You are currently viewing ପ୍ରଭୁଙ୍କ ପ୍ରିୟତମା
Photo: Bijay Biswaal

ପ୍ରଭୁଙ୍କ ପ୍ରିୟତମା

ଶ୍ରୀମନ୍ଦିର ଭିତରୁ ଝରିଆସୁଛି ପବିତ୍ର ଗୀତ ଗୋବିନ୍ଦର ମଧୁର ମୂର୍ଚ୍ଛନା । ନିଜକୁ ରାଧା ଭାବେ ସଜାଇ, ଶ୍ରେଷ୍ଠ ଭକ୍ତି-କାନ୍ତ ଭକ୍ତିରେ ମଜ୍ଜିଯାଇ, ଅବିର ଓ କର୍ପୂରର ଧୂଳି ଉଡ଼ାଇ ନାଚୁଛି ଅପରୂପା ଦେବଦାସୀ । ରତ୍ନ ସିଂହାସନ ଉପରେ ବଡ଼ସିଂହାର ବେଶରେ ସୁସଜ୍ଜିତ ହୋଇଛନ୍ତି ରସିକ ଶେଖର ରାଜରାଜେଶ୍ୱର ମହାପ୍ରଭୁ ଜଗନ୍ନାଥ । ପ୍ରଭୁଙ୍କୁ ବିଶ୍ୱର ଶ୍ରେଷ୍ଠ ପ୍ରେମିକ ମନେକରି ତାଙ୍କ ପୟରେ ସେ ନିଜର ନୃତ୍ୟ ଉତ୍ସର୍ଗ କଲା । ମଦିରା ଯାଗାରେ ମହାପ୍ରଭୁ ଦାନ କରିଛନ୍ତି ପଇଡ଼ ପାଣି, କର୍ପୂରର ତାମ୍ବୁଳ । ମହାପ୍ରଭୁ ଭକ୍ତାଧୀନ ହୋଇ ନାଚୁଛନ୍ତି ତା’ ସହ । ବିଶାଳ ବାହୁରେ ସେ ଆବଦ୍ଧ କରି ରଖିଛନ୍ତି ତାକୁ । ତା’ର ନୃତ୍ୟର ତାଳେ ତାଳେ ନିଜକୁ ହଜାଇ ଦେଲେ ଭାବ ବିନୋଦିଆ ଶ୍ରୀ ହରି । ‘ଶ୍ରୀମଦ୍ ଭାବଗତ’ ପ୍ରମାଣ କରନ୍ତି:

“ଆନନ୍ଦେ ବେନି ଭୁଜ ତୋଳି, ଆସ ବୋଇଲେ ବନମାଳୀ ।
ବାହୁ ବିସ୍ତାରି କଲେ କୋଳ, ବିଶ୍ୱସ୍ୱରୂପୀ ଆଦିମୂଳ ।
ଆକର୍ଷି ଆଣି ନିଜ କରେ, ହୃଦେ ଲଗାଇ କୋଳ କଲେ ।”

ଯେତେ ଗାଇଲେ କି ନାଚିଲେ ତା’ର ମନର ଅବସାଦ ମେଣ୍ଟୁ ନାହିଁ । ପ୍ରେମମୟଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ତା’ର ଏ ଚରମ ତପସ୍ୟା । ନିଜକୁ ଗୋପୀ ଭାବେ ହଜାଇ, ମହାଲକ୍ଷ୍ମୀ ଅଂଶ ସଂଭୂତା ହୋଇ ସେ ଆପଣେଇ ଚାଲିଛି ପ୍ରଭୁଙ୍କୁ । ପ୍ରଭୁଙ୍କ ପାଇଁ ତା’ର ଆବାଲ୍ୟରୁ ଏହି ମାଗୁଣି-

