You are currently viewing ଅଫେରା
Odia Poem Aphera (ଅଫେରା) by Arpita Mishra

ଅଫେରା

ବହୁ ବାଟ ଆଗେଇ ଆସିଲା ପରେ
ପୁଣି ବଞ୍ଚିବାକୁ ଇଚ୍ଛା ହେଲା
ପଛକୁ ଫେରି
ଅତୀତର ବର୍ତ୍ତମାନରେ,
ହେଲେ ପାଦ କହିଲେ
ଆମେ ବାଟୋଇ ଅଫେରା ବାଟର ।

ଜୀବନର ରାଜପଥ ଉପରେ
ଆଙ୍କିଲି କିଛି ସ୍ମୃତିଚିତ୍ର,
ନିଜକୁ ବି ସାଇତିବାର ଚେଷ୍ଟା କରିଥିଲି
ପିଲାବେଳର କାନ୍-ଭାସ୍ ଉପରେ;
ବୟସ କହିଲା
ମୁଁ ଅଫେରା ।

ସମୟ ପାଖରେ ନେହୁରା ହେଲି
ଥରଟେ ବୁଲାଇ ନେବାକୁ
ପଛରେ ଛାଡ଼ି ଆସିଥିବା
ଭଙ୍ଗା ସ୍ୱପ୍ନର ବେଳାଭୂମି ଆଡ଼େ
କାଳେ ପୁଣି ଥରେ ସଜାଡ଼ି ପାରିବି
ବିଶ୍ୱାସର ଧୂଳିସାତ୍ ବାଲିଘର;
ସମୟ ହସିଦେଇ କହିଲା
ମୁଁ ସେଇ ଅଫେରା ନଈ
ଯାହା ପାଖରେ ହାର ମାନେ
ଜୀବନର ଅନୁରୋଧ ପତ୍ର ବି ।

ଶେଷରେ ମୁଁ ବି ହାରିଗଲି
ଆଉ ମୋ ପରାଜୟରେ ସାମିଲ୍ ଥିଲା
ମୋ ବର୍ତ୍ତମାନ ।

– ଅର୍ପିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅର୍ପିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।