ବହି
ବହି

ବହି

ସ୍କୁଲ ଛୁଟିର ଘଣ୍ଟା ବାଜୁ ବାଜୁ କକ୍ଷରୁ ଦୌଡ଼ି ବାହାରିଲା ନବମ ଶ୍ରେଣୀର ଛାତ୍ର ବିରୂ, ପୁରା ନାଁ ବିରୂପାକ୍ଷ ମହାନ୍ତି । ଶୀଘ୍ର ଘରେ ପହଞ୍ଚିବାକୁ ମନ ସମ୍ଭାଳୁ ନ ଥାଏ ପିଲାର । ମନ ଭିତରେ ଗୋଟିଏ ଚିନ୍ତା- କେତେ ବେଳେ ଘରେ ପହଞ୍ଚି ନୂଆ ଗପ ବହିଟା ନେଇ ପଢ଼ିବାକୁ ବସିବ ।

ବିରୂ ସିଧା ଅର୍ଥରେ ଗୋଟେ ଗ୍ରନ୍ଥକୀଟ- ପଢ଼ିବାକୁ ଉପଯୁକ୍ତ ବହି ପାଇଲେ ଖାଇବା, ପିଇବା, ଶୋଇବା, ଝାଡ଼ା ଯିବା, ଇତ୍ୟାଦି ସବୁ ଭୁଲିଯାଏ । ନୂଆ ବହି ପଢ଼ି ଶେଷ ନ କରିବା ପର୍ଯ୍ୟନ୍ତ ଶାନ୍ତି ନ ଥାଏ ତା’ର । ଏତେ ବହି ପଢ଼ିବା ନିଶା ଯେ ଖାଇବା ସମୟରେ ମଧ୍ୟ ବହି ନେଇ ଟେବୁଲରେ ବସିବ । ଝାଡ଼ା ଯିବା ସମୟରେ ମଧ୍ୟ ବହି ଧରି କମୋଡ଼ରେ ବସିବ । ଆଜିର ଟିଭି, ମୋବାଇଲ, କମ୍ପ୍ୟୁଟର ଆଉ ଭିଡିଓ ଗେମ ଯୁଗରେ ଗୋଟେ ପିଲା ବହି ପଢ଼ୁଛି, ଏଇଟା ଗୋଟେ ଅଭାବନୀୟ ଆଉ ଦୁର୍ଲଭ ଘଟଣା । ସେଥିପାଇଁ ବିରୂର ବାପା-ବୋଉ ତା’ର ବହି ପଢ଼ିବା ନିଶାକୁ ଉତ୍ସାହିତ କରି ଆସିଛନ୍ତି ସବୁବେଳେ । ଏମିତି ଗୋଟେ ପିଲା ନୂଆ ବହି ପାଇ ପାଗଳ ପରିକା ହବାଟା ସାଧାରଣ କଥା ।

ଉଲ୍ଲେକ୍ଷ୍ୟ ବହିଟା ବିରୂ ଦୁଇ ସପ୍ତାହ ତଳୁ କିଣିଥିଲା । ବହିଟା ଅବଶ୍ୟ ନୂଆ ନୁହେଁ, ବେଶ୍ ପୁରୁଣା । ଗୋଟେ ରବିବାର ଚାଣ୍ଡକ ବଣରେ ସ୍କୁଲ ତରଫରୁ ଗୋଟେ ପିକନିକ ଆୟୋଜିତ ହୋଇଥିଲା । କଥା ଥିଲା, ସ୍କୁଲବସ ପିଲାମାନଙ୍କୁ ନିର୍ଦ୍ଦିଷ୍ଟ ଷ୍ଟପେଜରୁ ଉଠେଇ ପିକନିକ-ସ୍ପଟକୁ ନେଇ ଯିବ । ସେଇ କଥା ଅନୁଯାୟୀ ବିରୂ ବସ-ଷ୍ଟପେଜରେ ପହଞ୍ଚି ସ୍କୁଲବସ ପାଇଁ ଅପେକ୍ଷା କରୁଥିଲା । ବସ ଆସିବା କଥା ସାଢ଼େ ୯’ଟାରେ, ହାତରେ ସମୟ ଥିଲା ଅଧ ଘଣ୍ଟା ପରିକା । କାହାକୁ ଆଉ ଏତେ ସମୟ ଖରାରେ ଛିଡ଼ା ହେବାକୁ ଭଲ ଲାଗେ? ଅନ୍ୟମନସ୍କ ହୋଇ ଏପଟ-ସେପଟ ଅନଉ-ଅନଉ ଗୋଟେ ପୁରୁଣା ବହି-ଦୋକାନ ନଜରରେ ପଡ଼ିଥିଲା ତା’ର । ସ୍ଵଭାବବଶତଃ ବିରୂ କୌତୁହଳି ହୋଇ ପଶି ଯାଇଥିଲା ସେଠି ।

ଦୋକାନ ଭିତରେ ରାଶିକୃତ ବହିର ସ୍ତୁପ । ବହି ଆଲମାରିଗୁଡ଼ିକ ନୂଆ ଆଉ ପୁରୁଣା ବହିରେ ଭର୍ତ୍ତି । ବହୁତଗୁଡ଼େ ବହି ଉପରେ ଦୁଇ ଇଂଚ ପରିକା ଧୂଳି । ଆଲୁଅ-ଅନ୍ଧାରରେ ବହି ଦୋକାନଟା ଗୋଟେ ରହସ୍ୟମୟ ପ୍ରେତପୁରୀ ପରିକା ଲାଗୁଥିଲା । କିଛି ସମୟ ଏପଟ-ସେପଟ ଅନେଇ କାହାକୁ ନ ଦେଖି ବାହାରି ଆସୁଥିଲା ବିରୂ ।

“କୁହ ପୁଅ, କ’ଣ ଦରକାର?”- ହଠାତ୍ କୌଣସି ମାୟାବି ଯାଦୁ ପରିକା ରାଶିକୃତ ବହି ପଛପଟରୁ ବାହାରି ଆସିଥିଲେ ଜଣେ ବୃଦ୍ଧ । ମୁଣ୍ଡଭର୍ତ୍ତି ଧଳା ଚୁଟି, ବଳିରେଖା ଭର୍ତ୍ତି ଧଡ଼ଧଡ଼ ଗାଲ, କୁଞ୍ଚିତ ଆଖି । ଦେଖିଲେ ମନେ ହେବ ସୁଦୂର ମିଶର ଦେଶର ଶତାଧିକ ବର୍ଷର ପୁରୁଣା ଗୋଟେ ମମି ଜୀବିତ ହୋଇ ଉଠିଛି ପୁନରାୟ । ଛାଇ-ଅନ୍ଧାର ଆଲୁଅରେ ଏମିତି ଅଦ୍ଭୁତ-ଦର୍ଶନ ବୃଦ୍ଧକୁ ଦେଖି ଚମକି ଯାଇଥିଲା ବିରୂ ।

“ଆଜ୍ଞା ଅଜା, ଦେଖୁଛି ମନପସନ୍ଦ ବହି କିଛି ପାଇଲେ ନେବି ।”- ଟିକେ ହସି କହିଥିଲା ବିରୂ ।

“ହଉ, ଦେଖ କୋଉ ବହି ତୁମକୁ ପସନ୍ଦ ହେଉଛି ।”

କିଛି ସମୟ ଖୋଜିବା ପରେ ଗୋଟେ ବହି ପସନ୍ଦ ହୋଇଥିଲା ବିରୂର । ବହିର ନାଁ- “ଆତଙ୍କ ସମଗ୍ର” । କଳା ମଲାଟ ଉପରେ ଗୋଟେ ପତ୍ରହୀନ ମୃତ ଗଛର ଛବି, ଡାଳରୁ ଝୁଲୁଛି ଗୋଟେ ଦଉଡ଼ିର ଫାଶ । ଗଛ ପଛପଟେ ଅସ୍ପଷ୍ଟ ହୋଇ ଦିଶୁଛି ଗୋଟେ ଅଶୁଭ ଅପଛାୟା । ବିରୂର ମନ କହୁଥିଲା ବହିର ଗପଗୁଡ଼ିକ ଭୀଷଣ ଲୋମହର୍ଷକ ହୋଇଥିବ ।

ବୃଦ୍ଧ କିନ୍ତୁ ବହି ନେଇ ଅଡ଼ି ବସିଥିଲେ- ବହିଟା ସିଏ ଜମା ବିକିବେନି ।

“କ’ଣ ହେଲା ଅଜା? ବହି ବିକିବନି କାହିଁକି? ମୁଁ ପୁରା ଦାମ ଦେବି ପରା”

“ନାରେ ପୁଅ, ଦାମ୍‌ର କଥା ନୁହେଁ । ବହିଟା କେତେ ଆଉ ଦାମ କି? ମାତ୍ର ଚାରିଶହ ପଚିଶ ଟଙ୍କା । ମୁଁ ଟଙ୍କା ପାଇଁ ଚିନ୍ତିତ ନୁହେଁ । ତୁମେ ଆଉ କୋଉ ବହି ନିଅ ବରଂ ।”

“ଅଜା, ତୁମେ କାହିଁକି ବହିଟା ବିକିବାକୁ ଚାହୁଁନ ଟିକେ କହିବ? କାରଣ କ’ଣ?”

“ପୁଅ, ଅସଲ କଥାଟା ତା’ହେଲେ କହୁଛି ଶୁଣ । ବହିଟା ଭଲ ନୁହେଁ । ତୁମ ପୂର୍ବରୁ ଆହୁରି ତିନିଜଣ ଏଇ ବହିଟା ନେଇଥିଲେ । ସେମାନେ କେହି ଆଜି ଜୀବିତ ନାହାନ୍ତି । ଭଲ କଥା କହୁଛି, ଏଇ ବହି ପାଇଁ ଜିଦ୍ଦି କରନି ।”

“ମାନେ?” ଚମକି ଉଠିଥିଲା ବିରୂ ।

“ବହିଟାର ଆଉ ସବୁ ଭଲ । ଖାଲି ଦ୍ଵିତୀୟ ପୃଷ୍ଠାଟାର ଗୋଟେ ଦୋଷ ଅଛି । ମଲାଟ ଖୋଲିଲେ ପ୍ରଥମ ପୃଷ୍ଠାରେ ବହିର ନାଁ ଦିଶୁଛି- ଠିକ ତା’ର ଓଲଟା ପଟେ ଯୋଉ ପୃଷ୍ଠା-” ରହସ୍ୟମିଶ୍ରିତ କଣ୍ଠରେ କହୁଥିଲେ ବୃଦ୍ଧ, “କେ ଜାଣି କ’ଣ ଅଭିଶାପ ଲାଗିଛି ସେଇ ପୃଷ୍ଠାରେ, ଯିଏ ଯିଏ ସେଇ ପୃଷ୍ଠା ପଢ଼ିଛି, ତିନି ଦିନ ଭିତରେ ରହସ୍ୟଜନକ ଭାବରେ ମରିଛି । ସେଥିପାଇଁ କହୁଛି, ବହିଟା ନିଅନି ।”

“ଆରେ, ତା’ହେଲେ ତ ଦ୍ଵିତୀୟ ପୃଷ୍ଠାଟି ନ ପଢ଼ିଲେ ହିଁ ହେଲା ।” ବିଜ୍ଞ ପରିକା ମୁଣ୍ଡ ହଲେଇ କହିଥିଲା ବିରୂ, “କୌଣସି କ୍ଷତି ହେବାର ସମ୍ଭାବନା ହିଁ ରହିବନି ।”

ଏଇ ଯୁକ୍ତି ପରେ ବୃଦ୍ଧଙ୍କ ଆପତ୍ତି କରିବାର ଆଉ କୌଣସି କାରଣ ନ ଥିଲା । ତିନିଶହ ଟଙ୍କାରେ ବହିଟା ବିକି ଦେଇଥିଲେ ବିରୂକୁ । ବିରୂ ବି ଏପର୍ଯ୍ୟନ୍ତ ମଜାରେ ବହିଟା ପଢ଼ୁଛି । ରୋମାଞ୍ଚକର, ଦେହ ଶୀହରି ଉଠିବା ପରି ଅସାଧାରଣ ସବୁ ଭୂତ ଗପ । ଗଭୀର ରାତିରେ ପଢ଼ିଲେ ମନେ ହୁଏ ଅଜଣା କୌଣସି ଆତଙ୍କ ପଛପଟେ ଛିଡ଼ା ହେଇଛି । ଆଉ ଗୋଟେ ମାତ୍ର ଗପ ବାକି ରହି ଯାଇଛି । ଘରକୁ ଫେରି ଆଜି ହିଁ ବିରୂ ବହିଟା ଶେଷ କରି ପକେଇବ ।

“କ’ଣ କି ରେ, ସ୍କୁଲରୁ ବାହାରି ଦୌଡ଼ା ମାରିଲୁ?”

ଡାକ ଶୁଣି ବିରୂ ପଛପଟକୁ ଫେରି ଚାହିଁଲା । ହାତରେ ଝାଲମୁଢ଼ି ଠୋଙ୍ଗା ଧରି ତା’ର ପ୍ରାଣର ସାଙ୍ଗ ଜୟ ପଛେ ପଛେ ଆସୁଛି । ମୁହଁରୁ ଭାସି ଆସୁଛି ମୁଢ଼ି ଚୋବେଇବାର କଚରମଚର ଶବ୍ଦ । ଜୟର ପୁରା ନାଁ ଜୟବନ୍ତ ପଣ୍ଡା । ବିରୂ ଆଉ ଜୟର ବନ୍ଧୁତ୍ୱ “ଶୋଲେ” ସିନେମାର “ଜୟ ବିରୂ” ପରିକା ପ୍ରସିଦ୍ଧ ତାଙ୍କ ସ୍କୁଲରେ ।

“ଜୟ, ନୂଆ ଗୋଟେ ବହି କିଣିଛି । କେତେ ବଢ଼ିଆ ବଢ଼ିଆ ସବୁ ଗପ । ଶୀଘ୍ର ଘରକୁ ଯାଇ ବହିଟା ପଢ଼ିବାକୁ ବସିବି ।”

“ନୂଆ ବହି କିଣିଲୁ ଆଉ ମତେ ଜମା ଜଣେଇଲୁନି! ତୁ ନା ମୋର ବେଷ୍ଟଫ୍ରେଣ୍ଡ?” ଅଭିମାନ କରି ଜୟ ମୁହଁ ଫୁଲେଇଲା ।

“ଭାଇ, ଆଉ ମାତ୍ର ଗୋଟେ ଗପ ପଢ଼ିବା ବାକି ଅଛି । ଆଜି ରାତି ଭିତରେ ସରି ଯିବ । ମୁଁ ବହିଟା କାଲି ସ୍କୁଲକୁ ନେଇ ଆସିବି । ତୁ ଘରକୁ ନେଇ ଯା”, ବିରୂ ତା ସାଙ୍ଗକୁ ପ୍ରତିଶ୍ରୁତି ଦେଇ ରଖିଲା ।

ଘରକୁ ଫେରି ବହିଟା ଶେଷ କଲା ବିରୂ । ବହିଟା ନେବାକୁ ଭୁଲି ଯାଇ ପାରେ, ସେଥିପାଇଁ ରାତିରେ ହିଁ ବହିଟାକୁ ସ୍କୁଲବ୍ୟାଗରେ ପୁରେଇ ନେଲା ।

ପରଦିନ ବହିଟା ପାଇ ଜୟ ଭାରି ଖୁସି, ସମ୍ଭବ ହେଇଥିଲେ କ୍ଲାସରେ ହିଁ ବହିଟା ପଢ଼ିବା ଆରମ୍ଭ କରି ଦେଇଥାନ୍ତା । ବହିଟା ଦେବା ବେଳକୁ ବିରୂ ପୁରା ଘଟଣାଟା ଖୋଲି କରି କହିଲା । ଭୟମିଶ୍ରିତ ଆଖିରେ ଜୟ ପ୍ରତିଜ୍ଞା କଲା, ସିଏ ଦ୍ଵିତୀୟ ପୃଷ୍ଠାଟି ଜମା ପଢ଼ିବନି । ସ୍କୁଲ ସରିଲେ ସେମାନେ ନିଜ ନିଜ ଘରବାଟ ଧରିଲେ ।

ପରଦିନ ଜୟ କିନ୍ତୁ ସ୍କୁଲକୁ ଆସିଲାନି । ବହି ପଢ଼ିବା ପାଇଁ ସ୍କୁଲ ଆସିଲାନି ନା କ’ଣ? ବିରୂ ଭାବିଲା ଘରକୁ ଫେରି ଜୟକୁ ଫୋନ ଲଗେଇବ ।

ସ୍କୁଲରୁ ଫେରି ବିରୂ କିନ୍ତୁ ଚମକି ଗଲା । ବୈଠକଘର ଟେବୁଲ ଉପରେ ତା’ର ସେଇ ବହିଟା ରଖା ହେଇଛି । ଜୟ ଏତେ ଶୀଘ୍ର ବହିଟା ସାରି ପକେଇଲା ନା କ’ଣ?

“ବୋଉ, ଜୟ ଆସିଥିଲା କି?” ବଡ଼ ପାଟି କରି ତା ବୋଉକୁ ପ୍ରଶ୍ନ କଲା ବିରୂ । ବୋଉ ସେଇ ସମୟରେ ରୋଷେଇଘରେ ପଶି “ବେବିନା”କୁ ବକୁଛନ୍ତି ନୂଆ କପପ୍ଲେଟ ଭାଙ୍ଗିଛି ବୋଲି ।

“ହଁରେ ବିରୂ । ଜୟ ଆସିଥିଲା ସାଡ଼େ ବାରଟା ଖଣ୍ଡେ ବେଳକୁ । ବହି ଦେଇକିରି ଗଲା”, ବୋଉ ରୋଷେଇଘରୁ ଆୱାଜ୍ ଦେଇ କହିଲେ, “ଏତେ ଥର କହିଲି ଦ୍ବିପ୍ରହର ଖାଇବା ଖାଇକି ଯିବାକୁ, ଶୁଣିଲାନି । ବ୍ୟସ୍ତ ହୋଇ ବାହାରି ଗଲା । ଦେଖି କିରି ମନେ ହେଲା କିଛି ଗୋଟେ ଦୁଶ୍ଚିନ୍ତାରେ ଅଛି । କହିଲା ତତେ ପରେ ଫୋନ କରି ନେବ ।”

ଜୟର କଥା ଶୁଣି ଟିକେ ଦୁଶ୍ଚିନ୍ତାରେ ପଡ଼ିଲା ବିରୂ । କପଡ଼ା ବଦଳେଇ, ଜଳଖିଆ ଖାଇ ଜୟକୁ ଫୋନ ଲଗେଇଲା । ଫୋନ ରିଙ୍ଗ ହେଇ ହେଇ କଟିଗଲା, କେହି ଉଠେଇଲେନି । କିଛି ଘଟିଲା ନା କ’ଣ?

