You are currently viewing ଅଦ୍ୱିତୀୟ ଓଡ଼ିଶା
Odia Poem Adwitiya Odisha (ଅଦ୍ୱିତୀୟ ଓଡ଼ିଶା) by Rajshekhar Chima on Shubhapallaba Magazine

ଅଦ୍ୱିତୀୟ ଓଡ଼ିଶା

ଆସ ଗାଇବା ଓଡ଼ିଆ ଗୀତ,
ଓଡ଼ିଶା ଦର୍ଶନରେ କିଛି ସମୟ କରିବା ଅତିବାହିତ ।
ଜୀବନର ଅମୂଲ୍ୟ କ୍ଷଣ ହେଉ ଅଭୁଲା ଅତୀତ,
ଓଡ଼ିଶା ଅଦ୍ୱିତୀୟ ବୋଲି କରିବା ମନୋନୀତ ।

ପ୍ରବାହ ହେଉଛି ମହାନ‌ଦୀର ଅମୃତ ଧାରା,
କଳିଙ୍ଗ ପ୍ରଦେଶର ଯାହା ଜୀବନ‌ ଧାରା ।
ପ୍ରାକୃତିକ ଅରଣ୍ୟ ସମ୍ପଦର ହାରିକା,
ଅନ୍ୟତମ ନାମ ଆମ ଚିଲିକା, ଭିତର କନିକା ।

ଅଦ୍ଭୁତ ଶିଳ୍ପକଳା ସୌନ୍ଦର୍ଯ୍ୟର ଅଧିଷ୍ଠାତ୍ରୀ,
ଐତିହାସିକ ମନ୍ଦିର ବାରସତ୍ତ୍ୱର ଶୀର୍ଷ ନେତ୍ରୀ ।
କୀଚକେଶ୍ୱରୀ, ଘଣ୍ଟେଶ୍ୱରୀ, ସମଲେଶ୍ୱରୀ, ଭୁବନେଶ୍ୱରୀ, ମାଣିକେଶ୍ୱରୀ
କଟକଚଣ୍ଡୀ, ଘଟଗାଁ ତାରିଣୀ ପରି ନାନା ଶକ୍ତି ପୀଠେ ଅବସ୍ଥିତ ଅଛନ୍ତି ପରମେଶ୍ୱରୀ ।

ଓଡ଼ିଶାର ଗୌରବ କୋଣାର୍କ ଚକ୍ର,
ବିଶ୍ୱ ବିଖ୍ୟାତ ଶ୍ରୀ ଜଗନ୍ନାଥଙ୍କ ରଥ ଚକ୍ର ।
ମନ୍ଦିର ମାଳିନୀ ରାଜଧାନୀ ଆମ ଭୁବନେଶ୍ୱର,
ଲିଙ୍ଗରାଜ ମନ୍ଦିର ପାଇଁ ସୁପ୍ରସିଦ୍ଧ ଆମ ତ୍ରିଭୁବନେଶ୍ୱର ।

ପ୍ରତ୍ୟହ ହୁଏ ଓଡ଼ିଆ ଘରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ଶ୍ରବଣ,
ଦେଇ ଯାଇଛନ୍ତି ସାରଳା ଦାସ ଆମକୁ ମହାଭାରତ, ବିଲଙ୍କ ରାମାୟଣ ।
ମାଣବସା ଗୁରୁବାରେ ପଢ଼ା ହୁଏ ବଳରାମ ଦାସ କୃତ ଲକ୍ଷ୍ମୀ ପୁରାଣ,
ପଞ୍ଚସଖା ଓ ଅନେକ ଭକ୍ତ କବିଙ୍କର ଅଛି ଓଡ଼ିଆରେ ପ୍ରମାଣ ।

ଶାସ୍ତ୍ରୀୟ ନୃତ୍ୟାଞ୍ଜଳିର ପ୍ରତୀକ ଓଡ଼ିଶୀ,
ସାଂସ୍କୃତିକ ସ୍ୱର କାବ୍ୟାଞ୍ଜଳିର ପ୍ରତୀକ ଓଡ଼ିଶୀ ।
ବିଚିତ୍ର ରାମାୟଣର ରାବଣଛାଇ, ଡାଲଖାଇ, ଛଉନାଚର ଅଧିକାରୀ ଓଡ଼ିଶା ନିବାସୀ,
ସନାତନ ପରମ୍ପରା ସମୃଦ୍ଧିରେ ପରିପୂର୍ଣ୍ଣ ଓଡ଼ିଆ ଭାଷୀ ।

