱଳ୍ପ ସମୟ ରହଣି ଭିତରେ ଏହି ସୁନ୍ଦର ସହରକୁ ଜାଣିବାର ସୁଯୋଗ ପାଇଥିଲି । ସମୁଦ୍ର କୂଳରେ ଅବସ୍ଥାପିତ ଏହି ସହରଟି ନିଜର ଐତିହାସିକ ଦୁର୍ଗ, ପୁରାତନ ଅଟ୍ଟାଳିକା, ଚର୍ଚ୍ଚ ଓ ମନ ମୁଗ୍ଧକର ସମୁଦ୍ର ବେଳାଭୂମି ଯୋଗୁଁ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଆମ କନଫରେନ୍ସର ଆୟୋଜକ କିଛି ପ୍ରମୁଖ ଦର୍ଶନୀୟସ୍ଥଳି ଆମକୁ ଦେଖାଇଥିଲେ ଯାହା ମୁଁ ସଂକ୍ଷେପରେ ବର୍ଣ୍ଣନା କରୁଛି ।

ଶାନ୍ତା ବାର୍ବର ଦୁର୍ଗ :

ଅଲିକାନଟେ ସହରର ସବୁଠୁ ପ୍ରମୁଖ ଦର୍ଶନୀୟ ସ୍ଥାନ ଯାହାର ଇତିହାସ ୧୦୦୦ ବର୍ଷରୁ ବି ପୁରୁଣା । ଆମ ଟୁରିଷ୍ଟ ଗାଇଡ୍ ଆମକୁ ପୁରା ଦୁର୍ଗ ଏବଂ ଏହାର ପ୍ରମୁଖ ସ୍ଥାନ ବୁଲାଇ ଦେଖାଇଥିଲେ । ଏହି ଦୁର୍ଗକୁ ଅଧିକାର କରିବାକୁ ମୁସଲମାନ ଓ ଖ୍ରୀଷ୍ଟିଆନ ଶାସକଙ୍କ ମଧ୍ୟରେ ବହୁବାର ସଂଘର୍ଷ ହୋଇଛି ଏବଂ ଶେଷରେ ଖ୍ରୀଷ୍ଟିଆନ ଶାସକଙ୍କ ଅଧିକାରକୁ ଯାଇଥିଲା ଏବଂ ସେମାନେ ଖ୍ରୀଷ୍ଟିଆନ ସନ୍ଥ ବାର୍ବରଙ୍କ ନାମ ଅନୁସାରେ ଏହାକୁ ନାମିତ କରି ଦେଇଥିଲେ । ଦୁର୍ଗର ଶୀର୍ଷରୁ ସମୁଦ୍ର ଓ ସହରର ଦୃଶ୍ୟ ଏକ ନିଆରା ଅନୁଭୂତି । ମୁଁ ପ୍ରଥମଥର ସମୁଦ୍ର କୂଳରେ ପାହାଡ଼ ଓ ତା’ ଉପରେ ଦୁର୍ଗ ଦେଖିଲି । ବାହ୍ୟ ଆକ୍ରମଣରୁ ଦୁର୍ଗକୁ ରକ୍ଷା କରିବାକୁ ବିଭିନ୍ନ ସ୍ତରର ପ୍ରାଚୀର କରାଯାଇଥିଲା । ଏହି ଦୁର୍ଗଟିକୁ ଏକ ଆଶ୍ରୟସ୍ଥଳି ଭାବେ ମଧ୍ୟ ବ୍ୟବହାର କରା ଯାଉଥିଲା । ଦୁର୍ଗ ମଧ୍ୟରେ ପାଣିକୁ ରଖିବା ପାଇଁ ପଥରକୁ ଖୋଳି ବଡ଼ ବଡ଼ ପାତ୍ର ଭଳି ଜାଗା କରାଯାଇଥିଲା । ଏହି ଦୁର୍ଗଟି କିଛି ବର୍ଷ ବନ୍ଦୀମାନଙ୍କୁ ରଖିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥିଲା । ବନ୍ଦୀମାନେ ନିଜ ନିଜ ନାମ ପଥର ଉପରେ ଲେଖିଛନ୍ତି, ଯାହା ଏବେ ବି ରହିଛି । ଆମ ଟୁରିଷ୍ଟ ଗାଇଡ୍‌ଙ୍କ ଅନୁସାରେ ଏମିତି କରିବାର ଉଦ୍ଦେଶ୍ୟ ଥିଲା, ନିଜ ପରିବାର ଲୋକଙ୍କୁ ନିଜ ମୃତ୍ୟୁ ପରେ ଜଣାଇବାର ଏକ ମାଧ୍ୟମ ଯେ ସେମାନେ ସେଇଠି ବନ୍ଦୀ ଥିଲେ ବୋଲି । ଆମ କନଫରେନ୍ସର ଆୟୋଜକ ଆମ ଉଦେଶ୍ୟରେ ଏକ ରାତ୍ରି ଭୋଜନ ଦୁର୍ଗ ମଧ୍ୟରେ ଆୟୋଜନ କରିଥିଲେ । ସନ୍ଧ୍ୟା ସମୟରେ ଜହ୍ନ ଆଲୋକରେ ଦୁର୍ଗ ଓ ସେଠାରେ ରାତ୍ରି ଭୋଜନ ଏକ ରୋମାଞ୍ଚଳର ଅନୁଭୂତି ଥିଲା ।

