You are currently viewing ଇଉରୋପ ଯାତ୍ରା
ଇଉରୋପ ଯାତ୍ରା

ଇଉରୋପ ଯାତ୍ରା

ଆଷାଢ଼ ମାସ ଅତିକ୍ରାନ୍ତ ପ୍ରାୟ । ସମୟ ସକାଳ ନଅଟା । ଅସଳେ ବର୍ଷା ହୋଇ ଛାଡ଼ି ଯାଇଥାଏ । ଆକାଶରେ ବାଦଲ, ବାଦଲ ଫାଙ୍କରେ ସୂର୍ଯ୍ୟଙ୍କର ଲୁଚକାଳି ଖେଳ । ଝାପ୍ସା ଆଲୋକରେ ଗଛପତ୍ର ସବୁ ଝଲସୁଥାନ୍ତି । ଏହି ସମୟରେ ଅଧ୍ୟାପକ ସୂର୍ଯ୍ୟକାନ୍ତ ବାବୁ ନିଜ ବାଇକ୍ ଧରି କଲେଜ ବାହାରିଗଲେ । ମନଟା ଟିକିଏ ଚଞ୍ଚଳ ଥାଏ । ବ୍ୟସ୍ତ ଆଉ ବିବ୍ରତ । କଲେଜରେ ଶୀଘ୍ର ପହଞ୍ଚିଲେ, କାମ ସାରି ଶୀଘ୍ର ଫେରିବାକୁ ପଡ଼ିବ । ଏବେ ତ ୫‘ଟି’ର ପ୍ରଚଳନରେ ସମସ୍ତେ ଅବସ୍ତବ୍ୟସ୍ତ । ତା’ ସାଙ୍ଗକୁ ବାୟୋମେଟ୍ରିକ୍ ମେସିନରେ ଆଙ୍ଗୁଳି ଛାପ ଦେବାକୁ ପଡ଼ୁଛି ନିଜର ଉପସ୍ଥାନ ପାଇଁ । ସାତଘଣ୍ଟାର ଉପସ୍ଥିତି ସାବ୍ୟସ୍ତ କରିବାକୁ ହେବ । ତା’ଛଡ଼ା ଆଜି କଲେଜରେ ଚାରୋଟି କ୍ଲାସ କରିବାକୁ ହେବ । ତେଣୁ କରି ବ୍ୟସ୍ତ ହେବା ସ୍ୱାଭାବିକ । ବର୍ଷା ଛାଡ଼ି ଯାଇଥିବାରୁ ସୂର୍ଯ୍ୟକାନ୍ତ ବାବୁ ରେନ୍‌କୋର୍ଟଟି ଘରେ ଛାଡ଼ି ଆସିଛନ୍ତି । ହଠାତ୍ ବାଟରେ କଳା ହାଣ୍ଡିଆ ମେଘ ଖଣ୍ଡେ ଉଠିଆସି ସୂର୍ଯ୍ୟକାନ୍ତ ବାବୁଙ୍କ ମୁଣ୍ଡ ଉପରେ ସବୁତକ ଉଜାଡ଼ି ହୋଇପଡ଼ିଲା । ଓଦା ଜୁଡ଼ୁବୁଡ଼ୁ ହୋଇ ସେ କଲେଜରେ ପହଞ୍ଚିଥିଲେ । ସଙ୍ଗେ ସଙ୍ଗେ ଫ୍ରେସ୍ ହୋଇଗଲେ । କି ଅଜବ ପରିସ୍ଥିତି କଲେଜରେ । ବର୍ଷା ପାଇଁ ଗୋଟିଏ ବି ପିଲା କଲେଜରେ ଉପସ୍ଥିତ ନଥିଲେ । ଆଜି ସେ କଲେଜରେ କରିବେ କ’ଣ ! ପିଲା ତ ନାହାନ୍ତି, ପଢ଼ାଇବେ କାହାକୁ ! ସାତଘଣ୍ଟା କାଟିବେ କିପରି । ତେଣୁ ସେ ଆହୁରି ବିବ୍ରତ ହୋଇପଡ଼ିଲେ । ତଥାପି, ସୂର୍ଯ୍ୟକାନ୍ତ ବାବୁ ଚକ୍ ଡଷ୍ଟର ଧରି କ୍ଲାସକୁ ଗଲେ । ପୁରୁଣା ଅଧ୍ୟାପକ ସେ କଲେଜର । ତିରିଶି ବର୍ଷ ହେଲା ସେ ସେହି କଲେଜରେ ଅଛନ୍ତି । ଜୀବନରେ ପାଠପାଢ଼ା ଓ କାର୍ଯ୍ୟରେ କେବେ ହେଳା କରିନାହାନ୍ତି । ତା’ଛଡ଼ା ଆଜି ବର୍ଷା ହେଲା ବୋଲି… ।

“ସାରେ୍ ଆଜି ଗୋଟାପଣେ ବର୍ଷାରେ ଭିଜିଗଲେ !” ପରୀକ୍ଷା ବିଭାଗର ବରିଷ୍ଠ କିରାଣୀ ଚୈତନ୍ୟବାବୁ ନମସ୍କାରଟିଏ ପକେଇବା ସହ ପଚାରିଲେ । ଚୈତନ୍ୟ ବାବୁଙ୍କର ଚୈତନ୍ୟ କେବେ ଉଦୟ ହେବ କେଜାଣି । ଦେଖୁଛନ୍ତି ବର୍ଷାରେ ଭିଜି ଯାଇଛି, ପୁଣି ପଚାରୁଛନ୍ତି । ତାଙ୍କର ଏହିଭଳି କଥା ସବୁବେଳେ । କଟା ଘା’ରେ ଚୂନ ମାରିବା ପରି । ବୁଢ଼ା ହେଲେଣି, ଆଉ ବର୍ଷେ ପରେ ଅବସର ନେବେ । କଥା କହିବାର ଶୈଳୀ, ସ୍ଥାନ, କାଳ ଓ ପାତ୍ର ଏ ଯାଏଁ ଜାଣିଲେ ନାହିଁ । ତାଙ୍କର କଥାଗୁଡ଼ାକ ଟାଣ ହେଲେ ବି ଭାରି ଭଲ ଲୋକଟିଏ କିନ୍ତୁ । ସତକଥା କହିବାକୁ କେବେ ଡରନ୍ତି ନାହିଁ । ଅଫିସ ପିଅନକୁ ସଙ୍ଗେ ସଙ୍ଗେ ଚାହା ଆଣିବାକୁ କହିଲେ । ଅଳ୍ପ ସମୟ ପରେ ଚାହା ଆସିଗଲା । ଚାହା ପିଇସାରି ସୂର୍ଯ୍ୟକାନ୍ତ ବାବୁ ଟିକିଏ ତେଜ୍ ହେଲେ ଏବଂ କହିଲେ, ଆଜି ତ ବର୍ଷା ପାଗ କଲେଜରେ ପିଲା ନାହାନ୍ତି । କ୍ଲାସ୍ ଫ୍ଲାସ୍ ନାହିଁ । ଆଜି ସବୁ ପରୀକ୍ଷାର ଖର୍ଚ୍ଚ ଫାଇଲ୍‌ଗୁଡ଼ିକୁ ରେଡି କରିବା । ହଁ, ସା’ର୍ ଠିକ୍ ଅଛି । ଡେରି ହୋଇଗଲାଣି, ସେଗୁଡ଼ିକୁ ଫାଇନାଲ୍ କରି ଦିଅନ୍ତୁ କହି, ଫାଇଲଗୁଡ଼ିକୁ ଆଲ୍‌ମିରାରୁ କାଢ଼ି ଚୈତନ୍ୟ ବାବୁ ସୂର୍ଯ୍ୟକାନ୍ତ ବାବୁଙ୍କ ପାଖରେ ଥୋଇଲେ । ସୂର୍ଯ୍ୟକାନ୍ତ ବାବୁ କଲେଜର ପରୀକ୍ଷା ଦାୟିତ୍ୱରେ ଅଛନ୍ତି ଦୀର୍ଘ ବର୍ଷ ହେବ । ଅଭିଜ୍ଞତା ସମ୍ପନ୍ନ କାମିକା ମଧ୍ୟ । ଚଷମା କାଢ଼ି ସୂର୍ଯ୍ୟକାନ୍ତ ବାବୁ ଫାଇଲଗୁଡ଼ିକୁ ପର୍ଯ୍ୟବ୍ୟକ୍ଷଣ କରୁଥାନ୍ତି । କେତେବେଳେ ଫାଇଲ ସବୁ ସରିଗଲାଣି ଜଣାନାହିଁ । ଦୀର୍ଘ ହାଇଟିଏ ମାରି କାନ୍ଥ ଘଣ୍ଟାକୁ ଚାହିଁଲେ, ଅପରାହ୍ନ ୫ଟା ବାଜିନାହିଁ । ଆହୁରି ଅଧଘଣ୍ଟାଏ ବାକି ଅଛି । ଆଜି ୧୦ଟାରେ ଅଫିସ୍ ପହଞ୍ଚିଥିଲେ, ୭ଘଣ୍ଟା ପୂରିଲେ ୫ଟାରେ ଅଫିସ ଛାଡ଼ିବେ । ଦୀର୍ଘ ନିଃଶ୍ୱାସଟିଏ ପକାଇ ଝରକାରେ ଟିକିଏ ବାହାରକୁ ଚାହିଁଲେ । ବାହାରେ ମେଘ ମେଦୁର ଆକାଶ । ଘୋଟପାଟ କରି କଳାମେଘଟିଏ ଢାଙ୍କିଛି । ବିଜୁଳି ସମୟେ ସମୟେ ମାରୁଛି । ତୁହାକୁ ତୁହା ଥଣ୍ଡା ପବନରେ ଦେହମନ ସଞ୍ଚରି ଯାଉଛି । କାହିଁକି କେଜାଣି ସୂର୍ଯ୍ୟକାନ୍ତ ବାବୁଙ୍କ ବର୍ଷା ପ୍ରତି ଏକ ଅହେତୁକ ଆବେଗ । ବର୍ଷାରେ ଭିଜିବାକୁ ଭଲ ସବୁବେଳେ ପାଆନ୍ତି । ସୂର୍ଯ୍ୟଙ୍କୁ ବର୍ଷା ଢାଙ୍କି ଦେଲେ ସେ ସବୁ ଭୁଲି ଯାଆନ୍ତି । ତାଙ୍କର, ସୁରୂଚିଙ୍କ କଥା ଭାରି ମନେ ପଡ଼େ । ଆଜି ସେ କଲେଜ ଆସିବାବେଳେ ସୁରୂଚି ଭିତର ଘରେ ଥିଲେ । ତାଙ୍କ ସହିତ ଦେଖା ହୋଇ ନଥିଲା । ବର୍ଷା ଛାଡ଼ି ଯାଇଥିବାରୁ, ସେ ତରବର ହୋଇ ବିନା ରେନ୍‌କୋର୍ଟରେ ଘରୁ ବାହାରି ଥିଲେ । ସୁରୂଚି ତାଙ୍କର ଅତି ପ୍ରିୟ ଏକମାତ୍ର ସହଧର୍ମଣୀ । ଆଜି ପରି ଏକ ମେଘୁଆ ଦିନ ଥାଏ ଠିକ୍ ପଚିଶ ବର୍ଷ ତଳେ । ଆଜି ତାରିଖରେ ତାଙ୍କର ସୁରୂଚିଙ୍କ ସହିତ ବିବାହ ହୋଇଥିଲା । ବାହାଘର ଦିନ ବାହା ମଣ୍ଡପରେ ବର୍ଷା ପବନ ଖାଲି କୋରୁଥାଏ । ବାହାମଣ୍ଡପରେ ଯଥା ରାବଣସ୍ୟ ତଥା ମନ୍ଦଦୋରୀ ମନ୍ତ୍ରରେ ପୁରୋହିତ ତାଙ୍କ ସହିତ ସୁରୂଚିଙ୍କର ହସ୍ତଗଣ୍ଠି ସମ୍ପାଦନା କରୁଥାନ୍ତି । ବଡ଼ ବିଚିତ୍ର ପରିସ୍ଥିତି । ବର୍ଷରେ ବେହାଲ୍ । ସବୁ କଥା କାଲିଭଳି ତାଙ୍କର ମନେ ଅଛି । ମୋବାଇଲ୍ କାଢ଼ି ସୂର୍ଯ୍ୟକାନ୍ତବାବୁ ଫେସ୍‌ବୁକ୍ ଖୋଲିଲେ । କାହିଁ, ସୁରୂଚି ତ ଆଜି ବିବାହ ବାର୍ଷିକୀରେ ଫଟୋ ପୋଷ୍ଟ କରି ନାହାନ୍ତି, କି ତାଙ୍କୁ ହାପି ମ୍ୟାରେଜ୍ ଆନିଭର୍ସରୀ ଜଣାଇ ନାହାନ୍ତି । ହ୍ୱାଟସଆପ୍‌ରେ ମଧ୍ୟ ପିଲାମାନେ କିଛି ମେସେଜ୍ ଦେଇନାହାନ୍ତି । ଭୁଲିଗଲେ କି ! ନା କ’ଣ ଗୋଟାଏ ସର୍‌ପ୍ରାଇଜ୍ ଅଛି ! ପୁଣି କାନ୍ଥଘଣ୍ଟାକୁ ସେ ଚାହିଁଲେ । ୫ଟା ବାଜି ଗଲାଣି । ଆଉ କାଳ ବିଳମ୍ବ ନକରି ଝିପିଝିପି ବର୍ଷାରେ ଭିଜି ସେ ଘରକୁ ବାହାରିଲେ । ବର୍ଷାକୁ ତାଙ୍କର ଆଜି ଦିନରେ ଖାତିର୍ ନାହିଁ । ସହଜେ ତ ବର୍ଷାରେ ଭିଜିବାକୁ ତାଙ୍କୁ ଭଲ ଲାଗେ । ବର୍ଷାରେ ଭିଜିଲେ ନିଜ ଭିତରେ ଚାପି ହୋଇଥିବା ଲୁହ ଆଉ କୋହକୁ କେହି ଦେଖି ପାରନ୍ତି ନାହିଁ । ଭିଜିବାରେ ଖାଲି ଆନନ୍ଦ ହିଁ ଥାଏ ।

ସତରେ ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ । ବର୍ଷା ଜୁଡ଼ୁବୁଡ଼ୁ ହୋଇ ଘରେ ପହଞ୍ଚି, ସୂର୍ଯ୍ୟକାନ୍ତ ବାବୁ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ତାଙ୍କର ପୁରୁଣା ଖାନ୍ଦାନ୍ ଘରଟି ନବକଳେବର ହୋଇ ଦୀପାବଳୀର ଭ୍ରମ ସୃଷ୍ଟି କରୁଛି । ଚକାଚକ୍ ସୁନ୍ଦର ସାଜସଜା ଓ ଗହଳୀ ଚହଳୀରେ ଘରଟି ଫାଟି ପଡ଼ୁଛି । ଗାଲିଚା ଡାଇନିଂରେ ବିଛା ହେବା ସହିତ ବେଲୁନ୍ ଗେଟ୍‌ରେ ହାପି ମ୍ୟାରେଜ୍ ଆନିଭର୍ସରୀ ଲେଖା ହୋଇଥାଏ । ରଙ୍ଗୀନ ଆଲୋକ ମାଳାରେ ଘରର ସୌନ୍ଦର୍ଯ୍ୟ ବହୁ ଗୁଣିତ ହୋଇଯାଇଛି । ଟି’ପୟ ଉପରେ ସୂର୍ଯ୍ୟକାନ୍ତ ଓ ସୁରୂଚିଙ୍କ ନାମ ଲେଖା ହୋଇ ମହମବତୀ ସହିତ ଏକ ସୁନ୍ଦର କେକ୍ ରହିଥାଏ । ଖାଦ୍ୟପେୟର ବାସ୍ନା ବାରି ହୋଇପଡ଼ୁଛି । ସମସ୍ତେ ବୋଧେ ସୂର୍ଯ୍ୟକାନ୍ତଙ୍କୁ ଅପେକ୍ଷା କରିଥା’ନ୍ତି । ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ । ସେମାନଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତବାବୁଙ୍କର ଭଉଣୀ-ଭିଣୋଇ, ଭଣଜା-ଭାଣୀଜି, ସୁରୂଚିଙ୍କର ଭାଇ-ଭାଉଜ, ଅନ୍ତରଙ୍ଗ ସାଙ୍ଗ ସୁଷମା ଓ ସୁଜାତା କଟକରୁ ଆସିଛନ୍ତି । ବର୍ଷା ହେତୁ ଆଉ ଅଧିକ ଆସି ପାରିନାହାନ୍ତି । ଆଉ ଘର ଲୋକ ଭିତରେ ସର୍ଯ୍ୟକାନ୍ତ ବାବୁଙ୍କର ଭାଇ, ଭାଇବୋହୂ, ନିଜ ପୁଅ ଝିଅ ଓ ଦୁଇ ଝିଆରୀ । ସମସ୍ତଙ୍କୁ ମିଶାଇ ୨୫/୩୦ ଜଣ ମେମ୍ବର ଘରେ ଉପସ୍ଥିତ ଅଛନ୍ତି । ଭିତର ଘରୁ ଷ୍ଟେରିଓରୁ ସଂଗୀତ ମୂର୍ଚ୍ଛନା ଭାସି ଆସୁଛି । ସେଠାରେ ବୋଧେ ସୁରୂଚି ପିଲାମାନଙ୍କ ସହିତ ନୃତ୍ୟରତ । ଏସବୁ ଆୟୋଜନ ସୁରୂଚିଙ୍କ ପ୍ରତ୍ୟେକ୍ଷ ରୂଚିରେ ସମ୍ପାଦନ ହେଲା ଭଳି ଲାଗୁଛି । ସୂର୍ଯ୍ୟକାନ୍ତବାବୁ ଘରେ ପହଞ୍ଚିବା ପରେ, ସୁରୂଚି ହସହସ ବଦନରେ ଆସି ହାପି ମ୍ୟାରେଜ ଆନିଭର୍ସରୀ ଜଣାଇଲେ । ମୁଁ ତୁମକୁ ସରପ୍ରାଇଜ ଦେବି ବୋଲି ସକାଳେ ଜଣାଇ ନଥିଲି । ଆଜି ପା ଆମର ୨୫ତମ ବିବାହ ବାର୍ଷିକୀ । ଠିକ୍ ଅଛି ଠିକ୍ ଅଛି କହି ସୂର୍ଯ୍ୟକାନ୍ତ ବାବୁ ତାଙ୍କ ରୁମ୍‌କୁ ଚାଲିଗଲେ ଫ୍ରେସ୍ ହେବାପାଇଁ । ସୁରୂଚି ଗୋଟାଏ ନୂଆ ସେର୍‌ୱାନୀ ଆଲମିରାରୁ କାଢ଼ି ପିନ୍ଧିବା ପାଇଁ କହିଲେ ଓ ନିଜେ ଗୋଟାଏ ନୀଳ ପାଟ ଶାଢ଼ୀ ପିନ୍ଧିଲେ । ଶ୍ୟାମଳ ବର୍ଣ୍ଣକୁ ନୀଳ ପାଟ ବେଶ୍ ମାନୁଥାଏ । ନବ ବିବାହିତା ବଧୂଟିଏ ପରି ସୁରୂଚି ଦେଖା ଯାଉଥାନ୍ତି । ଚାଲ ଆଜି ଆଉଥରେ ବାହାହୋଇ ପଡ଼ିବା । ସୁରୂଚିଙ୍କୁ ଦେଖି ସୂର୍ଯ୍ୟକାନ୍ତବାବୁ ବ୍ୟଙ୍ଗ ଚାହାଣୀରେ କହିଲେ, ବେଦୀଟିଏ କରିଥିଲେ ଆହୁରି ଭଲ ହୋଇଥାନ୍ତା । ବୁଢ଼ାକାଳେ ରାସଲୀଳା, ହସି ହସି ସୁରୂଚି କହି ଚାଲିଗଲେ । ସୁରୂଚି ଓ ସୂର୍ଯ୍ୟକାନ୍ତ କେହି କମ୍ ନୁହନ୍ତି । ଦୁହେଁ ଯେମିତି ଦୁହିଁଙ୍କ ପାଇଁ । ରବ୍‌ନେ ବନାୟା ଯୋଡ଼ି ।

ଧୂମ୍‌ଧାମ୍‌ରେ ସାଙ୍ଗ ସାଥି, ବନ୍ଧୁବାନ୍ଧବ ଓ ପରିବାର ସହିତ ବିବାହ ବାର୍ଷିକର ୨୫ତମ ପୂର୍ତ୍ତି ପାଳନ କରାଗଲା । ବେଶୀ ଆଡ଼ମ୍ବର ନହେଲେବି ଆଡ଼ମ୍ବର ଥିଲା । ସମସ୍ତେ ଖାଇପିଇ ନିଜ ନିଜ ରୁମ୍‌କୁ ଗଲେ । ସୁରୂଚିଙ୍କ ରୂଚିକୁ ସମସ୍ତେ ପ୍ରଶଂସା କରୁଥିଲେ । ସୁରୂଚିଙ୍କର ଗୋଡ଼ ତଳେ ଲାଗୁନଥାଏ । ବାହା ବାହାରେ ଫାଟି ପଡ଼ୁଥା’ନ୍ତି ସେ । ଏକଦମ୍ ଗଦ୍‌ଗଦ୍ । ସୁରୂଚି, ସୁଷମା ଆର ପାଖ ଘରେ ଥଟ୍ଟା ମଜ୍ଜା ହେବା ସହିତ ବହୁତ ହସାହସି ହେଉଥାନ୍ତି । ସୁରୂଚିଙ୍କ ଚିବୁକ୍ ହାତମାରି ନାନା ଇଙ୍ଗିତ ଦେଉଥା’ନ୍ତି ସୁଷମା ଓ ସୁଜାତା । ଆଜି ତାହାହେଲେ ନିଶ୍ଚୟ ହନିମୁନ୍ ହେବ କହି ଫେଁ ଫେଁ ହୋଇ ହସୁଥା’ନ୍ତି ସେମାନେ । ସୂର୍ଯ୍ୟକାନ୍ତବାବୁ ତାଙ୍କ ରୁମ୍‌କୁ ଗଲେ । ଓଃ କି ବାସ୍ନା, ବାସ୍ନାରେ ଘରଟି ଏକ ପ୍ରକାର କମ୍ପୁଥାଏ । ସୂର୍ଯ୍ୟବାବୁ ଟିଭି ଲଗାଇ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିବା ସହିତ ପୁରୁଣା କଥାଗୁଡ଼ିକୁ ସ୍ମରଣ କରୁଥା’ନ୍ତି । ସେ କିପରି ୩୦ ବର୍ଷ ତଳେ ମାସିକ ୭୦୦ ଟଙ୍କା ବେତନରେ ଅଧ୍ୟାପକ ଚାକିରୀକୁ ଆଦରି ନେଇଥିଲେ । ଚାକିରୀ ଆରମ୍ଭରେ ସେ ଗରିବ ଥିଲେ । ଏତେ ଅଳ୍ପ ଦରମାରେ ବିବାହ କରିବାକୁ ଇଚ୍ଛୁକ ନଥିଲେ । ତାଙ୍କ ଘରେ ଚାକିରୀ ଆରମ୍ଭ ବେଳକୁ ଇଟା ଖଣ୍ଡିଏ ବି ଲାଗି ନଥିଲା । ତାଙ୍କର ବାହାଘର ଦିନ ଘରକୁ ଇଲେକ୍ଟ୍ରିସିଟି ଆସିଲା । ଟିଉସନ କରି ପରିବାର ଚଳେଇବା ତାଙ୍କ ପକ୍ଷେ ବଡ଼ କଷ୍ଟକର ଥିଲା । ସେଥିରେ ପୁଣି ଦୁଇ ଭଉଣୀ ଓ ଭାଇର ବାହାଘର ଚିନ୍ତା । ଏହା ଭିତରେ ତାଙ୍କର ବାପା ଓ ମା’ ସ୍ୱର୍ଗବାସ କରିସାରିଲେଣି । ସେମାନେ ଥିବା ଅବସ୍ଥାରେ ସଉଦା ବ୍ୟାଗ୍ ଧରିଛନ୍ତି ଯେ ଧରିଛନ୍ତି । ତହିଁରୁ ଆଜି ବି ମୁକୁଳି ପାରିନାହାନ୍ତି । ବର୍ତ୍ତମାନ ଚାକିରୀରେ ଦରମା ବହୁତ ବଢ଼ିଛି । ଚଳିବାରେ ଅସୁବିଧା ମୋଟେ ନାହିଁ । ଗୋଟାଏ ଯୁଗ୍ମ ପରିବାରର ଖମ୍ବ ହୋଇ ଆଜି ସେ ଉଭା । ପରିବାରର ସବୁ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ । ଏହିଭଳି ଅତୀର ଅଡ଼ୁଆ ସୂତାଖିଅକୁ ଖୋଲି ଚାଲିଥା’ନ୍ତି ସୂର୍ଯ୍ୟକାନ୍ତ । ଏତିକିବେଳେ ସୁରୂଚି ସୂର୍ଯ୍ୟଙ୍କ କକ୍ଷକୁ ପ୍ରବେଶ କଲେ । କ’ଣ ବୋର୍ ହେଲଣିକି? ନାହିଁ, ଟିକିଏ ଗମ୍ଭୀର ହୋଇ ସୂର୍ଯ୍ୟକାନ୍ତ ଉତ୍ତର ଦେଲେ । ସର୍ଯ୍ୟକାନ୍ତଙ୍କର ଗୁରୁ ଗମ୍ଭୀର ସ୍ୱର ଶୁଣି ସୁରୂଚି ଟିକିଏ ଡରିଗଲେ ଏବଂ କହିଲେ, କ’ଣ ଭାବୁଛ ମ ! ଲୋକେ କେତେ କ’ଣ ବିବାହ ବାର୍ଷିକରେ ଖର୍ଚ୍ଚ କରୁଛନ୍ତି । ନହେଲେ ମୁଁ ଦଶ ପନ୍ଦର ହଜାର ଟଙ୍କା ଖର୍ଚ୍ଚ କରି ଦେଇଛି ଏଥିରେ । ସୁଷମା ଗତବର୍ଷ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି, ତା’ ବିବାହ ବାର୍ଷିକରେ କଟକ ପ୍ରମୋଦ ହୋଟେଲରେ ପାର୍ଟି ଦେଇଥିଲା । ସୂର୍ଯ୍ୟକାନ୍ତ ବାବୁ ବଲବଲ ହୋଇ ସୁରୂଚିଙ୍କ ମୁହଁକୁ ଚାହିଁ ରହିଥା’ନ୍ତି । ଏମିତି ମୁହଁ ଜମାରୁ କରନି । ସୁରୂଚି ସୂର୍ଯ୍ୟକାନ୍ତଙ୍କ ଓଠରେ ହାତମାରି କହିଲେ ଏବଂ ତାଙ୍କର ଆଙ୍ଗୁଳି ସବୁ ଫୁଟାଇବାକୁ ଲାଗିଲେ । କାଲି ସକାଳେ ମୁଁ, ସୁଷମା ଓ ସୁଜାତା ସହିତ କଟକ ଯାଉଛି । କଟକ ଯିବା କଥା ଶୁଣି ସୂର୍ଯ୍ୟଙ୍କର ତେଜ ଟିକିଏ କମିବା ସହିତ ମନୋଭାବର ପରିବର୍ତ୍ତନ ହେଲା । କାହିଁକି !? ସୂର୍ଯ୍ୟବାବୁ ପଚାରିଲେ । ନେହୁରୁ ପଲ୍ଲୀ କୃଷ୍ଠାଶ୍ରମରେ କିଛି ଖାଦ୍ୟ ପୁଡ଼ିଆ ଆମ ବିବାହ ବାର୍ଷିକ ଉପଲକ୍ଷେ ବାଣ୍ଟିବି । ଏହିଟା ଠିକ୍ କଥା ବୁଝିଲ ସୁରୂଚି, ମୁଁ ତୁମ ସହିତ ଏହି କାର୍ଯ୍ୟରେ ସହମତ । ତ’ହେଲେ ତୁମେ ଟିକିଏ ମୋ ସହିତ କଟକ ଚାଲୁନା । ହିଁ ଯିବି କହି ସୂର୍ଯ୍ୟ କଡ଼ ଲେଉଟାଇ କାନ୍ଥକୁ ଚାହିଁଲେ । ନୂଆ ବଜାର ଘରେ ରହିବା । ତୁମେ ସାଙ୍ଗରେ ଗଲେ ଭଲ ବୋଲି ସୁରୂଚି କହିଲା । ସୂର୍ଯ୍ୟବାବୁ କୃପଣ ନହେଲେ ବି ଅଯଥା ଖର୍ଚ୍ଚ କରନ୍ତି ନାହିଁ । ସୁରୂଚିଙ୍କ ଖର୍ଚ୍ଚରେ କେବେବି ହସ୍ତକ୍ଷେପ ମଧ୍ୟ କରି ନାହାନ୍ତି । ଠିକ୍ ଅଛି, ଆମ ବିବାହ ବାର୍ଷିକରେ କିଛି କୁଷ୍ଠରୋଗୀ ଉପକୃତ ହେବେ, ଏହା ଅତ୍ୟନ୍ତ ଖୁସିର କଥା । ନିଜ ରୋଜଗାର ଧନକୁ ଘରେ ସୁସ୍ଥ ଲୋକ ଗୁଡ଼ାକ ବସି ଖାଉଛନ୍ତି, ନହେଲେ କିଛି ଦୁଃଖୀରଙ୍କି ଖାଇବେ । ଏହାଠାରୁ ବଳି ଆଉ ପୁଣ୍ୟକାର୍ଯ୍ୟ କ’ଣ ହୋଇପାରେ? ଏହାଭାବି ସୂର୍ଯ୍ୟକାନ୍ତ ନିରବ ରହିଲେ । ସୁରୂଚି ସେହିଭଳି ଚାହିଁ ରହିଥା’ନ୍ତି । ହଁ, ଯିବିପା କହିଲି, ପୁଣି କ’ଣ? ସୁରୂଚିଙ୍କ ମୁହଁରେ ହସ । ସେ ଆଉ ଟିକିଏ ଆଲିଙ୍ଗନ ମୁଦ୍ରାକୁ ଯାଇ କହିଲେ, ଆମ ପୁଅ ଝିଅଙ୍କ ସହିତ ଆମେ ଦୁଇ । ଆଉ ଆମର କ’ଣ ଅଛି ଯେ, ସବୁ କାମତ ସରିଲାଣି । ଘରତ କରି ସାରିଲେଣି, ନୂଆ ବଜାର ଘରର ଆଉ ଅଳ୍ପ କାମ ବାକି ଅଛି । ପିଲାମାନଙ୍କର ପଢ଼ା ଶେଷ ହେଲାଣି । ଝିଅ ଚାକିରୀ କଲାଣି । ମାଡ଼ି ମାଡ଼ି ତାହା ବାହାଘରରେ କିଛି ଖର୍ଚ୍ଚ ହେବ ନହେଲେ ଝିଆରୀ ୨ଜଣଙ୍କ ପାଇଁଁ କିଛି ଯିବ । ପୁଅର ତ ନୂଆ ବଜାର ଘର ଅଛି । ଭଡ଼ା ଆଦାୟ କରି ଚଳିଯିବ, ଯଦି କିଛି ନକରି ପାରିଲା । ଗୌରଚନ୍ଦ୍ରିକା ଟିକିଏ ବନ୍ଦ କରି କ’ଣ କହିବ କୁହ । ସୂର୍ଯ୍ୟବାବୁ ଟିକେ ଗେହ୍ଲେଇ ହୋଇ କହିଲେ । ପୁଅ ଝିଅଙ୍କ ସହ ଆମ ୨ଜଣଙ୍କର ପାସ୍ପୋର୍ଟ ହୋଇ ସାରିଛି । ଚାଲୁନା ସାଙ୍ଗ ହୋଇ ଟିକେ ଫରେନ୍ ବୁଲି ଆସିବା । ମୁଁ କଟକ ଲାୟନସ୍ କ୍ଲବର ମେମ୍ବରମାନଙ୍କ ସହିତ କଥା ହୋଇଛି ସେମାନେ ସେପ୍ଟମ୍ବର ମାସରେ ଇଉରୋପ ଟୁର୍‌ରେ ଯାଉଛନ୍ତି । ଆମେ ସେମାନଙ୍କ ସହିତ ଏହି ଟୁର୍‌ରେ ସାମିଲ ହେଲେ କ’ଣ ହୁଅନ୍ତା? ଲାୟନସ୍ ମେମ୍ବର କହ୍ନେୟା ଏହାକୁ କଣ୍ଡକ୍ଟ କରୁଛନ୍ତି । ଜଣ ପ୍ରତି ଅଢ଼େଲକ୍ଷ ଟଙ୍କ ପ୍ୟାକେଜ୍ ରେଟ୍ ଅଛି । ୫ଟା ଦେଶ ବୁଲାଇବ । ଫ୍ରାନ୍ସ, ଜର୍ମାନ, ଅଷ୍ଟ୍ରିୟା, ଇଟାଲୀ ଓ ସୁଇଜରଲ୍ୟାଣ୍ଡ ଇତ୍ୟାଦି । ପ୍ୟାକେଜ୍‌ଟା ବହୁତ ଭଲ ଅଛି । ମୁଁ ତାଙ୍କ ସହିତ କଥା ହୋଇଥିଲି । ଖାଲି ଯାହା ତୁମର ସମ୍ମତି ଦରକାର । କ’ଣ ହେଲା ! ସେ ଲାୟନସ୍ କ୍ଲବରେ ମିଶି ତୁମ ମୁଣ୍ଡ ଖରାପ ହୋଇଗଲାଣି । ତୁମେ ଏଥର ଶୋଇପଡ଼ । ଦଶଲକ୍ଷ ଟଙ୍କାର ଖର୍ଚ୍ଚ । ଦଶ ଲକ୍ଷ ଟଙ୍କା କିଏ, ମୁଁ କିଏ? ଏକ ପ୍ରକାର ବିଳିବିଳି ହେଲେ ସୂର୍ଯ୍ୟକାନ୍ତ ବାବୁ । କିଛି ଆଉ ସୁରୂଚିଙ୍କୁ ହଁ କିମ୍ବା ନା ନ କହି ଶୋଇପଡ଼ିଲେ ସୂର୍ଯ୍ୟକାନ୍ତବାବୁ । ଅନ୍ତରଙ୍ଗର ରଙ୍ଗୀନ ରାତ୍ରିଟି କ୍ରମେ ସରି ସରି ଆସୁଥିଲା । ସୁରୂଚି, ସୂର୍ଯ୍ୟଙ୍କର କକ୍ଷ ପଥରେ ନିରାଶ ଭାବରେ ଖାଲି ଘୂରି ବୁଲୁଥିଲେ ।

ସକାଳେ ଆଉ ମେଘ ନାହିଁ । ନିର୍ମଳ ଆକାଶ । ସୂର୍ଯ୍ୟଙ୍କର କଅଁଳ କିରଣରେ ଗଛ ପତ୍ରସବୁ ଝଲସୁଥା’ନ୍ତି । ଆଜିର ସୂର୍ଯ୍ୟ ତେଜଦୀପ୍ତ ହେବେ କି ନିଷ୍ପ୍ରଭ ହେବେ ଜଣାନାହିଁ । ସୁରୂଚି, ସୁଷମା ଓ ସୁଜାତାଙ୍କ ସହିତ କଟକ ବାହାରିଲେ । ସୁରୂଚିଙ୍କର ଭାଇ ଭାଉଜ କଟକ ଚାଲିଗଲେଣି ବଢ଼ି ସକାଳୁ । ଲାୟନସ୍ କ୍ଲବର ବ୍ୟାଚ୍‌ଟିକୁ ସୁରୂଚି ସାଲୱାରରେ ମାରିଲେ । ସୁରୂଚି କଟକୀ ଝିଅ । ଅସହାୟମାନଙ୍କ ସେବା ଓ ସାହାଯ୍ୟରେ ରୁଚି ରଖନ୍ତି । ସେଥିଲାଗି ସେ କଟକ ଲାୟନସ୍ କ୍ଲବର ମେମ୍ବର । ମହିଳା ୱାକର୍ସ୍ କ୍ଲବରେ କେବେଠାରୁ ସାମିଲ୍ । ପିଲା ଦିନର ସ୍କାଉଟ୍ ଗାଇଡ଼୍ ଓ କଲେଜରେ ଏନ୍ଏସ୍ଏସ୍ ଓ ରେଡ୍‌କ୍ରସରେ ଯୋଗଦାନ କରିଥିଲେ । ସୂର୍ଯ୍ୟବାବୁଙ୍କୁ ବିବାହ କରିବା ପୂର୍ବରୁ ନୂଆ ବଜାର ଶିଶୁ ମନ୍ଦିରରେ ମାଷ୍ଟ୍ରାଣୀ ଥିଲେ । ବାହାଘର ପରେ ଚାକିରୀ ଛାଡ଼ି ସୂର୍ଯ୍ୟବାବୁଙ୍କର କକ୍ଷ ପଥରେ ଅବସ୍ଥିତ । ସହର ଛାଡ଼ି ଗାଁ’କୁ ବଧୂ ହୋଇ ଆସିଲେ । ଗାଁ ଚଳନୀରେ ଆଡ଼ଜଷ୍ଟ ହେବାକୁ ଢେର୍ ଦିନ ଲାଗିଲା । ଶାଶୁ, ଶ୍ୱଶରଙ୍କ ଅନ୍ତେ ସେ ଏବେ ଶାଢ଼ୀ ବଦଳରେ ସାଲୱାର ପିନ୍ଧୁଛନ୍ତି । ଗାଁରେ ତାଙ୍କର କଟକିଆଣୀ ଡାକଟି ଏ ପର୍ଯ୍ୟନ୍ତ ଲିଭିନାହିଁ । ଏବେ ସେ ଜଣେ ସୁଗୃହୁଣୀ । ଏହା ଭିତରେ ସର୍ଯ୍ୟବାବୁ ବି କଟକ ଆସିବା ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ । ସୁଷମା, ସୁଜାତା ଓ ସୁରୂଚିଙ୍କ ସହିତ ସୂର୍ଯ୍ୟବାବୁ କାର୍‌ରେ ବସିଲେ । ସୁଷମାର କାର୍‌କୁ ସୁରୂଚି ଡ୍ରାଇଭ୍ କରି କଟକ ଛତ୍ରବଜାରରେ ପହଞ୍ଚିଲେ । ସେଠାରେ ବରାଦ ମୁତାବକ ଖାଦ୍ୟ ପୁଡ଼ିଆ ସବୁ ପ୍ରସ୍ତୁତ ହୋଇଥିଲା । ଖାଲି ପାଣି ବୋତଲ କିଣିବାକୁ ପଡ଼ିଲା । ସେଗୁଡ଼ିକୁ ଆଣି ନେୁହୁରୁ ପଲ୍ଲୀ କୁଷ୍ଠାଶ୍ରମରେ ସମସ୍ତେ ବାଣ୍ଟିଲେ । ସୁଷମା, ସୁରୂଚି ଓ ସୂର୍ଯ୍ୟକାନ୍ତବାବୁଙ୍କୁ ଆଣି ନୂଆ ବଜାର ବାସଭବନରେ ଛାଡ଼ି ବିଦାୟ ନେଲେ । ସୁରୂଚି ନିଜ ତତ୍ତ୍ୱାବଧାନରେ କଟକ ନୂଆ ବଜାର ଠାରେ ତିନି ମହଲା ଘରକରି ଭଡ଼ା ଦେଇଛନ୍ତି । ନିଜ ପାଇଁ ସବା ଉପରେ ମହଲାଟି ରଖି ଭଡ଼ା ଦେଇ ନାହାନ୍ତି । ସୂର୍ଯ୍ୟକାନ୍ତବାବୁ ସୁରୂଚିଙ୍କୁ କଟକରେ ଛାଡ଼ି ୩ଦିନ ପରେ ଗାଁ’କୁ ଫେରିଲେ ।

ଏହା ଭିତରେ ଦଶ ଦିନ ବିତି ଗଲାଣି । ସୁରୂଚି ବି ଗାଁକୁ କଟକରୁ ଫେରି ସାରିଲେଣି । ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାଶ ମଧ୍ୟାହ୍ନର ସୂର୍ଯ୍ୟପରି ଦକଦକ କରୁଥା’ନ୍ତି । ନିରବ, ନିଶ୍ଚଳ ଓ ତେଜଦୀପ୍ତ । ଉଇରୋପ ଟୁର୍ ସମ୍ପର୍କରେ ହଁ କିମ୍ବା ନାର ପ୍ରତିଶୃତିଟି ତାଙ୍କ ପାଟିରୁ ଏ ପର୍ଯ୍ୟନ୍ତ ବାହାରି ନାହିଁ । ସୁରୂଚି ମଧ୍ୟ ସେକଥା ଆଉ ଉଠାଇ ନାହନ୍ତି ଭୟରେ । ମହାଭାରତକୁ କିଏ ଯେ ପଶିବ । ଏହା ଭିତରେ ଲାୟନସ୍ କହ୍ନେଇୟା ବି ଫୋନ୍ ପରେ ଫୋନ୍ କରୁଥା’ନ୍ତି । ଶୀଘ୍ର ଇଉରୋପ ଟୁର୍ ଫାଇନାଲ୍ କରିବା ପାଇଁ । ସୁରୂଚି ଆଜି ହିଁ କିଛି ଗୋଟାଏ କରିବେ । ଏହା ଭାବି ବଡ଼ ସନ୍ତର୍ପଣରେ ଗେହ୍ଲେଇ ହୋଇ ସୂର୍ଯ୍ୟକାନ୍ତ ବାବୁଙ୍କୁ ପଚାରିଲେ, “କହ୍ନେଇୟା ଫୋନ୍ କରିଥିଲେ ଇଉରୋପ ଟୁର୍ ସମ୍ପର୍କରେ । ସେ କହୁଛନ୍ତି ଭିସା ଖର୍ଚ୍ଚବି ସେହି ପ୍ୟାକେଜରେ ସାମିଲ୍ । ଭିସା ପାଇଁ ଆଉ କଲିକତା ଅଫିସ ଯିବାକୁ ପଡ଼ିବ ନାହିଁ । ସେମାନେ ଭୁବନେଶ୍ୱର ଆସି ଆମ୍ଭର ଭିସା କରିଦେବେ ।” ସୁରୂଚି ଯାହା ଜିଦି ଧରିଥିବେ ସେଇୟା । କହଲେଇ କହଲେଇ କଥା ଆଦାୟ କରିବାର ମାହିର୍ । “ଏତେଗୁଡ଼ାଏ ଟଙ୍କା ଏଇନେ ଆଫୋର୍ଡ଼ କରିହେବ ନାହିଁ”, ସୂର୍ଯ୍ୟବାବୁ ଗମ୍ଭୀର ଗଳାରେ ଉତ୍ତର ଦେଲେ । “ତେବେ, ମୁଁ କହ୍ନେଇୟାଙ୍କୁ ମନା କରି ଦେଉଛି ।” ସୁରୂଚି ମନ ଦୁଃଖରେ ଏକବାର ଭାଙ୍ଗି ପଡ଼ିଲେ । ସୂର୍ଯ୍ୟକାନ୍ତ ବାବୁ ସୁରୂଚିଙ୍କୁ ଲକ୍ଷ୍ୟ କରୁଥିଲେ । “ନା, ମନା କରନି, ଗୋଟିଏ କାମ କର । ଆମେ ଦୁହେଁ ଯିବା, ପିଲାମାନଙ୍କୁ ନେବା ନାହିଁ । ବୁଝ, ଟଙ୍କା କିସ୍ତି କରି ଦେଇ ହେବ କି ନାହିଁ ।” “ହଁ କିସ୍ତି ଆକାରରେ ଟଙ୍କା ଦେଇ ହେବ । ସେ କିସ୍ତିରେ ଟଙ୍କା ଭିସା ଆସିବା ପୂର୍ବରୁ ନେବେ ।” “ତାହାହିଁ ହେଉ”, ସୂର୍ଯ୍ୟକାନ୍ତ ବାବୁ ସ୍ପଷ୍ଟ ଭାବେ ଉତ୍ତର ଦେଲେ । ସୁରୂଚିଙ୍କର ଆନନ୍ଦର ସୀମା ରହିଲା ନାହିଁ । ଯଦିଓ ପିଲା ମାନଙ୍କ ପାଇଁ ମନ ଦୁଃଖ କଲେ । ସେ ସୂର୍ଯ୍ୟକାନ୍ତଙ୍କ ବେକରେ ଲମ୍ବିଯାଇ ଚୂମା ପରେ ଚୂମା ଖାଲି ଦେଇ ଚାଲିଲେ । ସୂର୍ଯ୍ୟକାନ୍ତ ବାବୁ ତା’ପରେ ହସି ହସି କହିଲେ ମୋର କ’ଣ ଇଉରୋପ ଯିବାକୁ ମନ ନାହିଁ । ସୁରୂଚି, କହ୍ନେଇୟାଙ୍କୁ ଫୋନ୍ କରି ଜଣାଇଲେ । ତାଙ୍କର ୨ଟି ଟିକେଟ୍ ବୁକ୍ କରିବା ପାଇଁ କହିଲେ । ପାସପୋର୍ଟ ହୋଇସାରିଛି, ଯାହା ଭିସା ପାଇଁ କାଗଜପତ୍ର ହେବ । କହ୍ନେଇୟା ଧନ୍ୟବାଦଟିଏ ଜଣାଇ ଫୋନ୍ ରଖିଲେ । ସୂର୍ଯ୍ୟକାନ୍ତ ବାବୁ ଜବାବ୍ ଦେଇ ଦେଲେ ସିନା ଟଙ୍କା ଆସିବ କେଉଁଠୁ? ଏହା ଭାବି, ଜିପିଏଫ୍‌ରୁ ଟଙ୍କା ଉଠାଇବା ପାଇଁ ତହିଁଆରଦିନ କଲେରେ ଆପ୍ଲାଏ କଲେ । ଶୀଘ୍ର ହେବା ପାଇଁ ୨ହଜାର ଟଙ୍କା ହେଡ଼୍‌କ୍ଲର୍କ ମାଧ୍ୟମରେ ଡାଇରେକ୍ସର ଅଫିସକୁ ପଠାଇବା ବ୍ୟବସ୍ଥା କରାଇଲେ । ଆଜିକାଲି ତ ବିନା ଲାଞ୍ଚରେ କିଛି ହଲୁ ନାହାନ୍ତି । ସରକାର ସ୍ୱଚ୍ଛତା କଥା କହୁଛନ୍ତି, ୫ଟି ଲାଗୁ କରୁଛନ୍ତି କିନ୍ତୁ ଲାଞ୍ଚରେ କିଛି ଫରକ ପଡ଼ୁନାହିଁ । ଲାଞ୍ଚଟା ଯେମିତି ବାଧ୍ୟତାମୂଳକ ହୋଇ ଯାଇଛି । ଏହା କେବେ ଉଠିବ ଭଗବାନଙ୍କୁ ଜଣା । ସୂର୍ଯ୍ୟକାନ୍ତ ବାବୁଙ୍କ ପରି ବହୁ ସଚ୍ଚୋଟ ଲୋକ ଯାହା ଖାଲି ଶିକାର ହେଉଛନ୍ତି । ନିଜ ଟଙ୍କା ନିଜେ ଉଠାଇବା ପାଇଁ ଲାଞ୍ଚ ଦେବାକୁ ହୁଏ, ଏକଥା ବୋଧେ ବିଶ୍ୱରେ ଅନ୍ୟ କେଉଁଠି ନଥିବ !

ସୁରୂଚିଙ୍କର ଆନନ୍ଦର ସୀମା କହିଲେ ନସରେ । ସେ ଖାଲି ଡେଉଁଥା’ନ୍ତି । ଗୋଡ଼ ତଳେ ଲାଗୁନଥାଏ । ସବୁବେଳେ ସେ ଏବେ କହ୍ନେଇୟା ସହିତ ଯୋଗାଯୋଗରେ ଅଛନ୍ତି । ଲାଞ୍ଚ କାରବାର ହେତୁ ଜିପିଏଫ୍ ଟଙ୍କା ସାଂସନରେ ବିଳମ୍ବ ହେଲାନାହିଁ । ପ୍ରଥମ କିସ୍ତି ଟଙ୍କା କହ୍ନେଇୟା ଆକାଉଣ୍ଟରେ ଡିପୋଜିଟ୍ ହେବା ସହିତ ଭିସା କାଗଜପତ୍ରର ପ୍ରସ୍ତୁତି ଆଗେଇ ଚାଲିଛି । ସେପ୍ଟେମ୍ବର ୧୭ ତାରିଖ ଇଉାରୋପ ଟୁର୍ ପାଇଁ ସ୍ଥିର ହୋଇଅଛି । ଆଉ ଅଢ଼େଇ ମାସ ହାତରେ ବାକି ଅଛି । ଏତେ କମ୍ ସମୟ ଭିତରେ ସୁରୂଚିଙ୍କୁ ପ୍ରସ୍ତୁତି ହେବାକୁ ପଡ଼ିବ । ସେ ଫ୍ଲିପ୍‌କାର୍ଟ ଓ ଆମାଜନରୁ ତାଙ୍କର କିଛି ଡ୍ରେସ୍ କପଡ଼ା, ଜୋତା ଓ ଜିନ୍ସ ଅଡ଼ର କରିଛନ୍ତି । କଟକର ରାଜହଂସ ଓ ଅମ୍ବରରୁ ମଧ୍ୟ ୪ହଳ ଡ୍ରେସ୍ ସୂର୍ଯ୍ୟ ବାବୁଙ୍କ ପାଇଁ କିଣି ସାରିଲେଣି । ଏହା ଭିତରେ ଯେବେ ସୁରୂଚି ମାର୍କେଟ ଯାଉଛନ୍ତି, କିଛି ନା କିଛି କିଣି ଆଣୁଛନ୍ତି । ସୁରୂଚିଙ୍କ ସହିତ ପିଲମାନେ ମଧ୍ୟ ଉତ୍ସାହିତ ଅଛନ୍ତି । ସୁରୂଚି ବଡ଼ ଝିଅ ସହିତ ପରାମର୍ଶ କରି ଏବେଠାରୁ ଟ୍ରଲି ବ୍ୟାଗ୍ ସଜାଡ଼ୁଛନ୍ତି । ତିରିଶି କେଜିରୁ ଅଧିକ ହେବନାହିଁ ଲଗେଜ୍ । ସୁରୂଚି ପିଲାମାନଙ୍କ ସହିତ ଆନନ୍ଦରେ ଖାଲି ନାଚୁଛନ୍ତି । କିନ୍ତୁ, ସୂର୍ଯ୍ୟବାବୁଙ୍କ ମନରେ ଟିକିଏ ହେଲେ ସରସତା ନାହିଁ । ସେ ଏକ ଅହେତୁକ ଭୟରେ କାଳାତିପାତ କରୁଛନ୍ତି । ବିଷର୍ଣ୍ଣ ଦେଖା ଯାଉଛନ୍ତି । ବିଷର୍ଣ୍ଣତାର କାରଣ ଭୟ ! ସେ ଆଗରୁ କେବେ ଫ୍ଲାଇଟ୍‌ରେ ବସି ନାହାନ୍ତି । ଯାଉ ଯାଉ ଫ୍ଲାଇଟ୍ ଯଦି ମଝି ଆକାଶରେ ଭାଙ୍ଗି ପଡ଼େ କ’ଣ ହେବ ତାଙ୍କର ଅବସ୍ଥା । ସୁରୂଚିଙ୍କ ଅବସ୍ଥା କ’ଣ ହେବ । ସବୁ ସରିଯିବ । ଚିହ୍ନ ବର୍ଣ୍ଣ ରହିବ ନାହିଁ । ପିଲାନେ ଅନାଥ ହୋଇଯିବେ । କ’ଣ କହି କଲେଜରୁ ଆବ୍ରୋଡ଼ ଛୁଟି ଆଣିବେ । ମିଛ କଥା କହିକି ଗଲେ ଇନ୍ସୁରାନ୍ସ ମିଳିବ ନାହିଁ । ଏହି ଚିନ୍ତାରେ ସେ ଏକ ପ୍ରକାର ଅଧାମରା ହୋଇ ଗଲେଣି । ଉପରେ ସିନା ସେ ହସୁଛନ୍ତି, ଭିତରେ ଏହି ଅହେତୁକ ଭୟଟି ସବୁବେଳେ ଘାରୁଛି । ସେ ତାଙ୍କର ଶୁଭେଚ୍ଛୁମାନଙ୍କ ସହିତ ଏ ବାବଦରେ ବହୁ ପରାମର୍ଶ କରି ଚାଲିଛନ୍ତି । କେହି କେହି ବିମାନ ଯାତ୍ରା ଭାରି ଆରାମଦାୟକ ବୋଲି କହୁଛନ୍ତି । କିଛି ହେବନାହିଁ । ଏମିତି ହଜାର ହଜାର ଲୋକ ପୁଣି ବିମାନରେ ଯାଉଛନ୍ତି । କିଛି ସେମାନଙ୍କର ହେଉନାହିଁ । ସୁରୁଖୁରୁରେ ସେମାନେ ଫେରୁଛନ୍ତି । କିନ୍ତୁ ସୂର୍ଯ୍ୟବାବୁଙ୍କ ମୁଣ୍ଡରୁ ଭୟ ଯାଉନଥାଏ ।

‘ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି’ । ଏହି ଚିନ୍ତାରେ ସୂର୍ଯ୍ୟ ବାବୁ ଏକବାର ଶୁଖିକି ସଳିତା ହେଲେଣି । ଆଂଗଜାଇଟି ଓ ଡିପ୍ରେସନ ତାଙ୍କର ବହୁତ ବଢ଼ି ଯାଇଛି । ଦେହ ପା’ ଭଲ ରହୁନାହିଁ । ପେଟ ଗ୍ୟାସ୍ ହେଉଛି । ଗୋଡ଼ହାତ ଝିମିଝିମି ହୋଇ ମୁଣ୍ଡ ବୁଲାଉଛି । ଏହି ଯେମିତି ସଙ୍ଗେ ସଙ୍ଗେ ହାର୍ଟ ଆଟାକ ହେବକି । ସୂର୍ଯ୍ୟବାବୁଙ୍କର ଏ ଅବସ୍ଥା ଦେଖି ସୁରୂଚି ମନ ଉଣା କରୁଛନ୍ତି । ଯିବାକୁ ଆଉ ୧୫ଦିନ ବାକି ଅଛି । ସବୁ ଟଙ୍କା ଦିଆ ସରିଲାଣି । କହ୍ନେୟା ଫ୍ଲାଇଟ୍ ଟିକେଟ ମୋବାଇଲରେ ପଠାଇ ସାରିଲେଣି । ସୁସ୍ଥ ସବଳ ଲୋକଟାର ଏ କି ଅବସ୍ଥା । ନଯାଇ ପାରିଲେ ଟଙ୍କା ପେରସ୍ତ ନାହିଁ । ବଡ଼ ତ୍ରିସଂକୁ ଅବସ୍ଥା । କ’ଣ କରାଯିବ । ସୁରୂଚିଙ୍କ ମୁଣ୍ଡ କାମ କରୁନଥାଏ । ତଥାପି, ଧୈର୍ଯ୍ୟହରା ନହୋଇ ସୁରୂଚି ସୂର୍ଯ୍ୟକାନ୍ତଙ୍କୁ ଡାକ୍ତର ଦେଖାଇବା ପାଇଁ କଟକ ବଡ଼ ମେଡ଼ିକାଲ ନେଇ ଆସିଲେ । ସୂର୍ଯ୍ୟକାନ୍ତ ବାବୁଙ୍କର ସମସ୍ତ ପ୍ରକାର ପରୀକ୍ଷା କରାଗଲା । କେଉଁଥିରୁ କିଛି ବାହାରିଲା ନାହିଁ । ସବୁ ନର୍ମାଲ । ଖାଲି ଯାହା ଥାଇରଏଡ଼୍ ଟିକିଏ ବାହାରିଛି । ଆଂଜାଇଟ୍ ଅଧିକ ହେବାରୁ ଥାଇରଏଡ଼୍ ବଢ଼ିଛି । ସେଥିପାଇଁ ପେଟ ଗ୍ୟାସ୍ ହେଉଛି । ନିଦ ବଟିକା ଓ ଗ୍ୟାସ୍ ବଟିକା ଧରି ସୂର୍ଯ୍ୟକାନ୍ତ ସୁରୂଚିଙ୍କ ସହ ଘରକୁ ଫେରିଲେ । ସମୁଦାୟ ମେଡ଼ିକାଲ ଖର୍ଚ୍ଚ ୧୨ ହଜାର ଟଙ୍କା ଲାଗିଲା । ଅଯଥା ଖର୍ଚ୍ଚ ପାଇଁ ସୁରୂଚି ଟିକେ ଅସୁଖୀ ଲାଗୁଥିଲେ କିନ୍ତୁ ସୂର୍ଯ୍ୟବାବୁ ସୁଖୀ ଥିଲେ । ଏହା ପରଠାରୁ ସୂର୍ଯ୍ୟକାନ୍ତ ବାବୁ ପ୍ରସନ୍ନ ଦେଖାଯାଉଛନ୍ତି । ମନବି ବହୁତ ଦୃଢ଼ ଲାଗୁଛି ।