ସ୍ମରଣେ ରହୁ ଉତ୍କଳ ସମ୍ମିଳନି,
ସ୍ମୃତିରେ ଥାଆନ୍ତୁ ଉତ୍କଳ ମଣି ।

ଧାରଣ କରି ଇକତ ସମ୍ୱଲପୁରୀ ଚୀର,
ଆଖିରେ କଜଳରେଖା ମଥାରେ ସିନ୍ଦୁର ।
ପାଦେ ଅଳତା ଏବଂ ସଜେଇ ଅଳଙ୍କାର,
ଚାଲୁଥିବା ଓଡ଼ିଆ ସ୍ତ୍ରୀ ପାଦରୁ ଶୁଭେ ପାଉଁଜୀର ଝଙ୍କାର ।

ପ୍ରସିଦ୍ଧ ଆମ ଘରୋଇ ରନ୍ଧନ,
ରୁଚି ପାଇ ହୁଏ ଅକାଟ୍ୟ ବନ୍ଧନ ।
ଅବଢ଼ା ମିଳେ ଶ୍ରୀଜୀଉଙ୍କ ଆନନ୍ଦ ବଜାରେ,
ଅପୂର୍ବ ଆନନ୍ଦ ମିଳେ ମନ ଭିତରେ ।

କ୍ଷୀର ମୋହ‌ନ, କରାଖଈ ଖଜା, ନୟାଗଡ଼ ଛେନାପୋଡ଼ ହୋଇଛି ବଢ଼ା
ପୋଟଳୀ ପିଠା, ରସାବଳୀ ପାଇଁ ମନେ ପଡ଼େ ବଳଦେଉ ଜୀଉଁଙ୍କ କେନ୍ଦ୍ରାପଡ଼ା ।
ମନେ ପଡ଼େ ସରରପୁରୀ, ସୀତାଭୋଗ ଆରିଶା ପିଠା, ଏଣ୍ଡୁରୀ ପିଠା,
ଭୁଲି ହେବନି କ୍ଷୀରିସାଗର, କାକରା ପିଠା, ମଣ୍ଡା ପିଠା ।

ଅତିବାହିତ କଥାର ବୋଧନ କରେ ଖନାଙ୍କ ଅକାଟ୍ୟ ବଚନ,
ମାଦଳା ପାଞ୍ଜି ଦ୍ୱାରା ହେଲା ଶାସ୍ତ୍ରୀୟ ଓଡ଼ିଆର ଅଧ୍ୟୟନ ।
ରଘୁରାଜପୁର ପଟ୍ଟଚିତ୍ର ଓଡ଼ିଶାର ଅବଦାନ,
ସୁଦର୍ଶନଙ୍କ ସୈକତ ଶିଳ୍ପରୁ ମିଳିଲା ଓଡ଼ିଶାକୁ ମାନ ।

ଗଣପର୍ବ ଉତ୍କଳର ରଜ, ନୂଆଖାଇ, ରଥଯାତ୍ରା,
ବୋଇତ ବନ୍ଦାଣ ସ‌ହିତ ପରିଚିତ ଏକୈକ ବାଲିଯାତ୍ରା ।
ବ‌ହୁ ପ୍ରାଚୀନ ପର୍ବ ଅଶୋକାଷ୍ଟମୀ ଶୀତଳ ଷଷ୍ଠୀ, ପୁରୀ ଗୋସାଣୀ ଯାତ୍ରା,
ପୂର୍ବଜଙ୍କ ପାଇଁ ବଡ଼ବଡ଼ୁଆ ଡାକ ଏବଂ ସୁପ୍ରସିଦ୍ଧ ଆମ ଧନୁଯାତ୍ରା ।

ତୁଣ୍ଡେ ତୁଣ୍ଡେ ଓଡ଼ିଆଙ୍କ କଥା,
ତୁଣ୍ଡେ ତୁଣ୍ଡେ ଓଡ଼ିଆଙ୍କ ଗାଥା ।
ମଧୁରାମୃତ ଏଇ ଓଡ଼ିଆ ଗୀତ,
ନିଶ୍ଚୟ ହୁଅନ୍ତୁ ପ୍ରସନ୍ନ ଚିତ୍ତ ।
କମ୍ ହେଉ ପରଭାଷାର ବ୍ୟଥା,
ହର୍ଷିତ ହୋଇ ଆମ ସମସ୍ତଙ୍କୁ ଆଶୀଷ ଦିଅନ୍ତୁ ଉତ୍କଳ ମାତା ।

 

ରାଜ ଶେଖର ଶ୍ରୀ ଚିମା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।