ଚିତ୍ର ୧: ଶାନ୍ତା ବାର୍ବର ଶୀର୍ଷରୁ ଅଲିକାନଟେ ସହର ଦୃଶ୍ୟ

ପୁରୁଣା ସହର ଭ୍ରମଣ :

ଆମ କନଫରେନ୍ସ ଆୟୋଜକ ଗୋଟେ ଦିନ ଅଲିକାନଟେ ସହରର ପୁରୁଣା ଜାଗା ସବୁ ଚାଲି ଚାଲି ବୁଲିବାର ଆୟୋଜନ କରିଥିଲେ । ଆମ ଟୁଅର୍ ଗାଇଡ୍ ଆମକୁ ସବୁ ପ୍ରମୁଖ ସ୍ଥାନ ଚାଲି ଚାଲି ବୁଲାଇ ଦେଖାଇଥିଲେ ଓ ଏହାର ଐତିହାସିକ ମହତ୍ୱ ବୁଝାଇ କହିଥିଲେ । ଆମ ଯାତ୍ରା ସମୁଦ୍ରକୂଳକୁ ଲାଗିଥିବା ଚଲାପଥରୁ ଆରମ୍ଭ ହୋଇଥିଲା । ଏହି ଚଲାପଥଟି ମୋତେ ବହୁତ ଭଲ ଲାଗିଥିଲା । ସମୁଦ୍ରକୂଳରେ ଥିବା ଏହି ଚଲାପଥଟି ମାର୍ବଲରେ ତିଆରି ଓ ଦୁଇପଟରେ ପର୍ଯ୍ୟଟକଙ୍କ ପାଇଁ ଦୋକାନ ଓ ଖୋଲା ରେସ୍ତେଗାଁ ଲାଗି ରହିଛି । ପ୍ରଥମେ ଆମେ ଟାଉନ ହଲରୁ ଆମର ଯାତ୍ରା ଆରମ୍ଭ କରିଥିଲୁ । ଏହାପରେ ଆମେ ଶାନ୍ତା ମାରିଆ ବସାଲିକା ଚର୍ଚ୍ଚକୁ ଯାଇଥିଲୁ । ଏହା ଅଲିକାନଟେ ସହରର ସବୁଠୁ ପୁରୁଣା ଚର୍ଚ୍ଚ ଯାହାର ଇତିହାସ ୧୪୦୦ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଏହାପରେ ଆମେ ସାନ୍-ନିକୋଲସ୍ କଥେଟ୍ରିଅଲ୍ ଦେଖିବାକୁ ଯାଇଥିଲୁ । ଏହାର ଇତିହାସ ମଧ୍ୟ ୧୬୦୦ ଶତାବ୍ଦୀ ପୁରୁଣା । ଏହାର ପ୍ରାର୍ଥନା ଗୃହଟି ଦେଖିବାକୁ ବହୁତ ଆକର୍ଷଣୀୟ । ଏହାପରେ ଆମେ ସହରର ଗଳି ରାସ୍ତାରେ ଚାଲି ଚାଲି କିଛି ସମୟ ବୁଲିଥିଲୁ । ସଂକୀର୍ଣ୍ଣ ରାସ୍ତାର ଦୁଇ ପଟେ ଥିବା ଏହି