You are currently viewing ସଁବାଳୁଆର ସମାଧି
ସଁବାଳୁଆର ସମାଧି

ସଁବାଳୁଆର ସମାଧି

ନକୁଳ ବାବୁ, ପେଶାରେ କିରାଣୀ । ଦଶ ବର୍ଷ ପୂର୍ବେ ତାଙ୍କୁ ଦେଖିଥିଲି ଯେମିତି ଥିଲେ, ଏବେବି ସେମିତି । କୃଶ ତନୁ, କୋଟରଗତ ଚକ୍ଷୁ, ସାତସିଆଁ କୁର୍ତ୍ତା, କାନ୍ଧରେ ଝୁଲା ମୁଣି ଯେଉଁଥିରୁ କଙ୍ଗାରୁ ଶାବକ ପରି ମେଞ୍ଚେ ଅସନା ଫାଇଲ କାଗଜ ଜାକିଜୁକି ଭର୍ତ୍ତି ଅଧା ବାହାରକୁ ଝୁଲିପଡ଼ିଥାଏ, ତାଳି ପକା ଛତା ଧରି ଅଫିସକୁ ବାହାରି ଯାଆନ୍ତି । ତାଙ୍କୁ ଅଫିସ ଯିବା ଦେଖିଲେ ଚଇନି ପାନ ଦୋକାନୀ ହାତରୁ ଘଣ୍ଟା ଖୋଲି ଟାଇମ ସେଟ କରେ- ୯ଟା । ଅଫିସରେ ସେ କାହାସହିତ ଗପସପ ହେବାର କେହି ଦେଖିନାହିଁ । ଅତି ଆବଶ୍ୟକ ନହେଲେ ମୁହଁରୁ ପଦଟିଏ ବାହାରେ ନାହିଁ । ତାଙ୍କ କଲମରୁ ସ୍ୟାହି ଝରିଲେ ହାତରେ ପୋଛି ପକେଇ ମୁଣ୍ଡ ବାଳରେ ନେସି ଦିଅନ୍ତି । ସେଥିପାଇଁ ତାଙ୍କ ମୁଣ୍ଡରେ ଠାଏ ଠାଏ ବାଳ ଗୁଡିକ କଳା ଦେଖାଯାଏ । ଘରୁ ଅଫିସକୁ, ଅଫିସରୁ ଘରକୁ ଏକାମୁହାଁ ଯିବା ତାଙ୍କର ଗତାନୁଗତିକ ଧର୍ମ । ନକୁଳ ବାବୁଙ୍କ ପ୍ରଥମ ସ୍ତ୍ରୀ ପୁଅଟିଏ ଜନ୍ମ କରି ସେପାରିକୁ ଚାଲିଗଲା । କେତେ କଷ୍ଟ ସହି ନକୁଳ ବାବୁ ପୁଅଟିକୁ ନିଜେ ଲାଳନ ପାଳନ କଲେ । ପୁଅକୁ ସାତବର୍ଷ ହେବା ପରେ କି ବୁଦ୍ଧି ଜୁଟିଲା କେଜାଣି, ପୁଣି ଗୋଟାକୁ ବାହା ହେଲେ । ଅସଲ କଥା ହେଲା ତାଙ୍କ ଅଫିସର କେହିଜଣେ ଏ ବୁଦ୍ଧି ଜୁଟେଇ ଥିଲା, ଆଉ ନକୁଳ ବାବୁଙ୍କ ସହିତ କୋକିଳାକୁ ଯୋଖି ଦେଲା । ନାମାର୍ଥ ବିପରୀତ, କୋକିଳା ଭାରି ତୁଣ୍ଡି ଟିଏ । କହନ୍ତି, ଦର୍ଜନେ ପୁଅ ତାକୁ ଦେଖିବାକୁ ଆସିଥିଲେ ହେଲେ କୋକିଳାର ରାଗ ଓ କର୍କଶ ବଚନ ଶୁଣି କେହି ମଙ୍ଗିଲେ ନାହିଁ । ତେଣୁ ତା’ର ବିବାହ ବୟସ ଗଡ଼ି ଯାଇଥିଲା । ଆହୁରି ମଧ୍ୟ ଶୁଣାଯାଏ, ନକୁଳ ବାବୁଙ୍କୁ କୋକିଳା ବିବାହପର ସଂସର୍ଗ ଅଧିକାରରୁ ବଞ୍ଚିତ ରଖିଥିଲା । ତାଙ୍କ ଅଫିସର ଗୀତଗୋବିନ୍ଦର ଜ୍ଞାତା ପଣ୍ଡା ବାବୁ କୁଆଡ଼େ “ଦେହି ପଦ ପଲ୍ଲବ ମୁଦାରଂ” କୌଶଳ ଅବଲମ୍ବନ କରିବାକୁ ତାଙ୍କୁ କହିଥିଲେ । ସୁତରାଂ, ଦିନେ ନକୁଳ ବାବୁ ନିଶାର୍ଦ୍ଧେ-ରମଣ ଇଚ୍ଛା ନେଇ, ସନ୍ତର୍ପଣରେ କୋକିଳାର ପଦପଲ୍ଲବ ଟେକିବାକୁ ଯାଇ ପ୍ରବଳ ଗୋଟିଏ ଗୋଇଠା ଖାଇ ଖଟରୁ ଛିଟିକି ପଡ଼ିଥିଲେ । ନକୁଳ ବାବୁଙ୍କ ଉର୍ଦ୍ଧବୟବ ଯେ କଟିର ବାମ ପାର୍ଶ୍ୱକୁ ପିସା ସ୍ତମ୍ଭ ପରି ଅଣେଇ ହୋଇ ପଡ଼ିଛି, ତାହା କୋକିଳାର ପଦପଲ୍ଲବାଘାତର ଚିରସ୍ଥାୟୀ ପ୍ରଭାବ ଯାହା ଏବେବି ଦୃଶ୍ୟମାନ । ବିବାହ ପରଠାରୁ କୋକିଳାର ନିରବଛିନ୍ନ ଜିହ୍ଵା ତାଡ଼ନାରେ ନକୁଳ ବାବୁ ସ୍ଥିତପ୍ରଜ୍ଞତା ଲାଭ କରିଛନ୍ତି । ସକାଳୁ ଉଠି, ଘରଓଳା, ବାସନ ମଜା ଓ ନିଜର ନିତ୍ୟକର୍ମ ସାରି ଚୂଲିରେ ଭାତ ବସାନ୍ତି । ଭାତ ସହିତ ଆଳୁ ଦିଟା ସିଝି ଯାଏ, ତାକୁ ଚକଟି ଭାତ ଖାଇ ଯେତେବେଳେ ଅଫିସକୁ ବାହାରନ୍ତି, ସେତେବେଳେ କୋକିଳା ଦେବୀଙ୍କ ପହଡ଼ ଭାଙ୍ଗେ । “ଭଲ, ନିଜ ପେଟ ତ ପୂରିଲା ଏବେ ଅଫିସକୁ ଯାଇ ମସ୍ତି କର । ମୁଁ ହିଁ ଦିନସାରା ଖଟିଖଟି ମରୁଥିବି । ଏ ହୁଣ୍ଡା ଟୋକାଟାକୁ ବି ନେଇଯାଅ ସାଙ୍ଗରେ । କରମଜଳି ନିଜେ ମଲା, ହେଲେ ମଞ୍ଜିଟାକୁ ଛାଡ଼ିଦେଇ ଗଲା । କୋଉ ଯୋଗରେ ଏ ମଣିଷଟାକୁ ବାହାହେଇଥିଲି କେଜାଣି !”

