You are currently viewing ✍ ଏକବିଂଶ ସମ୍ପାଦକୀୟ
Editorial Page of Shubhapallaba 21st Edition

✍ ଏକବିଂଶ ସମ୍ପାଦକୀୟ

ପାର୍ବଣର ସମାପନ ପରେ ପରେ ପୂର୍ବାକାଶରେ ସିନ୍ଦୁରା ଫିଟି ପଡ଼ୁଥିବା ବେଳେ ହାଲ୍କା ହାଲ୍କା ଉତ୍ତରା ପବନରେ ଲୋମମୂଳ ଯେବେ ଟାଙ୍କୁରିଉଠେ, ଜଣାପଡ଼େ ଶୀତ ଆସିଲାଣି । ଘାସପତ୍ରର କୋଣରେ ସୂର୍ଯ୍ୟକିରଣରୁ ରଙ୍ଗ ଚୋରେଇ କାକର ବିନ୍ଦୁ ଯେବେ ନିଜ ଉପସ୍ଥିତି ଜାହିର କରେ, ଲାଗେ ଶୀତ ଆସିଗଲାଣି । ନଈ ପଠାରେ ହଳଦୀ ଗୁରୁଗୁରୁ ସୋରିଷ ଫୁଲରେ ଯେବେ ପ୍ରକୃତି ରାଣୀ ଘୋଡ଼ି ହୋଇଯାଏ, ଶୀତ ଆସିଯାଇଥାଏ । ରଙ୍ଗବେରଙ୍ଗ ପୁଷ୍ପ ଉପରେ ଲୋଲୁପ ମଧୂପର ମୃଦୁ ଗୁଞ୍ଜରଣ ଯେବେ ସ୍ପଷ୍ଟ ଶୁଣାଯାଏ, ଶୀତ ଆସିଯାଏ । ସକାଳୁ ସକାଳୁ ଗାଁ ମୁଣ୍ଡରେ ବା ବାଡ଼ି ପଛରେ କୁଟାକାଠି ଜାଳି ନିଆଁ ପୋଉଁଥିବାର ଦୃଶ୍ୟ ଦେଖିଲେ ମନ ନିଶ୍ଚିତ ହେଇଯାଏ, ଶୀତ କେବେଠୁ ଆସିଗଲାଣି । ସନ୍ଧ୍ୟାରେ ଗୁହାଳ ଘରୁ ବାହାରୁଥିବା ଘସି ଧୂଆଁର ଆସ୍ତରଣରେ ନୂଆ ବୋହୂର ଓଢ଼ଣୀ ଟାଣି ହେଇଥିବା ମୋ ଗାଁ’କୁ ଦେଖିଲେ ଲାଗେ, ଶୀତ ତ ଏଇଠି ଅଛି । ହେଲେ ଆଧୁନିକତାର ଚାକଚକ୍ୟରେ ସତେ ଯେମିତି କେବେଠୁ ହଜିଗଲାଣି ଏ ସବୁ ! ନା ନଈ ପଠାରେ ଲହଡ଼ି ଭାଙ୍ଗୁଛି ସୋରିଷ ଫୁଲ କି କିସମ କିସମ ପରିବାପତ୍ରର କ୍ଷେତ, ନା ଘର ଅଗଣାରେ ରଙ୍ଗ ବେରଙ୍ଗ ଫୁଲର ସମ୍ଭାର । ନା ଗାଁ ଗହଳିରେ ନିଆଁ ପୋଇଁବାର ଦୃଶ୍ୟ ନା ଗୁହାଳ ଘରୁ ବାହାରୁଥିବା ଧୂଆଁର ଆସ୍ତରଣ । ଆଉ ଏ ସବୁ ଭିତରେ ସତେ ଯେମିତି ଶୀତ ବି ହରେଇ ବସିଲାଣି ତା’ର ଶୀତଳତା ! ସତେ ଯେମିତି କମ୍ବଳର ଉଷ୍ମତାକୁ ଘୋଡ଼ିହୋଇ ସେ ବି ଖୋଜୁଛି ତା’ର ଅସ୍ତିତ୍ୱକୁ, ତା’ର ଅସ୍ମିତାକୁ !! ଆଉ ତା’ ସହ ହଜିଗଲାଣି କେତେ କେତେ ଶୈଶବ, କୈଶୋର ତଥା ଯୌବନର ଖଟା ମିଠା ସ୍ମୃତି ଆଉ ଅନୁଭୂତି । ପ୍ରତିବର୍ଷ ଶୀତ ଏମିତି ଆସୁଛି ଆଉ ଯାଉଛି; ମନ କିନ୍ତୁ ଝୁରି ହେଉଛି ବିଗତ ଦିନର ସୁଖଦ ମୁହୁର୍ତ୍ତମାନଙ୍କୁ ।

ଏଇ ଶୀତଦିନେ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପଡ଼େ ପ୍ରଥମାଷ୍ଟମୀ । ଆଉ ପ୍ରଥମାଷ୍ଟମୀ ମାନେ ମନ ଅଗଣା ଆପେ ଆପେ ଭରିଯାଏ ହଳଦୀ ପତ୍ରରେ ତିଆରି ଏଣ୍ଡୁରି ପିଠାର ମନମୋହକ ବାସ୍ନାରେ । ଏଣ୍ଡୁରି ପିଠାର ପ୍ରସ୍ତୁତି ପ୍ରଣାଳୀ ଜାଣିବାକୁ ଚାହାନ୍ତି କି? ତେବେ ଭିତରେ ରୋଷେଇ ବିଭାଗରେ ପ୍ରକାଶ ପାଇଥିବା ମନଶ୍ୱିନୀଙ୍କ ଏଣ୍ଡୁରି ପିଠାର ପ୍ରସ୍ତୁତି ପ୍ରଣାଳୀ ନିଶ୍ଚୟ ପଢ଼ନ୍ତୁ ।

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ତଥା ବଡ଼ ଦିନର ଅନେକ ଅନେକ ଶୁଭେଚ୍ଛା ସହ
ଜୟ ଜଗନ୍ନାଥ !!

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।