You are currently viewing ଦୁହିତା
ଦୁହିତା

ଦୁହିତା

ମେଡିକାଲରେ ଖାଲି ଏ ପାଖ ସେପାଖ ହଉଥାଏ ବସୁଧା । ଡାକ୍ତର ତ କିଛି ଖୋଲି କହୁ ନାହାନ୍ତି, କେତେ ସିରିୟସ୍, କ’ଣ ଭଲ ହବ କି ନାଇଁ କିଛି ବି ନାଇଁ । କେହି ବି ପାଖରେ ନାହାନ୍ତି ସାହସ ଟିକେ ଦବାକୁ । ସଂଗ୍ରାମଙ୍କୁ କେତେବେଳୁ ଫୋନ୍ କଲାଣି ବହୁତ ଅର୍ଜେଣ୍ଟ କହିକି, ପୁଣି ମେଡିକାଲ୍‌ରେ ଆସି ପହଞ୍ଚିବାକୁ କହିଛି । ଯେ କେହି ହେଲେ ବି ଡରି ଯିବ, ହେଲେ ନାଇଁ, ଏବେ ଯାଏଁ ବି ଦେଖା ନାଇଁ । କି ଚାକିରୀର ଡର କେଜାଣି, ସେଥିରେ ଯୋଉ ତ ଦରମା । ଚୁଲିକି ନେଇ କି ଯିବ ଯେମିତି ସେଇ ଅଫିସର । ଦଶ ବର୍ଷର ତେଲ ଲୁଣ ସଂସାର ଭିତରେ ସେଇ ଅଫିସ୍, କାମ, ଛୁଟି ନାଇଁ ଛଡ଼ା ଆଉ କିଛି ଶୁଣିନି ସେ । ଘର ପ୍ରତି ନିଘା ବି ନାଇଁ, ଅବଶ୍ୟ ତାକୁ ସବୁ କଥା ବୁଝିବାର ସ୍ୱାଧୀନତା ଦେଇଛନ୍ତି ଯେ । ଶାଶୁ ଶଶୁରଙ୍କୁ ନେଇ ସେ ଯାହା ଚଳି ଆସିଛି । ତାଙ୍କର କେତେ କଥା, ଡହଗଞ୍ଜ ନ ଶୁଣିଛି ସେ । ହେଲେ ସଂଗ୍ରାମ କାନକୁ କିଛି ବି ଯିବାକୁ ଦେଇନି । ଦବ ବା କାହିଁକି, କୋଉ ସୁଖଟା ବି ଢାଳି ପକେଇକିଚି ସେ । ଦଶ ବର୍ଷ ହେଲା ତ କୋଳ ଖାଲି, ଘରେ ବିଲେଇ ଛୁଆ ଛଡ଼ା ଆଉ କାହା ରଡ଼ି ଶୁଭେନା । କୋଉ ସରାଗରେ ଆଉ ସ୍ୱାମୀ ତା’ ଆଡ଼େ ଅନେଇବ ବା, ଆଉ ଯଦି ଶାଶୁ-ଶ୍ୱଶୁର କିଛି ଛିଗୁଲେଇ କହିଦେଲେ ସେ ବା ନଶୁଣିବ କାହିଁକି । କିନ୍ତୁ ସଂଗ୍ରାମ କେବେ ଏଥି ପାଇଁ କିଛି କହିନାହାନ୍ତି, ତା’ ସାହାରା ହେଇ ଠିଆ ହେଇଛନ୍ତି ।

ଭାବନାର ସେ ବୁଢ଼ୀଆଣୀ ଜାଲ ଗୁଡ଼ା ଆଉ ବସା ବାନ୍ଧିବା ଆଗରୁ ସଂଗ୍ରାମଙ୍କ ବସୁଧା ଡାକଟା ପୁଣି ତାକୁ ବର୍ତ୍ତମାନକୁ ଫେରାଇ ଆଣିଥିଲା । ଦୁଇ ଘଣ୍ଟାକାଳ ଏକାକୀ ହାଲିଆ ହୋଇ ପଡ଼ିଥିବା ଦେହରେ କିଛି ବଳ ସାଉଁଟି ଆସିଥିଲା ସଂଗ୍ରାମଙ୍କୁ ପାଖରେ ପାଇ । କେତେ ଯେ ପ୍ରଶ୍ନ ସଂଗ୍ରାମ ପାଖରେ । “କାହାର କଣ ହେଇଛି? ଘରେ ତ ଫୋନ୍ କରିଥିଲି ବାପା ବୋଉ ଠିକ୍ ଅଛନ୍ତି । କହିଲେ ତମେ ବଜାର ଆସି ଆଉ ଫେରିନ । ମତେ ହଠାତ୍ ଡାକିଦେଲ କ’ଣ ହେଇଛି କୁହ ।” ଉତ୍ତରରେ କେବଳ “ମୋ ଝିଅ” କହି ମେଡିକାଲର ସେ କାଚ ଭିତରକୁ ହାତ ଦେଖେଇ ପାରିଥିଲା ବସୁଧା । “ମୋ ଝିଅ”, ଏତିକି ସବୁ ଭାବିବାର ଶକ୍ତିକୁ ଠପ୍ କରିଦେଇଥିଲା ସଂଗ୍ରାମଙ୍କର । କାଚ ଭିତରେ କଅଁଳା ଶିଶୁଟିଏ । ଦେହ ଯାକ କେତେ ତାର, ଛୁଞ୍ଚି ଲାଗିଚି ଯେ ହିସାବ ନାଇଁ । ଜଣେ ଡାକ୍ତର, ଦୁଇ ଜଣ ନର୍ସ ଘେରି ରହିଛନ୍ତି । ବସୁଧାକୁ ଚାହିଁଲେ ସଂଗ୍ରାମ । ଦୁଇ ଧାର ଲୁହ ଆଖିରେ । ଲୁହ ନୁହେଁ ତ ଦୁଇ ଘଣ୍ଟା ସଂଘର୍ଷର କ୍ଳାନ୍ତି । ବସୁଧା କାନ୍ଧରେ ହାତ ରଖିଲେ ସଂଗ୍ରାମ, ଦଶ ବର୍ଷ ହବ ତ ସେଇଆ କରି ଆସିଛନ୍ତି- ଦୁହେଁ ପରସ୍ପରକୁ ବୁଝିବା, ବୁଝେଇବା । ଲୁହଗୁଡ଼ା ଆନନ୍ଦର ନିଶ୍ଚୟ, ବର୍ଷ ବର୍ଷର ସ୍ୱପ୍ନ ପୂର୍ତ୍ତିର ।

ସେ ଦିନ ସକାଳର କଥା, ସଂଗ୍ରାମ ଅଫିସ୍ ଯିବା ପରେ ବାପାଙ୍କ ଔଷଧ ପାଇଁ ବଜାର ବାହାରି ଥିଲା ବସୁଧା । ଏ ବର୍ଷା ଦିନକୁ କାଦୁଅ ପଚ୍ ପଚ୍ ରାସ୍ତା, ସେଥିରେ ପୁଣି ଠିକ୍ ସେହି କଲୋନୀ ମୁଣ୍ଡରେ କୁଢ଼ କୁଢ଼ ଅଳିଆ । ନାକରେ ଶାଢ଼ୀ ଚାପି ପାଦ ସମ୍ଭାଳି ଚାଲୁଥାଏ ବସୁଧା । ହଠାତ୍ କଇଁ କଇଁ କାନ୍ଦିବାର ସ୍ୱର । ତା’ ଆଗରୁ ସେ ସ୍ୱରକୁ ବେଶ୍ ଭଲରେ ବାରି ପାରିଥିଲେ ସେ ବୁଲା କୁକୁର ଗୁଡ଼ାକ । ଧାଇଁ ଯାଇଥିଲେ ଡଷ୍ଟବିନ ଆଡକୁ, ତାଙ୍କ ପଛେ ପଛେ ଧାଇଁଲା ବସୁଧା । ଖାତିର ନଥିଲା ଦୁର୍ଗନ୍ଧ କି ଅସନାକୁ । ସେ ବୁଢ଼ା କୁକୁରଟା ଦାନ୍ତ ଲଗେଇ ପଲିଥିନ୍ ଟାଣି ଆଣିଲା ବେଳକୁ ଭିଡ଼ିନେଲା ବସୁଧା । ଝାମ୍ପି ପଡ଼ିଲା କୁକୁରଟା ବସୁଧା ଉପରକୁ, ହେଲେ କିଛିକୁ ଭୃକ୍ଷେପ ନକରି ଏକା ନିଶ୍ୱାସରେ ପଲିଥିନ୍ ଧରି ଦୌଡ଼ିଲା ବସୁଧା, କୁକୁର ଗୁଡ଼ା ବି କେତେ ବାଟ ଧାଇଁ ଥାନ୍ତେ ଯେ । ମା’ର ସାହସ ଆଗରେ ଶିକାରର କ୍ଷୁଧା ହାର ମାନିଥିଲା । ନିଜକୁ, ବର୍ଷାକୁ, ଖଣ୍ଡିଆ ରାସ୍ତାକୁ କାହାକୁ ଖାତିର ନକରି ବସୁଧା ପହଞ୍ଚିଲା ଡାକ୍ତରଖାନାରେ । ସଂଗ୍ରାମ ବି ଏବେ ଯାଏଁ ଦେଖି ନ ଥିଲେ, ବସୁଧା ହାତରେ କୁକୁର କାମୁଡ଼ା ଚିହ୍ନ । ବସୁଧା ବି ଏବେ ଯାଏ ସେ କଷ୍ଟ ଜାଣିନି, ବୋଧ ହୁଏ, ମାତୃତ୍ୱର ଗର୍ବରେ ।

ଛୁଆଟାକୁ ମାରିଦେଇ ଆସିଲ ତ? ଚୁପ୍ ଚୁପ୍ କରି ନବ କାନରେ ପଚାରିଲା ସୁମିତ୍ରା । “ହଁ ଯାହା ଜଲଦି ଜଲଦିରେ କରି ହେଇଥାନ୍ତା ତ କଲି, ଏ ପୋଡ଼ାମୁହିଁଟା ଏବେ ଯାଏ ବି ଶାନ୍ତିରେ ବଞ୍ଚିବାକୁ ଦେଲାନି । ରାତି ଅଧରେ ଛୁଆ ଜନ୍ମ କରିଥିଲେ ହେଇ ନ ଥାନ୍ତା । ନାଇଁ, ଜନ୍ମ କଲା ସକାଳୁ । ଭାଗ୍ୟ ଭଲ ବର୍ଷା ଜୋର ଥିଲା, ରାସ୍ତା ଟିକେ ଶୁନ୍‌ଶାନ୍ ଥିଲା । କେହି ନ ଥିଲାବେଳେ ଡଷ୍ଟବିନ୍‌ରେ ଫୋପାଡ଼ି ଦେଇ ଆସିଛି ।” ଗୋଟା ନିଶ୍ୱାସରେ କହିଗଲା ନବ । “ମଲା ମଲା, ତଣ୍ଟି ଚିପି ଦେଇ ଆସିଲନି । ଯଦି ବଞ୍ଚି ଯାଇଥିବ ।”- ସୁମିତ୍ରା ତଥାପି ଚାପା ଗଳାରେ ପଚାରିଲା । “ଆରେ ବଞ୍ଚିବ କେମିତି? ଯୋଉ ବରଷା, ସେଥିରେ ସେ ବୁଲା କୁକୁର ଗୁଡ଼ାକ ଆଉ କ’ଣ ରଖିଥିବେ ତାକୁ ।” ଖଟ ଉପରେ ମୃତବତ୍ ପଡ଼ିରହିଥାଏ ପ୍ରିୟା । ଶରୀରର କଷ୍ଟ ଶରୀରରେ ମରି ସାରିଥାଏ । ପାଖରେ ସ୍ୱାମୀ ଦାରୁ ସମ ବାପାମାଆଙ୍କ କଥା ଶୁଣୁଥାଏ । ପ୍ରିୟା ଭିତରର ମାଆ ଏ ହତ୍ୟାକାରୀଙ୍କୁ ପନିକିରେ ହାଣି ଦେବାକୁ ଚାହୁଁଥାଏ, ହେଲେ ଭିତରର ନାରୀଟା ସେମିତି ଚୁପ୍ ଚାପ୍ ଶୋଇଥାଏ ଅବଳାଟିଏ ହୋଇ ।

