You are currently viewing ଭଉଣୀ
ଭଉଣୀ

ଭଉଣୀ

ଭଉଣୀ,
ଖାଲି ପରିଚୟଟେ ନୁହେଁ କେଉଁ ତୁଚ୍ଛ ସମ୍ପର୍କର
ଏକ ଅଭିମାନ, ଏକ ଅନୁଭୂତି
ନିଜର ବୋଲି ଭାବି କାହା ଉପରେ ଗର୍ବ କରିବାର
ନିଜଠୁ ଅଧିକ କାହାକୁ ଭଲ ପାଇବାର
ଯେଉଁ ଭଲ ପାଇବାରେ ନଥାଏ
କିଛି ଲୁକ୍କାୟିତ ଲାଳସା ଅବା କିଛି ପାଇବାର ଆଶା
ଥାଏ କେବଳ ନିଶ୍ଵାର୍ଥପର ସ୍ନେହ, ଶ୍ରଦ୍ଧା, ଆବେଗ…

ଆବେଗ,
ଭାଇର ଭଉଣୀ ପାଇଁ
ତା’ର ସୁଖ, ସମୃଦ୍ଧି ଓ ସୁରକ୍ଷା ପାଇଁ
ତା’ ପାଦରେ ଯେମିତି କଣ୍ଟାଟେ ନ ଫୁଟୁ
ତା’ ଚଲା ପଥରେ କୌଣସି ବାଧା ନ ରହୁ
ଆଉ ତା’ ଆଖିରୁ କେବେ ଲୁହ ନ ଝରୁ
ଝରୁ କେବଳ ତା’ ଓଠରୁ ଦୁଇ ଧାର ହସ,
ଆଖିରୁ ସାହସର ବହ୍ନି ଆଉ ହୃଦୟରୁ ଅଦମ୍ୟ ବିଶ୍ୱାସ…

ବିଶ୍ୱାସ,
ନିଜକୁ ସ୍ୱତନ୍ତ୍ର ପରିଚୟ ଦେବାର
ନିଜ ସ୍ୱାଭିମାନକୁ ବଜାୟ ରଖିବାର
ନିଜକୁ ନିଜେ ମଜବୁତ କରି ଗଢ଼ି ତୋଳିବାର
ଆଉ ଏ ସ୍ୱାର୍ଥପର ଦୁନିଆରେ
ନିଜ ସ୍ୱାର୍ଥ ପାଇଁ ନିଜ ପରିଧିକୁ ଟିକେ ବିସ୍ତାର କରିବାର
ଯେଉଁଠି ପ୍ରତିଟି ନିଶ୍ୱାସରେ ଥିବ ଆତ୍ମବିଶ୍ଵାସ
ପ୍ରତିଟି ନିରବତାରେ ଥିବା ଆତ୍ମସମୀକ୍ଷା
ଆଉ ପ୍ରତିଟି ହସରେ ଥିବ ଆତ୍ମସନ୍ତୋଷ…

ସନ୍ତୋଷ,
ଭଉଣୀର ଖୁସିରେ ଭାଇ ହୃଦୟରେ କୂଳ ଲଂଘୁଥିବା
ଅସୁମାରୀ ଆନନ୍ଦ, ଆଖି କୋଣରେ ଜକେଇ ଆସୁଥିବା
କେଇ ଟୋପା ଅଶ୍ରୁ ଅବା ଗର୍ବରେ ଫୁଲି ଉଠୁଥୁବା
ଛାତି ଯାହା ଦିନେ ନିଜ ଖୁସିରେ ନିରବ ରହିଥିବା
କୋହ ହଉ କି ନିଜ କଷ୍ଟରେ ଯନ୍ତ୍ରଣା ଜର୍ଜରିତ ଥିବା
ଭଙ୍ଗା ମନର ଦରଭଙ୍ଗ। ସପନ…

ସପନ,
ଭଉଣୀକୁ ରାଜକୁମାରୀ ପରି ଗଢ଼ି ତୋଳିବାର
ତା’ ପାଇଁ ଆକାଶରୁ ଚାନ୍ଦ ତୋଳି ଆଣିବାର
ତା’ର ସବୁ ଅଳୀ ଅର୍ଦଳିକୁ ସହି ତା’ ଅବୁଝା ମନକୁ ସାନ୍ତ୍ୱନା ଦେବାର
ଆଉ ତା’ ଖୁସି ପାଇଁ ଦୁନିଆ ଆଗେ ଠିଆ ହୋଇ ଲଢ଼ିବାର
ତା’କୁ ବୋଝ ନୁହଁ ନିଜ ଅଧିକାର ସାବ୍ୟସ୍ତ କରିବାର
ଆଉ ତା’କୁ ନିଜ ସାହସ ଗର୍ବ ଆଉ ସ୍ୱାଭିମାନ ବୋଲାଇବାର
ସବୁ ସମ୍ପର୍କରୁ ଶ୍ରେଷ୍ଠ ଗୋଟେ ପରିଚୟ ଦବାର
ଆଉ ଭାଇ ଜନ୍ମକୁ ଯଥାର୍ଥ, କୃତାର୍ଥ ଆଉ ସ୍ଵୀକୃତ କରିବାର…

ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।