You are currently viewing ଅବଳା
ଅବଳା - ଓଡ଼ିଆ କାହାଣୀ

ଅବଳା

ଏହାଭିତରେ ବିବାହକୁ ଆଠ ବର୍ଷ ବିତିଗଲାଣି । କିନ୍ତୁ ଆଜିବି ଇତି ମନରେ ପୂର୍ଣ୍ଣତା ନାହିଁ । ଆଜିବି କେଉଁଠି ନା କେଉଁଠି ମନରେ ତା’ର ଖେଳିବୁଲୁଛି ଶୂନ୍ୟତା । ଯେଉଁ ଶୂନ୍ୟତାର ଅନ୍ତରାଳରେ ରହିଛି କିଛି ଅକୁହା କଥା, କିଛି ଅଦେଖା ଦୁଃଖ ଆଉ କିଛି ଅବଶୋଷ । କାହିଁକିନା ସେ ଆଜିବି ମା ହୋଇ ଶାଶୂଘରେ ପାଇନାହିଁ ଜଣେ ମାଆର ମର୍ଯ୍ୟାଦା । କାରଣଟା କ’ଣ ବୋଲି ଭାବୁଛନ୍ତି? କାରଣ ସେହି ଗୋଟିଏ । ଯେଉଁ କାରଣଟା ଆଜିବି ମିଞିମିଞି ଦୀପ ଶିଖାଟି ପରି କେଉଁଠି ନା କେଉଁଠି କାହାରି ନା କାହାରି ମନରେ ଜଳିଚାଲିଛି । ମାତୃତ୍ୱର ସ୍ପର୍ଶ ପାଇ ମଧ୍ୟ ଇତିର ଗର୍ଭଟା ଆଜି ପର୍ଯ୍ୟନ୍ତ ଦେଇପାରିନାହିଁ ଚୌଧୁରୀ ବଂଶକୁ ତା’ର ଉତ୍ତରଦାୟାଦ । ଜନ୍ମ ଦେଇପାରିନାହିଁ ଗୋଟିଏ ପୁତ୍ର ସନ୍ତାନ । ଚାରି ବର୍ଷ ବ୍ୟବଧାନରେ ଦୁଇ କନ୍ୟାରତ୍ନଙ୍କର ମାଆ ବୋଲାଇବାପରେ ମଧ୍ୟ ଚାରିଗୋଟି ନିଷ୍ପାପ ଗର୍ଭସ୍ଥ କନ୍ୟା ଭ୍ରୂଣର ସେ ଜଣେ ନିରବ ହତ୍ୟାକାରିଣୀ । ତା’ର ନିରବତା ସାଜିଥିଲା ତାହାର ସ୍ୱ-ଗର୍ଭସ୍ଥ ଭ୍ରୂଣଙ୍କର ହତ୍ୟାର କାରଣ ଆଉ ସେହି ନିରବତାଟା ହିଁ ଆଜି ସଜାଇ ଦେଇଛି ସେ ଅବଳାଟିକୁ ଗୋଟିଏ ଅପରାଧୀ ରୂପରେ । କ’ଣ ସେ କରିବ !!! ପ୍ରକାଶଙ୍କୁ ଦରକାର ଗୋଟିଏ ପୁଅ । ନଚେତ ଚୌଧୁରୀ ବଂଶର ଯବନିକା ପଡ଼ିଯିବ । ଧନ ସମ୍ପଦ ଜମିବାଡ଼ି ସବୁ ନିରର୍ଥକ ହୋଇଯିବ । ତେଣୁ ଇତି ମଧ୍ୟ ଚାହୁଁନାହିଁ ଇତି ହସ୍ତରେ ଲେଖାଯାଉ ଚୌଧୁରୀ ବଂଶର ଇତି । ସେ ପ୍ରସ୍ତୁତ ନୁହେଁ ଶୁଣିବାକୁ ଯେ କେହି ତାକୁ କଟାକ୍ଷ କରୁ, “ସେ ଚୌଧୁରୀ ବଂଶକୁ ଉତ୍ତରଦାୟାଦ ଦେବାକୁ ଅସମର୍ଥ ।” ପୁତ୍ରର ପ୍ରତୀକ୍ଷାରେ ଇତି ବୈବାହିକ ଜୀବନର ଆଠଟି ବର୍ଷ ଅତିବାହିତ କରିସାରିଲାଣି । ଆଜିବି ପ୍ରକାଶଙ୍କର ଇଚ୍ଛାକୁ ସମ୍ମାନ ଜଣାଇ ଇତି କରିଚାଲିଛି ଗୋଟିଏ ପୁତ୍ରର ପ୍ରତୀକ୍ଷା । ସେ ନିଜେ ମଧ୍ୟ ଜାଣେନାହିଁ କେବେ ଅନ୍ତହେବ ତା’ ପ୍ରତୀକ୍ଷାର ! କେବେ ସେ ଚୌଧୁରୀ ବଂଶରେ କାରଣ ସାଜିବ ଖୁସିର ! ତାର ଅପେକ୍ଷା ଖାଲି ସମୟକୁ । ଆଜି ପ୍ରକାଶଙ୍କ ସହିତ ନିଜ ପ୍ରେମର ପ୍ରତ୍ୟେକଟି ସ୍ପର୍ଶରେ ଆନନ୍ଦ ଅପେକ୍ଷା ସେ ଆଭାସ ପାଏ ପଦଧ୍ୱନି ଭୟର । ପ୍ରେମର ବାସ୍ତବିକ ସଂଜ୍ଞାକୁ ସେ ଅନେକ ବର୍ଷ ପୂର୍ବରୁ ଭୁଲିସାରିଲାଣି । ଏବେତ ପ୍ରେମର ପ୍ରତ୍ୟେକଟି କ୍ଷଣରେ ସେ ଅନୁଭବ କରୁଛି ଭବିଷ୍ୟତର ଯନ୍ତ୍ରଣାକୁ । ଭୟ ଲାଗୁଛି ପ୍ରେମର ଶବ୍ଦଟା ଉଚ୍ଚାରଣ କରିବାକୁ । ସେହି ଭୟରେ ଭୟରେ ନିଜକୁ ସଜାଇହେଉଛି ପୁନର୍ବାର ହତ୍ୟାକାରିଣୀର ପରିଚୟ ପାଇବାକୁ । କାରଣ ସେ ପରା ଗୋଟିଏ ଅବଳା; ଯାହାର ବଳ ନାହିଁ ନିଜ ସହ ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ କିନ୍ତୁ ବଳ ଅଛି ଜଣେ ହତ୍ୟାକାରିଣୀର ପରିଚୟ ପାଇବାକୁ; ଯାହାର ବଳ ନାହିଁ ସଂସାରର ତାଡ଼ନା ଶୁଣିବାକୁ କିନ୍ତୁ ବଳ ଅଛି ଗୋଟିଏ ନିଷ୍ପାପ ଜୀବନର ମୃତ୍ୟୁର ଯନ୍ତ୍ରଣା ଶୁଣିବାକୁ । ତେବେ ଆଜି ପୁଣି ଏକ ପରୀକ୍ଷାର ସମୟ ଆସି ଉପନୀତ । କିଏ ଜାଣେ ଏହି ପରୀକ୍ଷାରେ ଇତି କୃତକାର୍ଯ୍ୟ ହୋଇଥିବ କି ନା !!!

ଆଜି ଦ୍ୱିପ୍ରହରରେ ପ୍ରକାଶ ଫୋନକରି ଇତିକୁ କହିଲେ “ଆଜି ସଂଧ୍ୟାବେଳେ ଡ. ଦାସଙ୍କ ଏପଏଣ୍ଟମେଣ୍ଟ ନେଇସାରିଛି । ଛଅଟା ବେଳକୁ ତାଙ୍କ କ୍ଲିନିକ୍‌ରେ ଆସି ପହଞ୍ଚିଥିବ । ମୁଁ ଅଫିସ୍‌ରୁ ସିଧାଯାଇ କ୍ଲିନିକ୍‌ରେ ପହଞ୍ଚିବି ।” “ଠିକ୍ ଅଛି” କହି ଫୋନ ରଖିଲେ ଇତି । ଏଇତ କିଛିଦିନ ପୂର୍ବରୁ ରାତିରେ ପ୍ରକାଶ କହୁଥିଲେ, “ଜାଣିଛ ଇତି ! ସାହୁ ବାବୁଙ୍କର ଫାଷ୍ଟ ଚାନ୍ସରେ ପୁଅ । ଆଉ ତାଙ୍କର ପିଲାପିଲି କିଛି ଦରକାର ନାହିଁ ବୋଲି ଅଫିସ୍‌ରେ କହୁଥିଲେ । ସତକଥା ଆଜିକାଲି ଗୋଟିଏ ପିଲାକୁ ମଣିଷ କରିବାକୁ ଅବସ୍ଥା ଖରାପ ହୋଇଯାଉଛି । ଆମର ବି ଯଦି ପୁଅଟେ ହୋଇଯାଇଥାଆନ୍ତା ତେବେ ଆଉ ଚିନ୍ତାନଥିଲା । ଆମେ ବି ଗୋଟିଏରେ ଫ୍ୟାମିଲି ପ୍ଲାନିଂ କରିନିଅନ୍ତେ ! ଦେଖିବା ଭଗବାନଙ୍କ କେବେ ଇଚ୍ଛା । ତାଙ୍କୁ ଡାକ ଯେମିତି ଏଥର ତୁମ କୋଳରେ ଆମ ପୁଅ ଖେଳୁ !” ପ୍ରକାଶଙ୍କ କଥାର କୌଣସି ଉତ୍ତର ନଦେଇ ସେଦିନ ସେ ଅବଳାଟି ନିରବରେ ନିଜ ଉପରେ ଅଭିମାନ ଭରା ହସଟେ ହସିଦେଲା । କାହିଁକିନା ପ୍ରତିବାଦର ସାମର୍ଥ୍ୟ ତା’ପାଖରେ ନଥିଲା । ଆଉ ଆଜି ପୁଣି ଏକ ପରୀକ୍ଷା ତା’ ଆଗରେ । ନର୍ସିଂହୋମ୍‌ର କାଠ ବେଞ୍ଚଟା ଉପରେ ବସିବସି ଅନ୍ୟମନସ୍କ ଭାବରେ ତା’ର ନଜର ପଡ଼ିଗଲା କାନ୍ଥରେ ଲାଗିଥିବା ବୋର୍ଡ଼ ଉପରେ । ଯେଉଁଥିରେ ଲେଖାଥିଲା “ଏଠାରେ ଭ୍ରୂଣର ଲିଙ୍ଗ ଚିହ୍ନଟ ହୁଏ ନାହିଁ । ଏହା ଆଇନଗତ ଅପରାଧ ।” ଏହା ପଢ଼ିଦେଇ ମନେମନେ ଅନେକ ହସିଗଲା ଇତି । ଭାବୁଥାଏ କିଏ ଏ ଆଇନ୍‌ଟା କଲା କେଜାଣି? ସିଏ ବୋଧେ ଜାଣିନାହିଁ ଏଇଠି ଆଇନ୍‌ର ଆଇଟା ବନ୍ଧାବୋଲି । ଏହାଭିତରେ ଇତିର ନମ୍ୱରଟା ପାଖେଇ ଆସିଲା । ହେଲେ ଏପର୍ଯ୍ୟନ୍ତ ପ୍ରକାଶଙ୍କର ଦେଖାନଥିଲା । ପ୍ରକାଶଙ୍କର ଆସିବାରେ ବିଳମ୍ୱ ହେବା ଦେଖି ଇତି ମନେମନେ ନିଶ୍ଚୟକଲା ସେ ଏକୁଟିଆ ଯାଇ ଚେକ୍ କରିନେବ । ଏକଥାଟା ଭାବି ବେଞ୍ଚରୁ ଉଠୁଉଠୁ ହଠାତ୍ ଧପ୍ ହୋଇ ପୁଣି ବସିପଡ଼ିଲା ଭୟର ପଦଧ୍ୱନିରେ । “ଯଦି ଆଗଥର ପରି ଏଥରବି ଝିଅଟିଏ ଥିବ, ତେବେ କ’ଣ ହେବ ତା’ର? ହେ ଭଗବାନ ! ମୋର ଏ ସମସ୍ୟାର କ’ଣ ସମାଧାନ କରିବ ତୁମେ ! କେମିତି ନିଜ ଜିଭ ଲେଉଟିବ ପ୍ରକାଶଙ୍କୁ କହିବାକୁ ଯେ ଏଥରବି ସେ ହାରିଯାଇଛି ପରୀକ୍ଷାରେ । କେମିତି ପୁଣିଥରେ ପ୍ରକାଶଙ୍କ ଇଙ୍ଗିତରେ ନିଜ ଗର୍ଭକୁ ଗୋଟିଏ କଂସେଇ ଖାନାର ମାନ୍ୟତାଦେଇ ନିଜେ ପାଲଟିଯିବ ଗୋଟିଏ ନିର୍ଦ୍ଦୋଷ ଜୀବନର ହତ୍ୟାକାରିଣୀ !!!” ହଠାତ୍ ସେ ଅବଳାର ମନଟା ଚିତ୍କାର କରି କହି ବସିଲା “ବାସ୍ …! ବହୁତ ହୋଇଗଲା । ଏଥର ଆଉ ନୁହେଁ । ଏଥର ଇତି ପ୍ରତିବାଦ କରିବ । ଜୀବନର ଶେଷ ପ୍ରତିବାଦ । ପୁଅ ହେଉ ବା ଝିଅ ଏଥର ପୂର୍ଣ୍ଣଚ୍ଛେଦ ପଡ଼ିବ ପରୀକ୍ଷାର । ପୂର୍ଣ୍ଣଚ୍ଛେଦ ପଡ଼ିବ ପ୍ରତୀକ୍ଷାର । ଯଦି ଝିଅଟିକୁ ପ୍ରକାଶ ଆପଣାଇବାକୁ କୁଣ୍ଠାବୋଧକରି ପୁଣି ନଷ୍ଟ କରିବାର ଦୁଃସ୍ଥ ମାନସିକତା ପୋଷଣ କରନ୍ତି, ତେବେ ଏଥର ଆଉ ପୂର୍ବ ଘଟଣାର ପୁନୋରାବୃତ୍ତି ହେବନାହିଁ । ଏଥର ଏ ଇତି ଲଂଘିଯିବ ସମ୍ପର୍କର ଲକ୍ଷ୍ମଣ ରେଖା । ପ୍ରତିବାଦ କରିବ ନିଜ ଉପରେ ହେଉଥିବା ଶାରୀରିକ ଆଉ ମାନସିକ ନିର୍ଯ୍ୟାତନାର । ଜଣାଇଦେବ ଏ ଦୁନିଆକୁ ଯେ ପିତା ବିନା ବି ପାଳନ ସମ୍ଭବ । ସିନ୍ଦୂର ବିନା ବି ସଂସାର ସମ୍ଭବ । ବିନା ପ୍ରକାଶରେ ବି ଇତି ଚାଲିପାରିବ ଜୀବନର ପଥେ ଏକାଏକା । ଏକା ଲେଖିପାରିବ ଜୀବନର ଜୟ ଯାତ୍ରା ।” ଏହାପରେ ଇତି ଆଉ ପୂର୍ବଭଳି ବିଚଳିତ ନଥିଲା । ଏଥର ମାନସିକ ସ୍ତରରେ ସେ ଥିଲା ପୂର୍ଣ୍ଣ ପ୍ରସ୍ତୁତ ଆଗତ ପରୀକ୍ଷା ପାଇଁ । ପୂର୍ଣ୍ଣ ପ୍ରସ୍ତୁତ ପ୍ରକାଶକୁ ମଧ୍ୟ ସମ୍ମୁଖୀନ ହେବାପାଇଁ ।

ଏହାପରେ ଏକାଏକା ଟେଷ୍ଟ ପାଇଁ ଚାଲିଗଲା ଇତି ଡାକ୍ତରଙ୍କ ପାଖକୁ । କିଛି ସମୟର ପରୀକ୍ଷା ପରେ ଡ. ଦାସ କହିଲେ “ମିସେସ୍ ଚୌଧୁରୀ ! ମିଷ୍ଟର ଚୌଧୁରୀ ଆଜି କ’ଣ ଆସିନାହାନ୍ତି?” ଧୀରେ ମୁଣ୍ଡ ହଲାଇ ମନା କଲେ ଇତି । ଏଥର ଡ. ଦାସ କହିଲେ “କନ୍‌ଗ୍ରାଚୁଲେସନ୍ ମିସେସ୍ ଚୌଧୁରୀ ! ଏଥର ମେଲ୍ ବେବି କନ୍ସିଭ ହୋଇଛି ।” ଏହା ଶୁଣି ନିଜ କାନ ଉପରେ ବିଶ୍ୱାସ କରିପାରୁନଥିଲା ଇତି । ଏହି କଥାଟା ଶୁଣିବାକୁ ହିଁ ତ ସେ ଦୀର୍ଘ ଆଠ ବର୍ଷ ହେଲାଣି ଅପେକ୍ଷା କରିଛି । ତେବେ ସତରେ କ’ଣ ସେ ଗୋଟିଏ ପୁତ୍ର ସନ୍ତାନର ଜନନୀ ହେବାକୁ ଯାଉଛି ! ଏହା ଭାବି ଖୁସିରେ ଆତ୍ମହରା ହୋଇପଡ଼ୁଥିଲା ଇତି । ଏତେ ଦିନରେ ସିଏ ଆଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ଯେ । ମନେମନେ ଭାବିଲା ପ୍ରକାଶଙ୍କୁ ସରପ୍ରାଇଜ୍ କରିବ ଏଥର । ହେଲେ ସିଏ ଜାଣିନଥିଲା ଆଉ ଗୋଟିଏ ପରୀକ୍ଷା ତା’ ବାଟ ଚାହିଁବସିଛି । ଇତିର ଖୁସି ଦେଖି ବିଶ୍ୱାସ ହେଉନଥିଲା ଯେ ଏହି କିଛି ସମୟ ପୂର୍ବରୁ ନିଜକୁ ଅବଳା ପରିଚୟର ଖୋଳ ଭିତରୁ ବାହାରକରିବାକୁ ଚେଷ୍ଟା କରୁଥିବା ଇଏ ହେଉଛି ସେହି ନାରୀ । ଲାଗୁଥାଏ ମନରେ ଉଙ୍କିମାରୁଥିବା ଖୁସିର ଲହିଡ଼ିରେ ଯେପରି ଆହୁରି ଭୟଙ୍କର ହୋଇଉଠୁଛି ଇତିର ଅବଳା ଚରିତ୍ରଟା । ଏତିକିବେଳେ କ୍ଲିନିକର ପାହାଚଟା ଓହ୍ଲାଉ ଓହ୍ଲାଉ ଫୋନ୍ଟା ବାଜିଉଠିଲା । ଖୁବ୍ ଉତ୍ସୁକତାର ସହ ପ୍ରକାଶ କରିଥିବା ଫୋନ୍ କଲ୍ଟିକୁ ରିସିଭ୍ କଲେ ଇତି । ସେପଟୁ କାହାର ଏକ ଅଜ୍ଞାତ ସ୍ୱରଟେ କହିବାର ଶୁଣାଗଲା “ଆଜ୍ଞା ! ଏ ସାରଙ୍କର ଏକ୍ସିଡେଣ୍ଟ ହୋଇଯାଇଛି । ଶୀଘ୍ର ସିଟି ହସ୍ପିଟାଲ ପହଞ୍ଚନ୍ତୁ । ମେଁ ବି ହି ଇଜ୍ ନୋ ମୋର୍ ।” ଆଉ ଶୁଣିବାକୁ ଧୈର୍ଯ୍ୟ ନଥିଲା ଇତିର । ପାଗଳିନୀ ପରି ସ୍କୁଟିକୁ ଧରି ମାଡ଼ିଗଲା ସିଟି ହସ୍ପିଟାଲ୍ । ଆଖିରୁ ଝରିପଡ଼ୁଛି ଧାରଧାର ଲୁହ । ନିଷ୍ଠୁର ଭଗବାନ କ’ଣ ତା’ ଖୁସିକୁ ଗୋଟିଏ କ୍ଷଣ ବି ସହିପାରିଲେନି ! ସେ ତ ବିଚ୍ଛେଦ ଚାହିଁନଥିଲା । କିଛି ସମୟ ପୂର୍ବରୁ ଇତି ସଞ୍ଚିଥିବା ସାହସର ଦୁର୍ଗଟା ହଠାତ୍ ଯେପରି ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା । ନିର୍ବାକ ପାଲଟି ଯାଇଥିବା ଇତି ସମୟର ପ୍ରହାରରେ ସତେଯେପରି ଭାଙ୍ଗି ଖଣ୍ଡଖଣ୍ଡ ହୋଇପଡ଼ିଲା । ନିଜ ଅବଳାର ପରିଚୟଟା ନିଜ ଦେହରୁ କାଢ଼ି ଦୂରକୁ ଫିଙ୍ଗି ଦେବାପାଇଁ ଯେତେ ଚେଷ୍ଟା କରୁଥାଏ ସମୟ ଆଉ ପରିସ୍ଥିତି ତାକୁ ସେତେ ଅବଳାର ପରିଚୟ ଦେଇ ତାକୁ ଘୋଡ଼ାଇ ଦେଉଥାଆନ୍ତି ! ବାରମ୍ୱାର ଚେତାଇଦେବାକୁ ଚେଷ୍ଟା କରୁଥାଆନ୍ତି ତା’ ପରିଚୟ ଗୋଟିଏ ଅବଳାର । ସତରେ କ’ଣ ଇତି ପୁଣିଥରେ ନିଜକୁ ଅବଳାର ଖୋଳଟା ଭିତରେ ଲୁଚାଇ ରଖିଦେଲା ! ସମୟ ଆଉ ସମାଜିକ ବ୍ୟବସ୍ଥା ପାଖରେ ସବୁଥର ପରି ପୁଣି କ’ଣ ଗୋଟିଏ ଅବଳାର ପ୍ରତିବାଦର ସ୍ୱରଟା ଛନ୍ଦି ହୋଇପଡ଼ିଲା ! ପ୍ରକାଶ ବିନା ଏକାଏକା ଜୀବନର ବାଟଟା ଚାଲିବାକୁ ସାହସ କରିଥିବା ଇତି କ’ଣ ନିଷ୍ଠୁର ସତ୍ୟ ଆଗରେ ନିଜକୁ ସମର୍ପଣ କରିଦେଲା !! କ’ଣ ପୁଣି ଫେରିଗଲା ସେହି ଅବଳା ଇତିର ପରିଚୟ ନେଇ ! ଏସବୁ ପ୍ରଶ୍ନର ଉତ୍ତର ପାଇଁ କରିବାକୁ ହେବ ଅପେକ୍ଷା ସମୟର । କିନ୍ତୁ ହଁ; ମୁଁ ଜାଣିଛି ଜୁଇର ନିଆଁଟା ଶାନ୍ତ ପଡ଼ିବା ଆଗରୁ ଇତିର ଲୁହଟା ଶାନ୍ତ ପଡ଼ିଯାଇଥିଲା । କୋମଳ ମନଟା ଏହା ଭିତରେ କଠିନ ହୋଇସାରିଥିଲା । ଖାଲି ବାହ୍ୟ ଆବରଣଟା ବଦଳାଇଦେଲେ ଅବଳାର ସଂଜ୍ଞାଟା କେବେ ବଦଳିଯିବନି । ସେଥିପାଇଁ ତାକୁ ଲଢ଼ିବାକୁ ପଡ଼ିବ ଜୀବନର ପ୍ରତିଟି କ୍ଷଣ ସହ; ଜୀବିକା ପାଇଁ ସଂଘର୍ଷ କରିବାକୁ ପଡ଼ିବ ଅହରହ ଆଉ ଶେଷରେ ତାକୁ ଜିତିବାକୁ ପଡ଼ିବ ଜୀବନ ସଂଗ୍ରାମରେ । ତେବେ ଯାଇ “ସ”ର ବିଜୟ ହେବ । ଏଥିରୁ କିଏ କ’ଣ ବୁଝିଲା ସେ କଥା ମୁଁ କହିପାରିବିନି । ମୁଁ କିନ୍ତୁ ପାଇସାରିଥିଲି ଇତି ଆଖିରେ ଆତ୍ମବିଶ୍ୱାସର ଝଲକ, ବୁଝିସାରିଥିଲି ସେ ଅବଳାଟି ଏବେ ପୂର୍ଣ୍ଣ ପ୍ରସ୍ତୁତ ଜୀବନ ସଂଗ୍ରାମରେ ତାକୁ ଆଗକୁ ଅପେକ୍ଷା କରିଥିବା ଅନେକ ଗୁଡ଼ିଏ ପରୀକ୍ଷା ନିମନ୍ତେ । ଏବେ ଜୀବନର ପ୍ରତ୍ୟେକଟି ସୋପାନରେ ସିଏ ପରୀକ୍ଷା ଦେବ । ସଂସାର ଅପେକ୍ଷା କରିଛି ତା’ର ଜୀବନ ସଂଗ୍ରାମ ଦେଖିବାକୁ; ତା’ର ପରୀକ୍ଷା ନେବାକୁ । କାହିଁକିନା ସେ ଜଣେ ଅବଳା ॥

ଜ୍ୟୋତିରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।