You are currently viewing ଗୀତିକବି ରସରାଜ: ନାରାୟଣ ପ୍ରସାଦ ସିଂହ
ଗୀତିକାର ନାରାୟଣ ପ୍ରସାଦ ସିଂହ

ଗୀତିକବି ରସରାଜ: ନାରାୟଣ ପ୍ରସାଦ ସିଂହ

ପ୍ରାୟ ଚାରି ଦଶନ୍ଧି ଧରି ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ନିଜର ମିଠା ମିଠା ଗୀତ ମାଧ୍ୟମରେ ବାନ୍ଧିରଖିଥିଲେ, ଗୀତିକବି ‘ରସରାଜ’ ନାରାୟଣ ପ୍ରସାଦ ସିଂହ । ୧୯୩୩ ମସିହାର ମେ ମାସ ୨୮ ତାରିଖରେ କଟକ ଜିଲ୍ଲାର ଅସୁରେଶ୍ୱର ଅନ୍ତର୍ଗତ କୋଇଲରେ ଜନ୍ମ ହୋଇଥିଲେ ସେ । ପିତା ଥିଲେ ବିହାରୀ ଲାଲ ସିଂହ ଏବଂ ମାତାଙ୍କ ନାମ ଥିଲା ସରୋଜିନୀ ଦେବୀ ।

ଅସୁରେଶ୍ୱର ସ୍କୁଲ୍‌ରେ ପଢ଼ିବା ସମୟରେ ସାହିତ୍ୟ ଶିକ୍ଷକ ଗୋଲକ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ, କବିତା ଲେଖିବା ଆରମ୍ଭ କରିଥିଲେ ସେ । ‘କବିଚନ୍ଦ୍ର’ କାଳୀଚରଣ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସି କବିତାକୁ ଗୀତରେ ପରିଣତ କରିବା ବିଦ୍ୟା ଶିକ୍ଷା କରିଥିଲେ ।

ନାରାୟଣ ପ୍ରସାଦ ସିଂହ ୧୯୬୦ ମସିହାରେ ‘ଆକାଶ ବାଣୀ’ରେ ଗୀତିକବି ଭାବେ ସ୍ୱୀକୃତି ପାଇଥିଲେ । ୧୯୬୨ରେ ‘ନୂଆବୋଉ’ ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଗୀତ ଲେଖିବାର ସୁଯୋଗ ମିଳିଥିଲା ତାଙ୍କୁ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତଟି ଥିଲା- ‘ରଥ ଯାଆ ଚାଲିଯାଆ’ ।

ଏହା ପରେ ‘ମାଣିକ ଯୋଡ଼ି’, ‘ଅମଡ଼ାବାଟ’, ‘ନବଜନ୍ମ’, ‘ଜୀବନସାଥୀ’, ‘ଅଭିନେତ୍ରୀ’, ‘ଭାଇ ଭାଉଜ’, ‘କିଏ କାହାର’, ‘ସ୍ତ୍ରୀ’, ‘ଅଲିଭା ଦାଗ’, ‘ଅଦିନ ମେଘ’, ‘ଧରିତ୍ରୀ’, ‘ଘର ସଂସାର’, ‘ମନ ଆକାଶ’, ‘ରକ୍ତ ଗୋଲାପ’, ‘ପରିବାର’, ‘ଶଙ୍ଖ ମହୁରି’, ‘ଚିହ୍ନା ଅଚିହ୍ନା’, ‘ମଥୁରା ବିଜୟ’, ‘ଜୟ ମାଆ ମଙ୍ଗଳା’, ‘ସୁବର୍ଣ୍ଣ ସୀତା’, ‘କାବେରୀ’, ‘ମାଣିକ’, ‘କସ୍ତୁରୀ’ ଆଦି ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ ସେ ।

‘ଜୀବନ ଯମୁନାରେ ଜୁଆର ଉଠେରେ’, ‘ସାଥୀରେ ଆମ ଗୀତିରେ’, ‘ଛାଡ଼ ଛାଡ଼ ମୋର ଅଞ୍ଚଳ’, ‘ଚୋରା ଚୋରା ପ୍ରୀତି ଆସ ସାଥୀ’, ‘ମନର ମଣିଷ ଯଦି ସପନ ଟିକିଏ’, ‘ଦେଲେ ଧରା କଥା ସରେ’, ‘ଶୁଭକାମନା ଘେନ’ ଆଦି ତାଙ୍କର କିଛି ଅଭୁଲା ଚଳଚ୍ଚିତ୍ର ଗୀତ ।

ତାଙ୍କର କବିତାଗୁଡ଼ିକ ଦଶରୁ ଅଧିକ ପୁସ୍ତକ ଆକାରରେ ପ୍ରକାଶିତ । ‘ପ୍ରୀତି ପ୍ରଜାପତି’, ‘ଠିଆ ପୁଚି ନାରଙ୍ଗ’, ‘ଦୁଇ ଆଖିର କବିତା’, ‘ବନ୍ଧୁଭରା ବସୁନ୍ଧରା’, ‘ମେଘଫଗୁଣ’ ଆଦି ତାଙ୍କର କବିତା ସଂକଳନ । ତାଙ୍କର ପ୍ରସିଦ୍ଧ କଥାଚିତ୍ର ଗୀତଗୁଡ଼ିକ ‘ଚିତ୍ରଗୀତି’ରେ ସଂକଳିତ ।

କର୍ମମୟ ଜୀବନରେ ସେ ଥିଲେ ସରକାରୀ ଚାକିରିଆ । ଆଜୀବନ ଗୀତ ରଚନାକୁ ପ୍ରାଧାନ୍ୟ ଦେଇଥିଲେ । ୨୦୦୩ରେ ନାରାୟଣ ‘ଓଡ଼ିଶା ସାହିତ୍ୟ ଏକାଡେମି’ ପୁରସ୍କାର ପାଇଥିଲେ । ୬ ଜୁନ୍‌ ୨୦୧୮ରେ ଭୁବନେଶ୍ୱରରେ ତାଙ୍କର ପରଲୋକ ହୋଇଥିଲା ।

ସିନ୍ଧୁଜ୍ୟୋତି ତ୍ରପାଠୀ

Narayan Prasad Singh on Stage

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର "ସମ୍ବାଦ" ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।