You are currently viewing ରହସ୍ୟମୟ ଦାରୁବ୍ରହ୍ମ
Art: Sudarsan Pattnaik

ରହସ୍ୟମୟ ଦାରୁବ୍ରହ୍ମ

ଦାରୁ ବ୍ରହ୍ମ ରୂପେ ରତ୍ନସିଂହାସନେ
ବିରାଜିଛ ନୀଳମଣି
ଚକ୍ର ସୁଦର୍ଶନ ଭଉଣୀ ସୁଭଦ୍ରା
ସଙ୍ଗେ ଧରି ହଳପାଣି । (୧)

କୋଟି କନ୍ଦର୍ପଙ୍କ ରୂପର ପ୍ରଭାରେ
ହୋଇଅଛ ରୂପବନ୍ତ
ଅଧାଗଢ଼ା ହୋଇ ମର୍ତ୍ତ୍ୟ ବୈକୁଣ୍ଠରେ
କରୁଛ ଲୀଳା ଅନନ୍ତ । (୨)

ଭକତ ବତ୍ସଳ ତୁମେ ଭାବଗ୍ରାହୀ
ଉତ୍କଳର ଗଣ୍ଠିଧନ
ତୁମରି ଭାବରେ ବିହ୍ବଳିତ ଆଜି
ସବୁ ଓଡ଼ିଆଙ୍କ ମନ । (୩)

ଜାତି, ଧର୍ମ, ଭେଦଭାବରୁ ଉର୍ଦ୍ଧ୍ବରେ
ତୁମରି ଶରଧାବାଲି
ଶ୍ରଦ୍ଧା, ଭକ୍ତି, ଅନୁରାଗର ଡୋରିରେ
ସଭିଙ୍କୁ ବାନ୍ଧିଛ ବୋଲି । (୪)

ବଳ, ବୀର୍ଯ୍ୟ, ଐଶ୍ବର୍ଯ୍ୟରେ ଏକାକାର
ଆହେ ନିଳାଦ୍ରିବିହାରୀ
ଆକୁଳ କଣ୍ଠରେ ଡାକୁଛି ଗରୀବ
ମଣିମା ଶୁଣ ଗୁହାରୀ । (୫)

ଭରି ଦିଅ ଜୀବନର ଶୂନ୍ୟସ୍ଥାନ
ଦିବ୍ୟପ୍ରକାଶେ ତୁମର
ନୀଳାଦ୍ରି କେଶରୀ ନୀଳ ଶଇଳରେ
ଅଭିଷ୍ଟ ପୂରଣ କର । (୬)

କରପତ୍ରେ ଦେଇ ଭକତି ସୁମନ
କରୁଅଛି ପ୍ରଣିପାତ
ନୟନୁ ନିର୍ଝର ଲୋତକ ଧାରାରେ
ପାଦକୁ କରୁଛି ଧୌତ । (୭)

ନନ୍ଦିଘୋଷେ କଳା ବାମନ ରୂପରେ
ମିଳିଗଲେ ଦରଶନ
ସକଳ କଳୁଷ ନାଶ ହୋଇଯିବ
ହେବ ନାହିଁ ପୁର୍ନଜନ୍ମ । (୮)

ପାପ ତାପ ନାଶି ଆରତଜନଙ୍କୁ
ଉଦ୍ଧାର ରମାରମଣ
ବାରେ କୃପାକର ଆହେ ଦୟାମୟ
ଘୁଞ୍ଚୁ ଜଗତ କଷଣ । (୯)

ଅରୂପ, ଅବ୍ୟକ୍ତ, ଅଚିନ୍ତ୍ଯ, ଅସୀମ
ତୁମେଯେ ରହସ୍ୟମୟ
କିପରି ବର୍ଣ୍ଣିବି ତୁମରି ମହିମା
ତୁମେ ପରା ଅବର୍ଣ୍ଣନୀୟ । (୧୦)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୁରୀ ଜିଲ୍ଲାର ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗର ନିବାସୀ ନିବେଦିତା ମାହାପାତ୍ର ମୁଖ୍ୟତଃ ଓଡ଼ିଆ ଭଜନ ଆଦି ରଚନା ଆଦିରେ ରୁଚି ରଖନ୍ତି । ଭଜନାଞ୍ଜଳୀ ସହ ସେ ଅନେକ ଗପ ଓ କବିତା ଆଦି ରଚନା କରିଛନ୍ତି ।