ଏଣିକି ସୂର୍ଯ୍ୟକାନ୍ତ ବାବୁ ମର୍ଣ୍ଣିଂୱାକ୍‌ରେ ଯାଉଛନ୍ତି । ଡାକ୍ତରଙ୍କର ପରାମର୍ଶକ୍ରମେ ଯୋଗାଭ୍ୟାସ ମଧ୍ୟ କରୁଛନ୍ତି । ଇଉରୋପ ଯିବା ପାଇଁ ଶରୀର ଫିଟ୍ ହେବା ଦରକାର । ଦିନେ ସୂର୍ଯ୍ୟକାନ୍ତ ବାବୁ ମର୍ଣ୍ଣିଂୱାକ୍‌ରୁ ଫେରୁଛନ୍ତି, ବାଟରେ ଜଣେ ଲୋକ ସହ ଦେଖା ହେଲା । ଜଉତିଷ ପରି ବେଶ ପୋଷାକ, ବୋଧେ ଜାତକ ଗଣନା କରନ୍ତି ସା’ରେ ଆପଣଙ୍କର ବୃଷ ରାଶି ବୋଧେ, ଆପଣଙ୍କର ଚେହେରା ବେଶ ପୋଷାକ ଓ ଚାଲି ଚଳନରୁ ଜଣାପଡ଼ୁଛି । ସୂର୍ଯ୍ୟକାନ୍ତ ବାବୁଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସୁରୂଚିବି ଆଶ୍ଚର୍ଯ୍ୟ ହେଲେ । ଏଣିକି ସୁରୂଚି ସବୁବେଳେ ସୂର୍ଯ୍ୟକାନ୍ତ ବାବୁଙ୍କ ପାଖାପାଖି ରହୁଛନ୍ତି ଦେହ ଖରାପ ହେଲା ଦିନରୁ । ତାଙ୍କ ସଙ୍ଗରେ ବି ମର୍ଣ୍ଣିଂ ୱାକ୍ କରୁଛନ୍ତି । ନିଜ ଶରୀରକୁ ଫିଟ୍ ରଖିବା ପାଇଁ । ଇଉରୋପ ଯିବାପାଇଁ ଶରୀର ସମ୍ପୂର୍ଣ୍ଣ ପିଟ୍ ରହିବା ଦରକାର । ଆପଣଙ୍କର ଏହି ନିକଟରେ ଭ୍ରମଣ ଯୋଗ ରହିଛି । ଦେଶାନ୍ତର ଯୋଗବି । ସୂର୍ଯ୍ୟକାନ୍ତ ବାବୁ ତାଙ୍କ କଥା ଶୁଣି ଆହୁରି ଆଶ୍ଚର୍ଯ୍ୟ ହେଲେ । ବୃଷ ରାଶିରେ ଆଜିଠାରୁ ଭଲ ପଡ଼ିଲା । ଅର୍ଥାଗମ ସହିତ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏକଥା ଶୁଣି ସୁରୂଚି ଯେତିକି ଆଶ୍ଚର୍ଯ୍ୟ ହେଲେ ସେତିକି ଆନନ୍ଦିତ ହେଲେ । ଖୁସି ମନରେ ପର୍ସରୁ ୧୦୦ଟଙ୍କା କାଢ଼ି ଜଉତିଷ ମହାଶୟଙ୍କୁ ଦେଲେ । ଗଲାବେଳେ ଜଉତିଷ ଜଣକ କହିଲେ ମୁଁ ଠିକ୍ ନୁହେଁ । ବିଜ୍ଞାନର କଥା କହୁଛି । କହିଲ ଝିଅ, ହସ ଖୁସି ଆଉ ଆଜି କାଲି ଅଛି? କେହି ମଧ୍ୟ ମନ ଦୁଃଖରେ କାନ୍ଦୁନାହିଁ । ଅଧିକାଂଶ ଲୋକ ଅନ୍ତର ଖୋଲା ହସରେ ଆନନ୍ଦିତ କିମ୍ବା କୋହଭରା କାନ୍ଦରେ ମ୍ରିୟମାଣ ହେଉନାହାନ୍ତି । ତେଣୁ କରି ଥାଇରଏଡ଼୍ ରୋଗରେ ପୀଡ଼ିତ ହେଉଛନ୍ତି । ଥାଇରଏଡ଼୍ ଗ୍ଲାଣ୍ଡ ସବୁ ଫୁଲିକି ରହୁଛି । କ୍ଲିୟର ହେଉନାହଁ । ଏକଥାଶୁଣି ସୁରୂଚି ଓ ସର୍ଯ୍ୟକାନ୍ତ ଆହୁରି ଆଶ୍ଚର୍ଯ୍ୟ ହେବା ସହିତ, ମାନସିକ ସ୍ତରରେ ଦୃଢ଼ରୁ ଦୃଢ଼ତର ହେଲେ । ସେବେଠାରୁ ସେମାନେ ପରସ୍ପର ଜୋର୍‌ରେ ହସାହସି ହେଉଛନ୍ତି । ଗ୍ଲିସେରିନ୍‌ମାରି ଆଖିରୁ ଲୁହ କାଢ଼ୁଛନ୍ତି । ଏହାପରଠାରୁ ସୂର୍ଯ୍ୟକାନ୍ତ ବାବୁ ଶାରରୀକ ଓ ମାନସିକ ସ୍ତରରେ ଅଧିକ ଫିଟ୍ ଲାୁଗୁଛନ୍ତି ।

ଇଉରୋପ ଯିବା ସମୟ ପ୍ରାୟ ଉପନୀତ । ସୂର୍ଯ୍ୟକାନ୍ତ ବାବୁ କଲେଜରେ ମାସେ ଛୁଟି ପାଇଁ ଆପ୍ଲାୟ କଲେ । ପ୍ରିନ୍ସପାଲ‌ ସାର୍‌ଙ୍କୁ ଦେଖା କରିବା ସହତ ଅନ୍ୟ ସହକର୍ମୀମାନଙ୍କଠାରୁ ବିଦାୟ ନେଲେ । “ଉଇସ୍ ୟୁ ଏ ହାପି ଜର୍ଣ୍ଣି”, କଲେଜର ବଡ଼ବାବୁ ଜଣାଇଲେ । ଯିବାର ଦୁଇଦିନ ଆଗରୁ କହ୍ନେୟା ମିଟିଂ ଡାକିଛନ୍ତି । ମିଟିଂର ଉଦ୍ଦେଶ୍ୟ ଟୁର୍ ନିୟମ କାନୁନ୍ ବିଷୟରେ ଅବଗତ କରାଇବା । ୪୮ ଜଣ ସହଯାତ୍ରୀମାନଙ୍କ ସହିତ ପରିଚିତ ହେବା ମଧ୍ୟ ନିହାତି ଜରୁରୀ । ଟଙ୍କାକୁ ‘ଇଉରୋ’ରେ ପରିଣତ କରିବା ଅନ୍ୟ ଏକ ଉଦ୍ଦେଶ୍ୟ ମଧ୍ୟ । ଲଞ୍ଚ୍ ସହିତ ଗୋଟାଏ ଗେଟ୍ ଟୁଗେଦର । ଇଉରୋପରେ ମାର୍କେଟିଂ ପାଇଁ ସୂର୍ଯ୍ୟବାବୁ ୭୦ ହଜାର ଟଙ୍କା ଦେଇ ଏକ ହଜାର ଇଉରୋ ଆଣବାକୁ ରାଜି ହେଲେ । ଇଉରୋପ ଯିବାର ୩ଦିନ ଆଗରୁ ସୁରୂଚି ଓ ସୂର୍ଯ୍ୟକାନ୍ତ ଗାଁରୁ କଟକ ଆସିବାକୁ ସ୍ଥିର କଲେ । ସାନଭାଇର ପିଲାମାନଙ୍କୁ କିଛି ଟଙ୍କା ଗସ୍ତ ପୂର୍ବରୁ ଦେଲେ । ଘର ଠାକୁର ଓ ବାପା ମା’ଙ୍କର ଫଟୋକୁ ପ୍ରଣାମ ଜଣାଇ ନିଜ ପୁଅ ଝିଅଙ୍କସହ ସୁରୂଚିଙ୍କୁ ଧରି କଟକ ଆସିଲେ । ହଁ ଆରଦିନ ଗେଟ୍ ଟୁଗେଦର ପାଇଁ ଭୁବନେଶ୍ୱର ଗଲେ । ଇଉରୋପ ଯିବା ପାଇଁ ହାତରେ ଆଉ ୨ଦିନ, ଯବା ସମୟ ଯେତିକି ପାଖଉଥାଏ, ସୁରୂଚି ଓ ସୂର୍ଯ୍ୟକାନ୍ତଙ୍କର ଉତ୍କଣ୍ଠା ସେତିକ ବଢ଼ୁଥାଏ ଏବଂ ପ୍ରସ୍ତୁତିର ଜବନିକା ପଡ଼ି ପଡ଼ି ଆସୁଥାଏ ।

ଆଜି ହେଉଛି ବହୁ ପ୍ରତିକ୍ଷୀତର ସେହି ଶୁଭ ଦିନ । ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଫ୍ଲାଇଟ ଅଛି । ରାତି ୧୧ଟାରେ ସେଠାରୁ କୁଏତ୍ ଓ ସକାଳ ୬ଟାରେ କୁଏତ୍‌ରୁ ପ୍ୟାରିସ ଅଭିମୁଖେ ଯିବାକୁ ହେବ । ୩ଟି ଫ୍ଲାଇଟ୍ ପରିବର୍ତ୍ତନ କରିବାକୁ ପଡ଼ିବ । ସାଧାରଣତ ଟୁର୍ ଅର୍‌ଗାନାଇଜର୍‌ମାନେ ଏହି ପରି ଫ୍ଲାଇଟ୍ ଟିକେଟ୍ ଇକୋନମି କ୍ଲାସ୍‌ରେ କରିଥାନ୍ତି । ଖର୍ଚ୍ଚ କମ୍ ଅଧିକ ଲାଭ ସେମାନଙ୍କର ହୋଇଥାଏ । ନିର୍ଦ୍ଧାରିତ ସମୟରେ ସୁଷମା କାର୍ ନେଇ ନୂଆ ବଜାର ବାସ ଭବନରେ ଉପସ୍ଥିତ ହେଲେ । ସୁରୂଚି, ସୂର୍ଯ୍ୟକାନ୍ତ ଓ ପିଲାମାନଙ୍କୁ ଧରି ୨ଘଣ୍ଟା ଆଗରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ । ସେଠାରେ ବୋଡ଼ିଂ କ୍ଲିୟର୍ କରିବାକୁ କହ୍ନେଇୟା ବହୁ ଆଗରୁ ଉପସ୍ଥିତ ଥା’ନ୍ତି । ସୁଷମା, ସୁରୂଚି ଓ ପୁଅଝିଅଙ୍କ ସହିତ ସୂର୍ଯ୍ୟକାନ୍ତ ବାବୁ ଫଟୋ ଉଠାଉଥିଲେ । ଜଣେ ପରେ ଜଣେ ସହଯାତ୍ରୀ ଓ ସେମାନଙ୍କର ସମ୍ପର୍କୀୟମାନେ ସେଠାରେ ଉପସ୍ଥିତ ହେଉଥା’ନ୍ତି । ସୁରୂଜିଙ୍କର ମନ ମିଞ୍ଜାସ ଏକବାର ଠିକ୍ ଲାଗୁଥାଏ । କିନ୍ତୁ, ସୂର୍ଯ୍ୟକାନ୍ତ କେଉଁ ଭାବନା ରାଜ୍ୟରେ ଘୁରି ବୁଲୁଥିଲେ । କିଏ ଜାଣେ ଏହି ଫଟୋ ଉଠା ଜୀବନର ଶେଷ ଫଟୋ ହେବକି? ସେ କ’ଣ ଆଉ ସତରେ ଓଡ଼ିଶା ଫେରିବେ । ଏହିଭଳି ଏକ ଭିତ୍ତିହୀନ ଭୟରେ ସେ, ଘାଣ୍ଟି ଚକଟି ହେଉଥିଲେ । ତାଙ୍କ ଆଖିର କେଉଁ ନିବୃତ କୋଣରୁ ଖାଲି ବୁନ୍ଦା ବୁନ୍ଦା ଅଶ୍ୱ ବହିଯାଉଥାଏ । ମାଇକ୍ ଆନାଉନ୍ସ କରିବାରୁ ସେ ସମ୍ବିତ୍ ଫେରି ପାଇଲେ । ବିମାନ ବନ୍ଦରର D ଗେଟ୍ ମଧ୍ୟ ଦେଇ ସେ ଓ ସୁରୂଚି ଅନ୍ୟ ସହଯାତ୍ରୀଙ୍କ ସହ ଭିତରକୁ ଗଲେ । ସୁଷମା ଓ ପିଲାମାନେ ଏକ ଲୟରେ ଅପେକ୍ଷାରେ ଥା’ନ୍ତି । ହାତ ହଲେଇ ସେମାନଙ୍କୁ ବିଦାୟ ଦେଲେ । ଏୟାରପୋ୍ର୍ଟ ଭିତରେ ସେ ସୁରୂଚି ଓ ଅନ୍ୟମାନେ ୱେଟିଂ ହଲ୍‌ରେ ବସିଲେ । କଫି ବାଲାର ପାଟି ଶୁଣି ସୁରୂଚି ସୂର୍ଯ୍ୟକାନ୍ତଙ୍କୁ ପଚାରିଲେ, କଫି ପିଇବକି? ନାଁ ଥାଉ । ବିଷର୍ଣ୍ଣ ବଦନରେ ସୂର୍ଯ୍ୟକାନ୍ତ ମନା କଲେ । ସୁରୂଚି ନିଜ ପାଇଁ ଗୋଟିଏ କଫି ମଗାଇ, ମୂଲ୍ୟ ବାବଦକୁ ୧୦୦ଟଙ୍କାଟିଏ କଫି ବାଲାକୁ ବଢ଼ାଇ ଦେଲେ । ଭୂବନେଶ୍ୱର ବିମାନ ବନ୍ଦରରେ କଫି ଗୋଟାକୁ ୧୦୦ଟଙ୍କା । ଆଗକୁ ଆହୁରି ଅଛି ଭାବି ଘରୁ ନେଇଥିବା ତୂଳାକୁ ପକେଟରୁ କାଢ଼ି ସୂର୍ଯ୍ୟକାନ୍ତ କାନରେ ଦେଇଦେଲେ । ବିମାନ ଯାତ୍ରା କଲେ କାନର ସୁରକ୍ଷା ପାଇଁ ଯାତ୍ରୀମାନେ କାନରେ ତୂଳା ଦେଇଥାନ୍ତି । ତେଣୁ ସୂର୍ଯ୍ୟକାନ୍ତ ଘରୁ ତୁଳା ଆଣିଥିଲେ । କିଛି ସମୟ ପରେ ସମସ୍ତେ ଯାଇ ବିମାନରେ ବସିଲେ । ବିମାନ ଦିଲ୍ଲୀ ଅଭିମୁଖେ ଗର୍ଜନ କରି ରନ୍‌ୱେରୁ ଆଗକୁ ଗଡ଼ିଲା । ସୂର୍ଯ୍ୟକାନ୍ତ ବାବୁଙ୍କର ଛାତି ଖାଲି ଥଡ଼ପଡ଼ ହୋଇ କ୍ରମେ ସ୍ୱାଭାବିକ ହେଲା । ସିଟ୍ ବେଲ୍ଟ୍‌କୁ ଠିକ୍‌ରେ ବାନ୍ଧି ସୂର୍ଯ୍ୟକାନ୍ତ ବାବୁ ଆଗ ସିଟ୍‌କୁ ଜାବୁଡ଼ି ଧରିଲେ ଖୁବ୍ ଜୋର୍‌‌ରେ । ଓଁ ନୃସିଂହାୟ ନମଃ ନୃସିଂହାୟ ନମଃ ଖାଲି ଭଜି ହେଉଥା’ନ୍ତି । ଏହି ମନ୍ତ୍ର ଜପକଲେ ମଣିଷ ଭୟଶୂନ୍ୟ ହୋଇଥାଏ । ନମସ୍ତେ ଓଡ଼ିଶା କହି ଓଡ଼ିଶା ମାଟିକୁ ପ୍ରଣାମ ଜଣାଇ ଆକାଶ ଉପରକୁ ଉଠିଗଲେ । ସୁରୂଚି ଖାଲି ମୁରୁକି ମୁରୁକି ହସୁଥିଲେ । ସୂର୍ଯ୍ୟକାନ୍ତଙ୍କୁ ଅନ୍ଧାର ଭିତରେ ସୁରୂଚିଙ୍କ ମୁହଁ ବ୍ୟତୀତ ଆଉ କିଛି ଦେଖାଯାଉନଥିଲା । ଜୁଆଡ଼କୁ ଚାହିଁଲେ ଖାଲି ଅନ୍ଧାର ଆଉ ଅନ୍ଧାର । ବିମାନ ଆକାଶ ଲଙ୍ଘି ଖାଲି ଉଡ଼ୁଥିଲା ।

ଦୁଇଘଣ୍ଟା କାଳ ଅନ୍ଧାର ଭିତରେ ସୂର୍ଯ୍ୟକାନ୍ତ ବାବୁ ଆକାଶରେ ଖାଲି ଭାସୁଥାନ୍ତି । ହଠାତ୍ ବିମାନଟି ଧଡ଼ ଧଡ଼ ହୋଇ ଭାଙ୍ଗିଗଲା ପରି ଲାଗିଲା, ବାଦଲରେ ପିଟିହୋଇ । ସୂର୍ଯ୍ୟକାନ୍ତ ବାବୁଙ୍କର ଝାଡ଼ା ପରିସ୍ରା ହୋଇଯିବକି? ଛାତି ଖାଲି ଧକ ଧକ ହେଉଥାଏ । କେମିତି ସେ ଦିଲ୍ଲୀରେ ଭୂମି ଛୁଇଁବେ ସେହି ଚିନ୍ତାରେ ସୂର୍ଯ୍ୟକାନ୍ତ ବାବୁ ଏକ ପ୍ରକାର ସ୍ଥାଣୁ ପାଲଟିଯାଇଥାନ୍ତି । ସୁରୂଚିଙ୍କ ସହିତ ଏହାଭିତରେ ପଦୁଟିଏ କଥା ହୋଇନାହାଁନ୍ତି । ସୁରୂଚି ପାଖରେ ବସିଥିବା ସହଯାତ୍ରୀଙ୍କ ସହିତ କ’ଣ କଥା ହେଉଥାନ୍ତି । ଏହି ସମୟରେ ଏୟାର ହୋଷ୍ଟେସ୍ ବିମାନ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ଦେଲେ । ସିଟ୍ ବେଲ୍ଟ ବାନ୍ଧିବା ପାଇଁ ପରାମର୍ଶ ମଧ୍ୟ ଦେଲେ । ସୂର୍ଯ୍ୟକାନ୍ତ ବାବୁ ତ ଆଗରୁ ବାନ୍ଧିଥିବା ବେଲଟ୍ଟି କାଢ଼ି ନଥାନ୍ତି । ସେ ଖାଲି ଚେକ୍ କରିଦେଲେ ଠିକ୍ ଅଛି କି ନାହିଁ । ଝରକା ଦେଇ ସୂର୍ଯ୍ୟକାନ୍ତ ବାବୁ ଟିକେ ବାହାରକୁ ଚାହିଁଲେ । ବାହାରେ ଖାଲି ଅନ୍ଧାର ଭିତରେ ଦିଲ୍ଲୀ ସହରର ଲାଇଟ୍ ଗୁଡ଼ିକ ତାରା ଭଳି ମିଞ୍ଜି ମିଞ୍ଜି କରୁଥା’ନ୍ତି । ଭାବିଲେ ଦିଲ୍ଲୀ ବୋଧେ ହୋଇଗଲା । ବିମାନଟା ରଣଝଣ ରଣଝଣ ହୋଇ ଧଡ଼କିନା ସ୍ଥିର ହୋଇଗଲା । ଓଃ କହି ସୂର୍ଯ୍ୟକାନ୍ତ ବାବୁ ଦୀର୍ଘଶ୍ୱାସଟିଏ ପକାଇଲେ । ସୂର୍ଯ୍ୟକାନ୍ତ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ବୋଲି ଭାବି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିଲେ । ଆଖିରୁ ଆନନ୍ଦରେ ଅଶ୍ରୁ ଗଡ଼ି ପଡ଼ିଲା । ସୁରୂଚି ସୂର୍ଯ୍ୟକାନ୍ତଙ୍କ କାନ୍ଧରେ ହାତ ରଖି ହସ ହସ ବଦନରେ କହିଲେ, ଦିଲ୍ଲୀ ହୋଇଗଲା । ଚାଲ ଓହ୍ଲାଇବା ।

ଦିଲ୍ଲୀ ଏୟାରପୋର୍ଟ । ରାଣୀ ପରି ସଜ ହୋଇଛି । ମାଳ ମାଳ ଲାଇଟ୍ ବେକରୁ ପାଦ ଯାଏଁ ଲମ୍ବିଯାଇଛି । ହୀରା ମୋତିର ଭ୍ରମ ସୃଷ୍ଟି କରୁଛି । ତୋଫା ରଙ୍ଗର ଝିଅଟିଏ ସତେ ଯେମିତି ଛିଡ଼ା ହୋଇଛି ସ୍ୱାଗତ ମୁଦ୍ରାରେ । ଆଲିଙ୍ଗନର ହସ୍ତ ପ୍ରସାରଣ କରି, ତାହା ସହିତ ସମୟ କାଟିବାକୁ ଆହ୍ୱାନ କରୁଛି । କି ସୁନ୍ଦର ବିଶାଳ ଶରୀର ତା’ର । କିଛି ଘଣ୍ଟାର ରହଣୀରେ ସେ ମନ ମୋହିନେଲା । ବିଶ୍ୱର ୧୦ଟି ଏୟାରପୋର୍ଟରୁ ଏହା ଗୋଟିଏ । ଏହା ସୂର୍ଯ୍ୟକାନ୍ତ ବାବୁ କେଉଁଠି ପଢ଼ିଥିଲେ । ଆଜି ତାହାକୁ ଉପଭୋଗ କରୁଛନ୍ତି । ଏଠାରେ ସୁରୂଚି ଓ ସୂର୍ଯ୍ୟକାନ୍ତ ୨ଘଣ୍ଟା ସମୟ କାଟିବେ । ରାତି ସାଢ଼େ଼ ୧୧ଟା ବେଳେ କୁଏତ୍ ଏୟାର୍ ୱେଜ୍ ବିମାନ । କୁଏତ୍‌ରେ ପହଞ୍ଚିବାକୁ ଭୋର୍ ହୋଇଯିବ । ସୁରୂଚି, ସୂର୍ଯ୍ୟକାନ୍ତ ଓ ଅନ୍ୟ ସହଯାତ୍ରୀମାନେ ବିଶ୍ରାମ ନେବାକୁ ଚାଲିଗଲେ । ସେହି ବିଶ୍ରାମ ଗୃହରେ ଡିନର କରିନେଲେ । ଡିନର ପରେ, କହ୍ନେୟାର ପରାମର୍ଶ କ୍ରମେ କୁଏତ୍ ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହେଲେ ସମସ୍ତେ । ଆଗରୁ ତ ଲଗେଜ୍‌ଗୁଡ଼ିକ ଭୁବନେଶ୍ୱରରୁ ପ୍ୟାରିସ୍ ଚାଲିଯାଇଛି । ଖାଲି ଯାହା ଚେକିଂ ହେବ ହାତରେ ନେଇଥିବା ବ୍ୟାଗ୍ ସବୁ । ଚେକିଂ ସରିଲା, ସେମାନେ କୁଏତ୍ ଏୟାର ୱେଜ୍ ବିମାନରେ ଯାଇ ବସିଲେ । ସୂର୍ଯ୍ୟକାନ୍ତ ବାବୁଙ୍କର ଆଉ ଆଗଭଳି ଭୟ ନାହିଁ । ସେ ସ୍ମାର୍ଟ ଲାଗୁଛନ୍ତି । ସୁରୂଚିଙ୍କ ସହିତ ସେ, ତାଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନରେ ଯାଇ ବସିଲେ । ଏହି ବିମାନଟି ଭୁବନେଶ୍ୱର ଇଣ୍ଡିଗୋ ବିମାନ ଠାରୁ ବହୁତ ବଡ଼ । ଏଇଟା ବୋଇଂ ବିମାନ ବୋଧେ ! ସୂର୍ଯ୍ୟକାନ୍ତ ବାବୁ ଆଖି ତରାଟିକି ସୁରୂଚିଙ୍କୁ କହିଲେ । ବସ ଚୁପ୍‌କିନା, ସୁରୂଚି ମୁରୁକି ହସି ଇଙ୍ଗିତ ଦେଲେ । ସୁନ୍ଦର ସୁନ୍ଦର ଆରବ ଏୟାର ହୋଷ୍ଟେସ୍ ସବୁ, ଫୁଲ୍ ମେକପ୍‌ରେ ଏପଟ ସେପଟ ହେଉଥାନ୍ତି । କିଛି ସମୟ ପରେ ବେଲ୍ଟ ବାନ୍ଧିବା ପାଇଁ ସେମାନେ ନିର୍ଦ୍ଦେଶ ଦେଲେ । ସୂର୍ଯ୍ୟକାନ୍ତ ବାବୁ ଏବେ ବିନ୍ଦାସ୍ ଓ ଭୟଶୂନ୍ୟ । ସେ ଆଉ ବେଲ୍ଟ ବାନ୍ଧିବା ପାଇଁ ଇଚ୍ଛା କଲେ ନାହିଁ କି, କାନରେ ତୁଳା ଦେଲେ ନାହିଁ । କୁଏତ୍ ଅଭିମୁଖେ ବିମାନ ଉଡ଼ାଣ ଆରମ୍ଭ କଲା । ପୁଣି ଆଉ ଥରେ ସୂର୍ଯ୍ୟକାନ୍ତ ବାବୁ ସୁରୂଚିଙ୍କ ସହିତ ଅନ୍ଧାର ଭିତରେ ମହାଶୂନ୍ୟରେ ଭାସିବାକୁ ଲାଗିଲେ । ସୁରୂଚିଙ୍କ ସହ ଗୋଟେ ଘରେ ବସିଲା ପରି ଲାଗୁଥାଏ । ମଝିର ମଝିରେ ସୁରୂଚିଙ୍କ ଆଡ଼କୁ ଢଳି ପଡ଼ୁଥାନ୍ତି ସୂର୍ଯ୍ୟକାନ୍ତ ବାବୁ । ତାଙ୍କ କାନ୍ଧରେ ହାତ ରଖୁଥାନ୍ତି ବାରମ୍ବାର । ସୁରୂଚି ଖାଲି ସଂଯତ ହେଉଥାନ୍ତି । ଟ୍ରେନ୍ କିମ୍ବା ବସ୍‌ରେ ଯାତ୍ରା କଲେ ସିନା ବାହାରକୁ ଦେଖି ହୁଏ । କିନ୍ତୁ ବିମାନ ଯାତ୍ରାରେ ସେମିତି କିଛି ଦେଖି ହୁଏନାହିଁ । ଆଗ ସିଟ୍‌ରେ ଲାଗିଥିବା ଟିଭି ଯାହା ସମୟ କାଟିବାର ମାଧ୍ୟମ ଓ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ସେହି ଟିଭିରେ ସିନେମା ଦେଖିବା ସହ ଗନ୍ତବ୍ୟ ସ୍ଥଳ ଆଉ କେତେ ସମୟ ଅଛି ଜାଣି ହେବ । ବିମାନଟି ସମୁଦ୍ର ଅବା ପାହାଡ଼, ଜଙ୍ଗଲ ଉପରେ ଅଛି ଜାଣିହେବ । ବୀମାନ ଯାତ୍ରା ଭାରି ବୋରିଂ ବୋଲି ସୂର୍ଯ୍ୟକାନ୍ତ ବାବୁ ଠଉରେଇ ନେଲେ । ଏୟାର୍ ହୋଷ୍ଟେସ୍‌ମାନଙ୍କୁ ଦେଖିଲେ ଯାହା ମନ ଖୁସି ହୋଇଯିବ । ଯେକୌଣସି ଲୋକ ସେମାନଙ୍କର ବେଶ, ପୋଷାକ ଓ ଚେହେରା ଦେଖି ବିମୋହିତ ହୋଇଯିବ ମଧ୍ୟ । ଏୟାର ହୋଷ୍ଟେସ୍ ଚାକିରୀ ପାଇଁ ମଡ଼େଲିଂରେ ରୁଚି ରଖୁଥିବା ସୁରୂଚି ମଧ୍ୟ ଯୋଗ୍ୟ ବୋଲି ସୂର୍ଯ୍ୟକାନ୍ତ ବାବୁଙ୍କର ପ୍ରତ୍ୟେୟ ହେଲା । ଏହି ମର୍ଯ୍ୟାଦାପୂର୍ଣ୍ଣ ଚାକିରୀ ପାଇଁ ହାଇ କମ୍ପିଟିସନ୍‌ରେ ସମ୍ମୁଖୀନ ହେଉଥିବା ସୁନ୍ଦର ସୁନ୍ଦର ଝିଅମାନେ କେବଳ ଦରକାର । ତା’ଛଡ଼ା ସ୍ୱତନ୍ତ୍ର ପାଠ୍ୟକ୍ରମ ମଧ୍ୟ ଅଛି । ଆରବ ଭାଷାରେ ଏୟାର ହୋଷ୍ଟେସ୍‌ମାନେ କ’ଣ କଥା କହୁଥାନ୍ତି । ସେମାନେ ଇଂରାଜୀରେ କହିବାରୁ, କାହାର କଫି, ଚାହା, କୋଲ୍ଡଡ୍ରିଙ୍କ୍ସ୍ ବା ୱାଇନ୍ ଦରକାର ବୁଝିହେଲା । କିଛି ସମୟ ପରେ ଗୋଟିଏ ଟ୍ରଲିରେ ସେମାନେ ଆଣି ପରିବେଷଣ କଲେ । ଯାହାର ଯାହା ଦରକାର ସେମାନେ ଦେଉଥାନ୍ତି । ତା’ପରେ ସେମାନେ ଖଜୁରୀ, ଫଳ ପାଉଁରୁଟି ଓ ସ୍ନାକ୍ସ ପ୍ୟାକେଟ୍ ପ୍ଲାଷ୍ଟିକ କଣ୍ଟା ଚାମଚ ସହ ଦେଲେ । ବିରିଆନି ଅଣ୍ଡା ଇତ୍ୟାଦି ମଧ୍ୟ ଥିଲା । ଭୁବନେଶ୍ୱର ଇଣ୍ଡିଗୋ ବିମାନରେ ଖାଦ୍ୟର ନାଁ ଗନ୍ଧ ନଥିଲା । ଏପରି ସୁନ୍ଦର ସ୍ୱାଦିଷ୍ଟ ଖାଦ୍ୟ ଖାଇ ସୂର୍ଯ୍ୟକାନ୍ତ ବାବୁ ଭାରି ତୃପ୍ତ ହେଲେ । କିଛି ସମୟ ପରେ ପୁଣି ଏୟାର ହୋଷ୍ଟେସ୍‌ମାନେ ଛଡ଼ା ଯାଇଥିବା ଖାଦ୍ୟ ସହ ସମସ୍ତ ଅଳିଆକୁ ମଧ୍ୟ ସଫା କରୁଥାନ୍ତି । ହୋଟେଲ ବୟ୍ ପରି ଯାତ୍ରୀମାନଙ୍କୁ ସମସ୍ତ ସୁଖ ସୁବିଧା ଦେବା ଯେମିତି ସେମାନଙ୍କର କର୍ମ ଆଉ ଧର୍ମ । ସେମାନଙ୍କର ସେବା ସେମାନଙ୍କର ସୌନ୍ଦର୍ଯ୍ୟ ଠାରୁ ଢେର୍ ଅଧିକ । ମାନବ ସେବା ଓ ମାଧବ ସେବାର ଜ୍ୱଳନ୍ତ ସମନ୍ୱୟ । ସେବାରେ ରୁଚି ରଖିଥିବା ସୁରୂଚି ଓ ସୂର୍ଯ୍ୟକାନ୍ତ ଅତ୍ୟନ୍ତ ପ୍ରୀତ ହେଲେ । ଉଚ୍ଚ ଶିକ୍ଷିତ ଝିଅମାନଙ୍କର ସେବା ମନବୃତ୍ତି ସର୍ବଦା ସ୍ୱାଗତଯୋଗ୍ୟ । ସେବା ସ୍ୱର୍ଗୀୟ ଓ ଉତ୍ସର୍ଗୀକୃତ ହେଲେ ଦେଶ ବା ଜାତି ଆଗକୁ ବଢ଼ିଥାଏ । ସମାଜ ପାଇଁ ମଙ୍ଗଳକର ହୋଇଥାଏ ମଧ୍ୟ ।