ପୁରୁଣା ଘର ଗୁଡ଼ିକ ବହୁତ ଭଲ ଭାବେ ଯତ୍ନ ନିଆଯାଉଥିବାରୁ ଏବେ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ମୋତେ ସବୁଠୁ ଭଲ ଲାଗିଥିଲା ପ୍ରତେକ ଘରର ଫୁଲ ଗଛରେ ସଜା ଯାଇଥିବା ବାଲକୋନୀ, ଦୂରରୁ ଏହା ବହୁତ ସୁନ୍ଦର ଦେଖା ଯାଉଥିଲା । ଘର ଗୁଡ଼ିକ ମୁଖ୍ୟତଃ ସମୁଦ୍ର ମୁହାଁ ଓ ପ୍ରତେକ ନିଜ ନିଜର ଘର କାନ୍ଥରେ ଫୁଲ କୁଣ୍ଡ ସବୁ ଝୁଲାଇ ରଖିଥିଲେ । ଅଲିକାନଟେ ସହରକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବାକୁ ପ୍ରାଚୀର ନିର୍ମାଣ କରାଯାଇଥିଲା, ଯାହାର ଭଗ୍ନାବଶେଷ ଆମେ ଦେଖିଥିଲୁ ।

ଚାଲି ଚାଲି ସହର ବୁଲିବା ପରେ ଆମ ଆଯୋଜକ ରାତ୍ରି ଭୋଜନର ବ୍ୟବସ୍ତା ସମୁଦ୍ର କୂଳରେ ଥିବା ଏକ ଖୋଲା ରେସ୍ତେଗାଁରେ କରିଥିଲେ । ଚାଲି ଚାଲି ବୁଲିବା ପରେ ସମୁଦ୍ର କୂଳରେ ବସି ଥଣ୍ଡା ପବନ ସହିତ ପାରମ୍ପାରିକ ସଙ୍ଗୀତର ଆୟୋଜନ ସବୁ ଥକା ମେଣ୍ଟାଇ ଦେଇଥିଲା । ସେଠାରୁ ଫେରିଲା ବେଳକୁ ମୋର ଜଣେ ବନ୍ଧୁ ସେଠିକାର ଆଇସିକ୍ରିମ ଖୁଆଇବାକୁ ଅନୁରୋଧ କରିଥିଲେ । ରାତ୍ରି ୧୧ଟାରେ ସମୁଦ୍ର କୂଳରେ ଆଇସିକ୍ରିମ ଓ ତାହା ପୁଣି ଏକ ନୂଆ ଅଜଣା ସହରରେ, ଏକ ନୂଆ ଅନୁଭୂତି ଥିଲା ।

ଚିତ୍ର ୨: ସମୁଦ୍ର କୂଳରେ ଥିବା ଚଲାପଥ
ଚିତ୍ର ୩: ଶାନ୍ତା ମାରିଆ ବସାଲିକା ଚର୍ଚ୍ଚ

ଅଲିକାନଟେ ବିଶ୍ୱବିଦ୍ୟାଳୟ:

ଆମ କନଫରେନ୍ସର ଆୟୋଜନ ଏହି ବିଶ୍ୱବିଦ୍ୟାଳୟରେ ହୋଇଥିବାରୁ ଏହାକୁ ଦେଖିବାର ସୁଯୋଗ ମିଳିଥିଲା । ଏହାର କ୍ୟାମ୍ପସ ଏବେ ସ୍ପେନରେ ଥିବା ସବୁଠୁ ଆକର୍ଷଣୀୟ କ୍ୟାମ୍ପସ ମଧ୍ୟରେ ଗଣା ଯାଉଛି । ପ୍ରାୟ ୨୫୦ ଏକର ପରିମିତ ଏହି କ୍ୟାମ୍ପସକୁ ବହୁ ଅନ୍ତର୍ଜାତୀୟ ନିର୍ମାଣକାରୀଙ୍କ ଦ୍ଵାରା ନିର୍ମାଣ କରାଯାଇଛି । ଆମ ଆୟୋଜକ ଏହି କ୍ୟାମ୍ପସ ବିଷୟରେ ବୁଝାଇଥିଲେ ଓ ଏହାକୁ ଦେଖିବାକୁ ଆମନ୍ତ୍ରଣ କରିଥିଲେ । ମୁଁ ଓ ଦୁଇ ଜଣ ବନ୍ଧୁ ଏହାକୁ ବୁଲି ଦେଖିଥିଲୁ । ଏହି କ୍ୟାମ୍ପସ ତିଆରି ହେବା ପୂର୍ବରୁ ଏଠାରେ ଏକ ବିମାନ ଘାଟି ଥିଲା ଯାହାର କିଛିଟା ଅଂଶ ଏବେବି ଦେଖିବାକୁ ମିଳିଲା । ଅନ୍ୟତମ ଆକର୍ଷଣ ଥିଲା ବହୁ ପୁରାତନ ପ୍ରସ୍ତରର ସଂଗ୍ରହ ଓ ତା’ର ବିବରଣୀ । ଏଠାରେ ଥିବା ବିଭିନ୍ନ ପ୍ରଜାତିର ଫୁଲ ଗଛ ଓ ବୃକ୍ଷ ଏହାର ମୁଖ୍ୟ ଆକର୍ଷଣ । ମୋତେ ଯାହା ସବୁଠୁ ପ୍ରଭାବିତ କରିଥିଲା ତାହା ହେଲା ଏଠାରେ ଥିବା ସମୟ ଚକ୍ର (sun dial) । ସମୟ ମାପିବା ପାଇଁ ଥିବା ଏହି ସମୟ ଚକ୍ର ଦେଖିଲା ପରେ ମୋତେ ସଙ୍ଗେ ସଙ୍ଗେ କୋଣାର୍କରେ ଥିବା ସମୟ ଚକ୍ର କଥା ମନେ ପଡ଼ିଯାଇଥିଲା । ଅବଶ୍ୟ ଏହାର ସମୟ ମାପିବାର ପଦ୍ଧତି ସମ୍ପୂର୍ଣ୍ଣ ଅଲଗା ଥିଲା ଓ ତାହା ସେଠାରେ ବର୍ଣ୍ଣନା କରାଯାଇଥିଲା । ଆମେମାନେ ଅବଶ୍ୟ ପଦ୍ଧତି ପଢ଼ି କିଛି ସମୟ ଚେଷ୍ଟା କରିଥିଲୁ କିନ୍ତୁ ମୋ ହିସାବରେ କୋଣାର୍କରେ ଥିବା ସମୟ ଚକ୍ରଟି ବହୁତ ସରଳ । ମୁଁ କୋଣାର୍କରେ ଥିବା ସମୟ ଚକ୍ର ବିଷୟରେ ମୋର ବନ୍ଧୁମାନଙ୍କୁ ବର୍ଣ୍ଣନା କରିଥିଲି । ଅବଶ୍ୟ ବର୍ଣ୍ଣନା କଲାବେଳେ କିଛିଟା ଗର୍ବ ଅନୁଭବ କରିଥିଲି ।

