ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ପ୍ରଫେସର୍ ଗୋରା ଓ ସତ୍ୟନାରାୟଣ ରାଜଗୁରୁ
ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ପ୍ରଫେସର୍ ଗୋରା ଓ ସତ୍ୟନାରାୟଣ ରାଜଗୁରୁ

ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ପ୍ରଫେସର୍ ଗୋରା ଓ ସତ୍ୟନାରାୟଣ ରାଜଗୁରୁ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ବିଷ୍ଣୁ ପରିବାରରେ, ସେଥିପାଇଁ ସେ ବିଷ୍ଣୁ ମନ୍ଦିର ଦର୍ଶନରେ ଯାଇ କିଛି ସମୟ କଟାଉ ଥିଲେ । ମହାତ୍ମାଙ୍କ ମାତୃ ପିତୃ ବିୟୋଗ ପରେ ସେ ଭୂତ ପ୍ରେତରେ ବିଶ୍ୱାସ ରଖି ଅନେକ ସମୟରେ ଡରୁଥିଲେ । ତାଙ୍କ ଗୃହରେ ଥିବା ଜଣେ ଧାଈ ଗାନ୍ଧୀଙ୍କୁ କହିଲେ, “ରାତିରେ ରାମ ନାମ ଜପି ନିଦ୍ରା ଗଲେ ଭୟ ସଞ୍ଚାର ହେବନାହିଁ ।” ତାଙ୍କ କଥାକୁ ପାଥେୟ କରି ନିଦ୍ରା ସମୟରେ ରାମ ନାମ ଭଜନ କରି ଶୋଉଥିଲେ । ସେହିପରି ତାଙ୍କର ଜଣେ ଦାଦା ଗାନ୍ଧୀଙ୍କୁ ରାମ ପଞ୍ଚାକ୍ଷର ମନ୍ତ୍ରଦୀକ୍ଷା ଦେଇଥିଲେ । ଗାନ୍ଧୀଙ୍କ ସେହି ଭଜନ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମୃତ୍ତ୍ୟୁ ପରେ, ଶବ ସଙ୍ଗରେ ଯାଉଥିବା ପରିଜନ “ରାମ ନାମ ସତ୍ୟ ହେ” କହି ଶବାଧାରକୁ ଶ୍ମଶାନକୁ ନେଇଥାନ୍ତି । ତୁଳସୀ ରାମାୟଣ ରାମଚନ୍ଦ୍ରଙ୍କ ବନବାସ ସମୟରେ ଦିନେ ସୀତା ନିଦ୍ରାରୁ ଉଠି ସ୍ୱପ୍ନ ଦେଖିବା ବିଷୟ ରାମଚନ୍ଦ୍ରଙ୍କୁ କହିଲେ, ଯେ ତାଙ୍କ ଶ୍ୱଶୁର ଇହ ଲୋକ ଛାଡ଼ି ପରଲୋକ ଚାଲି ଯାଇଛନ୍ତି । ଭରତ ଓ ଶତୃଘ୍ନ ଚତୁରଙ୍ଗ ବଳ ସହ ଅରଣ୍ୟ ମଧ୍ୟକୁ ଆସୁଛନ୍ତି ।ଏଥିରେ ବିଚଳିତ ହୋଇ ଉତ୍ତର ଦିଗକୁ ଦୃଷ୍ଟି ଗୋଚର କରିବାରୁ ଆକାଶରେ ଧୂଳି ଉଡ଼ାଇ ସେନା ତାଙ୍କ ଆଡକୁ ମାଡ଼ି ଆସୁଛନ୍ତି । ଯେତେବେଳେ ଭରତଙ୍କ ତୁଣ୍ଡରୁ ରାମ ନାମ ଶ୍ରବଣ କଲେ ସେତେବେଳେ ତାଙ୍କ ଭୟ ଦୂର ହୋଇଗଲା । ସେଥିପାଇଁ ରାମ ନାମ ଗାନ୍ଧୀଜି ତାଙ୍କ ଜୀବଦଶା ଶେଷଯାଏଁ ଉଚ୍ଚାରଣ କରୁଥିଲେ । ନାଥୁରାମ ଗଡ଼୍‌ସେଙ୍କ ଗୁଳି ଚୋଟରେ ୧୯୪୮ ଜାନୁଆରୀ ୩୦ରେ ରାମ ନାମ କହି ସହିଦ ହୋଇଥିଲେ ।

ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀ ଦେଶକୁ ଦିଗଦର୍ଶନ ଦେଉଥିବା ସମୟରେ ସତ୍ୟାଗ୍ରହ, କର ବା ମର ଭଳି ଆନ୍ଦୋଳନ ସହ ହରିଜନ ଆନ୍ଦୋଳନ କରି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ସେ ‘ୟଙ୍ଗ ଇଣ୍ଡିଆ’ ନାମକ ଏକ ଖବର କାଗଜ ସମ୍ପାଦନ କରୁଥିଲେ । ମୁଁ ଏଠାରେ କହିବାକୁ ଚାହେଁ, ମହାତ୍ମାଙ୍କର ସାବରମତୀ ଆଶ୍ରମରେ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ବାଲ୍ୟକାଳରୁ ସଙ୍ଗାତ ପ୍ରଫେସର୍ ଗୋରା, ଯାହାଙ୍କ ପ୍ରକୃତ ନାମ ହେଉଛି ନରସିଂହ ରାଓ, ଯେ କି ଜଣେ ବଟେନୀ ପ୍ରଧ୍ୟାପକ ମହାତ୍ମାଙ୍କ ସ୍ୱରାଜ୍ୟ ଆନ୍ଦୋଳନ ଡାକରାରେ ଚାକିରି ଛାଡ଼ି ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ଅନେକ ସମୟ କଟାଉ ଥିଲେ । ସେ ଜଣେ ନୈଷ୍ଠିକ କମା ବ୍ରାହ୍ମଣ ଥିଲେ ।

ମହାତ୍ମାଙ୍କ ହରିଜନ ଆହ୍ୱାନ ଦ୍ୱାରା ପ୍ରଭାବିତ ହୋଇ ପ୍ରଫେସର ଗୋରା ତାଙ୍କ ପୁଅଝିଅମାନଙ୍କୁ ହରିଜନ ସଂପ୍ରଦାୟରେ ବାହା କରାଇ ଥିଲେ । ସେ ବେଜୱାଡ଼ାରେ ହରିଜନ ବସ୍ତିରେ ”ପାଟା, ମାଟା” ଆଶ୍ରମ କରିଛନ୍ତି । ସେ ନୈଷ୍ଠିକ ବ୍ରାହ୍ମଣ ଥିବା ଯୋଗୁଁ ତାଙ୍କ ପିତା, ମାତା ଏଥିରେ ଅସନ୍ତୁଷ୍ଟ ଥିଲେ । ଦିନେ ତାଙ୍କ ବୃଦ୍ଧ ପିତା ସତ୍ୟ ନାରାୟଣଙ୍କୁ ଚିଠି ଦେଇ କହିଲେ, “ବାବୁ ମୋର ପୁଅ ନରସିଂହ ରାଓ କାହା କଥା ନଶୁଣି ତାଙ୍କ ଝିଅଙ୍କୁ ହରିଜନ ସମ୍ପ୍ରଦାୟରେ ବାହା କରିବାକୁ ଯାଉଛନ୍ତି । ସେ ତୋର ସଙ୍ଗାତ, କେହି କହିଲେ ମଧ୍ୟ ସେ ତା’ କଥାରେ ଜିଦ୍ ଧରି ରହିଛି । ତୋର କଥା ଶୁଣିପାରେ, ତୁ ତାକୁ କହି ଏଥିରୁ ବିରତ ରହିବା ପାଇଁ କହିବୁ ।” ସତ୍ୟ ନାରାୟଣଙ୍କ ମାତା ପିଲାକୁ ଜନ୍ମ ହେବାର ସାତ ଦିନ ପରେ ପୁତ୍ରକୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ । ସତ୍ୟନାରାୟଣଙ୍କ ପିତା ହରିକୃଷ୍ଣ ରାଜଗୁରୁ, ଯେ କି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ରାଜଗୁରୁ ଥିଲେ, ପୁତ୍ର ସତ୍ୟନାରାୟଣଙ୍କୁ ପ୍ରତ୍ୟହ ଜଣେ ପିଅନ ହାତରେ ଜଙ୍ଗମ ସାହିସ୍ଥ ଜଣେ ସଦ୍ୟ ପ୍ରସବା କମା ବ୍ରାହ୍ମଣ ନାରୀଙ୍କ ନିକଟକୁ ସ୍ତନ୍ୟପାନ ନିମିତ୍ତ ପଠାଉଥିଲେ । ଉଭୟ ଶିଶୁ ସେହି ମାଆଙ୍କଠାରୁ ସ୍ତନ୍ୟପାନ କରୁଥିଲେ । ନରସିଂହ ରାଓ ସମୟ ସମୟରେ ମୋର ମା ଓ ମୋର ମା ବୋଲି ଝଗଡ଼ା ବି କରୁଥିଲେ । ସେହି କମା ବ୍ରାହ୍ମଣ ପାରଳା ଜମିଦାରୀର ଏକ କର୍ମଚାରୀ ଥିଲେ ।

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଗଙ୍ଗବଂଶ ଇତିହାସ ଲେଖିବା ପାଇଁ ଆଦେଶ ହେଲା । ସେତେବେଳ ସତ୍ୟନାରାୟଣ ରାଜଗୁରୁ କଳାହାଣ୍ଡିରେ ରିସର୍ଚ୍ଚ କାମ କରୁଥିଲେ । କଳାହାଣ୍ଡି ମହାରାଜାଙ୍କଠାରୁ ସାମୟିକ ବିଦାୟ ନେଇ ମାଣ୍ଡ୍ରାଜ ମିଉଜିଅମ୍‌ରେ ରହି କାମ କରିବାକୁ ପଡ଼ିଲା । ରାଜଗୁରୁ ତାଙ୍କ ବେଜ‌ୱାଡ଼ାରେ ରହୁଥିବା ବନ୍ଧୁଙ୍କୁ ଲେଖିଲେ, ”ମୁଁ ନିର୍ଦ୍ଧିଷ୍ଟ ଦିନ ନିର୍ଦ୍ଧିଷ୍ଟ ମାଂଡ୍ରାଜ୍ ଯାଉଛି ଦେଖା କରିବେ ।” ତାଙ୍କ ସାଙ୍ଗେ କଥାବାର୍ତ୍ତା କରିବାର ଅଛି । ଗୋରା ତାଙ୍କ ସଙ୍ଗାତ ସତ୍ୟନାରାୟଣଙ୍କୁ କହିଲେ ତାଙ୍କ ଝିଅ ମାଡ୍ରାସ ପାଚାପାୟା ହଷ୍ଟେଲରେ ରହି ପଢ଼ୁଛି । ପ୍ରଫେସର ଗୋରା ନିର୍ଦ୍ଧିଷ୍ଟ ସମୟରେ ଦେଖାକରି ରାଜଗୁରୁଙ୍କ ସହରେଳରେ ମାଡ୍ରାସ ଗଲେ । ସେ ଓ ତାଙ୍କ ସଙ୍ଗାତ ପାଚାପେୟ ହଷ୍ଟେଲରେ ପହଞ୍ଚିଲେ । ଝିଅ ଉଭୟଙ୍କୁ ପ୍ରଣାମ କରି ଆସନ ଦେଇ ବସାଇଲା । ସତ୍ୟ ନାରାୟଣ ଝିଅ ନାମ ବୁଝିବା ପରେ ପଚାରିଲେ ତୁମେ କ’ଣ ପଢ଼ୁଛ? ଝିଅ କହିଲା, “ମୁଁ ଏମ୍.ଏ. ପ୍ରଥମ ବର୍ଷରେ ପଢ଼ୁଛି । ରାଜଗୁରୁ କହିଲେ, “ତୁମ ପିତା ତୁମ ବାହାଘର ପାଇଁ ଜଣେ ହରିଜନ ସଂମ୍ପ୍ରଦାୟଙ୍କ ସଙ୍ଗେ ବାହାଘର କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ସେ ମହାତ୍ମା ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଛନ୍ତି । ମହାତ୍ମା ପୁରୋହିତ କାର୍ଯ୍ୟ ସମ୍ପାଦନ କରିବେ । ତୁମ୍ଭେ ଏଥିରେ ରାଜି କି?” ଝିଅ କହିଲା, “ବାପାଙ୍କ କଥା ମୁଁ ଅମାନ୍ୟ କରି ପାରିବିନାହିଁ ।” ସେଠୁ ରାଜଗୁରୁ ପଚାରିଲେ, “ତୁମେ ତୁମ ପାଠ ପଢ଼ା ସରିଲେ ବାହା ହେବ ନା ତୁମ ପିତା ଧାର୍ଯ୍ୟ କରିବା ତିଥିରେ?” ଝିଅ ରାଜଗୁରୁଙ୍କୁ ଉତ୍ତର ଦେଲା, “ପାଠ ଶେଷରେ ବାହା ହେବି ।” ସେଠୁ ପୁଣି ପ୍ରଶ୍ନ କରି ପଚାରିଲେ, “ତୁମ ବୟସ କେତେ?” ଉତ୍ତର ଆସିଲା, “୧୬ ବର୍ଷ ।” ପ୍ରଫେସର ଗୋରାଙ୍କୁ ତାଙ୍କ ସଙ୍ଗାତ କହିଲେ, “ଶୁଣୁଛ ତ ଝିଅର କଥା । ବର୍ତ୍ତମାନ ଝିଅର ବୟସ ହୋଇନାହିଁ । ସେ ତା’ର ପାଠ ଶେଷରେ ବାହା ହେବ କହୁଛି, ତୁମେ କ’ଣ କହୁଛ?” ସଙ୍ଗାତ କହିଲେ, “ମୁଁ ତ ମହାତ୍ମାଙ୍କୁ କହି କାର୍ଯ୍ୟ ତାରିଖ ଠିକ୍ କରି ସାରିଛି । ବର୍ତ୍ତମାନ କ’ଣ ହେବ?” ରାଜଗୁରୁ ଏ ସବୁ ବିଷୟକୁ ଗାନ୍ଧୀଙ୍କୁ ଲେଖି ଜଣାଇବାକୁ କହିଲେ, ଏହା ଶୁଣି ଗାନ୍ଧୀଙ୍କୁ ଗୋରା କହିଲେ, “ତୁମ୍ଭେ ମୁଁ ଲେଖିଲା ଭଳି ଚିଠି ଖଣ୍ଡେ ଗାନ୍ଧୀଙ୍କୁ ଲେଖି ଦିଅ ।” ଏହି ଅନୁରୋଧ କ୍ରମେ ଗୋରା ଲେଖିଲା ପ୍ରକାରେ ଗାନ୍ଧୀଙ୍କୁ ଜଣାଇଲେ । ମହାତ୍ମା ଉତ୍ତର ଦେଲେ, “ଝିଅର ୧୮ ବର୍ଷ ନହେଲେ ବାହା ହୋଇ ପାରିବ ନାହିଁ । ତାଙ୍କର ଶିକ୍ଷା ମଧ୍ୟ ଶେଷ ହେଉ । ଆମ କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବା ।” ଏ କଥା ଗୋରାଙ୍କ ପିତାଙ୍କୁ ସତ୍ୟନାରାୟଣ ଜଣାଇଲେ । ଏହା ଶୁଣି ସେ ଆନନ୍ଦିତ ହେଲେ । ପିତା ମାତାଙ୍କ ମୃତ୍ୟୁ ପରେ ଗୋରା ତାଙ୍କ ଝିଅକୁ ହରିଜନରେ ବାହାଦେଲେ ।

୧୯୨୧ ମସିହାରେ ସତ୍ୟନାରାୟଣ ରାଜଗୁରୁ ଫୋର୍ଥ ଫାର୍ମର ଛାତ୍ର । ସେତେବେଳ ଭାରତ ବ୍ୟାପି ସ୍ୱାଧିନତା ଆନ୍ଦୋଳନ ତେଜିଆନ୍ ହୋଇଥିଲା । ସେହି ସମୟରେ ଜଣେ ସ୍ୱାଧିନତା ପ୍ରେମୀ ପାରଳା ଆସି ଛାତ୍ର ସମାଜ ସ୍ୱାଧିନତା ଆନ୍ଦୋଳନରେ ଯୋଗ ଦେବାକୁ କହିଲେ । ଏହି ଆନ୍ଦୋଳନରେ ସ୍କୁଲ ଶିକ୍ଷା ବର୍ଜନ କରି କିଛି ପିଲାଙ୍କ ସହ ସତ୍ୟନାରାୟଣ କଂଗ୍ରେସରେ ଯୋଗ ଦେଲେ । କିନ୍ତୁ ତାଙ୍କ ପିତା ଏହା ଚାହିଁ ନଥିଲେ । ସେ କୃଷ୍ଣଚନ୍ଦ୍ରଙ୍କୁ କହି ଏଥିରୁ ନିବୃତ୍ତ ହେବାକୁ କହିଲେ । କିନ୍ତୁ ଦେଶ ସ୍ୱାଧିନତା ପ୍ରତି ତାଙ୍କ ମନ ଚଞ୍ଚଳ ରହିଥିଲା ।

ସେହି ବର୍ଷ ମହାତ୍ମା ଗାନ୍ଧୀ ପାରଳା ଆସି ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ସଭା କଲେ । ବର୍ତ୍ତମାନ ସେଠାରେ ଗୋପାଳକୃଷ୍ଣ ପାଠାଗାର ନଗର ପରିଷଦ ଗଢ଼ି ଉଠିଛି । ସଭା ସ୍ଥଳକୁ ଜନଶ୍ରୋତ ମହାତ୍ମାଙ୍କ ଭାଷଣ ଶୁଣିବା ପାଇଁ ଭିଡ଼ ଜମାଇ ଥାଆନ୍ତି । ସତ୍ୟନାରାୟଣଙ୍କ ସହ କେତେକ ଛାତ୍ର ଚକ୍ରାକାରରେ ହାତକୁ ହାତ ଘେର କରି ମହାତ୍ମା ଗାନ୍ଧୀଙ୍କୁ ଭିଡ଼ ମଧ୍ୟରେ ସଭା ମଞ୍ଚକୁ ନେଉ ଥାଆନ୍ତି । ରାଜଗୁରୁ ମହାତ୍ମା ଗାନ୍ଧୀଙ୍କ ପଛ ପଟେ ଥିଲେ । ଲୋକଙ୍କ ଚାପରେ ସେ ଝୁଣ୍ଟି ପଡ଼ିଲେ ମହାତ୍ମାଙ୍କ ଉପରେ । ମହାତ୍ମା ପଛକୁ ଚାହିଁ ସତ୍ୟନାରାୟଣଙ୍କୁ କହିଲେ, “ଛୋକରା ତୁ ଅପନେ ଆପ କୋ ସମ୍ଭାଲ ନେହି ପା ରାହ ହେ, ମୁଝେ କ୍ୟା ସମ୍ଭାଲେଗା ।” ଗାନ୍ଧୀ ଘେର ଭାଙ୍ଗି ଚାଲି ଯାଇଥିଲେ ଭାଷଣ ଦେବାକୁ ମଞ୍ଚ ଉପରକୁ ।

୧୯୪୮ ମସିହାରେ କଟକରେଡିଓ ଷ୍ଟେସନ କାର୍ଯ୍ୟ ଆରମ୍ଭ ହେଲା । କଲିକତାରୁ ଜତୀନ ଦାସ ଆସି ରେଡିଓ ଷ୍ଟେସନ୍ ଡାଇରେକ୍ଟର୍ ରୂପେ ଯୋଗ ଦେଲେ । ଉକ୍ତ ମସିହାରେ ଜାନୁଆରୀ ୩୦ରେ ନାଥୁରାମ ଗଡ଼ସେର ଗୁଳିରେ ଦିଲ୍ଲୀ ରାମଲୀଳା ମୈଦାନ୍‌ରେ ଟଳି ପଡ଼ିଲେ । ମହାତ୍ମାଙ୍କ ସ୍ମୃତିରେ ଥରେ ରାଜଗୁରୁ ଗୋଟିଏ ଗୀତ ଲେଖି ତାଙ୍କ ଝିଅ ମନୋରମା ଓ ତାଙ୍କ ଶାଳକ ଝିଅ ବସନ୍ତକୁମାରୀଙ୍କୁ ଶିଖାଇଥିଲେ । ୩୦ ଜାନୁଆରୀ ମହାତ୍ମା ଗାନ୍ଧୀଙ୍କ ଦେହାନ୍ତ ବେଳେ ସତ୍ୟନାରାୟଣ ରାଜଗୁରୁ କଳାହାଣ୍ଡିରୁ କଟକ ଯାଇ ଶଳା ଅଭିମନ୍ୟୁ ମିଶ୍ରଙ୍କ ଘରେ ଥିଲେ, ସେ ସେଠି ମୁନସାଫ୍ ଥିଲେ । ଗାନ୍ଧୀଙ୍କ ଦେହାନ୍ତ ଖବର ଶୁଣି ଜତୀନ ଦାଶଙ୍କୁ କହି ଝିଅ ବସନ୍ତ କୁମାରୀଙ୍କୁ ସତ୍ୟ ନାରାୟଣ ଶିଖାଇଥିବା ଗୀତଟି କଟକ ରେଡିଓ ଷ୍ଟେସନରେ ଗାନ କରାଇ ଥିଲେ । ଏ ଗୀତଟି ଖୁବ ପ୍ରଶଂସା ପାଇଥିଲା ।

କଟକରେ ପ୍ରଥମ କରି ରାଜଧାନୀ ଆରମ୍ଭ ହେଲା । କାମଚଳା ମୁଖ୍ୟମନ୍ତ୍ରୀ ରୂପେ ଶ୍ରୀ ନିତ୍ୟାନନ୍ଦ କାନୁନଗୋ ରହିଥିଲେ । ସତ୍ୟନାରାୟଣ ରାଜଗୁରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କହିଲେ, ଓଡ଼ିଶାର ଇତିହାସ ଲେଖିବାକୁ ହେଲେ ବିଭିନ୍ନ ଗଡ଼ଜାତ ରାଜ୍ୟ ଯଥା କଳାହାଣ୍ଡି ସଂଗ୍ରହ କରିଥିବା ପ୍ରତ୍ନତତ୍ତ୍ୱ, ମୟୂରଭଞ୍ଜ ସଂଗ୍ରହାଳୟର ପୂରାତନ ବସ୍ତୁ ଓ ପୁସ୍ତକାଦି ଏକାଠି କରିବାକୁ ହେବ । ବିଭିନ୍ନ ମନ୍ଦିରମାନଙ୍କ ଭଗ୍ନାବଶେଷ ଶିଳାଲେଖ, ତାମ୍ର ଫଳକ ସହ ପୂରାତନ ତାଳପତ୍ର ପୋଥି ସଂଗ୍ରହ କରାଯାଇ ଗୋଟିଏ ସଂଗ୍ରହାଳୟ ଓଡ଼ିଶାରେ ସ୍ଥାପନ କଲେ ଏହି ଅନ୍ଧକାର ଯୁଗ ଶେଷ ହୋଇ ଓଡ଼ିଶାର ଇତିହାସ ପ୍ରକାଶ ପାଇବ ।”

ସେହିପରି ପାରଳାର ମାଳ ଅଞ୍ଚଳରେ କମଳା ଗଛ ରୋପଣ ସେଠାକାର ଜଳବାୟୁରେ ଖାପ ଖାଇବ । ସତ୍ୟନାରାୟଣଙ୍କ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ବିଷୟରେ ମୁଖ୍ୟମନ୍ତ୍ରୀ କାନୁନଗୋଙ୍କଠୁଁ ୨ଖଣ୍ଡ ଚିଠି ପାଇଥିଲେ । ତାହା ଲେଖକ ସ୍ଵଗୃହରେ ଦେଖିଛନ୍ତି ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ମୋ ଜୀବନ ସଂଗ୍ରାମ ବହିରେ ମଧ୍ୟ ଉଲ୍ଲେଖ ଅଛି ।

ମହାତ୍ମା ଗାନ୍ଧୀଙ୍କ ଅହିଂସା ଅସ୍ତ୍ର, ଚନ୍ଦ୍ର ସୂର୍ଯ୍ୟ ଅସ୍ତ ହେଉନଥିବା ରାଜତ୍ୱରୁ ଭାରତକୁ ୧୯୪୭ ଅଗଷ୍ଟ ୧୫ରେ ମୁକ୍ତ କରିପାରିଥିଲା । ବଳ ପ୍ରୟୋଗ କରି ଏହି ଭାରତ କେବେ ସ୍ଵାଧୀନତା ପାଇନଥାନ୍ତା । ଏହି ମହାନ କାର୍ଯ୍ୟ ପାଇଁ ମହାତ୍ମାଙ୍କୁ ପୃଥିବୀସାରା ପ୍ରଶଂସା କରନ୍ତି । ୧୯୫୪ ମସିହାରେ ପ୍ରଫେସର ଗୋରା ପାରଳା ଆସି ସତ୍ୟନାରାୟଣଙ୍କ ଘରେ ପହଞ୍ଚିଲେ । ସେତେବେଳେ ସତ୍ୟନାରାୟଣ ଭୁବନେଶ୍ୱରରେ ଥାଆନ୍ତି । ସେ ଆସିବାର ଉଦେଶ୍ୟ ଥିଲା ଯେ, “ଭୁବନେଶ୍ୱରରେ ସନ୍ଥ ବିନୋବା ଭାବେଙ୍କ ହିନ୍ଦୀ ଭାଷଣକୁ ଭାଷାନ୍ତର କରି କହିବେ । ଦିନ ବେଳା ସେ ଲେଖକଙ୍କ ଘରେ ଖାଇଥିଲେ, ତାଙ୍କର ସେହି ତେଜିଆନ ରୂପକୁ ଲେଖକ ଭୁଲି ପାରୁନାହାନ୍ତି ଆଜିଯାଏଁ । ବାଡ଼ି କୂପ ନିକଟରେ ତାଙ୍କର ଖଦଡ଼ ପରିଧାନ ବସ୍ତ୍ର ନିଜେ ସଫା କଲେ । ଲେଖକ ନିଜେ ଗୋରାଙ୍କ ବସ୍ତ୍ର ସଫା କରିଦେବେ ବୋଲି କହିବାରୁ ପ୍ରଫେସର ବାରଣ କରି କହିଲେ, ”ମୋର ବସ୍ତ୍ର ନିଜେ ମୁଁ ସଫା କରେ କାହା ହାତରେ କରାଏ ନାହିଁ । ଲେଖକ କୂପରୁ ପାଣି କାଢ଼ି ଦିଅନ୍ତେ, ଗୋରା କହିଲେ, “ହାର୍ଡ ୱାଟରରେ ସାବୁନ ବହୁତ ଘସିଲେ ଫେଣ ବାହାରୁଛି ।”

(ରଚନା: ସୀତାକାନ୍ତ ରାଜଗୁରୁ, ପାରଳାଖେମୁଣ୍ଡି)

ରାଜଗୁରୁ ମହାଶୟ ଏହି ପାଣ୍ଡୁଲିପିର ଡିଜିଟାଲ୍ ଲେଖା ଲେଖିବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ମୁଁ ଭାରି ଆନନ୍ଦିତ ।

— ବିଷ୍ଣୁ ମୋହନ ଅଧିକାରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଷ୍ଣୁ ମୋହନ ଅଧିକାରୀ

ବିଷ୍ଣୁ ମୋହନ ଅଧିକାରୀ ମୁଖ୍ୟତଃ ଗଜପତି ଜିଲ୍ଲାର ବିଭିନ୍ନ କଥା ସୋସିଆଲ ମିଡ଼ିଆ ଏବଂ ବ୍ଲଗ୍ ଜରିଆରେ ଲୋକଲୋଚନକୁ ଆଣିଥାନ୍ତି ।

Leave a Reply

Close Menu