ସକାଳର ସୁନେଲି କିରଣରେ ସୂର୍ଯ୍ୟସ୍ନାତ କରୁଥାଏ କୁଏତ୍ ଇଣ୍ଟରନ୍ୟାସ୍‌ନାଲ୍ ଏୟାର୍‌ପୋର୍ଟ୍ । ମରୂଭୂମିର ଛୋଟିଆ ଦେଶଟିଏ କୁଏତ୍ । ଛୋଟିଆ ଦେଶଟିଏ ହେଲେବି ତେଲ ବିକା ପଇସାରେ ବହୁତ ବଳିୟାନ୍ ସମୃଦ୍ଧ ଆଉ ଧନୀ ମଧ୍ୟ । ଏୟାରପୋର୍ଟରେ ବହୁ ସଂଖ୍ୟକ ବିମାନ ଧାଡ଼ି ଧାଡ଼ି କରି ଟର୍ମିନାଲରେ ଥୁଆ ଯାଇଥାନ୍ତି । ଦିଲ୍ଲୀ ଏୟାରପୋର୍ଟଠାରୁ ବହୁ ଅଧିକ ବିମାନ ଏଠାରେ ଅଛି । ଅଧିକାଂଶ ଯାତ୍ରୀ ଆରବ ଦେଶର । ଧଳା ଫର ଫର ଡ୍ରେସ୍‌ରେ ମୁଣ୍ଡରୁ ପାଦ ଯାଏ ଆଚ୍ଛାଦିତ । ଏଠାରେ ମଧ୍ୟ କେହି ଘଣ୍ଟାର ରହଣି । ସେ ଦେଶକୁ ବୁଲି ଦେଖିବାର ସୁଯୋଗ ମୋଟେ ନାହିଁ । ପ୍ରଥମ ବିଦେଶ ମାଟିରେ ପାଦ ଥାପିଥିବାରୁ ସୁରୂଚି ଓ ସୂର୍ଯ୍ୟକାନ୍ତ ଆନନ୍ଦରେ ଆତ୍ମହରା ହେଉଥାନ୍ତି ।

ସେଦିନ ଥାଏ ସେହି ନିର୍ଦ୍ଧାରିତ ଦିନ ସେପ୍ଟେମ୍ବର ୧୭ ତାରିଖ । ଠିକ୍ ଦିନ ଗୋଟାଏ ବେଳେ ସୂର୍ଯ୍ୟକାନ୍ତ ବାବୁ, ସୁରୂଚି, କହ୍ନେୟା ଓ ସହଯାତ୍ରୀଗଣ ସମସ୍ତେ ପ୍ୟାରିସ ଏୟାର୍‌ପୋର୍ଟ୍‌ରେ ଅବତରଣ କଲେ । ତାହା ଆଗରୁ ସେମାନେ ଯେଉଁ ବସ୍‌ରେ ହୋଟେଲକୁ ଯିବେ ପହଞ୍ଚିସାରିଥାଏ । ସମସ୍ତେ ଚେକିଂ ପରେ ନିଜ ନିଜର ଲଗେଜ୍ ଧରି ବସ୍‌ରେ ବସିଲେ । ବସ୍ ହୋଟେଲ ଭିଏନା ହାଉସ୍ ଡ୍ରିମ୍ କ୍ୟାସେଲ୍ ଅଭିମୁଖେ ଚାଲିଲା । ଏହି ଯେଉଁ ବସ୍‌ଟି ଏକ ପ୍ରକାର ବିମାନ କହିଲେ ଅତ୍ୟୁକ୍ତି ହେବନାହିଁ । ସେଥିରେ ଟଏଲେଟ୍ ସହିତ ବିମାନ ପରି ସବୁ ସୁବିଧା ଥିଲା । ଏହି ଏସି ବସ୍ ଘଣ୍ଟା ପ୍ରତି ୪୦୦କି.ମି. ଗତି କରିପାରେ । ସୂର୍ଯ୍ୟକାନ୍ତ ବାବୁ ଓ ସୁରୂଚି ଏ ପ୍ରକାର ବ୍ୟବସ୍ଥା ଦେଖି ବହୁ ଆନନ୍ଦିତ ହେଲେ । ହୋଟେଲଟି ମଧ୍ୟ ୫ ଷ୍ଟାର୍ ଥିଲା । ମଧ୍ୟାହ୍ନ ଭୋଜନର ମାନ ଓ ଗୁଣବତ୍ତାରୁ ତାହା ସ୍ପଷ୍ଟ ହେଉଥାଏ । ପାଖାପାଖି ୧୮ଘଣ୍ଟାର ବିମାନ ଯାତ୍ରା କରି ଶରୀର ଅବସନ୍ନ ଲାଗୁଥାଏ । ମନ ଖୋଜୁଥାଏ ଖାଲି ମୁଲାୟମ ବିଛଣାରେ ରିତମତ ଶୟନ; ଶୀଘ୍ର ସମସ୍ତେ ହୋଟେଲ କକ୍ଷକୁ ଚାଲିଯାଇଥିଲେ ।

ହୋଟେଲ ଭିଏନା ହାଉସର ସନ୍ଧ୍ୟା, ମନ ମୁଗ୍ଧକର ସୁଗନ୍ଧିତ ବାସ୍ନାରେ ବାସ୍ନାୟତ ହେଉଥାଏ ମନ ଆଉ ପ୍ରାଣ । ଏକ ବାସ୍ନା ଭରା ସନ୍ଧ୍ୟାକୁ ଉପଭୋଗ କରିବାକୁ ସୂର୍ଯ୍ୟକାନ୍ତ ଓ ସୁରୂଚି ଅପେକ୍ଷା କରିଥାନ୍ତି । ଗାଇଡ୍ କହ୍ନେୟା ସେଠାରେ ଗୋଟାଏ ଟି-ପାର୍ଟିର ଆୟୋଜନ କରିଥାନ୍ତି । ଉଦ୍ଦେଶ୍ୟ ଥାଏ ଟୁର୍ ସମ୍ବନ୍ଧୀୟ ନିୟମ ବିଷୟରେ ଅବଗତି କରାଇବା । ମୁଖ୍ୟତଃ ସମୟାନୁବର୍ତ୍ତିତା ଓ ତାଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବା ଉପରେ ପର୍ଯ୍ୟବେଶିତ ଥିଲା । ସ୍ୱଳ୍ପ ସମୟ ମଧ୍ୟରେ ଟି-ପାର୍ଟିର ସମାପ୍ତ ଘଟିଲା । ଆଲୋକ ଓ ସ୍ୱପ୍ନର ସହର ପ୍ୟାରିସ୍, ସୂର୍ଯ୍ୟକାନ୍ତ ଓ ସୁରୂଚିଙ୍କର ଆକାଂକ୍ଷାକୁ ବହୁଗୁଣିତ କରୁଥାଏ । ଅନ୍ୟ ସହାଯାତ୍ରୀମାନେ ବି ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ରାତ୍ରିର ଆଲୋକରେ ପ୍ୟାରିସ୍ ସହର ଚମକୁଥାଏ । ବିଶେଷ କରି ଆଇଫିଲ୍ ଟାୱାରର ଆଲୋକ ସଜ୍ଜା ଅତୀବ ମନୋହର ଓ ଚମତ୍କାର । ଏହା ହୋଟେଲଠାରୁ ମାତ୍ର କେଇ ଶହ ମିଟର ଦୂରତାରେ ଅବସ୍ଥିତ । ସୁରୂଚି, ସୂର୍ଯ୍ୟକାନ୍ତ ଓ ଅନ୍ୟମାନେ ପ୍ୟାରିସ୍ ସନ୍ଧ୍ୟା ଭ୍ରମଣରେ ବାହାରିଲେ । ସବା ଆଗରେ କହ୍ନେୟା ଚାଲୁଥାନ୍ତି । ଶରତ ଋତୁର ସନ୍ଧ୍ୟା ନିର୍ମଳ ଆକାଶର ତାରାମାନେ ଓଡ଼ିଶାର ଏହି ଭ୍ରମଣକାରୀ ଦଳକୁ ସ୍ୱାଗତ କରିବା ପାଇଁ ହସ୍ତ ପ୍ରସାରଣ କରୁଥାନ୍ତି । ସେପ୍ଟେମ୍ବରରୁ ନଭେମ୍ବର ପ୍ୟାରିସ୍‌ରେ ଶରତ ଋତୁ । ଅଳ୍ପ ଗରମ ଥାଏ । ସନ୍ଧ୍ୟାର ଶୀତଳ ସମୀରଣ ସ୍ପର୍ଶରେ ଦେହ ମୁଣ୍ଡ ଥଣ୍ଡା ଲାଗୁଥାଏ । ସୁରୂଚି ଓ ସୂର୍ଯ୍ୟକାନ୍ତ ରୋମାଞ୍ଚିତ ହେଉଥାନ୍ତି । ଏହି ସୁନ୍ଦର ମନରୋମ ପରିବେଶ ସେମାନଙ୍କୁ ବେଶ୍ ଆକୃଷ୍ଟ କରୁଥାଏ । କିଛି ବାଟ ଗଲା ପରେ ଆଇଫିଲ୍ ଟାୱାର ପାଖେଇ ଆସୁଥାଏ । ସୁରୂଚି, ସୂର୍ଯ୍ୟକାନ୍ତଙ୍କୁ ହଲାଇ ଦେଇ ଇଙ୍ଗିତ ଦେଲେ ହେଇଟି ଦେଖ ଆଇଫିଲ୍ ଟାୱାର । ଆଇଫିଲ୍ ଟାୱାର ଆଲୋକମାଳାକୁ ଦେଖି ସେମାନେ ଯେତିକି ଆନନ୍ଦିତ ହେଉଥାନ୍ତି ସେତିକ ଉତ୍‌ଫୁଲ୍ଲିତ ହେଉଥାନ୍ତି । ଆଇଫିଲ୍ ଟାୱାର ହୋଟେଲ ପାଶ୍ୱବର୍ତ୍ତୀ ଥିବାରୁ ଏହାର ରାତ୍ରି କାଳୀନ ଶୋଭାକୁ ଉପଭୋଗ କରିବା ସମ୍ଭବ ହେଲା । ତହିଁ ଆରଦିନ ଆଇଫିଲ୍ ଟାୱାର ପରିଦର୍ଶନ ପ୍ରୋଗାମରେ ସ୍ଥାନିତ ଥିଲା । ସନ୍ଧ୍ୟାରେ ବୁଲାବୁଲି କରିବାରୁ ଦେହ ହାତ ଫୂର୍ତ୍ତି ଲାଗୁଥାଏ । ଆଇଫିଲ୍ ଟାୱାର ନିକଟରେ କିଛି ସମୟ ବିତାଇବା ପରେ ସମସ୍ତେ ଚାଲି ଚାଲି ହୋଟେଲ ଫେରିଆସିଲେ । ରାତ୍ରି ଭୋଜନରେ ଆପ୍ୟାୟିତ ପରେ ସୁରୂଚି ଓ ସୂର୍ଯ୍ୟକାନ୍ତ ସେମାନଙ୍କର ହୋଟେଲ କକ୍ଷକୁ ଚାଲିଯାଇଥିଲେ ।

ତା’ପରଦିନ ସକାଳେ ଥକା ପଣ ଦେହରେ ମୋଟେ ନଥିଲା । ସୁରୂଚି, ସୂର୍ଯ୍ୟକାନ୍ତ ଓ ଅନ୍ୟମାନେ ବ୍ରେକଫାଷ୍ଟ୍ ଟେବୁଲରେ ମିଳିତ ହେଲେ । ଗତ ରାତ୍ରିର ସୁଖ ନିଦ୍ରା ସମ୍ପର୍କରେ କିଏ କେମିତି କଥା ହେଉଥା’ନ୍ତି । ହୋଟେଲ ପରିସରରେ ବିରାଟ ବଗିଚାଟିଏ ନାନା କିସମର ଫୁଲ ଗଛରେ ଭର୍ତ୍ତି । ତାହା ଭିତରେ ହୋଟେଲର ଅନ୍ତେବାସୀମାନେ ଫଟୋ ଉଠାଉଥିଲେ । ସୁରୂଚି ସୂର୍ଯ୍ୟକାନ୍ତ ସିମେଣ୍ଟ ବେଞ୍ଚ୍‌ରେ ବସି ମଧ୍ୟ ଫଟୋ ଉଠାଇଲେ । ଠିକ୍ ୧୦ଟା ସମୟରେ କହ୍ନେୟା ଆସି ଆଜିର ପ୍ରୋଗ୍ରାମ ବିଷୟରେ ଅବଗତ କରାଇଲେ । ସମସ୍ତେ ପ୍ୟାରିସ୍ ଭ୍ରମଣରେ ଏସି କୋଚରେ ବସି ବାହାରି ଗଲେ । ପ୍ୟାରିସ୍, ଫ୍ରାନସର ରାଜଧାନୀ ସହର । ଏହାର ବିସ୍ତୃତି ବେଶୀ ବଡ଼ ନହେଲେ ବି ୧୦୫ ବର୍ଗ କି.ମି.ରେ ସୀମିତ । କଳା, ସ୍ଥାପତ୍ୟ, ଫେସନ୍, ଅର୍ଥନୀତି ଓ ରାଜନୀତିରେ ନିପୂଣ ଏହି ସହର । ବିରାଟ ବିରାଟ ସୁରମ୍ୟ ଅଟ୍ଟାଳିକାସବୁ ମଖନ ରଙ୍ଗରେ ରଙ୍ଗାୟିତ । ପ୍ରସସ୍ଥ ରାସ୍ତାରେ କେବଳ କାର୍‌ଗୁଡ଼ିକ ଦୃତଗତିରେ ଯାତୟତ କରୁଥାନ୍ତି । ପରିଷ୍କାର ପରିଚ୍ଛନାତା ସ୍ପଷ୍ଟ ବାରି ହୋଇପଡ଼ୁଥାଏ । ରାସ୍ତାରେ ଲୋକ ଗହଳି ମୋଟେ ନାହିଁ । ରାତି ୧୧ଟା ବେଳେ କଟକ ଭୁବନେଶ୍ୱର ରାସ୍ତାର ଗହଳି ପରି ଜଣାଯାଉଥାଏ । ଫୁଟପାଥରେ କାଁ ଭାଁ ଲୋକ ଯାଉଥାନ୍ତି । ଅଧିକାଂଶ ସାଇକେଲରେ ଯିବା ଆସିବା କରୁଥା’ନ୍ତି । ଭାରି ଶୃଙ୍ଖଳିତ ସହର । ଶୃଙ୍ଖଳା ଜ୍ଞାନରେ ସହରବାସୀ ବହୁତ ଆଗରେ । ଅଳିଆ ଆବର୍ଜନା ସହରରେ ମୋଟେ ନାହିଁ । ସହରଟିକୁ ଦେଖିଲେ ଭାରି ଭଲ ଲାଗିବ । ଏହାର ଗଛପତ୍ରଠାରୁ ଆରମ୍ଭ କରି ଗୋଡ଼ି ମାଟି ପର୍ଯ୍ୟନ୍ତ ସୁବୁ ସୁନ୍ଦର । ସେଠାରେ ଖାଲି ବଡ଼ ବଡ଼ ମଲ୍ ସହିତ ହୋଟେଲ୍ ଓ ବାର୍ ଦେଖିବାକୁ ମିଳେ । ବାର୍‌ରୁ ମଦର ବାସ୍ନା ରାସ୍ତାରେ ଯାଉଥିବା ଲୋକ ନାକରେ ବାଜେ । ମଦର ଚାହିଦା ସେଠାରେ ବହୁ ଅଧିକ । ସହରରେ ସ୍ଥାନୀୟ ବାସିନ୍ଦାଙ୍କୁ ଛାଡ଼ିଦେଲେ ଅଧିକାଂଶ ପର୍ଯ୍ୟଟକ । ସେଇନ୍ ନଦୀ ସହରକୁ ଉତ୍ତର-ଦକ୍ଷିଣ କରି ଦୁଇ ଭାଗରେ ବିଭକ୍ତ କରିଅଛି । ଏହା ମୁଖ୍ୟତଃ ପରିବହନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ । ଏହାକୁ ପ୍ୟାରିସ‌୍‌ରେ ଜୀବନ ରେଖା ଓ ଶ୍ୱାସନଳୀ କହିଲେ ଅତ୍ୟୁକ୍ତି ହେବନାହିଁ । ଅଣଓସାରିଆ ଜଳପୂର୍ଣ୍ଣ ନଦୀଟିରେ ମଟର ଲଞ୍ଚ୍‌ରେ ଗଲେ ସମଗ୍ର ପ୍ୟାରିସ୍ ସହରର ରୂପକାନ୍ତି ପରିଦର୍ଶନ କରିହେବ । ଆମ ଭାରତୀୟ ନଦୀ ଭଳି ଏହା ଅପରିଷ୍କାର ନୁହେଁ । ନଦୀ ପଠାରେ ବିଭିନ୍ନ ପ୍ରକାର ଫୁଲଗଛ, ପାବଚ୍ଛ ଉପରେ ପ୍ରେମୀ ଯୁଗଳଙ୍କର ଅନ୍ତରଙ୍ଗ ଆଳାପ, ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରେ । ନଦୀ କୂଳରେ ଡେଙ୍ଗା ଡେଙ୍ଗା ଗଛମାନ ଆକାଶକୁ ଛୁଇଁଛି । ସବୁ ଗଛଗୁଡ଼ିକ ଗୋଟିଏ ପ୍ରଜାତିର ଅଟନ୍ତି । ସୂର୍ଯ୍ୟକାନ୍ତ ଓ ସୁରୂଚି ନଦୀ ମଧ୍ୟରେ ମଟର ଲଞ୍ଚ୍ ଯୋଗେ ପ୍ରାୟ ୨୦ କି.ମି. ଅତିକ୍ରମ କରି ସହରର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥାନ୍ତି । ପ୍ୟାରିସ୍ ଭ୍ରମଣର ମଜ୍ଜାରେ ଆତ୍ମ ବିଭୋର ହେଉଥାନ୍ତି ସମସ୍ତେ । ମଧ୍ୟାହ୍ନ ଭୋଜନ ପୂର୍ବରୁ ଗ୍ରାଣ୍ଡ୍‌ପ୍ୟାଲେସ୍ ନ୍ୟାସ୍‌ନାଲ ଆସେମ୍ବଲି, ପ୍ୟାଲେସ୍ ଡି-ଲା କନକର୍ଡ ଓ ଆଲେକ୍‌ଜାଣ୍ଡର ବ୍ରିଜ୍ ଦେଖିବାର ସୁଯୋଗ ମିଳିଲା । ଆଲେକ୍‌ଜାଣ୍ଡର ବ୍ରିଜ୍‌ଟି ହେଉଛି ଇତିହାସ ପ୍ରସିଦ୍ଧ ଓ ବହୁ ଘଟଣାବଳୀର ମୁକସାକ୍ଷୀ । ସବୁଠାରୁ ଆକର୍ଷଣୀୟ ହେଲା ଲର୍ଭସ୍ ପିରାମିଡ୍ । ଏହା ଏକ କାଚରେ ତିଆରି ପିରାମିଡ୍ ଆକୃତିର ଆଖି ପାଉନଥିବା ସୁଦୃଶ୍ୟ ତୋରଣ । ଏହିପରି ଆଉ ଆଠ ଗୋଟି ଛୋଟ ତୋରଣ ମଧ୍ୟ ସେଠାରେ ଦୃଷ୍ଟିଗୋଚର ହୁଏ । ଏମାନେ ସମସ୍ତେ ଜାତୀୟ ସଂଗ୍ରାହଳୟର ପ୍ରବେଶପଥ ରୂପେ କାର୍ଯ୍ୟ କରିଥା’ନ୍ତି । ସଂଗ୍ରହାଳୟର ଦୁଇଶହତମ ବାର୍ଷିକୀ ପାଳନ ଅବସରରେ ଚୀନ୍ କାରିଗରମାନଙ୍କ ଦ୍ୱାରା ୧୯୧୯ ମସିହାରେ ନିର୍ମିତ ହୋଇଥିଲା । ଏହି ଆର୍ଟ ମିୟୁଜିୟମରେ ପୃଥିବୀ ପ୍ରସିଦ୍ଧ ହାସ୍ୟମୟୀ, ଲାସ୍ୟମୟୀ ଓ ମନମୋହିନୀ ମୋନାଲିସାଙ୍କର ତୈଳ ଚିତ୍ରଟି ସଂରକ୍ଷିତ ହୋଇ ରହିଅଛି । ତୈଳ ଚିତ୍ରଟିରୁ ଖାଲି ଝଡ଼ି ପଡ଼ୁଥିଲା ହସର ପାଖୁଡ଼ା । ଲିଓନାର୍ଡୋ ଦା ଭିନ୍‌ସିଙ୍କର ହାତ ତିଆରି ଏହି କଳା କୃତିଟି ଆଜି ପର୍ଯ୍ୟନ୍ତ ଶହ ଶହ ବର୍ଷ ଧରି ଅକ୍ଷୁର୍ଣ୍ଣ ରହିଅଛି । ସୁରୂଚି ଓ ସୂର୍ଯ୍ୟକାନ୍ତ ମୋନାଲିସାଙ୍କର ଅରିଜିନାଲ୍ ତୈଳ ଚିତ୍ରଟିକୁ ପାଖରୁ ଦେଖିବେ ବୋଲି କେବେବି ସ୍ୱପ୍ନରେ ଭାବିନଥିଲେ । ଶିଳ୍ପୀଙ୍କର ସୁନ୍ଦର ସ୍ପର୍ଶରେ ମୋନାଲିସା ଆଜିବି ଜୀବନ୍ତ ଅଛନ୍ତି । ମୋନାଲିସାଙ୍କର ହସର ରହସ୍ୟ ଆଜିବି ରହସ୍ୟ ହୋଇଅଛି । ସେହି ଆର୍ଟ ମିୟୁଜିୟମ୍ ପରିସରରେ ମାଳ ମାଳ ଶିଳ୍ପୀ ସେମାନଙ୍କର ବେପାର ପସରା ମେଲାଇ ଧରି ବସିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୁରୂଚିଙ୍କର ପ୍ରତିଛବିଟି ଅବିକଳ ଭାବେ ୧୦ ମିନିଟ୍ ସମୟରେ ଆଙ୍କିଦେଲେ । ସୂର୍ଯ୍ୟକାନ୍ତ ସୁରୂଚିଙ୍କର ପ୍ରତିଛବି ଦେଖି ବହୁତ୍ ଖୁସି ହେଲେ । ସଙ୍ଗେ ସଙ୍ଗେ ସୁରୂଚିଙ୍କ ଗାଲରେ ମୃଦ୍ୟୁ ଚୂମ୍ବନଟିଏ ଆଙ୍କିଦେଲେ । ସୁରୂଚିଙ୍କର ତୈଳ ଚିତ୍ରଟି ମଧ୍ୟ ଚୂମ୍ବନରୁ ବାଦ୍ ପଡ଼ିନଥିଲା । ଯାହାହେଲେ ଅଧ୍ୟାପକ ମହାଶୟଙ୍କ ଦେହରେ ବିଦେଶୀ ହାୱା ଲାଗିଛି । ସେ ଆଗଠାରୁ ଅଧିକ ରୋମାଣ୍ଟିକ୍ ଜଣାଯାଉଛନ୍ତି । ସୂର୍ଯ୍ୟକାନ୍ତଙ୍କ ରସିକପଣ ଦେଖି ସୁରୂଚି ପ୍ରକୃତିସ୍ଥ ହୋଇ ହସି ହସି ବେଦମ୍ ହେଲେ । ତାଙ୍କର ହସ ମୋନାଲିସାଙ୍କର ରହସ୍ୟମୟ ହସଠାରୁ ଉଣା ନଥିଲା । ହସି ଦେଲେ ମୃଗନୟନୀ ସୁରୂଚି ଭାରି ଆକର୍ଷଣୀୟ ଦେଖାଯାଆନ୍ତି ଓ ଅଳ୍ପ ବୟସି ଲାଗନ୍ତି । ଅପରାହ୍ନରେ ଆଉଥରେ ପ୍ରୋଗ୍ରାମ ଅନୁସାରେ ଆଇଫିଲ୍ ଟାୱାର ଚଢ଼ିବାର ସୁଯୋଗ ମିଳିଲା । ୩୦୦ ମିଟର ଉଚ୍ଚ ଏହି ଆଇଫିଲ୍ ଟାୱାର । ଲୁହା ବିମ୍ ସବୁ ଛନ୍ଦାଛନ୍ଦି ହୋଇ ତିଆରି ହୋଇଛି । ସିଲଭର ରଙ୍ଗରେ ରଙ୍ଗାୟିତ ଏହି ଟାୱାର୍ ଚଢ଼ିବା ପାଇଁ ଉଭୟ ପାହାଚ ଓ ରୋପ୍ ୱେ ଅଛି । ସୁରୂଚି ଓ ସୂର୍ଯ୍ୟକାନ୍ତ ପାହାଚ ଚଢ଼ି ଏହାର ଦ୍ୱିତୀୟ ଲେବୁଲ୍ ପର୍ଯ୍ୟନ୍ତ ଗଲେ । ଶୀର୍ଷକୁ ଗଲେ ନିଶ୍ୱାସ ବନ୍ଦ ହୋଇଗଲା ପରି ଲାଗେ, ତେଣୁ ଶୀର୍ଷକୁ ଅଧିକାଂଶ ଯାତ୍ରୀ ଆହୋରଣ କରିନଥା’ନ୍ତି । ଆଇଫିଲ୍ ଟାୱାରର ଦ୍ୱିତୀୟ ଲେବୁଲ୍‌ରୁ ସମଗ୍ର ପ୍ୟାରିସ ସହର ଦେଖାଯାଏ । ସନ୍ଧ୍ୟା ଆସିଯାଇଥାଏ । ସନ୍ଧ୍ୟା ଆଲୋକରେ ସମଗ୍ର ପ୍ୟାରିସ୍ ସହର ଉଦ୍ଭାସିତ ହେଉଥାଏ । ସୁଉଚ୍ଚ ଆଇଫିଲ୍ ଟାୱାର ସମଗ୍ର ପ୍ୟାରିସ୍‌ରେ ସ୍ୱର୍ଣ୍ଣ ବର୍ଷାର ଭ୍ରମ ସୃଷ୍ଟି କରୁଥାଏ । ସ୍ୱର୍ଣ୍ଣାଭ ପ୍ୟାରିସ ସହର, ଚିତାକର୍ଷକ ଆଇଫିଲ୍ ଟାୱାରର ଆଲୋକ ବର୍ଣ୍ଣାଳୀକୁ ଉପଭୋଗ କରିବା ଭାଗ୍ୟର କଥା କହିଲେ ଭୁଲ୍ ହେବନାହିଁ । ସମସ୍ତେ ହୋଟେଲ ଭିଏନା ହାଉସ୍ ଫେରିଲେ । ଭିଏନା ହାଉସ୍‌ର ସନ୍ଧ୍ୟାକୁ ଦେଖିଲେ ଦିନଭରିର ଭ୍ରମଣ କ୍ଳାନ୍ତି କୁଆଡ଼େ ଆପେ ଆପେ ଅବସରିଯାଏ । ଏହି ପଞ୍ଚ ତାରକା ଭିଏନା ହାଉସ୍‌ରେ ମନରେ ଥିବା ଦୁଃଖ, ଅବସାଦ କେଉଁଆଡ଼େ ମିଳାଇଯାଏ । ମତୁଆଲା ହୋଇ ଉଠନ୍ତି ପ୍ରତ୍ୟେକ ଅନ୍ତେବାସୀ ନୃତ୍ୟ ଗୀତର ତାଳେ ତାଳେ । ମଦ ନିଶାରେ ଚୁର୍ ଅନ୍ତେବାସୀମାନେ ଉତ୍ସୃଙ୍ଖଳିତ ହୋଇ ଉଠନ୍ତି । ମହୁମାଛି ମାନେ ଫୁଲରୁ ମହୁ ଶୋଷିଲା ପରି କହ୍ନେୟା ମଦ ଚୋଶୁ ଥାନ୍ତି । ସୁରୂଚି ଓ ସୂର୍ଯ୍ୟକାନ୍ତ ମଦଠାରୁ ଦୂରରେ ଥାଇ ଭିଏନା ହାଉସ‌ର ରାତିକୁ ଉପଭୋଗ କରୁଥାନ୍ତି । ଆଜି ରାତିଟି ଭିଏନା ହାଉସ୍‌ର ଶେଷ ରାତି । ରାତି ପାହିଲେ ପୁଣି ଜର୍ମାନ ଗ୍ରସ୍ତ । ପରସ୍ପରକୁ ଶୁଭ ରାତ୍ରି କହି ସହଯାତ୍ରୀ ଗଣ ନିଜ ନିଜ କକ୍ଷକୁ ଗଲେ ।

ବ୍ରେକ୍‌ଫାଷ୍ଟ ସରୁ ସରୁ ଭିଏନା ହାଉସ୍‌ରେ ସକାଳ ୮ଟା ବାଜି ସାରିଥାଏ । ଆଉ ଘଣ୍ଟାଏ ଭିତରେ ହୋଟେଲ ଚେକ୍ଆଉଟ୍ ହେବ । ଠିକ୍ ୯ଟା ସମୟରେ ହିଡ଼େଲ୍‌ବର୍ଗ ଅଭିମୁଖେ ଯାତ୍ରା । ସୁରୂଚି, ସୂର୍ଯ୍ୟକାନ୍ତ ଓ ଅନ୍ୟମାନେ ଲଗେଜ୍ ସହିତ ଭିଏନା ହାଉସ୍କୁ ଗୁଡ଼୍‌ବାୟ କହି କୋଚ୍‌ରେ ବସିଲେ । ହିଡ଼େଲ୍‌ବର୍ଗ ପଶ୍ଚିମ ଜର୍ମାନର ଏକ ପ୍ରମୁଖ ସହର । ଗାଡ଼ି ହିଡ଼େଲବର୍ଗ ଅଭିମୁଖେ ଗଡ଼ୁଥାଏ । ବାଟରେ ଖାଲି ତୀଖ ପାହାଡ଼ ଓ ଘଞ୍ଚ ଜଙ୍ଗଲ । ଭାରି ମନୋରମ ଲାଗୁଥାଏ, ପ୍ରକୃତିର ଏହି ଅପୂର୍ବ ଶୋଭାରାଜି ସବୁ । ସେହି ଗାଡ଼ିରେ ମଧ୍ୟାହ୍ନ ଭୋଜନ ସମସ୍ତେ କରିନେଲେ । ଉପରଓଳି ସୁଦ୍ଧା ଗାଡ଼ି ହିଡ଼େଲ୍‌ବର୍ଗରେ ପହଞ୍ଚି ସାରିଥାଏ । ଆଜି ରାତିଟି ଏହିଠାରେ ରହଣି । ହୋଟେଲ କଣ୍ଟିନେଣ୍ଟାଲରେ ସମନ୍ତେ ପହଞ୍ଚି ଚେକ୍ଇନ୍ ହେବା ସହିତ ଫ୍ରେସ୍ ମଧ୍ୟ ହୋଇଗଲେ । ହିଡ଼େଲବର୍ଗ ବୁଲିବା ପାଇଁ ୨/୩ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି । ତେଣୁ ହିଡ଼େଲ୍‌ବର୍ଗ ପରିଭ୍ରମଣରେ ସମସ୍ତେ ବାହାରି ଗଲେ କେବଳ ସୁରୂଚିଙ୍କୁ ଛାଡ଼ି । ଅଧିକ ଭ୍ରମଣ ଜନିତ କ୍ଳେଶରୁ ସେ ଅସୁସ୍ଥ ଜଣାପଡ଼ୁଥାନ୍ତି । ପେଟରେ ଗ୍ୟାସ୍ ସମସ୍ୟା ସହିତ ତରଳ ଝାଡ଼ା ରୋଗରେ ସେ ଆକ୍ରାନ୍ତ । ସେ ଔଷଧ ଖାଇ ହୋଟେଲରେ ବିଶ୍ରାମ ନେବାକୁ ଉଚିତ୍ ମଣିଲେ । ଏଥିପାଇଁ ସୂର୍ଯ୍ୟକାନ୍ତ ବାବୁ ଚିନ୍ତିତ ଜଣାପଡ଼ୁଥା’ନ୍ତି । ଯଦିଓ, ସେ ଅନ୍ୟମାନଙ୍କ ସହିତ ସହର ଭ୍ରମଣରେ ଗଲେ, କିନ୍ତୁ ମନରେ ସରାଗ ନଥାଏ । ପତ୍ନୀଙ୍କ ଚିନ୍ତାରେ ସେ ଏକ ପ୍ରକାର ମ୍ରିୟମାଣ । ହିଡ଼େଲବର୍ଗ ହେଉଛି ଜଙ୍ଗଲ ପାହାଡ଼ ଘେର ଏକ ସୁରମ୍ୟ ସହର । ‘ନିକାର’ ନଦୀ କୂଳରେ ଅବସ୍ଥିତ ଏକ ବୌଦ୍ଧିକ ସହର । କୁଳୁ କୁଳୁ ହୋଇ ‘ନିକାର’ ନଦୀର ନୀଳ ଜଳରାଶି ସହରର ପାଦ ସ୍ପର୍ଶ କରୁଅଛି । ନଦୀ ଭିତରେ ମାଳ ମାଳ ମଟର ଲଞ୍ଚ୍ । ପଣ୍ୟ ପରିବହନର ଏକ ସୁରକ୍ଷିତ ମାଧ୍ୟମ । ନଦୀ କୂଳରେ ୧୪୦୦ ଶତାବ୍ଦୀର ହିଡ଼େଲବର୍ଗ ବିଶ୍ୱ ବିଦ୍ୟାଳୟ ୬୦୦ ବର୍ଷ ଧରି ଦଣ୍ଡାୟମାନ । ହିଡ଼େଲ ବର୍ଗର ମୁଖ୍ୟ ଆକର୍ଷଣ ହେଉଛି ଏହି ବିଶ୍ୱବିଦ୍ୟାଳୟ । ଏହି ଜ୍ଞାନ ମନ୍ଦିରଟିର ସୁଦୂର ବିସ୍ତାରି ପ୍ରସିଦ୍ଧି, ବହୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରି ଆସିଅଛି । ଅଧ୍ୟାପକ ସୂର୍ଯ୍ୟକାନ୍ତ ବାବୁ ଏହି ଜ୍ଞାନ ଭଣ୍ଡାରରେ ପାଦ ଥାପିଥିବାରୁ ନିଜକୁ ସୌଭାଗ୍ୟଶାଳୀ ଭାବୁଥା’ନ୍ତି । ସବୁଠାରୁ ଆକର୍ଷଣୀୟ ହେଉଛି ଏହାର କମ୍ପ୍ୟୁଟରାଇଜ୍ ପାଠାଗାର । ଏହା ବହୁ ବିରଳ ପୁସ୍ତକର ଗନ୍ତାଘର । ବୀର ପୁରୁଷ ହିଟ୍‌ଲରଙ୍କର ଜୀବନ ପୁସ୍ତକଟିକୁ ସୂର୍ଯ୍ୟକାନ୍ତ ବାବୁ ଦେଖିବାର ସୁଯୋଗ ଲାଭ କଲେ । ଜର୍ମାନ୍ ଭାଷାରେ ରଚିତ ପୁସ୍ତକଟି ଇଂରାଜୀରେ ଅନୁବାଦ ହୋଇଛି କି ନାହିଁ, ଲାଇବ୍ରେରିଆନଙ୍କୁ ପଚାରି ବୁଝୁଥା’ନ୍ତି ସୂର୍ଯ୍ୟକାନ୍ତ ବାବୁ । ସହରର ସୁରମ୍ୟ ଅଟ୍ଟାଳିକା ଗୁଡ଼ିକ ନାଲି ଟାଇଲ୍‌ରେ ଆଚ୍ଛାଦିତ ହୋଇ ଥାକ ଥାକ ହୋଇ ପାହାଡ଼ ଉପରେ ଆକାଶକୁ ମୁଣ୍ଡ ଟେକିଥା’ନ୍ତି । ଅନ୍ୟାନ୍ୟ ଆକର୍ଷଣ ଭିତରେ ଥାଏ ହିଡ଼େଲବର୍ଗ କାଥିଡ୍ରାଲ୍୍ ଓଲ୍‌ଡ୍ ବ୍ରିଜ୍ । ସହର ଭର୍ତ୍ତି ଅପୂର୍ବ ଫୁଲର ସମ୍ଭାର । ପର୍ଯ୍ୟଟକମାନଙ୍କର ଚିତ୍ତ ହରଣ କରିଥାଏ । ବଡ଼ ବଡ଼ ମଲ୍, ହୋଟେଲ ଓ ବାର୍‌ରେ ସହରଟି ପରିପୂର୍ଣ୍ଣ । ବାର୍‌ରେ ମିଞ୍ଜି ମିଞ୍ଜି ଆଲୁଅରେ ସମ୍ଭ୍ରାନ୍ତ ତରୁଣ, ତରୁଣୀ, ପ୍ରୌଢ଼ ଓ ପ୍ରୌଢ଼ା ମଦ ପିଇବାରେ ମଜା ନେଉଥାନ୍ତି । ଅଧିକାଂଶ ପର୍ଯ୍ୟଟକ ମଦ ପିଇବାରେ ମସ୍‌ଗୁଲ୍ । ଆମ ଦେଶଠାରୁ ଢେର୍ ଅଧିକ ମଦ ସଂସ୍କୃତି ସେଠାରେ କାୟା ବିସ୍ତାର କରିଅଛି । ହିଡ଼େଲବର୍ଗକୁ ରୁଦ୍ଧିମନ୍ତ କରିଛି କିଛି ଚର୍ଚ୍ଚ ଓ ଭଗ୍ନ ରାଜପ୍ରାସାଦ । ସନ୍ଧ୍ୟା ଗଡ଼ି ରାତି ହେବାକୁ ବସିଲାଣି । କହ୍ନେୟାଙ୍କ ନିର୍ଦ୍ଦେଶରେ ସମସ୍ତେ ହୋଟେଲ ଅଭିମୁଖେ ଯାତ୍ରା କଲେ । ସୁରୂଚି ହୋଟେଲ କକ୍ଷରେ ସୂର୍ଯ୍ୟକାନ୍ତଙ୍କୁ ଅପେକ୍ଷା କରିଥାନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଦେଖି ସୂର୍ଯ୍ୟକାନ୍ତ ବାବୁ ଆଶ୍ୱସ୍ଥି ଲାଭ କଲେ । ସୁରୂଚିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ରାତ୍ରି ଭୋଜନରେ ସାମିଲି ହେଲେ । ସୂର୍ଯ୍ୟକାନ୍ତ ବାବୁ ସୁରୂଚିଙ୍କ ପାଖକୁ ଖାଇବା ପରେ ଗଲେ । ସୁରୂଚିଙ୍କ ବିନା ହିଡ଼େଲବର୍ଗ ଭ୍ରମଣ ସୂର୍ଯ୍ୟକାନ୍ତଙ୍କୁ ବିଶେଷ ଭଲ ଲାଗିଲା ନାହିଁ । ସୁରୂଚିଙ୍କ ମୁଣ୍ଡ ଆଉଁସିଦେବା ସହିତ ସେ ଦୁଃଖ ପ୍ରକାଶ କଲେ । ସୁରୂଚି ହିଡ଼େଲବର୍ଗ ଭ୍ରମଣକୁ ହାତଛଡ଼ା କରିଥିବାର ଅନୁରୂପ ଭାବେ ଦୁଃଖ ପ୍ରକାଶ କରୁଥିଲେ । ସୂର୍ଯ୍ୟକାନ୍ତଙ୍କ ଛାତିରେ ମୁଣ୍ଡ ରଖି ଅନୁସୋଚନାର ଗ୍ଳାନିରେ ହେଉଥିଲେ ଜର୍ଜରିତ ଓ ଆଖିରୁ ବହି ଯାଉଥିଲା ବୁନ୍ଦା ବୁନ୍ଦା ଅଶ୍ରୁ ।

ଆଜି ହେଉଛି ଇଉରୋପ ଭ୍ରମଣର ଚତୁର୍ଥ ଦିନ । ହିଡ଼େଲବର୍ଗକୁ ବିଦାୟ ଦେଇ ଜୁରିକ୍ ଅଭିମୁଖେ ସମସ୍ତେ ପ୍ରସ୍ତୁତ ହେଲେ । ସକାଳ ୯ଟା ସୁଦ୍ଧା ଗାଡ଼ି ଛାଡ଼ିଲା । ଜୁରିକ୍ ସୁଇଜରଲ୍ୟାଣ୍ଡର ଏକ ପ୍ରମୁଖ ସହର । ଘଣ୍ଟାଏ ପରେ ସମସ୍ତେ ବ୍ଲାକ୍ ଫରେଷ୍ଟରେ ପହଞ୍ଚିଲେ । ବ୍ଲାକ୍ ପରେଷ୍ଟ, ଖଇର ରଙ୍ଗର ଉଚ୍ଚା ଉଚ୍ଚା ଏକ ପ୍ରକାର ଗଛରେ ଆଚ୍ଛାଦିତ । ପାହାଡ଼ ଉପରେ ଅବସ୍ଥିତ ଏହି ଜଙ୍ଗଲ ଗୋଟାଏ ହାତୀ ଶୋଇଲା ପରି ଦେଖାଯାଉଥାଏ ଦୂରରୁ । ଅତୀବ ମନୋରମ ଆଉ ଚିତାକର୍ଷକ । ଏହାରି ମଧ୍ୟ ଦେଇ ଗାଡ଼ି ପାହାଡ଼ କାଟି ଆଗକୁ ଚାଲୁଥାଏ । ସୁରୂଚି ଗାଡ଼ି ଭିତରୁ ବ୍ଲାକ ଫରେଷ୍ଟର ଫଟୋ ଉଠାଇବାରେ ବ୍ୟସ୍ତ । କେତେବେଳେ ଗାଡ଼ି ଗୋଟାଏ କ୍ଲକ୍ ଫେକ୍ଟ୍ରି ପହଞ୍ଚି ସାରିଥାଏ ଜଣାନାହିଁ । ଏହା ପାହାଡ଼ ଉପରେ ଅବସ୍ଥିତ ଏକ ଘଣ୍ଟା କାରଖାନା । ବିଭିନ୍ନ ପ୍ରକାର ଘଣ୍ଟା ଏହି କାରଖାନାରୁ ଉତ୍ପନ୍ନ ହୋଇ ସେଠାରେ ବିକ୍ରି କରାଯାଏ । ବିଭିନ୍ନ ଡିଜାଇନର ହାତ ବନ୍ଧା ଘଣ୍ଟାଠାରୁ କାନ୍ଥ ଘଣ୍ଟା ପର୍ଯ୍ୟନ୍ତ, ସବୁ ପ୍ରକାର ଘଣ୍ଟା ଉପଲବ୍ଧ ଏହିଠାରେ । ସୁରୂଚି ତାଙ୍କ ଡ୍ରଇଂରୁମ୍ ପାଇଁ କାଠ ଉପରେ ଖଂଜା ଯାଇଥିବା ହାତୀ ଦାନ୍ତରେ ତିଆରି ଗୋଟାଏ ଘଣ୍ଟା ୬୦୦ ୟୁରୋ ଦେଇ କ୍ରୟ କଲେ । ଅନ୍ୟମାନେବି ଘଣ୍ଟା କିଣୁଥା’ନ୍ତି ଓ ଖୁସିରେ ବୁଲାବୁଲି କରୁଥାନ୍ତି । ଘଣ୍ଟା କାରଖାନା ମଧ୍ୟରେ ଗୋଟେ ସୁନ୍ଦର ପାର୍କ ଅଛି । ଏହା ସବୁଠାରୁ ଆକର୍ଷଣୀୟ ଦେଖାଯାଉଥାଏ । ମଧ୍ୟାହ୍ନ ଭୋଜନ ପରେ ସମସ୍ତେ ଏହି ଠାରେ ବିଶ୍ରାମ ନେବା ସହିତ ଫଟୋ ଉଠାରେ ମାତିଗଲେ । ସୁରୂଚି ଓ ସୂର୍ଯ୍ୟକାନ୍ତ ପାର୍କର ଘାସ ଗାଲିଚା ଉପରେ ଶୋଇରହି ଆକାଶକୁ ଚାହିଁ ରହିଥିଲେ ।

ଜର୍ମାନରୁ, ଭୂସ୍ୱର୍ଗ ସୁଇଜରଲ୍ୟାଣ୍ଡ ପ୍ରବେଶ ପଥରେ ପଡ଼େ ରାଇନା ୱାଟରଫଲ୍ । ଏହା ସମଗ୍ର ଇୟୁରୋପରେ ଗୋଟାଏ ସର୍ବ ବୃହତ ଧୂଆଁଧାର ଫଲ୍ । ଚିତାକର୍ଷକ ଓ ମନୋମୁଗ୍ଧକର ମଧ୍ୟ । ଏଠାକୁ ବର୍ଷ ତମାମ୍, ବିଶେଷ କରି ଶୀତଋତୁରେ ବହୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । କିଛି କଫି ଷ୍ଟଲକୁ ଛାଡ଼ିଦେଲେ ଅନ୍ୟାନ୍ୟ କୌଣସି ଦୋକାନ ବଜାର ଏ ବଣ ଭିତରେ ନାହିଁ । ଜଣେ ଭାରତୀୟ ଦିଲ୍ଲୀରୁ ଯାଇ ସେଠାରେ ଗୋଟିଏ କଫି ଷ୍ଟଲ କରିଛନ୍ତି । କଫି ଗୋଟାକୁ ୪ ୟୁରୋ ଅର୍ଥାତ୍ ୩୨୦ଟଙ୍କା ମାତ୍ର । ସୁରୂଚିଙ୍କର ଅଭ୍ୟାସ ଥିବାରୁ ସେଠାକୁ ଯାଇ ଗୋଟାଏ କଫି ପିଇଲେ । ସୂର୍ଯ୍ୟକାନ୍ତ ବାବୁ କଫିର ଦାମ୍ ଦେଖି କଫି ପିଇବାକୁ ମନା କରିଦେଲେ । ସୂର୍ଯ୍ୟକାନ୍ତ ବାବୁ ସେ ଦୋକାନୀ ସହିତ ହିନ୍ଦୀରେ କଥାବାର୍ତ୍ତା କରୁଥାନ୍ତି । ସୁରୂଚି କଫିର ମଜ୍ଜା ନେଉଥା’ନ୍ତି । ଯାହା ଜାଣିବାକୁ ପାଇଲେ, ସେ ଭାରତୀୟ ଦୋକାନୀ ଜଣକ ୩୦ ବର୍ଷ ହେଲା ସେଠାରେ ଦୋକାନ ଦେଇଛନ୍ତି । ସେଠାରୁ ଯାହା ରୋଜଗାର କରନ୍ତି, ସେଥିରେ ଦିଲ୍ଲୀ ଚାନ୍ଦିନୀ ଚୌକିରେ ତାଙ୍କର ୨ଟି ମଲ୍ ଅଛି । ତାଙ୍କର ପୁଅମାନେ ଦିଲ୍ଲୀରେ ମଲ୍‌କୁ ଚଳାଉଛନ୍ତି । ସୁଇଜରଲ୍ୟାଣ୍ଡରେ ବହୁ ଭାରତୀୟ ତାଙ୍କ ଭଳି ପରିବା ଓ ଫଳ ଦୋକାନ କରିଛନ୍ତି । କିଛି ବି ଡ୍ରାଇଭର ଚାକିରୀ କରନ୍ତି । ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ସେମାନଙ୍କର । ଏକଥା ଶୁଣି ସୂର୍ଯ୍ୟକାନ୍ତ ବାବୁ ଯେତିକି ଆଶ୍ଚର୍ଯ୍ୟ ହେଲେ ସେତିକି ବି ଚକିତ ହେଲେ । ନିଜ ଅଧ୍ୟାପକ ଚାକିରୀକୁ ଧିକ୍କାର କରୁଥିଲେ ମନେ ମନେ । ରାଇନା ୱାଟରଫଲ ଉପରେ ଉତ୍ତର ମଧ୍ୟାହ୍ନର ସୂର୍ଯ୍ୟାଲୋକରେ ଇନ୍ଦ୍ରଧନୁର ଶୋଭା ଅତ୍ୟନ୍ତ ମନୋରମ । ସୁନୀଳ ଜଳରାଶିରେ ମାଛ ମାନଙ୍କର ବିଚରଣ ଭାରି ଆନନ୍ଦପ୍ରଦ । ରାଇନା ୱାଟରଫଲ ଭିତରକୁ କିଛି ସହଯାତ୍ରୀ ବୋଟ୍ ମାଧ୍ୟମରେ ଗଲେ । ସୁରୂଚି ଯିବା ପାଇଁ ଜିଦ୍ କରୁଥିଲେ । ଏହା ବିପଦସଙ୍କୁଳ ଥିବାରୁ ସୂର୍ଯ୍ୟକାନ୍ତବାବୁ ମନାକଲେ । ସନ୍ଧ୍ୟା ଆଗତ ହେବାରୁ ସମସ୍ତେ ଜୁରିକ୍ ସହର ଅଭିମୁଖେ ଯାତ୍ରା ଆରମ୍ଭ କଲେ । ଜୁରିକ୍, ସୁଇଜରଲ୍ୟାଣ୍ଡର ସବୁଠାରୁ ବଡ଼ ସହର ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର । ବିଜିନେସ୍ ଓ ଅର୍ଥନୈତିକ ହବ୍ ମଧ୍ୟ ଜୁରିକ୍‌କୁ ଛାଡ଼ି ସୁଇଜରଲ୍ୟାଣ୍ଡର କଳ୍ପନା କରାନଯାଇପାରେ । ବିଶ୍ୱର ସବୁଠାରୁ ବଡ଼ ସୁଇସ୍‌ବ୍ୟାଙ୍କ୍ ଜୁରିକ୍‌ରେ ଅବସ୍ଥିତ । ରାଇନା ୱାଟରଫଲ୍ ନିକଟରୁ ଜୁରିକ୍ ଘଣ୍ଟାକର ରାସ୍ତା । କ୍ଳାନ୍ତିଯୋଗୁ ଅଧିକାଂଶ ଲୋକ ଗାଡ଼ି ଭିତରେ ଶୋଇଗଲେ । କେତେବେଳେ ଗାଡ଼ି ଜୁରିକ୍‌ରେ ପହଞ୍ଚିଲା ଜଣାନାହିଁ । ସେଠାରେ ହୋଟେଲ କଣ୍ଟିନେଣ୍ଟାଲ ସୁଇସ୍ ଏମାନଙ୍କ ପାଇଁ ବୁକ୍ ହୋଇଥିଲା । ସମସ୍ତେ ହୋଟେଲରେ ଚେକ୍ଇନ୍ ପରେ ନିଜ ନିଜ କୋଠରୀକୁ ଚାଲିଗଲେ ରାତ୍ରିଯାପନ ପାଇଁ । ସୁରୂଚି ଓ ସୂର୍ଯ୍ୟକାନ୍ତ ଅତ୍ୟଧିକ କ୍ଳାନ୍ତ ହେତୁ ରାତ୍ରି ଭୋଜନକୁ ବରଖାସ୍ତ କରିଦେଲେ ।

ତହିଁଆରଦିନ ସକାଳ ସୁରୂଚି ଓ ସୂର୍ଯ୍ୟକାନ୍ତ ଏଞ୍ଜେଲ୍‌ବର୍ଗ ଭ୍ରମଣ ପାଇଁ ପ୍ରସ୍ତୁତି ଶେଷ କଲେ । ଜୁରିକ୍ ସହରକୁ କେନ୍ଦ୍ର କରି ସୁଇଜରଲ୍ୟାଣ୍ଡରେ ସେମାନଙ୍କର ୩ଦିନର ରହଣି । ଏହିଠାରୁ ସେମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରିବା ସହିତ ଗ୍ଲୋବାଲ କଣ୍ଟିନେଣ୍ଟାଲ ସୁଇସ୍ ହୋଟେଲରେ ରାତ୍ରିଯାପନ କରିବେ । ଏଞ୍ଜେଲ୍‌ବର୍ଗ ଯିବା ବାଟରେ ବିପୁଳ କୃଷିକ୍ଷେତ୍ର ସାଙ୍ଗକୁ ଗୋଶାଳା ଓ କୁକୁଡ଼ା ଫାର୍ମ ଦୃଷ୍ଟିଗୋଚର ହୋଇଥାଏ । ଅଳ୍ପ ଉଚ୍ଚତା ବିଶିଷ୍ଟ ସବୁଜ ପାହାଡ଼ ଓ ତା’ ତଳକୁ ଲାଗି କୃଷିକ୍ଷେତ୍ର ଗୁଡ଼ିକୁ ଦେଖିଲେ ପେଟ ପୂରିଯିବ । ସବୁଜିମାରେ ଭରା ଏହି କୃଷିକ୍ଷେତ୍ରସବୁକୁ ମାଟିତଳେ ପାଇପ୍ ଯୋଗେ ଜଳ ଯୋଗାଣ କରାଯାଇଅଛି । ଏପରି ଜଳସେଚନ ବ୍ୟବସ୍ଥା ଦ୍ୱାରା କୃଷି ପାଇଁ ଆବଶ୍ୟକୀୟ ଜଳ ଖର୍ଚ୍ଚ ହୋଇଥାଏ । ଅଯଥା ଜଳ ଅପଚୟର ସମ୍ଭାବନା ନାହିଁ । ଏହା କେନାଲ ଯୋଗେ ଜଳସେଚନ ବ୍ୟବସ୍ଥା ବହୁ ଗୁଣରେ ଭଲ । ଏଠାରେ ଉନ୍ନତ ଯନ୍ତ୍ରପାତିର ବ୍ୟବହାର ଯୋଗୁଁ ଅଧିକ ଫସଲ ଅମଳ ସମ୍ଭବ ହୋଇପାରିଛି । ଏହି ପଦ୍ଧତି ସବୁ ଭାରତ ସରକାର ଆପଣାଇଲେ ଆମ ଦେଶରେ ମଧ୍ୟ କୃଷି ଉଦ୍ୟଗ ସର୍ବୋକୃଷ୍ଟ ହୋଇପାରିବ । ଏଠାରେ ଘାସ ଚାଷ ବହୁଳ ଭାବେ ହୋଇଥାଏ । ବିରାଟ ବିରାଟ ଜମି ଖଣ୍ଡ ମାନ ତାର ବାଡ଼ ଦ୍ୱାରା ଆବଦ୍ଧ ହୋଇ ଗୋଶାଳାମାନ ପ୍ରତିଷ୍ଠା ହୋଇଅଛି । ଛୋଟିଆ ଛୋଟିଆ ଆକାରର ଡଉଲ ଡାଉଲ ଗାଈମାନେ ଗୋଶାଳାରେ ଦେଖାଯାଆନ୍ତି । କିନ୍ତୁ ସେମାନଙ୍କର ପହ୍ନା ସବୁ ଭୂମିକୁ ସ୍ପର୍ଶ କରୁଥାଏ । ଭାରି ଦୁଧିଆଳି ଗାଈ । ଗାଈ ହେଉଛି ସୁଇଜରଲ୍ୟାଣ୍ଡର ଜାତୀୟ ପଶୁ । ଗାଈମାନଙ୍କର ବହୁତ ଯତ୍ନ ଏଠାରେ ନିଆଯାଏ । ସେମାନେ ସବୁ ଘାସ ଚାଷ ହୋଇଥିବା ଆବଦ୍ଧ କ୍ଷେତ୍ରରେ ର୍ନିଦ୍ୱନ୍ଦରେ ଚରିବାର ଦେଖାଯାଆନ୍ତି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସୁଇଜରଲ୍ୟାଣ୍ଡ ପୃଥିବୀରେ ଏକ ଅଗ୍ରଣୀ ଦେଶ । ଆମ ଦେଶର ଗୋମାତା ପରି ସେଠାରେ ଗାଈମାନଙ୍କୁ ସମ୍ମାନ ଦିଆଯାଏ । ଗୋଟାଏ ପ୍ରାଇମେରୀ ସ୍କୁଲକୁ ଲାଗି କୁକୁଡ଼ା ଫାର୍ମଟିଏ ସୂର୍ଯ୍ୟକାନ୍ତବାବୁ ଦେଖିବାକୁ ପାଇଲେ । ଛୋଟ ଛୋଟ ପିଲାମାନେ ପାଠ ପଢ଼ିବା ସହିତ କୁକୁଡ଼ା ଅଣ୍ଡା ଖାଇବେ ଓ ଅଣ୍ଡା ଉତ୍ପାଦନର ପ୍ରଣାଳୀ କୁକୁଡ଼ା ଫାର୍ମରୁ ଶିକ୍ଷା ଲାଭ କରିବେ । କେଡ଼େ ସୁଚିନ୍ତିତ ଯୋଜନା । ପ୍ରାଇମେରୀ ପାଠ ସହିତ କୁକୁଡ଼ା ଚାଷର ପ୍ରାକ୍ଟିକାଲ ଜ୍ଞାନର ସଂଯୋଗ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେଉଅଛି । ତେଣୁ କରି ସେ ଦେଶ ସମୃଦ୍ଧ ହୋଇପାରିଛି । ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏପରି ବ୍ୟବସ୍ଥା ସାମିଲ ହେବା ଦରକାର ବୋଲି ସୂର୍ଯ୍ୟକାନ୍ତ ବାବୁ ସୁରୂଚିଙ୍କୁ ବୁଝାଉଥିଲେ । ଏହା ଭିତରେ ଗାଡ଼ି ଏଞ୍ଜେଲ୍‌ବର୍ଗ ଅତିକ୍ରମ କରି ଟିଟିଲ୍ସ ବେଶ୍ କ୍ୟାମ୍ପରେ ପହଞ୍ଚି ସାରିଥାଏ । ସେହିଠାରୁ ମାଉଣ୍ଟ ଟିଟିଲ୍ସକୁ କେବୁଲ କାର୍ ବା ଗଣ୍ଡୋଲାରେ ଯିବାକୁ ହେବ । ସମୁଦ୍ର ପଦନ ଠାରୁ ୩୫୦୦ ମିଟର ଉଚ୍ଚତାକୁ ଅତିକ୍ରମ କରିବାକୁ ପଡ଼ିବ । ସବୁଠାରୁ ବିପଦଜ୍ଜନକ ଯାତ୍ରା । ଶହ ଶହ କେବୁଲ କାର୍ କେବୁଲ୍ ସାହାଯ୍ୟରେ ଯିବା ଆସିବା କରୁଅଛି । ଏହାର ଇଞ୍ଜିନିୟରିଂ ଜ୍ଞାନକୁ ତାରିଫ୍ କରିବାର ଅଛି । ସମସ୍ତେ କେବୁଲ କାର୍‌ରେ ବସି ଟିଟିଲ୍ସର ଟପ୍‌କୁ ଯିବାପାଇଁ ବାହାରିଲେ । ସୂର୍ଯ୍ୟକାନ୍ତ ବାବୁ ଭୟକୁ ଖାତିର ନକରି କେବୁଲ କାର୍‌ରେ ସୁରୂଚିଙ୍କୁ ଧରି ବସିଲେ । ହିଲ୍ ଷ୍ଟେସନ ଉପରେ ଚମକ୍ରାର ଦୃଶ୍ୟ । ବରଫରେ ଟିଟିଲ୍ସ ମାଉଣ୍ଟ ଆଚ୍ଛାଦିତ । ମାଉଣ୍ଟ ଉପରେ ପର୍ଯ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ବହୁ ଭାରତୀୟ ରେଷ୍ଟୁରାଣ୍ଟ ବି ସେଠାରେ ଉପଲବ୍ଧ । ସୂର୍ଯ୍ୟକାନ୍ତ ବାବୁ ଓ ସୁରୂଚି ଟିଟିଲ୍ସକୁ ମନଭରି ଉପଭୋଗ କରୁଥା’ନ୍ତି । ବରଫ ଉପରେ କେତେବେଳେ ଚାଲୁଥାନ୍ତି ତ କେତେବେଳେ ଦୌଡ଼ୁଥାନ୍ତି । ବରଫ ଗୁଣ୍ଡରେ ସେମାନେ ଖେଳୁଥା’ନ୍ତି । ସେଲ୍‌ଫି ନେବାକୁ ପାହାଡ଼ କଡ଼କୁ ସୂର୍ଯ୍ୟକାନ୍ତ ବାବୁ ଚାଲିଗଲେ ସୁରୂଚି ତାଙ୍କୁ ଟାଣିଆଣୁଥାନ୍ତି । ପାହାଡ଼ ଉପରୁ ତଳକୁ ଚାହିଁଲେ ଭୟରେ ଛାତି ଥରି ଉଠେ । ସେଠାରୁ ବେଶ୍ କ୍ୟାମ୍ପ୍‌ର ଘର ଗୁଡ଼ିକ ଦିଆସିଲି ପରି ଦେଖାଯାଏ । ଭାରତୀୟ ଫିଲ୍ମି ଡିଡିଏଲ୍‌ଜେ ଏହିଠାରେ ସୁଟିଂ ହୋଇଥିଲା । ଶାହାରୁଖ ଖାନ୍ ଓ କାଜଲଙ୍କ ଅଭିନିତ ଏହି ଫିଲ୍ମ ସେତେବେଳେ ଚହଳ ସୃଷ୍ଟି କରିଥିଲା । ଏବେବି ସେଠାରେ ସେମାନଙ୍କର ଯୁଗଳ ପ୍ରତିମୂର୍ତ୍ତିଟିଏ ମହଜୁଦ୍ ଅଛି । ସୁରୂଚି ଓ ସୂର୍ଯ୍ୟକାନ୍ତ କାଜଲ ଓ ଶାହାରୁଖଙ୍କର ପ୍ରତିମୂର୍ତ୍ତି ନିକଟରେ ଡିଡିଏଲ୍‌ଜେ ପୋଜ୍‌ରେ ଫଟୋ ଉଠାଇଲେ । ଏଠାରୁ ସସ୍ପେନସନ୍ ବ୍ରିଜ୍‌ରେ ଚାଲି କରି ଗଲେ ଗ୍ଲାସିୟର କେଭ୍ ପଡ଼େ । ଏହି ବରଫ ଗୁମ୍ଫାରେ ଅବସ୍ଥାନ କଲେ ସ୍ୱର୍ଗୀୟ ଆନନ୍ଦ ମିଳେ । ବହୁ ଦମ୍ପତି ଓ ପ୍ରେମୀ ଯୁଗଳ ଏଠାକୁ ହନିମୁନ୍ କରିବା ପାଇଁ ଆସିଥାନ୍ତି । ମଧ୍ୟାହ୍ନ ଭୋଜନର ସମୟ ଉପନୀତ । ପ୍ରାୟ ୪ଦିନ ପରେ ଭାରତୀୟ ହୋଟେଲରେ ଖାଇବାକୁ ସୁଯୋଗ ମିଳିଲା । ଭାରତୀୟ ଭୋଜନ ଖାଇ ସୁରୂଚି ଓ ସୂର୍ଯ୍ୟକାନ୍ତ ଅଶେଷ ଆନନ୍ଦିତ ହେଲେ । କହ୍ନେୟାଙ୍କ ନିର୍ଦ୍ଦେଶରେ ସମସ୍ତେ ପୁଣି ବେଶ୍ କ୍ୟାମ୍ପକୁ ଫେରିବା ପାଇଁ କେବୁଲ୍ କାର୍‌କୁ ଅପେକ୍ଷା କଲେ । ବରଫ ଆଚ୍ଛାଦିତ ଟିଟିଲ୍ସ ସବୁଠାରୁ ସୁନ୍ଦର । ଛାଡ଼ି ଆସିବାକୁ ଇଚ୍ଛା ହେଉନଥାଏ, ଯାହା କହନ୍ତି ସୁନ୍ଦର ତୃପ୍ତିର ଅବସାଦ ନାହିଁ । ଏହିଠାରୁ ଫେରି କୋଚ୍ ଲାଉସରନ୍ ହ୍ରଦ ନିକଟରେ ଅବସ୍ଥାନ କଲା । ଲାଉସରନ୍ ହ୍ରଦ ନିକଟରେ ବହୁ ପର୍ଯ୍ୟଟକଙ୍କ ଭିଡ଼ । ବହୁ ପକ୍ଷୀଙ୍କର ସମାଗମ । ଆଖି ପାଉନଥିବା ନୀଳ ଜଳରାଶି ଉପରେ ପକ୍ଷୀମାନଙ୍କର କ୍ରୀଡ଼ା ଅତୀବ ମନୋହର । ବୋଟିଂର ମଜା ସବୁଠାରୁ ନିଆରା । ସବୁଠାରୁ ଆକର୍ଷଣୀୟ ହେଉଛି ଲାୟନ୍ସ ମନୋମେଣ୍ଟ୍ । ଗୋଟାଏ ପାହାଡ଼କୁ ଖୋଦେଇ କରି ଗୋଟାଏ ସିଂହର ପ୍ରତିକୃତି ନିର୍ମାଣ କରାଯାଇଅଛି । ହ୍ରଦ ନିକଟରେ ଥିବା ସୁନ୍ଦର ଏକ ପାର୍କରେ ଫଟୋ ଉଠେଇବା ସହିତ ବୋଟିଂର ମଜା ସୁରୂଚି ଓ ସୂର୍ଯ୍ୟକାନ୍ତ ନେଉଥାନ୍ତି । ସନ୍ଧ୍ୟାର ତୋଫା ରଙ୍ଗର ଜହ୍ନ ନୀଳ ଜଳରାଶୀରେ ପ୍ରତିବିମ୍ବିତ ହେଉଥାଏ । ସମୟ ମୋଟେ ଜଣାଯାଉନଥାଏ । ଏହି ସମୟରେ କହ୍ନେୟା ଡାକ ମାରିଲେ ଆଜି କ’ଣ ହୋଟେଲ ଫେରିବା ନାହିଁକି? ଜୁରିକ୍ ହୋଟେଲ ଏହିଠାରୁ ୧ଘଣ୍ଟାର ରାସ୍ତା । ସମସ୍ତେ ଏଞ୍ଜେଲବର୍ଗ ଅତିକ୍ରମ କରି ହୋଟେଲରେ ପହଞ୍ଚିଲେ । ଏହି ହୋଟେଲଟି ଏତେ ଉଚ୍ଚକୋଟୀର ନୁହେଁ, ପ୍ୟାରିସ୍ ଓ ହିଡ଼େଲବର୍ଗ ହୋଟେଲ ପରି । ସୁଇଜରଲ୍ୟାଣ୍ଡର କଷ୍ଟ ଅଫ୍ ଲିଭିଂ ବହୁ ଅଧିକା ।

ସୁଇଜରଲ୍ୟାଣ୍ଡର ଦ୍ୱିତୀୟ ସକାଳ । ସୂର୍ଯ୍ୟ ଉଇଁ ଆସିଲେଣି ପାହାଡ଼ର ଆରପଟୁ । ଝରକା ଦେଇ ନରମ କିରଣରେ ହୋଟେଲ କକ୍ଷଟିର ବାତାବରଣର ହେଉଥିଲା ଉଷ୍ମ ଓ ରଙ୍ଗୀନ୍ । ମୃଦୁ ସମୀରଣ ସ୍ପର୍ଶରେ, ଅବସ ଦେହମନ ହେଉଥିଲା ଅସ୍ଥିରରୁ ଅସ୍ଥିରତର । ପ୍ରିତୀର ଝରଣାଟି ହଠାତ୍ ଉଛୁଳି ଉଠିଲା । ଆଉ ସେହି ଝରଣାରେ ଉବୁଟୁବୁ ହୋଇ ସ୍ନାନ କରୁଥିଲେ ସୁରୂଚି ଓ ସୂର୍ଯ୍ୟକାନ୍ତ । କିଛି ସମୟ ନିରବତାରେ ଆଚ୍ଛନ୍ନ ହୋଇଗଲା ହୋଟେଲ କୋଠରୀଟି । ସୂର୍ଯ୍ୟକାନ୍ତ ନିସ୍ତେଜ ଭାବରେ ଶୋଇ ରହିଥିଲେ । ନିରବତା ଭାଙ୍ଗି ସୁରୂଚି ସୂର୍ଯ୍ୟକାନ୍ତଙ୍କୁ ଉଠାଇ କହିଲେ ଆଜିପା ବର୍ଣ୍ଣ ଅଭିମୁଖେ ଯାତ୍ରା । ଚାଲ ଶୀଘ୍ର ପ୍ରସ୍ତୁତ ହେବା । ବର୍ଣ୍ଣ ହେଉଛି ସୁଇଜରଲ୍ୟାଣ୍ଡର ରାଜଧାନୀ ସହର । କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏହି ସହର ୟୁନିସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟରେ ସ୍ଥାନ ପାଇଅଛି । ଅଧୁରା ରହିଯିବ ସୁଇଜରଲ୍ୟାଣ୍ଡ ଭ୍ରମଣ, ବର୍ଣ୍ଣ ବ୍ୟତିରକେ । ସବୁଜ ବନାନୀ, ପାହାଡ଼ ପରିବେଷ୍ଟିତ ଏହି ସହର । ‘ଆରେ’ ନଦୀ କୂଳରେ ଅବସ୍ଥିତ ଖାଲ ଢିପରେ ପରିପୂର୍ଣ୍ଣ ସହରଟିକୁ ଦେଖିଲେ ମନ ପ୍ରାଣ ପ୍ରଫୁଲ୍ଲିତ ହୋଇଯିବ । ପ୍ରକୃତିର ଅପୂର୍ବ ଏକ ସୌନ୍ଦର୍ଯ୍ୟମୟ ସ୍ଥାନ ସ୍ୱର୍ଗର ନନ୍ଦନକାନନ ସଦୃଶ । ସ୍ୱଚ୍ଛ ଆଉ ସୁନ୍ଦର । ରାସ୍ତାର ଦୁଇ ପାଶ୍ୱରେ ସୁନ୍ଦର ସୁନ୍ଦର ଅଟ୍ଟାଳିକା ନାନା ପ୍ରକାରର ଫୁଲରେ ସୁସଜ୍ଜିତ । ଉଚ୍ଚା ରାସ୍ତା ସବୁ ବ୍ରିଜ୍ ଦ୍ୱାରା ସଂଯୁକ୍ତ । ବର୍ଣ୍ଣ ସହର ପରିକ୍ରମା ବିନା ଗାଇଡ଼ରେ ପାଦରେ ଚାଲି ଚାଲି କରିବାକୁ ପଡ଼ିବ । କହ୍ନେୟା ଗୋଟାଏ ଲାଲ୍ ଝଣ୍ଡା ଧରି ଆଗେ ଆଗେ ଫୁଟପାଥରେ ଚାଲୁଥାନ୍ତି । ତାଙ୍କ ପଛରେ ଅନ୍ୟମାନେ ଅନୁଧାବନ କରୁଥାନ୍ତି । ବର୍ଣ୍ଣ ସହରର ପାଣି ପବନରେ ଉତ୍ଫୁଲ୍ଲିତ ହେଉଥାନ୍ତି ସୁରୂଚି ଓ ସୂର୍ଯ୍ୟକାନ୍ତ । ହାତ ଧରାଧରି ହୋଇ ଚାଲୁଥାନ୍ତି ଫୁଟ୍‌ପାଥ୍ ଉପରେ । କ୍ରମେ ପାଗଳ ପ୍ରେମୀ ହୋଇ ଉଠୁଥାନ୍ତି ଏହି ପ୍ରୌଢ଼ ଦମ୍ପତି । ଏହା ଭିତରେ ସେମାନେ ପହଞ୍ଚି ସାରିଥାନ୍ତି ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କ ବାସଭବନରେ । ମୋଟେ ଜଣା ପଡ଼ିଲାନି ପଥ କଷ୍ଟ । ବର୍ଣ୍ଣ ସହରରେ ଆଇନଷ୍ଟାଇନ୍ କିଛି ଦିନ ଅବସ୍ଥାନ କରିଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଦଶକଟି ତାଙ୍କର ହୋମ୍ ଟାଉନ୍ ଥିଲା ବର୍ଣ୍ଣ୍ । ଏହା ବର୍ତ୍ତମାନ ଏକ ସଂଗ୍ରାହାଳୟରେ ପରିଣତ ହୋଇଅଛି । ଏହି ଘରେ ସେ ତାଙ୍କର ପୁଅ ହାନ୍ସ ଓ ସ୍ତ୍ରୀ ମେଲିଭାଙ୍କ ସହିତ ରହୁଥିଲେ । ଏବେବି ତାଙ୍କର ଶୟନ କକ୍ଷଟି ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିଅଛି । ସେଠାରେ ତାଙ୍କର କିଛି ଫଟୋ, ଫୁଟେଜ୍, ନୋବେଲ ପୁରସ୍କାରର ସାର୍ଟିଫିକେଟ୍ ଓ ମେଡ଼ାଲ୍ ମହଜୁଦ ଅଛି । ଏହିଠାରେ ସେ ଆବିଷ୍କାର କରିଥିଲେ ବିଶ୍ୱ ପ୍ରସିଦ୍ଧ ଥିଓରି ଅଫ ରିଲେଟିଭିଟି ଓ ଫର୍ମୁଲା E = mc² ସ୍କୋୟାର । ସଂଗ୍ରହାଳୟର ମୁଖ୍ୟ ଫାଟକରେ ତାଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଅଛି । ସୂର୍ଯ୍ୟକାନ୍ତବାବୁ ଓ ସୁରୂଚି ଆଇନ୍‌ଷ୍ଟାଇନ୍‌ଙ୍କ ପ୍ରତିମୂର୍ତ୍ତି ନିକଟରେ କିଛି ସମୟ ପାଇଁ ଅଟକି ଗଲେ ଓ ଭାବନା ରାଜ୍ୟରେ ବିଚରଣ କଲେ । ବର୍ଣ୍ଣ ସହରର କ୍ଲକ୍ ଟାୱାର ହେଉଛି ଏକ ମାଇଲ୍ ଖୁଣ୍ଟ । ୮୦୦ ବର୍ଷର ପୁରୁଣା ଘଣ୍ଟାଟି ଆଜି ବି ନିର୍ଭୁଲ୍ ଭାବରେ ସମୟକୁ ସୂଚାଇ ଦେଉଛି । ବଟାନିକାଲ୍ ଗାର୍ଡେନ୍ ସହର ଭିତରେ ଫୁଲ ଫଳରେ ସଜ୍ଜିତ ହୋଇ ବର୍ଣ୍ଣ ସହରର ଶୋଭା ବର୍ଦ୍ଧନ କରୁଅଛି । ବହୁ ପ୍ରକାର ବିରଳ ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ ଏହି ବଗିଚାଟିର ପରିବେଶ ବହୁତ ଆକର୍ଷଣୀୟ । ସୁଇଜରଲ୍ୟାଣ୍ଡର ଗଣତନ୍ତ୍ର ମନ୍ଦିରର ନାମ ବୁନ୍ଦେସାଉସ, ଏହା ‘ଆରେ’ ନଦୀ କୂଳରେ ବିରାଜମାନ । କାରୁକାର୍ଯ୍ୟପୂର୍ଣ୍ଣ ବହୁ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାଟି ସ୍ୱତନ୍ତ୍ରତା ବହନ କରିଥାଏ । ଯାହାକୁ ନଦେଖିଲେ ସୁଇଜରଲ୍ୟାଣ୍ଡର ଭ୍ରମଣ ଅଧୁରା ରହିଯିବ । ଅନ୍ୟାନ୍ୟ ଆକର୍ଷଣୀୟ ସ୍ଥାନ ମାନଙ୍କ ମଧ୍ୟରେ କାସିନେ ବର୍ଣ୍ଣ୍ ଓ କ୍ଲକ୍ ଟାୱାର ଅନ୍ୟତମ । କାସିନେ ବର୍ଣ୍ଣ କଳା ମନ୍ଦିରଟି ପାର୍ଲାମେଣ୍ଟ ଭବନ ସନ୍ନିକଟ । ନୂଆ ନୂଆ ସଙ୍ଗୀତ, ନୃତ୍ୟ ଓ ଫେସନ୍’ସୋ ଏହିଠାରେ ପ୍ରଥମେ ପଦର୍ଶିତ ହୋଇଥାଏ । ସବୁବେଳେ ନାଚ ଓ ଗୀତ ଆଦିର ନୂତନ ସଂସ୍କରଣ ଏଠାରୁ ଆରମ୍ଭ ହୋଇଥିବାରୁ ଏହି ସ୍ଥାନଟି ସବୁବେଳେ ଭିଡ଼ । ନୂଆ ନୂଆ ମେନୁର ଖାଦ୍ୟ ମଧ୍ୟ ଏହିଠାରେ ପ୍ରସ୍ତୁତ ହୋଇଥାଏ । ଏହି ମନଲୋଭା ସ୍ଥାନଟି ବୁଲିବା ସହିତ ମଧ୍ୟାହ୍ନ ଭୋଜନର ଆୟୋଜନ କହ୍ନେୟା ଏଠାରେ କରିଥା’ନ୍ତି । ଭୋଜନ ପରେ କିଛି ସମୟ ବିଶ୍ରାମ କରିବାକୁ ପଡ଼ିଲା; ସୂର୍ଯ୍ୟକାନ୍ତ, ସୁରୂଚି ଓ ଅନ୍ୟମାନଙ୍କୁ । ଅପରାହ୍ନରେ ବିଶ୍ୱ ପ୍ରସିଦ୍ଧ ଚକୋଲେଟ୍ ଫ୍ୟାକ୍ଟ୍ରି ‘ମାସନ କଲିର୍’ ବୁଲିଯିବାକୁ ହେଲା । ଚକୋଲେଟ୍‌ର ଜନକ ନେସ୍ଲେ ଏହି କମ୍ପାନୀକୁ ଉନବିଂଶ ଶଦାବ୍ଦୀରେ ପ୍ରତିଷ୍ଠା କରିଥିଲେ । ପ୍ରଚୁର ଦୁଗ୍ଧ ଓ କୋକ୍ ସୁଇଜରଲ୍ୟାଣ୍ଡରେ ଉପଲବ୍ଧ ହେତୁ, ନେସ୍ଲେ ଏହି କାରଖାନାର ପରିକଳ୍ପନା କରିଥିଲେ । କାରଖାନା ଭିତରେ ଚକୋଲେଟ୍ ତିଆରିର ସୂତ୍ର ଦର୍ଶକମାନଙ୍କୁ ପଦର୍ଶିତ କରାଯାଇଥାଏ । କାରଖାନା ଭିତରଟି ଇନ୍ଦ୍ରପୁରୀର ଭ୍ରମ ସୃଷ୍ଟି କରେ । କାରଖାନାର କାନ୍ଥ ସବୁ ଚକଲେଟ୍‌ରେ ତିଆରି, ସେଥିପାଇଁ ହାତ ନଲଗାଇବା ପାଇଁ ଦର୍ଶକମାନଙ୍କୁ ବାରଣ କରାଯାଇଥାଏ । ଚକୋଲେଟରେ ତିଆରି ଗାନ୍ଧୀ ମୂର୍ତ୍ତିଟି କେବେଠାରୁ ସେଠାରେ ଶୋଭା ପାଉଛି । ନେସ୍ଲେ ସାଇକେଲ ସାହାଯ୍ୟରେ କ୍ଷୀର ସଂଗ୍ରହ କରୁଥିବା ଏକ ଚକୋଲେଟ୍ ମୂର୍ତ୍ତି ମଧ୍ୟ ସେହିଠାରେ ପଦର୍ଶିତ ହେଉଅଛି । ସୁଇସ୍ ଚକୋଲେଟର ଚାହିଦା ବିଶ୍ୱ ପ୍ରସିଦ୍ଧ । ସୁରୂଚି କିଛି ଚକଲେଟ୍ ସେଠାରୁ କ୍ରୟ କଲେ । ପର୍ଯ୍ୟଟକମାନେ ଯେତେ ଚକଲେଟ୍ ଖାଇପାରିବେ, ନେଇପାରିବେ କାରଖାନା ଭିତରେ ବାରଣ ନଥାଏ । ସୂର୍ଯ୍ୟକାନ୍ତ ବାବୁତ ଚକୋଲେଟ୍ ଖାଇବା ସହିତ କିଛି ଚକୋଲଟ କୋର୍ଟ ପକେଟରେ ବାହାରକୁ ନେଇଆସିଥିଲେ । କିଛି ସମୟ ପରେ ଚକୋଲେଟ୍ ଗୁଡ଼ିକ ତରଳି ମେଞ୍ଚା ମେଞ୍ଚା ହୋଇ କୋଟ୍ ପକେଟ୍‌ରେ ଲାଗିଯିବାରୁ ସୁରୂଚି ବିରକ୍ତ ହେଲେ । ଅବଶ୍ୟ ଲଣ୍ଡ୍ରିବାଲା ପରେ କୋର୍ଟଟିକୁ ସଫା କଲା । ସୁରୂଚି, ସୂର୍ଯ୍ୟକାନ୍ତ ଓ ଅନ୍ୟମାନେ ଚକୋଲେଟ୍ ଟୁର୍‌ର ମଜା ନେଉଥାନ୍ତି । ସନ୍ଧ୍ୟା ଆଗତ ହେବାରୁ ସମସ୍ତେ କୋଚ୍‌ରେ ବସି ଜୁରିକ୍ ପ୍ରତ୍ୟାବର୍ତ୍ତନ କଲେ । ହୋଟେଲ ଭିତରେ ସମସ୍ତେ ସୁଇଜରଲ୍ୟାଣ୍ଡର ଅନ୍ତିମ ରାତ୍ରିଟିକୁ ମନଭରି ଉପଭୋଗ କରୁଥିଲେ ।

ଆଜି ଇଉରୋପ ଟୁର୍‌ର ସପ୍ତମ ଦିବସ । ଜୁରିକ୍‌ର ଇନସ୍ସର୍କକୁ ଟୁର୍ ପ୍ରୋଗ୍ରାମ । ଇନ୍ସବର୍କ ହେଉଛି ଦକ୍ଷିଣ ପୂର୍ବ ଇଉରୋପର ଏକ ପ୍ରମୁଖ ସହର । ମହାପରାକ୍ରମୀ, ମହା ଯୋଦ୍ଧା ହିଟ୍‌ଲରଙ୍କ ଜନ୍ମଭୂମି ଅଷ୍ଟ୍ରିଆ ରିପବ୍ଲିକ୍‌ରେ ଅବସ୍ଥିତ । ଅଷ୍ଟ୍ରିଆ, ଜର୍ମାନ ଓ ପରେ ହଙ୍ଗେରୀଠାରୁ ପୃଥକ ହୋଇ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହୋଇଅଛି । ନିର୍ଦ୍ଧାରିତ ସମୟରେ ଅଷ୍ଟ୍ରିଆ ଅଭିଯାନ ଆରମ୍ଭ ହେଲା । ଜଙ୍ଗଲ, ପାହାଡ଼ ପର୍ବତ ପରିବେଷ୍ଟିତ ଏହି ଦେଶକୁ ପ୍ରବେଶ ଯେତିକି ରୋମଞ୍ଚିତ ସେତିକି ଚିତାକର୍ଷକ । ଜଣାଯାଏ କେଉଁ ଭିନ୍ନ ଏକ ପୃଥିବୀରେ ବିଚରଣ କଲାଭଳି । ଖାଲି ଆପେଲ୍ ଆଉ ଆପେଲ୍ । ଧାଡ଼ି ଧାଡ଼ି ହୋଇ ଚାଷ ହୋଇଛି ପ୍ରଚୁର ଅପେଲ୍ ଗଛ । ଟହ ଟହ ହୋଇ ପାଚିଥିବା ଆପେଲ୍ ସବୁ ହାତ ପହଁନ୍ତାରେ । ତୋଲିବା ପାଇଁ ଇଚ୍ଛା ଥିଲେ ବି କହ୍ନେୟାଙ୍କର ବାରଣ ବାଧା ସୃଷ୍ଟି କରୁଥାଏ । ଖାଲି ଦେଖିବା, ଫଟୋ ଉଠାଇବା ଛଡ଼ା ଉପାୟ କିଛି ନାହିଁ । ଇନ୍ସବର୍କ ଯିବାକୁ ହେଲେ ବହୁ ଟନଲେ ପଡ଼େ । ପ୍ରାୟ ୨୦ କିଲୋମିଟରରୁ ଉଦ୍ଧ୍ୱର ମାଟିତଳେ ଥିବା ଏହି ଟନେଲ ସବୁକୁ ଅତିକ୍ରମ କରିବାକୁ ହୋଇଥାଏ । ପୃଥିବୀର ଦୀର୍ଘତ୍ତମ ମାଟିତଳ ଟନେଲ ଏହିଠାରେ ଅଛି । ଉପରେ ପାହାଡ଼, ଭିତରେ ଟନେଲ, ଚିକଣ ରାସ୍ତାରେ ଗାଡ଼ି ଆଗକୁ ଗଡ଼ୁଥାଏ । ଠିକ୍ ସମୟରେ ଗାଡ଼ି ଇନ୍ସବର୍କରେ ପହଞ୍ଚିଲା । ସେହି ଗାଡ଼ି ଭିତରେ ସମସ୍ତେ ମଧ୍ୟାହ୍ନ ଭୋଜନ କରିସାରିଥିଲେ । କିଛି ସମୟ ପାଇଁ ଗୋଟେ ପେଟ୍ରୋଲ ପମ୍ପ ହାଉସରେ ବିଶ୍ରାମ । ପରବର୍ତ୍ତୀ ପ୍ରୋଗ୍ରାମ କ୍ରିଷ୍ଟାଲ ୱାର୍ଲଡ଼ ପରିଦର୍ଶନ । ଏହା ବିଶ୍ୱର ଅନ୍ୟତମ କ୍ରିଷ୍ଟାଲ ୱାର୍ଲଡ଼ । ଏହାକୁ ଡାନିଏଲ୍ ସୋରଭାକି, ଯିଏକି ଜଣେ ଗ୍ଲାସ୍ ମାନୁଫାକ୍ଚର୍ ଥିଲେ, ୧୮୯୦ ମସିହାରେ ଏଠାରେ ପ୍ରତିଷ୍ଠା କରିଥିଲେ । ସାରା ପୃଥିବୀରେ ଏହାର ଏକ ବିଶେଷ ଅକାର୍ଷଣ ଅଛି । ଦେଖିଲେ ମନ ଲାଖିଯାଏ । ସେଠାରୁ ଆସିବାକୁ ଇଚ୍ଛା ହୁଏନି । ସତେ ଅବା ଇନ୍ଦ୍ରପୁରୀରେ ବିଚରଣ କଲାଭଳି ଲାଗେ । କ୍ରିଷ୍ଟାଲ ଭିତରେ ବହୁ ପ୍ରତିଛବି ନିଜର ବହୁ ପ୍ରତିଛବି ଦେଖିଲେ ଆନନ୍ଦରେ ମନ ନାଚି ଉଠେ । ୧୬ଟି କୋଠରୀ ବିଶିଷ୍ଟ କ୍ରିଷ୍ଟାଲରେ ସଜ୍ଜିତ ଏହି କ୍ରିଷ୍ଟାଲ ୱାର୍ଲଡ଼ । ଏଠାରେ ମହଜୁଦ୍ ଥିବା କ୍ରିଷ୍ଟାଲ ଗୁଡ଼ିକ ହୀରାଠାରୁ ବି ଅଧିକ ଚିକଣ । ଏଠାରେ କ୍ରିଷ୍ଟାଲରେ ସବୁ ଜିନିଷ ଉପଲବ୍ଧ । କ୍ରିଷ୍ଟାଲ ଖଚିତ ବ୍ୟାଗ୍, ବୁଟ୍, ଡ୍ରେସ, ବ୍ରା, ପେଣ୍ଟି, ଚୁଡ଼ି, କାନଫୁଲ ଓ ଘରସଜ୍ଜା ଉପକରଣ ସବୁ ଏଠାରେ ଉପଲବ୍ଧ । ଯାହା ଖୋଜିବ ତାହା ଏଠାରେ କ୍ରୟ କରିବା ପାଇଁ ମିଳେ । ତେଣୁକରି ବହୁ ଫେସନ୍ ଡିଜାଇନରମାନଙ୍କର ଭିଡ଼ ଏଠାରେ । ଆଖିରେ ନଦେଖିଲେ ଏହି ଇନ୍ଦ୍ରପୁରୀକୁ ବିଶ୍ୱାସ କରିହେବ ନାହିଁ । ସବୁଠାରୁ ଆକର୍ଷଣୀୟ ହେଉଚି ଏହାର ଗେଟ୍ ଓ ଗେଟ୍ ନିକଟରେ ଅବସ୍ଥିତ ଜାଏଣ୍ଟ ପ୍ରତିକୃତୀଟି, ପହାଡ଼ ଉପରେ ପଥର କଟାଯାଇ ଏହି ପ୍ରତିକୃତୀ ତିଆରି ହୋଇଅଛି । ସବୁଜ ଗୁଳ୍ମରେ ଏହାର ବିରାଟ ମୁଣ୍ଡ ଆଉ ଶରୀର ଆଚ୍ଛାଦିତ । ଆଖି ନାକରେ ଧଳା ଧଳା କ୍ରିଷ୍ଟାଲ ଖଞ୍ଜା ଯାଇଅଛି । କେଉଁ ଏକ କ୍ରିଷ୍ଟାଲ ଡିଜାଇନର୍ ଏହାକୁ ତିଆରି କରିଛନ୍ତି । ପାଟିବାଟେ ଗୋଟାଏ ଝରଣା କୁଳୁ କୁଳୁ ହୋଇ ଗର୍ଜନ କରି ବହି ଯାଉଛି । ଏହା ଜାଏଣ୍ଟ୍‌ର (ରାକ୍ଷାସ) ଜୀଭ ସଦୃଶ ଦେଖାଯାଏ । ବର୍ଷାବି ଟିକେ ହୋଇ ଛାଡ଼ି ଯାଇଛି । ସନ୍ଧ୍ୟା ହୋଇଯିବାରୁ ସମସ୍ତେ ହୋଟେଲ ଅଲମ୍ପିୟାକୁ ପ୍ରତ୍ୟାବର୍ତ୍ତନ କଲେ । ଇନ୍ସବର୍କରେ ମାତ୍ର ଗୋଟିଏ ଦିନର ରହଣୀ । ଆଉ ଅଧିକ ବୁଲିବାର ସୁଯୋଗ ନାହିଁ । ହୋଟେଲରେ ପହଞ୍ଚିଲା ବେଳକୁ ରାତ୍ରି ହୋଇଯାଇଥିଲା । ସୁରୂଚି ଓ ସୂର୍ଯ୍ୟକାନ୍ତ ତାଙ୍କ ପାଇଁ ଉଦ୍ଧିଷ୍ଟ କକ୍ଷକୁ ଚାଲିଯାଇଥିଲେ ରାତ୍ରି ଭୋଜନ ପରେ ।