ଚିତ୍ର ୪: ଅଲିକାନଟେ ବିଶ୍ୱବିଦ୍ୟାଳୟ ପରିସର

ଅଲିକାନଟେର ଅନ୍ୟତମ ଆକର୍ଷଣ ହେଉଛି ଏଠାରେ ଥିବା ଭେଲୋର୍ ଚକୋଲେଟ ମିଉଜିଅମ୍ (Valor Chocolate Museum) । ପର୍ଯ୍ୟଟକ ମାନେ ଏଠାକୁ ଯାଇ ଚକୋଲେଟର ପ୍ରସ୍ତୁତି ଦେଖି ପାରିବେ । ଭେଲୋର୍ ଚକୋଲେଟ କମ୍ପାନୀର ଇତିହାସ ୧୩୦ ବର୍ଷ ପୁରୁଣା ଓ ଏହାର ଚକୋଲେଟ ସ୍ପେନର ସବୁଠୁ ପ୍ରସିଦ୍ଧ ଚକୋଲେଟରେ ଗଣାଯାଏ । ସୀମିତ ସମୟ ଥିବାରୁ ମୁଁ ଏହି ସଂଗ୍ରହାଳୟ (Museum) ଦେଖିବାକୁ ନ ଯାଇ ପାରି ଅଲିକାନଟେରେ ଥିବା ଭେଲୋର୍ ଚକୋଲେଟ ଦୋକାନରୁ କିଛି ଚକୋଲେଟ କିଣିଥିଲି । ଆମ କନଫରେନ୍ସର ଅୟୋଜ ସମସ୍ତଙ୍କୁ ସେଠିକାର ଆଉ ଏକ ପ୍ରସିଦ୍ଧ ମିଠା ଯାହାକୁ ତୁରୋନ୍ (Turron) କୁହନ୍ତି ଉପହାର ଦେଇଥିଲେ । ତୁରନ୍ ମୁଖ୍ୟତଃ ଆଲ୍‌ମଣ୍ଡ ଓ ମହୁରେ ତିଆରି ହୁଏ ଏବଂ ଖ୍ରୀଷ୍‌ମାସ (ବଡ଼ଦିନ) ସମୟରେ ସେଠାରେ ଖିଆଯାଏ ।

ଫେରିବା ପୂର୍ବଦିନ ରାତିରେ ମୁଁ ଓ ବନ୍ଧୁମାନେ ସମୁଦ୍ରକୂଳରେ ଥିବା ଏକ ରେସ୍ତେଗାଁରେ ମିଶିକି ରାତ୍ରି ଭୋଜନ କରିଥିଲୁ । ପରଦିନ ମୋର ଫ୍ଲାଇଟ୍ ସକାଳୁ ଥିବାରୁ ଶୀଘ୍ର ରୁମକୁ ଫେରିଯାଇଥିଲି । ଶେଷ ଦିନ ସକାଳୁ ବିମାନବନ୍ଦର ଯାତ୍ରା କରିଥିଲି କିନ୍ତୁ ଫେରିଲା ବେଳକୁ ଗାଡ଼ିରୁ ଶେଷଥର ଝରକା ଦେଇ ଅଲିକାନଟେକୁ ଦେଖିବାର ସୁଯୋଗ ମିଳିଥିଲା । ଯଦିଓ ମୋର ଯାତ୍ରା ସରି ଯାଇଥିଲା କିନ୍ତୁ ଅଲିକାନଟେର ମଧୁର ଅନୁଭବ ଓ ସ୍ମୃତିସବୁ ମନରେ ରହିଯାଇଥିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu