You are currently viewing ନିଶା ବର୍ଜନ-ସୁନ୍ଦର ଜୀବନ
ନିଶା ବର୍ଜନ-ସୁନ୍ଦର ଜୀବନ

ନିଶା ବର୍ଜନ-ସୁନ୍ଦର ଜୀବନ

ସୁସ୍ଥ ସାମାଜିକ ଜୀବନରେ ଆଜି
ଆସେ ନାନା ବିପର୍ଯ୍ୟୟ,
ନିଶାସେବନ ପ୍ରମୁଖ କାରଣ
କରିବାକୁ ହେବ ଜୟ ।୧।

ଛୋଟ ବଡ଼ ଯେତେ ମାଦକ ଦ୍ରବ୍ୟ ହିଁ
କରଇ ନଷ୍ଟ ଜୀବନ,
ସାମାଜିକ ଜୀବନକୁ କରେ ରୁଗ୍ଣ
ହେବା ସର୍ବେ ସଚେତନ ।୨।

କୁସଙ୍ଗରେ ପଡ଼ି କୁଅଭ୍ୟାସ ବଳେ
କେ’ କରେ ନିଶା ସେବନ,
କାହା ବଡ଼ ଲୋକୀ ଆଭିଜାତ୍ୟର
ଅଟେ ଏହା ନିଦର୍ଶନ ।୩।

ଶାରୀରିକ ଶ୍ରମ ଲାଘବ ନିମନ୍ତେ
ଆଉ କେ’କରେ ସେବନ,
ଯେଉଁ ଭାବେ ଯିଏ ହେଉନା ଅଭ୍ୟସ୍ତ
କରେ ଅହିତ ସାଧନ ।୪।

ପାରିବାରିକ ଅଶାନ୍ତିର ଏହା
ଅଟଇ ମୁଖ୍ୟ କାରଣ,
ଧନ ସମ୍ପତ୍ତି ଯେ ବରବାଦ କରି
ବିତାଏ ନିଃସ୍ୱ ଜୀବନ ।୫।

ଅକାଳ ବାର୍ଦ୍ଧକ୍ୟ ଆସଇ ଜୀବନେ
ଆସେ ନାନା ରୋଗ ବ୍ୟାଧି,
ସମ୍ମାନ ପ୍ରଭାବ ହରାଇ ଦେଇ ସେ
ଧରଇ ନିତି କୁବୁଦ୍ଧି ।୬।

ସାମାଜିକ ଅବକ୍ଷୟ ଧାରା ସୃଷ୍ଟି
ହୁଏ ଅପରାଧ ବୃଦ୍ଧି,
ନିରାକରଣ କରିବା ନିମନ୍ତେ
ନଖଟାନ୍ତି କେହି ବୁଦ୍ଧି ।୭।

ଜାତୀୟ ପ୍ରଗତି ବାଧକ ନ ହୋଇ
ବଢୁଛି ଜାତୀୟ ଆୟ,
ସରକାରଙ୍କର ନାହିଁ ତତ୍ପରତା
କି ହୋଇବ ଦଶା କହ?।୮।

ନିଜର ଜୀବନ ନିଜେ ସୁରକ୍ଷିତ
ରଖିବା କାମ ଆମର,
ନିଶା ସେବନରୁ ରହିବା ଦୁରେଇ
କରିବା ଦୂରୁଁ ଜୁହାର ।୯।

ନିଶା ନଷ୍ଟ କରେ ହିତାହିତ ଜ୍ଞାନ
ଜୀବନ କରେ ଅସାର,
ସୁନ୍ଦର ଭାବରେ ବଞ୍ଚିବାର କଳା
ଲକ୍ଷ୍ୟ ହେଉ ସଭିଙ୍କର ।୧୦।

ଯୁବଶକ୍ତି ଯଦି ହୋଇଯାଏ ପଙ୍ଗୁ
ହୁଏ ଅନ୍ତଃସାରଶୁନ୍ୟ,
କୁହ ଆଉ କିଏ ଏହି ଦେଶର
କରିବ ହିତ ସାଧନ?।୧୧।

ନିବାରଣ ପ୍ରତିବଦଳରେ ଆଜି
ଦିଆ ଯାଉଛି ପ୍ରେରଣା,
କାହାକୁ କହିବା କେ’ଦୁଃଖ ଶୁଣିବ
ଏତ ଭାଗ୍ୟ ବିଡମ୍ବନା ।୧୨।

ଆପଣା ମହତ ଆପେ ରଖିବାକୁ
ହୋଇବଟି ଆଲୋ ସଖୀ,
‘ନିଶା ବର୍ଜନ ସୁନ୍ଦର ଜୀବନ’
ଏ କଥାକୁ ମନେ ରଖି ।୧୩।

ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।