You are currently viewing ଗୁରୁକୁଳ
ଗୁରୁକୁଳ

ଗୁରୁକୁଳ

ପ୍ରାଚୀନ କାଳର ଗୁରୁକୁଳାଶ୍ରମ
ଶ୍ରେଷ୍ଠ ଶିକ୍ଷା ନିଦର୍ଶନ,
ପୂର୍ଣ୍ଣାଙ୍ଗ ଜୀବନ ନିର୍ମାଣରେ ତାହା
ଲଭିଥିଲା ଶ୍ରେଷ୍ଠ ସ୍ଥାନ ।୧।

ଅରଣ୍ୟ ମଧ୍ୟରେ ଗୁରୁ ଆଶ୍ରମରେ
ରମ୍ୟ ପ୍ରକୃତି କୋଳରେ,
ଛାତ୍ରଛାତ୍ରୀମାନେ କରୁଥିଲେ ଶିକ୍ଷା
ଦୃଢ଼ ଶୃଙ୍ଖଳା ମଧ୍ୟରେ ।୨।

କଠୋର ସଂଯମ ସାଧନା ମାଧ୍ୟମେ
କରନ୍ତି ଶିକ୍ଷା ଗ୍ରହଣ,
କର୍ମଭିତ୍ତିକ ନାନାବିଧ ଶିକ୍ଷା
କରନ୍ତି ଗୁରୁ ପ୍ରଦାନ ।୩।

ସମିଧ ସଂଗ୍ରହ ଫଳପୁଷ୍ପ ସହ
ଗୋଚାରଣ ଗୋଦୋହନ,
ଶିଷ୍ୟ ଭାବେ ସେହି ଗ୍ରାମ ନଗରରେ
କରନ୍ତି ଭିକ୍ଷା ଗ୍ରହଣ ।୪।

ପୁସ୍ତକ ଗତ ଜ୍ଞାନ ଯେ ଅପେକ୍ଷା
ଲଭୁଥିଲେ ଆତ୍ମଜ୍ଞାନ,
ସଂଯମ ସାଧୁତା ନମ୍ରତା ସହିତ
ମୁଖ୍ୟ ଚରିତ୍ର ଗଠନ ।୫।

ଛାତ୍ର ଜୀବନର ଭୂଷଣ ଯେ ଥିଲା
ସେବା ତ୍ୟାଗ ଗୁରୁଭକ୍ତି,
ନୈତିକ ଜୀବନ କରି ମହନୀୟ
ରଖୁଥିଲେ ଯଶକୀର୍ତ୍ତି ।୬।

ବୈଷୟିକ ଶିକ୍ଷା ଲାଭ କରି ଶିଷ୍ୟ
ଆତ୍ମନିର୍ଭରଶୀଳ,
ଉତ୍ତର ଜୀବନ କରି ମଧୁମୟ
ସାଧଇ ନିଜ ମଙ୍ଗଳ ।୭।

ଆତ୍ମନିର୍ଭରଶୀଳ ଜୀବନହିଁ
ସଫଳତା ଚାବିକାଠି,
ଉନ୍ନତି ସୋପାନ କରି ଆରୋହଣ
ଲଭିଥାଏ ଆତ୍ମତୁଷ୍ଟି ।୮।

ଆତ୍ମ ପ୍ରଚେଷ୍ଟାରେ ସ୍ୱାବଲମ୍ବୀହୋଇ
ସ୍ୱଚ୍ଛଳ ପ୍ରଗତିଶୀଳ,
ଜୀବନରେ ସେହି ପ୍ରଭୁତ ଉନ୍ନତି
ସାଧନେ ହୁଏ ସଫଳ ।୯।

ଆଜିର ଏ ଶିକ୍ଷା ଯୁବପୀଢ଼ିକୁ
କରିଦେଉଅଛି ନଷ୍ଟ,
ଚାକିରୀର ମୃଗତୃଷ୍ଣା ପଛେ ଧାଇଁ
ହେଉଛନ୍ତି ପଥ ଭ୍ରଷ୍ଟ ।୧୦।

ଗୁରୁକୁଳ ସ୍ୱାବଲମ୍ବନଶୀଳ
ଶିକ୍ଷା ଆଜି ପ୍ରୟୋଜନ,
ନିଜ ଗୋଡ଼ରେ ନ ହୋଇଲେ ଠିଆ
ହେବ କି ସୁଖୀ ଜୀବନ ।୧୧।

ଜୀବନ ଧାରଣ ମାନ ଉନ୍ନତିରେ
ନ ମିଳିଲା ଯଦି ଶିକ୍ଷା,
ସରସ ସୁନ୍ଦର ମଧୁମୟ ପାଇଁ
ଆଉ କିଏ ଦେବ ଦୀକ୍ଷା ?୧୨।

ବ୍ୟକ୍ତି ଉନ୍ନତିରେ ଦେଶର ଉନ୍ନତି
ଅଟଇ ନିର୍ଭରଶୀଳ,
ଉପଯୁକ୍ତ ଶିକ୍ଷା ଯୋଜନା ବଳରେ
ଦେଶହିଁ ପ୍ରଗତିଶୀଳ ।୧୩।

– ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।