ପରଦିନ ଜୟ ସ୍କୁଲକୁ ମଧ୍ୟ ଆସିଲାନି । ସ୍କୁଲ ଛୁଟି ପରେ ବିରୂ ଜୟ ଘରକୁ ଗଲା । ତାଙ୍କ ଘରେ କେହି ନାହାନ୍ତି, କବାଟରେ ଏତେ ବଡ଼ ଗୋଟେ ତାଲା ପଡ଼ିଛି । ପଡ଼ିଶାଘର ଖୁଡ଼ିଙ୍କୁ ପଚାରି କିରି ବି ସଠିକ ଖବର କିଛି ପାଇଲାନି । ମନ ଦୁଃଖ କରି ବିରୂ ଘରକୁ ଫେରିଲା ।

★★★★★★★★★

ଏଇ ଭିତରେ ଗୋଟେ ସପ୍ତାହ କଟି ଯାଇଛି, ଜୟ ଆଉ ତା’ର ପରିବାର, କାହାର କିଛି ଖବର ନାହିଁ । ବେଷ୍ଟଫ୍ରେଣ୍ଡର ଖବର ନ ପାଇ ବିରୂ ସବୁବେଳେ ଦୁଶ୍ଚିନ୍ତାରେ ରହିଛି ।

ସେଦିନଟା ଥିଲା ମଙ୍ଗଳବାର । ଘଣ୍ଟାରେ ରାତି ଦଶଟା ଖଣ୍ଡେ ବାଜି ଥିବ । ବିରୂ ଘରପାଠ ସାରି ବହିପତ୍ର ସଜାଡ଼ି ରଖୁଛି, ଏମିତି ସମୟରେ ପାଖ ଘରେ ଫୋନ ବାଜି ଉଠିଲା । ବୋଉ ସେଇ ସମୟ ରୋଷେଇଘରେ । ବାଧ୍ୟ ହେଇ ଫୋନ ଉଠେଇଲା ବିରୂ ।

“ହ୍ୟାଲୋ, କିଏ ବିରୂ …… କହୁଛୁ? ବିରୂ ମୁଁ…… ଜୟ କହୁଚି……ରେ । ଶୁଣି……. ପାରୁଛୁ? ଶୁ… ମୁ ସେଇ ଦ୍ଵିତୀୟ……… । ମୁ ବୁଝି……… କାହିଁକି…….. ସେଇ ବୁଢ଼ା…… ମନା…….! …ତତେ କହି…….! ଏଇନେ …… ବହୁ ଦୂରକୁ……. ଚାଲି….. । ମୁଁ….. ଫେରି… ପାରିବିନି । ସେଇ ……ପୃଷ୍ଠା ପଢ଼ିନୁ…… ଭଲ କରିଛୁ । ତୋର…. ଭାରି….. କ୍ଷତି… । ହ୍ୟାଲୋ….. ହ୍ୟା…” ନେଟୱର୍କ ଯୋଗୁଁ ଫୋନ କଟିଗଲା ।

କିନ୍ତୁ କ’ଣ କହିବାକୁ ଚାହୁଁଥିଲା ଜୟ? କଥା ଶୁଣି ମନେ ହେଲା ଜୟ ସେଇ ବହିଟା ବିଷୟରେ ତାକୁ ସାବଧାନ କରି ଦେଉଥିଲା । କିନ୍ତୁ ଏଇନେ ସିଏ ଅଛି କୋଉଠି? କୋଉଠି ହଜି ଯାଇଛି ତା’ର ପ୍ରାଣର ସାଙ୍ଗ? ଫୋନରେ କିଛି ପଚାରିବା ଆଗରୁ ତ ଫୋନ କଟିଗଲା ।

ବିରୂର ମନ ଗୋଟେ ଆଶଙ୍କାରେ ଘନୀଭୂତ ହେବାକୁ ଲାଗିଲା । ଦ୍ଵିତୀୟ ପୃଷ୍ଠାଟା ପଢ଼ି କିରି ଜୟ କି କୌଣସି ଅଜଣା ଅଭିଶାପର ଶିକାର ହୋଇଛି? କୌଣସି ଅଜ୍ଞାତ ଜଗତରୁ ଫୋନ କରି ଜୟ କି ତାକୁ ସାବଧାନ କରି ଦଉଥିଲା? ବିରୂର କିଶୋର-ମସ୍ତିଷ୍କରେ ଗୋଟେ ଆତଙ୍କ ଜମାଟ ବାନ୍ଧୁଥାଏ ଧୀରେ ଧୀରେ । ଦୌଡ଼ି ଯାଇ ବହିଟାକୁ ଗୋଟେ ଟ୍ରଙ୍କରେ ପୁରେଇ, ତାଲା ମାରି ଖଟତଳେ ପଶେଇ ଦେଲା ସିଏ । ନା, ଆଉ କେବେ ବି ସିଏ ଏଇ ବହି ଜମା ବାହାର କରିବନି ।

★★★★★

ଜୟର ଅନ୍ତର୍ଦ୍ଧାନ ପ୍ରାୟ ମାସେ ଖଣ୍ଡେ ବିତି ଯାଇଛି । ବିରୂ ଏପର୍ଯ୍ୟନ୍ତ ତା’ର ବା ତା ପରିବାରର କିଛି ଖବର ପାଇନି । ଧୀରେ ଧୀରେ, ଦିନ’କୁ ଦିନ ବିରୂ ବେଶ ଭାଙ୍ଗି ପଡ଼ିଛି । ଆଜିକାଲି ସ୍କୁଲ ଯିବାକୁ ବି ତାକୁ ଭଲ ଲାଗେନି । ବହି ପଢ଼ିବା ନିଶା ମଧ୍ୟ ଚାଲି ଯାଇଛି । ସବୁ ସମୟ ସିଏ ଚୁପ ରୁହେ, ବେଶୀ କଥା କୁହେନି ।

ରବିବାରର ସକାଳ । ବୋଉ ଆଜି ପକୁଡ଼ି କରିବେ ଜଳଖିଆରେ । ବେସନ ଡବା ଖୋଲି ଦେଖିଲେ ବେସନ ସରି ଯାଇଛି । ଟଙ୍କା ଦେଇ ବିରୂକୁ ତେଜରାତି-ଦୋକାନକୁ ପଠେଇଲେ ବେସନ ପାଇଁ । ଘରଠୁ ଦୋକାନ ମାତ୍ର ୫ ମିନିଟର ବାଟ ।

ତେଜରାତି-ଦୋକାନଟା ବଡ଼ରାସ୍ତା ଉପରେ । ବିରୂ ଦୋକାନ ଭିତରେ ପଶିବାକୁ ଯାଉଛି, ହଠାତ୍ ଦେଖିଲା ଗୋଟେ ଅଟୋରୁ ଜୟ ଆଉ ତା ବାପା-ବୋଉ ଓହ୍ଲଉଛନ୍ତି ।

“ଜୟ!”, ବିସ୍ମୟମିଶ୍ରିତ ଗୋଟେ ରଡ଼ି ଛାଡ଼ି ବିରୂ ଦୌଡ଼ି ଗଲା ତାଙ୍କ ଆଡ଼କୁ, “କୋଉଠି ଥିଲୁ ଏତେ ଦିନ?”