“କଳା ଠାକୁର, ମୋ କଳା ଠାକୁର,
ବାନ୍ଧିବି ତୋ ପାଇଁ ପାଦେ ଘୁଙ୍ଗୁର ।
ଗୋପୀ ଭଳି ନାଚିବି ମୁଁ କେତେ ଭଙ୍ଗୀରେ,
ଶ୍ରୀ ଗୀତ ଗୋବିନ୍ଦ ଗାଇ ପ୍ରାଣ ସଙ୍ଗୀରେ ।
ନିତି ଦେଖିବି ନୟନେ ତୋ,
ମନଲୋଭା ବେଶ ବଡ଼ସିଂହାର
କଳା ଠାକୁର, ମୋ କଳା ଠାକୁର । (୧)

ତୁହି ତ ସରିଛୁ ପରା ରସିକ ପଣେ,
ତୋପରି ମୁଁ ଦେଖିନାହିଁ ରସିକ ଜଣେ ।
ପ୍ରେମ ଫାଶରେ ବାନ୍ଧିଦେ ମୋତେ,
ନୀତି ଚୁମିବି ତୋ ରଙ୍ଗ ଅଧର ।
କଳା ଠାକୁର, ମୋ କଳା ଠାକୁର । (୨)”

ଏଣେ ରାତି ପ୍ରହର ପରେ ପ୍ରହର ଗଡ଼ି ଚାଲିଛି । ବାହାରେ ଠିଆାହୋଇଛନ୍ତି ମୁଦୁଲି, ମହାପାତ୍ର ଓ ଅନେକ ସଂକଳ୍ପିତ ଭକ୍ତ ଯେଉଁମାନେ ମହାପ୍ରଭୁଙ୍କ ପହୁଡ଼ ନୀତି ପରେ ଶୟନ କରନ୍ତି । ସେବକଙ୍କ ମନରେ ସନ୍ଦେହ, ଦେବଦାସୀ କରୁଛି କ’ଣ? କାରଣ ସମ୍ପୂର୍ଣ୍ଣ ଗୀତ ଗୋବିନ୍ଦ ଗାଇଲେ ମଧ୍ୟ ଏତିକି ସମୟ ଲାଗିବ ନାହିଁ ଯେତିକି ଆଜି ଲାଗୁଛି । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଭିତରକୁ କେହି ଯାଇ ନପାରି କେବଳ ବାହାରୁ ସେମାନେ ଅସ୍ପଷ୍ଟ ଘୁଙ୍ଗୁରର ଶବ୍ଦ ଶୁଣିପାରୁଥିଲେ । ଆଉ ପ୍ରହରେ ଗଲେ ରାତି ପାହିବ, ମାହାରୀ କ’ଣ ଆଉ ଫେରିବନି !!

ସାଧାରଣ ମଣିଷଟିଏ ବଡ଼ ଦେଉଳରୁ ପଥର ଖସିଲେ ହେଉ ବା ନୀତି ମାରା ହେଲେ ଶ୍ରୀମନ୍ଦିରରେ ଯାହା ହୁଏ ସେ ତା’ଆତ୍ମାକୁ ଟାଣିନିଏ । କାରଣ ସେ ତ’ ଆମର ମୂଳ ଠାକୁର । ସେ ଭାବୁଛି ଆଉ କ’ଣ ଦେଶକୁ ବିପତ୍ତି ପଡ଼ିବ କି ? ଦେବଦାସୀ କ’ଣ ଆଉ କିଛି ପାପ କରିଛି ଯେ ତାକୁ କିଛି ଦଣ୍ଡ ମିଳିଲା ନା ଆମର ପାପ ଯୋଗୁଁ ଆମେ ଆଜି ମହାପ୍ରଭୁଙ୍କୁ ଦେଖିବାର ସୁଯୋଗ ପାଉନୁ ?

