ଏଇତ ଜୀବନ
ଏଇତ ଜୀବନ

ଏଇତ ଜୀବନ

ସେଦିନ ସକାଳୁ ଉଠି ପ୍ରାତଃ ଭ୍ରମଣରେ ବାହାରିଗଲା ସୁଜିତ୍ । କି ଖରା କି ବର୍ଷା ସବୁଦିନ ସକାଳୁ ତା’ର ବୁଲିଯିବାଟା ଥୟ । ଜଗନ୍ନାଥ ମନ୍ଦିର ହେଇ ପାର୍କ ପର୍ଯ୍ୟନ୍ତ ଯାଇ ସେଠାରୁ କିଛି ଫୁଲ ଧରି ସେ ଫେରେ ପ୍ରତିଦିନ । ଆଜି କିନ୍ତୁ ଫେରିଲାବେଳକୁ ତା’ ଘର ପାଖରେ ଲୋକ ଗହଳି ଲାଗିଥିଲା । ତା’ର ପଡ଼ୋଶୀ ଦାସବାବୁ ଯାହାଙ୍କ ଘରଆଡ଼େ ଦୀର୍ଘ ବାର ବର୍ଷ ଧରି ମନାନ୍ତର ମତାନ୍ତର ପାଇଁ ଚାହୁଁ ନ ଥିଲା, ସେଇଠି ଠିଆ ହୋଇଗଲା । ଘର ଭିତରୁ କାନ୍ଦଣା ରହି ରହି ଶୁଭୁଥିଲା । ସାମନାରେ ପ୍ରଧାନ ବାବୁ ସୁଜିତ୍‌କୁ ଦେଖି ପଚାରିଲେ କ’ଣ ସବୁ ଆୟୋଜନ ସରିଲାଣି? ଏହି ଭଳି ଅପ୍ରତ୍ୟାଶିତ ପ୍ରଶ୍ନରେ ହଡ଼ବଡ଼େଇ ଗଲା ସୁଜିତ୍ । କାରଣ ସେ ଘଟଣା ସହିତ ଆଦୌ ଜଡ଼ିତ ନଥିଲା । ଆଜି ନୁହେଁ, ଦୀର୍ଘ ବାରବର୍ଷ ହେଲା ପଡ଼ୋଶୀ ଦାସବାବୁଙ୍କ ସହିତ ତା’ର କୌଣସି ସମ୍ପର୍କ ନଥିଲା । ଏପରି ସ୍ଥଳେ ତାଙ୍କ ଘରକୁ ଚାହିଁ ପ୍ରଧାନ ବାବୁଙ୍କ ପ୍ରଶ୍ନ ତାକୁ ପୁରା ଭ୍ରମିତ କରି ଦେଉଥିଲା ।

ସେ ଆଉ କାଳ ବିଳମ୍ବ ନକରି ପ୍ରଧାନବାବୁଙ୍କୁ ଘଟଣା ସମ୍ବନ୍ଧରେ ପଚାରନ୍ତେ ଦାସ ବାବୁଙ୍କ ଦେହାନ୍ତ ବିଷୟରେ ଜାଣିବାକୁ ପାଇଲା । ଏଥି ସହିତ ତା’ ଆଖିଆଗରେ ନାଚିଗଲା ବିଗତ ବାରବର୍ଷର ଅଭୁଲା ଅତୀତ । ସାମାନ୍ୟ ନଳାପାଣି ପାଇଁ କେତେ ହିନସ୍ଥା କରିଛି ଏ ଦାସବାବୁ । ଦୁଆରମୁହଁକୁ ଖୋଳି ତାଡ଼ିଦେବାଠାରୁ ସବୁଯାକ ଆବର୍ଜନାପାଣି ସୁଜିତ୍‌ର ଦୁଆରମୁହଁରେ ଜମେଇ ସନ୍ତସନ୍ତିଆ କରାଇ କି ହଇରାଣ ନକରିଛି ସେ । ସାର୍ବଜନିକ ନାଳକୁ ବନ୍ଦ କରି ଏକ ପ୍ରକାର ଆତଙ୍କ ସୃଷ୍ଟି କରି ସୁଜିତ୍‌କୁ ଚାଲେଞ୍ଜ ଦେଇଥିଲା ଦାସବାବୁ । ପୁଲିସ୍‌ବାଲା, ମ୍ୟୁନିସିପାଲିଟିବାଲା ଏପରିକି ଆସୋସିଏସନ୍‌ବାଲାଙ୍କୁ ହାତକରି ଭୋଜିପାଇଁ ଚାନ୍ଦାଦେଇ ସବୁରି ମୁହଁ ବନ୍ଦ କରି ଦେଇଥିଲା । ଯେତେଆଡ଼ୁ ଚେଷ୍ଟା କରି ମଧ୍ୟ ସୁଜିତ୍ ନ୍ୟାୟ ପାଇପାରି ନଥିଲା । ଶେଷରେ ଚୁପ ରହି ସବୁକୁ ସହିଗଲା ।

ଏଇ ତିନି ବର୍ଷ ତଳେ ଦିନେ ଦୁଆର ମୁହଁରେ ପାଣି ଜମନ୍ତେ ସୁଜିତ୍ କ’ଣ ଦିପଦ ଗାଳି କଲାବୋଲି ମିଛ ପୋଲିସ କେସ୍‌ରେ ଦୋଳପୂର୍ଣିମା ବାସି ହୋଲିଖେଳ ଦିନ ପୋଲିସ ଆଣି ସୁଜିତ୍‌କୁ ଥାନାକୁ ଟାଣିଥିଲା ଦାସବାବୁ । ଏସବୁ ଘଟଣା ଗୁଡ଼ିକ ସିନେମାର ଦୃଶ୍ୟ ପରି ତା’ ଆଖିଆଗରେ ନାଚି ଯାଉଥାଏ ।

ସୁଜିତର ଅନ୍ୟମନସ୍କତା ଦେଖି ପ୍ରଧାନବାବୁ ତାକୁ ପ୍ରକୃତିସ୍ଥ କରାନ୍ତେ ସେ ଝଡ଼ ଭଳି ମାଡ଼ିଗଲା ଦାସବାବୁଙ୍କ ଶବ ପାଖକୁ । ଧଳାଚଦର ଘୋଡ଼ାଇ ହୋଇଥିବା ଶବକୁ ନିରିଖେଇ ଚାହିଁଲା ସୁଜିତ । ଆଣିଥିବା ଫୁଲକୁ ଶବ ଉପରେ ଥୋଇଦେଇ ଶେଷ ପ୍ରଣାମ ଜଣାଇ ଫେରିଆସୁଥିଲା କହିକହି ରାମ ନାମ ସତ୍ୟ ହେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu