You are currently viewing ପିଲାଦିନକୁ ଫେରିଯିବା
Piladinaku Pherijiba (ପିଲାଦିନକୁ ଫେରିଯିବା) by Batya Bijayini

ପିଲାଦିନକୁ ଫେରିଯିବା

ପିଲା ଦିନର ସ୍ମୃତି ସତେ ଅବା ଅସରନ୍ତି ଅଙ୍କା ବଙ୍କା ନଦୀ ପରି । ଥରେ ବଖାଣିବା ଆରମ୍ଭ କରିଲେ ରାତି ପାହି ଯିବ ହେଲେ ଗପ ସରିବନି । ହେଲେ ଏତେ ଗପ ଶୁଣିବାକୁ ଆଜି କାଲି ନା କାହାପାଖରେ ସମୟ ଅଛି ନା ଧୈର୍ଯ୍ୟ । ବହୁତ ଦିନ ହେବ ଭାବୁଥିଲି ସାଉଣ୍ଟିଥିବା ନିଜର ସ୍ମୃତିର ଏହି ପୁଷ୍ପଗୁଚ୍ଛକୁ ଧରି ଏକ ଗଳ୍ପର ହାର ଗୁନ୍ଥିବାକୁ, ହେଲେ ବର୍ତ୍ତମାନ ସମୟ ସହ ସମସ୍ତଙ୍କୁ ଦୌଡ଼ିବାକୁ ପଡ଼ୁଛି । ଏତେ ସବୁ କାମ କରିବାକୁ କାହା ପାଖରେ ସମୟବା କାହିଁ !? ହେଲେ ଆଜି କାଲିର ଏହି ଲକ୍ ଡାଉନ୍‌ର, ସଟ୍ ଡାଉନ୍ ଭିତରେ ଆଉ ଆଜିର ଏଇ ମୌସୁମୀ ବର୍ଷା ପାଗରେ ଘର ଲୋକଙ୍କ ସହ ବସି ହସ ଥଟ୍ଟା ମଜା ସହ ଦେଶ ଦୁନିଆର କଥା ପୁଣି ଗରମ୍ ଗରମ୍ ପକୁଡ଼ି, ଚାହା, ମୁଢ଼ି ମିସ୍ଚର ସହ ଏମିତି କେତେ କ’ଣ ଗପ ସପ ଆଉ ଖାଇବା ଚାଲିଥାଏ । ଏଇ ସବୁ ପୁଣି ଥରେ ମୋର ସେହି ପୁରୁଣା ସ୍ମୃତିକୁ ତାଜା କରି ଦେଉଛି ।

ସ୍ମୃତିର ଅଙ୍କା ବଙ୍କା ରାସ୍ତାରେ କିଛି ସ୍ମୃତି ଖୁସି ଦିଏ ତ ପୁଣି କିଛି ଦୁଃଖ । ଅଜଣାତରେ ଛୋଟ ବେଳେ କରିଥିବା ମଜା ମାସ୍ତି ଯେ ବର୍ତ୍ତମାନର ଏତେ ସୁନ୍ଦର ସ୍ମୃତିରେ ପରିଣତ ହେବ ଏହା ଯେ ମୁଁ କେବେ ଭାବି ନଥିଲି । ମୋର ଏବେବି ମନେ ଅଛି ଯେବେ ମୁଁ ଆଉ ମୋ ଭାଇ ପ୍ରଥମଥର ସ୍କୁଲ ଯାଇଥିଲୁ, ଗୋଟେ ଟିଫିନ୍ ଆଉ ଗୋଟିଏ ପାଣି ବୋତଲ୍ ଦୁଇ ଜଣ ନେଇ ଯାଇଥିଲୁ । ଭାଇ ପାଖରେ ପାଣି ବୋତଲ୍ ଆଉ ମୋ ପାଖରେ ଟିଫିନ୍ ବସ୍କ ରହିଯାଇଥିଲା । ଟିଫିନ୍ ଛୁଟିରେ ଦୁହେଁ ଦୁହିଁଙ୍କୁ ସ୍କୁଲ୍‌ରେ ଖୋଜି ଖୋଜି ପାଇନଥିଲୁ, ଆଉ ଶେଷରେ ମୁଁ ଟିଫିନ୍ ଖାଇ ରହିଥିଲି ଆଉ ମୋ ଭାଇ ପାଣି ପି’ ରହିଥିଲା । ଏହା ପରେ ଘରେ ଆସି ଆମେ ଦୁହେଁ ପରସ୍ପରକୁ ଦୋଷ ଦେଇ ବହୁତ୍ ଝଗଡ଼ା ଲାଗିଥିଲୁ । ତା’ପରେ ସ୍କୁଲରେ ଦୁଷ୍ଟାମିରେ ଦୁହେଁ ଦୁହିଁଙ୍କଠାରୁ କମ୍ ନଥିଲୁ । ମୋ ଭାଇକୁ କେହି ମାରିଲେ ସିଏ ମୋ ଠାରୁ ମାଡ଼ ଖାଉଥିଲା । ପାଠ ପଢ଼ା, ଖେଳକୁଦ, ଚିତ୍ରାଙ୍କନ ସବୁଥିରେ ମୁଁ ପାରଙ୍ଗମ ଥିଲି, ଏନ୍.ସି.ସିରେ ମଧ୍ୟ ବହୁ ଜାତୀୟ ସ୍ତରରେ ପୁରସ୍କାର ପାଇଛି । ହେଲେ ଦୁଷ୍ଟାମିରେ ସର୍ବୋପରି ପ୍ରଥମ ସ୍ଥାନରେ ଥିଲି । ସ୍କୁଲରେ ଗୁରୁଜିଗୁରୁମାଙ୍କଠାରୁ ଆରମ୍ଭ କରି ଧୂଳି ମାଟି ଯାଏଁ ସମସ୍ତେ ଆମ ଭାଇଭଉଣୀଙ୍କ ଦୁଷ୍ଟାମି ବିଷୟରେ ଅବଗତ ଥିଲେ । ଯେତେବେଳେ ଦୁଷ୍ଟାମି କରି ଧରା ପଡ଼ିଥାଏ ଆଉ କ୍ଲାସ୍ ରୁମ୍‌ରୁ ବାହାରକୁ ଯାଏ ସେତେବେଳେ ମୁଁ ମୋ ଦଣ୍ଡକୁ ଭୁଲି ବାହାରେ ଲୁଚି ଲୁଚି ବୁଲେ । ଘରୁ ଲୁଚେଇ ଖାଇବା ଜିନିଷ ନେଇ କ୍ଲାସ୍‌ରେ ସାର୍‌ଙ୍କୁ ଲୁଚି ଲୁଚି କେତେ ଯେ ସାଙ୍ଗମାନଙ୍କ ସହ ମିଶି ମୁଢ଼ି ମିସ୍ଚର ଫିଷ୍ଟ କରିଛି । ବର୍ଷାରେ କେତେଥର ଓଦା ହୋଇ ଘରକୁ ଆସିଛି, ଆଉ ଘରେ ପହଞ୍ଚିବା ପରେ ମା’କୁ କେତେ ଯେ ମିଛ କାହାଣୀ ଶୁଣାଇଛି । ଏହି ଝିପ୍ ଝିପ୍ ବର୍ଷା ହେଲେ ମନେ ପଡ଼େ ମୋର ସେ ପିଲାଦିନର କଥା ଯେତେବେଳେ ମୁଁ ଏହି ଝିପ୍ ଝିପ୍ ବର୍ଷାରେ ଓଦା ହୋଇ ସେତେବେଳର ଫେମସ୍ ଗୀତ “ମୁଁ ମେଡ଼ି ଇନ୍ ଓଡ଼ିଶା” ତାଳରେ ନାଚିବାକୁ ଆରମ୍ଭ କରିଦିଏ ।