ସମସ୍ତଙ୍କ ଚିନ୍ତାର ଅବସାନ ଘଟାଇ ଝଣ ଝାଣ ଶବ୍ଦରେ ଖୋଲିଗଲା କଂସା କବାଟ । ଦେବଦାସୀ ବାହାରିଲା ସଂପୂର୍ଣ୍ଣ ବସ୍ତ୍ରହୀନା ହୋଇ । ଆଲୁଳାୟିତ କେଶରାଶି, ଅସ୍ତବ୍ୟସ୍ତ ଲଲାଟ ସିନ୍ଦୂର, ତା’ ଦେହରୁ କେବଳ ଭାସି ଆସୁଥିଲା ଚନ୍ଦନ, କର୍ପୂର ଓ ତୁଳସୀର ଗନ୍ଧ । କାହାରିକୁ ସେ ଚାହିଁଲା ନାହିଁ । ଅନ୍ତର୍ଯ୍ୟାମୀଙ୍କ ସାନ୍ନିଧ୍ୟ ଲାଭ କରି ଅନନ୍ତ ମାୟାରୁ ନିବୃତ୍ତ ହୋଇ ଫେରି ଆସିଛି ସେ ମୁକ୍ତ କଳେବରରେ । ଲୋକାଚାର ତା’ମନରେ ଆସନ୍ତା ବା କିପରି !! ଦେବଦାସୀ ଫେରିଗଲା ସତ, କାମୁକ ବ୍ୟକ୍ତିଙ୍କ ମନରେ କାମୋଦ୍ଧିପନ କରିଦେଇଗଲା । ସେବାୟତମାନେ କୁହାକୁହି ହେଲେ: “ଦେଖହୋ ଏ ନାଚୁଣୀଟାର କି ବହପ, ଉଲଗ୍ନ ହୋଇ ନାଚି, ପ୍ରଭୁଙ୍କ ପାଖରେ ନିଜ ପାଲଟା ବସ୍ତ୍ରଟିକୁ ଥୋଇ ଦେଇ ବେଲଜ୍ଜ୍ୟାଙ୍କ ପରି ଚାଲିଗଲା । ତେତିଶ କୋଟି ଦେବା ଦେବୀ ଯେଉଁ ଜଗନ୍ନାଥଙ୍କ ବଡ଼ସିଂହାର ବେଶ ଦେଖିବାକୁ ଆସନ୍ତି, ଆଜି ସେମାନେ ଏ ଅସଭ୍ୟ ନାରୀର ପାଲଟା ବସ୍ତ୍ର ଦେଖି କ’ଣ ମନେକରିବେ? ଦେବାଧିଦେବ ଜଗନ୍ନାଥ ଏହାର ଠିକ୍ ବିଚାର କରିବେ । ସେ ନିଶ୍ଚୟ ଶାସ୍ତି ପାଇବ । ”ଅହଲ୍ୟାଙ୍କୁ ଗୌତମ ବୁଝିନପାରି ଅଭିଶାପ ଦେଲାବେଳେ ଅହଲ୍ୟା ଯେପରି ଶୁଣୁଥିଲେ, ଧୋବା ଧୋବଣୀଙ୍କ କଳି ଶୁଣି ରାମ ସୀତାଙ୍କୁ ଭତ୍ସନା କଲାବେଳେ, ସୀତା ନିରବରେ ଶୁଣୁଥିଲେ, ଠିକ୍ ସେପରି ଆଜି ଦେବଦାସୀ ଲୋକ ନିନ୍ଦାକୁ ଛାତିରେ ପଥର ରଖି ଶୁଣି ଚାଲିଗଲା । କିନ୍ତୁ ସେବୟତମାନେ କଲେ କ’ଣ ?

ଠିକ୍ ସେମାନେ ଯାହା କରିଥିଲେ ବନ୍ଧୁ ମହାନ୍ତିର ଭକ୍ତି ମର୍ଯ୍ୟାଦା ନ ବୁଝି ତାକୁ ସୁନାଥାଳି ଚୋର କହିଥିଲେ, ବଳରାମ ଦାସଙ୍କୁ ବେଶ୍ୟାଶକ୍ତ ବୋଲି କହିଥିଲେ, ମାଧବ ଦାସଙ୍କ ପଦ୍ମଫୁଲକୁ ଫୋପାଡ଼ି ଦେଇଥିଲେ ଅନୁରୂପ ଭାବରେ ଆଜି ପୁଣ୍ୟମୟୀ ଦେବଦାସୀ କାନ୍ଧରେ ପାପର ପାହାଡ ଲଦିଦେଇ ଚାଲିଲେ ସମସ୍ତେ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜନଅରକୁ । ରାଜା ମଧ୍ୟ ଶୋଇନାହାନ୍ତି, କାରଣ ରାଜରାଜେଶ୍ୱର ଜଗନ୍ନାଥ ମହାପ୍ରଭୁଙ୍କ ପହୁଡ଼ ନୀତି ପରେ ଠାକୁର ରାଜାଙ୍କ ଶୟନ ହୁଏ । ରାଜା ମଧ୍ୟ ବ୍ୟସ୍ତ ଓ ବିବ୍ରତ ଅବସ୍ଥାରେ, ମନ୍ଦିରକୁ କିଏ ଆଉ ଆକ୍ରମଣ କଲା କି ? ସେବାୟତଙ୍କ ସେବାରେ କିଛି ତୃଟି ଯୋଗୁଁ ମହାପ୍ରଭୁ କୋପ କଲେ କି ? ନା ସେବାୟତମାନେ କିଛି ନୀତି ବିଭ୍ରାଟ କରିଛନ୍ତି? ଅସୁମାରି ଆଶା ମନରେ ଉଙ୍କି ମାରୁଛି ରାଜାଙ୍କର । ପ୍ରହରୀ ଆସି ଡାକ ପକାଇଲା “ମଣିମା ଶୁଣିମା ହୁଅନ୍ତୁ ମଣିମା, ଶ୍ରୀ ମନ୍ଦିରରୁ ସେବାୟତମାନେ ଗୁହାରୀ ନେଇ ଆସିଛନ୍ତି । ଆପଣ ଆଦେଶ ଦେଲେ ମୁଁ ତାଙ୍କୁ ଭିତରକୁ ଡାକିବି ।” ରାଜାଙ୍କ ଶଙ୍କାକୁଳ ମନରେ ଲଦିହୋଇଗଲା ଦୁଃଖର ପାହାଡ଼ ।

ରାଜା ଭାବିଲେ ନିଶ୍ଚୟ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ନ ହେଲେ ନିଶାର ଅନ୍ତିମ ପ୍ରହରରେ ପହୂଡ଼ ସୂଚନା ନ ଦେଇ ସେବାୟତମାନେ ସବୁମିଶି କ’ଣ ପାଇଁ ଆସିଛନ୍ତି ? ରାଜା ସେବାୟତମାନଙ୍କୁ ଡକାଇବାକୁ ପ୍ରହରୀଙ୍କୁ ନିର୍ଦ୍ଦେଶ ଦେଲେ । ତଳିଚ୍ଛୁ ଗୋଟି ଗୋଟି କରି ସବୁ କଥା ବଖାଣିଗଲେ ରାଜାଙ୍କ ପାଖରେ । ଆଉ ଅଳ୍ପ ସମୟ ପରେ ପ୍ରଭାତ ହେଲେ ତା’ର ବିଚାର କରାଯିବ । ସେବକମାନେ ଗଲେଣି, ରାଜା ଅସ୍ଥିର ଭାବେ ପଦଚାଳନା କରୁଥିଲେ । କ୍ରୋଧରେ ଜଳି ଉଠିଲା ସର୍ବାଙ୍ଗ ଶରୀର ତାଙ୍କର । କର୍ଣ୍ଣରେ ତାଙ୍କର ପ୍ରତିଧ୍ୱନିତ ହେଉଥିଲା ତଳିଛୁଙ୍କର ଗୋଟିଏ କଥା:-