ଚଳମାନ ସମୟ । ଇଉରୋପ ବୁଲିବାର ସମୟ ସରି ସରି ଆସୁଥାଏ । ଆଜି ଅଷ୍ଟମ ଦିବସରେ ଇଟାଲୀର ‘ପିସା’ ଅଭିମୁଖେ ଯାତ୍ରା । ‘ପିସା’ ଯିବା ବାଟରେ ‘ଭେନିସ୍’ ଦେଖିବାର ସୌଭାଗ୍ୟ ମିଳିବ । ସେଠାରେ କିଛି ସମୟ ଅତିବାହିତ କରିବା ପରେ ଇଉରୋ ହୋଟେଲ ପିସାରେ ରାତ୍ରି ରହଣୀ । ତାହା ପୂର୍ବରୁ ଭେନିସ୍ ସହରକୁ ଉପଭୋଗ କରିବାର ଅଛି । ଠିକ୍ ଅପରାହ୍ନ ଅଢ଼େଇଟାରେ କୋଚ୍ ଯାଇ ସମୁଦ୍ର ତଟରେ ‘ଟ୍ରୋଞ୍ଚେଟୋ’ରେ ପହଞ୍ଚିଲା । ସେହିଠାରୁ ‘ଭେନିସ୍’ ସହର ପାଣି ଭିତରେ ଭାସୁଥିବାର ଦେଖାଯାଉଥିଲା । ୧୧୭ଟି ଦ୍ୱିପାଞ୍ଚଳକୁ ନେଇ ଭେନିସ୍ ସହର ଗଠିତ । ସଡ଼କ ପଥ ମୋଟେ ନାହିଁ । ବହୁତଗୁଡ଼ିଏ କେନାଲ ଦ୍ୱାରା ପରସ୍ପର ସଂଯୋଗ ହୋଇଅଛି । ଜଳ ପଥରେ ସବୁ ଛୋଟ ବଡ଼ ପୋଲ । ସେଥିପାଇଁ ‘ଭେନିସ୍’କୁ ଜଳ ସହର, କିଏ କେମିତି ପୋଲ ଆଉ କେନାଲ ସହର କହିଥା’ନ୍ତି । ସର୍ବୋପରି ଏହା ଏକ ଭାସମାନ ସହର । ସେଠାରେ ମୂଳବାସୀନ୍ଦାମାନେ ବହୁଳ ଭାବେ ମୁଖା (ମାସ୍କ) ବ୍ୟବହାର କରିଥାନ୍ତି । ମୁଖା ଲଗାଇଲେ, ଧନୀ, ଦରୀଦ୍ର, ଉଚ୍ଚ, ନୀଚ୍ଚର ପ୍ରଭେଦ ନଥାଏ ବୋଲି ସେଠାରେ ଲୋକମାନଙ୍କର ଧାରଣା । ଆଧୁନିକତାର ପ୍ରବେଶ ପରେ ଏବେ ଆଉ ଲୋକମାନେ ମୁଖା ବ୍ୟବହାର କରୁନାହାନ୍ତି । କେତେକ ନିର୍ଦ୍ଧିଷ୍ଟ ପର୍ବପର୍ବାଣୀରେ ଏହା ବ୍ୟବହାର ହେଉଅଛି । ଆଗରୁ ମୁଖା ଲଗାଇ ଯେଉଁ ଚୋରୀ ଡକାୟତି ଓ ଲୁଟ୍‌ପାଟ୍ ହେଉଥିଲା, ତହିଁରୁ ଏକ ପ୍ରକାର ମୁକ୍ତି ମିଳିଛି । ସଂରକ୍ଷିତ ହୋଇଥିବା ୱାଟର ଟ୍ୟାକ୍ସି ବା ଗ୍ରଣ୍ଡୋଲାଟି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଥାଏ । ସମୁଦ୍ରର ନୀଳ ଜଳରାଶି ଉପରେ ଅପରାହ୍ନର ସୂର୍ଯ୍ୟ କିରଣର ସ୍ୱର୍ଣ୍ଣାଭ ଆଭା, ମନ ଓ ପ୍ରାଣକୁ କରୁଥାଏ ଉତ୍ଫୁଲ୍ଲିତ । ସୁରୂଚି ଓ ସୂର୍ଯ୍ୟକାନ୍ତ, ଅନ୍ୟମାନଙ୍କ ସହିତ ଜଳକ୍ରୀଡ଼ା ପାଇଁ ବ୍ୟଗ୍ର ହେଉଥା’ନ୍ତି । ନୀଳ ଜଳରାଶିରେ ନୌକା ବିହାର ଯେତିକି ରେମାଞ୍ଚକର ସେତିକି ଆନନ୍ଦପ୍ରଦ ମଧ୍ୟ । କେନାଲ ପରେ କେନାଲ, ପୋଲ ପରେ ପୋଲ ଅତିକ୍ରମ କରି ସମସ୍ତେ ସେଣ୍ଟ୍ରୋମାର୍କ ସ୍କୋୟାରରେ ପହଞ୍ଚିଲେ । ଏହା ‘ଭେନିସ୍’ ସହରର ଏକ ଗୁରୁତ୍ୱପୂର୍ଣ୍ଣ ଖୋଲା ସ୍ଥାନ । କାରୁକାର୍ଯ୍ୟ ବିମଣ୍ଡିତ ସୁଦୃଶ୍ୟ, ସୁଉଚ୍ଚ ଅଟ୍ଟାଳିକାମାନଙ୍କରେ ପ୍ରାଚୀନ ଛିଟା ଦେଖାଯାଇଥାଏ । ଏଥିପାଇଁ ଏହା ୱାର୍ଲଡ୍ ହେରିଟେଜ୍‌ରେ ସ୍ଥାନ ପାଇଅଛି । ଲୋଟଣୀପାରା ଅସଂଖ୍ୟ ସଂଖ୍ୟାରେ କେଉଁଠୁ ଉଡ଼ିଆସି ସେଠାରେ ସବୁ ବିଚରଣ କରୁଥା’ନ୍ତି । ସେମାନଙ୍କୁ ପାଖକୁ ଗଲେ ସେମାନେ ଉଡ଼ିଆସି ମୁଣ୍ଡ ଓ କାନ୍ଧରେ ବସନ୍ତି । ପର୍ଯ୍ୟଟକମାନେ ସେମାନଙ୍କୁ ଖାଇବାକୁ ଦେଉଥିବା ଦୃଶ୍ୟ ସବୁଠାରୁ ନିଆରା । ଭେନିସ୍ ସହରରେ ଦେଖିବା ଭଳି ଅଟ୍ଟାଳିକା ମଧ୍ୟରେ ଡୁକ୍ ପ୍ୟାଲେସ ଓ ତା’ର ବେଲ୍ଟ୍ ଟାୱାର ଅନ୍ୟତମ । କିଛି ସମୟ ଏହିଠାରେ ବିତାଇବା ପରେ, ସମସ୍ତେ ୱାଟର ଟ୍ୟାକ୍ସିରେ ବସି ଭେନିସ୍ ସହରର ଗଳିକନ୍ଦି ବୁଲିବାକୁ ଗଲେ । ସାନ କେନାଲ, ବଡ଼ କେନାଲ ମଧ୍ୟ ଦେଇ ୱାଟର ଟ୍ୟାକ୍ସି ଆଗକୁ ଯାଉଥାଏ । ଆଇଁଶିଣିଆ ଗନ୍ଧରେ ନାକ ଫାଟି ପଡ଼ୁଥାଏ । ସବୁଠି ଖାଲ ପାଣି ଆଉ ପାଣି । ଢାଉଆ ରଙ୍ଗର ବିରାଟ ବିରାଟ କୋଠାଘରେ ସ୍ଥାନୀୟ ଅଧିବାସୀମାନଙ୍କର ରହଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥାଏ । ପାଣି ଭିତରେ ଏତେବଡ଼ ସହର ସୃଷ୍ଟି ହେଲା କିପିରି ! ଏତେ ବଡ଼ ବଡ଼ ଅଟ୍ଟାଳିକ ତିଆରି ହେଲା କିପରି । ଏହି ପ୍ରଶ୍ନ ସମସ୍ତଙ୍କ ମନରେ ସୃଷ୍ଟି ହେଉଥାଏ । ସୂର୍ଯ୍ୟକାନ୍ତ ବାବୁ ଜଣେ ସ୍ଥାନୀୟ ଅଧିବାସୀଙ୍କଠାରୁ ସହର ତିଆରିର ରହସ୍ୟ ବୁଝୁଥାନ୍ତି । ଭେନିସ୍ ସହରଯାକ କାଠର ପ୍ଲାଟ୍‌ଫର୍ମ ଉପରେ ଦଣ୍ଡାୟମାନ । ଘର ତିଆରିବେଳେ ପ୍ରଥମେ ଗୋଟାଏ କାଠର ଫ୍ରେମ କାଦୁଅ ଭିତରେ ପୋତାଯାଇଥାଏ । ତା’ଉପରେ ପଥରରେ ମୂଳଦୁଆ ତିଆରି ହୋଇ ଇଟାରେ ଘର ତିଆରି କରାଯାଏ । ପାଣି ଭିତରେ କାଠ ଗୁଡ଼ିକ ଅମ୍ଳଜାନ ସଂସ୍ପର୍ଶରେ ନଆସି ପଥର ପରି ଟାଣ ହୋଇଯାଏ । ଏହା ଶହ ଶହ ବର୍ଷ ପରେ ବି ନଷ୍ଟ ହୋଇନଥାଏ । ଏହାହିଁ ଭେନିସ୍ ସହରର ବିଶେଷତ୍ୱ । ସମୟ ସରିଯାଇଥାଏ । ‘ପିସା’ରେ ପହଞ୍ଚିବାକୁ ହେବ । ଦିନମାନର ଅବିଶ୍ରାନ୍ତ କ୍ଳାନ୍ତି ଆଉ ଥକ୍କା ପଣରେ ଶରୀର ବିଶ୍ରାମ ଚାହୁଁଥାଏ । ହୋଟେଲ ଚେକ୍ଇନ୍ ସରିବା ପରେ ସମସ୍ତେ ନିଜ ନିଜ କୋଠରୀକୁ ଚାଲିଯାଇଥିଲେ ।

‘ପିସା’ ହୋଟେଲରେ ତହିଁ ପରଦିନ ଆରମ୍ଭ ହୁଏ ସମୟ ସକାଳ ୯ଟାରେ । ପରବର୍ତ୍ତୀ କାର୍ଯ୍ୟକ୍ରମ ଲେନିଂ ଟାୱାର ପିସା ଦର୍ଶନ । ହୋଟେଲଠାରୁ ମାତ୍ର କେଇଶହ ମିଟର ଦୂରରେ ପିସା ଟାୱାର ଅବସ୍ଥିତ । ବ୍ରେକ୍‌ଫାଷ୍ଟ ପରେ ସମସ୍ତେ ସୁରୂଚି ଓ ସୂର୍ଯ୍ୟକାନ୍ତଙ୍କ ସହିତ ପାଦରେ ଚାଲି ଚାଲି ଲେନିଂ ଟାୱାର ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସିଲିଣ୍ଡର ଆକୃତିର ଧଳା ମାର୍ବଲ ପଥରରେ ତିଆରି ପିସା ଟାୱାର ଗୋଟିଏ ପଟକୁ ଢଳି କାହିଁ କେତେ କାଳରୁ ସେହିଠାରେ ଦଣ୍ଡାୟମାନ । ଦ୍ୱାଦଶ ଶତାବ୍ଦିର ଆଦ୍ୟ ଭାଗରେ ନିର୍ମିତ ୫୬ ମିଟର ଉଚ୍ଚତା ବିଶିଷ୍ଟ ଏହି ଘଣ୍ଟା ଘରଟି ପିସାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ନିର୍ମାଣାଧିନ ଅବସ୍ଥାରେ ଏହାର ମୂଳଦୁଆ ଦୁର୍ବଳ ଥିବା ହେତୁ ଏହା ଗୋଟିଏ ପଟକୁ ଢଳି ରହିଛି । ପଡ଼ିଗଲା ପରି ଲାଗୁଛି । ଉପୁଯୁକ୍ତ ରକ୍ଷଣା ବେକ୍ଷଣ ନହେଲେ ହୁଏତ ଦିନେ ଏହା ଭୂପତିତ ହେବ ବୋଲି କିଛି ପତ୍ନତତ୍ତ୍ୱବିଦ୍ ମତ ଦେଇଥାନ୍ତି । ଏକଦା ‘ପିସା’ ବିଶ୍ୱ ବିଦ୍ୟାଳୟର ଗଣିତ ପ୍ରାଧ୍ୟାପକ ତଥା ବୈଜ୍ଞାନିକ ଗାଲିଲିଓଙ୍କର ଦୋଳନ ନିୟମକୁ ଏହି ‘ପିସା’ ଟାୱାର ଜନ୍ମ ଦେଇଥିଲା । ଗାଲିଲିଓ ଏହାର ଉତୁଙ୍ଗ ଶିଖରରୁ ବିଭିନ୍ନ ବସ୍ତୁତ୍ୱର ପେଣ୍ଡୁଲମକୁ ତଳକୁ ପକାଇ ପରୀକ୍ଷା ନିରୀକ୍ଷା କରିବା ସହିତ ଦୋଳନ ନିୟମକୁ ଆବିଷ୍କାର କରିଥିଲେ । ବହୁ କିମ୍ବଦନ୍ତୀର ମୁକସାକ୍ଷୀ ଏହି ‘ପିସା’ ଟାୱାର ପୃଥିବୀ ପ୍ରସିଦ୍ଧ । ସୁରୂଚି ଓ ସୂର୍ଯ୍ୟକାନ୍ତ ‘ପିସା’ ଟାୱାରକୁ ଉପଭୋଗ କରୁଥାନ୍ତି । ବିଭିନ୍ନ ମୁଦ୍ରାରେ ଏହାକୁ ପ୍ରଚ୍ଛଦ କରି ଫଟୋ ଉଠାଉଥାନ୍ତି । ‘ପିସା’ ଟାୱାରକୁ ସଳଖ କରିବାର ପୋଜ୍‌ଟି ସବୁଠାରୁ ବିସ୍ମୟ । ଏଠାରେ ୨/୩ ଘଣ୍ଟା ପରେ ‘ଫ୍ଲୋରେନସ୍’ ଟୁର୍ । ଫ୍ଲୋରେନ୍ସ ହେଉଛି ଇଟାଲୀ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ପୁରୁଣା ରାଜଧାନୀ । କଳା, ସ୍ଥାପତ୍ୟ ଓ ସଂସ୍କୃତିରେ ଭରପୁର୍ । ଏଥିସହ ସୁରମ୍ୟ କାଥିଡ୍ରାଲ୍, କାରୁକାର୍ଯ୍ୟରେ ପରିପୂର୍ଣ୍ଣ ସୁଉଚ୍ଚ ଅଟ୍ଟାଳିକା ଏହାର ମୁଖ୍ୟ ଆକର୍ଷଣ । ପ୍ରକୃତିର ସୁନ୍ଦର ଅବଦାନ ସହରଟିକୁ ଯେତିକି ସୌନ୍ଦର୍ଯ୍ୟମୟ କରୁଛି, ସେତିକି ଋଦ୍ଧିମନ୍ତ କରୁଅଛି । ନଦୀଟିଏ କେଉଁ ଅନାଦି କାଳରୁ ସହରର ପାଦ ଧୋଇ ଦେଉଅଛି । ନଦୀଟିର ଧାରେ ଜଳରାଶି ଖଣ୍ଡାଟିଏ ପରି ଚକ୍ ଚକ୍ କରୁଥାଏ । ସୂର୍ଯ୍ୟକାନ୍ତ ବାବୁ ନଦୀର ପଥର ବନ୍ଧ ଉପରେ କିଛି ସମୟ ବସି ପ୍ରକୃତିର ଅପୂର୍ବ ସମ୍ଭାରକୁ ଅବଲୋକନ କରୁଥାନ୍ତି । ସେତିକିବେଳେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ୪/୫ଜଣ ପିଲା ନଦୀରୁ ଉପରକୁ ଆସିଲେ । ସୂର୍ଯ୍ୟକାନ୍ତବାବୁ ସେମାନଙ୍କୁ ପଚାରିଲେ, “ହ୍ୱାଟ୍ ଆର୍ ୟୁ ଡୁଇଂ ଦେୟାର ବଏଜ୍?” “ଉଇ ଆର ଅବ୍‌ଜରଭିଂ ଲୋକମୋସନ୍ ଆଣ୍ଡ୍ ରିପ୍ରଡ଼କ୍ସନ ଅଫ୍ ଫିସେସ୍ ଦେୟାର୍ ।” ନଦୀ ଭିତରେ ସେମାନେ ମାଛମାନଙ୍କର ଗତିବିଧି ଓ ପ୍ରଜଜନ ବିଷୟରେ ଅନୁଧ୍ୟାନ କରୁଥିଲେ । ତାହା ସହିତ ନଦୀର ଜୈବ ବିବିଧତା ଉପରେ ନିରୀକ୍ଷଣ କରୁଥିଲେ । ଦଶମ ଶ୍ରେଣୀର ପିଲାମାନେ ସେଠାରେ ରିସର୍ଚ୍ଚ କରୁଥିବା ସୂର୍ଯ୍ୟକାନ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଲା । ପିଲାମାନେ ଥ୍ୟାଙ୍କସ୍ କହି ସେଠାରୁ ବିଦାୟ ନେଲେ । ଦୀର୍ଘ ନିଃଶ୍ୱାସଟିଏ ପକାଇ ସୂର୍ଯ୍ୟକାନ୍ତ ଛିଡ଼ା ହେଲେ । ସେତେବେଳକୁ ଦିନ ଅଢ଼େଇଟା ବାଜି ସାରିଥାଏ । ବାହାରୁ ବହାରୁ ଲିଓନାଡ଼ୋ ଦା ଭେନିସ୍ ମିୟୁଜିୟମ, ମେଡିସ୍ ଚାପେଲ ଓ ପିଆଜା ଦେଲା ସିଗ୍ନେରିୟା ଦେଖିବାର ସୁଯୋଗ ମିଳିଲା । ଅପରାହ୍ନରେ ଥଣ୍ଡା ପବନରେ ସୁରୂଚି ଓ ସୂର୍ଯ୍ୟକାନ୍ତ ଆଶ୍ୱସ୍ତି ଅନୁଭବ କରୁଥିଲେ । ଠିକ୍ ମୁହଁ ସଞ୍ଜ ବେଳକୁ ସେମାନେ, ମର୍କୁରା ରୋମ୍ ୱେଷ୍ଟ୍ ହୋଟେଲରେ ପହଞ୍ଚି ସାରିଥିଲେ ।

ଆଜି ଟୁର୍‌ର ଦଶମ ଦିବସ । ଇଟାଲୀର ରାଜଧାନୀ, କୁହୁକ ମହାନଗରୀ ‘ରୋମ୍’କୁ ପରିଦର୍ଶନ କରିବାର ଯୋଜନା ଅଛି । ରୋମ୍, ସମଗ୍ର ଇଉରୋପ ମହାଦେଶର ୩ୟ ଜନବହୁଳ ନଗରୀ । ପ୍ରାୟ ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହର । ପ୍ରାଚୀନ କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ସମିଶ୍ରଣରେ ଗଢ଼ି ଉଠିଛି ଏହି ବିରାଟ ନଗରୀ । ବିଶ୍ୱର କ୍ଷୁଦ୍ରତମ ଦେଶ ‘ଭାଟିକାନ୍’ ସିଟି ଏହି ରୋମ ନଗରୀ ଭିତରେ ଅବସ୍ଥିତ । ଅପୂର୍ବ କିର୍ତ୍ତୀରାଜି ଚମତ୍କାର ପରିବେଶ ଏହି ସହରର ବିଶେଷତ୍ୱ । ସୁରୂଚି, ସୂର୍ଯ୍ୟକାନ୍ତ ଓ ଅନ୍ୟମାନେ ଠିକ୍ ଦିନ ୧୦ଟାରେ ପହଞ୍ଚିଲେ ଯାଇ ରୋମ୍ ନଗରୀର କଲେଜିୟମ ପାର୍କିଂ ପ୍ଲେସ୍‌ରେ । ସେହିଠାରେ ଗାଡ଼ି ରହିଲା । ଗାଡ଼ି ସହର ଭିତରକୁ ପ୍ରବେଶ ନିଶେଦ୍ଧ । ପାଦରେ ଚାଲି ଚାଲି ବୁଲିବାକୁ ପଡ଼ିବ । ବିରାଟ ବିରାଟ ଅଟ୍ଟାଳିକା ଓ ଚର୍ଚ୍ଚ ପ୍ରାଚୀନ କଳା କୃତୀରେ ଭରପୂର୍ । ପ୍ରସସ୍ଥ ରାସ୍ତା ଆଉ ରାସ୍ତାରେ ପର୍ଯ୍ୟଟକମାନଙ୍କର ଭିଡ଼ । ବିଶେଷ କରି ଚୀନ୍ ଦେଶର ପର୍ଯ୍ୟଟକମାନେ ଅଧିକ । ଏହା ଭିତରେ ସମସ୍ତେ ବିଶ୍ୱ ବିଖ୍ୟାତ କଲେଜିୟମ ନିକଟରେ ପହଞ୍ଚିଗଲେ । ଗୋଟାଏ ମସ୍ତବଡ଼ ଗୋଲାକାର ଆକୃତିର ଚୂନ ପଥରରେ ତିଆରି ଏହି କଲେଜିୟମ । ପ୍ରାୟ ୪୦ ପ୍ରତିଶତ ଅଂଶ ଏହାର ଭାଙ୍ଗି ଗଲାଣି । ସୂକ୍ଷ୍ମ କାରୁକାର୍ଯ୍ୟ ସବୁ ଝଡ଼ି ଗଲାଣି । ଏହି ଐତିହାସିକ କୃତୀଟି ୮୦ ମସିହାରେ ତିଆରି ହୋଇ ସେହିଠାରେ ଦଣ୍ଡାୟମାନ । ଏହା ଅତୀତରେ ଆଖଡ଼ାଶାଳ ରୂପେ କାର୍ଯ୍ୟ କରୁଥିଲା । ପ୍ରାୟ ୮୦ ହଜାରରୁ ଅଧିକ ଲୋକ ଏକା ସଙ୍ଗେ ବସିବା ଭଳି କ୍ଷମତା ରଖିଥିଲା ଏହି ଆଖଡ଼ାଶାଳ । ମଣିଷ ଓ ବାଘ ଲଢ଼େଇ ଅତୀତରେ ଏହା ଭିତରେ ଅନୁଷ୍ଠିତ ହେଉଥିଲା । ବହୁ ପଶୁ ଓ ମଣିଷ ରକ୍ତରେ ରଞ୍ଜିତ ଏହି ଆଖଡ଼ାଶାଳ, ବହୁ ଜୀବନ ନେଇଛି । କେତେ କେତେ ଘଟଣାର ମୁକସାକ୍ଷୀ ଏହି ଆଖଡ଼ାଶାଳ । ତା’ପରେ ସମସ୍ତେ ପୋପ୍‌ଙ୍କର ମିଟିଂ ପଏଣ୍ଟ୍‌କୁ ଗଲେ । ଯେଉଁଠାରେ ପୋପ୍ ବସି ଧାର୍ମିକ ନିଷ୍ପତ୍ତି ନେଇଥାନ୍ତି । ପୋପ୍‌ଙ୍କର ବାସସ୍ଥାନ ଭାଟିକାନ୍ ପ୍ୟାଲେସ୍‌କୁ ପ୍ରବେଶ ନିଷିଦ୍ଧ ଅଛି । ପୋପ୍‌ଙ୍କର ସଭା ଗୃହଟି ସୁନ୍ଦର କାରୁକାର୍ଯ୍ୟରେ ଭରା । ସଭା କକ୍ଷରେ ହଜାର ହଜର ଚେୟାର ପଡ଼ିଅଛି । ଲୋକମାନେ ସମସ୍ତେ ଏକାଠି ହୋଇ ପୋପ୍ ସାଏବଙ୍କ ଧର୍ମବାଣୀ ଶୁଣିଥାନ୍ତ । ରୋମ୍ ନଗରୀ ଭିତରେ ପ୍ରାୟ ୫୦୦ ଚର୍ଚ୍ଚ ଓ ୨୦୦୦ ପାଖାପାଖି ଝରଣା ଅଛି । ସେଥିମଧ୍ୟରୁ ସେଣ୍ଟ୍ ପିଟର ବାସିଲିକା ଚର୍ଚ୍ଚ ଅନ୍ୟତମ । ଏହା ସବୁଠାରୁ ବଡ଼ ଚର୍ଚ୍ଚ । ପ୍ରତ୍ୟେହ ହଜାର ହଜାର ପର୍ଯ୍ୟଟକ ସେଠାକୁ ଯାଇଥାନ୍ତି । ଏହାର କଳାକୃତୀ ଅନନ୍ୟ । ଝରଣାମାନଙ୍କ ଭିତରୁ ଟ୍ରେଭି ଫାଉଣ୍ଟେନ୍ ସବୁଠାରୁ ଆକର୍ଷଣୀୟ । ଏଠାକୁ ଯେଉଁ ପର୍ଯ୍ୟଟକମାନେ ଯାଇଥାନ୍ତି ସେମାନେ ୩ଗୋଟି କଏନ୍ ଝରଣା ଭିତରକୁ ପକାଇଥାନ୍ତି । ପ୍ରଥମ କଏନ୍‌ଟି ରୋମ ଆଉଥରେ ବୁଲି ଆସିବାକୁ ପ୍ରତିଶ୍ରୁତି ଦେଇଥାଏ । ୨ୟ କଏନ୍ ଇଟାଲୀୟମାନଙ୍କ ପ୍ରେମାବେଗକୁ ବୁଝାଏ । ୩ୟ କଏନ୍ ପ୍ରେମୀ ଯୁଗଳମାନଙ୍କ ବିବାହକୁ ସୁନିଶ୍ଚିତ କରାଇଥାଏ । ସାଧାରଣତଃ ଯୁବପର୍ଯ୍ୟଟକମାନେ ଝରଣା ମଧ୍ୟକୁ କଏନ ପକାଇ ସେମାନଙ୍କର ପ୍ରେମ ସମ୍ପର୍କକୁ ସାକାର କରିଥାନ୍ତି । ବର୍ଷକୁ ପ୍ରାୟ ୭ଲକ୍ଷ ଇଉରୋ ସେହିଠାରେ ସଂଗ୍ରହ କରାଯାଇଥାଏ । ଗୋଟିଏ ଚାରିଟେବୁଲ୍ ସଂସ୍ଥା ତାହାକୁ ଜନମଙ୍ଗଳ କାର୍ଯ୍ୟରେ ଲଗାଇଥାଏ । ସୁରୂଚି ସେଠାରେ ୩ଟି କଏନ୍ ପକାଇ ସୂର୍ଯ୍ୟକାନ୍ତଙ୍କ ସହ ସମ୍ପର୍କକୁ ନିବିଡ଼ ଆଉ ମଜବୁତ୍ କରୁଥା’ନ୍ତି । ଆଉଥରେ ରୋମ୍ ଆସିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଲେ । ସତରେ ରୋମ୍ ନଗରୀକୁ ପରିଭ୍ରମଣ କରିବା ନିଆରା । ଆଖିରେ ନଦେଖିଲେ ଭାଷାରେ ପ୍ରକାଶ କରିବା ଦୁରୂହ ବ୍ୟାପାର । ପିଆଜା ଭେନିଜଆ ଓ ନୋଭନାର କଳାକୃତୀ ଯେତିକି ଚିତ୍ତାକର୍ଷକ, ସେତିକି ମନୋରମ । ଅଭୁଲା ଅପାସୋରା ରହିଯିବ ସବୁଦିନ ପାଇଁ । ଅପରାହ୍ନର ସୂର୍ଯ୍ୟ ଭାଟିକାନ୍ ସିଟିର ମୁଣ୍ଡ ଉପରେ ଚମକୁଥାଏ । ଲଞ୍ଚ୍ ପରେ ସମସ୍ତେ ପ୍ରାୟ ଥକ୍କା, ପାଦ ଆଉ ଉଠୁନଥାଏ ଚାଲିବାକୁ । ବିଶ୍ରାମ ପାଇଁ ସମସ୍ତେ ଆକୁଳ । ବିଶ୍ରାମ ପରେ ସପିଂରେ ସମସ୍ତେ ଯିବେ ଭାୟା ଡେଲ୍‌କ୍ରସ ଦେଇ । ଡେଲ୍‌କ୍ରସ୍ ହେଉଛି ମେନ୍ ଷ୍ଟ୍ରିଟ୍ ଗୋଟାଏ ପ୍ରମୁଖ ସପିଂ ସ୍ଥାନ । ଅସଂଖ୍ୟ ସପିଂ ମହଲ ଏଠାରେ ଅଛି । ଏଠାରେ ଯିଏ ଯାହା ଖୋଜିବ ମିଳିବ । ମଦରୁ ଗଦ ପର୍ଯ୍ୟନ୍ତ । ସୁରୂଚି ସପିଂ ମହଲରୁ କିଛି ଚକୋଲେଟ୍ ଆଉ ଘର ସଜ୍ଜା ଉପକରଣ ବୁଲି ବୁଲି କିଣୁଥାନ୍ତି । ସପିଂର ଭରପୁର୍ ମଜା ନେଉଥାନ୍ତି । ଇଉରୋପ ଟୁର୍‌ର ସମୟ କ୍ରମଶଃ ସରି ଆସୁଥାଏ । ପୁଣି ଭାଗ୍ୟରେ ଥିଲେ କେବେ ଇଉରୋପ ଭ୍ରମଣ ସୁଯୋଗ ମିଳିବ କହିହେବନାହିଁ । କ୍ଷଣ କ୍ଷଣକୁ ଆନ ।

ମର୍‌କ୍ୟୁରୀ ରୋମ୍ ୱେଷ୍ଟ ହୋଟେଲର ଶେଷ ସନ୍ଧ୍ୟା । ନୃତ୍ୟ ଗୀତର ଆସର ଜମିଥାଏ । ନୃତ୍ୟର ତାଳେ ତାଳେ ସମସ୍ତେ ନାଚୁଥାନ୍ତି । ଝୁମୁଥାନ୍ତି । ମନଭରି ଉପଭୋଗ କରୁଥାନ୍ତି ହୋଟେଲର ଅନ୍ତେବାସୀମାନେ । ରାତି ପାହିଲେ କେ କୁଆଡ଼େ ଯିବ । ଦର୍ଶନାତୀତ ଯିବା ପୂର୍ବରୁ ସମସ୍ତେ ଖୁସିବାସ ହେଉଥାନ୍ତି । କିଏ କେମିତି ମଦ୍ୟପାନ କରୁଥାନ୍ତି । ରୋମ୍‌ର ମଦ, ଭାରି ପ୍ରସିଦ୍ଧ । ଆଉ ମିଳିବ ନାହଁ । ମିଳିବ ନାହିଁ ତା’ର ବାସ୍ନା । ସୁରୂଚି ଓ ସୂର୍ଯ୍ୟକାନ୍ତଙ୍କର ମଦ ଚଳେନାହିଁ । ସେମାନେ ସୋଢ଼ା ବଟଲ୍ ଧରିଥାନ୍ତି । ସେହିଥିରେ ସେମାନେ ସନ୍ତୁଷ୍ଟ । ତା’ ସହିତ ଚିକେନ୍ ପକଡ଼ା ବିରିୟାନି ଓ ଦହି । ୧୦ ଦିନ କାଳ ଏହିସବୁ ଖାଇ ଖାଇ ଅରୁଚି ହେଲାଣି । ଏଠାରେ ମିଳୁଥିବା ଇଣ୍ଡିଆନ୍ ଖାଦ୍ୟ ସବୁ ଅଲଗା ପ୍ରକାରର । ନଖାଇବା ଭଲ । ମହୁ, ବଟର, ଆଚାର, ଅଣ୍ଡା ସହିତ ବିଭିନ୍ନ ପ୍ରକାରର ଫଳ । ଯିଏ ଯାହା ଖାଇପାରିବ କଟକଣା ନାହଁ । କିସମ କିସମର ପାଉଁରୁଟି ଓ କେକ୍, ସୁପ୍, ପିଜା ଇତ୍ୟାଦି ଇତ୍ୟାଦି । ମାଂସ ଭିତରେ ଘୁଷୁରୀ ମାଂସ ବିଭିନ୍ନ ଭେରାଇଟର ଓ ଗୋମାଂସ ରହିଥାଏ । ଘୁଷୁରୀ ମାଂସ ଆଡ଼କୁ ଭାରତୀୟମାନେ ଦୃଷ୍ଟି ଦେଉନଥାନ୍ତି । ଚାଇନିଜ୍ ଖାଦ୍ୟର କାହିଁ କେତେ ଭେରାଇଟ୍ ସେଠାରେ ରହିଥାଏ । ଖାଇବା ପାଖରେ ଜଣେ ଚାଇନିଜ୍ ଲଳନା ସହିତ ସୂର୍ଯ୍ୟକାନ୍ତ ବାବୁଙ୍କ ସହିତ ଆଳାପ ଆଲୋଚନା ଚାଲିଥାଏ । କିଛି ସମୟ କଥାବାର୍ତ୍ତା ପରେ ସେ ଜାଣିବାକୁ ପାଇଲେ ଯେ, ସେ ତରୁଣୀ ଜଣକ ତାଙ୍କ ବାପାମା’ଙ୍କ ସହିତ ରୋମ୍ ବୁଲିବାକୁ ଉହାନ୍‌ରୁ ଆସିଛି । ସୂର୍ଯ୍ୟକାନ୍ତ ସେ ସୁନ୍ଦରୀଙ୍କ ସହ ଅନେକ ଫଟୋବି ଉଠାଇଲେ । ହିନ୍ଦୀ-ଚୀନି ଭାଇ ଭାଇ । ସେ ଝିଅଟିର ବାପାମା’ ବି ବହୁତ ଖୁସି ହେଉଥାନ୍ତି । ରାତ୍ରିର ଗଭୀରତା ବଢ଼ିବା ସହିତ ସୁରୂଚି ଓ ସୂର୍ଯ୍ୟକାନ୍ତ ନିଜର ହୋଟେଲ କକ୍ଷକୁ ଆସିଲେ । ହୋଟେଲର ଶେଷ ରାତ୍ରିଟିକୁ ମନଭରି ଉପଭୋଗ କରିଥିବାରୁ ୨ଜଣଯାକ ପ୍ରସନ୍ନ ଲାଗୁଥା’ନ୍ତି । ଆସନ୍ତା କାଲି ସକାଳ ସୁଦ୍ଧା ହୋଟେଲ ଚେକ୍ଆଉଟ୍ ହେବ । ଭାରତ ଫେରିଯିବାକୁ ପଡ଼ିବ । ଆଉ ସମୟ କମ୍, ସେଥିପାଇଁ ସବୁ ଜିନିଷ ଠିକ୍‌ଠାକ୍ ପ୍ୟାକ୍ କରି ଲଗେଜ୍ ରେଡ଼ି କଲେ । ସେତେବେଳକୁ ଲେଟ୍ ନାଇଟ୍ ହୋଇସାରିଥିଲା, ତେଣୁ ସେମାନେ ନିଦ୍ରା ଗଲେ ।

ତହିଁ ପରଦିନ ସକାଳ ୯ଟାରେ ସୁରୂଚି ଓ ସୂର୍ଯ୍ୟକାନ୍ତ ବାବୁଙ୍କର ନିଦ ଭାଙ୍ଗିଲା । ନିତ୍ୟକର୍ମ ସାରି ସଅଳ ସଅଳ ହୋଟେଲରେ ବ୍ରେକ୍‌ଫାଷ୍ଟ କରିନେଲେ । ଅନ୍ୟ ସାଥୀମାନେ ବି ବ୍ରେକ୍‌ଫାଷ୍ଟ କରୁଥାଆନ୍ତି । କହ୍ନେୟା ସମସ୍ତଙ୍କୁ ସେଠାରେ ଗୁଡ଼ମର୍ଣ୍ଣିଂ ଜଣାଇ ହୋଟେଲ ଚେକ୍ଆଉଟ୍ କରିବା ପାଇଁ ନିର୍ଦ୍ଦେଶ ଦେଲେ । ହୋଟେଲ ବାହାରେ କୋଚ୍ ଅପେକ୍ଷା କରିଥାଏ । ହସ ହସ ବଦନରେ ଡ୍ରାଇଭର ପିଟର ସମସ୍ତଙ୍କୁ ଅଭିବାଦନ ଜଣାଇଲା । ଜଣ ପ୍ରତି ୨ ୟୁରୋ କରି ସମସ୍ତେ ପିଟରଙ୍କୁ ଟିପ୍ସ ଦେଲେ । ଇଉରୋପ ଟୁର୍‌ରେ ଟିପ୍ସ ଦେବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ । ସବୁଦିନ ଭ୍ରମଣ ଆରମ୍ଭରେ ଏହି ଟିପ୍ସ ପର୍ବ ଆରମ୍ଭ ହୋଇଥାଏ । ୧୨ଦିନ ଯାକ ପିଟର ସମସ୍ତଙ୍କୁ ଭ୍ରମଣରେ ସହଯୋଗ କରିଆସିଛି । ଜଣେ ସଦସ୍ୟ ଭଳି ସେ ସମସ୍ତଙ୍କ ସହିତ ସମ୍ପର୍କ ଯୋଡ଼ିଛି । ତା’ର ମାର୍ଜିତ ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟ । ଆଜି ସେ ସମ୍ପର୍କ ତୁଟାଇ ତା’ ଘର ପ୍ୟାରିସ୍‌କୁ ଯିବ । ସେଥିପାଇଁ ବୋଧେ ତା’ ମନ ପ୍ରବଳ ମାତ୍ରାରେ ଦୁଃଖ । ରୋମ୍ ଏୟାରପୋର୍ଟରେ ସମସ୍ତଙ୍କୁ ଛାଡ଼ି ପିଟର ସମସ୍ତଙ୍କ ସହିତ ହାତ ମିଳାଇ ହସ ହସ ବଦନରେ ସେଠାରୁ ବିଦାୟ ନେଲା ।

ରୋମ୍ ଏୟାରପୋର୍ଟଠାରୁ କୁଏତ୍ ଏୟାର୍ ବିମାନରେ କୁଏତ୍ ଯିବାକୁ ହେବ । ସେଠାରୁ ଏୟାର ଇଣ୍ଡିଆରେ ଦିଲ୍ଲୀ ଏବଂ ଦିଲ୍ଲୀରୁ ଭିସ୍ତାରା ଏୟାରୱେଜ୍‌ରେ ଭୁବନେଶ୍ୱର ସମସ୍ତେ ଫେରିବେ । ରୋମ୍‌ରେ ବିମାନ ଉଡ଼ାଣ ସମୟ ଦିନ ଗୋଟାଏ । ବର୍ତ୍ତମାନ ମାତ୍ର ୧୧ଟା ବାଜିଛି । ହାତରେ ଆହୁରି ଦୁଇ ଘଣ୍ଟା ସମୟ । ରୋମ୍ ଏୟାରପୋର୍ଟରେ ସମସ୍ତେ ବୁଲାବୁଲି କରୁଥାଅନ୍ତି । ଯୁଆଡ଼କୁ ଚାହିଁବ ଖାଲି ଆଲୁଅ; ଆଖି ଝଳସି ଯିବ । ବିରାଟ ବିରାଟ ନାମିଦାମି ଶୋ’ରୁମ୍ ସବୁ । ଘଣ୍ଟାଠାରୁ ମୁଣ୍ଡ କଣ୍ଟା ପର୍ଯ୍ୟନ୍ତ ସବୁ ଜିନିଷ ଏଠାରେ ଉପଲବ୍ଧ । ଅନେକ ସଂଖ୍ୟାରେ ମଦ ଷ୍ଟଲ୍ । ଇଟାଲୀରେ ମଦର ଚାହିଦା ଖୁବ୍ ଅଧିକ । ପର୍ଯ୍ୟଟକମାନଙ୍କର ଭିଡ଼ ବେଶୀ ମଦ କାଉଣ୍ଟରରେ । ସୁରୂଚି ଓ ସୂର୍ଯ୍ୟକାନ୍ତଙ୍କର କିଛି ବଳକା ୟୁରୋ ରହିଥାଏ । ଇଣ୍ଡିଆ ଫେରିବା ପୂର୍ବରୁ ଖର୍ଚ୍ଚ କରିଦେବା ଭଲ ବୋଲି ଭାବି କିଛି ସପିଂ କରିବାକୁ ମନସ୍ଥ କଲେ । ସୁରୂଚି, ସୁଷମା ପାଇଁ କିଛି ନେଲ୍‌ପଲିସ୍, ସେଣ୍ଟ୍ ଓ ଅଳଙ୍କାର କିଣିଲେ । ସୂର୍ଯ୍ୟକାନ୍ତ କ’ଣ କିଣିବେ କିଛି ଭାବିପାରୁ ନଥାନ୍ତି । ଦେଖିଲେ କହ୍ନେୟା ୫/୧୦ ବଟଲ ମଦ ଧରି କାଉଣ୍ଟରରେ ଛିଡ଼ା ହୋଇଛି । ସୂର୍ଯ୍ୟକାନ୍ତଙ୍କର ମନେ ପଡ଼ିଲା କଲେଜରେ କିଛି ସାଙ୍ଗ ସେମାନଙ୍କ ପାଇଁ ମଦ ଆଣିବାକୁ କହିଥିଲେ । ତେଣୁ ସେ ମଦ କିଣିବାକୁ ମନସ୍ଥ କରି ମଦ ସୋରୁମ୍‌କୁ ଗଲେ । ସେଠାରେ ହାର୍ଡ଼, ସଫ୍ଟ୍ ବିଭିନ୍ନ କିସମର ମଦ ଥାଏ । କେଉଁଟାକୁ କିଣିବେ ଜାଣିପାରିଲେ ନାହିଁ । ଯେଉଁ ବଟଲ୍‌ଟା ଭଲ ଓ ସୁନ୍ଦର ଦେଖାଗଲା ତାକୁ କିଣି ପକାଇଲେ । ୩ଟି ବଡ଼ ବଟଲ ଓ ଗୋଟିଏ ଛୋଟ ବଟଲ କିଣି କାଉଣ୍ଟରରେ ଟଙ୍କା ଡିପୋଜିଟ୍ କଲେ । ଇଣ୍ଡିଆନ୍ କରେନ୍ସିରେ ମାତ୍ର ୬ହଜାର ଟଙ୍କା । ସମୟ ଶେଷ ହୋଇଯାଇଥାଏ । ଦି’ଘଣ୍ଟା କାଳ ବିଭିନ୍ନ ସୋରୁମ୍‌ରେ ସମସ୍ତେ ପ୍ରାୟ କିଛି କିଛି ସପିଂ କରି ୱେଟିଂ ରୁମ୍‌କୁ ଫେରିଲେ । ବୋଡ଼ିଂ ଆରମ୍ଭ ହେବ । ଜଣ ଜଣ କରି ସମସ୍ତେ ଧାଡ଼ିରେ ଛିଡ଼ା ହେଲେ । କଷ୍ଟମ୍ ଅଫିସରମାନେ ଜଣ ଜଣଙ୍କୁ ଚେକିଂ କରୁଥାନ୍ତି । ଏବେ କହ୍ନେୟାଙ୍କର ପାଳି । ଚେକିଂରେ ତାଙ୍କର ସବୁତକ ମଦ ବଟଲ ବ୍ୟାଗରୁ କାଢ଼ିନେଲେ । କହ୍ନେୟାଙ୍କ ମୁଣ୍ଡ ଖରାପ ହୋଇଗଲା । ସେ ଓଡ଼ିଆରେ କଷ୍ଟମ୍ ଅଫିସରମାନଙ୍କୁ ଗାଳି କରୁଥାନ୍ତି । ଶଳା ନେଇଯାରେ ନେଇଯା’ କିଛି ଦିନ ସେଥିରେ ଚଳିଯିବ । କହ୍ନେୟାଙ୍କର ମନ ଭିଷଣ ଭାବେ ଦୁଃଖ ହେଲା । ଅନୁରୂପ ଭାବେ ସୂର୍ଯ୍ୟକାନ୍ତଙ୍କ ବ୍ୟାଗ୍‌ରୁ ସବୁତକ ମଦ ବଟଲ କାଢ଼ିନେଲେ କେବଳ ଛୋଟ ବଟଲ୍‌କୁ ଛାଡ଼ି । ଏହା ସେମାନଙ୍କର ମନକୁ ପାଇଲା ନାହିଁ ବୋଧେ । ଏସବୁ ଦେଖି ସୁରୂଚି ସୂର୍ଯ୍ୟକାନ୍ତଙ୍କ ଉପରେ ପ୍ରବଳ ଭାବରେ ବିରକ୍ତି ହେଲେ ଏବଂ କହିଲେ ଜାଣିଶୁଣି ଟଙ୍କା ଗୁଡ଼ାକ ବରବାଦ କଲ ଯାହା । ସୂର୍ଯ୍ୟକାନ୍ତଙ୍କର ବହୁତ ମନ ଦୁଃଖ ହେଲା । କାନ ମୁଣ୍ଡ ଆଉଁସିକରି ରହିଲେ ।

ସମୟ ହୋଇଯାଇଥାଏ । ସମସ୍ତେ କୁଏତ୍ ଏୟାର ୱେଜ୍‌ ବିମାନରେ ବସି କୁଏତ୍ ଅଭିମୁଖେ ଆସିଲେ । କହ୍ନେୟା କାହାରିକୁ କିଛି କହୁନଥାନ୍ତି । କିଏ କେମିତି ମଦ ପ୍ରସଙ୍ଗକୁ ନେଇ ତାଙ୍କ ସହ ଥଟ୍ଟାମଜା ହେଉଥାନ୍ତି । ବିମାନ ଭିତରେ ସୂର୍ଯ୍ୟକାନ୍ତ ମଧ୍ୟ ଚୁପ୍‌ଚାପ୍ ବସି କ’ଣ ଭାବୁଥାନ୍ତି । ନିରବତା ଭାଙ୍ଗି ପାଖରେ ବସିଥିବା ସୁରୂଚି ବ୍ୟଙ୍ଗକରି ସୂର୍ଯ୍ୟକାନ୍ତଙ୍କୁ କହିଲେ, କ’ଣ ମୁଣ୍ଡ ବୁଲାଉଛି କି? ଚୁପ୍‌ଚାପ୍ ବସିଛ? ସୂର୍ଯ୍ୟକାନ୍ତ କିଛି ନକହି ଟିପା ଖାତା କାଢ଼ି କ’ଣ ସବୁ ଲେଖୁଥାନ୍ତି । “କ’ଣ ଲେଖୁଛ ମ !” ସୁରୂଚି ପ୍ରଶ୍ନ କଲେ । “ବିଦେଶ ଭ୍ରମଣରେ ଯାହା ଯାହା ଦେଖିଲି ନିଜ ଅନୁଭୂତି ଗୁଡ଼ିକୁ ଟିପି ପକାଉଛି”, ସୂର୍ଯ୍ୟକାନ୍ତ ଉତ୍ତର ଦେଲେ । “ପ୍ୟାରିସ୍‌ରୁ ରୋମ୍ ପର୍ଯ୍ୟନ୍ତ ସବୁତ ଏକାଭଳି ଦେଖାଯାଉଅଛି । ଖାଲି ପାହାଡ଼, ଜଙ୍ଗଲ, ଘର ଓ ଚର୍ଚ୍ଚ । ଆଉ ସଫାସୁତୁରା ରାସ୍ତାରେ ଗାଡ଼ି । ମୋର ତ କିଛି ମନେ ରହୁନାହିଁ”, ସୁରୂଚି କହିଲେ । ସୂର୍ଯ୍ୟକାନ୍ତ କହିଲେ, “ସେଥିପାଇଁତ ମୁଁ ଏଗୁଡ଼ାକୁ ଲେଖି ପକାଉଛି ।” “ହଉ, ଲେଖିପକାଅ ବିଦେଶ ଭ୍ରମଣର ଅନୁଭୂତି ସବୁ ।” ସୁରୂଚି ଅଳ୍ପ ହସି କହିଲେ, “ଭ୍ରମଣ କାହାଣୀ ଲେଖିଲା ବେଳେ ଦରକାର ଆସିବ । ତା’ଛଡ଼ା ଭ୍ରମଣ କାହାଣୀ, ଗପ, କବିତାକୁ ଆଜି କାଲି କିଏ ଯେ ପଢ଼ୁଛି । ମୋବାଇଲରେ ଏହାରଠାରୁ ଅଧିକ ଖୋରାକ ଯୋଗାଉଥିବା ମନୋରଞ୍ଜନ ଧର୍ମୀ ଆପ୍ ରହିଅଛି । ତେଣୁ ସମସ୍ତେ ଦେଶରୁ ବିଦେଶ ପର୍ଯ୍ୟନ୍ତ ମୋବାଇଲରେ ସମୟ ଘଣ୍ଟା ଘଣ୍ଟା ବିତାଉଛନ୍ତି । କେହି ଆଉ ବହି ପଢ଼ୁନାହାନ୍ତି ।” “ନ ପଢ଼ନ୍ତୁ, ମୁଁ ତ ପଢ଼ିବି । କେହି ଜଣେ ମୋ ଲେଖା ପଢ଼ିଲେ ମୋର ଶ୍ରମ ସାର୍ଥକ ହୋଇଛି ବୋଲି ଭାବିବି ।” “ହଁ ତାହା ତ ସତ । ନିଜେ ହିଁ ଲେଖିବ, ନିଜେ ହିଁ ପଢ଼ିବ ଓ ଖୁସି ହେବ ।” ସୁରୂଚି ଚାପି ଚାପି କହିଲେ । ତା’ପରେ ସୂର୍ଯ୍ୟକାନ୍ତ କହିଲେ, “ଆମେ ତ ଏତେଆଡ଼େ ବୁଲି ଆସିଲେ ଭାରତର ତାଜମହଲ ପରି ସ୍ମାରକୀ କେଉଁଠାରେ ଦେଖିଲ କି? ଧଳା ଫର ଫର ଶଙ୍ଖମଲ୍ଲ ପଥରରେ ଏଭଳି ଚିକ୍କଣ ଧଳାକୃତି କେଉଁଠାରେ ନାହଁ । ସେଥିପାଇଁ ତ କୁହାଯାଇଛି ‘ଯାହା ନାହିଁ ଭାରତେ ତାହା ନାହିଁ ମରତେ’ ।” ସୁରୂଚି ମୁଣ୍ଡ ହଲାଇ ସମ୍ମତି ଜଣାଇଲେ । ଓଡ଼ିଶାର ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ପରି କଳାକୃତି ମଧ୍ୟ ସାରା ଭାରତରେ ନାହିଁ, କି ପୃଥିବୀରେ ନାହଁ । ପୁରୀର ବିସ୍ତିର୍ଣ୍ଣ ବେଳାଭୂମି ପୃଥିବୀରେ ବିରଳ । ଆଉ ବିରଳ ମଧ୍ୟ କଳା ଠାକୁର । ତେଣୁ ତ ସେ ଜଗତର ନାଥ ଜଗନ୍ନାଥ । ଏହିପରି ଭାବନା ପରେ ଭାବନାରୁ ମୁକୁଳି ପାରୁନଥାନ୍ତି ସୁରୂଚି ଓ ସୂର୍ଯ୍ୟକାନ୍ତ । କୁଏତ୍ ଏଆରପୋର୍ଟରେ ବିମାନ ପହଞ୍ଚିବାରୁ ସେମାନେ ସମ୍ବିତ୍ ଫେରି ପାଇଲେ । ସେତେବେଳକୁ ରାତି ୮ଟା ବାଜିଥାଏ । ଦଶଟାରେ ଦିଲ୍ଲୀକୁ ବିମାନ ଅଛି । କୁଏତ୍ ଏୟାରପୋର୍ଟରେ ଚେକିଂ ସରୁ ସରୁ କେତେବେଳେ ସମୟ ହୋଇଯାଇଥାଏ; ଜଣାପଡ଼ିଲା ନାହିଁ । ଯଥା ସମୟରେ ଦିଲ୍ଲୀକୁ ବିମାନ ଉଡ଼ାଣ ଆରମ୍ଭ କଲା । ସେହି ବିମାନରେ ସମସ୍ତେ ଡିନର୍ ଖାଇ ଶୋଇପଡ଼ିଲେ । ଠିକ୍ ଭୋର୍ ୫ଟାରେ ଦିଲ୍ଲୀରେ ବିମାନ ପହଞ୍ଚିଲା । ବିମାନ ବିଳମ୍ବ ନଥିଲା । ସମସ୍ତେ ଆଶ୍ୱସ୍ତି ଅନୁଭବ କଲେ । ସକାଳର ନିତ୍ୟକର୍ମ ସାରି ଜଳଖିଆ ଖାଇ ଭୁବନେଶ୍ୱର ଆସିବା ପାଇଁ ଶୀଘ୍ର ପ୍ରସ୍ତୁତି ଆରମ୍ଭ କଲେ । ନିର୍ଦ୍ଧାରିତ ସମୟରେ ସମସ୍ତେ ଆସି ଭୁବନେଶ୍ୱରରେ ଆସି ପହଞ୍ଚିଲେ । ଭୁବନେଶ୍ୱର ଏୟାରପୋର୍ଟରେ ସୁଷମା ଝିଅ ସହିତ ଅପେକ୍ଷା କରିଥିଲା । ସମସ୍ତଙ୍କ ମନରେ ଆନନ୍ଦ, ନିଜ ଆତ୍ମୀୟ ମାନଙ୍କୁ ବିମାନ ବନ୍ଦରରେ ଦେଖି । ଭାରି ଖୁସି ହେଉଥିଲେ ସୂର୍ଯ୍ୟକାନ୍ତ ସୁରକ୍ଷିତ ଅଛନ୍ତି ବୋଲି ତାଙ୍କ ଆଖିରୁ ଧାର ଧାର ଅଶ୍ରୁ ବହି ଯାଉଥାଏ । ଆନନ୍ଦାଶ୍ରୁ । ଭୁବନେଶ୍ୱରକୁ ଦେଖି ଆତ୍ମ ବିଭୋର ହୋଇପଡ଼ୁଥାନ୍ତି । ଓଡ଼ିଶା ମାଟି, ମା’ ସିଏ । ନମସ୍ତେ ଓଡ଼ିଶା କହି ଧୂଳି ଟିକିଏ ମୁଣ୍ଡରେ ମାରିବା ସହିତ ଆବୃତ୍ତି କରୁଥିଲେ;

ବର୍ଷାଣାଂ ଭାରତ ଶ୍ରେଷ୍ଠଃ, ଦେଶାନାଂ ଉତ୍କଳସ୍ମୃତଃ
ଉତ୍କଳସ୍ୟ ସମୋଦେଶୋଃ, ଦେଶୋ ନାସ୍ତି ମହିତଳେ ॥
ମୋ ଓଡ଼ିଶା ମହାନ୍; ମୋ ଭାରତ ମହାନ; ଇତ୍ୟାତି ଇତ୍ୟାଦି ।

ବି.ଦ୍ର.: ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରିବା ଅବ୍ୟବହିତ ପୂର୍ବରୁ – ମୁଁ, ସସ୍ତ୍ରିକ ଇଉରୋପ ଭ୍ରମଣର ସୁଯୋଗଟିକୁ ହାତଛଡ଼ା କରିନଥିଲି । ମୋ ଜୀବନର ଏହା ପ୍ରଥମ ଘଟଣା ଥିଲା । ନିଜ ଦେଶ ଛାଡ଼ି ବିଦେଶ ମାଟିରେ ମୁଁ ଯେଉଁ ଆନନ୍ଦ, ଅନୁଭୂତି ସାଉଁଟିଥିଲି ତାହାକୁ ଭାଷା ବା ଶବ୍ଦ ମାଧ୍ୟମରେ ପ୍ରକାଶ କରିବା ଏକ ପ୍ରକାର ଅସମ୍ଭବ ମନେହୁଏ । ନିଜକୁ ସୂର୍ଯ୍ୟକାନ୍ତ ଚରିତ୍ର ମାଧ୍ୟମରେ ଉପସ୍ଥାପନ କରି ପାଠକ ବନ୍ଧୁ ମାନଙ୍କ ପାଖରେ ପହଞ୍ଚିବାକୁ ସଫଳ ବା ବିଫଳ ପ୍ରୟାସଟିଏ କରିଅଛି । ଯାହାଙ୍କର ପ୍ରେରଣା ଓ ପରାମର୍ଶରେ ମୁଁ ଏହି କାହାଣୀଟିକୁ ରୂପ ଦେଇଛି, ସେ ଅନ୍ୟ କେହି ନୁହଁନ୍ତି, ମୋର ପୂଜ୍ୟ ଗୁରୁ ତଥା ‘ବର୍ତ୍ତିକା’ର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଡକ୍ଟର ନବ କିଶୋର ମିଶ୍ର ମହୋଦାୟ । ସେଥିପାଇଁ ସେ ସର୍ବଦା ପ୍ରଣମ୍ୟ, ଅଭିନନ୍ଦନୀୟ ଓ ଧନ୍ୟବାଦାର୍ହ ।

ରବିନାରାୟଣ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରବିନାରାୟଣ ଦାଶ ସାଧୁଗୌରେଶ୍ୱର ମହାବିଦ୍ୟାଳୟ, କନିକାପଡ଼ାର ଗଣିତ ବିଭାଗର ପ୍ରାଧ୍ୟାପକ ।