ହଁ… ମୁଁ ନାରୀ…
ହେଲେ ନୁହେଁ ମୁଁ ଅବଳା କି ଦୁର୍ବଳା
ମୁଁ ଅଷ୍ଟଭୁଜା… ମହିଷାସୁର ମର୍ଦିନୀ,
ମୁଁ ମହାଦୂର୍ଗା… ଦୁର୍ଗତିନାଶିନୀ ।
ହଁ… ମୁଁ ନାରୀ…
ଦେଇପାର ତୁମେ ମୋତେ
ଗୋଲାପର କୋମଳତା ଆଖ୍ୟା,
ହେଲେ ଭୂଲିବ ନାହିଁ
କଣ୍ଟାଧାରେ ମୁଁ କରିପାରେ
ନିଜର ସୁରକ୍ଷା… ।
ଭାବିପାର ତୁମେ ମୋତେ
ଚନ୍ଦ୍ରମାର ଶୀତଳତା,
ହେଲେ ଭୁଲିବ ନାହିଁ
ଭରିଅଛି ମୋ ମଧ୍ୟେ
ରବିର ଉଷ୍ମତା…।
ହଁ… ମୁଁ ନାରୀ…
ହେଲେ ନୁହେଁ ବଗିଚାରେ ଉଡ଼ୁଥିବା
ଏକ କ୍ଷୁଦ୍ର ପ୍ରଜାପତି,
ବଟବୃକ୍ଷ ମଞ୍ଜିରେ ନିହିତ ଥିବା
ମୁଁ ସେଇ ମହାଦ୍ରୁମର ପରିଚିତି ।
ମୁଁ ଜାୟା, ମୁଁ ଜନନୀ, ମୁଁ ଭଗିନୀ
ସମସ୍ତତାରେ ଥାଏ ମୁଁ,
ଶୂନ୍ୟତାରେ ବି ମୁଁ…
ସୃଷ୍ଟି ଆରମ୍ଭର ଆଦିଶକ୍ତି ମୁଁ
ସୃଷ୍ଟି ବିନାଶର କାଳରାତ୍ରି ମଧ୍ୟ ମୁଁ ।
ହଁ… ମୁଁ ନାରୀ…
ହେଲେ ନୁହେଁ ମୁଁ ଅବଳା କି ଦୁର୍ବଳା
ମୁଁ ଅଷ୍ଟଭୁଜା… ମହିଷାସୁର ମର୍ଦ୍ଦିନୀ
ମୁଁ ମହାଦୁର୍ଗା… ଦୁର୍ଗତିନାଶିନୀ ।
– ଭାଗ୍ୟଶ୍ରୀ ସାହୁ