You are currently viewing ✍ ତ୍ରୟୋଦଶ ସମ୍ପାଦକୀୟ
Editorial Page of Shubhapallaba 13th Edition

✍ ତ୍ରୟୋଦଶ ସମ୍ପାଦକୀୟ

ଖାଁ ଖାଁ ଚାରିଆଡ଼ । ଏକ ଅଦୃଶ୍ୟ ଆତଙ୍କର ବହଳିଆ ପରଦାଟିଏ ସତେ ଯେପରି ଢାଙ୍କି ଦେଇଛି ସାରା ବିଶ୍ୱକୁ ! ଦ୍ଵିତୀୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମାର ଭୟାବହତା ଦେଖିଥିବା ମାନବ ସମାଜ ତା’ ପରବର୍ତ୍ତୀ ସମୟରେ ଏତେ ଭୟଭୀତ ହେବା ବୋଧେ ଏଇ ପ୍ରଥମ ଘଟଣା । ନିକଟ ଅତୀତରେ ଅନେକ ଭୂତାଣୁ ଜନିତ ମହାମାରୀର ସମ୍ମୁଖୀନ ହୋଇଛି ବିଶ୍ୱ; କିନ୍ତୁ ଏପରି ଭାବରେ ଅସହାୟ ବୋଧହୁଏ କେବେ ହେଇନଥିଲା । ସମଗ୍ର ବିଶ୍ୱକୁ ହାତମୁଠାରେ ରଖିବାକୁ ଚାହୁଁଥିବା ଆମେରିକା, ଅର୍ଥନୀତିରେ କାଳଜୟୀ ହେବାକୁ ଇଚ୍ଛା ରଖୁଥିବା ଚୀନ, ଉନ୍ନତ ଜୀବନ ଶୈଳୀ ତଥା ସମସ୍ତ ସୁବିଧା ସୁଯୋଗକୁ ପାଦତଳେ ଲୋଟାଉଥିବା ୟୁରୋପୀୟ ସଙ୍ଘ ବା ବିଶ୍ୱ ରାଜନୀତିର ‘ଡାର୍କ ହର୍ଷ’ ରୁଷିଆ, ସମସ୍ତେ ଆଜି ଏକ ଭୂତାଣୁ ଆଗରେ ଅସହାୟ ଆଉ ନତ ମସ୍ତକ । ଏପର୍ଯ୍ୟନ୍ତର ଘଟଣା ପ୍ରବାହକୁ ଅନୁଧ୍ୟାନ କଲେ ଗୋଟିଏ କଥା ମନକୁ ଆସୁଛି; ଉତ୍ସୃଙ୍ଖଳିତ ତଥା ଅବ୍ୟବସ୍ଥିତ ଜୀବନ ଶୈଳୀ ହିଁ ଏହି ମହାମାରୀ ଏତେ ବ୍ୟାପକ ଭାବେ ବ୍ୟାପିବାର ମୂଳ କାରଣ । ଦ୍ଵିତୀୟ କାରଣ ଏହି ମହାମାରୀର ଭୟାବହତାକୁ ଉପଲବ୍ଧ ନକରି ଖାମଖିଆଲ ଭାବେ ନେବା । ଏତେସବୁ ପରେ ମନ ଭିତରେ କେବଳ ଗୋଟିଏ କଥା ବାରମ୍ବାର ପ୍ରତିଧ୍ୱନିତ ହେଉଛି- ପୃଥିବୀ ବାହାରେ ଜୀବ ଆଉ ଜଡ଼ତ୍ୱର ସଂଜ୍ଞା ଖୋଜୁଥିବା ମନୁଷ୍ୟ ଏତେ ଉନ୍ନତ ହୋଇ ମଧ୍ୟ ବାସ୍ତବରେ ପ୍ରକୃତିର ସାମାନ୍ୟତମ ଅସନ୍ତୁଳନ ଆଗରେ କିଛି ନୁହେଁ କେବଳ ଏକ ବିରାଟ ଶୂନ୍ୟ ।

ଯୁଗେ ଯୁଗେ ଉତ୍ସୃଙ୍ଖଳିତ ସମାଜ ହିଁ ଦେଖିଛି ତା’ର ଅବନତି ତଥା ଧ୍ୱଂସର ତାଣ୍ଡବ ଲୀଳା । ତ୍ରେତୟାରେ ରାକ୍ଷସ କୂଳ ହେଉ ବା ଦ୍ୱାପରର ଯଦୁବଂଶ- ସବୁ ଧ୍ୱଂସ ପାଇଛି ଏହି ବିଶୃଙ୍ଖଳିତ ଆଉ ଅବ୍ୟବସ୍ଥିତ ଜୀବନ ଶୈଳୀ ପାଇଁ । ଆଜି ସମୟ ଆସିଛି, ଆମେ ଆହୁରି ବ୍ୟବସ୍ଥିତ ହେବା, ଶୃଙ୍ଖଳିତ ହେବା । ସାମାଜିକ କଟକଣାର ଗୁରୁତ୍ୱକୁ ହୃଦୟଙ୍ଗମ କରି ସୁଚାରୁରୂପେ ପାଳନ କରିବା । ତା’ହେଲେ ହୁଏତ ଜନ୍ମ ନେବେ ଶ୍ରୀରାମ କି ଶ୍ରୀକୃଷ୍ଣ ରୂପୀ ଭଗବାନମାନେ ଆଉ ଉଦ୍ଧାର କରିବେ ମାନବ ସମାଜକୁ ଏ ଭୟଙ୍କର ମହାମାରୀରୂପୀ ରାକ୍ଷସଠାରୁ ।

ଆଶାକରେ କରୋନାର ଭୟାଭୟତାକୁ ପ୍ରତିହତ କରିବା ପାଇଁ ଦିନ ରାତି ଲାଗିଥିବା ବୈଜ୍ଞାନିକ ତଥା ଗବେଷକମାନେ ସଫଳ ହେବେ ଆଉ ଖୁବ ଶୀଘ୍ର ଏହାର ପ୍ରତିଷେଧକ ଉଦ୍ଭାବନ କରିବେ । ସେଯାଏଁ ଆମକୁ ଧୈର୍ଯ୍ୟ ଧରିବାକୁ ହେବ ଆଉ ଦୃଢ଼ତାର ସହ ଏହାର ମୁକାବିଲା କରିବାକୁ ପଡ଼ିବ । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ ।

ଆମସହ ଜଡ଼ିତ ସମସ୍ତ ଲେଖକ ଲେଖିକା ତଥା ପାଠକ ପାଠିକାମାନଙ୍କୁ ଉତ୍କଳ ଦିବସର ଶୁଭାଭିନନ୍ଦନ । ପବିତ୍ର ଶ୍ରୀରାମ ନବମୀ, ଗୁଡ଼ ଫ୍ରାଇଡେ ତଥା ରମଜାନ ମାସାରମ୍ଭର ଶୁଭେଚ୍ଛା ସହ

ଜୟ ଜଗନ୍ନାଥ ।

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।