You are currently viewing ✍ ଦ୍ୱାବିଂଶ ସମ୍ପାଦକୀୟ
Editorial Page of Shubhapallaba 22nd Edition

✍ ଦ୍ୱାବିଂଶ ସମ୍ପାଦକୀୟ

ଆଉ ଏକ ବର୍ଷ ସରିଗଲା । ଆଶା ଓ ଆକାଂକ୍ଷାର ବର୍ଷଟିଏ ସରିଗଲା । ଭୟ, ଭ୍ରାନ୍ତି ଆଉ ଆଶଙ୍କାର ବର୍ଷଟିଏ ସରିଗଲା । ଅନେକ ଅବଶୋଷ, ବିଦ୍ୱେଷ, ପ୍ରତୀକ୍ଷା, ତିତୀକ୍ଷା ସବୁକୁ ଅବଲୋକନ କରୁ କରୁ ପୁଣି ବର୍ଷଟିଏ ସରିଗଲା । ଆଲୋଚନା-ପର୍ଯ୍ୟାଲୋଚନା, ଆରୋପ-ପ୍ରତ୍ୟାରୋପର ସଘନ ବର୍ଷଟିଏ ସରିଗଲା । କେତେ କେତେ ସ୍ୱଳ୍ପ ବିରାମ, ପୂର୍ଣ୍ଣ ବିରାମ ତଥା ପୂର୍ଣ୍ଣଛେଦର ବର୍ଷଟିଏ ଚାହୁଁ ଚାହୁଁ ସରିଗଲା । ମେଞ୍ଚା ମେଞ୍ଚା ପ୍ରତିଶୃତି ତଥା ସମ୍ଭାବନା ସବୁ ଅଙ୍କୁରୋଦ୍ଗମ ହେବା ଆଗରୁ ପୁଣି ବର୍ଷଟିଏ ସରିଗଲା । ବୈଶ୍ୱିକ ମହାମାରୀରେ ସଂଘର୍ଷ କରୁଥିବା ମାନବ ଜାତି ପୁଣି ଅଣ୍ଟା ଦମ୍ଭକରି ସଳଖି ଠିଆ ହେଉ ହେଉ ବର୍ଷଟା ସରିଗଲା । ମତ ଦାତାଙ୍କର ଅଧିକାର, ସ୍ଥାଣୁ ଅର୍ଥନୀତି, ଗରିବୀ ଓ ବେରୋଜଗାରୀ, ଦଙ୍ଗା, ଦୁର୍ନୀତି, ଆନ୍ଦୋଳନ, ସମ୍ଭାବ୍ୟ ଯୁଦ୍ଧର ଭୟାବହତା… ସବୁକିଛି ଘଟି ଯାଇଛି ବିଗତ ବର୍ଷରେ । ତଥାପି ଛାତିକୁ ପଥର କରି ସବୁ ଦେଖିଛି, ସବୁ ସହିଯାଇଛି ଏ ମାନବ ଜାତିଟା । ଜୀବନ, ଜୀବିକା ସହ ସାଲିସ୍ କରି ମନକୁ ଦମ୍ଭ କରିଛି; ଏ ସବୁକୁ ଅତିକ୍ରମୀ ଯିବାପାଇଁ ସାହସ କୁଳେଇଛି । ବିଗତ ବର୍ଷର ଘଟଣା ପ୍ରବାହରେ ଗୋଟିଏ ଆଖିରୁ ବୋହୁଥିବା ଲୁହରେ ଭିଜୁଥିଲେ ବି ଅନ୍ୟ ଆଖିରେ ଭବିଷ୍ୟତ ପାଇଁ ଦେଖୁଥିବା ସ୍ୱପ୍ନର ଚମକ ଖେଳାଇଛି । ବିଶ୍ୱାସ ଅଛି ଆଗାମୀ ବର୍ଷ ଶୁଭଙ୍କର ହେବ ତା’ ପାଇଁ । ବିଶ୍ୱାସ ଅଛି ଆର୍ଥିକ ସ୍ଥିତିରେ ସୁଧାର ଆସିବ, ବେରୋଜଗାରୀ କମିବ, ଦୁର୍ନୀତି ହଟିବ ଆଉ ସମାଜରେ ଶାନ୍ତି ଆଉ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରିବ । ଆହୁରି ବିଶ୍ୱାସ ଅଛି ନୂତନ ଟୀକାର ଆଗମନ ଫଳରେ ମହାମାରୀର ଭୟାବହତା କମିବ । ଏମିତି ଅନେକ ଆଶା ଆଉ ଆକାଂକ୍ଷା ପାଇଁ ତ ତା’ ଆଖିରେ ଏ ଚମକ !

ଶୁଭପଲ୍ଲବ ବି ଏ ବର୍ଷ ଅନେକ ସମ୍ଭାବନା ଦେଇ ଗତି କରିଛି । ଆପଣମାନଙ୍କ ଭଲପାଇବା ଆଉ ଶୁଭେଚ୍ଛା ଯୋଗୁଁ ତ୍ରୈମାସିକ ପତ୍ରିକାରୁ ଆସି ମାସିକ ପତ୍ରିକାରେ ସଫଳତାର ସହ ପଦାର୍ପଣ କରି ବର୍ଷଟିଏ ପୂର୍ଣ୍ଣ କରିଛି । ଇ-ଷ୍ଟୋର ଜରିଆରେ ନୂତନ ସ୍ୱପ୍ନ ଦେଖିଛି ଓ ଦେଖାଇଛି । ‘ଶୁଭୋଦୟ’ ଭଳି ଅନ୍ୟ ଏକ ପତ୍ରିକାର ପୃଷ୍ଟପୋଷକ ସାଜିଛି । ଗତବର୍ଷ ଭଳି ଏଇ ବର୍ଷ ପାଇଁ ମଧ୍ୟ ଅନେକ ଯୋଜନା କରିଛି । ଏଇ ମାସରୁ ‘ଗଳ୍ପକାନ୍ତି’ ନାମରେ ଧାରାବାହିକଟିଏ ଆରମ୍ଭ କରିଛି, ରୌପ୍ୟ ଜୟନ୍ତୀ ପତ୍ରିକା ପାଇଁ ବିଶେଷ ଯୋଜନା ପ୍ରସ୍ତୁତ କରିଛି ତଥା ନୂତନ ପୁସ୍ତକ ପ୍ରକାଶନ ତଥା ବିତରଣ ପାଇଁ ନୂତନ ଖସଡ଼ା ପ୍ରସ୍ତୁତ କରିଛି । ଆପଣମାନଙ୍କ ଭଲପାଇବା ଏମିତି ରହିଲେ ଆଗାମୀ ଦିନମାନଙ୍କରେ ସଂଗ୍ରାମଙ୍କ ‘କଲେଜ ଡାଇରୀ’ ଓ ସମ୍ୱିତ ବାବୁଙ୍କ ‘କାର୍ଟୂନ ସିରିଜ’ ସହ ନୂତନ ଭାବେ ଆତ୍ମପ୍ରକାଶ କରିବାକୁ ସଜ ବି ହେଉଛି ।

ଇଂରାଜୀ ନବବର୍ଷ ସମସ୍ତଙ୍କ ପାଇଁ ଆଶା, ଆକାଂକ୍ଷା ତଥା ସମ୍ଭାବନାର ବର୍ଷ ହେଉ ଏହା ହିଁ ମହାପ୍ରଭୁଙ୍କ ଶ୍ରୀଚରଣାରବିନ୍ଦରେ ପ୍ରାର୍ଥନା ।

ଇଂରାଜୀ ନବବର୍ଷ ତଥା ମକର ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ
ଜୟ ଜଗନ୍ନାଥ

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।