ପ୍ରିୟା, ବିବାହ ପରେ ସବୁ କିଛି ଠିକ୍ ଚାଲିଥିଲା, ଭଲ ପାଉଥିବା ସ୍ୱାମୀ, ଶାଶୁ-ଶ୍ୱଶୁର, ଭଲ ଚଳିଲା ଘର । ହେଲେ ପ୍ରଥମ ମାତୃତ୍ୱ ପରେ ଧୀରେ ଧୀରେ ସମସ୍ତଙ୍କ ବ୍ୟବହାରରେ କିଛି କିଛି ପରିବର୍ତ୍ତନ ଆସିଥିଲା । ପୁଅଟିଏ ଦେଇ ପାରିଲାନି ସିଏ ମଲା ବେଳେ ପାଣି ଦବାକୁ । ଝିଅ ହେଲା ବୋଲି କେତେ କଥା ଶୁଣିଛି । ଦ୍ୱିତୀୟ ଛୁଆ ବେଳକୁ ଶାଶୁ ସିଧା ସିଧା କହିଦେଲେ ଝିଅ ହେଲେ ବାପଘରୁ ନ ଫେରିବା ପାଇଁ । ଫଟା କପାଳ ତା’ର, ସେଇ ଝିଅ । ଶାଶୁ-ଶ୍ୱଶୁର ତ ଛାଡ଼, ସ୍ୱାମୀ ବି ଆସିଲାନି ଥରେ ଦେଖିବାକୁ । ଫୋନ୍‌ରେ କହିଦେଲେ ସେଠି ରହିଯିବାକୁ । ପରେ ଗାଁରେ ଭଲଲୋକି ବସିଲେ, କଥା ଛିଣ୍ଡିଲା ସେ ଶାଶୁ ଘରକୁ ଯିବ । ଝିଅ ଦୁଇଟାର ଖର୍ଚ୍ଚ ପାଇଁ ତା’ ବାପଘର କିଛି କିଛି ପଇସା ପଠେଇବେ । ବାପାମା’ ବି ରାଜି ହେଲେ ଝିଅର ଖୁସି ପାଇଁ । ପ୍ରିୟା ଭାବିଥିଲା ଯାହା ହଉ ତା ଦୁଖ କିଛି ମାତ୍ରାରେ ଗଲା । ପୁଣି ସୁଖର ସଂସାର କରିବ । ହେଲେ ଏ ସବୁ ସ୍ୱପ୍ନର ଆୟୁଷ ପାଣିଫୋଟକାର ଆୟୁଷ ଥିଲା ।

ଶାଶୁଙ୍କର ପୁଣି ସେଇ ନାତି ନାତି ଘୋଷା ସେମିତି ଚାଲିଲା, ତୃତୀୟ ଥର କିନ୍ତୁ ଆଉ କେହି ରିସ୍କ୍ ନେଲେନି । ଡାକ୍ତରକୁ କିଛି ପଇସା ଦେଇ ପରୀକ୍ଷା କରି ଜାଣିନେଲେ ଝିଅ ବୋଲି । ବାସ୍ ଦୁନିଆ କ’ଣ ଜାଣିବା ଆଗରୁ ବିଚାରୀ ସଫା ହେଇଗଲା । ଚୁପ୍ ଥିଲା ମାଆ, ଛାତି ଫଟେଇ କାନ୍ଦି ବି ପାରିଲାନି । ଚୁପ୍ ଥିଲେ ତା’ ସ୍ୱାମୀ ଆଉ ବଢ଼ି ଚାଲିଥିଲା ତା’ ଉପରେ, ଆଉ ସେ ଦୁଇ ଝିଅ ଉପରେ ଅତ୍ୟାଚାର । ମନରେ ଟିକେ ଇଛା ନଥିଲେ ବି ପୁଣି ରାଜି ହେଲା ସେ, ପୁଅ ଜନ୍ମ ନ ହେଲେ ପରା ତା ମାଆ ହେବା ଧିକ୍ । ନିଜ ପାଇଁ ନ ହେଲେ ବି, ସେ ଦୁଇ ଝିଅଙ୍କ ଜୀବନ ପାଇଁ ଗର୍ଭଧାରଣ କଲା । ହେଲେ ନିୟମ କଟକଣା ହେତୁ ଏଥର ଆଉ ପରୀକ୍ଷାଟା ହେଇ ପାରିଲାନି । ସନ୍ତାନ ଜନ୍ମ ହେଲା ବେଳକୁ ଝିଅ । ତାରି ସାମ୍ନାରେ ବିଚାର ବିମର୍ଷ ଚାଲିଥାଏ, ହେଲେ ଉତ୍ତର ଦେବାର ଅଧିକାର ନ ଥାଏ । ଶେଷରେ ନିଷ୍ପତ୍ତି ହେଲା ମାରି ଦିଆଯିବ ସେ ଶିଶୁକୁ । ମାଆର ସ୍ତନ ସ୍ପର୍ଶ ପୂର୍ବରୁ ଲିଭି ଯିବ ତା’ ଜୀବନ ଦୀପ । ପୁଣି ଚୁପ୍ ରହିଲା ପ୍ରିୟା । ଦୁଇଟି ଜୀବନ ରଖିବା ପାଇଁ ହାର ମାନିଗଲା ମା ।

ଆରେ ହଁ, ସେ ଝିଅ ଏବେ ଭଲ ଅଛି । ବସୁଧା ନୁହେଁ ତ ସେ ସତେ ତା ଯଶୋଦାକୁ ପାଇ ଯାଇଛି । ବସୁଧା-ସଂଗ୍ରାମକୁ କିଛି ସମୟ ଲାଗିଥିଲା ଅବଶ୍ୟ ବାପାମାଆଙ୍କୁ ବୁଝେଇବାକୁ । ଜାତି ଗୋତ୍ର ନ ଥିବା ଶିଶୁକୁ ନିଜ ନାଁ ଦବାକୁ । ବସୁଧା ଝିଅର ନାଁ ଦେଲା ‘ଦୁହିତା’ । କେ ଜାଣେ ସେ ବୋଧେ ବୁଝି ପାରିଥିଲା, ଏ ଝିଅ ଜନ୍ମରୁ ହିଁ ଦୁଇ କୁଳର ହିତ କରିଦେଇଛି, ଦୁହିତା ସାଜି ଯାଇଛି ।

– ସ୍ୱରୂପ କୁମାର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱରୂପ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ଗପ ରଚନା କରନ୍ତି । ତାଙ୍କ ପ୍ରଥମ ପୁସ୍ତକ ୨୦୨୦ ମସିହାରେ ପ୍ରକାଶିତ ହୋଇଛି ।