You are currently viewing ସମୟ
Odia Poem Samaya (ସମୟ) by Monalisa Mishra

ସମୟ

ସମୟ ସ୍ରୋତରେ ଭାସମାନ
ଆମେ ଗତି ଯେ ସମ୍ମୁଖ ଦିଗକୁ,
ଆଗାମୀ ଭବିଷ୍ୟ ଶୁଭେଚ୍ଛା ସ୍ୱାଗତେ
ପାସୋରିଦେବୁ ଅତୀତକୁ ।

କାଳର କରାଳ ଗତି ବଳୀୟାନ
ଶାସନ କରେ ସେ ସଭିଙ୍କୁ,
ସୁଖ-ଦୁଃଖ ହାନି-ଲାଭ ଭଲ-ମନ୍ଦ
ନକରେ ଅପେକ୍ଷା କାହାକୁ ।

ପୁରାତନ ସ୍ମୃତି ପୁରୁଣା ସପନ
ସାଇତାଯେ ହୃଦୟରେ,
ନବପଲ୍ଲବର ସମ ପୁଣି କିଛି
ସ୍ଫୁରିବ ନବବେଳାରେ ।

ଅପେକ୍ଷା-ଉପେକ୍ଷା ପ୍ରୀତି-ପ୍ରତିଶୃତି
ନୂତନ ଡେଣା ମେଲିବ,
ହିଂସା-ଦ୍ୱେଷ-ଈର୍ଷା ରାଗ-ଅଭିମାନ
ହୃଦରୁ ଅପସରିବ ।

ସମୟ ପ୍ରବାହ କିଏବା ରୋକିବ
ଷୋହଳୁ ଯେମିତି ସତର,
ଠିକ୍ ସେପ୍ରକାରେ ଆଜି ଉପସ୍ଥିତ
ସତରର ପରେ ଅଠର ।

ମୋନାଲିସା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୋନାଲିସା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।