You are currently viewing ଫାଇଟ୍: ମୁଁ ଆଉ ମୋ ସହ
ଫାଇଟ୍: ମୁଁ ଆଉ ମୋ ସହ

ଫାଇଟ୍: ମୁଁ ଆଉ ମୋ ସହ

ଆଜି ପୁରା ଦରଖଳି ଗାଆଁର ସବୁଆଡ଼େ ଚର୍ଚ୍ଚା । ଚର୍ଚ୍ଚାର କାରଣଟା କ’ଣ ଜାଣନ୍ତି? କାରଣଟା ହେଉଛି ଆଜି ସେହି ଗାଆଁର ସମସ୍ତଙ୍କର ଅତି ଆପଣାର ଗପୁ ଭାଇ ମନୋନୀତ ହୋଇଛନ୍ତି ସାହିତ୍ୟ ଏକାଡ଼଼େମୀ ପୁରସ୍କାର ପାଇବାପାଇଁ । ସାଙ୍ଗମାନେ ସତେଅବା ପାଗଳ ହୋଇଯାଇଛନ୍ତି ଏଖବର ଶୁଣିବାପରେ । ଗପୁ ଭାଇର ପରିବାର ଲୋକ ଏପର୍ୟ୍ୟନ୍ତ ବିଶ୍ୱାସ କରିପାରୁନାହାନ୍ତି ତାଙ୍କର ଗପୁ ଆଜି ସାହିତ୍ୟ ଏକାଡ଼଼େମୀ ପୁରସ୍କାରର ବିଜେତା । ନିଜେ ଗପୁ ମଧ୍ୟ ବିଶ୍ୱାସ କରିପାରୁନଥାଏ ନିଜ କାନଉପରେ । କିଛି ସମୟର ଅନ୍ତରାଳରେ ଘରେ ଲାଗିଗଲା ସାମ୍ୱାଦିକଙ୍କର ଗହଳି । ଗାଆଁ ଶେଷଆଡ଼କୁ ସେହି ନୁଆଁଣିଆ ଦୁଇ ବଖରା ଟାଇଲଘରେ ଲୁଚିରହିଥିବା ସେହି ପ୍ରତିଭାକୁ ଦେଖିବାପାଇଁ ସାମ୍ୱାଦିକମାନେ ବ୍ୟଗ୍ର । ସର୍ବାଗ୍ରେ ନିଜନିଜର ଟିଭି ଚ୍ୟାନେଲ୍‌ରେ ଖବର ପ୍ରସାରଣ କରିବା ପାଇଁ ସବୁ ସାମ୍ୱାଦିକ ପୂର୍ଣ୍ଣ ପ୍ରସ୍ତୁତ । ଚାରିପ୍ରାଣୀ ପାଇଁ ନିଅଣ୍ଟ ଘରଟା ଏତେ ଜନଗହଳିକୁ କେମିତି ନିଜ ଭିତରେ ସାଉଁଟିପାରିଥାଆନ୍ତା ! ବୋଧହୁଏ ସେହିକାରଣରୁ ସାମ୍ୱାଦିକମାନେ ସେହି ପ୍ରତିଭାର ସାକ୍ଷାତକାର ନେବାପାଇଁ ଘରବାହାରେ ଅପେକ୍ଷାରତ । ବାହାରେ ଚତୁର୍ଦିଗରେ ଗୁଞରିତ ହେଉଥାଏ’ ଗପୁ ଭାଇ ଗପୁ ଭାଇ’ର ଧ୍ୱନି । କିଛିସମୟପରେ ଘରଭିତରୁ ବାହାରିଲେ ଜଣେ ବ୍ୟୋୟଜ୍ୟେଷ୍ଠ ବ୍ୟକ୍ତି । ସେ ନିଜର ପରିଚୟ ଦେଇ କହିଲେ “ଆପଣ ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ । ମୁଁ ଗପୁର ବାପା । ତା’ର ଶରୀର ଅସୁସ୍ଥ । ସେଥିପାଇଁ ସିଏ ଏଠାରେ ଉପସ୍ଥିତ ହେବାକୁ ଅନିଚ୍ଛୁକ । ତା’ତରଫରୁ ମୁଁ ଆପଣମାନଙ୍କ ପାଖରେ କ୍ଷମାପ୍ରାର୍ଥନା କରୁଛି ।” ବାହାରେ ଉପସ୍ଥିତ ସମସ୍ତ ସାମ୍ୱାଦିକ ନିଜନିଜ ଭିତରେ କଥାବାର୍ତ୍ତାହୋଇ ଚାଲିଗଲେ । ଏହିସମସ୍ତ କଥୋପକଥନକୁ ରୁମ୍ ଭିତରେ ଥାଇ ଗପୁ ଶୁଣୁଥିଲା । କିନ୍ତୁ ସେ ଥିଲା ନୀରବ ଆଉ ନିର୍ବିକାର । ତେବେ ସମସ୍ତଙ୍କର ଅପେକ୍ଷା କିନ୍ତୁ ସେହିଦିନଟିକୁ ଯେଉଁଦିନ ଗପୁ ପୁରସ୍କାର ଗ୍ରହଣ କରିବ ।

ସମୟ ଗଡ଼ିଚାଲିଲା ଆଉ ସମୟସହ ତାଳଦେଇ ବଢ଼ିଚାଲିଥିଲା ସଭିଙ୍କର ଉତ୍କଣ୍ଠା । ସେଦିନଟା ଆସି ଉପନୀତ ହେଲା । ଉପସ୍ଥିତ ଅତିଥି ଆଉ ବିଶିଷ୍ଟବ୍ୟକ୍ତିମାନଙ୍କ ଗହଣରେ ଜଣେ ପରେ ଜଣେ ପୁରସ୍କାରରେ ସମ୍ମାନିତ ହେଉଥାଆନ୍ତି । ଶେଷରେ ଆସିଲା ସେହି ବହୁ ପ୍ରତିକ୍ଷୀତ ସମୟ । ସମ୍ମାନର ସହ ଡକାଗଲା ଗପୁର ନାମ । କରତାଳିରେ କମ୍ପିଉଠିଲା ସେଠାକାର ପରିବେଶ । ସମସ୍ତେ ଅପେକ୍ଷାରତ ଦେଖିବାକୁ କିଏସେହି ଅନାମଧେୟ ବ୍ୟକ୍ତି ଯାହାର ଲେଖନୀ ମୁନରେ ଭରିରହିଛି ଶତସିଂହର ଶକ୍ତି । ସମସ୍ତଙ୍କ ଅପେକ୍ଷାର ଅନ୍ତଘଟାଇ ମଞ୍ଚ ଉପରକୁ ଆସୁଥିଲା ଗପୁ । ହେଲେ ଏ କ’ଣ ! ଲେଖନୀ ମୁନରେ ଶତସିଂହର ବଳ ରଖୁଥିବା ଲେଖକଟା ହ୍ୱିଲ ଚେୟାରରେ । ସମସ୍ତେ ଆଶ୍ଚର୍ୟ୍ୟ । ଆଜ୍ଞା ହଁ ! ଆମ ଗପୁଟା ଦିବ୍ୟାଙ୍ଗ । ତା’ର ଡାହାଣ ହାତ ଆଉ ଡାହାଣ ଗୋଡ଼ ନାହିଁ । କଥା କହିବାକୁ ଅସମର୍ଥ । ମୁଣ୍ଡ ଖପୁରୀର ଅର୍ଦ୍ଧେକ ଭାଗ ହୋଇଛି ପ୍ଲାଷ୍ଟିକ୍ ସର୍ଜରୀ । ସେହି ହ୍ୱିଲ ଚେୟାରରେ ଗପୁ ଯାଇ ପହଞ୍ଚିଲା ପୁରସ୍କାର ଗ୍ରହଣ କରିବାପାଇଁ ମୁଖ୍ୟ ଅତିଥିଙ୍କ ପାଖରୁ । ସମସ୍ତେ ନିରୁତ୍ତର ନୀରବ ଗପୁ ମୁହଁରୁ କିଛି ଶୁଣିବା ପାଇଁ । ହ୍ୱିଲ ଚେୟାର ପଛରେ ଛିଡ଼ାହୋଇଥିବା ଗପୁର ବାପାଙ୍କ ଆଖିରୁ ବହିଚାଲିଥାଏ ଧାରଧାର ଲୁହ । ଗପୁର ଇଚ୍ଛା ଥିଲା ମଞ୍ଚ ପର୍ୟ୍ୟନ୍ତ ହ୍ୱିଲଚେୟାରେ କେବଳ ତାର ବାପା ହିଁ ତାକୁ ନେବେ । ଧୀରେଧୀରେ ଗପୁର ବାପା ପକେଟରୁ ବାହାରକଲେ ଲେଖାହୋଇଥିବା କାଗଜର ଫର୍ଦଟିଏ । ଚାଲିଚାଲି ଗଲେ ପୋଡ଼ିୟମ୍ ପର୍ୟ୍ୟନ୍ତ । ଥରଥର ଗଳାରେ କହିଲେ, “ଏଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନେ । ଆଜି ମୋ ପୁଅ ମୋତେ ଦେଇଥିବା ଉପହାର ସତରେ ମୋ ପାଇଁ ଅମୁଲ୍ୟ । ଜଣେ ବାପ ପାଇଁ ଏହା ଠାରୁ ଅଧିକ ଗର୍ବର ବିଷୟ ଆଉ କ’ଣ ହୋଇପାରେ ଯେତେବେଳେ ସେ ପରିଚିତ ହୁଏ ନିଜ ପୁତ୍ରର ପରିଚୟରେ । ଆଜି ଏଠାରେ ମୋ ପୁଅର କିଛି ଧାଡ଼ିର ବକ୍ତବ୍ୟ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି ।” ତେବେ ତାଙ୍କର ଶତତ ପ୍ରୟାସ ବିଫଳ ହେଉଥାଏ ଅଶ୍ରୁରୂପି ଅନ୍ତରର ଭାବାବେଗକୁ ପ୍ରତିହତ କରିବା ପାଇଁ । ସେପଟେ ତାଙ୍କ ବକ୍ତବ୍ୟକୁ ଅନ୍ୟଜଣେ ବ୍ୟକ୍ତିବିଶେଷ ସମସ୍ତଙ୍କ ସମ୍ମୁଖରେ ସଭିଙ୍କ ଉଦ୍ଦେଶ୍ୟରେ ହିନ୍ଦୀରେ ରୂପାନ୍ତରଣ କରୁଥାନ୍ତି । ସମସ୍ତଙ୍କ ଉଦ୍ଦେଶ୍ୟରେ ଗପୁ ଲେଖିଥିବା ସେହି କାଗଜଟିକୁ ପଢ଼ିବାକୁ ଆରମ୍ଭ କଲେ ଗପୁର ବାପା । ସେଥିରେ ଲେଖାଥିଲା, “ଏଠାରେ ଉପସ୍ଥିତ ସମସ୍ତ ସମ୍ମାନାସ୍ପଦ ବ୍ୟକ୍ତିଗଣ ! ମୋତେ ଆପଣ ଯେପରି ଦେଖୁଛନ୍ତି ମୁଁ ଠିକ୍ ସେହିପରି । ଯଦି କିଛି ଜାଣିପାରୁନଥିବେ ତେବେ ସେଇଟା ହେଉଛି ମୁଁ କଥା କହିବାକୁ ମଧ୍ୟ ଅସମର୍ଥ । ବୋଧହୁଏ ଭଗବାନକଙ୍କର ଏହାହିଁ ଇଚ୍ଛାଥିଲା । ପଞ୍ଚମ ଶ୍ରେଣୀରେ ଦିନେ ଘରୁ ସ୍କୁଲ ଗଲାବେଳେ ହଠାତ ରାସ୍ତାରେ ଟ୍ରକଟିଏ ଭାରସାମ୍ୟ ହରାଇ ମୋ ଉପରେ ଚଢ଼ିଗଲା । ଆଉ ସେହିଦିନଠାରୁ ହସ ଖେଳର ଦୁନିଆଁଟା ମୋପାଇଁ ହଠାତ୍ ଅବୁଝା ଅଜଣା ହୋଇପଡ଼ିଲା । କୋମଳ ମନର ସେହି ରଙ୍ଗୀନ ଦୁନିଆଟା ହଠାତ୍ କେମିତି ମୋ ପାଇଁ ଗୋଟିଏ ବେରଙ୍ଗ ନନ୍ଦନକାନନରେ ରୂପାନ୍ତରିତ ହୋଇପଡ଼ିଲା । ଅବୁଝା ମନଟାକୁ ମୋର ବହୁତ ବୁଝାଇବାକୁ ଚେଷ୍ଟାକରୁଥିଲି । ବାପା ବୋଉର ମିଥ୍ୟା ଆଶ୍ୱାସନାକୁ ଯେତେଥର ଭରସିବାକୁ ଚେଷ୍ଟାକରୁଥିଲି ସେତେଥର ତାଙ୍କର ଗୋପନ କ୍ରନ୍ଦନଟା ବାରମ୍ୱାର ମୋତେ ଭାଙ୍ଗିପଡ଼ିବାକୁ ବିବଶ କରିଦେଉଥିଲା । ଛୋଟପିଲାଟିଏ ଥିଲି ମୁଁ । କେତେ ଅବା ବୁଝୁଥିଲି ! ହେଲେ ଏତିକି ନିଶ୍ଚୟ ବୁଝିପାରୁଥିଲି ଏ ଦୁନିଆରେ ଆଉ କେହି ଥାଉ ନଥାଉ ମୋ ବାପା ତ ଅଛନ୍ତି ମୋ ବୋଉ ତ ଅଛି । ମୋର ଆଉ କେହି ଦରକାର ନାହିଁ । ଜୀବନର ଯନ୍ତ୍ରଣାଟା ଯେବେଯେବେ ମୋତେ ଭୟଭୀତ କରିବାକୁ ଚେଷ୍ଟାକରୁଥିଲା, ସେବେସେବେ ମୁଁ ନିଜକୁ ଲୁଚାଇଦେଉଥିଲି ମୋ ବୋଉର ପଣତତଳେ । ଦୁଃଖ ଯନ୍ତ୍ରଣା ଆଉ ମୋ ଭିତରେ ଗୋଟିଏ ଅଭେଦ୍ୟ କବଚ ପାଲଟିଯାଇଥାଏ ମୋ ବୋଉର ପଣତଟା । ଦଶ ବର୍ଷର ପିଲାଟିଏ ଆଉଥରେ ଜୀବନକୁ ଜିଇଁବାକୁ ଚେଷ୍ଟାକରୁଥିଲା ତା’ ବୋଉର ପଣତ ଆଢ଼ୁଆଳରେ । ହେଲେ ଆଉଥରେ ଏଦୁନିଆଁକୁ ସମ୍ମୁଖୀନ ହେବାର ସାହସ ତା’ର ଆଉ ନଥିଲା । କେମିତି ସମ୍ମୁଖୀନ କରାଇଥାନ୍ତି ନିଜକୁ ଏ ଦୁନିଆଁ ସହ । ଦିନକୁଦିନ ଖୁବ୍ ଅସହାୟ ମନେକରୁଥିଲି ମୁଁ ଯେତେବେଳେ ମନେପଡ଼ିଯାଉଥିଲା ମୋର ସୁନେଲୀ ଅତୀତ, ଯେତେବେଳେ ଦେଖୁଥିଲି ମୋର ସାଙ୍ଗମାନଙ୍କୁ । ପ୍ରତିକ୍ଷଣେ ମୁଁ ପାଉଥିଲି ମାନସିକ ନିର୍ୟ୍ୟାତନା । ଜୀବନର ପ୍ରତିଟି କ୍ଷଣ ମୋତେ ମୃତ୍ୟୁର ଅନୁଭବ ଆଣିଦେଉଥିଲା । ବୋଝପରି ଲାଗୁଥିଲା ମୋତେ ମୋ ଜୀବନ । ଅନେକଥର ଆତ୍ମହତ୍ୟାର ବୃଥା ପ୍ରୟାସ ବି କଲି । ମୋର ଏଭଳି ପଦକ୍ଷେପ ଖୁବ୍ କଷ୍ଟ ଦେଉଥିଲା ମୋ ବାପା ବୋଉଙ୍କୁ ।

ସେଦିନ କ’ଣ ହେଲା କେଜାଣି ବାପା ମୋତେ ଧରି ଖୁବ୍ କାନ୍ଦିଲେ । ମୋ ମନ ବୁଝାଇବାକୁ ନେଇଗଲେ ଘର ବାହାରକୁ । ବହୁତ ଦିନପରେ ସମାଜକୁ ଅତି ନିକଟରୁ ଦେଖୁଥାଏ ମୁଁ ମୋର ଏହି ହ୍ୱିଲ ଚେୟାର ଉପରୁ । ଚାହୁଁଥାଏ ନୀଳ ଆକାଶକୁ ଅନୁଭବ କରୁଥାଏ ଦେହକୁ ସ୍ପର୍ଶକରିଚାଲିଯାଉଥିବା ଶୀତଳ ପବନକୁ । ମନେମନେ ଭାବୁଥାଏ ଆରେ ! ଆଗରୁ ତ କେବେ ଦେଖୁନଥିଲି ଏ ଆକାଶଟା ଏତେ ସୁନ୍ଦର ବୋଲି; ଆଗରୁ ତ କେବେ ଅନୁଭବ କରିନଥିଲି ପବନର ସ୍ପର୍ଶଟା ଏତେ ମଧୁର ବୋଲି; ହେଲେ ଆଜି କାହିଁକି ମୁଁ ବୁଝିପାରୁଛି ତା’ର ସ୍ପର୍ଶରେ କଥାକହୁଥିବା ମୋ ଶରୀରର ଟାଙ୍କୁରା ଲୋମ କୂପର ଭାଷା । ଠିକ୍ ଏତିକିବେଳେ ‘ମାଛ ନେବ ମାଛ’ କହି ଦ୍ରୁତଗତିରେ ସାଇକେଲ ମାଡ଼ି ଆସୁଥାଏ ମାଛ ବିକାଳିଟିଏ । ହଠାତ୍ ମୁଁ ଏକଲୟରେ ଚାହିଁରହିଲି ତା’ ଗୋଡ଼କୁ । ଦେଖିଲି ତା’ର ସମ୍ପୂର୍ଣ୍ଣ ଗୋଟିଏ ଗୋଡ଼ କାଠରେ ତିଆରି । ସେଥିରେ ଖଞାଯାଇଛି କିଛି ନଟ୍‌ବୋଲ୍ଟ, ପୁଣି ହୋଇଛି ଅସଂଖ୍ୟ ମରାମତି । ବୋଧହୁଏ ଦାରିଦ୍ର୍ୟକୁ ଉପହାସ କରିବାର ସୁଯୋଗ ନଦେଇ ନିଜେନିଜେ ତିଆରି କରିଥିଲା ସେହି କୃତ୍ରିମ ଗୋଡ଼ଟା । ମନଟା ମୋର କହି ଉଠିଲା, “ତା’ମାନେ କ’ଣ ସିଏବି ମୋଭଳି… ।” ଗୋଡ଼ ନଥାଇ ମଧ୍ୟ ଲୋକଟିର ଉତ୍ସାହ ମୋମନରେ ସତେଅବା ଖେଳାଇ ଦେଉଥିଲା ଆଶାର ଏକ ନୂତନ ଆଲୋକ । ସତେକି ସେହି ଲୋକଟି ମୋତେ ଶିଖାଇଦେଇଥିଲା ଜୀବନ ଜିଇଁବାର ଏକ ନିଆରା କୌଶଳ । ତା’ର ସେହି କାଠ ଗୋଡ଼ଟି ଭିତରେ ମୁଁ ଖୋଜୁଥାଏ ନିଜ ଜୀବନର ପୂର୍ଣ୍ଣତାକୁ । ଦେଖୁଥାଏ ଅପୂର୍ଣ୍ଣତା ଭିତରେ ତା’ର ମାନସିକ ପୂର୍ଣ୍ଣତାକୁ । ମୋତେ ଦେଖି ଲୋକଟି ମୋ ପାଖକୁ ଆସି କହିଲା, “ବୁଝିଲୁ ପୁଅ ! ହାରିବୁନି । ଜମାରୁ ହାରିବୁନି । ମୋଭଳି ଲଢ଼୍ । ଜୀବନକୁ ଦେଖାଇଦେ ଆମକୁ ବି ବଞ୍ଚି ଆସେ । ଜୀବନକୁ ଯେତେ ଡରିବୁ ସିଏ ତୋତେ ସେତେ ବେଶି ଡରେଇବ । ଦେଖ୍ ମୋତେ ।” ଏତିକି କହି ସିଏ ବିଜୁଳି ବେଗରେ ସାଇକେଲ୍ ଛୁଟାଇ ‘ମାଛ ନେବ ମାଛ’ ଡାକ ମାରିମାରି ଚାଲିଗଲା । ମୁଁ ତା’ର ଯିବା ବାଟକୁ ଚାହିଁଥାଏ । ସେହିଦିନ ସେହି ମାଛ ବାଲାର କାଠ ଗୋଡ଼ଟା ମୋତେ ଦେଖାଇଦେଲା ଜୀବନର ଏକ ନୂତନ ଦିଗ । ଶିଖାଇଦେଲା ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଅପରାଜୟ ଭାବେ ସଂଘର୍ଷ କରିବାକୁ । ସେହିଦିନଠାରୁ ମୁଁ ଚେଷ୍ଟାକଲି ବାମ ହାତରେ ଲେଖିବା ପାଇଁ । ଚେଷ୍ଟା କଲି ଜୀବନର ଅନୁଭୂତିକୁ ଶବ୍ଦର କିଆରୀରେ ବୁଣିଦେବାପାଇଁ । ଆଉ ସେଦିନର ସେହି ଛୋଟିଆ ଚେଷ୍ଟାର ସମ୍ପୂର୍ଣ୍ଣ ରୂପଟା ହେଉଛି ‘ଫାଇଟ୍’ । ଆଜ୍ଞା ହଁ ! ଯେଉଁ ଫାଇଟ୍ ପାଇଁ ଆଜି ମୁଁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ; ଯେଉଁ ଫାଇଟ୍ ମୁଁ ଅହରହ କରିଚାଲିଛି ମୁଁ ଆଉ ମୋ ସହ । ଆଉ ଶେଷରେ ମୋର ଏହି ପୁସ୍ତକ ଫାଇଟ୍‌କୁ ଭଲପାଇଥିବାରୁ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ ।” ସେତେବେଳକୁ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ଥାନରେ ଛିଡ଼ାହୋଇ ଗପୁ ଉଦ୍ଦେଶ୍ୟରେ କରତାଳି ଦେବାରେ ବ୍ୟସ୍ତ ଥିଲେ । ଆଉ ସେହି କରତାଳିର ଶବ୍ଦଟା ଗପୁର ଦୀର୍ଘ ଦିନର ଶୂନ୍ୟ ହୃଦୟରେ ଆଣି ଦେଉଥିଲା ପୂର୍ଣ୍ଣତା ॥

– ଜ୍ୟୋତି ରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।