“ଆଉ କହ ନା ରେ ଭାଇ । ବୋଉର ଜଣେ ମାମୁ ଭାରି ଅସୁସ୍ଥ ହେଇ ପଡ଼ିଥିଲେ । ତାଙ୍କ ଘର ଗୋପାଳପୁରରେ, ଦୁଇ ପୁଅ ବିଦେଶରେ ରୁହନ୍ତି । ଏଇନେ ସେଇ ଅଜା ଏକଦମ ଏକୁଟିଆ । ବୋଉ ପିଲାବେଳେ ସେଇଠି ହିଁ ମଣିଷ ହେଇଥିଲେ । ତାଙ୍କ ଦେହ ଖରାପ ଶୁଣି ବାପା-ବୋଉ ଯିବା ପାଇଁ ବାହାରିଲେ । ତୋ ଘରକୁ ଯାଇ ବହି ଦେଇ ଆସି ସାଙ୍ଗେ ସାଙ୍ଗେ ବାହାରିଲି । ଏତେଦିନ ଗୋପାଳପୁରରେ ହିଁ ଥିଲି । ସିଏ ସୁସ୍ଥ ହେବା ପରେ ଆଜି ଫେରିଲୁ । ସେଠି ନେଟୱର୍କର ଯା ଅବସ୍ଥା, ଫୋନ ଲାଗେନି ଭଲ କରି ।”

“ତୋ’ର ଖବର ନ ପାଇ ମୁଁ ଭାରି ଡରି ଯାଇଥିଲି । ମୁ ଭାବିଲି ତୁ ସେଇ ପୃଷ୍ଠାଟା ପଢ଼ି ବୋଧେ ବିପଦରେ ପଡ଼ିଛୁ ।”

“କଣ? ତୁ ଏଇନେ ମଧ୍ୟ ସେଇ ପୃଷ୍ଠାଟା…….”, ବୋଉ ଡାକିଲେ ମଝିବାଟରେ ଜୟର କଥା କଟିଗଲା । ଘରକୁ ଯିବା ପାଇଁ ସେମାନେ ପୁଅକୁ ଡାକୁଛନ୍ତି ।

“ଆସିଲିରେ ଭାଇ । ସନ୍ଧ୍ୟାବେଳକୁ ତୋ ପାଖକୁ ଯିବି ।” ଟା ଟା କରି ଜୟ ଚାଲିଗଲା ।

ତରତର ହୋଇ ବେସନ ନେଇ ଘରକୁ ଫେରିଲା ବିରୂ । ଯଦି ପୃଷ୍ଠାଟା ପଢ଼ିବା ପରେ ବି ଜୟର କିଛି କ୍ଷତି ହେଲାନି, ତା’ହେଲେ ସେଇ ବୁଢ଼ାଟା ତାକୁ ମିଛଟାରେ ଡରେଇଥିଲା କାହିଁକି? ଏଇନେ ଜାଣିବାକୁ ପଡ଼ିବ ସେଇ ପୃଷ୍ଠାଟାରେ କ’ଣ ଅଛି ।

ଖଟ ତଳୁ ବିରୂ ଟ୍ରଙ୍କଟା ଟାଣି ଆଣି ତାଲା ଖୋଲିଲା । ବହିଟାକୁ ବାହାରି କରି, ମଲାଟ ଖୋଲି, ଧୀରେ ଧୀରେ ଦ୍ଵିତୀୟ ପୃଷ୍ଠାଟାକୁ ଓଲଟେଇ ଦେଖିଲା ।

ଗୋଟେ ଧକ୍କା ଖାଇଲା ବିରୂ- ଚରମ ଗୋଟେ ମାନସିକ ଧକ୍କା ଯାହାର କଷ୍ଟ ଭୁଲିବାକୁ ତାକୁ ବେଶ କିଛିଦିନ ଲାଗି ଯିବ ।

ଦ୍ଵିତୀୟ ପୃଷ୍ଠାରେ ଲେଖା ଥିଲା ବହିଟାର ମୂଲ୍ୟ- ପଚାଶ ଟଙ୍କା ମାତ୍ର !

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu