ସରଗ ସମ ପରା ତାହାର କୋଳ,
ତାହାର ସେନେହ ଅଟଇ ଅମୂଲ ।
କେତେ ମିଠା କଥା ତାହାର ଅଟଇ,
ତା’ ଆଶିଷେ ରିଷ୍ଟ ଯାଏ ଦୂର ହୋଇ ।
ସେ ଯେବେ ମୋ’ଠୁଁ ଦୂରରେ ରହିଥାଇ,
ସକଳ କଥା ମୋତେ ପିତା ଲାଗଇ ।
ତା’ ଫେରିବା ବାଟକୁ ମୁଁ ରହେ ଚାହିଁ,
ସର ଲବଣୀ ବି ମୋତେ ନ ରୂଚଇ ।
ରୋଗେ ମୁଁ ପଡ଼ିଲେ ତା’ ଆଖିରେ ଲୁହ,
କୋଳେ ଧରିଥାଏ ମନେ ଭରି କୋହ ।
କେତେ ପୂଜା ମାନସିକ କରେ ସେହି,
ମୋ ଶୁଭ ମନାସଇ ଉପାସ ରହି ।
ସଭିଙ୍କ ଓଠରେ ସେ ହସ ଫୁଟାଏ,
ସବୁ ଦୁଃଖକୁ ଛାତିରେ ଚାପିଥାଏ ।
ତା’ ଆଙ୍ଗୁଳି ଧରି ବାଟ ମୁଁ ଚାଲିଲି,
ସତମିଛର ଫରକ ମୁଁ ଶିଖିଲି ।
ଦୁଃଖଦରିଆରେ ସେ ସୁଖର ନାଆ,
ମମତାମୟୀ ଦେବୀ ସେ ମୋର ‘ମାଆ’ ।
– ଜନ୍ମଜୟ ନାୟକ