You are currently viewing ମୃତ୍ୟୁସହ ଆଳାପ
ମୃତ୍ୟୁସହ ଆଳାପ

ମୃତ୍ୟୁସହ ଆଳାପ

ବିଷ୍ଣୁମୋହନ ମିଶ୍ରଙ୍କ ଅନ୍ତିମ ସମୟ ଏତେ ଶୀଘ୍ର ପାଖେଇ ଆସିବ ବୋଲି କେହି ବିଶ୍ୱାସ କରୁପାରୁନଥାନ୍ତି । ସପ୍ତାହେ ପୁର୍ବରୁ ଏକ ଦାମି ଘରୋଇ ହସ୍ପାତାଳରେ ହୃଦଘାତ ରୋକିବା ଲାଗି ବହୁମୁଲ୍ୟର ଅସ୍ତ୍ରୋପଚାର କରାହେଇଥିଲା । ଲକ୍ଷ ଲକ୍ଷ ଟଙ୍କା ପାଣିରେ ଭସେଇ ମନସ୍କାମନା ପୂରଣ କଲାପରି ଟଙ୍କା ଖର୍ଚ୍ଚ ହେଇଛି ସେଥିରେ । ପୁଅବୋହୂ ଝିଅଜ୍ଵାଇଁ ସବୁ ଲାଗିପଡ଼ିଛନ୍ତି ତାଙ୍କ ପଛରେ । କିନ୍ତୁ ଡାକ୍ତର କହୁଛନ୍ତି ବଞ୍ଚିବା ଆଶା କମ୍ । ଦେହ ମୁଣ୍ଡ ଶିଥିଳ ପଡ଼ିଗଲାଣି । ପାଦ ଗୁଡ଼ାକ ଫୁଲି ଉଠୁଥାଏ, ଦେହର ବର୍ଜ୍ୟବସ୍ତୁ ସଠିକ ଭାବରେ ନିଷ୍କାସନ ହେଉନଥିବାରୁ ଏମିତି ଅବସ୍ଥା । ଡାକ୍ତରଙ୍କ ପ୍ରଚେଷ୍ଟା ଅନନ୍ୟ କିନ୍ତୁ ଭାଗ୍ୟ କଥା କ’ଣ କାହା ହାତରେ ଅଛି !

ସନ୍ଧ୍ୟା ସାତଟା ହେଲାଣି କିନ୍ତୁ ବିଷ୍ଣୁ ବାବୁଙ୍କ ନିଦ ଭାଙ୍ଗୁନି । ଅସ୍ତ୍ରୋପଚାର ପରଠାରୁ ନିଦ ହେଉନଥିବାର ଅଭିଯୋଗ କରୁଥିଲେ ସେ, କିନ୍ତୁ ଆଜି ଆରାମରେ ଶୋଇରହିଛନ୍ତି । ସ୍ତ୍ରୀ ସାଧାନା ଦୁଇ ତିନିଥର ଯାଇ ପାଦ ହଲାଇ ଉଠେଇବାକୁ ଚେଷ୍ଟା କଲେଣି କିନ୍ତୁ ବିଷ୍ଣୁ ବାବୁ ନିର୍ବିକାର ଚିତ୍ତରେ ଶୋଇଛନ୍ତି । ବୋହୂ ସୁମୋନାଙ୍କର ଟିକେ ସନ୍ଦେହ ହେଲା, ସଙ୍ଗେ ସଙ୍ଗେ ନାଡ଼ୀ ପରୀକ୍ଷା କଲେ । ହୃଦସ୍ପନ୍ଦନ କ୍ଷୀଣ ହେଇଆସିଲାଣି, ବିକଳ ହେଇ ଡାକପକେଇଲେ ସ୍ଵାମୀ ପରେଶଙ୍କୁ । ବିଷ୍ଣୁ ବାବୁଙ୍କୁ ସଙ୍ଗେ ସଙ୍ଗେ ନିଆହେଲା ହସ୍ପାତାଳ ।