ନକୁଳ ବାବୁ ସବୁ ସହିଯାନ୍ତି । ନସହି ବା କ’ଣ କରି ପାରିବେ ! ସେପଟେ ପୁଅଟା ମାଟ୍ରିକ ପରୀକ୍ଷାରେ ତିନିଥର ଫେଲ ହୋଇ ପୋଥିରେ ଡୋରି ବାନ୍ଧି ଦେଇଛି । ନକୁଳ ବାବୁ ଅଫିସ ବାହାରିଗଲେ ସେ ବି ଘରୁ ଚମ୍ପଟ ମାରେ । ଏକ ରକମ ଛତରା ହୋଇ ସାରିଲାଣି । ପୁଅ ପାଇଁ ନକୁଳ ବାବୁଙ୍କ ସବୁବେଳେ ଚିନ୍ତା । କେମିତି ତାକୁ ଥଇଥାନ କରିଦେଲେ ସେ ତାଙ୍କର ସାଂସାରିକ ଦାୟିତ୍ବରୁ ମୁକ୍ତି ପାଇ ଯାଆନ୍ତେ । ତାଙ୍କ ଅନ୍ତେ, ପୁଅର ଭବିଷ୍ୟତ କ’ଣ ହେବ ତାହା ଭାବି ଭାବି ନକୁଳ ବାବୁଙ୍କ ହୃଦୟ ଦୁହିଁ ହୋଇଯାଏ ।

ସେଦିନ ତାଙ୍କ ଅଫିସକୁ ବଡ଼ ଅଫିସର ଜଣେ ଭିଜିଟରେ ଆସିଥିଲେ । ବେଳକାଳ ଉଣ୍ଡି ନକୁଳ ବାବୁ ଧଡ଼ କରି ତାଙ୍କ ପାଦତଳେ ପଡ଼ି ଅଫିସରଙ୍କ ଗୋଡ଼ ଦୁଇଟାକୁ ଜାବୁଡ଼ି ଧରି କେତେ ନେହୁରା ହେଲେ । “ଆଜ୍ଞା ଏ ଅଧମ ଆଜି ଅଛି କାଲିକି ନଥିବ । ମୋ ପରେ ମୋ ପୁଅର ସାବତ ମାଆ ତାକୁ କଞ୍ଚା ଖାଇଯିବ । ହଜୁର ଟିକିଏ ଦୟା କରନ୍ତୁ ନହେଲେ ପୁଅଟା ମୋର ଅନାଥ ହୋଇଯିବ…।”

ହଉ ଦେଖିବା କହି, ଅଫିସର ଖସି ଗଲେ । ଏମିତି କେତେଥର ହେଲାଣି, ଅଥଚ ନକୁଳ ବାବୁଙ୍କୁ ଫମ୍ପା ସାନ୍ତ୍ୱନା ଛଡ଼ା ଆଉ କିଛି ମିଳେନାହିଁ । ନକୁଳ ବାବୁଙ୍କ ଚାକିରୀ ମାତ୍ର ଦୁଇ ବର୍ଷ ରହିଛି । ଇଆରି ଭିତରେ କିଛି ଗୋଟାଏ ଥଇଥାନ ନହେଲେ କଥା ସରିଲା । ନକୁଳ ବାବୁଙ୍କ ସାଧୁତା ଓ କର୍ମ ନିଷ୍ଠା ସେହି ଅଫିସର ବଡ଼ବାବୁଙ୍କୁ ଅଛପା ନଥିଲା । ନକୁଳ ବାବୁଙ୍କ ସାଂସାରିକ ସ୍ଥିତି ବିଷୟରେ ମଧ୍ୟ ସେ ଅନଭିଜ୍ଞ ନଥିଲେ । ଦିନେ ଲଞ୍ଚ ବ୍ରେକ ସମୟରେ ବଡ଼ ବାବୁଙ୍କ ଇଶାରା ପାଇ ତାଙ୍କ ପଛେ ପଛେ ଅଫିସ ପଛପଟ ପୁରୁଣା ବଗିଚାକୁ ଗଲେ ନକୁଳ ବାବୁ । ସେଇଠି ଦି’ଟା ପଥର ଉପରେ ରଖା ହୋଇଥିବା କାଠପଟା ରେ ବସି ଲଞ୍ଚ କରୁ କରୁ ବଡ଼ବାବୁ କହିଲେ, “ଆଜିକାଲିକା ଯୁଗରେ କେହି ଅଫିସର କାହାକୁ ନିଜ ଇଚ୍ଛାରେ ଚାକିରୀ ଦେଇ ପାରିବେ ନାହିଁ । ତେଣୁ ଯେତେ ଯାହା କର, କିଛି ହେବ ନାହିଁ ।”

ବଡ଼ବାବୁ ସରକାରୀ ନିୟମ କାନୁନ ଜାଣନ୍ତି । ତେଣୁ ନକୁଳ ବାବୁଙ୍କ ଆଉ ସନ୍ଦେହ ରହିଲା ନାହିଁ । ମୁଣ୍ଡ ଘୂରିଗଲା, ଲଥ କରି ଭୂଇଁରେ ବସି ପଡ଼ିଲେ । ଚତୁର୍ଦ୍ଦିଗ ତାଙ୍କୁ ଅନ୍ଧାର ଦେଖାଗଲା । ତାଙ୍କ ଆଗରେ ଶୂନ୍ୟ ହିଁ ଶୂନ୍ୟ । ନା ତାଙ୍କୁ କିଛି ଦେଖା ଗଲା ନା ଶୁଣାଗଲା । ବଡ଼ ଜୋରରେ ବଡ଼ବାବୁ ତାଙ୍କୁ ଝିଙ୍କି ଦେବାରୁ ସାଷ୍ଟାମ ହେଲେ । “ମୁଁ ଯାହା କହୁଛି ଧ୍ୟାନ ଦେଇ ଶୁଣ ନକୁଳ । ଅନୁକମ୍ପା ନିଯୁକ୍ତି ବୋଲି ନିୟମଟିଏ ରହିଛି, ଜାଣିଛ?” ନକୁଳ ବାବୁ କେବଳ ବଡ଼ବାବୁଙ୍କୁ ବଲବଲ କରି ଅନେଇଲେ । ତାଙ୍କ ମୁଣ୍ଡକୁ କିଛି ପଶୁନଥାଏ ।

– “ହେଇ, ତୁ ତ ଗଛଟାକୁ ଦେଖ, କ’ଣ ଦେଖୁଛ?”
– “ଆଜ୍ଞା ଗୋଟିଏ ସଁବାଳୁଆ କୋଷା ବୁଣୁଛି ।”

– “ସଁବାଳୁଆ ନିଜେ ସମାଧି ନେଉଛି- ତା’ର ଭବିଷ୍ୟତ ପାଇଁ ନୁହେଁ, ତା’ର ଭବିଷ୍ୟତ ବଂଶ ପାଇଁ । ସଁବାଳୁଆ ଚାହିଁଥିଲେ, ମଲା ପର୍ଯ୍ୟନ୍ତ ନିଜେ ପତ୍ର ଖାଇ ତା’ ଜୀବନକୁ ଉପଭୋଗ କରିପାରିଥାନ୍ତା, କିନ୍ତୁ ସେ ତା’ ଭବିଷ୍ୟତ ବଂଶଧରଙ୍କ ପାଇଁ ପୂର୍ଣ୍ଣ ସଚେତନ ଏବଂ ନିଜ ଜୀବନକୁ ଜଳାଞ୍ଜଳି ଦେଇ ନୂତନ ଜୀବନ ଗଢ଼ିବ ।”
ମୁହୂର୍ତ୍ତେ ପାଇଁ ନକୁଳବାବୁ ଆଶ୍ଚର୍ଯ୍ୟ, ଭୟ, ଦ୍ଵିଧା ଗ୍ରସ୍ତ ହୋଇ ସ୍ଥାଣୁ ହୋଇ ବସି ରହିଲେ । ସେ ପ୍ରକୃସ୍ଥିତ ହେଲାପରେ ଦେଖିଲେ, ବଡ଼ବାବୁ ସେଠାରୁ ଯାଇ ସାରିଥିଲେ । ସେଦିନ ରାତିରେ ବହୁତ ବେଳ ପର୍ଯ୍ୟନ୍ତ ନକୁଳ ବାବୁଙ୍କୁ ନିଦ ହେଲାନାହିଁ । ଭାବି ଭାବି କେତେବେଳେ ତାଙ୍କୁ ନିଦ ହେଇଗଲା । ସ୍ୱପ୍ନ ନା ସତ? ନିଜ ହାତ, ଗୋଡ଼, ସର୍ବାଙ୍ଗକୁ ଛୁଇଁଲେ । ଏ କ’ଣ? ତାଙ୍କ ଦେହ ପୁରା ଲୋମଶ ! କଳା ବିଟବିଟ ଟାଆଁଶା ଟାଆଁଶା ଲୋମ । ପର ମୁହୂର୍ତ୍ତରେ ଅନୁଭବ କଲେ, ହାତ ଯୋଡ଼ିକ ପରାଗ ରଞ୍ଜିତ ପ୍ରଜାପତିର ଡେଣା ପରି ମସୃଣ, ଚିତ୍ରିତ ! ମୁକ୍ତାକାଶରେ ବିଚରଣ ପାଇଁ ଯେପରି ପ୍ରସ୍ତୁତ ହୋଇ ରହିଛି । ଚ୍ୟାଉଁ କିନା ନିଦ ଭାଙ୍ଗିଗଲା ତାଙ୍କର । ଉଠି ଦେଖିଲେ ପାହାନ୍ତି ପ୍ରହର । ଦାଣ୍ଡ ଘରକୁ ଗଲେ, ଦେଖିଲେ ପୁଅ ଶୋଇଛି । କେତେବେଳ ଯାଏ ଅନେଇ ରହିଲେ ପୁଅ ମୁହଁକୁ । ସେଦିନ, ସବୁଦିନ ପରି ନକୁଳ ବାବୁ ଅଫିସ ଗଲେ । ପରଦିନ ଖବର କାଗଜରେ ବାହାରିଲା- “ରାସ୍ତା ଦୁର୍ଘଟଣାରେ ପୂର୍ତ୍ତ ବିଭାଗର କର୍ମଚାରୀ ନକୁଳ ବେହେରାଙ୍କ ମୃତ୍ୟୁ !!!”

ଅଜାତ ମିତ୍ର (ସୁଦାମ ଦାସ)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଜାତମିତ୍ର ଜଣେ ଲେଖକଙ୍କର ଛଦ୍ମନାମ, ଯିଏକି ଏହି ନାମରେ ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।