You are currently viewing ଖାସି ମାଉଁସ
Odia Story Khasi Maunsa (ଖାସି ମାଉଁସ) by Laxmikanta Behera

ଖାସି ମାଉଁସ

ରମେଶ ବାବୁ ସରଳ ନିଷ୍କପଟ ମଣିଷଟିଏ, ଚାକିରୀ କରିଛନ୍ତି ପାଖ ତହସିଲ ଅଫିସରେ କିରାଣୀ ଭାବରେ । ରମେଶ ବାବୁଙ୍କ ପାଖରେ ସଚ୍ଚୋଟ ପଣିଆ ବି ହାର ମାନିଛି । ସେଥିପାଇଁ ତାଙ୍କ ଦରମା ଟଙ୍କାରେ କଷ୍ଟେ ମଷ୍ଟେ ଚାଳିଯାନ୍ତି ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ସୀତା ଦେବୀ, ଝିଅ କୁନୁ, ପୁଅ କୁନା ଓ ବୁଢ଼ାବାପା । ରମେଶ ବାବୁଙ୍କ ବାପା ବହୁ କଷ୍ଟରେ ରମେଶ ବାବୁଙ୍କୁ ପାଠ ପଢ଼େଇ ଖଣ୍ଡିଏ ଚାକିରୀ ବି କରେଇ ଦେଇଛନ୍ତି । ବାପା ବୁଢ଼ା ହୋଇଯାଇଥିବାରୁ ଔଷଧ ବାବଦରେ ବହୁତ ଖର୍ଚ୍ଚ ହୁଏ କିନ୍ତୁ ରମେଶ ବାବୁ ସ୍ୱଳ୍ପ ଦରାମରେ ବି ବାପାଙ୍କର ସବୁ ଇଚ୍ଛା ପୂରଣ କରିବାରେ କେବେବି ହେଳା କରିନାହାନ୍ତି । କାରଣ ସେ ତାଙ୍କ ବାପାଙ୍କୁ ବହୁତ ଭଲ ପାଆନ୍ତି । ସେ ଯାହା ବି ହେଉ ରମେଶ ବାବୁଙ୍କର ପରିବାରର ସମସ୍ତ ଭିତିରି କଥାର ଭାର ବହନ କରିଛନ୍ତି ସୀତା ଦେବୀ । ନାଆଁଟି ଯେମିତ ଗୁଣ ବି ସେମିତି । କୁନୁ କୁନାଙ୍କ ପାଠପଢ଼ା, ରୋଷେଇ, ଶଶୁରଙ୍କ ସେବା, ଘରର ଯାବତ କାମ… ସେଥିପାଇଁ ତ ବୟସ ୩୫ ହେଲେ ମଧ୍ୟ ୬୦ ବର୍ଷର ବୁଢ଼ୀ ପରି ଦେଖାଯାନ୍ତି ।

ବୟସ ହେଲେ ଯେମିତି ସମସ୍ତଙ୍କର କିଛି ଆଶା ଥାଏ, ସେମିତି ରମେଶ ବାବୁଙ୍କ ବାପାଙ୍କ ବଡ଼ ଇଚ୍ଛା ଟିକେ ଖାସି ମାଉଁସ ଖାଇବେ । ସେଥିପାଇଁ ଆଦରରେ କୁହନ୍ତି, “ଆରେ ରମା ଆଗ ରବିବାର ଟିକେ ଖାସି ମାଉଁସ ଆଣନ୍ତୁନି ।” ରମେଶ ବାବୁ କୁହନ୍ତି, “ବାପା ଏଥର ଦରମା ପାଇଲେ ନିହାତି ଆଣିଦେବି ।” ଏଇ କଥାରେ କୁନୁ ଓ କୁନା କୁହନ୍ତି, “ଆଲୋ ଜେଜେ ତୋ’ର କଣ ଦାନ୍ତ ଅଛି ଯେ ତୁ ଖାସି ମାଉଁସ ଖାଇବୁ ।” ଜେଜେ ଟିକେ ରାଗି ଯାଇ କୁହନ୍ତି, “ମାଂସ ଆସିଲେ ମୁଁ ତ ସବୁ ଖାଇବି, ତମେ ତ ଖାଲି ଶୁଙ୍ଘିବ ଆଉ ।” ଏହା ପୂର୍ବରୁ ବୁଢ଼ା ମଉସା ରମେଶ ବାବୁଙ୍କୁ ଦୁଇ ତିନିଥର ମାଂସ କଥା କହିଛନ୍ତି । କିନ୍ତୁ ଦରମା ମିଳିଲା ବେଳକୁ ଏତେ ଧାର ବାକି ହେଇଯାଇଥାଏ ଯେ ପଇସା ଜମାରୁ ବଞ୍ଚି ନଥାଏ । ତା’ ପରେ ବି ଆର ମାସ କୁନୁ କୁନା ସ୍କୁଲର ଆଡ଼ମିଶନ ଓ ରମେଶ ବାବୁଙ୍କ ଶଳା ବାହାଘର ଥିଲା ପଇସା ଆଉ କେଉଁଠୁ ବଞ୍ଚିବ ଯେ ମାଂସ କିଣିବା ପାଇଁ । ରମେଶ ବାବୁ ସତ ଚେଷ୍ଟା କଲେ ମଧ୍ୟ ବାପାଙ୍କ ପାଇଁ ଟିକେ ଖାସି ମାଉଁସ ଆଣିପାରିନଥିବାରୁ ନିଜକୁ ହେୟ ମଣି ମନ ଦୁଃଖ କଲାବେଳେ ତାଙ୍କ ସ୍ତ୍ରୀ ଆଶ୍ୱାସନ ଦେଇ କୁହନ୍ତି, “ଏଇଥର ନ ହେଲା ନାହିଁ, ହେଲା ଆର ମାସରେ ନିହାତି ଆଣିଦେବ । ଏଇ ମାସରେ ଟିକେ ଅଧିକ ଖର୍ଚ୍ଚ ହେଇଗଲା ବୋଲି ସିନା !”

ସମୟ ଗାଡ଼ିଚାଲେ ହଠାତ ଆଜି କୁନୁ କୁନା ଖୁସିରେ ଫାଟି ପଢୁଛନ୍ତି, କହଁକିନା ଘରେ ଆଜି ଖାସି ମାଉଁସ ହେବ । ସେହି ଖୁସିରେ ବୁଢ଼ା ମଉସା ୪ କି ୫ ଥର ବଡ଼ ପାଟିରେ କହୁଥିଲେ, “ଆଲୋ ସୀତା ମସଲାଟା ବାଟିଲୁ ନା ନାହିଁ, କୁନୁକୁ କହ ପିଆଜଟା କାଟିଦେବ ।” ରମେଶ ବାବୁ ଅତି କଷ୍ଟରେ ୫୦୦ ଟଙ୍କା ସଞ୍ଚୟ କରି ବଜାର ଯାଇଛନ୍ତି ଖାସି ମାଉଁସ ଆଣିବାକୁ । ଏଥିପାଇଁ ତାଙ୍କ ଅଫିସିର ବଡ଼ ବାବୁଙ୍କୁ ଛୁଟି ଦରଖାସ୍ତ ମଧ୍ୟ ଦେଇ ସାରିଛନ୍ତି । ଆଜି ମଧ୍ୟ ରମେଶ ବାବୁ ମନେ ମନେ ବହୁତ ଖୁସି ହେଉଥାନ୍ତି କାରଣ ତାଙ୍କ ବାପାଙ୍କର ବହୁତ ଦିନର ଆଶା ଆଜି ପୂରଣ ହେବାକୁ ଯାଉଛି । ଅଚାନକ ରମେଶ ବାବୁ ଦେଖିଲେ ଖୋଲା ରାସ୍ତାରେ ଏକ ଟ୍ରକ ଗୋଟେ ୧୫ କି ୧୬ ବର୍ଷର ପିଲାଟିକୁ ପଛପଟୁ ବାଡ଼େଇ ଦେଇ ଦ୍ରୁତ ଗତିରେ ଚାଲିଗଲା । ପାଖରେ କେହି ନ ଥିବାରୁ ରମେଶ ବାବୁ ପିଲାଟିକୁ ଧରି ହସ୍ପିଟାଲ ଆଡ଼େ ଧାଇଁଲେ ଓ ପିଲାଟିକୁ ଆଡ଼ମିଟ୍ କଲେ । ସଙ୍ଗେ ସଙ୍ଗେ ଡାକ୍ତର ବାବୁ ମେଡ଼ିସିନ ଓ ଆଡ଼ମିଶନ ବାବଦକୁ ମାଗିନେଲେ ୫୦୦ ଟଙ୍କା । ଟଙ୍କାଟା ଦେଲାବେଳେ ରମେଶ ବାବୁଙ୍କ ହାତ ଥରୁଥାଏ ଓ ତାଙ୍କ ଆଗରେ ଭାସି ଉଠୁଥାଏ ସକାଳର ସେଇ ପାକୁଆ ପାଟିର ହସ । ରମେଶ ବାବୁ କରିବେ ବା କ’ଣ ! ଏ ପଟେ ପିଲାଟିର ଜୀବନ ସେପଟେ ଖାସି ମାଉଁସ ! ଦୋ’ଛକିରେ ପଡ଼ିଯାଇଥିଲେ ସେ । ପିଲାଟିର ସେନ୍ସ ଆସିବା ପରେ ନର୍ସ ଦିଦିଙ୍କ ମାଧ୍ୟମରେ ସେ କଥା ହେଲା ନିଜ ଘର ଲୋକଙ୍କ ସହ । ସେତେବେଳକୁ ରମେଶ ବାବୁଙ୍କ ମୁଣ୍ଡ କିଛି କାମ କରୁନଥାଏ । ଆଖି ଆଗରେ ଭାସି ଯାଉଥାଏ ସେଇ ଗୋଟେଇ କଥା, “ଆରେ ରମା ଟିକେ ଖାସି ମାଉଁସ ଆନନ୍ତୁନି ।” ରମେଶ ବାବୁ ଆଡ଼ମିଶନ ରେଜିଷ୍ଟରରେ ନିଜ ନାଁ ଆଉ ଫୋନ ନମ୍ବର ଲେଖିଦେଇ ସିଧା ଚାଲିଲେ ଘରକୁ ।

ଏପଟେ ବୁଢ଼ା ମଉସା ବାରମ୍ବାର ମଝିରେ ମଝିରେ କହୁଥାନ୍ତି, “ଆଲୋ ସୀତା ରମା ଆସିଲା ନା ନାହଁ? ମସଲା ହେଲା ନା ନାହଁ ବା !?” ଏମିତି କହି କହି ବୁଢ଼ା ମଉସାଙ୍କୁ ମଝିରେ ଟିକେ ନିଦ ଲାଗିଯାଇଥାଏ । ଏହି ସମୟରେ ଫେରନ୍ତି ରମେଶ ବାବୁ, ଆଖିରେ ଧାର ଧାର ଲୁହ, ସାର୍ଟରେ ରକ୍ତର ଛିଟା ଓ ହାତରେ ଖାଲି ବ୍ୟାଗ ଧରି । ସୀତା ଦେବୀ ପଚାରିଲେ, “ଏ ତୁମର କ’ଣ ହେଲା?” ରମେଶ ବାବୁ କହିଲେ, “ମୁଁ ବାପାଙ୍କ ଆଶାକୁ ପୋଡ଼ି ଦେଲି ସୀତା, ମୋତେ କ୍ଷମା କରିଦିଅ ।” ଏତିକି କହି ଭୋ ଭୋ କାନ୍ଦି ଚାଲିଗଲେ ଶୋଇବା ଘରକୁ । ଆର ପଟ ଘରୁ ବୁଢ଼ା ମଉସାଙ୍କ ପାଟି ଶୁଭିଲା ଆଲୋ ସୀତା ରମା ଆସିଲା ନା ନାହିଁ !? ସୀତା ଦେବୀ ନିଜ କୋହ ସମ୍ଭାଳି କହିଲେ, “ହଁ ବାପା ସେ ଆସିଲେଣି ।” ବୁଢା ମଉସା କହିଲେ, “ଆରେ କୁନୁ କୁନା ଯାଇ ଗାଧେଇ ଆସ, ଆଜି ମିଶି ଖାଇବା ।” କିଛି ସମୟ ପାଇଁ ବୁଢ଼ା ମଉସାଙ୍କୁ ଛାଡ଼ି ସମ୍ପୂର୍ଣ୍ଣ ଘରଟି ସ୍ଥାଣୁ ହୋଇଯାଇଥାଏ । ପ୍ରାୟ ୧ ଘଣ୍ଟା ପରେ ରମେଶ ବାବୁଙ୍କ ଘର ସମନାରେ ଗାଡ଼ିର ହର୍ଣ୍ଣ ଶୁଭିଲା । ସେଥିରୁ ଦୌଡ଼ି ଆସି ରମେଶ ବାବୁଙ୍କୁ କୁଣ୍ଢେଇ ପକେଇଲେ ତାଙ୍କ ଅଫିସର ବଡ଼ ବାବୁ ଓ କହିଲେ, “ରମେଶ ତୁମେ ଆଜି ଆମ କୁଳ ପ୍ରଦୀପକୁ ବଞ୍ଚେଇ ଦେଲ । ସେ ଆଜି ତା’ ହଷ୍ଟେଲରୁ ଆମ ଘରକୁ ଫେରୁଥିଲା ।” ରମେଶ ବାବୁ ଦେଖିଲେ ଯେଉଁ ପିଲାଟିକୁ ହସ୍ପିଟାଲ ନେଇଥିଲେ ସେ ତାଙ୍କ ବଡ଼ ବାବୁଙ୍କ ପୁଅ । ରମେଶ ବାବୁ କହିଲେ, “ବଡ଼ ବାବୁ ଆପଣ ମୋତେ କ୍ଷମା କରିଦେବେ । ପିଲାଟିକୁ ମୁଁ ଛାଡ଼ି ଦେଇ ପଳେଇଆସିଥିଲି ।” ବଡ଼ ବାବୁକହିଲେ, “ମୋ ପୁଅର ଜୀବନଠୁ ଆଉ କ’ଣଟା ଅଧିକ ଚାହିଁଥାନ୍ତି ଯେ !” ଏହି ସମୟରେ ସୀତା ଦେବୀ ସରବତ ବଢ଼େଇଦେଲେ ବଡ଼ ବାବୁ ଓ ତାଙ୍କ ସ୍ତ୍ରୀଙ୍କୁ । ବଡ଼ ବାବୁଙ୍କ ସ୍ତ୍ରୀ କହିଲେ, “ଖାଲି ପିଆଇଲେ ଚଳିବନି, ଆଜି ଆମେ ଖାଇକି ଯିବୁ ।” ସୀତା ଦେବୀ ଓ ରମେଶ ବାବୁ ପରସ୍ପରକୁ ଚାହିଁଲେ । ବଡ଼ ବାବୁ ଟିକେ ହସି କହିଲେ, “ଭାଉଜ ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହଁ । ପୁଅ ଆସିବ ବୋଲି ଘରେ ଆଜି ଖାସି ମାଂସ ରୋଷେଇ ହେଇଥିଲା । ସେ ସବୁ ନେଇ ଆସିଛୁ । ଆଜି ଆମେ ସବୁ ମିଶି କି ଖାଇବା ।” କିଛି ସମୟ ପରେ ସେପଟେ ଘରୁ ବୁଢ଼ା ମଉସା କହୁଥିଲେ, “ଆରେ କୁନୁ କୁନା ମୁଁ ତ ମାଉଁସ ଖାଉଛି ତମେ ଦି’ଟା ଖାଉଚ ନା ସୁଂଘୁଛ !?” ଏହି କଥାରେ ସୀତା ଦେବୀ ଓ ରମେଶ ବାବୁଙ୍କ ଓଠରେ ହସର ବନ୍ୟା ବହିଯାଇଥିଲା ॥

– ଲକ୍ଷ୍ମୀ କାନ୍ତ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଲକ୍ଷ୍ମୀକାନ୍ତ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।