You are currently viewing ଅଭିନନ୍ଦନ ନୂଆ ବର୍ଷ
Abhinandana Nua Barsa (ଅଭିନନ୍ଦନ ନୂଆ ବର୍ଷ): Odia Poem by Sanghamitra Kanungo

ଅଭିନନ୍ଦନ ନୂଆ ବର୍ଷ

ନୂଆ ବର୍ଷ ତମେ ଆସୁଛ
ସବୁ ପୁରୁଣା ସ୍ମୃତିକୁ ଫିଙ୍ଗି ଦେଇ,
ବାରମାସୀ ଚଢ଼େଇ ଭଳି କେତେ ରଙ୍ଗରେ ନିଜକୁ ସଜାଇ,
ତମେ ଆସୁଛ ।

ଆକାଶରେ ମେଘହୀନ ଗୀତର ରାଗିଣୀ
ଶୁଣାଉଛି ତମ ଆଗମନୀର ବାର୍ତ୍ତା,
ତମେ ଆସୁଚ ପୌଷ ଶେଷରେ
ଶୀତର ଚାଦର ଢାଙ୍କି ହୋଇ ।

କିନ୍ତୁ ହେ ନବବର୍ଷ,
ଯଦି ମୁଁ ଠିକ୍ ଦେଖିଥାଏ,
ତେବେ ତମ ମୁହଁରେ ତ’ ଦେଖିପାରୁନାହିଁ
ଆଗମନୀର ଉଲ୍ଳାସ,
ସତେ ଯେମିତି ତମ ଭିତରୁ
ମରି ଯାଇଛି ପ୍ରାଣର ନିର୍ଯ୍ୟାସଂ
ତୁମ ଭିତରେ ବହି ଯାଉଚି,
ଏକ ଅସହାୟତାର ଝଡ଼ ।
ଅତି ଦୟନୀୟ ଭାବେ ଆକ୍ତାମାକ୍ତା ହୋଇ
ତମେ ନିଜକୁ ପ୍ରଶ୍ନ କରୁଛ,
ଏ ସବୁ କେମିତି ସମ୍ଭବ?
କିନ୍ତୁ ଧୈର୍ଯ୍ୟ ଧରି ଦେଖ ବନ୍ଧୁ,
ଏଠି ସବୁ ତ’ ସମ୍ଭବ ।

ଏଠି ସବୁ ଘଟିପାରେ,
ଏଠି ଜନ୍ମ କଲା ଶିଶୁ ବିକ୍ରି ହୋଇପାରେ
ମାତ୍ର ସାତଶ ଟଙ୍କାରେ ।
ଏଠି ନିର୍ମମ ସ୍ୱାମୀ ବି ଟେକି ଦେଇ ପାରେ
ଦରଦୀ ପତ୍ନୀକୁ ଅର୍ଥ ବିନିମୟେ
କେଉଁ ଦଲାଲ ହାତରେ ।

ଏଠି ସବୁ ଘଟିପାରେ,
ରଙ୍ଗୀନ ଟିଭି ଆଗରେ ଫିକା ପଡ଼ିଯାଏ
ନୂଆ ବୋହୂଟିର ରୂପର ଔଜ୍ଜଲ୍ୟ,
ବୋହୂ ଶୋଇଯାଏ ଯୌତୁକ ଜୁଇରେ ।
ବିଶ୍ୱାସର ଚୌହଦୀ ଡେଇଁ
ପତ୍ନୀ ଏଠି ମାରିଦେଇ ପାରେ
ଜନ୍ମ ଜନ୍ମାନ୍ତର ସାଥୀକୁ
ପ୍ରେମିକର ମୁଗ୍ଧ ଈଶାରାରେ ।
ରକ୍ତରେ ଏଠି ହୋଇ ପାରେ
ଫଗୁଣର ହୋରି ଖେଳ ।
ନକ୍ସଲ ବି ଏଠି ଜୀବନକୁ ନେଇପାରେ
ଘରୁ ଟାଣି ଆଣି ଦିନ ଦିପହରେ ।

ନୂଆବର୍ଷ, ତମେ କ’ଣ ଭାବୁଛ ଯେ !
ଅବକ୍ଷୟିତ ଏ ସମାଜ ପାଇଁ
ତମେ ବେଦନା ଜର୍ଜ୍ଜରିତ ସମୟଟିଏ ମାତ୍ର ନା….
ତମେ ଆସୁଛ, ତମେ ଆସୁଥିବ, ଆସିବା ତ’ ତୁମ ଧର୍ମ ।
ବିଶ୍ୱ ପଛେ ଭୂଲୁଣ୍ଠିତ ହେଉ,
ଯୁଦ୍ଧ ଓ ହିଂସାରେ,
ସମାଜ ଧ୍ୱଂସ ହୋଇଯାଉ,
ସଂସ୍କୃତି ଓ ମୂଲ୍ୟବୋଧର ମହାପ୍ରୟାଣରେ ।

ତମେ କିନ୍ତୁ ପ୍ରତିବର୍ଷ ପରି ଆସୁଥାଅ,
ଅନ୍ତରରେ ରଖି ସର୍ବ ମଙ୍ଗଳ ସଦ୍ଇଚ୍ଛା,
ନ ରଖିଣ ମାନ ଅଭିମାନ,
ଆସଆସ ନବବର୍ଷ ଘେନ ଆମ ହର୍ଷିତ ଅଭିନନ୍ଦନ ।

– ସଂଘମିତ୍ରା କାନୁନ୍‌ଗୋ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଘମିତ୍ରା କାନୁନ୍‌ଗୋ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।