“ମଣିମା ଯେଉଁ ଜଗନ୍ନାଥଙ୍କୁ ପରାଣ କରି ଦୈନନ୍ଦିନ ଓଡ଼ିଆଟିଏ ନିର୍ମାଲ୍ୟ କଣିକାଟିଏ ଖାଇଲେ, ଚତୁର୍ଦ୍ଧଶ ବୈକୁଣ୍ଠର ସୁଖ ପାଇଲାପରି ମନେକରେ, ଯେଉଁ ପ୍ରଭୁଙ୍କ ମହାପ୍ରସାଦ ହାଣ୍ଡିକୁ ଘର ଦୁଆରେ ରଖି ଓଡ଼ିଆଟିଏ ଶୁଭ କାମନା କରେ ନିଜ ଘର ପରିବାରର ଓ ଯେଉଁ ମହାପ୍ରଭୁଙ୍କ ଆରତ ନାଶନ ବାନାକୁ ହାତରେ ବାନ୍ଧି ଓଡ଼ିଆଟିଏ ସତ୍କାମ ପାଇଁ ସର୍ବଦା ଶକ୍ତି ଆସିବ ବୋଲି ମନେକରେ, ସେହି ମହାପ୍ରଭୁଙ୍କ ବଡ଼ଦେଉଳରେ ଏହି ଚରିତ୍ରହୀନ ଘଟଣା ଘଟିଲା ! ଏହା ନିଶ୍ଚୟ ବିଶ୍ୱବାସୀଙ୍କ ପାଇଁ ଅଶୁଭର ପୂର୍ବାଭାସ ମଣିମା ।”

ତାଙ୍କର ବଂଶଧରମାନେ ମହାପ୍ରଭୁଙ୍କ ସେବାରେ ନିଜକୁ ନିମଜ୍ଜିତ କରିବା ଛଡ଼ା ଆଉ ଅନ୍ୟ କିଛି ଜାଣିନଥିଲେ । ଜନସମାଜରୁ ବହୁ ଉଦ୍ଧ୍ୱର୍ରେ ତାଙ୍କ ସ୍ଥାନ ରହିଛି । ‘ମଉଡ଼ମଣି’ ଭାବେ ମହାପ୍ରଭୁ ରଥରେ ଗଲେ, ଠାକୁର ରାଜା ଯା’ନ୍ତି ତାଙ୍କ ଯାନରେ । ତାଙ୍କ ଉପସ୍ଥିତିରେ ଏସବୁ କ’ଣ ଘଟିଗଲା ! ନିଶ୍ଚୟ କାଲି ସେ ଏହାର ଉଚିତ ବିଚାର କରିବେ ଭାବି ଭାବି ଅଜାଣତରେ ସତେଯେପରି ଦୈବ ନିର୍ଦ୍ଦେଶ କ୍ରମେ ରାଜାଙ୍କ ଆଖିରେ ନିଦ୍ରା ଘାରିଯାଇଛି ।

ସେହି ଅମୃତ ଅବସରରେ ଘଟିଛି ଜୀବ ପରମର ଅପୂର୍ବ ମିଳନ । ଦିବ୍ୟ ଆଲୋକ ମଣ୍ଡଳରୁ ଉଦ୍ଭାସିତ ହୋଇ ଉଠିଲେ ସ୍ୱପ୍ନସୁନ୍ଦର ଶିରୋମଣି ଜଗଦୀଶ୍ୱର ଜଗନ୍ନାଥ । କାରଣ ଯେତେବେଳେ ସମର୍ପିତ ଭକ୍ତଟିଏ ତାଙ୍କୁ ଜାଣିବାର ଚେଷ୍ଟା କରେ, ତାଙ୍କୁ ମାନବାଚାରରେ କଳିବାକୁ ମଧୁର ଧୃଷ୍ଟତା କରେ, ପ୍ରଭୁ ଓହ୍ଲାଇ ଆସନ୍ତି ତା’ର ଅବଚେତନ ଅବସ୍ଥା-ସ୍ୱପ୍ନ ରାଇଜକୁ ତାକୁ ଟିକେ ମହାବାହୁ ତୋଳି ତାରିଦେବା ପାଇଁ । ଠିକ୍ ଯେପରି ମହାପ୍ରଭୁ ଆସିଥିଲେ ସନ୍ଥ ତୁଳସୀଙ୍କ ମାନସପଟରେ, ଯିଏ ପ୍ରଭୁଙ୍କୁ ବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କରିଥିଲେ । ଅନୁରୂପ ଭାବରେ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଆଜି ରାଜା ପ୍ରତାପ ରୁଦ୍ର ଦେବଙ୍କୁ କହୁଛନ୍ତି-

“ରାଜା ! ମୋର ଆଖିରେ ପଲକ ପଡ଼ୁନି ବୋଲି ତୁ କ’ଣ ଭାବୁଛୁ ମୁଁ କିଛି ଦେଖିପାରୁନାହିଁ ? ଭିତର ଗାଏଣୀ ଉଲଗ୍ନ ହୋଇ ମୋ’ପାଖରେ ନାଚିବାଟା କ’ଣ ମୁଁ ଦେଖିନାହିଁ ? ମୁଁ କ’ଣ ତା’ଙ୍କୁ ଶାସ୍ତି ଦେଇପାରିନଥା’ନ୍ତି ? ତୋ ପିତାଙ୍କ କାଞ୍ଚି ଅଭିଯାନ କଥା ମନେପକା । ତୁ ଜାଣିପାରିବୁ ମୋ’ର ଏ ବିଶାଳ ବାହୁଦ୍ୱୟରେ କେତେ ବଳ । ମୋ’ଠାରୁ ତୋର କ୍ଷମତା କ’ଣ ବେଶି? କାନ୍ତ ଭକ୍ତି ହେଉଛି ଶ୍ରେଷ୍ଠ ଭକ୍ତି । ମତେ କାନ୍ତ ଭକ୍ତିରେ ଭକ୍ତି କରି, ମତେ ନିଜର କାନ୍ତ ବୋଲି ମନେକରି ସେ ଉଲଗ୍ନ ହୋଇ ନାଚିଥିଲା । ମୋ ନାମ ହେଉଛି, “ସାକ୍ଷାତ ମନ୍ମଥ” ଅର୍ଥ କୋଟି କୋଟି କାମ ଦେବଙ୍କୁ ମୁଁ ଜୟ କରିଛି ତେଣୁ ମୋ ମଥାରେ ମୟୂର ଚନ୍ଦ୍ରିକା ଲାଗିଛି । ତୁ ତାକୁ ପାପ ସମ୍ପର୍କ ବୋଲି ମନେ କଲୁ ? ମୋର ଭକ୍ତକୁ ଦଣ୍ଡ ଦେବାର ଅଧିକାର ତୁ କେଉଁଠାରୁ ପାଇଲୁ ? ତୋ’ର ରାଜପଣର ମାନ ରଖିବାକୁ ଯାଇ ଏସବୁ ଭିତରେ ତୁ ଭୁଲିଯାଇଛୁ ଯେ, ମୁଁ ହେଉଛି ସବୁ କର୍ମର କର୍ତ୍ତା । ଜୀବ ପରମର ପରମ ମିଳନର ରଶାଳ ଶାସ୍ତ୍ର “ଶ୍ରୀ ଗୀତ ଗୋବିନ୍ଦ” ଯାହାକୁ ସେ ମନ୍ତ୍ର ରୂପେ ଜପ କରି କରି ମତେ ତାର ଇଷ୍ଟ, ଇହକାଳ ପରକାଳର ଦେବତା ରୂପେ ବରଣ କରିଛି । ତା’ର ପାଲଟା ଲୁଗାକୁ ତୋତେ ଦେଖାଇ ସେମାନେ କାଲି ମୋ ଭକ୍ତର ପାପ-ପୁଣ୍ୟ ବିଚାର କରିବେ ? ଆଉ ତୁ କାଲି ଲୁଗା ଦେଖିବୁ ? ମନେରଖ ରାଜା, ମୁଁ ନିଜେ ସେ ଲୁଗା ନେଇ ତା’ଘରେ ଦେଇ କରି ଆସିଛି । ମୋ’ର ଆଶ୍ରୀତାର ସମସ୍ତ ଭାର ମୋ କାନ୍ଧରେ । ତା’ର କ୍ଷତି କରିବ କିଏ ?

ସକଳ କର୍ମ ପରିହରି, ଯେ ମୋର ପାଦେ ଆଶ୍ରେକରି,
ତାହାର ନିର୍ବାହର ଭାର, କାନ୍ଧରେ ରହିଛି ମୋହର ।

ଭିତର ଗାଏଣୀ ମୋର ପ୍ରାଣ, ତାକୁ କେହି ବାଧା ଦେବେ ନାହିଁ । ତେଣୁ ଯଦି ତୋର ବର୍ତ୍ତମାନ ଜ୍ଞାନୋଦୟ ହୋଇଥିବ, ଯାବତ୍ ସୂର୍ଯ୍ୟଚନ୍ଦ୍ର ଶ୍ରୀଗୀତଗୋବିନ୍ଦ ମୋ ପାଖରେ ତୁ ଚାଲୁ ରଖିବୁ । ରାତ୍ର ପାହିବା ଉପରେ, ବିଶ୍ୱ ଦରବାର ମତେ ଅପେକ୍ଷା କଲାଣି । ତୁ ତୋର କର୍ତ୍ତବ୍ୟ କର ।”

ରାଜା ତତ୍କକ୍ଷଣାତ୍ ଉଠି ବସିଲେ । ଶୂନ୍ୟ ବ୍ରହ୍ମ ଶୂନ୍ୟରେ ମିଳେଇଗଲେ ସତ, କିନ୍ତୁ ଛାଡ଼ିଗଲେ ସଦ୍ୟ ଚନ୍ଦନ, ତୁଳସୀର ମହକ ଆଉ ବାରହାତ ଲମ୍ବର ଚମ୍ପକ ଗଜରା । ପ୍ରଭୁଙ୍କ ପ୍ରତ୍ୟକ୍ଷ ଅନୁକମ୍ପା ପାଇ କଟିଗଲା ରାଜାଙ୍କ ଅଜ୍ଞାନତା । ପ୍ରଭୁଙ୍କ ଦିବ୍ୟ ସନ୍ଦେଶ ପାଇ ଖୋଲିଛି ତାଙ୍କ ଜ୍ଞାନଚକ୍ଷୁ । ବ୍ରହ୍ମ ମୁହୂର୍ତ୍ତରୁ ସେ ଯାଇ ପହଞ୍ଚିଲେ ଶ୍ରୀମନ୍ଦିରରେ । ମୁଦୁଲି ଓ ଅନ୍ୟ ସେବାୟତ ପହଞ୍ଚିସାରିଥିଲେ । ରାଜାଙ୍କ ଉପସ୍ଥିତିରେ ମୁଦପରୀକ୍ଷା କରି ଫିଟା ହେଲା । ମୁଦୁଲିଙ୍କ ମଣିମା ମଣିମା ଡାକରେ ପ୍ରତିଦିନ ପରି ଆପେ ଆପେ ଖୋଲିଗଲା କଂସାର କବାଟ । ସେବକମାନେ ରଣଭଣ ହୋଇ ଖୋଜି ଚାଲିଛନ୍ତି ଲୁଗାକୁ । ସତକଥା କହି, ମିଥ୍ୟା ଅପବାଦର ଭାଗି ହେବାର ଭାଗ୍ୟରେ ଥିଲା ବୋଲି ଭାବି ଆତଙ୍କିତ ହୋଇଯାଉଥିଲେ ସମସ୍ତେ । ସମସ୍ତେ ଏକ ମନରେ କାତରୋକ୍ତି ଜଣାଇ ପ୍ରାଣହୀନପରି ଠିଆହୋଇ ରହିଲେ ।

ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ, ଦେବେ ନ ଜାନାତି କୃତଃ ମନୁଷ୍ୟ?

ତେଣୁ ଏ ମହାନ୍ ରହସ୍ୟକୁ କେଉଁ ସାଧାରଣ ମଣିଷ ବୁଝି ପାରନ୍ତା ! କେବଳ ବୁଝୁଥିଲେ ଜଣେ କୃପାମୟଙ୍କ କୃପାରୁ ।
ସାଷ୍ଟାଙ୍ଗ ପ୍ରଣିପାତ କରି ରାଜା ଜଗନ୍ନାଥଙ୍କ ନିକଟରେ ନିଉଛାଳି ହୋଇ ପଡ଼ିରହି ପ୍ରାର୍ଥନା କଲେ-

“ଅପରାଧ ମାର୍ଜନ ମୋ କର, ଶରଣ ଗଲି ଶ୍ରୀ ପୟର ।
ଛାଡ଼ିଦେଲିଣି ମୁଁ ସକଳ ଭରସା, ତୁମ୍ଭରି ପ୍ରତି ଆଶାରେ ।
ତୁମ୍ଭେ ନ ରଖିଲେ ଭାସି ମୁଁ ଯାଉଛି କି ବୋଲିବେ ଜଗତରେ ? ଦୀନ ବାନ୍ଧବ ହେ”
ରାଜାଙ୍କ ନୟନରୁ ପ୍ରେମାକୁଳ ହୋଇ ଝରିଆସୁଥିଲା ଆନନ୍ଦାଶ୍ରୁ । ଜୟ ଜଗନ୍ନାଥ । ଜୟ ଉକ୍ରଳର ମଉଡ଼ମଣି ! ଧ୍ୱନିରେ ପ୍ରକମ୍ପିତ ହେଲା ଶ୍ରୀମନ୍ଦିର ।
ସତରେ ରସରାସ ରସିକେନ୍ଦ୍ର ମଉଳି ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର । ଏବେ ମଧ୍ୟ ଶ୍ରୀ ଜୀଉଙ୍କ ଶେଜ ପାହାନ୍ତା ପ୍ରହରରେ ଅସଜଡ଼ା ହୋଇଯାଏ, ମଲ୍ଲୀ ଫୁଲ (ଯାହା ପହୁଡ଼ ବେଳେ ବିଛାଯାଇଥାଏ) ମଉଳି ଯାଇ ଥାଏ । ବିଭିନ୍ନ ପୁଷ୍ପଗୁଚ୍ଛ, ମାଳ, ଦୟଣା, ତୁଳସୀ, ମରୁଆ ଶ୍ରୀଜଗନ୍ନାଥଙ୍କ ହସ୍ତପଦରେ ଖୋଲା ଭାବରେ (ଗଣ୍ଠି ନପଡ଼ି) ଲାଗି କରାଯାଏ କାରଣ ସେ ହେଲେ ଜୀବନ୍ତ ଦେବତା । ଅଣସର ବେଳେ ତାଙ୍କ ଦାରୁ ଶରୀର ତାତି ଉଠେ, ପୁଣି ରଥକୁ ଗଲାବେଳେ ସାତକୋଟି ପର୍ବତରୁ ଗରୁ ହୋଇଥିବା ମହାବାହୁ ଭକ୍ତ ବାହୁରେ ବୁହା ହୋଇ ଚାଲିଯା’ନ୍ତି । ସତରେ ଅତି ବିସ୍ମୟକର ତାଙ୍କର ଏ ଲୀଳା । ଧନ୍ୟ ମହାପ୍ରଭୁ, ଧନ୍ୟ ତୁମ୍ଭର ଲୀଳା ।

ଶିବରାମ ସୁଆର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶିବରାମ ସୁଆର ପେଶାରେ ଜଣେ ଇଞ୍ଜିନିୟର୍ ଏବଂ ନିଶାରେ ଜଣେ କଥାକାର । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ ପ୍ରବନ୍ଧ ଆଦି ରଚନା କରିଥାନ୍ତି ।