You are currently viewing ✍ ଷଡ଼ତ୍ରିଂଶ ସମ୍ପାଦକୀୟ
Editorial Page of Shubhapallaba 36th Edition (ଶୁଭପଲ୍ଲବ ୩୬ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ଷଡ଼ତ୍ରିଂଶ ସମ୍ପାଦକୀୟ

ହୋଲି ବା ଦୋଳ ଉତ୍ସବ ଆମେ ପ୍ରତିବର୍ଷ ବହୁ ଆଡ଼ମ୍ବର ସହକାରେ ପାଳନ କରି ଆସୁଛେ । ଏହି ରଙ୍ଗହୋରି ଉତ୍ସବ ହେଉଛି ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ । ଏହା ଖାଲି ଗୋଟିଏ ପ୍ରାନ୍ତରେ ନୁହେଁ ସାରା ଭାରତ ବର୍ଷରେ ପାଳନ କରାଯାଏ । ଏହି ଉତ୍ସବକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି ।

ଓଡ଼ିଶାରେ ହୋଲିଠାରୁ ଅଧିକ ଆଡ଼ମ୍ବର ସହକାରେ ଦୋଳଯାତ୍ରା ପାଳନ କରାଯାଏ । ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଜାଣିହୁଏ ହୁଏ ଯେ ଏହି ଉତ୍ସବ ଅତି କମରେ ଆଠଶହ ବର୍ଷ ତଳୁ ଓଡ଼ିଶାରେ ପାଳିତ ହୋଇ ଆସୁଅଛି । ରାଧାକୃଷ୍ଣଙ୍କର ସେହି ଅବସ୍ମରଣୀୟ ପ୍ରେମର ଗାଥାକୁ ବହନ କରୁଛି ଏହି ଦୋଳଯାତ୍ରା । ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହା ଆଡ଼ମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ ଏବଂ ଶେଷରେ ଦୋଳମଣ୍ଡପରେ ବିଜେ କରାଯାଇଥାଏ ।

ଏମିତି ଅନେକ ପୌରାଣିକ କଥାବସ୍ତୁକୁ ଆମେ ଆଜି ବିଭିନ୍ନ ପର୍ବପର୍ବାଣୀ ରୂପେ ପାଳନ କରି ଆସୁଛେ । ଆମ ପୁରାଣ, ସଂସ୍କୃତି, ପରମ୍ପରାକୁ ଏମିତି ଆଗକୁ ନେବା ଆମର କର୍ତ୍ତବ୍ୟ ଏବଂ ପରମ ଧର୍ମ ।

ଦୋଳ ପୂର୍ଣ୍ଣିମାର ବିଳମ୍ବିତ ଶୁଭେଚ୍ଛା ସହିତ ଭେଟି ଦେଉଛୁ ଶୁଭପଲ୍ଲବର ଏହି ସଂସ୍କରଣଟି ।

ଜୟ ଜଗନ୍ନାଥ ॥

Signature of Sangram Keshari Senapati

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।