ପ୍ରତିଦିନ ସ୍କୁଲ୍‌ ଯିବା ସମୟରେ ବାପା ଦେଉଥିବା ଦଶ ଟଙ୍କାକୁ ରଖି ସେଥିରେ ପାଞ୍ଚ ଟଙ୍କିଆ ଚୁଡ଼ି, ବିନ୍ଦି କିଣି ଘର ଭିତରେ ବୋଉର ଶାଢ଼ୀ ପିନ୍ଧି ସେହି ବୋହୁ ବୋହୁ ଖେଳ କଥା ଏବେ ମନେ ପଡ଼ିଲେ ଭାରି ହସ ଲାଗେ । ସ୍କୁଲ୍‌ରୁ ଆସିବା ପରେ ଦିଦିର ସ୍କୁଲ୍‌ରୁ ଫେରିବା ବାଟକୁ ଚାହିଁ ରହିଥାଏ, କାରଣ ଦିଦି ତା’ ସାଥିରେ ଆଣିଥାଏ ସୁନ୍ଦର ସୁନ୍ଦର ଖାଇବା । ରାତିରେ ସାଇକେଲରେ ସାଙ୍ଗମାନଙ୍କ ସହ ଟିଉସନ୍‌ରୁ ଫେରିବା ସମୟରେ ସାଇକେଲ ଅଟକି ଯାଏ ସେହି ଟିଉସନ୍ ପାଖରେ ଥିବା ଗୁପ୍ ଚୁପ୍ ଦୋକାନ ପାଖରେ । ପୁଣି “ମା’ମଙ୍ଗଳା ଟିଫିନ୍ ସେଣ୍ଟରରୁ” ୫ ଟଙ୍କାରେ ପୁରି ଆଳୁ-ଦମ୍ ଆଣି ଘର ଲୋକଙ୍କଠାରୁ ଲୁଚି ଛାତ ଉପରେ ଖାଇବାରେ ଥିଲା ଅଲଗା ଅନୁଭୂତି । ସେହି ଖରାଦିନ ଛୁଟିରେ ସାଙ୍ଗମାନଙ୍କ ସହ ଲୁଚ କାଳି ଖେଳ, ପୁଣି ସାଇକେଲ ରେସ୍ । କେତେଥର ସାଇକେଲରୁ ପଡ଼ି ଯେ ଗୋଡ଼ ଖଣ୍ଡିଆ କରିଛି ତା’ର ଠିକଣା ନାହିଁ । ଦୁର୍ଗାପୂଜା ଛୁଟିରେ ମାମୁଁ ଘର ଗାଆଁ ଆଉ ଗାଁ’ର ପୋଖରୀ ତୁଠ, ଅଜାଙ୍କ ଖଜୁରୀ କୋଳି, କଇଁଫୁଲ । ଏସବୁକୁ ଅବା ଗୋଟେ ଯୁଗ ହୋଇ ଗଲାଣି । ଏବେ ନା ମୋର ଅଜା ଅଛନ୍ତି, ନା ଆଉ ସେ ସ୍ମୃତି ଅଛି । ସତରେ କେତେ ଅଜବ ଆମେମାନେ, ଛୋଟ ବେଳେ ବଡ଼ ହେବା ଆଉ କଲେଜ ଯିବାର ଇଚ୍ଛା ଆଉ ଆଜି ସେହି ଇଚ୍ଛା ପୂରାହେବା ପରେ ପୁଣି ଥରେ ସେହି ପୁରୁଣା ସମୟକୁ ଫେରି ଯିବାର ଆଶା । ଆଜି ନିଜର ଇଚ୍ଛା ପୁରଣ କରିବାକୁ ମୁଁ ଯଥେଷ୍ଟ ବଡ଼ ହୋଇସାରିଛି ହେଲେ କାହିଁକି କେଜାଣି ପୁଣି ସେମିତି ଅବୁଝା ହେବାକୁ ଇଚ୍ଛା ହେଉଛି । ସ୍କୁଲ ସରିଗଲା ସାଙ୍ଗସାଥି ମାଧ୍ୟ ଚାଲିଗଲେ । ସମୟ କିଛି ନୂଆଲୋକ ଆଉ ପରିସ୍ଥିତି ସହ ଭେଟ କରାଇଲା ତ ପୁଣି କିଛି ଆପଣାର ଲୋକ ଆଉ ସେମାନଙ୍କ ସହ କିଛି ଅନ୍ତରଙ୍ଗ ମୁହୁର୍ତ୍ତକୁ ଅତୀତର ସେହି ପୁରୁଣା ଡାଏରୀରେ ହିଁ ରଖିଦେଲା ।

ବଡ଼ ଭଉଣୀର ବାହାଘର ପରେ ଦୀର୍ଘ ସାତ ଆଠ ବର୍ଷ ହେବ ମୁଁ ଏକା ହୋଇଯାଇଥିଲି । +୨ ବେଳେ ମୁଁ ହଷ୍ଟେଲରେ ରହିଲି, ମଝିଆ ଭଉଣୀ ବାଲେଶ୍ୱରରେ ରହୁଥିଲା, ପୁଣି ଯାହା ମଝିରେ ମଝିରେ ଛୁଟି ଦିନରେ ଦେଖା ହେଉଥିଲା ସେତକବି ବନ୍ଦ ହୋଇଗଲା । ଦିଦିର ପାଠପଢ଼ା ସରିଗଲା ଆଉ ସିଏ ବାଙ୍ଗାଲୋର ପଳେଇଲା ବଡ଼ ଭଉଣୀ ପାଖକୁ । ପ୍ରାୟ ବର୍ଷେ ପରେ ପୁଣି ଦିଦି ଘରକୁ ଫେରିଥାଏ, ମୋର +୨ ପରୀକ୍ଷା ବି ସରିଥାଏ; ଭାବିଥିଲି ଦୁଇ ଭଉଣୀ ବହୁତ ମଜା କରିବୁ, ଡ୍ରେସ୍ କିଣିବୁ । ହେଲେ ଏମିତି କିଛିବି ହେଲାନାହିଁ । ସେତେବେଳେ ହଠାତ ଜେଜେ ବାପାଙ୍କର ଦେହ ଖରାପ ହେଲା ଆଉ ଦେଖୁ ଦେଖୁ ଦୁଇ ମାସ ବହୁ ଯନ୍ତ୍ରଣା ପାଇବା ପରେ ଶେଷରେ ଜେଜେବାପା ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ । ଏହି ସମୟରେ ସବୁ ଭାଇ ଭଉଣୀ ଏକାଠି ହୋଇଥିଲୁ ସତ ହେଲେ ସେତେବେଳର ପରିସ୍ଥିତି ଆମକୁ ହସ ଖୁସି କରିବାକୁ ଅନୁମତି ଦେଇ ନଥିଲା । ଏମିତିବି ବର୍ତ୍ତମାନ ତ ସମସ୍ତେ ନିଜ ନିଜ ଘର ସଂସାର ଆଉ ଜଞ୍ଜାଳରେ ବ୍ୟସ୍ତ । ଆଉ ଟିକିଏ ଫୁରୁସତ ମିଳିଲେ ଫେସ୍‌ବୁକ୍ ଆଉ ହ୍ୱାଟ୍‌ସ୍ଆପ୍‌ରେ ଲୋକ ଦେଖାଣିଆ ଫୋଟୋ ଅପ୍‌ଲୋଡ଼୍ କରି ମାଇଣ୍ଡ୍ ଫ୍ରେସ୍ କରନ୍ତି । ସତ କହିବାକୁ ଗଲେ ଅତୀତର ମିଠା ସ୍ମୃତି ସାଉଣ୍ଟି ଥିବା ସେହି ମଣିଷଙ୍କ ମଧ୍ୟରେ ଏବେ ଆଉ ସେହି ମଧୁରତା ନାହିଁ । ଏହା ପରେ ପରିସ୍ଥିତି ସ୍ୱଭାବିକ ହେବାକୁ ହିଁ ଯାଉଥିଲା, ମୋ ମଝିଆ ଭଉଣୀର ବାହାଘର ଠିକ୍ ହୋଇଗଲା ଆଉ ଦେଖୁ ଦେଖୁ ବାହାଘର ମଧ୍ୟ ସରିଗଲା । ଆଉ ସାଥିରେ ପଢ଼ୁଥିବା ଭାଇ ମଧ୍ୟ ଇଞ୍ଜିନିୟରିଂ ପାଇଁ କଟକ ପଳେଇଲା । ମୁଁ ଘରେ ରହି ପଢ଼ିଲି । ଏବେ ମୁଁ ସମ୍ପୂର୍ଣ୍ଣ ଏକା ହୋଇଗଲି । ବାପା ଦାଦା ବି ତାଙ୍କ କାମରେ ପଳାନ୍ତି । ଘରେ ଜେଜେମା, ବୋଉ, ମମି (ସାନ ମା’) ରହୁଥିଲୁ । ସମୟ କ୍ରମେ ଜେଜେମା ମଧ୍ୟ ଆମକୁ ଛାଡ଼ି ଚାଲିଗଲେ ଆଉ ମୁଁ ଆହୁରି ଏକା ହୋଇଗଲି । ଘରର ଚାରି କାନ୍ଥ ଭିତରେ ମୁଁ ମଧ୍ୟ ଆବଦ୍ଧ ହୋଇଗଲି । ଆଉ ଯେବେବି ଭାଇଭଉଣୀ କୌଣସି ପୂଜା ପାର୍ବଣରେ ଦେଖା ହେଉଥିଲୁ, ସେଥିରେ ସେହି ପୁରୁଣା ଦିନର ଖୁସି ନଥିଲା । ସାଙ୍ଗ ହୋଇ ଗୋଟେ ଛାତ ତଳେ ରହିଲେ ମଧ୍ୟ ସବୁ ନିଜ ନିଜ କାମରେ ବ୍ୟସ୍ତ ରହୁଥିଲେ । ଏହାପରେ ମୁଁ ମଧ୍ୟ ପଢ଼ିବା ପାଇଁ ବାହାରୁ ଚାଲିଗଲି, ଆଉ ହାତ ଗଣତିରେ ଥିବା କେତେ ଜଣ ଲୋକଙ୍କ ପାଖରୁ ମଧ୍ୟ ଦୂର ହୋଇଗଲି, କୌଣସି ପୂଜା ପର୍ବଣରେ ମଧ୍ୟ ଘରକୁ ଆସି ପାରିନଥିଲି ।

ହେଲେ ଆଜି ଏହି କରୋନା ମହାମାରି ସମସ୍ତଙ୍କୁ ଉଚିତ୍ ଶିକ୍ଷା ଦେଇଛି । ସମସ୍ତଙ୍କୁ ଏକା ସାଙ୍ଗରେ ଚାରି କାନ୍ଥ ମଧ୍ୟରେ ବନ୍ଦ କରିଦେଇଛି । ଆଉ ସମସ୍ତେ ନିଜ ନିଜ କାମ ବନ୍ଦ କରି ପରସ୍ପର ପ୍ରିୟ ଜନଙ୍କ ସହ ସମୟ ବିତାଇବାକୁ ବାଧ୍ୟ ହୋଇଛନ୍ତି । ଆଜି ଆମେ ସମସ୍ତେ ବାପା, ମାଆ, ଛୁଆ ସନ୍ଧ୍ୟାବେଳେ ସାଙ୍ଗ ହୋଇ ବସି ଗପ କରୁଛୁ ଚାହା ପିଉଛୁ, ପକୁଡ଼ି ଖାଉଛୁ । ସାଥିହୋଇ ଘରେ ନୂଆ ନୂଆ ଖାଇବା ରୋଷେଇ କରୁଛୁ, ଗଛ ଲଗାଉଛୁ । ମୋ ଦାଦାଙ୍କୁ ଆମେ ମାନେ ବହୁତ ଭୟ କରୁ, ହେଲେ ଏବେ ସିଏ ମଧ୍ୟ ଆମର ସମସ୍ତ ହସ ଖୁସିରେ ସମାନ ଭାଗିଦାର ହେଉଛନ୍ତି । ଆଜି କରୋନା ପୁଣି ଥରେ ସମସ୍ତଙ୍କୁ ଏକାଠି କରି ପୁଣି କିଛି ସ୍ୱର୍ଣ୍ଣମୟୀ ସ୍ମୃତି ଗଢ଼ିବାରେ ସହାୟ ହୋଇଛି ।

– ବାତ୍ୟା ବିଜୟିନୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବାତ୍ୟା ବିଜୟୀନି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।