ମୁହଁରେ ଅମ୍ଳଜାନ ଥଳୀ ସଂଯୋଗକରି ଡାକ୍ତରୀଦଳ ନା ନା ପରୀକ୍ଷା ନିରୀକ୍ଷା ଆରମ୍ଭକଲେ । ଗୋଟାଏ ଦିନ ଆଇ.ଆଇ.ସି.ୟୁ.ରେ ରହିବାପରେ ବିଷ୍ଣୁ ବାବୁଙ୍କ ଚେତା ଫେରିଲା କିନ୍ତୁ ଦେହ ଆହୁରି ରୁଗ୍ଣ । ଲମ୍ବ ଚଉଡ଼ା ଶରୀରଟି ଯେମିତି ହସ୍ପାତାଳର ଖଟିଆରେ ସିକୁଡ଼ି ହେଇପଡ଼ୁଥାଏ । ମିଞ୍ଜି ମିଞ୍ଜି କରି ଆଖି ଖୋଲିବାକୁ ଚେଷ୍ଟା କଲେ ବିଷ୍ଣୁ ବାବୁ, ଆଲୋକିତ କକ୍ଷଟା ସତେକି ରେଟିନା ଉପରେ ପ୍ରହାର କରିପକାଉଛି । ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ଆଲୋକ ଟିକେ କମେଇ ଦିଆଗଲା, ଏବେ ସ୍ପଷ୍ଟ ନହେଲେ ମଧ୍ୟ ଆଖି ଖୋଲିବାରେ ସକ୍ଷମ ହେଲେ ବିଷ୍ଣୁ ବାବୁ । ତାଙ୍କ ଖଟିଆ ଚାରିପଟେ ଗହଳି, ଘରଲୋକ ଘେରି ଠିଆ ହେଇଛନ୍ତି । ପିଲାଦିନର ସାଙ୍ଗ ଅନାଦି ମଧ୍ୟ ଆସିପହଞ୍ଚିଛନ୍ତି । ସେପଟେ ପାଦ ପାଖରେ ସାଧନା ବସି ମୁହଁ ଲୁଚେଇ ପାଦ ଚାପି ଚାଲିଛନ୍ତି । କେତେ ଧୈର୍ଯ୍ୟ ସତରେ ସାଧନାର ! ସବୁ ଚିହ୍ନା ମୁହଁଗୁଡ଼ା ଝାଉଁଳି ପଡ଼ିଛି, ଆଉ ଏକପ୍ରକାରର ଭାବାବେଗ ସବୁ ମୁହଁରେ । ସଭିଙ୍କ ଆଶା ବିଷ୍ଣୁ ବାବୁ ଶୀଘ୍ର ସୁସ୍ଥ ହେଇଯାଆନ୍ତୁ, କିନ୍ତୁ ଅଚିହ୍ନା ଚେହେରାଟା କାହାର । ଖଦି ଧଳା କମିଜ ପିନ୍ଧି କିଏ ସେ? ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତେ କକ୍ଷରୁ ବାହାରି ଗଲେ କିନ୍ତୁ ସେ ଅଚିହ୍ନା ଲୋକଟି ସେମିତି ବସିରହିଥାଏ ।

Patient on the Hospital Bed

“କେମିତି ଲାଗୁଛି ବିଷ୍ଣୁ?” ଅଚିହ୍ନା ଲୋକ ଏଥର ପାଖକୁ ଆସି ପଚାରିଲା ।

“ତମେ କ’ଣ ଡାକ୍ତର?”

“ମୋ ପରିଚୟ ଗୁପ୍ତ ଥାଉ, କିଛି ସମୟପରେ କହିବି । ତମକୁ ଏହି ଖଦି ଧଳା କମିଜଟା ଦେଖି ଟିକେ ସନ୍ତୋଷ ଲାଗୁଥିବ, ନୁହେଁ?”

“ହଁ, ମୋର ଭାରି ପ୍ରିୟ ଧଳାରଙ୍ଗ । କେତେଥର ଭାବିଛି ଏମିତି ସଫା ଧଳା କମିଜ ପିନ୍ଧିନ୍ତି ବୋଲି କିନ୍ତୁ ସାଧନାର ସବୁବେଳେ ବାରଣ । ମୁଁ କାଳେ ଧଳାକୁ କୋତରା କରିଦିଏ!”, ଅଳ୍ପ ହସିକହିଲେ ବିଷ୍ଣୁ ବାବୁ ।

“ତମ ଶରୀର ଅତ୍ୟଧିକ ରୁଗ୍ଣ ହେଇଗଲାଣି । କଷ୍ଟ ସହ୍ୟ କରିପାରୁଛ, ବିଷ୍ଣୁ?”

“ସାରା ଜୀବନ ବିତିଗଲା କଷ୍ଟ ସହ୍ୟ କରି, ଏହି କଷ୍ଟବି ଦେହସୁହା ହେଇଗଲାଣି ।”

“ଭଲ, ତେବେ ଏହି କଷ୍ଟ ଆଉ ଅଳ୍ପ କ୍ଷଣର । ତା’ପରେ ସବୁଦିନ ପାଇଁ ତମ ଶରୀର ଏହି ଯନ୍ତ୍ରଣାରୁ ମୁକ୍ତ ହେଇଯିବ ।”

“ଧନ୍ୟବାଦ ଡାକ୍ତର ବାବୁ । ଆପଣଙ୍କ ଏହି ସଂସ୍ଥା ଉପରେ ମୋର ଭରସା ଗତ ବର୍ଷରୁ ରହିଛି । ମୁଁ ଜାଣେ ଗତଥର ପରି ଏଥର ମଧ୍ୟ ଆପଣ ମୋତେ ଆରୋଗ୍ୟ କରିଦେବେ ।”

“ତମ ଯନ୍ତ୍ରଣାରୁ ମୁକ୍ତ କରିବାକୁ ମୁଁ ଆଶିଛି ନିଶ୍ଚିୟ କିନ୍ତୁ ମୁଁ ତମ ଡାକ୍ତର ନୁହେଁ ।”

“ଏହି କଥାର ତାତ୍ପର୍ଯ୍ୟ ମୁଁ ବୁଝିପାରୁନି । ତେବେ ଆପଣ କିଏ ମହାଶୟ?” ଆଶ୍ଚର୍ଯ୍ୟର ସହ ପଚାରିଲେ ବିଷ୍ଣୁ ।

“ବୋଧହୁଏ ମୋ ପରିଚୟ ତମର ସମସ୍ତ ସଂଶୟ ଦୂରେଦେଇପାରେ । ମୁଁ ତମ ମୃତ୍ୟୁ, ତମକୁ ଏହି ଶରୀର ରୂପୀ ଆବରଣରୁ ମୁକ୍ତ କରିବାପାଇଁ ଆସିଛି । ତମକୁ ପ୍ରସ୍ତୁତ ହବାକୁ ପଡ଼ିବ ।”

“ହା ହା ହା, ଚମତ୍କାର !! ଆପଣଙ୍କ ବ୍ୟଙ୍ଗକରିବା ମିଜାଜ୍ ଭାରି ଭଲ, ମୋ ସ୍ଥାନରେ ଅନ୍ୟକେହି ଥିଲେ ଡରି ଛାନିଆ ହେଇଥାଆନ୍ତା ।” ହସିପକେଇ କହିଲେ ବିଷ୍ଣୁ ବାବୁ ।

“ଆପଣଙ୍କୁ ଦେଖି ଲାଗୁଛି ଆପଣ ଜଣେ ମନୋବିଜ୍ଞାନୀ ବୋଧେ । ମୋତେ ମାନସିକ ସ୍ତରରେ ସାହାଯ୍ୟ କରିବାକୁ ଆସିଛନ୍ତି ।”

“ବ୍ୟଙ୍ଗ କରିବାର ପ୍ରୟୋଜନ ନାହିଁ । ମୃତ୍ୟୁ କେବେ କାହା ସହ ବ୍ୟଙ୍ଗକରେନା । ମୃତ୍ୟୁ ହିଁ ଜୀବନର ଏକମାତ୍ର ସତ୍ୟ ।”

“ମୋର ହସ ବନ୍ଦ ହେଉନାହିଁ । ଆପଣ ସତରେ ମଜାଳିଆ ଲୋକ । ଆପଣଙ୍କୁ ନିହାତି ଡାକ୍ତର ପଠେଇଥିବେ ମୋତେ ଏମିତି କଥା କହି ହେସେଇବା ଅଭିପ୍ରାୟରେ ।”

“ମୋର ଏଠାରେ ଆସିବାର ଅଭିପ୍ରାୟ କେବଳ ତମକୁ ସାଥିରେ ନେଇଯିବା । ତେବେ ତମକୁ ଆଉ କିଛି କ୍ଷଣପରେ ଜଣାପଡ଼ିଯିବ ଏହି ସତ୍ୟ ବିଷୟରେ ।”

“କେଉଁ ସତ୍ୟ? ଛାଡ଼ନ୍ତୁ ମୋତେ କୌଣସି ପ୍ରକାରର ପ୍ରମାଣ ଦେଇପାରିବେ, ଯାହାପରେ ମୁଁ ଆପଣଙ୍କ କଥା ଉପରେ ବିଶ୍ୱାସ କରିନେବି?”

“ପ୍ରମାଣ ଦେଇ କଥାର ସତ୍ୟତା ପ୍ରତିପାଦନ କରିବା ମୋ କାମ ନୁହେଁ ।”

ଏତିକି ବେଳେ ବାହାରୁ ନର୍ସ ଆସିଭିତରେ ବିଷ୍ଣୁ ବାବୁଙ୍କ ନାଡ଼ି ପରୀକ୍ଷା ତଥା ମେସିନରେ ହୃଦସ୍ପନ୍ଦନ ଏବଂ ରକ୍ତଚାପ ପରୀକ୍ଷା କରିବାକୁ ଲାଗିଲେ ।

“ଏହି ନର୍ସ କହିବେ ଆପଣ କିଏ” ଏତକ କହି ବିଷ୍ଣୁ ବାବୁ ନର୍ସଙ୍କ ହାତକୁ ଛୁଇଁବାର ଚେଷ୍ଟା କରି ଅସଫଳ ହେଲେ । “ଆରେ ୟେ କ’ଣ? ମୁଁ କାହିଁକି ଏ ଝିଅକୁ ସ୍ପର୍ଶ କରିପାରୁନି? ସେ କାହିଁକି ମୋ ଡାକ ଶୁଣୁନାହିଁ?”

“କାରଣ ତମେ ବର୍ତ୍ତମାନ ସଂଜ୍ଞାହୀନ ।”

“ଯଦି ସଂଜ୍ଞାହୀନ ତେବେ ଆପଣଙ୍କ ସହ ଏହି ଆଳାପ କେମିତି ସମ୍ଭବ?”

“ମୋ ସହ ଆଳାପ ତମେ ତମର ଅବଚେତନ ଅବସ୍ଥାରେ କରୁଛ । ଏହା ଏକ ସ୍ୱପ୍ନ ବୋଲି ଭାବିପାର ।”

ବିଷ୍ଣୁ ବାବୁ ହତବାକ ହୋଇ ଚାହିଁରହିଥାନ୍ତି । ମୃତ୍ୟୁ ପୁଣି କହିବା ଆରମ୍ଭକଲା “ଜୀବନ ଥିବା ଯାଏଁ ସମସ୍ତେ ମିଛ ମାୟା ପଛରେ ଗୋଡ଼େଇଥାନ୍ତି, ମୃତ୍ୟୁ ପରି ଏକ ଅନନ୍ତ ସତ୍ୟକୁ କେବେ ହୃଦୟଙ୍ଗମ କରନ୍ତି ନାହିଁ । ଯେତେବେଳେ ମୃତ୍ୟୁ ତାଙ୍କ ସମ୍ମୁଖରେ ଥାଏ ସେତେବେଳେ ତାକୁ ଭ୍ରମ ବୋଲି ମାନିନିଅନ୍ତି ।”

“ତେବେ କ’ଣ ମୋତେ, ଯମପୁରୀ ନେଇଯିବେ ଆପଣ?”

“ମୁଁ ଯମଦୂତ ନୁହେଁ, କେବଳ ଗୋଟାଏ ମାଧ୍ୟମ ବିଷ୍ଣୁ । ତମ ରୁଗ୍ଣ ମର ଶରୀରୁ ତମ ଆତ୍ମାକୁ ମୁକ୍ତ କରିବା ମୋର ଏକମାତ୍ର ଲକ୍ଷ୍ୟ ।”

“କିନ୍ତୁ ମୁଁ ଶୁଣିଛି ମୃତ୍ୟୁ ପରେ ଯମପୁରୀରେ କର୍ମ ଅନୁଯାୟୀ ଫଳ ମିଳେ!”

ଏଥର ମୃତ୍ୟୁ ସ୍ମିତ ହସି କହିଲା, “ଆଛା ତେବେ କୁହ ଯେ, ମୃତ୍ୟୁ ପରେ କ’ଣ ହୁଏ?”

“ଅର୍ଥାତ୍?” ବିଷ୍ଣୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।
“ଅର୍ଥାତ୍, ମୃତ୍ୟୁ ପରର ସଂସ୍କାର କ’ଣ?”
“ଶବ ସତ୍କାର, ପନ୍ଦର ଦିନର ଶୋକ ପାଳନ ଆଦି ।”

“ଠିକ କହିଲ ବିଷ୍ଣୁ, ତେବେ ଶବ ସତ୍କାରରେ ମର ଶରୀରକୁ ଅଗ୍ନିକୁ ସମର୍ପଣ କରାଯାଏ । ମର ଶରୀରରୁ ବାହାରିଯାଏ ଆତ୍ମା । ତମେ ଗୀତାରେ ପଢ଼ିଥିବ ଯେ, ଆତ୍ମା ଅମର ବୋଲି । ଆତ୍ମା କେବଳ ଅମର ନୁହେଁ ଏହା ସମସ୍ତ ମୋହ, କଷ୍ଟ, ଦୁଃଖଠାରୁ ଉର୍ଦ୍ଧ୍ୱରେ । ଆତ୍ମାକୁ ସୃଷ୍ଟି କରିହେବ ନାହିଁ କି ଏହାର ନାଶ କରିହେବନାହିଁ, ଏହା କେବଳ ଗୋଟାଏ ଶରୀରରୁ ବାହାରି ଅନ୍ୟ ଶରୀରକୁ ଚାଲିଯାଏ । ଆଉ ରହିଲା ଯମ ଯନ୍ତ୍ରଣା ତଥା କର୍ମଫଳ ତେବେ ସେ ସବୁ ମଣିଷ ତାର ଇହ ଜନ୍ମରେ ହିଁ ପାଇଯାଏ । ସ୍ଵର୍ଗ ସୁଖ ଏବଂ ପାତାଳର ଯନ୍ତ୍ରଣା, ମଣିଷ ନିଜ କର୍ମ ଅନୁଯାୟୀ ଏହି ଜନ୍ମରେ ପାଇଯାଏ ।”

ହଠାତ୍ ହୃଦସ୍ପନ୍ଦନ ଦର୍ଶାଉଥିବା ମେସିନର ଶବ୍ଦ କ୍ଷୀଣ ହେବାକୁ ଲାଗିଲା । ବାହାରେ ବସିଥିବା ନର୍ସ ଭିତରକୁ ଆସି ପୁଣିଥରେ ନାଡ଼ିପରୀକ୍ଷା କରିବାକୁ ଲାଗିଲେ ଏବଂ ସଙ୍ଗେ ସଙ୍ଗେ ଦୌଡ଼ିଗଲେ ଡାକ୍ତରଙ୍କ ପାଖକୁ । ଡାକ୍ତର ମଧ୍ୟ କିଛି କ୍ଷଣରେ ଆସି ପହଞ୍ଚିଗଲେ । ବିଷ୍ଣୁଙ୍କ ଘରଲୋକ ମଧ୍ୟ ଆସି ପହଞ୍ଚିଗଲେ ତାଙ୍କ ପାଖରେ । ସମସ୍ତେ ଡାକ୍ତରଙ୍କୁ ଆଶାପୂର୍ଣ୍ଣ ନଜରରେ ଚାହିଁଥାନ୍ତି । ସାଧନା ବିଷ୍ଣୁଙ୍କ ପାଦ ପାଖରେ ବସି ମହାମୃତ୍ୟୁଞ୍ଜୟ ମନ୍ତ୍ର ଯାପ କରୁଥାନ୍ତି ।

ବିଷ୍ଣୁ ମୃତ୍ୟୁର ଆବେଗହୀନ ମୁହଁକୁ ଚାହିଁ ପ୍ରଶ୍ନ କଲେ, “ତେବେ କ’ଣ ସମୟ ହେଇଗଲା?”

ମୃତ୍ୟୁ ବିଷ୍ଣୁଙ୍କ ହାତଧରି ଉତ୍ତର ଦେଲା “ତମେ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ, ଆସ ।”

ବିଷ୍ଣୁଙ୍କ ନାଡ଼ିପରୀକ୍ଷା କରୁଥିବା ଡାକ୍ତର ଏଥର ଧୀରେ କରି ତାଙ୍କ ହାତକୁ ଥୋଇଦେଲେ । ମେସିନ ଗୁଡ଼ିକରେ ଉପର ତଳ ହୋଇ ଚାଲୁଥିବା ଗାର ସବୁ ସମାନ୍ତରାଳ ରେଖାରେ ପରିଣତ ହେଇଗଲେ । ଘରଲୋକଙ୍କ କାନ୍ଦବୋବାଳିକୁ ପଛରେ ପକାଇ ବିଷ୍ଣୁଙ୍କ ଆତ୍ମା ଚାଲିଗଲା ପରମାତ୍ମା ପାଖକୁ ଆଉ ହସ୍ପାତାଳରେ ପଡ଼ିରହିଲା ତାଙ୍କ ରୁଗ୍ଣ ମର ଶରୀର ।

– ସଂଘମିତ୍ରା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଘମିତ୍ର ମହାପାତ୍ର ଜଣେ ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।