You are currently viewing ଆଧୁନିକ ଓଡ଼ିଶାର ସାଲବେଗ: ମହମ୍ମଦ ସିକନ୍ଦର ଆଲାମ
ମହମ୍ମଦ ସିକନ୍ଦର ଆଲାମ

ଆଧୁନିକ ଓଡ଼ିଶାର ସାଲବେଗ: ମହମ୍ମଦ ସିକନ୍ଦର ଆଲାମ

ମହମ୍ମଦ ସିକନ୍ଦର ଆଲାମ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଆଜି ବି ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ ।

କଟକ ଜିଲ୍ଲାର ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ସିକନ୍ଦର ଆଲାମ । ବାଲ୍ୟ ଜୀବନ ତାଙ୍କର କଟିଥିଲା ଜନ୍ମମାଟିରେ । ପରବର୍ତ୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ ଚାଲିଆସିଥିଲେ କଟକ ସହରକୁ । କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିବାପରେ ସଙ୍ଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ୱର ସହ ସଙ୍ଗୀତ ବିଶାରଦ ହାସଲ କରିଥିଲେ ।

୧୯୫୭ ମସିହାରେ, ମାତ୍ର ୧୮ ବର୍ଷ ବୟସରେ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ ସିକନ୍ଦର । ଭଜନ, ଜଣାଣ, ଗଜଲ, ଆଧୁନିକ ସଙ୍ଗୀତରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ । ୧୯୬୨ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କଣ୍ଠଦାନ କରିବା ଆରମ୍ଭ କରିଥିଲେ । ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ ସେ କଣ୍ଠଦାନ କରିଥିଲେ ଲକ୍ଷ୍ମୀରେ । ତାଙ୍କର ପ୍ରଥମ ଗୀତଟି ଆରମ୍ଭ ହିଁ ଅନେକ ଲୋକପ୍ରିୟତା ସାଉଁଣ୍ଟିଥିଲା । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ, ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ । ଏତଦ୍‌ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ସେ ଦୁଇ ହଜାରରୁ ଅଧିକ ଗୀତ ଗାଇଥିଲେ ।

ସିକନ୍ଦର ଆଲାମଙ୍କ ପତ୍ନୀ ନାଇମା ଆଲାମ ମଧ୍ୟ ଜଣେ ସୁଗାୟିକା ତଥା ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ତାଙ୍କର ଦୁଇ ଝିଅଙ୍କ ମଧ୍ୟରୁ ବଡ଼ ଝିଅ ସୋଫିଆ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । ସେ ତାଙ୍କର ପତ୍ନୀ ନାଇମା ଓ କନ୍ୟା ନାଜିଆଙ୍କ ସହ ମିଶି ‘ଆଲ୍ଲା କେ ହୁଜୁର’ ନାମରେ ଏକ ଆଲବମ ମଧ୍ୟ କରିଥିଲେ ।

ପ୍ରଥମ ଓଡ଼ିଆ ଗାୟକ ଭାବରେ ‘ବିବିସି’ରେ ତାଙ୍କ ଗୀତ ବାଜିଥିଲା । ସେ ‘ଓଡ଼ିଶା ରାଜ୍ୟ ସଂଗୀତ ନାଟକ ଏକାଡେମି’ର ଉପ-ସଭାପତି ଓ ‘ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନ’ର ସଭାପତି ଭାବେ କାର୍ଯ୍ୟ କରିଥିଲେ । ୨୦୧୦ ମସିହାର ଅଗଷ୍ଟ ମାସ ୮ ତାରିଖରେ ସଭିଙ୍କୁ ଶୋକ ସାଗରେ ଭସାଇଦେଇ ୭୧ ବର୍ଷ ବୟସରେ ସେ ଇହଲୋକ ତ୍ୟାଗ କରିଥିଲେ ।

ଉତ୍ସ: ଓଡ଼ିଆ ଉଇକିପିଡ଼ିଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।